Unknown

 

 

 

 

 

 

 

 

 

 

 

ଅସଂଲଗ୍ନ

ମହାପାତ୍ର ଯତୀନ୍ଦ୍ର କୁମାର

 

Ghost–like I paced round

the haunts of my child-hood,

Eearth seemed a desert

I was bound with traverse,

Seeking to find the Old-familiar faces.

How some they have died,

and some they have left me.

And some are taken from me,

All are departed !

All all are gone,

the old familiar faces !!

 

Charles Lamb

Image

 

ଜୀବନର ଚଲାପଥରେ ନିତି-ପ୍ରତି କେତେ ପ୍ରକାର ଲୋକଙ୍କୁ ଭେଟିଚି । ସମସ୍ତଙ୍କୁ ମନେ ରଖିବା ସମ୍ଭବ ନୁହେଁ । କେତେ ଆତ୍ମ-କାହାଣୀ ଶୁଣିଚି, ସବୁ ମନେ ରହିବା ସହଜ ନୁହେଁ ! କିନ୍ତୁ ଗୋଟିଏ ଗୋଟିଏ ଆତ୍ମ-କାହାଣୀ ଶୁଣି ମନେ ହେଇଚି–ନୂଆ ଉପନ୍ୟାସଟିଏ ପଢ଼ିଲି; ନୂତନ ମହାଦେଶଟିଏ ଆବିଷ୍କାର କଲି !!

 

ଜଣେ ‘ଲେଖକ’ର ସ୍ମୃତି କଥା ବା ଆତ୍ମ-କାହାଣୀରେ ସାହିତ୍ୟିକ ମୂଲ୍ୟ ହୁଏତ ବେଶ୍‌ ଥାଇପାରେ; କିନ୍ତୁ ଘଟଣାର ସତ୍ୟତା ଦୃଷ୍ଟିରୁ ତାହାର ମୂଲ୍ୟ ନିରୂପଣ କରିବା ଦୁଃସାଧ୍ୟ । କାରଣ ‘କ’ଣ ଘଟିଚି’–ଏହା ଲେଖିବା ଅପେକ୍ଷା, ‘କବି-କଳ୍ପନା’ର ଅଧିକ ଆକର୍ଷଣ ଥାଏ, ‘କ’ଣ ଘଟିଥିଲେ ଠିକ୍‌ ହେଇଥାନ୍ତା’ ବା ‘କ’ଣ ଘଟିଥିଲେ ଠିକ୍‌ ମାନିବା ଭଳି ହୁଅନ୍ତା’–ସେଇ ଆଡ଼କୁ !

 

ହୁଏତ କେହି ଜଣେ ମରିଗଲା ଜ୍ୟୋତ୍ସ୍ନା-ଝଲ୍‌ ମଲ୍‌ ରାତିର ଠିକ୍‍ ପ୍ରଥମ ପ୍ରହରରେ । ‘ଲେଖକ’ର ମନକୁ ସେଟା ପାଏନା । ସେ ସେଇଟାକୁ ଝଡ଼-ବିକ୍ଷୁବ୍ଧ ଅମା-ରାତ୍ରିର ଶେଷ ପ୍ରହର କରିଦିଏ । ପେଚାଟାକୁ ପାଖ ବରଗଛରେ ବୋବାଇ ଦେଇ, ଘର ଭିତରେ ଜଳୁଥିବା ପ୍ରଦୀପର ଶିଖାଟାକୁ ଦୁଇଥର ଦପ୍‌ ଦପ୍‌ କରି (ଠିକ୍‌ ମୃତ୍ୟୁ ସମୟକୁ) ଲିଭାଇ ଦିଏ ।

 

ହୁଏତ ମିଛ; ସବୁ ମିଛ । ଘର ଭିତରେ ସେତେବେଳେ ହୁଏତ ପ୍ରଦୀପ ନ ଥିଲା, କି ବାହାରେ ବରଗଛଟିଏ ବି ନ ଥିଲା । ଖାଲି ସେଇ ‘ମରିବା’ କଥାଟାଇ ସତ । ବାକିତକ ‘ଶୁଣିବାକୁ ବା ପଢ଼ିବାକୁ ସୁନ୍ଦର’ କବି-କଳ୍ପନା । ସେଇଥିପାଇଁ ମୋପାଁସାଙ୍କ ଆତ୍ମ-ଜୀବନୀର ସେଇ ଅଂଶଟି, ଯୋଉଠି ସେ ଲେଖିଛନ୍ତି ନିଜର ଅବୈଧ-ସନ୍ତାନକୁ ଅନ୍ଧକାର ରାତିରେ ସମସ୍ତଙ୍କ ଅଜ୍ଞାତସାରରେ ଅନାଥାଶ୍ରମର କାଉଣ୍ଟର ଉପରେ ଛାଡ଼ିଦେଇ ଆସିଥିଲେ ବୋଲି, ସେଥିରେ ଇଉରୋପର ପ୍ରାୟ ସବୁ ଚିନ୍ତାଶୀଳ ସମାଲୋଚକ ଘୋର ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ମୋପାଁସା ଏପରି କରିଥିବା ସମ୍ଭବ ନୁହେଁ ।

ଆହୁରି ବି ଜଣେ ଲେଖକର ଆତ୍ମ-କାହାଣୀରେ ‘ନିଜ କଥାଇ’ ଥାଏ ବେଶୀ । ସେହି ଲେଖା ପଢ଼ିବାବେଳେ ଆମେ ଲେଖକର ‘ଲେଖା’ର କୃତିତ୍ୱଇ ବେଶୀ ଦେଖିବାକୁ ପାଉଁ । ଚରିତ୍ରଗୁଡ଼ିକର ନୁହେଁ । ଚରିତ୍ରଗୁଡ଼ିକ ଅପେକ୍ଷା ଲେଖକର କଥାଇ ଆମ ମନକୁ ବେଶୀ ଅଭିଭୂତ କରି ପକାଏ । ମନେହୁଏ, ଆତ୍ମ-କାହାଣୀ ମାନେଇ ‘ନିଜ-କଥା ।’

କିନ୍ତୁ ‘ବିଜୟ’ କବି ବା ଲେଖକ ନୁହେଁ । ଭାଷା ବା କଳ୍ପନାର ଇନ୍ଦ୍ରଜାଲ ସେ ବୁଣି ଜାଣେନା । ‘ନିଜ-କଥା’ ସେ ବିଶେଷ କିଛି ମୋତେ ଶୁଣେଇନି । ଯାହା କିଛି ସେ ମୋତେ କହିଥିଲା, ସେଥିରେ ନିଜ-କଥା ଥିଲା ଖୁବ୍‌ କମ୍‌ । ଯୋଉମାନଙ୍କୁ ସେ ଦେଖିଚି, ଯୋଉମାନଙ୍କ ସଂସ୍ପର୍ଶରେ ଆସିଚି, ସେଇମାନଙ୍କ ଉପରେଇ ସେ ବେଶୀ ପ୍ରାଧାନ୍ୟ ଦେଇଥିଲା–ସେଇମାନଙ୍କ କଥାଇ ଶୁଣେଇଥିଲା ବେଶୀ । ସେଇମାନେ ଥିଲେ ରଙ୍ଗମଞ୍ଚ ଉପରେ, ବିଜୟ ଥିଲା ଅନ୍ତରାଳରେ-। ମୁଖ୍ୟ ସେଇମାନେ; ବିଜୟ ଗୌଣ । ସେଇମାନେ ପାତ୍ରୀ ଆଉ ପାତ୍ର; ବିଜୟ ଖାଲି ନିମିତ୍ତ ମାତ୍ର-

ଜଣେ ବିଖ୍ୟାତ ଫରାସୀ-ଯାଯାବର ଦେଶ ବିଦେଶରେ ଘୂରି ବୁଲିଥିଲେ ଲକ୍ଷ୍ୟହୀନ ହୋଇ ବିଚିତ୍ର-ଚରିତ୍ରର ସନ୍ଧାନରେ । ହାତରେ ଥିଲା କ୍ୟାମେରା । ଯୋଉଠି ଯାହା ଦେଖିଥିଲେ, ସାଙ୍ଗେ ସାଙ୍ଗେ କ୍ୟମେରାରେ ତୋଳି ଧରିଥିଲେ ସେସବୁକୁ । ଦୀର୍ଘ ବାରବର୍ଷ ପରେ ସେ ଫେରି ଆସିଲେ । ସେଇ ସବୁ ଛବିଗୁଡ଼ିକୁ ଗୋଟିକ ପରେ ଗୋଟିଏ ସଜାଇ ରଖିଲେ ଟେବୁଲ ଉପରେ । ପ୍ରତ୍ୟେକଟି ଛବି ଉପରେ ଲେଖି ଚାଲିଲେ ଗୋଟିଏ ଗୋଟିଏ ରମ୍ୟ-ରଚନା । ପ୍ରତିଟି ରଚନାରେ ତାଙ୍କର ପ୍ରାଣବନ୍ତ ହେଇ ଉଠିଲା ପ୍ରତିଟି ନିଷ୍ପ୍ରାଣ ଚିତ୍ର । ମୁଖର ହେଇ ଉଠିଲା ପ୍ରତିଟି ନିର୍ବାକ ଚିରିତ୍ର । ପରେ ସେଇ ସବୁକୁ ନେଇ ସେ ଏକ ଚଳଚ୍ଚିତ୍ରର ପ୍ରଯୋଜନା ବି କରିଥିଲେ । ସେଇଟି ଲାଭ କରିଥିଲା ଆନ୍ତର୍ଜାତିକ ସୁଖ୍ୟାତି ଓ ସ୍ୱୀକୃତି । ସାରା ପୃଥିବୀରେ ଚାଞ୍ଚଲ୍ୟ ସୃଷ୍ଟି କରିପାରିଥିଲା ସେଇ ସମ୍ପୂର୍ଣ୍ଣ-ନୂତନ-ପରିକଳ୍ପନାର ରୂପାୟନ ।

ବୈଚିତ୍ର୍ୟମୟ ଏଇ ଜୀବନ-ଚରିତ, ଅନେକଟା ସେଇପରି । ଘଟଣା ସହ ଘଟଣାର ଯୋଗ-ସୂତ୍ର ନାହିଁ କି ଚରିତ୍ର ସହିତ ଚରିତ୍ରର ନାହିଁ କୌଣସି ଯୋଗାଯୋଗ । ଯାହା ଓ ଯୋଉମାନଙ୍କୁ କେବେହେଲେ ଭୁଲି ଯାଇ ହୁଏନା, ସେଇ ସବୁର ଓ ସେଇମାନଙ୍କର ଫଟୋଗ୍ରାଫ୍‌ ତୋଳି ଧରା ହେଇଚି ଏଥିରେ ।

ସାଦା ଆଉ କଳା ଏଇ ଚରିତ୍ର-ଚିତ୍ରଣରେ ନାହିଁ କୌଣସି ରଙ୍ଗର ପ୍ରଲୋପ । କେତେଗୁଡ଼ିଏ ଘଟଣା-ବହୁଳ ବିଚିତ୍ର-ଚରିତ୍ର; କେତେକ ବ୍ୟକ୍ତି ବିଶେଷଙ୍କ ଜୀବନୀର ଅସଂଲଗ୍ନ ଭଗ୍ନାଂଶ; କେତେ ପ୍ରକାର ବ୍ୟକ୍ତିଗତ ଅଭିଜ୍ଞତା; ପରିଣତି-ବିହୀନ, ଅସମ୍ପୂର୍ଣ୍ଣ କେତୋଟି ଘଟଣାବଳୀ...ସବୁ ପଢ଼ିବା ପରେ ମନେହେବ ବିଧାତାର ସୃଷ୍ଟିରେ ସବୁଠୁଁ ରହସ୍ୟମୟ ଓ ବିଚିତ୍ର-ଜୀବ ହେଉଛି ‘ମଣିଷ’ । ତା’ ଭିତରେ ରହିଚି ଯୋଉ ‘ଦେହୀ’–ତା’ର ପୁଣି ଯୋଉ ଦାହ, ଆଉ ସେଇ ଦାହର ପୁଣି ଯୋଉ ଦହନ.... !!!

ମୋର ପାଠକ-ପାଠିକାମାନେ ସ୍ୱଭାବତଃ ଜାଣିବାକୁ ଚାହିଁବେ, ବିଜୟ ସାଙ୍ଗରେ ମୋର କେବେ, କିପରି ଓ କେଉଁଠି ଭେଟ ହେଇଥିଲା ।

କ୍ଷମା ଚାହୁଁଚି, ସେଇ କୌତୂହଳ ସେମାନଙ୍କୁ ଦମନ କରିବାକୁଇ ହେବ ।

ଅନାମଧେୟ ସେ ଗୋଟିଏ ମଣିଷ । ଆସିଥିଲା; ଚାଲିଗଲା । ଉଚ୍ଚ ସମ୍ଭ୍ରାନ୍ତ ପରିବାରରେ ତା’ର ଜନ୍ମ ଜନ୍ମମାଟିରୁ ବହୁ ଦୂରରେ ଏକ ଅଭିଜାତ ଟି.ବି. ସ୍ୟାନାଟେରିୟମରେ ତା’ର ମୃତ୍ୟୁ; ଯେଉଁଠି କିଛିଦିନ ପାଇଁ ମୋତେ ବି ଦୁଗ୍‌ଧ-ଫେନନିଭ ଶଯ୍ୟାରେ ଶୋଇ ଅବଶ୍ୟମ୍ଭାବୀ ମୃତ୍ୟୁର ତପସ୍ୟା କରିବାକୁ ହୋଇଥିଲା ।

ଶେଷରେ ସେଠାରୁ ସୁସ୍ଥ ଦେହ ନେଇ ପୃଥିବୀର ଆଲୋକକୁ ବାହାରି ଆସିଲି ମୁଁ । ସେ କିନ୍ତୁ ପାରିଲାନି । ଲଢି ପାରିଲାନି । ହାରିଗଲା । ଟଳି ପଡ଼ିଲା ।

ସମାଜର ତା’ର ବେଶ୍‌ ଦୁର୍ନାମ ଥିଲା । ଲୋକାପବାଦ ଦୃଷ୍ଟିରୁ ତା’ର ସ୍ଥାନ ଥିଲା ନିମ୍ନ ସ୍ତରରେ । ତେଣୁ, ତା’ର ବନ୍ଧୁ ବୋଲି ନିଜକୁ ଚିହ୍ନାଇବାର ଦୁଃସାହସ ମୋର ନ ଥିଲା ।

ଖଣ୍ତିଏ ମାତ୍ର ବହି ଲେଖି ସେତେବେଳକୁ ଚାରିଆଡ଼େ ମୋର ବିସ୍ତାର ନାମ ହେଇ ଯାଇଥିଲା । ମୋତେ ଲୋକେ ଚିହ୍ନନ୍ତି, ଜାଣନ୍ତି । ତା’ର ଚିତା ପାଖରେ ଠିଆ ହେଇଥିବାବେଳେ ଚିହ୍ନା-ଜଣା କେହି ଦୈବାତ୍‌ ଯଦି ପଚାରି ଦେଇଥାନ୍ତା, କୁଆଡ଼େ ଆସିଛନ୍ତି ? ଆପଣଙ୍କର କ’ଣ କେହି ଆତ୍ମୀୟ.... ?

ନା, ତା’ର ବନ୍ଧୁ ବୋଲି ନିଜକୁ ଚିହ୍ନାଇବାର ଦୁଃସାହସ ମୋର ନ ଥିଲା ।

ହୁଏତ ଉତ୍ତର ଦେଇଥାନ୍ତି–ନାଁ ନାଁ, ମୋର କେହି ନୁହେଁ । ଖାଲି ଇମିତି ବୁଲିବାକୁ ଆସିଥିଲି । ମଶାଣି ଦେଖିବା ପାଇଁ, ଚିତା ଦେଖିବା ପାଇଁ, ପ୍ରକୃତି ଦେଖିବା ପାଇଁ, ଶ୍ମଶାନ ଉପରେ କିଛି ଗୋଟାଏ ଲେଖିବାକୁ ଉପାଦାନ ସଂଗ୍ରହ କରିବା ପାଇଁ ।

କିନ୍ତୁ ତା’ରି କାହାଣୀକୁ ନେଇ ଆଜି ଯେ ମୁଁ ସାହିତ୍ୟିକସୁଖ୍ୟାତିର ପାହାଚ ଉପରେ ଉପରକୁ ଉଠି ଚାଲିଚି....କେହି ଜାଣିବେନି ସେ କଥା ! ସମସ୍ତେ ଜାଣିବେ ମୋତେ । ବିଜୟକୁ ଜାଣିବେନି କେହି । ଆଲୋକୋଜ୍ଜଳ ମଞ୍ଚ ଉପରେ ରହିବି ମୁଁ । ସେ ଚିରଦିନ ରହିଯିବ ଉଇଙ୍ଗ୍‌ସ୍‌ ଉହାଡ଼ରେ; ଯେପରିକି....ସିଂହ-ଶିକାରୀ ଜନ୍‌କିଙ୍ଗ୍‌, ହତଭାଗିନୀ ସୁରୁଚି, ଜର୍ମେନ ଗୁପ୍ତଚର ଜନ୍‌ସନ୍‌, ବେଶ୍ୟା-ବାଳିକା ତୁଳସୀ, କଂଗ୍ରେସ କର୍ମୀ ବ୍ୟାସଜୀ, ମଦର୍‌ ସୁପିରିୟର୍‌ ବ୍ରାଉନିଂ, ବ୍ରହ୍ମଚାରିଣୀ ଇଭା, ସାରଙ୍ଗଗଡ଼ର ଯୁବରାଜ ଆଉ ହୋଟେଲ ଏଷ୍ଟୋରିଆର ସେଇ ସ୍ପେନିଶ ନର୍ତ୍ତକୀ ପ୍ରଭୃତି ସମସ୍ତଙ୍କୁ ସମୁଜ୍ଜ୍ୱଳ ପାଦ-ପ୍ରଦୀପ ଆଗରେ ଜନତାର ସମ୍ମୁଖୀନ କରାଇ ଦେଇ, ବିଜୟର ଆତ୍ମ-କାହାଣୀ ନିଜେ ଅପସରି ଯାଇଚି ଅନ୍ତରାଳକୁ ...ସମସ୍ତଙ୍କୁ ପ୍ରକାଶ୍ୟ କରି ଦେଇ ନିଜେ ରହି ଯାଇଚି ଅପ୍ରକାଶ୍ୟ !

ତେଣୁ, ଏଇ କାହାଣୀ, କାହାରି କାହାଣୀ କହି ପାରିନି । ଥୋଇ ଦେଇଚି କେବେଳ କେତେଗୁଡ଼ିଏ ‘ସ୍ନାପ୍‌ ଶଟ୍‌ ।’ ବେଶ୍‌ ସେତିକି ।

ଉପନ୍ୟାସର ଏଇ ଉପକରଣ, ହୁଏତ ଦିନେ ଏଭଳି କୌଣସି ଯୋଗ୍ୟ ବ୍ୟକ୍ତି ହାତରେ ପଡ଼ିପାରେ, ଯେ କି ଏହାରି ଉପରେ ଲେଖି ଚାଲିଯିବ ଶତ ଶତ ସମ୍ପୂର୍ଣ୍ଣ ଉପନ୍ୟାସ !!

 

ଲେଖକ–ସୁଖ୍ୟାତି ଲାଭ କରିବା ପରେ କେତେ ପରିଚିତ ଅପରିଚିତ ଅଯାଚିତ ଅନୁରୋଧ ପାଇଚି–‘‘ମୋ ଜୀବନର କାହାଣୀ ତ ଗୋଟାଏ ଉପନ୍ୟାସ ! ସବୁ ଶୁଣେଇବି ଆପଣକୁ । ଲେଖିଦେଇ ପାରିବେନି ତା’ ଉପରେ ଗୋଟାଏ କିଛି ?’’

 

....‘‘କେତେ ପ୍ରକାର ଝିଅଙ୍କ ସାଙ୍ଗରେ ଯେ ମୋର ଜଣା-ଶୁଣା ହେଇଚି...ସବୁ କହି ବସିଲେ ବିରାଟ ଗୋଟାଏ ଇତିହାସ ହେବ । ମୋର ସେଇ ସବୁ ଅଭିଜ୍ଞତା ଉପରେ ଆପଣ ବହିଟିଏ ଲେଖନ୍ତୁ ନା’’.....

 

......‘‘ସୁନ୍ଦର ପ୍ଲଟ ମୁଁ ଦେଇ ପାରିବି ଆପଣଙ୍କୁ । ଓୟେଲ୍‍, ଲେଟ୍‌ ମି ଟେଲ୍‌ ୟୁ ଏ-ବାଉଟ୍‌ ଏ’ ଗ୍ୟାର୍ଲ୍‌ ଆଇ ମେଟ୍‌ ଇନ୍‌ ବମ୍ବେ.....’’

 

ଧୈର୍ଯ୍ୟଧରି ଶୁଣି ଯାଇଚି ସବୁ । କିନ୍ତୁ ପାରିନି । ନାଁ, ଉପନ୍ୟାସର ଉପକରଣ ବା ଗଳ୍ପର ପ୍ଲଟ୍‌ ସଂଗ୍ରହ କରି ପାରିନି ସେଇ ସବୁ ଆତ୍ମକାହାଣୀରୁ । କିନ୍ତୁ ବିଜୟର ଆତ୍ମ-କାହାଣୀ, ସେ ତ ଏକ ସ୍ୱୟଂ ସମ୍ପୂର୍ଣ୍ଣ ରଚନା ! ସେ କହି ଯାଇଚି । ଲେଖିନି ।

 

ଲେଖିଥିଲେ ଯେ ନିଶ୍ଚୟ ହେଇ ପାରିଥାଆନ୍ତା ଜଣେ ସ୍ୱୟଂସିଦ୍ଧ ଔପନ୍ୟାସିକ ।

 

ଶେଷ ନାହିଁ ସେଇ ବିଦଗ୍‌ଧ କାହାଣୀର । ଅସମ୍ପୂର୍ଣ୍ଣତା ଭିତରେଇ ସତେ ଯେମିତି ତା’ର ସାର୍ଥକତା ।

 

‘‘ଶେଷ ହେବ ଦିନେ ଏଇ ଦୀର୍ଘ ଯାତ୍ରା, ଜୀବନର ଯମୁନା ସରିତେ ।’’

 

ଉଜାଣି ନଉକା ବାହି ଫେରିବାକୁ ହେବ ପୁଣି ବିସ୍ମୃତ ଅତୀତେ ।’’

 

ବହୁ ଦେଶ-ବିଦେଶ ଘୂରି ବୁଲିବା ପରେ, ଦୀର୍ଘ... (କେତେ ବର୍ଷ, ସେଇଟା ଠିକ୍‌ ଆଜି ମନେ ପଡ଼ୁନି–ଲେଖକ) ବର୍ଷ ପରେ ମୁଁ ଆଜି ଫେରି ଆସିଚି ମୋର ଜନ୍ମଭୂମି ଉତ୍ତର ଓଡ଼ିଶାର କ୍ଷୁଦ୍ର ଏଇ ଘୁମନ୍ତ ସହରକୁ ।

ଶୈଶବ, କୈଶୋର ଓ ପ୍ରଥମ ଯୌବନର ଏଇ ଲୀଳାଭୂମି ମୋର !

ଦେଖୁଚି–ପରିଚିତ ପଥଘାଟରେ କେତେ ଅସଂଖ୍ୟ ଅପରିଚିତ ଜନତା !

କାହାନ୍ତି ଆଜି ସେମାନେ ସବୁ ?

ସେଇ ସାଳନ୍ଦୀ ନଈ ରହିଚି । ରହିଚି ସେଇ ପାଣିଧାର....ସେଇ ବିସ୍ତୃତ ବାଲିଶଯ୍ୟା... ! ରହିଚି ସେଇପରି ସେଇ ରୋମାନ୍‌ କାଥଲିକ୍‌ ଚର୍ଚ୍ଚ–ସେଇ ମଶାଣି ! ଆରେ, କାହାର ସମାଧି ଏଇଟା ? ‘‘ସୁଦୀର୍ଘ....ଚାଳିଶ ବର୍ଷ, ବିଦେଶର ଖ୍ରୀଷ୍ଟ-ସେବା କରିବା ପରେ ଆମର ପ୍ରିୟ ମଦର୍‌ ସୁପିରିୟର୍‌ ଆଜି ପ୍ରଭୁ ଯୀଶୁଙ୍କର ଶାନ୍ତିମୟ କୋଳକୁ ଫେରିଗଲେ । ତାରିଖ..... ।’’

ମିସ୍‌ ବ୍ରାଉନିଂ ତା’ହେଲେ ଫେରି ଯାଇଛନ୍ତି ?

ଭଲ...

ପ୍ରଭୁ ତାଙ୍କୁ ଶାନ୍ତି ଦିଅନ୍ତୁ । ଆତ୍ମା ତାଙ୍କର ଶାନ୍ତ ହେଉ । ଯୋଉ ଜ୍ୱାଳାରେ ଜଳି ପୋଡ଼ି ସେ ଅନ୍ୟକୁ ବି ଜାଳିବାକୁ ଚାହୁଁଥିଲେ ସେଇ ଜ୍ୱାଳା ଶାନ୍ତ-ସମାହିତ ହେଉ । ଶାନ୍ତି ପାଆନ୍ତୁ ମିସ୍‌ ବ୍ରାଉନିଂ !

 

(ଜୀବନୀ ନୁହେଁ କି ଉପନ୍ୟାସ ନୁହେଁ) ଏଇ ମହାକାବ୍ୟ ରଚନା କଲାବେଳେ ମିସ୍‌ ବ୍ରାଉନିଂଙ୍କୁ ମୁଁ ଧରି ନେଇଚି ଉପସଂହାରର ଶେଷ ପୃଷ୍ଠା ଭାବେ । ଯଦିଓ କ୍ଲାଇମେକ୍‌ସ ରହିଚି ଅନ୍ୟଠି; ତଥାପି, ପ୍ରାଥମିକ ଅଭିଜ୍ଞତାର କାହାଣୀଇ ତ ମଣିଷ ଜୀବନରେ ଏକ ଅଧ୍ୟାୟର ପରି-ସମାପ୍ତି ! ଦୁଇଟି ଅଧ୍ୟାୟର ଆରମ୍ଭ ଆଉ ଶେଷ–ଗୋଟିଏ ପୁରାତନ....ଅନ୍ୟଟି ନୂତନ । ସନ୍ଧି ସ୍ଥଳରେ ମାଇଲ ଖୁଣ୍ଟି, ମିସ୍‌ ବ୍ରାଉନିଂ ।

 

ଖାଲି କ’ଣ ମିସ୍‌ ବ୍ରାଉନିଂ ? All, all are gone, the old familiar faces ! କେହି ଏଠି ନାହିଁ, କେହି ଏ ଦୁନିଆରେ ନାହିଁ ।

 

କେତେ ଅସରନ୍ତି ଗପ, ସାଙ୍ଗ ମେଳ, ମଲ୍ଲୀଫୁଲିଆ ଜହ୍ନ-ରାତି, ସିଗାରେଟ ଟଣା, ରାତି ବେଶୀ କରି ଘରକୁ ଫେରିବା, ବାଗୁଡ଼ି ଖେଳ, କଳିଗୋଳ, ମାନ-ଅଭିମାନ, ମିଳନ ଆନନ୍ଦ, ବିଦାୟ-ବିରହର ମୂକ-ସାକ୍ଷୀ, ଏଇ ନଦୀ ବାଲି । ଅବଶ୍ୟ ସେ ଦିନ ଥିଲା ନାଉରୀର ଗୀତ, ଆଜି ବି ଶୁଭୁଚି । ଏଇ ତ ନାଆ ଉପରେ ବସି କିଏ ଜଣେ ଗାଉଚି–‘‘ଗଲାଣି ତ ଗଲା କଥାରେ ସଙ୍ଗାତ, ଗଲାଣିତ ଗଲା କଥା ! ଗୁପତେ ସିନା ମୁଁ ତୋତେ ପଚାରୁଛି ବଳି ପଡ଼ିବାରୁ ବ୍ୟଥା !!’’

 

କାତ-ଦଣ୍ତର ଚହଳରେ ପାଣି ହଠାତ୍‌ ଚହଲି ଉଠିଲା । ନୌକା ଆର ପାଖକୁ ମୁହାଁଇଲା । ଗୀତଟା କିନ୍ତୁ ଶୁଭୁଥାଏ । ନିଛାଟିଆ ଜହ୍ନ ରାତି । କେହି କୁଆଡ଼େ ନାହିଁ । ସାଳନ୍ଦୀର ପାଣି ସେପାରିର ଗଛ-ଗହଳି ଭିତରେ ଲାଇଟ ପୋଷ୍ଟର ଆଲୁଅ, ଜହ୍ନ-ରାତି ତଳେ ଏଇ ଉଦାସିଆ ଗୀତ–ସବୁଥିରେ ସତେ ଯେମିତି ଗୋଟାଏ କାରୁଣ୍ୟ ଭରି ରହିଚି !!

 

ସେଇ ସହରଟିର ନାମ ଯଦିବା ନ କହିଲି ।

 

କୌଣସି ଗୋଟିଏ ସବ୍‌ଡିଭିଜନ୍‌ର ସଦର-ମହକୁମା ସେଇଟା । ଖୁବ୍‌ ବଡ଼ ନୁହେଁ କି ଖୁବ୍‌ ଛୋଟ ବି ନୁହେଁ ।

 

ହସ୍‌ପିଟାଲ୍‌ ଅଛି, ହାଇସ୍କୁଲ ଅଛି, କୋର୍ଟ-କଚେରି, ଜେଲ୍‌, ଡାକଘର, ସବୁ କିଛି ରହିଚି-। ତା’ଛଡ଼ା ରହିଚି ରୋମାନ୍‌ କାଥଲିକ୍‌ ପରିଚାଳିତ ଏକ କନଭେଣ୍ଟ୍‌ ସ୍କୁଲ, ସହର ବାହାରେ-। ସେଠି ପଢ଼ାଯାଏ ସିନିୟର୍‌ କେମ୍ବ୍ରିଜ୍‌ ପର୍ଯ୍ୟନ୍ତ ।

 

ରେଲ ଷ୍ଟେସନଟି ସହରରୁ ବେଶ୍‌ କିଛି ଦୂରରେ । ସେଠାରେ ଗୋଟିଏ କଲୋନୀ । ଧାଡ଼ି ଧାଡ଼ି କେତେ ଯେ ନାଲି ରଙ୍ଗର ଖପରଲି ଛାଉଣୀ କ୍ୱାଟର !

 

ଏହା ଛଡ଼ା, ଅଳ୍ପ କେତୋଟି ସୁଦୃଶ୍ୟ ବାଂଲୋ ପ୍ୟାଟାର୍ଣ୍ଣର ଘର । ସାମ୍ନାରେ ଫୁଲ ବଗିଚା । ଆଗ୍ଲୋଇଣ୍ତିଆନ୍‌ ରେଲ୍‌ଓୟେ ସାହେବ ବୋଲି ମନେକରି ନିକଟବର୍ତ୍ତୀ ମାଇନର୍‌ ସ୍କୁଲର ଉପର ଶ୍ରେଣୀ ପିଲାମାନେ ସୁଯୋଗ ପାଇଲେଇ ସେମାନଙ୍କ ସାଙ୍ଗରେ ଇଂରାଜୀରେ ପଦେ ଅଧେ କଥା କହିବାକୁ ଚେଷ୍ଟା କରୁଥିଲେ ଆଉ କହି ପାରିଲେ ନିଜକୁ ଧନ୍ୟ ମନେ କରୁଥିଲେ । କହିବା ବାହୁଲ୍ୟ, ସେତେବେଳେ ସେଇ ବୟସରେ କୌଣସି ଇଂରେଜ ସାଙ୍ଗରେ କଥା କହି ପାରିବାଟା ବଡ଼ ଗର୍ବ ଓ ଗୌରବର ବିଷୟ ବୋଲି ମନେ ହେଉଥିଲା !

 

ଅତି ସୁନ୍ଦର, ଦୁଧ-ଅଳତା ଦେହୀ, ସୁନେଲି କେଶବତୀ ଗୋଟିଏ ଆଙ୍ଗ୍ଲୋଇଣ୍ତିଆନ୍‌ ବାଳିକାକୁ ମୋର ଏବେ ବି ମନେଅଛି । ଫୁଲ ବଗିଚା ଭିତରେ, ଇଜି ଚେଆରରେ, କଳା ମଚ୍‌ମଚ୍‌ ସ୍ୱାସ୍ଥ୍ୟବାନ କୁକୁରଟିଏ ଧରି ସେ ଅନେକ ସମୟରେ ବସୁଥିବାର ଦେଖିଲି । କୁକୁରଟିକୁ ଚୁମା ଦେଇ ଆଦର କରେ ସେ । ଗେଲ କରି ମୁହଁରେ ମୁହଁ ଘଷେ ।

 

ବହୁତ ପୁରୁଣା ମୁହଁ ଭୁଲିଗଲି । ତାକୁ ତ କାହିଁ ଭୁଲି ପାରୁନି । ତା’ କଥା ମନେ ପଡ଼ିଲେ ଆଜି ଅକାରଣେ ମନଟା ଉନ୍ମନା ହେଇ ଉଠେ !

 

କୋଉଠି ଅଛି ସେ ଆଜି ? କାହାର ସ୍ତ୍ରୀ, କାହାର ବଧୂ, କାହା ଘରେ ଐଶ୍ୱର୍ଯ୍ୟ ହେଇ ରହିଚି ସେ ? କେବେ ଯଦି ହଠାତ୍‌ ଦେଖା ହେଇ ଯାଆନ୍ତା, ପଚାରନ୍ତି–ଏତେ ଥର ମୁଁ ଦେଖିଚି ତମକୁ, ତମେ କ’ଣ ମୋତେ ଚିହ୍ନିନ ? ତମେ କ’ଣ ଲକ୍ଷ୍ୟ କରିନ ମୋତେ ? କେତେଥର ମୁଁ ଅକାରଣେ ଯାଇଚି ରେଲଓୟେ କଲୋନୀ ଆଡ଼େ । ବୁଲିବାକୁ ? ନା, ଖାଲି ତମକୁ ଥରେ ଦେଖିବା ପାଇଁ । ଜାଣନା ତମେ ? କିଛି ମନେ ପଡ଼ୁନି ତମର ? ଆଶ୍ଚର୍ଯ୍ୟ !

 

ଅବାକ୍‌ ବିସ୍ମୟରେ ନୀଳ-ଆଖି ତୋଳି ସେ ହୁଏତ ମୋ ମୁହଁକୁ ଚାହିଁ ରହିଥାନ୍ତା ! ‘‘ତମେ କିଏ ? ନା, ମୋର କିଛି ମନେ ପଡ଼ୁନି !’’ ତା’ପରେ ହୁଏତ ବାଟ ଭାଙ୍ଗି ଚାଲି ଯାଆନ୍ତା ସେ-

 

ଦେଖା ହେଲେ କ’ଣ ହୁଅନ୍ତା ଜାଣେନା । ଦେଖା କିନ୍ତୁ ହେଇନି । କ’ଣ କରୁଚି, କୋଉଠି ଅଛି ସେ । ଏଇ ପ୍ରଶ୍ନ ମୋର ମନ ଭିତରେ ଚିରଦିନ ପାଇଁ ରହି ଯାଇଚି ଅମୀମାଂସିତ ! ସେଇ ବୟଃସନ୍ଧି କ୍ଷଣରେ ମୋ ମନରେ ଯୋଉ ପ୍ରଶ୍ନ ଜାଗିଥିଲା, ଆଜି ବି ତାହା ଅନୁତ୍ତରିତ ହେଇ ରହିଚି !

 

ପରିଚୟ ଯଦି ହେଇ ଥାଆନ୍ତା, କ’ଣ ହେଇ ଥାଆନ୍ତା ପରିଣତି ? ଦୁହେଁ କ’ଣ ପରସ୍ପରକୁ ପାଇ ପାରିଲେ ସୁଖୀ ହେଇ ଥାଆନ୍ତୁ ?

 

‘ପାଇଥ ପାରିବା’ କଥା ଆଜି ସିନା ଭାବୁଚି । କିନ୍ତୁ ସେତେବେଳେ ତ ସେ ସବୁ ମନକୁ ଆସି ନ ଥିଲା ! ସେତେବେଳେ ‘ଭଲ ପାଇବା’ର ଅର୍ଥ ଥିଲା ‘ଭଲ ପାଇବା’; ଆଉ ଆଜି ? ଆଜି ମନେ ହେଉଚି, ‘ଭଲ ପାଇବା’ ମାନେ ‘ଭଲ ଭାବରେ ପାଇବା’ ।

 

ହଠାତ୍‌ ଦିନେ ଦେଖିଲି ସେଇ ବାଂଲୋଟି ନିଷ୍ପ୍ରାଣ ହେଇ ଯାଇଚି । ରେଡ଼ିଓ ଶୁଭୁନି, ଆଲୁଅ ଜଳୁନି, ଝରକା-କବାଟ ଖୋଲୁନି, କେହି ତା’ ଭିତରକୁ ଯାଉ ନାହାନ୍ତି କି କେହି ଆଉ ବଗିଚା ଭିତରେ ଇଜି ଚେଆରରେ ବସୁନି । କୁକୁରକୁ ନେଇ ଗେଲ କରୁନି ।

 

ଅବାକ୍‌ ହେଇ ଠିଆ ହେଇ ରହିଗଲି ସେଇ ବାଂଲୋର ଫାଟକ ଆଗରେ । ଫାଟକ ବନ୍ଦ ଥିଲା ।

 

ଓ୍ୱାଚ୍‌ ଏଣ୍ତ ଓ୍ୱାର୍ଡର ଜଣେ ଜମାଦାର ଆସୁଥିଲା । ମୋତେ ସେଠି ଉତ୍ସୁକ ହେଇ ଠିଆ ହୋଇ ରହିଥିବାର ଦେଖି ପଚାରିଥିଲା–

 

କିସିକୋ ଚାହତେ ହେଁ ?

 

ଇନ୍‌ ଲୋକ୍‌ ? ବାଂଲୋ ଆଡ଼କୁ ହାତ ଦେଖାଇ ପଚାରିଲି ।

 

ଇନ୍‌ ଲୋଗ୍‌ ତ ବିଲାୟେତ୍‌ ଚଲେଗୟେ । ଆଓର୍ ନେହିଁ ଆୟେଁଗେ ।

 

ଆଓର୍‌ ନେହିଁ ଆୟେଁଗେ ?

 

ନେହିଁ ।

 

ମୋ ଆଖି ଆଗରେ ସେ ଦିନ ସବୁକିଛି ଯେମିତି ଶୂନ୍ୟ ହେଇ ଯାଇଥିଲା !

 

ଭାରତ ସ୍ୱାଧୀନ ହେବା ଆଗରୁ ବହୁ ଇଂରେଜ ଏ ଦେଶ ଛାଡ଼ି ଇଂଲଣ୍ତ ଫେରିଗଲେ । କେତେକ ଆଙ୍ଗ୍ଲୋଇଣ୍ତିଆନ୍‌ ବି ଫେରିଗଲେ ସେମାନଙ୍କ ପଛେ ପଛେ ହଂସ ସାଥିରେ ବଗ-ଦଳ ପରି ପିତୃଭୂମି ସେଇ ତଥାକଥିତ ‘ହୋମ୍‌’କୁ ।

 

ସେଇ ଆଙ୍ଗ୍ଲୋଇଣ୍ତିଆନ୍‌ ପରିବାରଟି ବି ଏ ଦେଶ ଛାଡ଼ି ଚାଲିଗଲେ ଚିରଦିନ ପାଇଁ । ସେ ବି ସେମାନଙ୍କ ସାଙ୍ଗରେ ଚାଲିଯାଇଥିଲା ।

 

ଜାଣେନା ଏବେ ସେ କେଉଁଠି ।

 

ଯେଉଁଠି ଥାଉ ସେ, ସୁଖୀ ହେଉ ।

 

ଜାଣେ, ତା’ ମନ ଭିତରେ ମୋ’ପାଇଁ ଟିକିଏ ହେଲେ ସ୍ଥାନ ନାହିଁ, ତଥାପି କାହିଁକି କେଜାଣି ତା’ରି ପାଇଁ ହଠାତ୍‌ ମନଟା ଓଦା ହେଇ ଉଠେ !

 

କିଏ ସେ ମୋର ?

 

ଚିହ୍ନା ନାହିଁ, ପରିଚୟ ନାହିଁ, ପଦେ ହେଲେ କଥା ବି ହେଇନୁ ! ହୁଏତ ସେ ମୋତେ ଆଦୌ ଦେଖିନି, ଦେଖିଥିଲେ ବି ଲକ୍ଷ୍ୟ କରିନି ।

 

ଅଜ୍ଞାତକୁଳଶୀଳା, ଅପରିଚିତା ଗୋଟାଏ ଆଙ୍ଗ୍ଲୋଇଣ୍ତିଆନ୍‌ ବାଳିକା । ଯା’ର ନାମ୍‌ ବି ମୁଁ ଜାଣେନା, କାହିଁକି ତା’ପାଇଁ ମନ ଭିତରେ ଏତେ ଆଲୋଡ଼ନ ? ତା’ଛଡ଼ା, ସେତେବେଳେ ମୁଁ କେବଳ କୈଶୋରରେ ପାଦ ଦେଇଥିଲି । ସେଇ ବୟସରେ ପୁଣି ‘ବିରହ’ କ’ଣ ? ‘ବିଚ୍ଛେଦବେଦନା’ କ’ଣ ? ‘ଅନୁରାଗ’ ବା କ’ଣ ? ଏ ସବୁର ମାନେ ବି ହୁଏତ ବୁଝି ନ ଥିଲି ସେଇ ବୟସରେ । ତଥାପି ସେ ଏକ ଅବ୍ୟକ୍ତ, ଅସହନୀୟ, ଅନିର୍ବଚନୀୟ ଅନୁଭୂତି, ଯାହା ପ୍ରକାଶ କରିବାକୁ ଭାଷା ଚିରଦିନ ମୂକ ରହି ଯାଇଚି । ମନରେ ଖାଲି ପ୍ରଶ୍ନ ଉଠି ମରି ଯାଇଚି–

 

ଏ କି ବିରହ ? ଏ କି ବେଦନା ?

 

ଏ କି କିଶୋର-ଚିତ୍ତେ ବିକାଶ-ବ୍ୟଥାର ତୀବ୍ର-ଜଡ଼ିତ ଚେତନା ।

 

ଷ୍ଟେସନଟି ଆଗେ ଥିଲା ପାସେଞ୍ଜର ହଲ୍‌ଟ । ଏବେ ହେଇ ଯାଇଚି ମେଲ୍‌ ଆଉ ଏକ୍‌ସପ୍ରେସ୍‌ ଷ୍ଟପେଜ୍‌ ।

 

ଛୋଟ ଆଉ ମିଠା ନାମଟି ।

 

ସାଳନ୍ଦୀ !

 

ସହରର ବୁକୁ ଚିରି ସେ ବହି ଯାଇଚି । ଉଭୟ ତୀରରେ ତା’ର ଦି’ଭାଗ ହେଇ ସମାନ ଭାବରେ ବିଭକ୍ତ ହେଇଚି ଲୋକାଳୟ । ମଝିରେ ବେଶ୍ ବଡ଼ ଲୁହା ପୋଲଟିଏ । ଉଭୟ ଅଂଶକୁ ସଂଯୁକ୍ତ କରିଚି । ଠିକ୍‌ ମଝାମଝି ରହିଥିବାରୁ କିଛି ଅସୁବିଧା ହୁଏନି । ଦୁଇଟି ଅଂଶକୁ ମନେହୁଏ ଗୋଟିଏ ବୋଲି । ସାରା ଓଡ଼ିଶାରେ ଏଇଟାର ବୋଧହୁଏ ଏ ସହରର ବିଶେଷତ୍ୱ । କାରଣ ଓଡ଼ିଶାର ଅନ୍ୟାନ୍ୟ ସବୁ ସହର କୌଣସି ନା କୌଣସି ନଦୀର ‘ଗୋଟିଏ’ ତୀରରେ । ନଦୀର ‘ଉଭୟ’ ତୀରରେ ଗୋଟିଏ ସହର ବିଭକ୍ତ ହେଇ ରହି ଯାଇଚି, କେବଳ ଏଇଠି ବୋଧହୁଏ ।

 

ଖରାଦିନେ ସାହାରା, ଶୀତଦିନେ ସ୍ୱଚ୍ଛୋତୟା....କୃଶକାୟା ....ଆଉ ଶ୍ରାବଣରେ ବିଗାଢ଼-ଯୌବନା ତନ୍ୱୀ ପରି କଳ କଳ ଛଳ ଛଳ ହେଇ ଉଠେ ସାଳନ୍ଦୀ....

 

ସହରର ଉପାନ୍ତରରେ ଯୋଉ ଘରେ ମୋର ଜନ୍ମ, ତାହା ଏକ ବିଶିଷ୍ଟ–ଧନୀ ଅଭିଜାତ ପରିବାର ।

 

ବିରାଟ ଏକାନ୍ନବର୍ତ୍ତୀ ପରିବାର । ଅନେକଗୁଡ଼ିଏ ଦାଦା, ଖୁଡ଼ୀ, ଭାଇ, ଭାଉଜ ଓ ଭଉଣୀ ମୋର ।

 

ବାପା ଓ ଦାଦାମାନଙ୍କ ଭିତରେ ଖୁବ୍‌ ଗଭୀର ସ୍ନେହ ଓ ସଦ୍‌ଭାବ । ସମସ୍ତେ ମିଶି ଜମିଦାରୀ ଓ ବ୍ୟବସାୟ ବୁଝାସୁଝା କରନ୍ତି ।

 

ଯଥେଷ୍ଟ ଆୟ । ବ୍ୟୟ ବି ଯଥେଷ୍ଟ ।

 

ସମ୍ମାନ ଓ ପ୍ରତିପତ୍ତି ଯଥେଷ୍ଟରୁ ଅଧିକ ।

 

ସେ ଯୁଗକୁ ଚାହିଁ ନିଃସନ୍ଦେହରେ ଉଗ୍ର ପ୍ରଗତିଶୀଳ ଆଧୁନିକ ପରିବାର ! ଯେହେତୁ ଏ ଘରର ଜଣେ ପାଇଛନ୍ତି ଦେବାନ୍‌ ବାହାଦୁର ଉପାଧି, ଆମେରିକା ଯାଇଥିଲେ ଜଣେ–ସେଇଠି ଧର୍ମାନ୍ତର ଗ୍ରହଣ କରି ବାହା ହେଇ ରହିଗଲେ, ଆଉ ଫେରିଲେନି, ଜଣେ ମରିଛନ୍ତି ଅତିରିକ୍ତ ମଦ ପିଇ, ତିନିଜଣ ପ୍ରାଦେଶିକ ଓ କେନ୍ଦ୍ର ସରକାରଙ୍କ ଅଧିନରେ ଗେଜେଟେଡ୍‍ ଅଫିସର ଏବଂ ଜଣେ ବି.ଏସ୍‌.ସି. ଫେଲ୍‌ ହେଇ ପୋଟାସିଅମ୍‌ ସାଇନାଇଡରେ ଆତ୍ମହତ୍ୟା କରିବା ଦ୍ୱାରା ନିଜର ମୃତ୍ୟୁଟାକୁ ସ୍ମରଣୀୟ ଓ ବିଶେଷତ୍ୱ-ପୂର୍ଣ୍ଣ କରି ଦେଇ ଯାଇଛନ୍ତି !

 

ଅତଏବ୍‌ ସ୍ପଷ୍ଟ ବୁଝା ଯାଉଛି, ‘ଅତି ଆଧୁନିକ ପରିବାର’ର ‘ସଜ୍ଞା’ ବା ‘ଗୁଣ’ ବା ‘ଯୋଗ୍ୟତା’ ଯାହା କିଛି ଥିବା ଦରକାର–ସବୁ ଥିଲା ଆମ ପରିବାରର !

 

ଏଇ ବଂଶର ପୂର୍ବ-ପୁରୁଷମାନଙ୍କ କାର୍ଯ୍ୟକଳାପରେ ଅବଶ୍ୟ ଅତି ପ୍ରାଚୀନତାର ଲକ୍ଷଣ ଦେଖା ଦେଇଥିଲା । ତେବେ ସେ ସବୁ ପୁରୁଣା କଥା....

 

ଯୌବନ, ଧନ-ସମ୍ପତ୍ତି, ପ୍ରଭୁତ୍ୱ ଆଉ ଅବିବେକିତା ଏଇ ଚାରୋଟି ଜିନିଷ ସାଙ୍ଗରେ ଯଦି ମଦ ଆଉ ମୂର୍ଖତାର ମିଶ୍ରଣ ହୁଏ; ତେବେ ତାହା ଯେଉଁ ଆଡ଼କୁ ଗତି କରିବ.....ଠିକ୍‌ ସେଇଆଇ ହେଇଥିଲା । ଆଉ ବିଶେଷ କ’ଣ ?

 

‘‘ପଞ୍ଚାନନ ପାଣିଗ୍ରାହୀ ହଜୁରଙ୍କ ପ୍ରଜା । ଗତ ବର୍ଷ ଆମର ଯୋଉ ନାଟୁଆ ଦଳକ ଆସିଥିଲେ–ଏଥର ଦୋଳ ପୁନେଇକି ସେଇ ଦଳକୁ ଆଣିବା ପାଇଁ ସେ ବଇନା ଦେଇଚି । କେଡ଼େ ବଡ଼ ଦିମାକ୍‌ ! ଲୋକେ ଭାବିବେ, ଆମ ଉଆସକୁ ଯୋଉ ନାଟଦଳ ଆସିଥିଲେ–ସେମାନଙ୍କୁ ଆମର ପ୍ରଜାଟାଏ ବି ଆଣି ନଚେଇ ପାରେ !’’

 

ହଜୁରଙ୍କ ମୁଣ୍ତ ଆଉ ଠିକ୍‌ ରହେ ? ‘‘କ’ଣ ହେଲା ? ସେ ବ୍ରାହ୍ମୁଣର ଏଡ଼େ ସାହସ ! ଦନ୍ତା ହାତୀ ଲଗେଇ ଆଜି ତା’ ଘର ଭାଙ୍ଗି ଚୁର୍‌ମାର୍‌ କରିବି । ଶଳାର ଦି’ପଇସା ହେଇ ଯାଇଚି ବୋଲି ଦିମାକ୍‌ ବଢ଼ି ଗଲାଣି !’’

 

ଦନ୍ତା-ହାତୀ ଲଗେଇ ଶେଷପର୍ଯ୍ୟନ୍ତ ଅବଶ୍ୟ ପଞ୍ଚାନନ ପାଣିଗ୍ରାହୀର ଘର ଭଙ୍ଗାହେଇ ପାରି ନ ଥିଲା, ସ୍ଥାନୀୟ ମାଜିଷ୍ଟ୍ରେଟ୍‌ ସେଥିରେ ବାଧା ଦେଇଥିଲେ, ତେବେ ସେଇ ନାଟ ଦଳ ବି ଭୟରେ ଆଉ ଆସିଲେନି । ବଇନା ଫରେଇ ଦେଲେ ।

 

ବ୍ରାହ୍ମଣର ଅଭିଶାପ ହଜୁରଙ୍କ ଉପରେ କିନ୍ତୁ ଠିକ୍‌ ପଡ଼ିଗଲା । ଶେଷ ଜୀବନରେ ତାଙ୍କୁ କୁଷ୍ଠ ହେଇଥିଲା, ସାରା ଦେହ ଅଥର୍ବ ହେଇଗଲା, ପଙ୍ଗୁ ହେଇ ସେ ଘର ଭିତରେ ପଡ଼ି ରହିଲେ । କିନ୍ତୁ ସେଇ ପଙ୍ଗୁ ଅବସ୍ଥାରେ ବି ତାଙ୍କୁ ସବାରିରେ ଉଠାଇ ନେଇ ପ୍ରତିଦିନ ସନ୍ଧ୍ୟାବେଳେ ଥୋଇ ଦିଆ ହେଉଥିଲା ହୀରା ବାଈଜୀର ନାଚ ଘର ଭିତରେ । ହୀରା ବାଈଜୀ ତାଙ୍କୁ ଗୀତ ଗାଇ ଶୁଣାଉଥିଲା । ତାଙ୍କ ସାଙ୍ଗରେ ବେଶ୍ କିଛି ସମୟ ଏକାନ୍ତରେ କଟାଉଥିଲା । ଖୁବ୍‌ ରାତି କରି ଯେତେବେଳେ ସେ ହୀରାର ‘ବୈକୁଣ୍ଠ’ରୁ ଫେରୁଥିଲେ, ସେତେବେଳକୁ ତାଙ୍କର ପତି-ପ୍ରାଣା ସ୍ତ୍ରୀ କାନ୍ଦି କାନ୍ଦି ଶୋଇପଡ଼ିଥାନ୍ତି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ । ପ୍ରାୟ ପ୍ରତିଦିନ ଏଇପରି ହେଉଥିଲା ।

 

ସତୀର ଲୁହ କୁଆଡ଼େ ବ୍ୟର୍ଥ ଯିବାର ନୁହେଁ !

 

ଶେଷରେ ଦିନେ ହୀରାର ସୁନ୍ଦର ଦେହରେ ବାହାରି ପଡ଼ିଲା ଭୀଷଣ ଗଳିତ କୁଷ୍ଠ ! ହୀରା ପଡ଼ି ରହିଲା ଅସ୍ପୃଶ୍ୟା ହେଇ ।

 

କିନ୍ତୁ ହଜୁରଙ୍କ ଜୀବନ-ପାତ୍ର ଶୂନ୍ୟ ହେଲାନି । ସେଥିରେ ମଧୁ ଢାଳି ଦେଲା ଆଉ ଜଣେ । ହୀରାର ପାଳିତା କନ୍ୟା ନୀଳା । ଯୌବନ-ମଦମତ୍ତା କିନ୍ନର-କଣ୍ଠୀ ନୀଳା । ଦେହରେ ତା’ର ଭରା ପୂର୍ଣ୍ଣିମାର ଜୁଆର । ସେଇ ଆସି ପୂରଣ କଲା ହୀରାର ସ୍ଥାନ ।

 

ସ୍ତ୍ରୀକୁ ଜଳେଇବାରେ, କନ୍ଦେଇବାରେ ବୋଧହୁଏ ସେ ଗୋଟାଏ ନିଷ୍ଠୁର ଆମୋଦ ଅନୁଭବ କରୁଥିଲେ ।

 

ଯେତେ ଦିନଯାଏ ସ୍ତ୍ରୀ ଘର କୋଣରେ ପଡ଼ି କାନ୍ଦୁଥିଲା ସେତେ ଦିନଯାଏ ହୀରା-ନୀଳା ନେଇ ସେ ବ୍ୟସ୍ତ ରହିଥିଲେ–କିନ୍ତୁ ଯୋଉଦିନ ସ୍ତ୍ରୀ ଇହଧାମ ତ୍ୟାଗ କରି ଚାଲିଗଲେ, ତା’ ପରଦିନ ସେ ବି ହୀରା-ନୀଳାକୁ ଗୋଡ଼ରେ ଆଡ଼େଇ ଦେଇ କୁଷ୍ଠ-ରୋଗାକ୍ରାନ୍ତ ଦେହରେ ଗେରୁଆ ବସ୍ତ୍ର ପିନ୍ଧି ଘର ଛାଡ଼ି ଚାଲିଗଲେ ।

 

‘ଚାଲିଗଲେ’ ମାନେ ତାଙ୍କରି ଇଚ୍ଛା ଅନୁଯାୟୀ ତାଙ୍କୁ ସ୍ଥାନାନ୍ତରିତ କରା ହେଲା । ଅବଶିଷ୍ଟ ଜୀବନ ସେ ପୁରୀରେ କଟାଇଥିଲେ । ସେଠାରେ ତାଙ୍କ ପାଇଁ ଘରର ବ୍ୟବସ୍ଥା ହେଇଥିଲା, ଚାକର-ବାକର ଖଞ୍ଜି ଦିଆ ହେଇଥିଲା, ସନ୍ନ୍ୟାସୀ ପରି ସେ ଚଳୁଥିଲେ, ନିରାମିଷ ଆହାର ଗେରୁଆ ବସ୍ତ୍ର, ରୁଦ୍ରାକ୍ଷମାଳା ! ନୀଳଚକ୍ରକୁ ଚାହିଁ ସେ ଦେହ ତ୍ୟାଗ କରିଥିଲେ ସେଇ ପୁରୀରେ !!

 

ତାଙ୍କ ପୁଅ, ଅର୍ଥାତ୍‌ ମୋ ଜେଜେବାପା, ସେ ବି ଥିଲେ ଅନେକଟା ଖାମ-ଖେୟାଲି । ତେବେ ନିତାନ୍ତ ଦୁର୍ବଳ ଚରିତ୍ରର ଲୋକ ଥିଲେ । ଲୁଚାଇ ଲୁଚାଇ ସେ ମଦ ପିଉଥିଲେ, ଲୁଚି ଲୁଚି ସେ ବେଶ୍ୟା ଘରକୁ ଯାଉଥିଲେ, ଗୋପନରେ ରକ୍ଷିତା ରଖିଥିଲେ । ଯୋଉ କଥା ସ୍ପଷ୍ଟ ଦିବାଲୋକରେ କରିବାର ସାହସ ତାଙ୍କ ‘ବଳିଷ୍ଠ-ଚରିତ୍ର’ ବାପାଙ୍କର ଥିଲା, ସେଇ ସବୁ ସେ ଅତି ଗୋପନରେ....ସମସ୍ତଙ୍କ ଅଜ୍ଞାତସାରରେ....ଅତି ସନ୍ତର୍ପଣରେ ସମାଧାନ କରୁଥିଲେ ।

 

ଅଦାଲତରେ ତାଙ୍କ ବିରୁଦ୍ଧରେ ଥରେ ଜଣେ ସ୍ତ୍ରୀଲୋକ ନାଲିସ୍‌ କଲା ଯେ, ‘‘ସେ ଜେଜେଙ୍କର ରକ୍ଷିତା । ତାଙ୍କ ଆଡ଼ୁ ତା’ର ପାଞ୍ଚ ବର୍ଷ ବୟସର ଝିଅଟିଏ ବି ଅଛି । କିନ୍ତୁ ବର୍ତ୍ତମାନ ତା’ ମାସିକ ଆଲାଉନ୍‌ସ ବନ୍ଦ କରି ଦିଆ ହେଇଥିବାରୁ ସେ ମହା ଅସୁବିଧାରେ ପଡ଼ିଛି....ଅତଏବ, ଅଦାଲତ୍‌ ଦୟାକରି ନ୍ୟାୟ ବିଚାର କରନ୍ତୁ !’’

 

କହିବା ବାହୁଲ୍ୟ, ଜେଜେ ଅଭିଯୋଗଟି ଏକେବାରେ ଅସ୍ୱୀକାର କଲେ ।

 

କୋର୍ଟ ସେଦିନ ଲୋକାରଣ୍ୟ !

 

ସ୍ତ୍ରୀଳୋକଟି ତା’ ଝିଅକୁ ଧରି ଠିଆ ହେଇଚି କାଠଗଡ଼ା ଭିତରେ । ଜେଜେଙ୍କ ନାମ ଡକା ହେଲା । ତିନି ଚାରିଥର ଡାକ ଦିଆ ହେବା ପରେ ସିଲ୍‌କ ପଞ୍ଜାବି, ସୁନା ଚେନ୍‌, ହାତ ଘଡ଼ି, ହାତୀ ଦାନ୍ତ ଛଡ଼ିରେ ସୁସଜ୍ଜିତ ଜେଜେ ଘୋଡ଼ା ଗାଡ଼ିରୁ ଓହ୍ଲାଇ ବେଶ୍‌ ଗମ୍ଭୀର ଭାବେ ଅଦାଲତ୍‌ ଭିତରକୁ ପଶିଗଲେ । ସାଙ୍ଗେ ସାଙ୍ଗେ ଝିଅଟି ପାଟିକରି ଉଠିଲା–ବୋଉ ଲୋ, ହେଇ ବାପା ଆଇଲେଣି ! ହୋ ହୋ ହେଇ ହସି ଉଠିଲେ ସମସ୍ତେ । ବିଚାରକ ଟେବୁଲ ଉପରେ ହାତୁଡ଼ି ବାଡ଼େଇ ‘ଅର୍ଡ଼ର’ ‘ଅର୍ଡ଼ର’ କହିଲାବେଳକୁ ବାଦୀ ତରଫର ଓକିଲ ପଏଣ୍ଟ ଆଉଟ୍‌ କରିଦେଲେ–

 

ମାଇଁ ଲର୍ଡ଼, ମକଦ୍ଦମା ତ ଏଥର ଫଇସଲା ହେଇଗଲା । ଏତିକି ରେକର୍ଡ଼ କରାଯାଉ ଯେ When this gentleman entered into the court-room, that innocent kid of five years shouted at her mother, ‘‘Oh mummy, father has come !’’ ଏତିକି ପ୍ରମାଣଇ ଯଥେଷ୍ଟ । ଆଉ evidence ଦରକାର ନାହିଁ କି ଜେରା ବି ଦରକାର ନାହିଁ ।

 

ଜେଜେ ହାରିଥିଲେ । ସ୍ତ୍ରୀଲୋକଟିର ଆଜୀବନ ଭରଣପୋଷଣ ଖର୍ଚ୍ଚ ଆଉ ତା’ ଝିଅ ବାହାଘରର ସବୁଦାୟ ବ୍ୟୟ ବି ତାଙ୍କୁ ବହନ କରିବାକୁ ହେଇଥିଲା ।

 

ମୋ ବାପାଙ୍କର ମୁଁ ଥିଲି ଏକମାତ୍ର । ତେବେ ଦାଦା-ଖୁଡ଼ୀମାନଙ୍କ ଆଡ଼ୁ ଗୁଡ଼ିଏ ଭାଇ-ଭଉଣୀ ଥିଲେ ମୋର । ଖୁଡ଼ୀମାନେ ମୋତେ ଖୁବ୍‌ ଭଲ ପାଉଥିଲେ । ତେଣୁ ମାଆକୁ ପିଲାଦିନୁ ହରେଇ ଥିଲେ ବି ମାଆର ଅଭାବ କେବେ ଅନୁଭବ କରିନି ।

 

ସେମାନେ ମୋତେ ଏତେ ଭଲ ପାଉଥିଲେ ଯେ ମୁଁ କୌଣସି ଦୋଷ କଲେ ବି ବାପା ଆଉ ଦାଦାମାନେ ମୋତେ ଶାସନ କରିବାକୁ ସାହସ କରୁ ନ ଥିଲେ ।

 

ପ୍ରତିବର୍ଷ ଆମ ଘରେ ଜେଜେଙ୍କର ବାର୍ଷିକ ଶ୍ରାଦ୍ଧୋତ୍ସବ ଖୁବ୍‌ ଆଡ଼ମ୍ବର ସହକାରେ ପାଳିତ ହେଉଥିଲା । ବହୁ ବ୍ୟକ୍ତି ନିମନ୍ତ୍ରିତ ହେଇ ଆସୁଥିଲେ । ସ୍ଥାନୀୟ ସ୍କୁଲ, ଯାହାର ପ୍ରତିଷ୍ଠାତା ଥିଲେ ଜେଜେ, ସେଇ ସ୍କୁଲର ସବୁ ଛାତ୍ର ଓ ଶିକ୍ଷକମାନଙ୍କୁ ବି ନିମନ୍ତ୍ରଣ କରା ହେଉଥିଲା ।

 

ଆମ କୋଠା ଉପରେ ବେଶ୍‌ ପ୍ରସସ୍ତ ଛାତ । ସେଇଠି ପ୍ରତିବର୍ଷ ବସେ ଶ୍ରାଦ୍ଧ ସଭା । ସତରଞ୍ଜି ବିଛାଯାଏ, ପେଟ୍ରୋମେକ୍‌ସ ଜଳାଯାଏ, ଲୋକେ ଧାଡ଼ି ଧାଡ଼ି ଭିଡ଼ କରି ବସି ଯାଆନ୍ତି । ବିଗତ ଜମିଦାରଙ୍କ ମହାନୁଭବତା ଓ ଉଦାରତାର ଗୁଣଗାନ କରି ରୀତିମତ ଗୋଟାଏ ବକ୍ତୃତା ପ୍ରତିଯୋଗିତା (?) ଚାଲେ । କିଏ କେତେ ପ୍ରକାର କହି ଯାଆନ୍ତି । ଜଣକର ବକ୍ତୃତା କିନ୍ତୁ ମୋର ବେଶ୍‌ ମନେଅଛି । କାରଣ ପ୍ରତିବର୍ଷ ସେ ଠିକ୍‌ ଏକାପରି ବକ୍ତୃତା ଦେଉଥିଲେ । ସେ ଥିଲେ ଜେଜେଙ୍କ ପ୍ରତିଷ୍ଠିତ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ । ପ୍ରଥମେ ପ୍ରଥମେ ମୁଁ ବି ସେଇ ସ୍କୁଳରେ ପଢ଼ୁଥିଲି; ତେଣୁ ସେଇ ଭଦ୍ରଲୋକଟି ମୋର ‘ଗୁରୁଦେବ’ !

 

ଜାତିରେ ବ୍ରାହ୍ମଣ ଉକ୍ତ ଶିକ୍ଷକଟି ଆମର ‘ପଣ୍ତିତ ମହାଶୟ’ ଥିଲେ । ଅର୍ଥାତ୍‌ ସଂସ୍କୃତ ସାବ୍‌ଜେକ୍ଟ ପଢ଼ାଉଥିଲେ ।

 

ଶ୍ରାଦ୍ଧ-ସଭାରେ ବୟୋଜେଷ୍ଠ, ବିଶିଷ୍ଟ ଓ ସମ୍ମାନାସ୍ପଦ କୌଣସି ଜଣକ ସଭାପତି କରା ଯାଉଥିଲା । କାହା ପରେ କିଏ କହିବ, ସେ ନାମ ଡାକୁଥିଲେ ଗୋଟିଏ ପରେ ଗୋଟିଏ ।

 

ନିଜ ନାମଟି ଡକା ହେବାମାତ୍ରେ ମଠା ଚାଦର ଖଣ୍ତିକ ବଢ଼ିଆ ଫେସନରେ ଗଲା ପର୍ଯ୍ୟନ୍ତ ଢାଙ୍କି ଠିଆ ହୋଇ ପଡ଼ନ୍ତି ପଣ୍ତିତ ମହାଶୟ । ତାଙ୍କ ଭାଷଣର ସାରାଂଶ ବା ଅର୍ଥ ହେଲା ଅନେକଟା ଏଇ ଭଳିଆ–

 

ବିଗତ ଜମିଦାର ଅତି ମହାନୁଭବ ବ୍ୟକ୍ତି ଥିଲେ । ଯେକୌଣସି କାରଣରୁ ତାଙ୍କ ପାଖରେ ହାତ ପତାଇଲେ ବି କେହି କେବେହେଲେ ନିରାଶରେ ଫେରୁ ନ ଥିଲା । ପରର ପେଟ ସେ ବୁଝୁଥିଲେ । ବହୁବାର ନିମନ୍ତ୍ରଣ କରି ବକ୍ତାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକଙ୍କୁ ଖୁଆଉ ଥିଲେ-। ରାବିଡ଼ି, ସନ୍ଦେଶ, ପଲାଉ, କାଲିଆ ଇତ୍ୟାଦି ଉପାଦେୟ ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ଥା ସେ ପ୍ରତି ଭୋଜିରେ କରୁଥିଲେ । ସେଇ ସବୁ ଖାଦ୍ୟ ପଦାର୍ଥ ଯେପରି ଖାଣ୍ଟି ଗବ୍ୟ ଘୃତରେ ପ୍ରସ୍ତୁତ ହୁଏ–ସେଥିପ୍ରତି ତାଙ୍କର କଡ଼ା ନଜର ଥିଲା । ସମସ୍ତେ ଖାଇ ବସିବାବେଳେ (ଭୋଜିମାନଙ୍କରେ) ସେ ନିଜେ ଠିଆ ହେଇ ଦେଖୁଥିଲେ ଠିକ୍‌ଭାବେ ସମସ୍ତଙ୍କୁ ପରିବେଷଣ କରାଗଲା କି ନାହିଁ । ସମସ୍ତେ ପେଟ ପୂରାଇ ଖାଇଲେ କି ନାହିଁ । ନିଜେ ଯେପରି ଖାଇ ଜାଣିଥିଲେ–ଅନ୍ୟକୁ ବି ସେଇପରି ଖୁଆଇ ଜାଣିଥିଲେ । ସେପରି ମହାନୁଭବ ହୃଦୟବାନ ବ୍ୟକ୍ତି ଆଜିକାଲି ଯୁଗରେ ଦୁର୍ଲ୍ଲଭ-! (ତା’ପରେ ସେଠାରେ ବସିଥିବା ମୋର ବାପା ଓ ଦାଦାମାନଙ୍କ ଆଡ଼କୁ କଣେଇ ଚାହିଁ...) ଆଶା କରାଯାଏ ତାଙ୍କର ସୁଯୋଗ୍ୟ ବଂଶଧରଗଣ ମହାନୁଭବ ପିତୃଦେବଙ୍କ ମହନୀୟ ଆଦର୍ଶରେ ଅନୁପ୍ରାଣିତ ହେବେ ।

 

ପଣ୍ତିତ ମହାଶୟ ନିଜ ସ୍ମୃତି-ଗ୍ରନ୍ଥରୁ ଗୋଟାଏ ଦୁଇଟା ଉଦାହରଣର ପୃଷ୍ଠା ବି ମେଲି ଧରନ୍ତି ! କହନ୍ତି–ଥରେ ଦୂର୍ଗାପୂଜା ଉପଲକ୍ଷେ ଯୋଉ ବିରାଟ ଭୋଜି ହେଇଥିଲା, ମୋର ମନରୁ ସେ କଥା ଅଦ୍ୟାବଧି ଯାଇନି । ସବୁ ସ୍ପଷ୍ଟ ମନେଅଛି ।

 

ଆମେମାନେ ସବୁ ଖାଇ ବସିଥାଉଁ । ବୁଢ଼ା ନିଜେ ଠିଆ ହେଇ ତଦାରକ୍‌ କରୁ ଥାଆନ୍ତି-। ମୁଁ ସେତେବେଳକୁ ଚାଳିଶପଟ ଲୁଚି ଖାଇ ସାରିଲିଣି...(ଆଜିକାଲି ଅବଶ୍ୟ ଏତେ ଖାଇ ପାରୁନି.....ବଳ ବୟସ ଗଲା...ଅଗ୍ନି କମିଗଲା ! ବଡ଼ ଜୋର୍‌ କୋଡ଼ିଏ ପଚିଶପଟ ଯାଏ ଏବେ ଉଠୁଚି ।) ହଠାତ୍‌ ବୁଢ଼ା ଆସି ପରଷୁଣିଆକୁ କହିଲେ, ମୋ ପତରରେ ଆହୁରି ଦଶପଟ ଲୁଚି ଓ ଦୁଇଗଣ୍ତା ରସଗୋଲା ଦେବା ପାଇଁ । ମୁଁ କହିଲି–ଆଜ୍ଞା, ଯାହା ଖାଇବାର କଥା ଖାଇ ସାରିଲିଣି, ଆଉ ଖାଇବିନି । କହିଲେ–ଖାଇବାକୁ ହେବ ପଣ୍ତିତ ମହାଶୟ; ଜଗନ୍ନାଥଙ୍କ ରାଣ ! ମହା ମୁସ୍କିଲ କଥା ହେଲା ! କ’ଣ କରେ ମୁଁ ? ଜଗନ୍ନାଥ ମହାପ୍ରଭୁଙ୍କ ରାଣ !! ଏଡ଼ି ଦେଲେ ପାପ !!! ଗାଈ ମାଇଲେ ମଲି–ଗାଈକି ମାଇଲେ ମଲି !! ବାଧ୍ୟ ହେଇ ସେଇତକ ଗର୍ଭସାତ୍‌ କରିବାକୁ ହେଲା-। ଭାବିଥିଲି ସେତିକିରେ ବର୍ତ୍ତିଯିବି । କିନ୍ତୁ ମୋ ଭାଗ୍ୟ ଖରାପ ! ପଡ଼ିଚି ବାଘ ହାବୁଡ଼େ, ସହଜେ କି ଛାଡ଼ ପାଏଁ ? କହିଲେ–ଆହୁରି ଦଶପଟ....ଆହୁରି ଦୁଇଗଣ୍ତା....ମାନେ, ମାନେ...ଖାଇବାକୁ ହବ-! ଏଥର ପକେଇଲେ ମୋ ବାପାଙ୍କ ରାଣ । ବାପା ମୋର ସେତେବେଳେ ଜୀବିତ ଥାଆନ୍ତି ! ରାଣଟା ନ ମାନିଥିଲେ ହୁଏତ ତାଙ୍କ ଉପରେ ପଡ଼ିଯାଇ ଥାଆନ୍ତା ! କ’ଣ କରିବି ? କଥାରେ କହନ୍ତି–ବାପ ରାଣ, ଢିଙ୍କି ଗିଳ୍‌ ! ଅଗତ୍ୟା ସେଇତକ ବି ଉଦରସ୍ଥ କରିବାକୁ ହେଲା । ଉଠି ପଡ଼ିବାକୁ ଯାଉଚି, ହଠାତ୍‌ ସେ ପୁଣି ପରଷୁଣିଆକୁ କହିଲେ, ଆହୁରି ପାଞ୍ଚଖଣ୍ତ ଲୁଚି ଓ ଗଣ୍ତାଏ ରସଗୋଲା ମୋ ପତରରେ ଦେବା ପାଇଁ । କହିଲି, ଆଜ୍ଞା ମରିଯିବି ! ହେଲେ, ସେ କ’ଣ ଶୁଣିବା ଲୋକ ? ଏଥର ପକାଇ ଦେଲେ ତାଙ୍କ ନିଜ ରାଣ । ମୋ ବାପାଙ୍କ ରାଣ ଆଉ ଜଗନ୍ନାଥଙ୍କ ରାଣକୁ ମୁଁ ହୁଏତ ସ୍ଥଳ ବିଶେଷରେ ବେଖାତିର କରିପାରେ–କିନ୍ତୁ ସ୍ୱୟଂ ଅନ୍ନଦାତା ନିଜେ ଯେତେବେଳେ ନିଜ ରାଣ ପକାଉଛନ୍ତି, ତାକୁ କି ଅବଜ୍ଞା କରିହୁଏ ? ତେଣୁ ସେଇତକ ବି ବାଧ୍ୟ ହେଇ ଆତ୍ମସାତ୍‌ କରିବାକୁ ହେଲା କଷ୍ଟେ ମଷ୍ଟେ !

 

ଆଜିକାଲିକା ବଡ଼ଲୋକମାନେ ଖାଲି ନିଜେ ଖାଇ ଜାଣନ୍ତି ! ଖୁଆଇ ଜାଣନ୍ତିନି । ସେ ଧରଣର ମହାନୁଭବତା କାହିଁ ଏ ଯୁଗରେ ?

 

ଉକ୍ତ ବୃଦ୍ଧ ପଣ୍ତିତ ମହାଶୟ ଶେଷପର୍ଯ୍ୟନ୍ତ ଅତି-ଭୋଜନ ଯୋଗୁଁ ବାସିଲାରୀ ଡିସେଣ୍ଟ୍ରିରେ ପ୍ରାଣ ହରାଇଥିଲେ ।

 

ତାଙ୍କ ପରେ ଅନ୍ୟ ଜଣେ ସୁଟ୍‌ ପରିହିତ ସ୍ମାର୍ଟ ଯୁବକ ଯେତେବେଳେ ତାଙ୍କରି ସ୍ଥାନରେ ନିଯୁକ୍ତି ପାଇ କ୍ଲାସ୍‌କୁ ପଢ଼ାଇବାକୁ ଆସନ୍ତି–ଆମେମାନେ ଅବାକ୍‌ ହେଇଗଲୁ ! କାରଣ, ଆମ ସମସ୍ତଙ୍କ ମନରେ ଧାରଣା ଥିଲା–‘ପଣ୍ତିତ ମହାଶୟ’ର ଅର୍ଥ ମୁଣ୍ତବାଳ ଅନ୍ତତଃ ଅଧା ପାଚି ଯାଇଥିବ; ଧୋତି ଚାଦର ଓ ବିଦ୍ୟାସାଗରୀ ଚଟି; ଆଖିରେ ପ୍ରଚକ୍ଷୁ; ବେଶ୍‌ ଲମ୍ବ ଏକ ଘୁଷୁରି ଲାଙ୍ଗୁଡ଼ ପରି ଚୁଟି; ଇତ୍ୟାଦି ଇତ୍ୟାଦି !!

 

ସେଇ ଷ୍ଟାଇଲିଷ୍ଟ ଯୁବକଟି ଯେତେବେଳେ କ୍ଲାସ୍‌କୁ ସଂସ୍କୃତ ପଢ଼ାଇବାକୁ ଆସିଲେ, ଆମେମାନେ ପୂର୍ବ ଅଭ୍ୟାସ ଅନୁଯାୟୀ ତାଙ୍କୁ ‘ପଣ୍ତିତ ମହାଶୟ’, ‘ପଣ୍ତିତ ମହାଶୟ’ ଡାକିବା ଆରମ୍ଭ କରିଦେଲୁ । ସାଙ୍ଗେ ସାଙ୍ଗେ ତାଙ୍କ ମିଜାଜ ଗରମ ହେଇଗଲା ! କହିଲେ, କିରେ ପିଲାଏ ! ତମେମାନେ କ’ଣ ମନେ କରିଚ କି ? ‘ପଣ୍ତିତ ମହାଶୟ’ କ’ଣ ? ଅନ୍ୟ ଆସିଷ୍ଟାଣ୍ଟ ଟିଚରମାନଙ୍କୁ ଯେପରି ‘ସାର୍‌’ ‘ସାର୍‌’ ଡାକୁଚ, ମୋତେ ବି ସେଇପରି ଡାକୁନା ? ସେମାନେ ଯେପରି ପଢ଼ଉଛନ୍ତି ଅନ୍ୟାନ୍ୟ ସବଜେକ୍ଟ, ମୁଁ ବି ସେଇପରି ଜଣେ ଆସିଷ୍ଟାଣ୍ଟ ଟିଚର, ପଢ଼ଉଚି ସଂସ୍କୃତ ସବଜେକ୍ଟ ! ‘ପଣ୍ତିତ’ ‘ପଣ୍ତିତ’ କଣରେ ? ସେ ସବୁ ଡାକ ବୁଢ଼ା-ହଡ଼ାଙ୍କୁ ସୁହାଏ ।

 

‘ପଣ୍ତିତ’ ଶବ୍ଦର ଆକ୍ଷରିକ ଅର୍ଥ ଯଦିଓ ଜ୍ଞାନୀ ବା ବିଦ୍ୱାନ, ତଥାପି ସେଇ ଡାକଟା ଉକ୍ତ ଯୁବକ ଶିକ୍ଷକ ତାଙ୍କ ପକ୍ଷରେ ଘୋର ଅସମ୍ମାନଜନକ ବୋଲି ମନେ କରୁଥିଲେ ।

 

ପରବର୍ତ୍ତୀ କାଳରେ ସେ ମହାଶୟ ଆମଠାରୁ ତିନୋଟି କ୍ଲାସ୍‌ ଉପରେ ପଢ଼ୁଥିବା ତାଙ୍କରି ଜଣେ ଛାତ୍ରୀକୁ ନେଇ କଳିକତା ଫେରାର୍‌ ହୋଇଥିଲେ ।

 

ସେ ଏକ ଚାଞ୍ଚଲ୍ୟକର କାଣ୍ତ !

 

ମୋ ଦାଦାଙ୍କ ଝିଅ ସୁରୁଚି ମେଟ୍ରିକ୍‌ ପାସ୍‍କରି ସାରିଥାଏ । କଲେଜରେ ପଢ଼ିବାର କଥା-। ‘କଲେଜରେ ବଢ଼ିବା’ ଅର୍ଥ ‘କଟକରେ ପଢ଼ିବା’ । କାରଣ ଆମ ସହରରେ ସେତେବେଳେ କଲେଜ ନ ଥିଲା । ଆଜିକାଲି ଅବଶ୍ୟ କଲେଜ, ସ୍ଥାୟୀ ସିନେମା ହ’ଲ, ବିଜୁଳି ଆଲୁଅ, ଅନେକ କିଛି ହେଇଗଲାଣି । ବହୁତ ବଢ଼ିଯାଇଚି ସହର ଓ ତା’ର ଲୋକସଂଖ୍ୟା ।

 

ରୁଚି ଅପା କଟକର କେଉଁଠି ପଢ଼ିବ, ମହିଳା କଲେଜରେ କି ସହଶିକ୍ଷା ଥିବା କଲେଜରେ...ରହିବ କେଉଁଠି, ହଷ୍ଟେଲରେ କି ଆମର କଟକରେ ଥିବା କୌଣସି ଆତ୍ମୀୟଙ୍କ ଘରେ–ଏଇ ସବୁ ବିଚାର ଚାଲିଥାଏ ।

 

ରୁଚି ଅପା (ସୁରୁଚି)କୁ ମୋର ବେଶ୍‌ ମନେଅଛି । ସନ୍ଧ୍ୟାକାଳୀନ ହ୍ରଦ ପରି ସୁଶୀତଳ, ଶ୍ୟାମଳ ତା’ର ଦେହ । କି ଅଦ୍ଭୁତ ସୁନ୍ଦର ପୋଟଳ-ଚିରା ଆଖି ଦୁଇଟା ।

 

ଭାରି ଶାନ୍ତ, ଶିଷ୍ଟ, ସରଳ ଓ ନୀରିହ ବୋଲି ଘରେ ଆଉ ବାହାରେ ତା’ର ସୁନାମ ।

 

ମୋତେ କେତେ ଯେ ସ୍ନେହ କରୁଥିଲା ରୁଚି ଅପା ! ଗେଲ କରେ, କୋଳି, ଚକୋଲେଟ୍‌ ଦିଏ; ପଇସା ବି ଦିଏ ।

 

ଥରେ ଦୂର୍ଗାପୂଜା ଦିନ (ସେଦିନ ବଡ଼ ଗହଳ ଚହଳ ଓ ଭୋଜିଭାତ ହୁଏ ଆମ ଘରେ । ବହୁ ନିମନ୍ତ୍ରିତ ବ୍ୟକ୍ତି ଆସି ଥାଆନ୍ତି), ସନ୍ଧ୍ୟାବେଳେ ତଳ ମହଲାରେ ମୋତେ ଏକୁଟିଆ ପାଇ ତା’ ଶୋଇବା କୋଠରୀ ଭିତରକୁ ଡାକି ନେଲା । ସେତେବେଳେ ସେଠି ଆଉ କେହି ନଥାନ୍ତି । ମୋତେ କୋଳକୁ ଆଉଜାଇ ନେଇ ଆଦର କରି କହିଲା, ଖୁବ୍‌ ଧୀର ଓ ବିଶ୍ୱସ୍ତ ସ୍ୱରରେ–ସେଥିରେ ଯେପରି ଥିଲା ଏକ ଗୁପ୍ତ ଷଡ଼ଯନ୍ତ୍ରର ଆଭାସ ! ‘‘ବିଜୁରେ, ମୋ ସୁନା ଭାଇଟା ପରା ! ମୋର ଗୋଟାଏ କାମ କରି ଦେଇ ପାରିବୁ ?’’

 

ରୁଚି ଅପାର ଆଲିଙ୍ଗନରେ ଥିଲା କି ଏକପ୍ରକାର ଅନିର୍ବଚନୀୟ ମାଦକତା ! ସେଇ ମୋହ ସେତେବେଳେ ମୋତେ ଘାରି ପକାଇ ଥିଲା । ମନେହେଲା–ତା’ପାଇଁ କରି ନ ପାରିବି, ଇମିତି କିଛି କାମ ଏ ଦୁନିଆଁରେ ନାହିଁ, ଏତେ ନରମ ଆଉ ଉଷୁମ ଯା’ର ଦେହ !! ଆନନ୍ଦରେ ରୋମାଞ୍ଚିତ ହୋଇ, ସ୍ପର୍ଶ ସୁଖରେ ପୁଲକିତ ହୋଇ କହି ପକାଇଲି, ନିଶ୍ଚୟ କରିବି ରୁଚି ଅପା । କି କାମ ?

 

ବ୍ଲାଉଜ ଭିତରୁ ନୀଳ କାଗଜରେ ଲେଖା ଛୋଟ ଚିଠିଟିଏ କାଢ଼ି ସେ କହିଲା, ଏଇଟାକୁ ନେଇ ଚୁପ୍‌କରି ଜ୍ଞାନ-ଭାଇ ହାତରେ ଦେଇ ଆସିବୁ । ସାବଧାନ, କେହି ଯେପରି ନ ଜାଣନ୍ତି ! ତୋତେ ଗୋଟେ ରୁମାଲ ଦେବି–ସୁନ୍ଦର ଫୁଲପକା ରୁମାଲ । ବୁଝିଲୁ ?

 

‘ଜ୍ଞାନ-ଭାଇ’ ହେଉଛନ୍ତି ପାଖ ପଡ଼ିଶାର ଗୋଟିଏ ମଧ୍ୟବିତ୍ତ ପରିବାରର ପିଲା । ସେ ପାଟନାରେ ଏମ୍‌.ଏସ୍‌.ସି. ପଢ଼ନ୍ତି । ପ୍ରତ୍ୟେକ ଛୁଟିରେ ଫେରିଲେ ଆମ ପାଇଁ ରସଗୋଲା, ସନ୍ଦେଶ ଛଡ଼ା ଆହୁରି ଅନେକ କିଛି ପାଟନାରୁ ଆଣି ଥାଆନ୍ତି । ମୋର ବାପା ଓ ଦାଦାମାନଙ୍କୁ ‘ମଉସା’ ବୋଲି, ଆଉ ଖୁଡ଼ୀମାନଙ୍କୁ ‘ମାଉସୀ’ ବୋଲି ଡାକନ୍ତି । ଚମତ୍କାର ମେଳାପୀ ! ସୁନ୍ଦର ଚେହେରା ! ଖୁବ୍‌ ଫେସନେବ୍‌ଲ ! ପିଲାଙ୍କ ସାଙ୍ଗରେ ପିଲା–ବୁଢ଼ାଙ୍କ ସାଙ୍ଗରେ ବୁଢ଼ା । ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବଡ଼ମାନଙ୍କ ସାଙ୍ଗରେ ଯେପରି ଆଳାପ-ଆଲୋଚନା କରି ପାରନ୍ତି–ଛୋଟମାନଙ୍କୁ ବି ସେଇପରି ବାଘ, ଭାଲୁ, କଟାସ ଓ ଅସୁରୁଣୀ ବୁଢ଼ୀ ଗପ ଶୁଣାଇ ପାରନ୍ତି । ସେ ପାଟନାରେ ଥିବା ସମୟତକ ଆମେ ତାଙ୍କ ଅଭାବ ବଡ଼ ଅନୁଭବ କରୁ । ଛୁଟିରେ ଫେରିଲେ ଖୁବ୍‌ ଖୁସି ହେଉଁ । ବାସ୍ତବିକ ଭାରି ସ୍ନେହୀ ଲୋକ ଥିଲେ ଜ୍ଞାନଭାଇ । ତାଙ୍କ ସାଙ୍ଗରେ ହସି ଖେଳି କେତେ ଚାନ୍ଦିନୀ ରାତି ପୁହାଇ ଦେଇଛୁ ଆମେ ।

 

ଏଠି ଥିବାବେଳେ ପ୍ରାୟ ପ୍ରତିଦିନ ଆମ ଘରକୁ ଆସନ୍ତି ସେ ।

 

ଦୁଇ ତିନି ଦିନ ତଳେ କୋଠା ଛାତ ଉପରେ ନିଛାଟିଆ ସଞ୍ଜବେଳେ ସେ ଓ ରୁଚି ଅପା ପରସ୍ପରକୁ ନିବିଡ଼ ଆଶ୍ଳେଷରେ ଭିଡ଼ି ଧରି ଚୁମା ଦେଉଥିବାର ଦେଖି ପକାଇଥିଲି ଅକସ୍ମାତ୍‌ । ମୋତେ ଦେଖି, ହଠାତ୍‌ ସେମାନେ ସଂଯତ ହେଇ ଘୁଞ୍ଚି ଗଲେ । ରୁଚି ଅପାର ମୁହଁ ଶୁଖିଗଲା ! ପ୍ରତ୍ୟୁତ୍ପନ୍ନମତି ଜ୍ଞାନ-ଭାଇ କିନ୍ତୁ ହସି ହସି ମୋ ପାଖକୁ ଚାଲି ଆସିଲେ । କହିଲେ, ବିଜୁଟି ଆମର ଭା’ରି ଭଲ ପିଲା ଯେ ! ତା’ପରେ ପକେଟ୍‌ରୁ ଗୁଡ଼ାଏ ଚକୋଲେଟ୍‌ କାଢ଼ି ମୋତେ ଧରାଇ ଦେଲେ-। ମୋତେ ଆଉ ରୁଚିକି ଏଠି ଦେଖିଲୁ ବୋଲି କାହା ପାଖରେ କହିବୁନି, ସୁନା ଭାଇଟି-!

 

ମନରେ କାହିଁକି କେଜାଣି ହଠାତ୍‌ ପ୍ରଶ୍ନ ଉଠିଥିଲା, ଭାଇ ଭୁଣୀଙ୍କ ଭିତରେ ସମ୍ପର୍କ କ’ଣ ଏଇଆ ? ମନରେ ଗୋଟାଏ ଅହେତୁକୀ ଈର୍ଷା ଆସିଲା । ରୁଚି ଅପା କାହିଁକି ମୋତେ ସେଇଭଳି ଗଭୀର ଆଶ୍ଳେଷରେ ଭିଡ଼ି ଧରି ଚୁମା ଦିଏନା, ଯେପରି ଦିଏ ଜ୍ଞାନ-ଭାଇକୁ ? କିନ୍ତୁ ଜ୍ଞାନଭାଇ ସାଙ୍ଗରେ ତା’ର ପ୍ରକୃତରେ ସମ୍ପର୍କଟା କ’ଣ, ବୁଝିପାରିବା ଭଳି ଜ୍ଞାନ ମୋର ହେଇ ନ ଥିଲା । (ଯଦିଓ ଅବଚେତନ ମନ ଭିତରେ ସେଇ ସବୁ କଥା ଜାଣିବା ପାଇଁ ଥିଲା ଦୁରନ୍ତ କୌତୂହଳ !)

 

ସେତେବେଳେ ମୋର ସେଇ ବୟସ, ଯେତେବେଳେ ସ୍କୁଲର ଲାଭାଟୋରୀ ଓ ଇଉରିନେଲ୍‌ ଭିତର ପାଖ କାନ୍ଥରେ କାହିଁକି ଏଣୁତେଣୁ ଅଶ୍ଳୀଳ କଥା ଗାରିଆ ଯାଇଥାଏ, ତା’ ବି ବୁଝିପାରୁ ନ ଥିଲି ମୁଁ । ବୁଝିପାରୁ ନ ଥିଲି, ଅଶ୍ଳୀଳତାରୁଇ ମଣିଷର ସୃଷ୍ଟି ସମ୍ଭବ ହେଇ ଥିବାରୁ ଅଶ୍ଳୀଳତା ତା’ର ସହଜାତ ପ୍ରବୃତ୍ତି, ଯାହା ତାକୁ ସବୁଠାରୁ ବେଶୀ ପ୍ରଲୁବ୍ଧ ଓ ପ୍ରଭାବିତ କରେ; ଏବଂ ତା’ରି ନାମ ‘‘ପୁରୁଷ ଓ ସ୍ତ୍ରୀ ଭିତରେ ଆକର୍ଷଣ’’–ଯାହାର ଆରମ୍ଭ ମଳୟ, ଫୁଲର ସୁରଭି, ଜ୍ୟୋତ୍ସ୍ନା ରାତି, ମଧୁର ପ୍ରଣୟ-ସଂଳାପ, କାବ୍ୟ କବିତାର କୋଟେସନ୍‌ ଦିଆ ଏସେନ୍ସ ମଖା ପ୍ରେମପତ୍ରରେ ଆଉ ପରିଣତି ପରିଚ୍ଛନ୍ନ ଅଶ୍ଳୀଳତାରେ । ଜାଣି ନ ଥିଲି କେବଳ ଆମରି ସ୍କୁଲ ପାଇଖାନା କାନ୍ଥ ନୁହେଁ, ସାରା ଦୁନିଆର ଏପରିକି ଇଂଲେଣ୍ତ ଆମେରିକା ପ୍ରଭୃତି ସୁସଭ୍ୟ ଦେଶମାନଙ୍କରେ ବି ଅଧିକାଂଶ ସର୍ବସାଧାରଣ ପାଇଖାନା କାନ୍ଥରେ ଏଇପରି କେତେ କେତେ ଅଶ୍ଳୀଳ କଥା ଲେଖା ଯାଇଥାଏ । ଆଦିମତା ବୋଧହୁଏ ଜାଗି ଉଠେ ନିଜର ନଗ୍ନ ଦେହ ଦେଖିଲେ । ସ୍ୱତଃପ୍ରବୃତ୍ତ ହେଇ ଲୋକେ ସେଇ ସବୁ ଲେଖିପକାନ୍ତି, ପ୍ରବୃତ୍ତିର ମାନସିକ ତାଡ଼ନାରେ । ସେତେବେଳେ ମୋର ସେଇ ବୟସ, ଯେତେବେଳେ ଜାଣି ନ ଥିଲି, ଯେ କୌଣସି ଦେଶରେ ବି ମଣିଷର ଅନ୍ତର୍ନିହିତ ପ୍ରବୃତ୍ତି ସବୁଠି ସମାନ ।

 

ମୋଟ ଉପରେ, ସେତେବେଳେ ମୁଁ ଦୁନିଆର ଅନେକ କିଛି ଜାଣି ନ ଥିଲି । ବହୁ ବିଷୟରେ ଅଜ୍ଞ ଥିଲି, ଅନଭିଜ୍ଞ ଥିଲି । ତେଣୁ, ବୁଝିପାରି ନ ଥିଲି ସେ ଦିନ । ଜ୍ଞାନଭାଇ ଆଉ ରୁଚି ଅପା ଭିତରେ କ’ଣ ଏତେ ସବୁ ଗୋପନୀୟ ବ୍ୟାପାର ଚାଲିଚି ! କ’ଣ ସେଇ ସବୁ ଏକାନ୍ତ ଗୋପନୀୟତା, ଯାହା ଆଉ କେହି ନ ଜାଣିବା ଉଚିତ !

 

ଅତଏବ ଏତିକି ବୁଝିପାରିଥିଲି ଯେ ସେମାନଙ୍କ ଭିତରେ ଯାହା କିଛି ଚାଲିଛି, ତାହା ଅବାଞ୍ଛନୀୟ । ଜଣା ପଡ଼ିଗଲେ ସେମାନଙ୍କର ଘୋର କ୍ଷତି ହେବ ।

 

ଏହା ପୂର୍ବରୁ ଅବଶ୍ୟ ଆଉ ଗୋଟାଏ କଥା ଲକ୍ଷ୍ୟ କରିଥିଲି ।

 

ଛୁଟି ଶେଷ ହେଇଗଲେ ଜ୍ଞାନଭାଇ ଯେତେବେଳେ ପାଟନା ଫେରି ଯାଆନ୍ତି, ଆମ ସମସ୍ତଙ୍କ ମନ ଖରାପ ହେଇଯାଏ, ଏଟା ସତ । କିନ୍ତୁ ଆମେ କେବେ ସେଥିପାଇଁ କାନ୍ଦିନୁ । ମାତ୍ର ରୁଚି ଅପା ଲୁଚି ଲୁଚି କାନ୍ଦେ । ବେଶ୍‌ କିଛି ଦିନ ମୁହଁ ଶୁଖାଇ ରହେ । ମୋତେ ତା’ର ଢଙ୍ଗ-ଢାଙ୍ଗ କେବଳ ଅବୋଧ୍ୟ ନୁହେଁ; ଅସହ୍ୟ ଓ ବିରକ୍ତିକର ବି ଲାଗେ ।

 

ଜ୍ଞାନ-ଭାଇ ଆମ ସମସ୍ତଙ୍କୁ ଭଲ ପା’ନ୍ତି । ରୁଚି ଅପାକୁ ବି । କିନ୍ତୁ ରୁଚି ଅପା ପ୍ରତି ତାଙ୍କର ଯୋଉ ପକ୍ଷପାତିତ୍ୱ ମୋ ଆଖିରେ ଧରାପଡ଼ି ଯାଇଥିଲା, ସେତିକିରେ ମୁଁ ବେଶ୍‌ ଅଭିମାନ ଅନୁଭବ କରୁଥିଲି । ତା’ପରେ ପୁଣି ରୁଚି ଅପାର ସକ୍‌ ସକ୍‌ ହେଇ କାନ୍ଦିବା ମୋ ମୁଣ୍ତଟାକୁ ଗରମ କରି ଦେଉଥିଲା ।

 

ଜ୍ଞାନଭାଇ ପାଟନା ଚାଲିଗଲେ ବୋଲି ଆମେ ବି ଦୁଃଖିତ । କିନ୍ତୁ ଏତେଟା କନ୍ଦା-କଟା, ମୁହଁ ଶୁଖାଇ ବସିବା, ଏ ସବୁ ନିହାତି ଅତିରିକ୍ତ ନୁହେଁ କି ? ସହାନୁଭୂତି ବଦଳରେ ଠିକ୍‌ ରାଗ କି କ’ଣ ଆସୁଥିଲା ମୋ ମନରେ ଆଜିଯାଏଁ ଭଲଭାବେ ବୁଝି ପାରିନି ।

 

ଯା’ ହେଉ, ଆଜି ଯେତେବେଳେ ରୁଚି ଅପା ମୋ ହାତରେ ନୀଳ କାଗଜର ଛୋଟ ଚିଠିଟି ଗୁଞ୍ଜି ଦେଲା, କିଛି ବୁଝି ପାରିଲିନି । କି ରହସ୍ୟ ଅଛି ୟା’ ଭିତରେ ? କ’ଣ ଇୟେ ? କି ଚିଠି ?

 

ରୀତିମତ ଗୋଟାଏ ସାସ୍ପେନ୍‍ସ, ରୀତିମତ ଗୋଟାଏ ଷଡ଼ଯନ୍ତ୍ରର ଗନ୍ଧ ଏଥିରୁ ମିଳୁଛି ତ ! ମନରେ ବେଶ୍‌ ଟିକିଏ ଭୟ ମିଶା ରୋମାଞ୍ଚକର ଆନନ୍ଦ !

 

ଯାହାହେଉ ମୁଁ ଏତେ ଛୋଟ ହେଲେ ବି ରୁଚି ଅପା ଆଉ ଜ୍ଞାନଭାଇଙ୍କ ପରି ବଡ଼ ମଣିଷମାନଙ୍କ ଆଫେୟାର୍ସରେ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରି ପାରିଛି, ସେମାନଙ୍କର ଏତେ ବିଶ୍ୱାସଯୋଗ୍ୟ ହେଇ ପାରିଛି, ସେମାନଙ୍କର ଗୋଟାଏ କିଛି ଜରୁରୀ କାମରେ ଲାଗି ପାରିଛି !

 

ଯା’ ହଉ, ମୁଁ ତାହାହେଲେ ଏଥର ବଡ଼ ମଣିଷଙ୍କ ସମାସ୍କନ୍ଧ ହେଇ ଗଲିଣି !

 

ବଡ଼ମାନଙ୍କ ବ୍ୟବହାର ଦେଖି ପିଲାବେଳେ ଏକପ୍ରକାର ହୀନମନ୍ୟତା ଆସିଯାଏ ମନରେ । ବଡ଼ମାନଙ୍କ କଥାରେ ଯୋଗ ଦେଲେ ସେମାନେ ହସନ୍ତି । କବାଟ, ଝରକା ଖୋଲିବା ପାଇଁ ‘ହୁକ୍‌’କୁ ହାତ ପାଏନା । ହ୍ୟାଙ୍ଗର୍‌, ଆଲ୍‌ନା, ଥାକ କିମ୍ବା ଟିକିଏ ଉଚ୍ଚରେ ଝୁଲା ହେଇଥିବା ଜିନିଷକୁ ବଢ଼ାଇ ହୁଏନା । ବଡ଼ମାନେ ଅତି ସହଜରେ ଯୋଉଠିକି ହାତ ବଢ଼ାଇ ପାରନ୍ତି, ଅତି ଆୟାସରେ । ପିଲାଦିନେ ସେଠିକି ହାତ ବଢ଼ାଇ ହୁଏ ନାଇଁ । ବଡ଼ମାନଙ୍କ ଠାରୁ କୌଣସି କଥା ବେଶି ଜାଣିଥିଲେ ବି ସେଇଟା ବାହାରେ ପ୍ରକାଶ କଲେ ହାସ୍ୟାସ୍ପଦ ହେବାକୁ ହୁଏ । ବଡ଼ ମଣିଷଙ୍କ ପକ୍ଷରେ ଅତି ସହଜ-ଲଭ୍ୟ ପଦାର୍ଥ ସବୁ ରହିଥାଏ ଛୋଟମାନଙ୍କ ଧରାଛୁଆଁର ବାହାରେ ।

 

ମନରେ ଟିକିଏ ଆନନ୍ଦ-ମିଶ୍ରିତ ଗର୍ବ ଆସିଲା, ଯା’ହଉ ରୁଚି-ଅପା ଭଳିଆ ଜଣେ ବଡ଼ ମଣିଷ ମୋତେ ଏତେ ଖୋସାମତ୍‌ କରୁଛି ତା’ କାମଟି କରିଦେବା ପାଇଁ ! ନିଜକୁ ଧନ୍ୟ ମନେକଲି-। କହିଲି, କେହି ଜାଣିବେନି ରୁଚି ଅପା ! ଚୁ’ପ୍‌ କରି ନେଇ ଦେଇ ଆସିବି ଜ୍ଞାନଭାଇ ହାତରେ-। କିନ୍ତୁ ରୁମାଲ ନୁହେଁ; ଆଉ ଗୋଟାଏ ଜିନିଷ !

 

କହ କ’ଣ ନେବୁ । ଯାହା ଚାହୁଁ ଦେବି ।

 

ଯାହା ଚାହିଁବି ଦେବ ?

 

ନିଶ୍ଚୟ ଦେବିରେ ବିଜୁ । ତୋତେ ମୋର ଅଦେୟ କିଛି ନାହିଁ ।

 

ଯଦି ସେତେବେଳେ ପଚାରି ଦେଇଥାନ୍ତି, ‘‘ରୁଚି ଅପା, ତମେ ଜ୍ଞାନଭାଇଙ୍କି ଯୋଉ ଭଳି ଭଲପାଅ–ମୋତେ କାହିଁକି ସିମିତି ଭଳ ପାଅନା....’’ ଜାଣେନା ରୁଚି ଅପା କ’ଣ ଜବାବ୍‌ ଦେଇଥାନ୍ତା–ତେବେ ମୋ ମୁହଁରୁ ସେତିକି ବାହାରି ପାରିଲାନି । କାହିଁକି ? ଜାଣେନା ।

 

ତେବେ, ରୁଚି ଅପାକୁ ମୁଁ କ’ଣ ମାଗିବି ଠିକ୍‌ କରି ନେଇ ସାରିଥିଲି ।

 

ସେତେବେଳେ ଏକେବାରେ ରୋଜୋଚିତ ଦାକ୍ଷିଣ୍ୟରେ ତା’ ମନଟା ବୋଧହୁଏ ଗଦ୍‌ଗଦ୍‍ ହେଇ ଉଠିଥିଲା ! ପୁଣି ପଚାରିଲା–କହ ବିଜୁ, କ’ଣ ଚାହୁଁ ଯାହା ଚାହୁଁ ପାଇବୁ ।

 

ମୁଁ ଗେହ୍ଲେଇ ହେଇ ଲାଜେଇ ଲାଜେଇ କହିଲି–ଅପା ମ ! ସେ ଦିନ ତମେ ଜ୍ଞନଭାଇଙ୍କି ଯାହା ଦଉଥିଲ...

 

ବୁଝି ନ ପାରି ସେ ପଚାରିଲା–କ’ଣ ରେ ?

 

ମୁଁ ସାହସ କରି କହି ପକାଇଲି–ସେ ଦିନ ଛାତ ଉପରେ ତମେ ଜ୍ଞାନ-ଭାଇକି ଚୁମା ଦଉ ନ ଥିଲ ?

 

ମୋର ଭୟ ଥିଲା–ବୋଧହୁଏ ରୁଚି ଅପା ଏଥିରେ ସହଜେ ରାଜି ହେବନି । କହିବ–ଚୁପ୍‌ ଦୁଷ୍ଟ !

 

କିନ୍ତୁ ଆଶ୍ଚର୍ଯ୍ୟ କଥା–ସାଙ୍ଗେ ସାଙ୍ଗେ ସେ ରାଜି ହେଇଗଲା । ତତ୍‌କ୍ଷଣାତ୍‌ ନିବିଡ଼ ବାହୁ-ବନ୍ଧନରେ ମୋତେ ଭିଡ଼ି ନେଲା ତା’ର ସ୍ପଞ୍ଜ-ଭଳିଆ ନରମ ଛାତି ଉପରକୁ । ଆଙ୍କି ଦେଇଗଲା କେତେ ଯେ ଗରମ ଚୁମ୍ବନ ମୋ କପାଳରେ, ଆଖିରେ, ଗାଲରେ, ଓଠରେ, ବେକ ଆଉ ବକ୍ଷରେ....

 

ଆଃ, କି ଜ୍ୱାଳାମୟୀ ଚୁମ୍ବନ ରୁଚି ଅପାର !!!

 

ଜ୍ଞାନଭାଇ ଠାରୁ ଚିଠି ଆଣି ଦେବା ଓ ତା’ ଚିଠି ନେଇ ଜ୍ଞାନଭାଇକୁ ଡେଲିଭରି ଦେବା...ଏଇ ‘ଡାକ ପିଅନ’ କାମ ସେଇଦିନ ଠାରୁ କରି ଚାଲିଲି ମୁଁ । ଖୁବ୍‌ ବେଶୀ ନୁହେଁ । କେବେ କିମିତି କରୁଥିଲି ।

 

ବେଶ୍‌ ଗୁରୁତ୍ୱ ଓ ଦାୟିତ୍ୱପୂର୍ଣ୍ଣ କାମ !

 

ଯଦିଓ ମୋ ଦାୟିତ୍ୱ ମୁଁ ଠିକ୍‌ ରୂପେ ତୁଲାଇ ଚାଲିଥିଲି, ସେମାନଙ୍କ ଦାୟିତ୍ୱ କିନ୍ତୁ ସେମାନେ ସୁଚାରୁ-ରୂପେ ନେଇ ଆଣି ଥୋଇ ପାରିଲେନି ।

 

ଦିନେ କୋଠା ଛାତ ଉପରେ କୌଣସି ଏକ ଅସତର୍କ ମୁହୂର୍ତ୍ତରେ ଦୁହେଁ ରେଡ୍‍-ହେଣ୍ତେଡ୍‍ ଧରା ପଡ଼ିଗଲେ ବାପାଙ୍କ ଆଖିରେ ।

 

ଫଳରେ, ପୁରସ୍କାର ସ୍ୱରୂପ ରୁଚି ଅପାକୁ ମିଳିଲା ଗୋଟାଏ ବତିଶ ପଳିଆ ବିଧା ଆଉ ଜ୍ଞାନଭାଇକି ଏକ ବ୍ରହ୍ମଚାପୁଡ଼ା ! ରୁଚି ଅପା ସେ ଦିନ ରାତିରେ ଭାତ ନ ଖାଇ କାନ୍ଦି କାନ୍ଦି ଶୋଇଲା–ଆଉ ଜ୍ଞାନଭାଇ–ସେ ପରଦିନ ସକାଳୁ ସେଇ ଯେ ପାଟନା ଯାଇଚି...ଆଉ ତା’ର ପତ୍ତା ନାହିଁ !

 

ମୁଁ ବିଚରା ଡାକ ପିଅନଟି ଯା’ହେଉ ପ୍ରଭୁଙ୍କ ଦୟାରୁ ଧରା ପଡ଼ିନି ! ନଚେତ୍‌ ମୋ ଉପରେ ବି ନିର୍ବିଚାରରେ କିଛି ଉତ୍ତମ-ମଧ୍ୟମ ଦେବାକୁ ବାପା ଆଦୌ କାର୍ପଣ୍ୟ କରି ନ ଥାନ୍ତେ । ସେ ସବୁ ବିଷୟରେ ଖୁବ୍‌ ମୁକ୍ତ-ହସ୍ତ ବ୍ୟକ୍ତି ବୋଲି ଘର ଭିତରେ ବେଶ୍‌ ସୁନାମ ଥିଲା ତାଙ୍କର ।

 

ଆଜି ଭାବେ, କାହିଁକି ସେ ଦିନ ସତ୍‌-ସାହସ ଦେଖାଇ ଜ୍ଞାନଭାଇ ଠିଆ ହେଲା ନାହିଁ ବାପାଙ୍କ ଆଗରେ ? (ରୁଚି ଅପାକୁ ମୁଁ ଦୋଷ ଦେଉନି,) କିନ୍ତୁ ଜ୍ଞାନଭାଇ କାହିଁକି ପଛଘୁଞ୍ଚା ଦେଇଥିଲା ସେ ଦିନ ? କାହିଁକି ?

 

ବାପା ଯଦି ସେ ଦୁହିଁଙ୍କର ବାହାଘର କରେଇ ଦେଇ ଥାଆନ୍ତେ, ତା’ହେଲେ ଖୁବ୍‌ ଭଲ ହେଇ ଥାଆନ୍ତା । ପରେ, ରୁଚି ଅପାର ଜୀବନରେ ଯୋଉ ବିପର୍ଯ୍ୟୟ ଦେଖା ଦେଇଥିଲା–ଯାହା ପାଇଁ ସେ ଝରିପଡ଼ିଲା ଅକାଳରେ–ସେଇ ସବୁ ଦୁର୍ଘଟଣା ଆଉ ହେଇପାରି ନ ଥାନ୍ତା । ବିଚାରୀ ଅପାଟି ମୋର ବେଶ୍‌ କିଛି ଦିନ ବଞ୍ଚି ରହି ପାରିଥାନ୍ତା ସୁଖରେ । ଜ୍ଞାନଭାଇକୁ ନେଇ...ଘରସଂସାର କରି....

 

ରୁଚି ଅପାର ଜୀବନରେ ପରବର୍ତ୍ତୀ କାଳରେ ଯୋଉ ଅବାଞ୍ଛିତ ଦୁର୍ବିପାକ ଘଟିଥିଲା ସେଥିପାଇଁ ଦାୟୀ ବାପା, ଦାୟୀ କାପୁରୁଷ ଜ୍ଞାନଭାଇ, ଦାୟୀ ଆମର ସାରା ପରିବାର ! ଶେଷରେ ଦାୟୀ ସେଇ ଜଣକ ଯିଏ ସର୍ବନାଶ କରିଥିଲେ ସରଳା ରୁଚି ଅପାର

 

ଯା’ହେଉ, ସେଇ ଘଟଣାର ପରେ ପରେ କଟକର କୌଣସି ବିଶିଷ୍ଟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ–ଯେ କି ଆମର ‘ଅଜା’ ....ଦୂର ସମ୍ପର୍କୀୟ ଆତ୍ମୀୟ ଜଣେ ସେ...ଆସି ପ୍ରସ୍ତାବ ଦେଲେ–ରୁଚି ବରଂ ଚାଲୁ ମୋ ସାଙ୍ଗରେ କଟକ । ତା’ ଆଈ ପାଖରେ ରହିବ–କଲେଜରେ ପଢ଼ିବ–

 

ଅତି ଉତ୍ତମ ପ୍ରସ୍ତାବ । ଅଜାଙ୍କର ପୁଅ ଝିଅମାନେ ବି ତ କଲେଜରେ ପଢ଼ୁଛନ୍ତି–ରୁଚି ଅପାକୁ ସାଙ୍ଗ ମିଳିବ । ତା’ଛଡ଼ା ଆଈ ଖୁବ୍‌ ସ୍ନେହୀ ଲୋକ । ଆଉରି ବି ଅଜା ନିଜେ କଲେଜରେ ଓ ଘରେ ତା’ର ପଢ଼ା ଦେଖାଶୁଣା କରିବେ । ଖୁବ୍‌ ଭଲ କଥା ।

 

ରୁଚି ଅପା ଉପରେ ଟିକିଏ କଡ଼ା ନଜର ରଖିବାକୁ କୁହାଗଲା ଅଜାଙ୍କୁ ।

 

ସେ ତାଙ୍କୁ ସାଙ୍ଗରେ ନେଇ କଟକ ଚାଲିଗଲେ ।

 

ସେଠି ତା’ର ପାଠ ପଢ଼ା ବି ବେଶ୍‌ ଚାଲିଥିଲା । କିନ୍ତୁ ଦୁଇଟି ବର୍ଷ ନ ପୂରୁଣୁ ଆଇ.ଏ. ଫାଇନାଲ୍‌ ଦେବାକୁ ଆଉ ମାତ୍ର ତିନୋଟି ମାସ ବାକି ଅଛି–କଟକରୁ ଅଜାଙ୍କ ପାଖରୁ କ’ଣ ଗୋଟାଏ ଜରୁରୀ ଚିଠି ବାପାଙ୍କ ନାମରେ ଆସିଲା । (ବାପା ଏଇ ବିରାଟ ଏକାନ୍ନବର୍ତ୍ତୀ ପରିବାରଟିରେ ମୁରବି) ।

 

ଚିଠି ପଢ଼ା ହେବା ପରେ ସମସ୍ତଙ୍କ ମୁହଁ ଗମ୍ଭୀର ହେଇଗଲା । ଚାଲିଲା ଖାଲି ଚୁପ୍‌ଚୁପ୍‌ ଆଲୋଚନା !

 

କାହାରି ମୁହଁରେ ହସ ନାହିଁ ।

 

ମୋର ମନେହେଲା, ଜ୍ଞାନଭାଇ ଓ ରୁଚି ଅପାଙ୍କ ଭିତରେ ଯେପରି ଚାଲିଥିଲା ଏକ ଛୋଟ ଧରଣର ଷଡ଼ଯନ୍ତ୍ର–ଏ ସେଇପରି ଚାଲିଚି ଗୋଟାଏ ବଡ଼ ଧରଣର ବ୍ୟାପକ ଷଡ଼ଯନ୍ତ୍ର !

 

ତେବେ, ଏଥିରେ ‘ମୋର’ କୌଣସି ସ୍ଥାନ ନାହିଁ । ‘ମୋର’ କୌଣସି ଭୂମିକା ନାହିଁ । ମୋତେ କେହି କିଛି ଜଣେଇବାକୁ ବି ନାରାଜ୍‌ । ଯେତେ ପଚାରିଲେ ମୋତେ କେହି କିଛି କହୁ ନ ଥାନ୍ତି–ବେଶୀ ପଚାରିଲେ ବରଂ ଚିଡ଼ି ଉଠନ୍ତି–ପିଲା ଲୋକ; ତୁ ସେଥିରୁ କ’ଣ ପାଇବୁ ?

 

ରୁଚି ଅପାର ମାଆ–ଅର୍ଥାତ୍‌ ମୋର ମଝିଆଁ ଖୁଡ଼ୀ ହେଉଛନ୍ତି ଦାଦାଙ୍କ ଦ୍ୱିତୀୟ ପକ୍ଷର ସ୍ତ୍ରୀ । ରୁଚି ଅପାର ବୋଉ ଆକାଳରେ ମରି ଯିବାରୁ ଦାଦା ପୁଣିଥରେ ବିବାହ କରିଥିଲେ । ତେଣୁ ମଝିଆଁ ଖୁଡ଼ୀ ରୁଚି ଅପାର ସାବତ ମାଆ । କିନ୍ତୁ ସେ ଭଲ ପାଉଥିଲେ ରୁଚି ଅପାକୁ । ଠିକ୍‌ ନିଜ ଝିଅ ଭଳି । ଏତିକି ବ୍ୟତିକ୍ରମ ଥିଲା ତାଙ୍କ ଠାରେ ।

 

ମୋର ହଠାତ୍‌ ମନେହେଲା ବୋଧହୁଏ ଏଇ ବ୍ୟାପକ ଷଡ଼ଯନ୍ତ୍ର ରୁଚି ଅପା ବିରୁଦ୍ଧରେ-। ସମସ୍ତେ ମିଳି ତା’ର କିଛି ଗୋଟାଏ ସାଂଘାତିକ କ୍ଷତି କରିବାକୁ ଯାଉଛନ୍ତି । ଆଉ ମୁଁ ରୁଚି ଅପାକୁ ଭଲପାଏ ବୋଲି ମୋତେ ଏ ବିଷୟରେ କେହି କିଛି ଜଣେଇବାକୁ ନାରାଜ ।

 

କ’ଣ ଲେଖାଥିଲା ଅଜାଙ୍କ ଚିଠିରେ ? କୌଣସି ପ୍ରକାରେ ଯଦି ସେ ଚିଠି ଖଣ୍ତକ ହାତରେ ପଡ଼ନ୍ତା ! ହାତରେ ପଡ଼ିଲେ ବି କ’ଣ ସବୁ କଥା ଠିକ୍‌ ଠିକ୍‌ ବୁଝିପାରିଥାନ୍ତି ? କେଜାଣି ?

 

ରୁଚି ଅପା ସବୁବେଳେ ମୋତେ ଉପଦେଶ ଦେଉଥିଲା–‘‘ପର ଚିଠି ଚୋରି କରି ପଢ଼ିବା ଭଲ ନୁହେଁ ।’’ ତେଣୁ ତା’ରି ଚିଠି ଦିନେ ଚୋରି କରି ପଢ଼ିଥିଲି ! କିନ୍ତୁ କ’ଣ ଯେ ସେ ଲେଖିଥିଲା ଜ୍ଞାନଭାଇ ପାଖକୁ କିଛି ତ ବୁଝିପାରିଲି ନାହିଁ; ମନେ ହେଇଥିଲା ସେଇ ଚିଠିର ମାନେ ବାହାର କରିବା ଅପେକ୍ଷା କ୍ରସ୍‌-ଓ୍ୟାର୍ଡ଼-ପଜଲ୍‌ ସମାଧାନ କରିବା ବରଂ ଅଧିକ ସହଜ ! ଆଉ ଅଜା, ସେ ତ ଆହୁରି ପାଠୁଆ, ଆହୁରି ବଡ଼ ମଣିଷ–ତାଙ୍କ ଚିଠି କ’ଣ ବୁଝି ହେବ ? ଏଇ ସବୁ ଭାବି ମନ ମରିଗଲା ।

 

ମଝିଆଁ ଖୁଡ଼ୀକି ଯାଇ ନିରୋଳାରେ ପଚାରିଲି–ସତ କହ, କି ଚିଠି ଆସିଚି କଟକରୁ ? ମଝିଆଁ ଖୁଡ଼ୀ ମୋତେ ଭାରି ଭଲପାଏ । ମୋର ସବୁ ଜୋର୍‌ ଜୁଲମ ତା’ ଉପରେ ଖାଟେ । ସେଇଥିପାଇଁ ବହୁତ ଆଶା ଥିଲା ମୋର–ହୁଏତ ସେଇ ମୋତେ କହିଦବ । କିନ୍ତୁ ସେ ବି କିଛି କହିଲାନି । ଚୁପ୍‌ ରହିଗଲା । ସନ୍ଦେହ ଓ ଆତଙ୍କରେ ମୋ ଗଳା ଥରି ଉଠିଲା ! ମୁଁ ଜୋର୍‌ ଦେଇ ପଚାରିଲି–ଖୁଡ଼ୀ, କ’ଣ ହେଇଚି ରୁଚି ଅପାର ? ସେ ଭଲ ଅଛି ତ ?

 

ଦି’ହାତରେ ମୁହଁ ଲୁଚେଇ ଖୁଡ଼ୀ ଖାଲି କାନ୍ଦିବାକୁ ଲାଗିଲା । କିଛି ଜବାବ୍‌ ଦେଲାନି ।

 

ବାପା କଟକ ଯାଇ ଅପାକୁ ନେଇ ଆସିଚନ୍ତି । ଦେଖିଲି–ତା’ ଦେହ ଶେତା ପଡ଼ି ଯାଇଚି, ବେଶଭୂଷା ଅଯତ୍ନ, ମୁହଁରେ ନାହିଁ ହସ, ଅନ୍ୟମାନେ ତାକୁ ଘେରି କ’ଣ ସବୁ ପଚାରୁ ଥାଆନ୍ତି...କିଛି ବୁଝିପାରେନା ମୁଁ ।

 

ରୁଚି ଅପା କୌଣସି ପ୍ରଶ୍ନର ଜବାବ୍‌ ଦେଉ ନଥାଏ–ଖାଲି କାନ୍ଦେ । ଯେତେ ପଚାରିଲେ, ଖାଲି କାନ୍ଦୁଥାଏ । ଯାହା ପଚାରିଲେ ଖାଲି କାନ୍ଦରେଇ ଉତ୍ତର ଦିଏ । ଶେଷରେ ବିରକ୍ତ ହେଇ ସମସ୍ତେ ତାକୁ ଛାଡ଼ିଦେଲେ, ଆଉ ପଚରାପଚରି କଲେନି ।

 

ଜଣେ ଡାକ୍ତର ଆସିଲେ । ବନ୍ଦ ଘର ଭିତରେ ରୁଚି ଅପାକୁ କ’ଣ ସବୁ ପରୀକ୍ଷା କଲେ । ତା’ପରେ, ବାପା ଆଉ ଦାଦାଙ୍କ ସାଙ୍ଗରେ ଗୋପନରେ କିଛି ସମୟ ଆଲୋଚନା କରି ଫେରିଗଲେ-

 

ରୁଚି ଅପା ଏକାକୀ ତା’ ଶୋଇବା କୋଠରୀରେ ଥାଏ–ପ୍ରାୟ ବାହାରକୁ ଆସେନା । ଘୋଷଣା କରାହେଲା, ତା’ର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଚି । ତେଣୁ ତାକୁ ନେଇ ବାପା, ମଝିଆଁ ଦାଦା ଓ ଖୁଡ଼ୀ ଚାଲିଯିବେ ଶୈଳ-ନିବାସ ରାଞ୍ଚି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ‘ସ୍ୱାସ୍ଥ୍ୟ ପରିବର୍ତ୍ତନ’ କରେଇ ଆଣିବା ପାଇଁ ।

 

ଯିବା ଦିନ ଦୈବାତ୍‌ ତାକୁ ଏକୁଟିଆ ପାଇ ପଚାରିଲି–ରୁଚି ଅପା, ମୋ ରାଣ କୁହ ତମର କ’ଣ ହେଇଚି ?

 

ସେ ଖାଲି କାନ୍ଦିଲା ।

 

କହିଲି–ମୁଁ ବି ତମ ସାଙ୍ଗରେ ରାଞ୍ଚି ଯିବି ରୁଚି ଅପା !

 

ଛି, ଛି, ତୁ କାହିଁକି ଯିବୁରେ ?

 

ହଁ, ମୁଁ ନିଶ୍ଚୟ ଯିବି ତମ ସାଙ୍ଗରେ ।

 

ନାଁ, ତା’ ହୁଏନା ।

 

କାହିଁକି ହୁଏନା ? ମୁଁ ବାପାଙ୍କୁ କହିବି, କହିଲି । କହିଥିଲି ବି । କିନ୍ତୁ କିଛି ଫଳ ହେଲାନି-। ମୋତେ ସେମାନେ ନେଲେ ନାଇଁ ।

 

ରୁଚି ଅପା ସେମାନଙ୍କ ସାଙ୍ଗରେ ଚାଲିଗଲା । ଗଲାବେଳେ ମୋତେ ଆଦର କରି ଲୁହ ଧୁଆ ଆଖିରେ କହିଥିଲା–ବିଜୁରେ, ଯାଉଚି । ତୋର ହତଭାଗିନୀ ରୁଚି ଅପାକୁ ଭୁଲି ଯିବାକୁ ଚେଷ୍ଟା କରିବୁ । ଆଉ ବୋଧହୁଏ ଦେଖା ହେବନି ।

 

କିନ୍ତୁ ଭୁଲିଯିବା କ’ଣ ଏଡ଼େ ସହଜ ? ସେଇଦିନ ରାତିରେ, ତାକୁ ସ୍ୱପ୍ନରେ ଦେଖିଥିଲି-!! ବିଚିତ୍ର ସେ ସ୍ୱପ୍ନ !!! ପଚାରିଲି–ତମ ଦେହରେ କଳା ଶାଢ଼ି, ହାତ ଗୋଡ଼ରେ ଲୁହାର ଶିକୁଳି-! ଏ ସବୁ କ’ଣ ? ଏମାନେ .....ବାପା, ଦାଦା, ଏମାନେ ସବୁ କୁଆଡ଼େ ନେଇ ଯାଉଛନ୍ତି ତମକୁ-?

 

ମୋ’ କାନ ପାଖକୁ ମୁହଁ ନେଇ ସେ ଏଣିକି ତେଣିକି ଚାହିଁ ଡରି ଡରି କହିଥିଲା ଫିସ୍‌ ଫିସ୍‌ ଗଳାରେ, ଚୁପ୍‌ ଚୁପ୍‌ । ମୋତେ ସେମାନେ ମାରିବାକୁ ନେଇ ଯାଉଛନ୍ତି । ଯାଃ ତୁ ଏଠୁ ପଳା !

 

ଚିତ୍କାର କରି ଉଠିଥିଲି, କାହିଁକି ? କାହିଁକି ସେମାନେ ତମକୁ ମାରିବାକୁ ନେଉଛନ୍ତି ରୁଚି ଅପା ? ତା’ ମୁଁ ହେବାକୁ ଦେବିନି !

 

ଚଟ୍‌କରି ନିଦ ଭାଙ୍ଗିଗଲା । ଦେହଟା ମୋର ଝାଳରେ ଭିଜି ଯାଇଥିଲା । ଇସ୍‌ କି ଦୁଃସ୍ୱପ୍ନ ! କଳା ଶାଢ଼ି, ହାତ-ଗୋଡ଼ରେ ଲୁହାର ଶିକୁଳି ! ଭଗବାନ କି ବେଶରେ ମୋତେ ଦେଖେଇଲ ରୁଚି ଅପାକୁ ।

 

ସେଇ ବେଶ ତା’ର ମୁଁ ଭୁଲି ପାରୁନି ! ଭୁଲି ପାରିବିନି !!

 

ହଁ ସେଇ ଶେଷ ଦେଖା । ଆଉ ସେ ଫେରିନି । ରାଞ୍ଚିର ଏକ ପ୍ରାଇଭେଟ ନର୍ସିଂ ହୋମରେ, ଅପରେସନ ଟେବୁଲ ଉପରେ ଚିରଦିନ ପାଇଁ ଆଖି ବୁଜିଦେଲା ରୁଚି ଅପା ମୋର ! ମୋରାବାଦୀର ଦକ୍ଷିଣପଟେ ଟେଗୋର୍‌ ହିଲ୍‌ ତଳେ ପଶ୍ଚିମମୁଖୀ ଯେଉଁ କଳା ମୁଗୁନି ପଥରର ସମାଧି ମନ୍ଦିରଟି ଦେଖାଯାଏ, ସେଇଟି ରୁଚି ଅପାର ସ୍ମୃତି ଚିହ୍ନ ! ସେଇଠି ତା’ର ଶେଷ ଅସ୍ଥି-ଖଣ୍ତକୁ ସମାଧିସ୍ଥ କରି ଦେଇ ବାପା, ଦାଦା ଓ ଖୁଡ଼ୀ ରିକ୍ତ-ହୃଦୟରେ ଫେରି ଆସିଥିଲେ ।

 

ମନେଅଛି, ଘରେ ସେଦିନ ହାହାକାର ଓ କ୍ରନ୍ଦନର ରୋଳ ଉଠିଥିଲା ।

 

ମଝିଆଁ ଖୁଡ଼ୀଙ୍କି ଯାଇ ପଚାରିଲି, ଖୁଡ଼ୀ ! କାହିଁ ମୋ’ ରୁଚି ଅପା ? କୋଉଠି ଛାଡ଼ି ଆସିଲ ତାକୁ ?

 

ସେ କାନ୍ଦି କାନ୍ଦି ମୋତେ କୋଳକୁ ନେଇ କରୁଣ ମିନତି କରିଥିଲେ–ବିଜୁରେ, ଛୋଟ ପିଲାଙ୍କ ଡାକ ଭଗବାନ ଶୁଣନ୍ତି ପରା ।

 

ତୁ ହାତଯୋଡ଼ି ଠାକୁରଙ୍କ ପାଖରେ ଜଣା, ହେ ପ୍ରଭୁ, ଅପାକୁ ମୋର ତମ ପାଦ ତଳେ ସ୍ଥାନ ଦିଅ । ତାକୁ ଶାନ୍ତି ଦିଅ । ତା’ ଆତ୍ମାର ସଦ୍‌ଗତି ହେଉ ।

 

ଛୋଟ ବିଲା ମୁଁ । ପ୍ରାଣର ଆବେଗରେ ଭଗବାନଙ୍କୁ ଡାକିଥିଲି । ପ୍ରଭୁ ହେ, ରୁଚି ଅପାକୁ ମୋର ଶାନ୍ତି ଦିଅ । ସେ ଯେଉଁଠି ଅଛି, ମୋତେ ବି ସେଇଠିକି ନେଇଯାଅ ।

 

ଅନ୍ଧକାର ରାତିରେ ଏକୁଟିଆ ଛାତ ଉପରେ ଯାଇ ବସେ । ରୁଚି ଅପା ମନେପଡ଼େ । ତାରା ଭରା ଆକାଶକୁ ଚାହିଁ ଭାବେ–ଏଇ ସବୁ ଉଜ୍ଜ୍ୱଳ ଜ୍ୟୋତିଷ୍କମାଳା ଭିତରେ ନକ୍ଷତ୍ରଟିଏ ହୋଇ ରୁଚି ଅପା ମୋର ଆକାଶରୁ ମୋତେ ଚାହିଁ ରହିଛି । ଦପ୍‌ ଦପ୍‌ ହୋଇ ମୋତେ ସଙ୍କେତ ଦେଉଛି, ଆଖି ଠାରି ଡାକୁଛି–ବିଜୁରେ, ତୁ ଏଠିକି ଚାଲିଆ ଏଠି ଭାରି ଏକୁଟିଆ ଲାଗୁଛି ମୋତେ–ତୁ ଚାଲିଆ ଏଇଠିକି । ତୋ ଛଡ଼ା ମୋର ଆଉ ନିଜର ବୋଲି କେହି ନାହିଁ, ଅତି ଆପଣାର ବୋଲି କେହି ନାହିଁ-

 

ହଁ, ସେଇ ଘଟଣା ପରେ ଆମର ଉକ୍ତ ‘ଅଜା’ଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ ହେଇ ଯାଇଥିଲା ।

 

ପରେ, ପରିଣତ ବୟସରେ ଜାଣିପାରିଥିଲି–ଅଜା ପ୍ରଥମେ ଚିଠି ଲେଖି ବାପାଙ୍କୁ ଏଇଆ ଜଣେଇଥିଲେ ଯେ, ରୁଚି ଅପା ଅନ୍ତଃସତ୍ତ୍ୱା । ତେଣୁ ତାକୁ ଏଠାରୁ ନେଇ ଉପଯୁକ୍ତ ବ୍ୟବସ୍ଥା କରାଯାଉ ।

 

ରାଞ୍ଚିରେ ଗର୍ଭ ନଷ୍ଟ କରିବାକୁ ଚେଷ୍ଟା କରା ହେଇଥିଲା ଏବଂ ସେଇଥିରେ ସେ ବିଚାରୀ ଚାଲିଗଲା । କିନ୍ତୁ ଯିବା ପୂର୍ବରୁ ସେ ପ୍ରକାଶ କରି ଯାଇଥିଲା, କିଏ ତା’ର ସର୍ବନାଶ ପାଇଁ ଦାୟୀ

 

ସେ ଆଉ କେହି ନୁହନ୍ତି ।

 

ନିଜେ ସେଇ ‘ଅଜା !’

 

ହଁ, ରକ୍ଷକ ହେଇ ସେ ଭକ୍ଷକରେ ପରିଣତ ହେଇଥିଲେ । ସେଇ ସର୍ବନାଶ କରିଥିଲେ ରୁଚି ଅପାର ।

 

ଏଇ ଅଭିଯୋଗ ‘ଅଜା’ ଅବଶ୍ୟ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ । କହିଲେ–ଅପାର ଢଙ୍ଗ-ଢାଙ୍ଗ କୁଆଡ଼େ ଆଦୌ ଭଲ ନଥିଲା । ବାହାର ପିଲାମାନଙ୍କ ସାଙ୍ଗରେ ସେ ଗୋପନରେ ମିଳା-ମିଶା କରୁଥିଲା । ସେଇମାନଙ୍କ ଭିତରୁ କେହି ଉକ୍ତ ପାପ ଗର୍ଭ ପାଇଁ ଦାୟୀ ।

 

ମୋର ବାରବୁଲା ଜୀବନରେ ବହୁ ଘୂର୍ଣ୍ଣୀ-ବାୟୁରେ ପଡ଼ି କକ୍ଷ-ଚ୍ୟୁତ ଗ୍ରହ ପରି କେତେ ଆଡ଼େ ଘୂରି ବୁଲିଚି ତା’ର ଇୟତ୍ତା ନାହିଁ । ଦିନେ ସେଇପରି ଏକ ଅପ୍ରତ୍ୟାଶିତ ଘୂର୍ଣ୍ଣୀର ତାଡ଼ନାରେ ଭାସି ଭାସି ରୁଚି ଅପାର ମୃତ୍ୟୁର କୋଡ଼ିଏ ବର୍ଷ ପରେ ରାଞ୍ଚିରେ ପହଞ୍ଚି ଥିଲି । ଟେଗୋର ହିଲ୍‌ ତଳେ, ଉଜ୍ଜ୍ୱଳ ଚନ୍ଦ୍ରାଲୋକିତ ଗୋଟିଏ ବିଜନ ସନ୍ଧ୍ୟାରେ ଯାଇ ଏକାକୀ ବସିଲି ରୁଚି ଅପାର ସେଇ ସମାଧି ପାଖରେ ।

 

ରୁଚି ଅପା ମୋର ! ତମେ ବୈକୁଣ୍ଠରେ ସ୍ଥାନ ପାଅ । ଯେ ତମର ଏପରି ସର୍ବନାଶ କରିଚି ସେ ଚଣ୍ତାଳ ନର୍କରେ ବି ଠାବ ନ ପାଉ । କେଡ଼େ ଭଲ, କେଡ଼େ ସରଳ ଥିଲ ତମେ । ଦୁନିଆଁ ତମକୁ ଭୁଲ୍‌ ବୁଝୁ ପଛେ–ମୁଁ କିନ୍ତୁ ଜାଣେ ତମ ପରି ସ୍ନେହଶୀଳା ଭଉଣୀ ମୁଁ ଆଉ ଜନ୍ମ-ଜନ୍ମାନ୍ତରେ ବି ପାଇବିନି । ତମଠାରୁ ବ-ହୁ-ତ କିଛି ପାଇଛି ମୁଁ–କିନ୍ତୁ ପ୍ରତିଦାନରେ କିଛି ଦେଇ ପାରିନି । ମୋତେ କ୍ଷମା କର, ମୋତେ କ୍ଷମା କର ...

 

ଅବୋଧ ଶିଶୁ ପରି କଇଁ କଇଁ ହୋଇ କେତେ ଯେ କାନ୍ଦିଲି । ଅନ୍ତର ନିଗାଡ଼ି ଅସରନ୍ତି ଲୁହ ଢାଳି ଦେଲି ଦୁଃଖିନୀ ରୁଚି ଅପାର ସମାଧି ତଳେ । ରୁମାଲରେ ବାନ୍ଧି ନେଇଥିବା ବଉଳ ଫୁଲଗୁଡ଼ିକ (ରୁଚି ଅପାର ପ୍ରିୟତମ ଫୁଲ) ସଜାଇ ଦେଲି ସମାଧି ଉପରେ । ସ୍ୱର୍ଗତଃ ଆତ୍ମାର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇ ପ୍ରଣିପାତ କଲି ।

 

ଫେରି ଆସିବା ବେଳେ ଚକ୍‌ଖଡ଼ିରେ ଲେଖିଦେଇ ଆସିଥିଲି ସମାଧିର ମସୃଣ ମୁଗୁନି ପଥର ଉପରେ ଦୁଇ ଧାଡ଼ି ସ୍ୱରଚିତ କବିତା–

 

ଠିଆ ହୁଅ କ୍ଷଣେ ପଥର ପଥିକ

ମଥା ନତ କର ସମାଧି ତଳେ,

ସମାଜ ଯାହାରେ ବୁଝିଲାନି, ତାରେ

ମୃତ୍ୟୁ ନେଲାରେ ଆପଣା କୋଳେ !

 

ଅକାଳରେ ସନ୍ତାନ ପାଇବାର ଲଜ୍ଜାରେ ଅନିଚ୍ଛା ସତ୍ତ୍ୱେ ମରିବାକୁ ହେଲା ଗୋଟିଏ ନାରୀକୁ । ପୁଣି ସନ୍ତାନ ନ ପାଇବାର ଲଜ୍ଜାରେ ସମ୍ପୂର୍ଣ୍ଣ ସ୍ୱଇଚ୍ଛାରେ ଆଉ ଗୋଟିଏ ନାରୀକୁ ଦୁନିଆଁରୁ ବିଦାୟ ନେବାର ବି ଦେଖିଛି । ସେ କଥା ଯଥା ସମୟରେ କହିବି ।

 

ବିଶ୍ୱ-ବିଶ୍ରୁତ ହିର୍ସଫେଲ୍‌ଟ ସାହେବ ଅନୈସର୍ଗିକ ପାପ ନେଇ ଏତେ ଗବେଷଣା କରିଥିଲେ ! କିନ୍ତୁ ଆମ ସହରକୁ ଯଦି ତାଙ୍କ ଜୀବନରେ କେବେହେଲେ ଥରେ ବାଟ ଭୁଲି ଚାଲି ଆସିଥାନ୍ତେ, ତେବେ ବହୁ ଉପାଦାନ ଅନାୟାସରେ ସଂଗ୍ରହ କରି ପାରି ଥାଆନ୍ତେ ତାଙ୍କର ସୁବିଖ୍ୟାତ ସଙ୍କଳନ ପାଇଁ !!

 

ଯୋଉ ପାପରେ ଲିପ୍ତ ଥିବା ଯୋଗୁ ସୋଡ଼ମ୍‌ ନଗରୀର ଅଧିବାସୀଙ୍କ ଉପରେ କ୍ରୁଦ୍ଧ ହେଇଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ; ପର୍ବତ ଉପରେ ଠିଆ ହୋଇ ଆଦେଶ ଦେଇଥିଲେ ଭୂମଧ୍ୟ-ସାଗରକୁ–‘‘ହେ ସମୁଦ୍ର, ଏଇ ନଗରୀକୁ ଗ୍ରାସକର ! ହେ ପ୍ରକୃତି, ପ୍ରଳୟ କର !! ହେ ପ୍ରଭଞ୍ଜନ, ଧ୍ୱଂସକର ଏଇ ପାପୀମାନଙ୍କୁ !!!’’ ସେଇ ପାପର ପ୍ରାଦୁର୍ଭାବ ଖୁବ୍‌ ବେଶୀ ଦେଖା ଦେଇଥିଲା ଆମ ସହରରେ । କିନ୍ତୁ କାହିଁ, ପ୍ଳାପନ ତ ହେଲାନି । ଥରେ ହେଳେ ତ ସାଳନ୍ଦୀ ସ୍ଫୀତ ହେଇ ଉଠିନି, କି ବସୁଧା ବିଦୀର୍ଣ୍ଣ ହେଇଗଲାନି ସେଇ ପାପୀମାନଙ୍କୁ ଗର୍ଭସାତ୍‌ କରି ଦେବାପାଇଁ ?

 

ସୁଦୂର ଶ୍ୱେତ-ଦ୍ୱୀପରେ ଅଭିଷେକ ଉତ୍ସବ ! କାଶ୍ମୀରଠାରୁ ଟ୍ରାଭାଙ୍କୋର.... ବେଲୁଚିସ୍ଥାନରୁ ଆସାମ, ସମଗ୍ର ଦେଶର ପ୍ରତି କୋଣେ କୋଣେ ସହର, ନଗରୀ, ପ୍ରତିଟି ପୁରପଲ୍ଲୀରେ ଖେଳିଗଲା ଆନନ୍ଦର ଢେଉ । ସେତେବେଳେ କଂଗ୍ରେସର ଉତ୍‌ଥାନ ହେଇନି–ଅଭ୍ୟୁତ୍‌ଥାନ ହେଇନି । ଅବଶ୍ୟ କଂଗ୍ରେସ ସେତେବେଳକୁ ଆଉ ଆଗ ଭଳି ସୁଟ୍‌, ଟାଇବାଲାଙ୍କ ଆଡ୍‍ଡାଖାନା ଓ ‘ଆମର ଦାବି ଭାରତୀୟମାନଙ୍କୁ ଅଧିକ ଦାୟିତ୍ୱପୂର୍ଣ୍ଣ ଚାକିରି ଦିଅ’ ବା ‘ଭାରତୀୟ ଆଇ.ସି.ଏସ୍‌.ମାନଙ୍କୁ ଇଂରେଜ ଆଇ.ସି.ଏସ୍‌.ମାନଙ୍କ ସହିତ ସମାନ ଅଧିକାର ଓ ପ୍ରିଭିଲେଜ ଦିଅ’–ଏଇ ଧ୍ୱନି ଉଠେଇବା ଅନୁଷ୍ଠାନ ହେଇ ରହି ନ ଥିଲା । ଦକ୍ଷିଣ-ଆଫ୍ରିକା ପ୍ରତ୍ୟାଗତ ଗୁଜରାଟୀ ବ୍ୟାରିଷ୍ଟରଟି ସେତେବେଳକୁ ଏଇ ଅନୁଷ୍ଟାନକୁ ‘ରାଜଦ୍ରୋହୀ’ (ବ୍ରିଟିଶ ସରକାରଙ୍କ ଅଭିଧାନରେ ‘ଦେଶଦ୍ରୋହୀ’)ରେ ପରିଣତ କରି ସାରିଛନ୍ତି । ଏତେଟା ସମ୍ମାନ କଂଗ୍ରେସବାଲାଏ ଜନସାଧାରଣଙ୍କ ଠାରୁ ପାଉ ନ ଥିଲେ । ଦେଶ ପାଇଁ ଜେଲ୍‌ ଯିବାରେ ଏତେଟା ମର୍ଯ୍ୟାଦା ନ ଥିଲା-। ଚୋର ଡକାୟତ ପରି କଡ଼ି ବେଢ଼ି ପିନ୍ଧି କଂଗ୍ରେସବାଲା ଜେଲ୍ ଯାଉଥିଲେ । ଫେରିବା ପରେ କେହି କେହି ସେମାନଙ୍କୁ କହୁଥିଲେ–‘ଜେଲ୍‌ ଫେରନ୍ତା ଦାଗୀ’ ବୋଲି । (ତଥାପି, କଂଗ୍ରେସର ସମର୍ଥକ ବି କେତେକ ଥିଲେ, ଏଟା ଠିକ୍‌ ।) ଜେଲ୍‌ ଭିତରେ ସେମାନେ ରହୁଥିଲେ ସାଧାରଣ କୟେଦୀ ପରି । ନିର୍ବିଚାରରେ ସେମାନଙ୍କୁ ଯୋଚି ଦିଆ ଯାଉଥିଲା ତେଲପେଡ଼ା ଘଣାରେ-। ସାଧାରଣ ନାଗରୀକମାନେ ମୋଟାମୋଟି ଶାନ୍ତିପ୍ରିୟ ଓ ରାଜଭକ୍ତ ଥିଲେ । ଜମିଦାରୀ ଖଣ୍ତେ ଯାହାର ଅଛି ଆଉ ବ୍ରିଟିଶ ସରକାରର ଉପାଧିଟିଏ ଯାହା ନାମ ପଛରେ ଲାଗିଛି, ସେମାନେ ମାନସମ୍ମାନ ପାଉଥିଲେ । ତଥାପି, ଦୁନିଆଟା ଏତେ ବସ୍ତୁବାଦୀ ହେଇ ନ ଥିଲା । ଦରିଦ୍ର ହେଇଥିଲେ ବି ଜ୍ଞାନୀ-ଗୁଣୀ-ପଣ୍ତିତ ବ୍ୟକ୍ତି ସମାଜରେ ସମ୍ମାନର ପାତ୍ର ଥିଲେ । ଭିକ୍ଟୋରିଆ ଯଦିଓ ଇହଲୋକରେ ଆଉ ନ ଥିଲେ, ତଥାପି ସ୍କୁଲରେ ପଢ଼ା ହେଉଥିଲା ମଧୁ ରାଓଙ୍କ ସେଇ କବିତାଟି, ଯୋଉଥିରେ ଥିଲା–‘ଭାରତ ଈଶ୍ୱରୀ ମାତା ଭିକ୍ଟୋରିଆ’ ‘ବ୍ରିଟିଶ-ସାମ୍ରାଜ୍ୟ ଲକ୍ଷ୍ମୀ-ଶଙ୍କରୀ’ ‘ସର୍ବ-ଶାନ୍ତି-ଶୁଭଦାୟିନୀ ଦେବୀ’ ପ୍ରଭୃତି ! ସେଇ ବାସ୍ତବିକ ଜନ-ଗଣ-ମନ-ଅଧିନାୟୀକା ଥିଲେ-। ବ୍ରିଟିଶ-ଉପନିବେଶ ଭାରତର ପ୍ରଜାମାନେଇ ଗର୍ବ କରୁଥିଲେ ଯେ ‘ମାତା-ଭିକ୍ଟୋରିଆ’ ଜଣେ ମହୀୟସୀ ମହିଳା–‘ଯାର ରାଜ୍ୟେ କେବେ ନୁହେଁ ଅସ୍ତମିତ ଦିନମଣି ତେଜ-ଧାମ !’

 

‘ଆଫ୍ରିକାକୁ କାହିଁକି ତମସାଚ୍ଛନ୍ନ ମହାଦେଶ କୁହାଯାଏ ସାଙ୍ଗକୁ ‘Explain-sun never sets in British Empire’ ଥିଲା ପ୍ରତି ପରୀକ୍ଷାରେ ଏକ ଅତି ସାଧାରଣ ଭୌଗଳିକ ପ୍ରଶ୍ନ । ଭାରତୀୟ ଛାତ୍ରମାନେଇ ଗର୍ବ କରି ଗାଉଥିଲେ–

 

Rule Britania rule the waves,

Britania shall nevar be the slaves !

 

କିମ୍ବା God save the king ଇତ୍ୟାଦି.... ।

 

ଭିକ୍ଟୋରିଆ ବଞ୍ଚିଥିବାବେଳେ ତ ଇମିତି ବି ଦେଖା ଯାଇଚି–ଦୁଇ ଦଳ ଲୋକ ମାରପିଟ ଲାଗୁଛନ୍ତି, କେହି ଜଣେ ମଝିରେ ପଶି ‘ମାଆ ଭିକ୍ଟୋରିଆଙ୍କ ଦ୍ୱାହି’ ପକାଇ ଦେଲା, ଉଭୟ ପକ୍ଷର ଠେଙ୍ଗା ନଇଁଗଲା ତଳକୁ ।

 

ଅତ୍ୟାଚାର, ଅବିଚାର ଯେ ଥିଲାନି, ତା’ ନୁହେଁ । ତେବେ ଏତେଟା ସ୍ୱଜନତୋଷଣ, ଏତେ ଅନ୍ୟାୟ, ଏତେ ଦୁର୍ନୀତି....ଥିଲାନି । ମୂର୍ଖ ଅଜ୍ଞ ଲୋକେ ନିଜକୁ ଏତେ ଅସହାୟ ମନେକରୁ ନ ଥିଲେ । କିଛି ସଂଖ୍ୟକ ଶିକ୍ଷିତ ବ୍ୟକ୍ତି ବ୍ରିଟିଶ ବିରୋଧୀ ହେଇଥିଲେ, ଏଟା ଅବଶ୍ୟ ଠିକ୍‌ । ଆହୁରି ଗୋଟାଏ କଥା ଯେତେ ଅପ୍ରିୟ ହେଲେ ବି ନିରାଟ ସତ୍ୟ ଯେ, mass ବା ସମାଜ ବ୍ରିଟିଶ ବିରୋଧୀ ନ ଥିଲା, ବ୍ରିଟିଶ ବିରୋଧୀ ଥିଲା କେବଳ ଗୋଟାଏ class ବା ଶ୍ରେଣୀ । ସେଇ ଶ୍ରେଣୀଟି ବି ସୀମାବଦ୍ଧ ଥିଲା କେବଳ ବୁଦ୍ଧିଜୀବୀମାନଙ୍କ ଭିତରେ । ତେବେ ଏଇ ‘ଶ୍ରେଣୀ’ଇ ସାଧାରଣ ଜନତା ଉପରେ ବେଶ୍‌ ପ୍ରଭାବ ପକାଇ ପାରୁଥିଲା । କାରଣ, ‘ସବୁ ପ୍ରକାର ଅଘଟଣ ପାଇଁ ବ୍ରିଟିଶ ସରକାରଇ ଦାୟୀ’ ବୋଲି ସେମାନେ ଲୋକ ସାଧାରଣଙ୍କୁ ବୁଝାଇ ଦେଇ ପାରିବାର କୌଶଳ ବେଶ୍‌ ଦକ୍ଷତାର ସହିତ ଆୟତ୍ତ କରିଥିଲେ ।

 

ଆଉ, ସେଇ ‘ଶ୍ରେଣୀ’ଟି ଥିଲା କଂଗ୍ରେସ ଅନୁଷ୍ଠାନର ଆଶା ଭରସାର ସ୍ଥଳ ।

 

ସାଧାରଣ ଜନତା ସେତେବେଳେ ବି ଭାବୁଥିଲା, ଦେବତା ପରି କେହି ଜଣେ ସବୁ କିଛିର ଉପରେ ରହିଛି । ତା’ ପାଖରେ ଆବେଦନ ପହଞ୍ଚିଲେ ସେ ନିଶ୍ଚୟ ବିଚାର କରିବ । ଲୋକଙ୍କ ମନରେ ବିଶ୍ୱାସ ଥିଲା ଯେ ଦେଶରେ ସୁଦୃଢ଼ ଗୋଟାଏ ଶାସନ ଦଣ୍ତ ଓ ନ୍ୟାୟ ବିଚାରର ବ୍ୟବସ୍ଥା ଅଛି । ଦୁଃସ୍ଥ ଓ ଦରିଦ୍ରଙ୍କର ମାଆ-ବାପ ଭଳି କେହି ଜଣେ ବହୁ ଦୂରରେ ରହିଚି, ଯେ କି ଦେବତା ପରି ମହା ଶକ୍ତିଶାଳୀ । କେହି ସେଇ ‘ଦେବତା’କୁ କହୁଥିଲା–‘ମାଆ ଭିକ୍ଟୋରିଆ’ କେହି କହୁଥିଲା ‘ଇଂରାଜୀ ରଜା’ ...କେହି ‘ସରକାର ବାହାଦୁର’ ଆଉ କାହାରି ମୁହଁରେ ବା ତାହା ଥିଲା ଖାଲି ‘କମ୍ପାନୀ’ ।

 

ମୋଗଲ ଓ ବର୍ଗୀର ଅତ୍ୟାଚାର, ଲୁଣ୍ଠନ, ଦେଶ ବ୍ୟାପୀ ବିଶୃଙ୍ଖଳା ଆଉ ନିରବଚ୍ଛିନ୍ନ ଯୁଦ୍ଧ ବିଗ୍ରହ ପରେ ଶାନ୍ତିପ୍ରିୟ ସଂସାରୀ ଲୋକେ ବାସ୍ତବିକ ଇଂରେଜ ରାଜତ୍ୱକୁ ଆଶୀର୍ବାଦ ବୋଲି ମନେକରି ନେଇଥିଲେ ସୁଦୀର୍ଘ ତିନିଶହ ବର୍ଷ ଧରି ପୁରୁଷାନୁକ୍ରମିକ ଭାବେ । ସେଇ ମନୋବୃତ୍ତିର ଭଗ୍ନାବଶେଷ ସେ ସମୟରେ ବି ରହିଥିଲା ଲୋକଙ୍କ ମନ ଭିତରେ । ଏକପ୍ରକାର ଶାନ୍ତିମୟ ନିରାପତ୍ତା ଲୋକେ ଅନୁଭବ କରୁଥିଲେ ବ୍ରିଟିଶ ଅଧିନରେ ଯାହା ଭିତରେ ପ୍ରଚ୍ଛନ୍ନ ଭାବରେ ରହିଥିଲା ଅଳ୍ପ ଟିକିଏ କାପୁରୁଷତା ।

 

ଶ୍ୱେତ ଦ୍ୱୀପରେ ଅଭିଷେକ ଉତ୍ସବ ହେଲେ ଏଠାକାର ସାଧାରଣ ଜନତା ଯେ ଆନନ୍ଦିତ ହେବେ, ଏଟା ଥିଲା ଖୁବ୍‌ ସ୍ୱାଭାବିକ ।

 

ଚାରିଆଡ଼େ ଏହି ଅଭିଷେକ ଉତ୍ସବର ଉଦ୍‌ଯାପନ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଅନୁଷ୍ଠାନ (ସରକାରୀ ଓ ବେସରକାରୀ)କୁ ପ୍ରଚୁର ଟଙ୍କା ଦିଆ ଯାଇଥିଲା ଆମୋଦ ପ୍ରମୋଦ କରିବା ପାଇଁ । ଆମ ସ୍କୁଲଟି ବି ସେଥିରୁ ବାଦ୍‌ଯାଇ ନ ଥିଲା ।

 

ଛାତ୍ର ଛାତ୍ରୀ ଓ ଶିକ୍ଷକମାନଙ୍କର ମତାମତ ନେଇ ଆମ ହେଡ଼୍‍ମାଷ୍ଟର ମହାଶୟ ଠିକ୍‌କଲେ ଯେ ଶନିବାର ସନ୍ଧ୍ୟାରେ ଭୁରି ଭୋଜନର ବ୍ୟବସ୍ଥା ହେବ–ତା’ପରେ, ରାତି ଦଶଟାଠାରୁ ଭୋର ଚାରିଟା ପର୍ଯ୍ୟନ୍ତ....ଯାତ୍ରା ଦଳର ନାଟକ ।

 

ସ୍କୁଲର ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ଛଡ଼ା ବାହାର ଲୋକେ ବି ଯାତ୍ରା ଦେଖିବାକୁ ଆସି ପାରନ୍ତି । କିନ୍ତୁ କାହାରିକି ସେଥିପାଇଁ ନିମନ୍ତ୍ରଣ କରାଯିବ ନାହିଁ କିମ୍ବା ବସିବା ପାଇଁ ବେଞ୍ଚ, ଚଉକି ଯୋଗାଇ ଦିଆ ଯିବନି । ତେବେ ସେମାନଙ୍କ ପାଇଁ ସତରଞ୍ଜି ବିଛାଇ ଦିଆଯିବ । ବେଞ୍ଚ, ଚଉକି କେବଳ ଛାତ୍ର, ଛାତ୍ରୀ, ଶିକ୍ଷକ, ମେନେଜିଂ କମିଟିର ମେମ୍ବର ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଯୋଉ ପୋଲିସ କର୍ମଚାରୀ ଆସିବେ ସେଇମାନଙ୍କ ପାଇଁ ରିଜାର୍ଭଡ୍‍ ।

 

ଯା’ହେଉ, ଆମେ ସମସ୍ତେ ମାତି ଉଠିଲୁ । ସ୍କୁଲ ହତା ଭିତରେ ବିରାଟ ସାମିଆନାତଳେ ଯାତ୍ରାର ବ୍ୟବସ୍ଥା ମହା ସମାରୋହରେ କରାଗଲା ।

 

ହଷ୍ଟେଲଟା ସ୍କୁଲଠାରୁ ପ୍ରାୟ ତିନିଶ ଗଜ ଦୂରରେ । ସ୍କୁଲ ହତା ଓ ହଷ୍ଟେଲ ହତା ଭିତରେ ଛୋଟ ଗୋଟିଏ ପୋଖରୀ ଆଉ ଅଳ୍ପ କେତୋଟି ବାଉଁଶ ବୁଦାର ବ୍ୟବଧାନ ।

 

ହଷ୍ଟେଲ୍‍ର ଗୋଟାଏ କୋଠରୀ ହେଲା ‘ଗ୍ରୀନ୍-ରୁମ୍‌’ । ସେଇଠି ଶିଳ୍ପୀମାନେ ବେଶ-ପୋଷାକ ପିନ୍ଧି ପ୍ରସ୍ତୁତ ହୋଇ ରହିବେ । ତେଣେ ହୁଇସିଲ୍‌ ବାଜିଲେ ଯାହା ପାର୍ଟ ଯେତେବେଳେ ପଡ଼ିବ, ସେତେବେଳେ ସେ ଯାଇ ଆସର ମଝିରେ ପହଞ୍ଚି ଯିବେ ।

 

ଅନେକ ଲୋକ ବାହାରୁ ଆସିଥାନ୍ତି; ବହୁତ ଭିଡ଼ ହୋଇଥାଏ । ସାମିଆନା ତଳେ ଗୋଟିଏ ବିସ୍ତୃତ ଜାଗାରେ ସତରଞ୍ଜି ବିଛାଇ ଦିଆ ଯାଇଥାଏ ସମସ୍ତଙ୍କ ବସିବା ପାଇଁ । ତା’ ଚାରି ପାଖରେ ଗ୍ୟାଲେରୀ ପରି ବେଞ୍ଚ-ଚେଆର୍‌ ସବୁ ବାଉଁଶରେ ଟାଇଟ୍‌ କରି ବାନ୍ଧି ଉପରକୁ ଉପର ସଜାଇ ରଖା ହେଇଥାଏ ଅଦ୍ଭୁତ କୌଶଳରେ । ରିଜାର୍ଭ୍‌ଡ଼ ଗ୍ୟାଲେରୀ !

 

ଠିକ୍‌ ମଝାମଝି ଅନେକଗୁଡ଼ିଏ ଝୁଲନ୍ତି ପେଟ୍ରୋମେକ୍‌ସ ଲାଇଟ୍‌ । ତଳେ କୋଡ଼ିଏ ଗଜ ଲମ୍ବ, ପନ୍ଦର ଗଜ ଓସାରର ଏରିଆଟିଏ ଦଉଡ଼ି ଘେରାଇ ଦିଆ ହେଇଥାଏ । ସେଟା ‘ମଞ୍ଚ’ । ମଞ୍ଚର ଗୋଟାଏ ପାଖକୁ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ବିଚିତ୍ର ବାଦ୍ୟଯନ୍ତ୍ର ନେଇ ବସିଥାଆନ୍ତି ଯନ୍ତ୍ରୀମାନେ । ଲମ୍ବା ଖାତାଟିଏ ହାତରେ ଧରି, ମୁହଁରେ ହୁଇସିଲ୍‌ କାମୁଡ଼ି, ଚଷମା ଓ ରିଷ୍ଟଓ୍ୱାଚ୍‌ ପିନ୍ଧା ସେଇ ଯୋଉ ଫେସନେବ୍‌ଲ ବୟସ୍କ ଲୋକଟି ଗମ୍ଭୀର ହୋଇ ବସିଥାନ୍ତି ସେମାନଙ୍କ ଭିତରେ ବିଶିଷ୍ଟ ସ୍ଥାନ ଅଧିକାର କରି, ସେ ଯେ ଏଇ ଯାତ୍ରା ଦଳର ସ୍ୱନାମ-ଧନ୍ୟ ଓସ୍ତାଦ୍‌ ବା ଡାଇରେକ୍ଟର, ଏଟା ପରିଷ୍କାର ଜଣାପଡ଼ି ଯାଉଥିଲା !

 

ସେତେବେଳେ ‘ଶ୍ରୀରାମଚନ୍ଦ୍ରପୁର ଯାତ୍ରା ପାର୍ଟି’ର ଚାରିଆଡ଼େ ଭାରି ନାମ୍‌ ଡାକ । ଓଡ଼ିଶା ବାହାରେ ବି ସେମାନଙ୍କର ସୁଖ୍ୟାତି ଥିଲା । କଲିକତାରୁ ପ୍ରତିବର୍ଷ ସେମାନେ କ’ଲ୍‌ ପାଉଥିଲେ । ଆମେ ଏଭଳିଆ ସ୍ୱନାମଧନ୍ୟ ପାର୍ଟିକୁ ଯେ ବହୁତ କଷ୍ଟରେ ଏଠିକି ଆସିବାକୁ ରାଜି କରେଇ ପାରିଛୁଁ, ଏଥିପାଇଁମ ମନେମନେ ବେଶ୍‌ ଆତ୍ମ-ପ୍ରସାଦ ଅନୁଭବ କରୁଥିଲୁ ।

 

ଆମ ସହରକୁ ସେଇଟା ଥିଲା ସେମାନଙ୍କର ପ୍ରଥମ ଆସିବା । ତେଣୁ ଅଳ୍ପ ସମୟ ଭିତରେ ଚାରିଆଡ଼େ ଖବର ଚହଟି ଗଲା । ଏତେ ଭିଡ଼ି ଯେ ଆମ ସ୍ୱେଚ୍ଛାସେବକମାନେ କୌଣସି ପ୍ରକାରେ ଶୃଙ୍ଖଳା ରକ୍ଷାକରି ପାରିଲେନି । ଆଡ଼ ଦୀର୍ଘ ଦଶ ମାଇଲ୍‌ ଦୂରରୁ ଲୋକେ ଧାଇଁ ଆସିଥିଲେ ଯାତ୍ରା ଦେଖିବା ପାଇଁ । ଶ୍ରୀରାମଚନ୍ଦ୍ରପୁର ପାର୍ଟିର ନାଁ ଶୁଣି ସମସ୍ତେ ପାଗଳ !

 

ବେଶ୍‌ ଗୀତଟିଏ–

 

‘‘ଆଜି ମିଳନେ ମିଳାଅ ଛାତି ଗୋ,

ପ୍ରିୟ, ଚନ୍ଦ୍ର ଚିକ୍‍କଣ ରାତି !’’

 

ଜ୍ୟୋତ୍ସ୍ନା-ରାତିରେ ନିର୍ଜନ ନଦୀ ତଟକୁ କଳସୀ ଧରି ପାଣି ଆଣିବା ଛଳରେ ଧୀର ପଦରେ ଆସିଛି ନବ-ଯୌବନୀ ଶଙ୍କିତା ଅଭିସାରିକା ! ଆଖିରେ ତା’ର ମଦିର କଟାକ୍ଷ, ଓଠରେ ତା’ର ଆମନ୍ତ୍ରଣ, ନୂପୁରର ସିଂଜିନୀରେ ବେପଥୁ... ! ବିଭୋରା ହେଇ ପଡ଼ିଛି ସେ !!

 

ଯଦିଓ ଉପସ୍ଥିତ ସମସ୍ତେ ବେଶ୍‌ ଭଲଭାବେ ଜାଣିଥିଲେ ଯେ ସେଇ ସୁକେଶୀ ନର୍ତ୍ତକୀଟି ବାଳିକା-ବେଶୀ ଗୋଟିଏ ବାଳକ ମାତ୍ର (ଯାହାପାଇଁ ଶ୍ରୀରାମଚନ୍ଦ୍ରପୁର ପାର୍ଟିର ଆଜି ଏତେ ନାମ୍‌ ଡାକ, ପାର୍ଟିର ପ୍ରଧାନ ଆକର୍ଷଣ ଯିଏ...) ତଥାପି ସେଇ ନିଷ୍ଠୁର ନଗ୍ନ ସତ୍ୟଟିକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି କ୍ଷଣିକ ପାଇଁ ! ସମସ୍ତେ ସତେଅବା ଆତ୍ମସମର୍ପଣ କରି ଦେଇଛନ୍ତି ତା’ରି ନୂପୁର-ସିଂଜିନୀ ତଳେ ! ତା’ର ଢେଉ-ଚପଳ ଦେହ, ମନ ଚହଲା ଆଖି, ସତେ ଯେପରି ସମସ୍ତଙ୍କୁ ଅବିଭୂତ କରି ହିପ୍ନୋଟାଇଜ୍‌ କରି ପକାଇଛି ! ସମସ୍ତେ ସତେ ଅବା ଜଣେ ଜଣେ ପୁରୁରବା !! କାମ-କଳାର ବିଚକ୍ଷଣ ଛଳାକଳା ପ୍ରୟୋଗ କରି ସେମାନଙ୍କୁ ପାଗଳ କରି ଦେବାପାଇଁ ରୂପ-ଦୃପ୍ତା ଉର୍ବଶୀ ସତେଅବା ଓହ୍ଲେଇ ଆସିଛି ଦେବ ସଭା ଛାଡ଼ି ଧୂଳି ମାଟିର ଏଇ ଧରିତ୍ରୀକୁ ।

 

ଗୀତ ସରିଲା । ସରିଗଲା ଅଭିସାର । ଅଳ୍ପ ଟିକିଏ ହସି ଜନତା ଆଡ଼କୁ କଟାକ୍ଷ ଚାହାଣିରେ ଥରେ ଚାହିଁଦେଲା ସେ । ତା’ପରେ ଅନୁପମ ଭଙ୍ଗିମାରେ ବୁଲିପଡ଼ି ଲୀଳାୟିତ ଗତିରେ ଚାଲିଗଲା ଗ୍ରୀନ୍‌ରୁମ୍‌ ଆଡ଼କୁ ନୂପୁରରେ ସିଂଜିନୀର ସୁର ତୋଳି ତୋଳି ।

 

ଆଉ କି ସମ୍ଭାଳିହୁଏ ଲୋକଙ୍କୁ ?

 

ତାଳି ଉପରେ ତାଳି !

 

ମେଡାଲ୍‌ ତ କେତେ ଯେ ଡିକ୍‌ଲେଆର ହେଇଗଲା, ଗଣି ହବନି ।

 

କିଏ କହିଲା, ତାଙ୍କ ନାଚରେ ମୁଗ୍ଧ ହେଇ ମୁଁ ରୌପ୍ୟ ପଦକଟିଏ ଦେବାକୁ ପ୍ରତିଶ୍ରୁତି ଦେଉଛି ।

 

କିଏ ବା କହିଲା, ଗୀତରେ ମୁଗ୍ଧ ହେଇ...

 

ଜଣେ ବେହିଆ ବାହାରି ପଡ଼ି ୟା’ବି କହି ପକାଇଲା, ମୁଁ ମେଡାଲ୍‍ ଦେଉଛି, ତାଙ୍କ ‘ରୂପ’ରେ ମୁଗ୍ଧ ହେଇ !!

 

ସବୁ ନିର୍ଲଜ୍ଜଯାକ ଯୋଉଦିନ ମରିଥିଲେ, ସେଇଦିନ ବୋଧହୁଏ ସେ ହତଭାଗା ଜନ୍ମ ହେଇଥିଲା !

 

ମେଡାଲ୍‍ ପର୍ବ ସରିଲା । ପୁଣି ଏକା ସାଙ୍ଗରେ ହୋ ହୋ ହେଇ ଗୁଡ଼ାଏ ଚିତ୍କାର ଉଠିଲା, Once more, Once more…..ଆଉରି ଥରେ, ଆଉରି ଖଣ୍ତେ ! (ତା’ ସାଙ୍ଗେ ସାଙ୍ଗେ ଆହୁରି ବି ଅନେକ କିଛି, ଯାହା ‘‘ସାହିତ୍ୟର ମର୍ଯ୍ୟାଦା ରକ୍ଷାକରି’’ ବ୍ୟକ୍ତ କରିପାରିବା ମୋ ପକ୍ଷରେ ଅସମ୍ଭବ । ଅବିକଳ ଲେଖିଦେଲେ ଅନ୍‌-ପାର୍ଲ୍ୟାମେଣ୍ଟାରୀ ହେଇଯିବ !)

 

ଏ ସବୁ କାଣ୍ତ ଦେଖି ବିଚକ୍ଷଣ ଡାଇରେକ୍ଟର ମହାଶୟ କିନ୍ତୁ ଖୁବ୍‌ ଖୁସି ! ଜନତାକୁ ଅବିଭୂତ କରେଇ ପାରିଚନ୍ତି ! ଏ କ’ଣ କମ୍‌ ବଡ଼ କ୍ରେଡ଼ିଟ୍‌ ?

 

ସେ ସେଇ ‘ନର୍ତ୍ତକୀ’କୁ ଆଉ ଗୋଟିଏ ସିନରେ ପୁଣିଥରେ ନଚେଇବାକୁ ବ୍ୟବସ୍ଥା କରିଦେଲେ ।

 

ପରବର୍ତ୍ତୀ ଦୃଶ୍ୟଟି ଥିଲା ରାଜସଭା ।

 

ପରାଜିତ ଜୟଚନ୍ଦ୍ର ଅନ୍ଧ-ଔଦ୍ଧତ୍ୟରେ (ଅଦାଢ଼ୁଆ) ତରବାରି ଧରି ଚିତ୍କାର କରି ଉଠିଲେ–ନା ନା, ଏ ଅପମାନ ଅସହ୍ୟ ! ଯେକୌଣସି ଉପାୟରେ ପୃଥ୍ୱୀରାଜକୁ ପରାସ୍ତ କରି ଏହାର ସମୁଚିତ ପ୍ରତିଶୋଧ ନେବାକୁ ହେବ । ଯଦି ପ୍ରୟୋଜନ ହୁଏ, ଯବନ ସମ୍ରାଟ ମହମ୍ମଦ୍‌ ଘୋରୀର ସାହାଯ୍ୟ ନେବାକୁ ବି ପଶ୍ଚାଦ୍‌ପଦ ହେବିନି । କଣ୍ଟା ଦ୍ୱାରା କଣ୍ଟାକୁ ବାହାର କରାଯାଏ, ଶତ୍ରୁ ଦ୍ୱାରା ଶତ୍ରୁ ନିପାତ୍‌ କରାଯାଏ ! ଯେକୌଣସି ପ୍ରକାରେ, କଳେ ବଳେ କୌଶଳେ....

 

ଏତିକିବେଳେ ଧଡ଼ରା ବାଉଁଶ ବାଡ଼ିଟିଏ ହାତରେ ଧରି ଅଦ୍ଭୁତ ଏକ ପୋଷାକ ପିନ୍ଧି (ସର୍କସର କ୍ଲାଉନ୍‌ ପରି) ଆସରରେ ପହଞ୍ଚିଗଲେ ‘ବିବେକ’ !

 

ଆଉ ଗରବ ତୁ କରନା’ରେ ମନୁଆ

ଗରବ ତୁ କରନା,

ଗରବ କରି ତୁ ସରବ ଖାଇଲୁ

ନ ପୂରିଲା ତୋ କାମନା....

 

ଗୀତ ମଝିରେ ସେ ସେଇ ଧଡ଼ରା ବାଡ଼ିରେ ମହାରାଜ ଜୟଚନ୍ଦ୍ରଙ୍କ ମୁଣ୍ତକୁ ଦେଉଥାଏ ଢୋ କରି ଗୋଟାଏ ଗୋଟାଏ ପଛ ଆଡ଼ୁଆ ପାହାର ! ସେଟା ହେଲା ‘ବିବେକର କଷାଘାତ’ ! Symbolic expression !! ପାହାର ଖାଇବା କ୍ଷଣି ଘାଉଲା ବାଘ ପରି ବୁଲିପଡ଼ି ଖଣ୍ତା ଉଞ୍ଚାଇ ଜୟଚନ୍ଦ୍ର କିଛି ଦୂର ଗୋଡ଼ାଇ ଯାଆନ୍ତି ‘ବିବେକ’କୁ । ଚିତ୍କାର କରନ୍ତି, ଦୂର ହୋଇଯାଅ ପାଷାଣ୍ଢ ମୋ ସମ୍ମୁଖରୁ !

 

ସତେ ତ ! ରାଗରେ ଅନ୍ଧ ହେଲେ ମଣିଷ କ’ଣ ବିବେକର ଚେତାବନୀକୁ ଭ୍ରୂକ୍ଷେପ କରେ ?

 

ଚମତ୍କାର ଆଇଡିଆ !

 

ନାଟ୍ୟକାରଙ୍କ ବୁଦ୍ଧିକୁ ପ୍ରଶଂସା କରିବାର କଥା !

 

ବେଶ୍‌ କିଛି ପ୍ରହାର ସେବନାନ୍ତେ ମହାଭାଜ ଜୟଚନ୍ଦ୍ର କ୍ଳାନ୍ତ ହେଇ ବସିପଡ଼ିଲେ ସିଂହାସନରେ । ବିବେକ ବି ଚାଲିଗଲା ।

 

ଭୋଜନ ପରେ ସ୍ୱଳ୍ପ ପାନୀୟ ଅବଶ୍ୟ ଦରକାର ପଡ଼େ । ଜୟଚନ୍ଦ୍ର କିଛି ସୋମରସ ପାନକଲେ । ତା’ପରେ ଚିତ୍କାର କରିଉଠିଲେ ନିଶା ଜୋରରେ–ମନ୍ତ୍ରୀ, ଆଉ ରାଜ-କାର୍ଯ୍ୟେ ଲାଗେନାହିଁ ମନ । ତ୍ୱରା ଆଣ ରାଜ ନର୍ତ୍ତକୀକୁ । କିଏ ଅଛ, ଭରିଦିଅ ପାନପାତ୍ର ମୋର । ଆହୁରି ଆହୁରି ପିଇ ହୁଏଁ ମୁଁ ମାତାଲ୍‌ । ପାନ କରି, ଗାନ ଶୁଣି, ଭୁଲିଯାଏଁ ପରାଜୟ ଜ୍ୱାଳା !

 

ମନ୍ତ୍ରୀ-ଯଥା ଆଜ୍ଞା ମହାରାଜ ! ଏ ଦୂତ, ଶୀଘ୍ର ଯାଇ ରାଜ-ନର୍ତ୍ତକୀକୁ ସମ୍ବାଦ ଦିଅ ଯେ ମହାରାଜ ତାକୁ ସ୍ମରଣ କରିଛନ୍ତି ।

 

‘ଯେ ଆଜ୍ଞା’ କହି ଦୂତ ପ୍ରସ୍ଥାନ କଲେ ।

 

ସେତେବେଳେ ଯାତ୍ରାମାନଙ୍କରେ ଦୂତମାନଙ୍କର ଛିଣ୍ତା, କୋତରା, ଦରିଦ୍ରା ବେଶ-ପୋଷାକ ଦେଖି ଏବଂ ରାଜସଭାରେ ହାତଯୋଡ଼ି କାକୁସ୍ଥ ହୋଇ ଠିଆ ହେବାର ଭଙ୍ଗୀ ଲକ୍ଷ୍ୟ କରି ମୋ ମନରେ କାହିଁକି କେଜାଣି ଗୋଟାଏ ଧାରଣା ବଦ୍ଧ-ମୂଳ ହେଇ ଯାଇଥିଲା ଯେ ଦୂତ କାମଟା ଅତି ଛୋଟ କାମ; ଖୁବ୍‌ ହୀନ ସ୍ତରର ! ସବୁଠାରୁ ଭଲ ରାଜାଙ୍କ ପୋଷାକ, ତା’ଠାରୁ ନିମ୍ନ ସ୍ତରର ପୋଷାକ ମନ୍ତ୍ରୀଙ୍କର ସବୁଠାରୁ ନିକୃଷ୍ଟତମ ପୋଷାକ ଦୂତଙ୍କର । ରାଜା ଚେଆରରେ ବସନ୍ତି, ମନ୍ତ୍ରୀ ଷ୍ଟୁଲରେ, ଦୂତ ବିଚରା ଠିଆ ହେଇ ରହିଥାଏ (ତା’ ବି ସିଧା ନୁହେଁ–ଟିକିଏ ଆଗକୁ ନଇଁ–ଦୁଇ ହାତ ଯୋଡ଼ି....) କିଛି ପ୍ରେଷ୍ଟିଜ୍‌ ନାହିଁ ଦୂତ ପୋଷ୍ଟର । ନିତାନ୍ତ ହାସ୍ୟକର ଜୀବ ଦୂତମାନେ !

 

ସେଇ ଧାରଣା ବଦ୍ଧ-ମୂଳ ହେଇ ରହିଥିଲା ମୋ ମନ ଭିତରେ ବହୁ ଦିନ ଯାଏଁ । ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ।

 

ତା’ପରେ ଯେତେବେଳେ ଦେଖିଲି ବିଜୟଲକ୍ଷ୍ମୀ ପଣ୍ତିତ, ମିନୁ ମାସାନୀ ଓ ଆସଫ୍‌ ଅଲ୍ଲୀ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିମାନେ ଉକ୍ତ ପଦରେ ନିଯୁକ୍ତି ପାଇଲେ, ସେତେବେଳେ ଅବାକ୍‌ ହେଇ ଡିକ୍ସନାରୀ ଖୋଜି ବାହାର କଲି ଯେ ‘ଦୂତ’ ବା ‘ଆମ୍ବାସଡ଼ର୍‌’ ଶବ୍ଦର ଅର୍ଥ ହେଉଛି, A high ranking minister, who represents his country in foreign ! ବିଦେଶରେ ସ୍ୱଦେଶର ପ୍ରତିନିଧିତ୍ୱ କରୁଥିବା ଉଚ୍ଚ ମର୍ଯ୍ୟାଦାସମ୍ପନ୍ନ ସଚିବ !

 

ହାୟ ଭଗବାନ ! କି ଭୁଲ୍‌ଧାରଣା ଥିଲା ମୋର ?

 

ହୁଇସିଲ୍‌ ବଜାଇ ସଙ୍କେତ ଦେଲେଣି ଡାଇରେକ୍ଟର ନର୍ତ୍ତକୀକୁ ଆସିବା ପାଇଁ ।

 

ତବଲା, କ୍ଲାରିଓନେଟରେ ପଡ଼ିଲା ତାଳ !

 

ସମସ୍ତେ ଉତ୍ସୁକ ଆଖିରେ ଚାହିଁଛନ୍ତି ସେଇ ହଷ୍ଟେଲ ଆଡ଼କୁ (ଗ୍ରୀନ୍‌ରୁମ୍‌ ହଷ୍ଟେଲରେ କରା ହେଇଥିଲା–ଆଗରୁ କହିଚି) କେତେବେଳେ ଝିଲ୍‌ମିଲ୍‌ ନୀଳ-ଶାଢ଼ି ପିନ୍ଧା ହାସ୍ୟମୁଖୀ ନର୍ତ୍ତକୀଟି ନୂପୁର ରୁଣୁଝୁଣୁ କରି କମନୀୟ ଗତିରେ ପୁଣି ଆସି ଦେଖା ଦେବ ମଞ୍ଚ ଉପରେ !

 

ବେଶ୍‌ କିଛି ସମୟ ବିତି ଗଲାଣି । କିନ୍ତୁ କାହିଁ ? ନର୍ତ୍ତକୀ ତ ଆସିଲାନି !

 

ତବଲା, କ୍ଲାରିଓନେଟରେ ଆଙ୍ଗୁଳିର ଗତି ହେଲା ଦ୍ରୁତତର । ବିରକ୍ତି ହୋଇ ଡାଇରେକ୍ଟର ବାରମ୍ବାର ହୁଇସିଲ୍‌ ମାରିଲେ । ଖୁବ୍‌ ଜୋର୍‌ ଜୋରରେ ।

 

କାହିଁ ନର୍ତ୍ତକୀ ?

 

ନର୍ତ୍ତକୀକୁ ସମ୍ବାଦ ଦେଇ ଦୂତ ତ କେତେବେଳୁ ଫେରି ଆସିଲାଣି ।

 

ତେବେ, ଏପର୍ଯ୍ୟନ୍ତ ତା’ର ବେଶ-ଶୃଙ୍ଗାର ସରି ନାହିଁ ନା କ’ଣ ? ଆଶ୍ଚର୍ଯ୍ୟ !

 

ଯଦିଓ ରାଜା ସମୟଟାକୁ କୌଣସି ପ୍ରକାରେ କଟେଇ ଦେବା ପାଇଁ ସେଇ ଗୋଟିଏ ସଂଳାପକୁ ଘୂରାଇ ଫେରାଇ ସୁକୌଶଳରେ ବାରମ୍ବାର କହିବାକୁ ଲାଗିଲେ, ମନ୍ତ୍ରୀ ଓ ଦୂତ ବି ସାଜଘର ଆଡ଼କୁ କଣେଇ କଣେଇ ଚାହିଁ ମନେମନେ ନର୍ତ୍ତକୀର ସପ୍ତ-ପୁରୁଷ ଉଦ୍ଧାର କରୁ କରୁ ଫେଣେଇ ଫେଣେଇ ଏଣୁତେଣୁ କିଛି କହି ଲୋକଙ୍କୁ ଭୁଲେଇବାର ଚେଷ୍ଟା କରି ଚାଲିଲେ–ତଥାପି ଶେଷପର୍ଯ୍ୟନ୍ତ ଲୋକଙ୍କୁ ସମ୍ଭାଳିବା ବାସ୍ତବିକ ମୁସ୍କିଲ୍‌ ହେଇ ପଡ଼ିଲା । ଓ ...ଉତ୍ସୁକ ଜନତାର ସେ କି ପ୍ରଚଣ୍ତ ତାଳି, ସିଟି ଆଉ ଚିତ୍କାର !!

 

‘‘କାହିଁ ନର୍ତ୍ତକୀ !’’ ‘‘ଆଣ ନର୍ତ୍ତକୀକୁ !’’ ‘‘ଶୀଘ୍ର ଆଣ ନର୍ତ୍ତକୀକୁ !’’

 

ଡାଇରେକ୍ଟରଙ୍କ ପକ୍ଷରେ ସେଠି ଆଉ ବସିରହି ପାରିବା ଅସମ୍ଭବ ! ପରିସ୍ଥିତି ସଙ୍ଗିନ୍‌ ! ଆଉ ଡେରି ହେଲେ ଲୋକେ ହୁଏତ ତାଙ୍କରି ଉପରେ ମାଡ଼ ବି ଚଢ଼େଇ ଦେଇ ପାରନ୍ତି....

 

ହୁଇସିଲ୍‌ ମିଶା ଦାନ୍ତ କଡ଼ମଡ଼ କରି ହାତରେ ବେତଟାକୁ ଧରି–‘‘ଦେଖେଁ, ଏତେବଳେଯାଏ କ’ଣ କରୁଚି ସେ ବଜ୍ଜାତ୍‌ ମହାନ୍ତି ଟୋକା ।’’ କହି ମହାରାଗରେ ସେ ଉଠି ଚାଲି ଆସିଲେ ଆସରରୁ ।

 

କିନ୍ତୁ ଯେଉଁମାନେ ଗ୍ରୀନ୍‌ରୁମ୍‌ ଭିତରେ ଥିଲେ, ସେମାନେ କହିଲେ–କି ଆଶ୍ଚର୍ଯ୍ୟ କଥା ! ନର୍ତ୍ତକୀ ତ ବହୁତ ଆଗରୁ ଚାଲି ଗଲାଣି । ଦୂତ ସମ୍ବାଦ ଦେଇ ଫେରି ଯିବାର କିଛି ସମୟ ପରେ ସେ ଏଠୁ ଚାଲି ଯାଇଚି ...

 

ତେବେ ???

 

ଡାଇରେକ୍ଟରଙ୍କ ମୁଣ୍ତରେ ବଜ୍ରପାତ୍‌ ହେଲା ! କୁଆଡ଼େ ଗଲା ନର୍ତ୍ତକୀ ? କ’ଣ ପରୀ ହେଇ ଉପରକୁ ଉଡ଼ିଗଲା ?

 

ଚାରିଆଡ଼ ହୁଲ୍‌ସ୍ଥୁଲ୍‌ !!

 

ନର୍ତ୍ତକୀ ହରଣଚାଳ୍‌ !!!

 

ଟର୍ଚ୍ଚ, ଲଣ୍ଠନ’ ଠେଙ୍ଗା-ବାଡ଼ି ପ୍ରଭୃତି ଧରି ଲୋକେ ଚାରିଆଡ଼େ ଖୋଜି ବୁଲିଲେ ।

 

ସେଠି ଥିଲେ କେତେଜଣ ପୋଲିସ୍‌ କର୍ମଚାରୀ । ଏ ଭଳିଆ ପରିସ୍ଥିତିରେ ସେମାନେ କ’ଣ ଆଉ ନିଷ୍କ୍ରିୟ ରହନ୍ତେ ? କିଛି ଥଟ୍ଟା କଥା ନୁହେଁ, ରୀତିମତ ଗୋଟାଏ ‘କିଡନେପିଙ୍ଗ୍‌ କେସ୍‍ !’ ରକ୍ତ ମାଂସର ଶରୀର ବିଶିଷ୍ଟ ଜୀବନ୍ତ ଗୋଟାଏ ମଣିଷ ପିଲା ମୁହୂର୍ତ୍ତକ ଭିତରେ ଅନ୍ତର୍ଦ୍ଧାନ ! କି କଥା ଇୟେ ? ରାଜ୍ୟ କ’ଣ ଅରାଜକ ହେଇଗଲାଣି ? ସାଙ୍ଗେ ସାଙ୍ଗେ ଚାଲିଲା ଇନଭେଷ୍ଟିଗେସନ୍‍-! ପୋଲିସ୍‍ ଆଖି ଆଗରେ ଯେତେବେଳେ ଘଟଣାଟା ଘଟିଚି–ୟା’ର କିଛି ଗୋଟାଏ କୂଳ-କିନାରା କରି ନ ପାରିଲେ ଆଉ କ’ଣ ଏ ସହରରେ ଡିପାଟମେଣ୍ଟର ମର୍ଯ୍ୟାଦା ରହିବ-? ଲୋକେ ଆଉ କେଆର୍‌ କରିବେ ପୋଲିସ୍‌ବାଲାଙ୍କୁ ?

 

ଅନୁସନ୍ଧାନରୁ ଯାହା ଜଣାପଡ଼ିଲା, ନର୍ତ୍ତକୀ ଗ୍ରୀନ୍‌ରୁମ୍‌ରୁ ବାହାରି ଆସିଚି ଠିକ୍‌ ପ୍ରଥମ ହୁଇସିଲ୍‌ ଶୁଣିବା ପରେ ପରେ । ମଞ୍ଚ ଆଡ଼କୁ ଯିବାପାଇଁ ବାଉଁଶ ବୁଦା ପାଖରେ ସ୍କୁଲ ହତା ଆଡ଼କୁ ବାଁ ହାତି ଟର୍ନ ନେଇଚି । ସେଇ ଜାଗାଟା ଟିକିଏ ଅନ୍ଧାରୁଆ ।

 

ବେଶ୍‌ ତା’ପରେ ତାକୁ ଆଉ କେହି ଲକ୍ଷ୍ୟ କରି ନାହାନ୍ତି ।

 

ସେଇଠୁ କୁଆଡ଼େ ଗଲା ପତ୍ତା ନାହିଁ ।

 

ଦୁଇ ଘଣ୍ଟା ଧରି ଆଖପାଖ ବିଲ, ବୁଦା, ବଣରେ ରୀତିମତ ‘ଗୋରୁ-ଖୋଜା’ ଖୋଜିବା ପରେ ଶେଷରେ ପୋଖରୀ ଆରପଟ ଖଜୁରି ଗଛମୂଳେ ‘ନର୍ତ୍ତକୀ’ର ଧର୍ଷିତ, ଅଚେତନ ଦେହ ମିଳିଥିଲା !

 

ଚେତା ଫେରି ପାଇବା ପରେ ସେ ଯାହା କହିଲା, ସେଥିରୁ ଜଣାପଡ଼ିଲା ଯେ ବାଉଁଶ ବୁଦା ପାଖରେ ତା’ ମୁହଁରେ ହଠାତ୍‌ କ୍ଲୋରୋଫର୍ମ ଭିଜା ରୁମାଲ ଚାପି ଧରି କେତେଜଣ ଅଚିହ୍ନା ଲୋକ ତାକୁ ଆଖି ପିଛୁଳାକେ ଟେକି ନେଇ ପଳେଇଲେ । ତା’ପରେ କ’ଣ ହେଲା–ସେ ଜାଣେନା-!

 

ଆଉ ଯାତ୍ରା ହେବ କ’ଣ ? ଡାଇରେକ୍ଟର ବିଚରା ନାକ କାନ ମୋଡ଼ି ହୋଇ ରାତାରାତି ଦଳବଳ ଧରି ପଳେଇଗଲା ! ଗଲାବେଳେ କହିଗଲା–ଏ ଶଳେ (ଆମ ସହରର ଶେଷ ଅକ୍ଷରରେ ଦୀର୍ଘ‘ଈ’କାର ଓ ‘ଆ’ ଯୋଗ କରି) ବଡ଼ ହାରାମଜାଦା ! ଆଉ କେବେ ଯଦି ଭୁଲରେ ସୁଦ୍ଧା ମୁଁ ଏ ଖଚଡ଼ ଜାଗାରେ ପାଦ ପକେଇଚି ତ ମୋ ନାଁ ‘ରଘୁନାଥ ପାଢ଼ୀ’ ନୁହେଁ; ‘ରଘୁଆ ଭଣ୍ତାରୀ !’ ସହସ୍ର ଜୁହାର ବାବା ଏ ଛତରା ଜାଗାକୁ !!

 

ପରେ ଆମେ ଜାଣିପାରିଥିଲୁ–ଏହା ନୂଆବଜାର ବସ୍ତିର କେତୋଟି ଗୁଣ୍ତା ଯୁବକ ଓ ଆମ ଉପର କ୍ଲାସ୍‌ମାନଙ୍କରେ ପଢ଼ୁଥିବା କେତେଜଣ ‘ଉତ୍ସାହୀ’ ବୟସ୍କ ଛାତ୍ରଙ୍କ କୁକୀର୍ତ୍ତି !!! ରୀତିମତ ସଙ୍ଗଠିତ, ସମ୍ମିଳିତ ଓ ସୁଚିନ୍ତିତ ଯୋଜନା !!!

 

ଆମ ସ୍କୁଲରେ ଥିଲେ ଜଣେ ଗଣିତ ଶିକ୍ଷକ । ଅତି ବଦ୍‌ରାଗୀ ! ପିଲାମାନଙ୍କୁ ନିଷ୍ଠୁର ଭାବେ ନିର୍ଧୁମ ବାଡ଼ିଆ ବାଡ଼ଉଥିଲେ । କହୁଥିଲେ, ହଇରେ ପିଲାଏ, ଏ କି ମାଡ଼ ? ମୋ ପିଲାଦିନେ ମୁଁ କେତେ ପିଟା ଖାଉଥିଲି ଜାଣ ? ସବୁତକ ଚକ୍ରବୃଦ୍ଧି ହାରରେ ତମ ଉପରେ ସୁଝେଇ ଦେଇଯିବି; ବୁଝିଲ ?

 

ବୃଦ୍ଧ ବୟସରେ ସେଇ ବିପତ୍ନୀକ ଗଣିତକ ମହାଶୟ ଏକ ତରୁଣୀ କନ୍ୟାର ପାଣିଗ୍ରହଣ କରିଥିଲେ ।

 

ତାଙ୍କ ପାଖରେ ଟିଉସନ ହେବା ପାଇଁ ବହୁତ ପିଲା ତାଙ୍କ କ୍ୱାଟରକୁ ରାତିଓଳି ଯାଉଥିଲେ । ସେ ଯେ ଖୁବ୍‌ ଭଲ ଗଣିତ ପଢ଼ାଇ ପାରୁଥିଲେ, ଏତିକି ଅସ୍ୱୀକାର କରିବାର ଚାରା ମୋର ଅବଶ୍ୟ ନାହିଁ । ତେବେ ତାଙ୍କ ଚାର୍ଜ ବି ଖୁବ୍‌ ବେଶୀ ଥିଲା ।

 

ସ୍କୁଲ ଛୁଟି ହେବାକ୍ଷଣି ସେ ସିଧା ଯାଆନ୍ତି ଦୋକାନକୁ । ସେଠୁ ଫେରିଆସି ପିଲାଙ୍କୁ ପଢ଼ାନ୍ତି । ଦାଣ୍ତଘରେ ବସି ସେ ପାଠ ପଢ଼ାନ୍ତି, ମଝି କବାଟ ଓ ପରଦା ଭଲଭାବେ ବନ୍ଦଥାଏ, ଯେକୌଣସି ବୟସର ପିଲା ହେଲେ ବି କାହାରିକି ପାଣି ଟିକିଏ ପିଇବାକୁ ମଧ୍ୟ ଭିତରେ ପଶିବା ମନା ! ସେ ଆଡ଼କୁ ଚାହିଁବା ବି ମନା ! ସ୍କୁଲ୍‌କୁ ଗଲାବେଳେ ସାମ୍ନା ଦୁଆରେ ତାଲା ପକାଇ ଯାଆନ୍ତି ! ଭାରି ଭୟ ! କାଳେ ତାଙ୍କ ତରୁଣୀ ଭାର୍ଯ୍ୟା ଯଦି ଆଉ କାହାରି ପ୍ରତି ... !!

 

ସ୍କୁଲରୁ ଫେରିଲେ (ଦୋକାନ ହେଇ) ଘର ଫିଟାହୁଏ ।

 

ଧନ୍ୟ ସ୍ୱାମୀ ! ଧନ୍ୟ ସେ ସ୍ତ୍ରୀ !!

 

ବାହାରେ ଆଲୋଚନା ଚାଲେ, ଉକ୍ତ ତରୁଣୀ କୁଆଡ଼େ ତାଙ୍କ ବୃଦ୍ଧ ସ୍ୱାମୀଙ୍କୁ ଆଦୌ ପସନ୍ଦ କରନ୍ତିନି । ଗଣିତକ ମହାଶୟ କେବଳ ତାଙ୍କ ମାଛ ଖାଇବାର ଟିକେଟ୍‌ !

 

କେହି କେହି ‘ବିଶ୍ୱସ୍ତ-ସୂତ୍ର’ ଏପରି ଗୁଜବ ମଧ୍ୟ ରଟାଉଥିଲେ ଯେ, ଉପର କ୍ଲାସ୍‌ର ଦୁଇଟି ତରୁଣ ରାମ ଓ ସୁଦର୍ଶନ ଉକ୍ତ ତରୁଣୀଙ୍କ ଗୁପ୍ତ-ପ୍ରଣୟୀ ! ଏତେ କଡ଼ା କଟକଣାର ବ୍ୟୂହ ଭେଦ କରି କିପରି ଯେ ଏମାନେ... !! ଏ ରହସ୍ୟ ସମାଧାନ କରିପାରିବା କାହାରି ପକ୍ଷରେ ସମ୍ଭବ ନ ଥିଲା ।

 

କେତେକ କହୁଥିଲେ–ଏଇଟା ତେବେ ନିତାନ୍ତ ‘ପ୍ଲାଟୋନିକ୍‌ ଲଭ୍‌’ର ବ୍ୟାପାର ।

 

ଆଉ କେତେକ କହୁଥିଲେ–ପ୍ଲାଟୋନିକ୍‌ ଫ୍ଲାଟୋନିକ୍‌ ବାଜେ କଥା । ଏସବୁ ସେଇ ‘ପାଚେରୀ ଡିଆଁ-ଡେଇଁ କାରବାର !’

 

ଏଇ ଭଳି କିଛି ଗୋଟାଏ କଳ୍ପନା କରି ନେଇ, ନିଜର କୌତୂହଳ ଦମନ କରିବାକୁ ଚେଷ୍ଟା କରୁଥିଲେ ଗୁଜବ ବିଳାସୀମାନେ ।

 

ହଁ, ଗଣିତକ ମହାଶୟଙ୍କର ଏଣେ ବଜାର ଉପରେ ଦୋକାନଟିଏ ବି ଥାଏ । ଗ୍ରୋସାରି-ଷ୍ଟେସନାରି Cum ବୁକ୍‌ଷ୍ଟଲ । ନାମ–ଇଉନିଭର୍ସିଆଲ୍‌ ଏମ୍ପୋରିୟମ ! ବାସ୍ତବିକ, ଦୁନିଆଁର ସମସ୍ତ ଆବର୍ଜନାର ଗୋଦାମ ଘର ଥିଲା ସେଇଟା ! ବାଜେ ଜିନିଷ, ଦର ଚଢ଼ା । ଅଥଚ ବାହାରେ ବଡ଼ ବଡ଼ ଅକ୍ଷରରେ ମଟୋ ଲେଖା ହେଇଥାଏ–

 

Honesty is our policy.

Dearest is the best.

First Quality then Quantity.

First Value, then price.ଇତ୍ୟାଦି ଇତ୍ୟାଦି....

 

ଦୋକାନ କାମ ଦେଖଶୁଣା କରେ ତାଙ୍କରି ଦୂର ସମ୍ପର୍କୀୟ ଜଣେ ଆତ୍ମୀୟ । ସେଇ ପିଲାଟି ସାରା ଦିନ ବସେ ଦୋକାନରେ । ସ୍କୁଲ ଛୁଟି ପରେ ଗଣିତ ମହାଶୟ ନିଜେ ଯାଇ ହିସାବପତ୍ର ତଦାରଖ କରନ୍ତି । ବିକାକିଣା ବି କରନ୍ତି କିଛି ସମୟ । ତା’ପରେ ଫେରି ଆସନ୍ତି ଟିଉସନ୍‌କୁ ।

 

ଯେତେବେଳେ ଗଣିତ ମହାଶୟ ଦୋକାନରେ ଥାଆନ୍ତି, ତାଙ୍କର ପ୍ରିୟପାତ୍ର ହେବାକୁ ଚାହୁଁଥିବା ଛାତ୍ରମାନଙ୍କର ସେଇଟା ମାହେନ୍ଦ୍ର ବେଳା । ସେତିକିବେଳେ ଓର ଉଣ୍ତି ଦୋକାନରେ ପହଞ୍ଚନ୍ତି ସେମାନେ । ଏଟା ସେଟା କିଣନ୍ତି । ଯେତେ କିଣନ୍ତି, ତା’ଠାରୁ ବେଶି କରନ୍ତି ଅଯଥା ପ୍ରଶଂସା ଦୋକାନର ଓ ଦୋକାନରେ ମିଳୁଥିବା ଜିନିଷର ।

 

ସେଇମାନଙ୍କ ଉପରେ କ୍ଲାସରେ ଆଦୌ ବେତ ମାଡ଼ ହୁଏ ନାହିଁ ।

 

ଆଉ ଯେଉଁମାନେ ତାଙ୍କ ଦୋକାନରୁ କିଛି କିଣାକିଣି ନ କରନ୍ତି, ସେମାନଙ୍କ ଉପରେ ଖୁବ୍‌ ମାଡ଼ ହୁଏ ତଥାକଥିତ ଦୋଷରେ ।

 

ତେବେ, ମୋ ଉପରେ କେବେହେଲେ ମାଡ଼ ହେଉ ନଥିଲା, ଯଦିଓ ମୁଁ ତାଙ୍କ ଦୋକାନରୁ କୌଣସି ଦିନ କିଛି ହେଲେ କିଣିନି । ଖାଲି ଗଣିତ ସାର୍‌ କାହିଁକି, କୌଣସି ଶିକ୍ଷକ ମୋ ଦେହରେ ଟିପ ଛୁଇଁବାକୁ ସାହସ କରି ନାହାନ୍ତି, କାରଣ ‘ଅଜା’ ସ୍କୁଲର ପ୍ରତିଷ୍ଠାତା, ‘ବାପା’ ସେକ୍ରେଟେରୀ ଓ ଆର୍ଥିକ-ସାହାଯ୍ୟ-ଦାତା !

 

ଯେତେଗୁଡ଼ିଏ ଜିନିଷକୁ ନିତାନ୍ତ ସହିପାରୁ ନ ଥିଲେ ଗଣିତକ ମହାଶୟ, ତା’ ଭିତରୁ ପ୍ରେମ-କବିତା ଓ ଉପନ୍ୟାସ ଅନ୍ୟତମ ।

 

ଦିନେ ମୋ ହାତରେ ଉପନ୍ୟାସଟିଏ ଦେଖି ପଚାରିଲେ, କିରେ କ’ଣ ସେଟା ?

 

‘‘ଅପୂର୍ଣ୍ଣ ପ୍ରେମ’’ । ମୋ ବହି ନୁହେଁ; ଜଣେ ଦେଇଚି ଆଉ ଜଣକୁ ଫେରେଇ ଦବା ପାଇଁ ।

 

ସେ ବହି କ୍ଲାସ୍‌କୁ ଆସିଲା କାହିଁକି ?

 

କହିଲି ତ, ଜଣେ ଦେଇଚି ଆଉ ଜଣକୁ ଫେରେଇ ଦବାକୁ । ମୁଁ କ’ଣ ୟା’କୁ କ୍ଲାସରେ ପଢ଼ୁଚି ?

 

କ୍ଲାସରେ ପଢ଼ୁନୁ, ଘରେ ନେଇ ପଢ଼ିବୁ, ଏଇ ତ ? ଇରେ ହଇରେ ! ତୁ ଏଇ ବୟସରୁ ନଭେଲ୍‌ ପଢ଼ା ଆରମ୍ଭ କଲୁଣି ? ଆଁ....

 

ଭାବିଲି କହିଦେବି, ଏଇ ବୟସରେ ‘ନଭେଲ୍‌ ଲେଖିବା ଯେ ଦୟାକରି ଆରମ୍ଭ କରିନି’, ସେଇଟା ଆପଣଙ୍କ ସୌଭାଗ୍ୟ ! ନଚେତ୍‌ ଆପଣଙ୍କୁ ମୋ ନଭେଲରେ ଗୋଟିଏ ବିଶିଷ୍ଟ ‘ଟାଇପ୍‌-କ୍ୟାରେକ୍ଟର୍‌’ କରି ଥୋଇ ଦିଅନ୍ତି ! ମୁହଁରେ କହିଲି, ଆଜ୍ଞା କହୁଚି ତ ଏ ବହି ଅନ୍ୟର; ମୁଁ ଏଟା ପଢ଼ିନାଇଁ କି ପଢ଼ିବାକୁ ଆଣିନି ।

 

ହଉ ହଉ ତୋ ବାପାଙ୍କୁ ସବୁ କହିବିରେ । ବାହାରିବ ମଜାଟା ! ନଭେଲ୍‌ ପଢ଼ା ହଉଚି; ନା ?

 

ଏଇ ଭଳିଆ ଗାଉଁ ଗାଉଁ ହେଇ ସେ ଅନ୍ୟ ଆଡ଼େ ଚାଲିଗଲେ । କହିବା ବାହୁଲ୍ୟ, ବାପାଙ୍କୁ ଏ ବିଷୟରେ ସେ କିଛି କହି ନାହାନ୍ତି । ତାଙ୍କୁ ସେ ଏତେ ଡରୁଥିଲେ ଯେ, କଥା କହିବାକୁ ବି ଭରସି ପାରୁ ନ ଥିଲେ । ଆଉ ମୋତେ ସେଇତକ ଖୁବ୍‌ ଭଲଭାବେ ଜଣା ଥିବାରୁ ମୁଁ ତାଙ୍କ ଧମକ୍‌କୁ ଖାତିର୍‌ କରି ନ ଥିଲି ।

 

ଯୋଉ ମାସ ପ୍ରଥମ ଥର ଆମ ସ୍କୁଲ ମାଗାଜିନ୍‌ ଛପା ହେବାର ଯୋଗାଡ଼ ଚାଳିଲା, ମୋର ଭାରି ଇଚ୍ଛା ହେଲା ମୋ ନାମଟା ବି ଛପା ଅକ୍ଷରରେ ବାହାରନ୍ତା !

 

କବିତାଟି ଲେଖି ଦେଇଥିଲି । ଆଉ ସେଇଟା ଛାପା ଅକ୍ଷରର ଆତ୍ମପ୍ରକାଶ ବି କରିଥିଲା-। କେବଳ ପ୍ରଥମ ପଦଟା ମନେଅଛି–

 

‘‘ଦୂରୁ ଦେଖି ଅଛି ତାକୁ । କହିନି କଥା;

ବିଦେଶିନୀ କିଶୋରୀ ସେ ଅପରିଚିତା !’’

 

ସେଇ ରେଲଓୟେ କଲୋନୀର ଆଙ୍ଗ୍ଲୋଇଣ୍ତିୟାନ୍‌ ବାଳିକାକୁ ଲକ୍ଷ୍ୟ କରି କବିତାଟି ଲେଖା ହେଇଥିଲା ।

 

ଜାଣେନା, କାହିଁକି ତା’ ପ୍ରତି ମୋ ମନ ଭିତରେ ଥିଲା ଏକ ଦୁର୍ବାର ଆକର୍ଷଣ !

 

ଆଙ୍ଗ୍ଲୋଇଣ୍ତିୟାନ୍‌ ସମ୍ପ୍ରଦାୟ ପ୍ରତି ମୋର ସବୁ ଦିନେ ରହିଚି ଗୋଟାଏ ଅହେତୁକ ସହାନୁଭୂତି । ରହି ଆସିଚି ସେଇ ଦିନଠାରୁ । ଏଇ ସହାନୁଭୂତି କ’ଣ ତା’ରି ଯୋଗୁଁ ?

 

ସେମାନଙ୍କ ପ୍ରତି କେବଳ ଆକର୍ଷଣ ଓ ଆଗ୍ରହ ନାହିଁ–ସ୍ନେହ ବି ରହିଚି ମୋ ମନ ଭିତରେ–କୌତୂହଳ ବି ରହିଚି–ଭଲପାଏଁ ସେମାନଙ୍କ ରୀତିନୀତି....ସାମାଜିକ ପ୍ରଥା ନେଇ ଗବେଷଣା କରିବାକୁ ।

 

ଇଉରୋପ୍‌ ଓ ଏସିଆର ରକ୍ତଗତ ସମ୍ମିଶ୍ରଣରେ ଜନ୍ମ ଏଇ ଯୋଉ ତୀଶଙ୍କୁ ସମ୍ପ୍ରଦାୟ–ବିଂଶ ଶତାବ୍ଦୀର ଅପରାହ୍ନରେ ଆଜି ନୂତନ-ଇହୁଦୀ ଏଇ ଯୋଉ ହତଭାଗ୍ୟ ବର୍ଣ୍ଣଶଙ୍କର ଗଣ.....ଏମାନେ କ’ଣ ଆଜିଯାଏଁ ବି ବୁଝି ପାରିଲେ ନିଜକୁ ? କେବେ ଏମାନଙ୍କର ଆଉ ଆତ୍ମ-ମର୍ଯ୍ୟାଦାବୋଧ ଆସିବ ? ଦୟା ଆସେ ଏମାନଙ୍କ ଉପରେ, ନା ଏମାନେ ଏସିଆକୁ କରିପାରିଲେ ନିଜର, ନା ଇଉରୋପ୍‌ ଏମାନଙ୍କୁ କରିପାରିଲା ଆପଣାର ?

 

ଏଇ ଦେଶରେ ରହି ଏମାନେ ଝୁରିହେଲେ ଇଂଲଣ୍ତକୁ । ଇଣ୍ତିଆରେ ଜନ୍ମି, ଇଣ୍ତିଆର ପାଣି-ପବନରେ ବଢ଼ି ହାୟ-ହାୟ ହେଲେ ‘ହୋମ୍‌’ ପାଇଁ !

 

ଖୋର୍ଦ୍ଧା-ରୋଡ଼ର ଆଙ୍ଗ୍ଲୋ ଜାଣେନା ଆଜିଯାଏଁ ଯେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ–ଜାଣେନା କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ !!

 

କିନ୍ତୁ ଟ୍ରାଫାଲ୍‌ଗାର ସ୍କୋୟାରରେ ଗତ ଡିସେମ୍ବର ମାସ କେତେ ଇଞ୍ଚ ବରଫ ପଡ଼ିଥିଲା, ଇଷ୍ଟ-ଏଣ୍ତ ବସ୍ତିରେ ଖୁବ୍‌ କମରେ ମାସକୁ କେତେ ହାଉସ୍‌ ରେଣ୍ଟ୍‌ ପଡ଼େ, ଏସବୁ ତା’ର ନଖ-ଦର୍ପଣରେ । ‘‘ଶୀତଦିନେ ଲଣ୍ତନର ଡ୍ରେନ୍‌ମାନଙ୍କରେ ନଡ଼ା ଦିଆ ହେଉଚି–ପାଣି ଜମି ନ ଯିବ ବୋଲି’’ ଏଇ ଉତ୍ତର ମିଳିବ ଜଣେ ଆଙ୍ଗ୍ଲୋଠାରୁ ଯଦି ତାକୁ ଶୀତଦିନେ ପଚାରି ଦିଅ–‘‘ଓଃ, କି ପ୍ରଚଣ୍ତ ଥଣ୍ତାଟା ପଡ଼ିଚି; ନୁହେଁ ?’’ ଯଦି କୁହ–ଜିନିଷପତ୍ର ଆଜିକାଲି ବଡ଼ ଦୁର୍ମୂଲ୍ୟ ହେଇଗଲା । ଆଙ୍ଗ୍ଲୋ ଉତ୍ତର ଦେବ–ଏଠି ଆଉ ଏମିତି ବେଶୀ କ’ଣ ? ଇଂଲଣ୍ତରେ ଅଣ୍ତା ଗୋଟା ଏକ ଶିଲିଂ, ବଟର୍‌ ପାଉଣ୍ତ ତିନି ଶିଲିଂ...ତା’ପରେ ଚାଲିଲା ଲମ୍ବା ତାଲିକା ଇଂଲଣ୍ତରେ କୋଉ ଜିନିଷର ଦାମ୍‌ କେତେ କେତେ ବଢ଼ିଚି...ସେଇ ସବୁର ଟିକିନିଖି ହିସାବ ।

 

ଥରେ ରେଲଓୟେ ଷ୍ଟେସନରେ ଦେଖିଥିଲି ଗୋଟିଏ ବେଶ୍‌ କୌତୁକିଆ ଘଟଣା; ଏବେ ବି ମନେଅଛି । ଜଣେ ଇଂରେଜ ରେଲଓୟେ ଅଫିସର ଅଫିସ ରୁମ୍‌ ବାହାରେ ଠିଆ ହେଇ ସଦ୍ୟ ଇଂଲଣ୍ତରୁ ଆସିଥିବା ‘ମାଞ୍ଚେଷ୍ଟର୍‌ ଗାର୍ଡ଼ିଆନ୍‌’ ପଢ଼ୁଛନ୍ତି । ଆଙ୍ଗ୍ଲୋଇଣ୍ତିଆନ୍‌ ଗାର୍ଡ଼ଟିଏ ଯାହାର ଘର ଖଡ଼ଗପୁରରେ, ସେଇ ଇଂରେଜ ଅଫିସରଙ୍କର ବେଶ୍‌ ଚିହ୍ନା-ଜଣା, ଭାରି ଷ୍ଟାଇଲରେ ଆସି ପଚାରି ଦେଲା, Hallow Stanley, reading ‘‘Manchester guardian ?’’ What is the news of Home ?

 

ଇଂରେଜ ଭଦ୍ରଲୋକଟି ଗମ୍ଭୀର ହେଇ–‘‘No news from khargpur’’–ଏତିକି କହି ମୁହଁ ମୋଡ଼ି ଦେଇ ଚାଲି ଯାଇଥିଲେ ।

 

ଇଂରେଜମାନେ ସେମାନଙ୍କୁ କହନ୍ତି–‘‘ଡ୍ୟାମଡ୍‍ ଚିଚି.... ?’’ ତଥାପି ସେମାନଙ୍କର ଚୈତନ୍ୟ ଉଦୟ ହେଲାନି ଆଜିଯାଏ । ଭଗବାନ ଜାଣନ୍ତି, କେବେ ହେବ ।

 

ପରବର୍ତ୍ତୀ ଜୀବନରେ ଏଇମାନଙ୍କ ସମ୍ବନ୍ଧରେ ବହୁତ କିଛି ଜାଣିବାର ସୁଯୋଗ ପାଇଥିଲି । ଏମାନଙ୍କ ସାଙ୍ଗରେ ମିଳାମିଶା କରିବାର ସୁବିଧା ହେଇଥିଲା । ଦେଖିଚି ଏମାନଙ୍କର ଭୋଗ-ସର୍ବସ୍ୱ, ଅର୍ଥ-ସର୍ବସ୍ୱ ନୈତିକତା-ବିହୀନ ଜୀବନ-ଯାତ୍ରା । ଭଉଣୀ ଭଉଣୀ ଠିକ୍‌ ଦି’ ସଉତୁଣୀ ଭଳି । ବାପ ମାଆ ଆଦୌ କିଛି ମନେ କରିବେନି, ଯଦି ଅଧ ଡଜନେ ବୟଫ୍ରେଣ୍ତ ନେଇ ଝିଅ ଘୂରାଘୂରି କରେ । ତେବେ, ସେମାନେ ‘ପେଇଂ’ ହେଇଥିବା ଦରକାର । ବେଶ୍‌ ସେତିକି ।

 

ଟାଟାରେ ଥିବାବେଳେ ମୋର ପରିଚୟ ହୋଇଥିଲା ଗୋଟିଏ ଆଙ୍ଗ୍ଲୋଇଣ୍ତିଆନ୍‌ ଝିଅ ସାଙ୍ଗରେ । ନାମ ଡରୋଥି । ଡାକ ନାମ ଡିଙ୍କି । ଆମରି ଅଫିସରେ ସେ ଷ୍ଟେନୋଗ୍ରାଫର ଥିଲା । ତାକୁ ଥରେ କୌତୁକରେ ପଚାରିଥିଲି ‘ଡିଙ୍କି’ ଶବ୍ଦଟିର କିଛି ମାନେ ଅଛି କି ? (ତାକୁ ତା’ର ଚିହ୍ନା-ଜଣା ସାଙ୍ଗମାନେ ‘ଡିଙ୍କି’ ବୋଲି ଡାକୁଥିଲେ) ସେ ହସି ହସି କହିଥିଲା, ‘ଡିଙ୍କି’ ମୋର ନିକ୍‌ ନେମ୍‌ । ‘ଡିଙ୍କି’ ମାନେ small (ଛୋଟ) ।

 

ମୁଁ ହସି ପକାଇଥିଲି–Then you are too big for your name !

 

ହଠାତ୍‌ ସେ ଗମ୍ଭୀର ହେଇଗଲା । କହିଲା, ମୋତେ ବୋଧହୁଏ ଖୁବ୍‌ ଶୀଘ୍ର ଏ ଅଫିସ ଛାଡ଼ିବାକୁ ପଡ଼ୁଛି, କାରଣ ଆମ ମେନେଜରଙ୍କ ମତରେ–I am too big for this office.

 

ମୁଁ ଦୁଃଖିତ ହେଇ କହିଲି–କାହିଁକି, କ’ଣ ହେଲା ?

 

ସେ କହିଲା, କ’ଣ ଆଉ ହବ ? ମେନେଜର ଯାହା ଚାହିଁଥିଲେ ମୁଁ ଦେଇ ପାରିନି ।

 

ମେନେଜର କ’ଣ ଚାହିଁଥିଲେ ?

 

ଆଙ୍ଗ୍ଲୋଇଣ୍ତିଆନ୍‌ ଝିଅମାନଙ୍କ ଠାରୁ ଯାହା ସାଧାରଣତଃ ଆପଣମାନେ ଆଶା କରନ୍ତି...

 

ଆହତ ହେଇ କହିଲି, ମୁଁ ଅନ୍ତତଃ ତମଠାରୁ କେବେହେଲେ କିଛି ଆଶା କରିନି, ତମ ଘରକୁ କେବେ ଯାଇନି କି ଚା’ କପେ ବି ଚାହିଁନି...

 

ସେ ହସିଲା । କହିଲା, ଆଜି କିନ୍ତୁ ଆପଣ ଆମ ଘରକୁ ଚା’ କପେ ଖାଇବାକୁ ଯିବେ ନିଶ୍ଚୟ ।

 

ତମେ ତେବେ କ’ଣ ସତରେ ଏଠୁ ଚାକିରି ଛାଡ଼ି ଦଉଚ ?

 

ତା’ଛଡ଼ା ଉପାୟ କ’ଣ ? ଆପଣ ବୋଧହୁଏ ଭାବୁଥିବେ–‘‘ଗୋଟାଏ ଆଙ୍ଗ୍ଲୋଇଣ୍ତିଆନ୍‌ ଝିଅ, ତା’ର ପୁଣି ଏତେ ଆତ୍ମ-ସମ୍ମାନବୋଧ !’’

 

ଏ ଭଳିଆ କଥା କହି ଅକାରଣେ ଖାଲି ମୋ ମନରେ ଦୁଃଖ ଦେଉଛ ତମେ । ମୁଁ ତ ସେ ରକମ କିଛି ଭାବିନି ।

 

ଆପଣ ହୁଏତ ଭାବୁ ନ ଥିବେ, କିନ୍ତୁ ଆପଣଙ୍କ ପରି ଅନେକ ଭାରତୀୟଙ୍କର ଆମମାନଙ୍କ ବିଷୟରେ ଧାରଣା ସେଇପରି ।

 

କିନ୍ତୁ ତମେ କାହିଁକି ଅଫିସ ଛାଡ଼ିବ, ମୁଁ ସେଇତକ ଜାଣିବାକୁ ଚାହେଁ । ମେନେଜର ବିରୁଦ୍ଧରେ ତମେ ଡାଇରେକ୍ଟର ବା ଚେଆରମେନଙ୍କ ପାଖରେ କମ୍ପ୍ଲେନ୍‌ କରିପାର ।

 

ସେଥିରେ କିଛି ଲାଭ ହବନି । ତା’ଛଡ଼ା ମୁଁ ବି ଅନ୍ୟ ଜାଗାରେ ସର୍ଭିସର ବ୍ୟବସ୍ଥା କରି ସାରିଲିଣି ।

 

ଡରୋଥି, ମୁଁ ଭାରି ଦୁଃଖିତ ।

 

ଦୁଃଖିତ ହେବାର କିଛି ନାହିଁ । ସେ ଅଳ୍ପ ହସି କହିଲା, ମୋ ଜାଗାରେ ଆପଣ ଆଉ ଜଣେ ଭଲ ବାନ୍ଧବୀ ପାଇବେ ଯେ.... !

 

ସେଇଦିନ ଲାଞ୍ଚ୍‌ଆଓ୍ୱାର୍‌ ପରେ ଡରୋଥି ରେଜିଗନେସନ୍‌ ସାବ୍‌ମିଟ୍‌ କରିଥିଲା ।

 

‘ଏଲ୍‌’ ଟାଉନରେ ତା’ କ୍ୱାଟର ଖୋଜି ବାହାର କରିବାକୁ ବେଶ୍‌ କିଛି ସମୟ ଲାଗିଥିଲା ମୋତେ ।

 

ନମ୍ବର ମିଳାଇ ନେଇ ଗେଟ୍‌ ଖୋଲି ଭିତରକୁ ପଶିଲି । କଲିଂବେଲରେ ଚାପ ଦେଲାକ୍ଷଣି ଛଅ ସାତ ବର୍ଷ ବୟସର ଝିଅଟିଏ କବାଟ ଖୋଲିଦେଲା । ତା’ ପଛେ ପଛେ ଡରୋଥି-

 

ପଚାରିଲି–ଏ କିଏ ?

 

ମୋ ଝିଅ । ଡରୋଥି କହିଲା–ମେରୀ, ଉଇସ୍‌ ହିମ୍‌ ଗୁଡ୍‍ ଇଭ୍‌ନିଂ । ହି ଇଜ୍‌ ଇୟୋର ଆଙ୍କଲ୍‌ ।

 

ଝିଅଟି ଅଳ୍ପ ହସି ମୃଦୁ ସ୍ୱରରେ କହିଲା–‘‘ଗୁଡ୍‍ ଇଭ୍‌ନିଂ ।’’ ଭାରି ଲଜ୍ଜାଶୀଳା !

 

ଅବାକ୍‌ ହେଇ ପଚାରିଲି, ତମ ଝିଅ ? ଡରୋଥି ସହଜ ଭାବେ କହିଲା, Yes, my daughter. She is very shy.

 

ମୋ ମୁହଁରୁ ବାହାରି ପଡ଼ିଲା–କିନ୍ତୁ ....

 

ସେ ସବୁ ପରେ ଜାଣିବେ । ମେରୀ, ତୁ ଏବେ ପଢ଼ିବାକୁ ଯା । ବସନ୍ତୁ ଆପଣ ....

 

ମେରୀ ଅନ୍ୟ ରୁମ୍‌କୁ ଚାଲିଗଲା ।

 

ଛୋଟ ‘C’ ଟାଇପ୍‌ କ୍ୱାଟର । ରୁମ୍‌ ବୋଲି ଦି’ଟା । ସେଇ ଘରେ ସେ ମୋତେ ବସେଇଲା । ଟି’ପୟ ଟେବୁଲଟିଏ, ଚାରି ପାଞ୍ଚଟି ଚେଆର୍‌, ଖଣ୍ତେ କେରୋସିନ୍‌ ବାକ୍ସ ଉପରେ ନୀଳ ରଙ୍ଗର କନା ଚଉଡ଼ା ହେଇ ଦିଆ ହେଇଚି, ତା’ ଉପରେ ବି କେହି ବସି ପାରିବ । କାନ୍ଥରେ ଷଷ୍ଠ ଜର୍ଜ, ମହାରାଣୀ ଭିକ୍ଟୋରିଆ, ଲଣ୍ତନ ଟାଓ୍ୟାର ଆଉ ପାର୍ଲ୍ୟାମେଣ୍ଟ ଭବନର ଛବି କେଇଖଣ୍ତ, ଛୋଟ ଟେବୁଲରେ ଘରର ଗୋଟାଏ କୋଣକୁ ଲାଗି ଫିଲିପ୍ସ କମ୍ପାନୀର ପୁରୁଣା ରେଡ଼ିଓ ସେଟ୍‌ଟିଏ, ଏତିକି ।

 

ବେଶ୍‌ ଗରମ ପଡ଼ିଥାଏ । ସେ ଫ୍ୟାନ୍‌ ଖୋଲି ଦେଲା । କହିଲା, ଆପଣଙ୍କୁ କ’ଣ ଦେବି-? ହ’ଟ୍‌ ଅର୍‌ କୋଲ୍‌ଡ ?

 

କହିଲି–କିଛି ଦରକାର ନାହିଁ । ମୋର ବରଂ କିଛି ନେଇ ଆସିବା ଉଚିତ ଥିଲା ମେରୀ ପାଇଁ । କିନ୍ତୁ ମୁଁ ତ ଜାଣି ନ ଥିଲି....

 

ଜାଣି ନ ଥିଲେ, ଯିଏ ଅଫିସରେ ‘କୁମାରୀ’ ବୋଲାଏ, ଘରେ ତା’ର....

 

ଛି ଛି, ମୁଁ ତ ସିମିତି କିଛି କହିନି....

 

କହି ନାହାନ୍ତି । କିନ୍ତୁ ଭାବିଥିବେ ନିଶ୍ଚୟ । ଆଚ୍ଛା, ଟିକିଏ ଅପେକ୍ଷା କରନ୍ତୁ ମୁଁ ଦି’ ମିନିଟରେ ଆସୁଚି ।

 

ଡରୋଥି ଚାଲିଗଲା ।

 

ମୁଁ ଏକୁଟିଆ ନିର୍ଜନ ଘର ଭିତରେ ବସି ଭାବିବାକୁ ଲାଗିଲି କେତେ କ’ଣ । ଡରୋଥି ତେବେ କ’ଣ ଠିକ୍‌ ଆଉ ପାଞ୍ଚଜଣ ଆଙ୍ଗ୍ଲୋଇଣ୍ତିଆନ୍‍ ଝିଅ ପରି ? ମୋର ତା’ ସମ୍ବନ୍ଧରେ ଯୋଉ ଉଚ୍ଚ ଧାରଣା ଆଜି ହେଇଥିଲା ରେଜିଗନେସନ୍‌ ଦେବା ବିଷୟ ନେଇ ସବୁ କ’ଣ ଭୁଲ୍‍ ? କାହିଁକି ତେବେ ସେ ଆତ୍ମ-ସମର୍ପଣ ନ କଲା ମେନେଜରର ଖିଆଲ ପାଖରେ ? ଏଇ ଯଦି ତା’ର ପୃଷ୍ଠ-ଭୂମି, ତେବେ କ’ଣ ଦରକାର ଅଫିସର ପାଖରେ ସତୀତ୍ୱର ପରାକାଷ୍ଠା ଦେଖେଇବା ? ଯୋଉ ଭଳିଆ ଝିଅ ସେ, ଠିକ୍‌ ଉପଯୁକ୍ତ ବ୍ୟବହାର କରା ହେଇଚି ତା’ ପ୍ରତି ! ମେନେଜର ପ୍ରତି ଆଉ ରାଗ ଆସିଲାନି ମୋ ମନରେ । ସହାନୁଭୂତି ବଦଳରେ ଘୃଣା ଆସିଗଲା ଡରୋଥି ପ୍ରତି ।

 

କିଛି ସମୟ ପରେ ଟ୍ରେ’ରେ ଦୁଇଟି ଧୂମାୟିତ କପ୍‌ ଆଉ ପ୍ଲେଟ୍‌ଭରା ଟୋଷ୍ଟ ନେଇ ସେ ଫେରି ଆସିଲା । ମୋର କିନ୍ତୁ ସେତେବେଳେ ବାସ୍ତବିକ କିଛି ଇଚ୍ଛା ନ ଥାଏ ।

 

ଇଚ୍ଛା ନ ଥିଲେ ବି ଖାଇବାକୁ ହେଲା । ନଚେତ୍‌ କ’ଣ ଭାବିବ ସେ ? କଫି ଶେଷ କରି ସିଗାରେଟ ଧରେଇଲି ।

 

ସେ କହିଲା, ଆପଣ ମୋତେ ଘୃଣା କରୁଛନ୍ତି ?

 

ମୋର କିଛି କହିବାର ନାହିଁ ।

 

ମୋର କିନ୍ତୁ କିଛି ଶୁଣେଇବାର ଅଛି । ଆଙ୍ଗ୍ଲୋଇଣ୍ତିଆନ୍‍ ଝିଅ ମୁହଁରୁ ଏଇ କାହାଣୀ ଶୁଣି ଆପଣ ବିଶ୍ୱାସ କରିବେ କି ନାହିଁ କେଜାଣି ! ତଥାପି ମୁଁ ଶୁଣେଇବି କାରଣ, ଶୁଣିଚି ଆପଣ ଲେଖକ ...

 

ସେ ଦିନ ଡରୋଥିର କାହାଣୀ ଶୁଣି ମନଟା କ’ଣ ଯେ ହେଇଥିଲା, ସେ କଥା ବର୍ଣ୍ଣନା କରିବାକୁ ଗଲାବେଳେ ଭାଷା ମୋର ବାରମ୍ବାର ନୀରବ ହେଇ ଯାଉଚି । କେତେ ‘ଡରୋଥି’ ଏଇ ଭଳିଆ ଅଛନ୍ତି ଆଙ୍ଗ୍ଲୋଇଣ୍ତିଆନ୍‍ କମ୍ୟୁନିଟି ଭିତରେ, କିଏ ଜାଣେ ? ପଙ୍କ ଭିତରୁଇ ତ ପଙ୍କଜର ଜନ୍ମ !

 

ବାପା ତା’ର ଥିଲେ ପୂରା ଆଙ୍ଗ୍ଲୋଇଣ୍ତିଆନ୍‍, ମାନେ ଦେଖିବାକୁ ଠିକ୍‌ ଇଂରେଜପରି । ସୁନେଲି ବାଳ, ନୀଳ ଆଖି, ଗୋରା ଦେହ, ଥ୍ରୀ କ୍ୱାଟର୍‌ ଇଂଲିସ୍‌ । କିନ୍ତୁ ମା’ ତା’ର ହାର୍ଡ଼ଲି ଓ୍ୱାନ୍‌କ୍ୱାଟର ! ରଙ୍ଗଟା ଯାହା, ତାକୁ କଲା କୁହା ନ ଯାଇ, ‘ବ୍ରାଉନ୍‌’ କୁହା ଯାଇ ପାରେ । ଆଖି ଆଉ ବାଳ କିନ୍ତୁ ସାଧାରଣ ଭାରତୀୟ ପରି ।

 

ବାପା କାମ କରୁଥିଲେ ଏଇଠି ରୋଲିଂ ମିଲରେ । ଡରୋଥି ସେମାନଙ୍କର ଏକମାତ୍ର ଝିଅ । ଆଉ କୌଣସି ପିଲାପିଲି ନ ଥିଲେ ସେମାନଙ୍କର ।

 

କନଭେଣ୍ଟ୍‌ ସ୍କୁଲରେ ସିନିୟର କେମ୍ବ୍ରିଜ୍‌ ପଢ଼ୁଥିବାବେଳେ ସୁବୋଧ ସାଙ୍ଗରେ ତା’ର ପରିଚୟ ହୁଏ । ସୁବୋଧ ତା’ ବାପାଙ୍କ ଡିପାଟମେଣ୍ଟରେ ଜୁନିଅର ଇଞ୍ଜିନିୟର । ମଝିରେ ମଝିରେ କାମ ପଡ଼ିଲେ ଘରକୁ ଆସେ । ଡରୋଥିକୁ ଦେଖି, ତା’ ସାଙ୍ଗରେ କଥାବର୍ତ୍ତା କରି ସେ ମୁଗ୍ଧ ହେଇଥିଲା । ଆଙ୍ଗ୍ଲୋଇଣ୍ତିଆନ୍‍ମାନେ କ୍ରାଇମ୍‌ ନଭେଲ ଛଡ଼ା ଆଉ କିଛି ପଢ଼ନ୍ତିନି । ଡାକ୍ତର, ପ୍ରଫେସର, ବିଦ୍ୱାନ, ପଣ୍ତିତ ଲୋକ ସେଇ ସୋସାଇଟିରେ ଆଦୌ ଦେଖା ଯାଆନ୍ତିନି । ଲେଖକ, ସାହିତ୍ୟିକ, ଇଣ୍ଟେଲେକ୍‌ଚୁଆଲ୍‌ କେହି ଜଣେ ହେଲେ ନାହିଁ ଆଙ୍ଗ୍ଲୋଇଣ୍ତିଆନ୍‌ କମ୍ୟୁନିଟିରେ, ‘‘ମୋର ପୂର୍ବ ପୁରୁଷ ଇଂରେଜ ଥିଲେ’’, ‘‘ବିଲାତରେ ଆମର ଜମିଦାରୀ ଥିଲା’’, ‘‘ମୋର କଲର୍‌ ଆଉ ଫିଗର ଯାହା, ମୁଁ ବିଲାତ ଫେରିଗଲେ କେହି ମୋତେ ସେଠି ଇଂରେଜ ଛଡ଼ା ଆଉ କିଛି ବୋଲି ମନେ କରିବେନି ।’’ ଏଇ ପ୍ରକାର ମିଥ୍ୟା ଆତ୍ମବଡ଼ିମା ବୋଧ ନେଇ ସେମାନେ ରହିଥାନ୍ତି । ଏଇ ଧାରଣା ଆଗେ ଥିଲା ସୁବୋଧ ମନରେ । କିନ୍ତୁ ଡରୋଥିକୁ ଭଲଭାବେ ଜାଣି ପାରିବା ପରେ ତା’ର ମନେହେଲା ଯେ ଏଇ ଗୋଟିକ ଅନ୍ତତଃ ସେଇ ସୋସାଇଟ ଭିତରେ ଏକ୍ସେପ୍‌ସନାଲ୍‌ !

 

ସେଲି, ବାଇରନ୍‌, କୀଟ୍‌ସ, ଓ୍ୱାର୍ଡ଼ସ୍‌ଓ୍ୱାର୍ଥଙ୍କ କବିତା ସମ୍ବନ୍ଧରେ କି ଗଭୀର ଜ୍ଞାନ ଡରୋଥିର ! ରବୀନ୍ଦ୍ର-ସାହିତ୍ୟ ପ୍ରତି କି ଅନୁରାଗ ତା’ର ! ମୁଗ୍ଧ ହେଇଗଲା ସୁବୋଧ ।

 

ରବୀନ୍ଦ୍ର-ସାହିତ୍ୟର ଇଂରାଜୀ ତର୍ଜମା ଡରୋଥି ଉପହାର ଦେଲା ସୁବୋଧକୁ । ଓମର୍‌ ଖୟାମ ଓ ବାର୍ଣ୍ଣସ୍‌ର କବିତା ବହି ସୁବୋଧ ଦେଲା ଡରୋଥିକୁ । ବହି ଦିଆ ନିଆ ହେଉଁ ହେଉଁ ମନ ଦିଆ ନିଆ ହେଇଗଲା । ଡରୋଥି ଠିକ୍‌ କଲା ସୁବୋଧକୁ ବାହା ହେବ ।

 

ସୁବୋଧକୁ ସାଙ୍ଗରେ ନେଇ ସେ ବୁଲାବୁଲି କରୁଥିବାରୁ ଖୁବ୍‌ ଅସନ୍ତୁଷ୍ଟ ହେଇଥିଲେ ଆଙ୍ଗ୍ଲୋଇଣ୍ତିଆନ୍‍ ସମାଜର ସମସ୍ତେ । କମ୍ୟୁନିଟିର ଅନ୍ୟାନ୍ୟ କେତେକ ପିଲା, ଯୋଉମାନେ ମନେମନେ ଭାବି ରଖିଥିଲେ ‘ପ୍ରପୋଜ୍‌’ କରିବେ ବୋଲି, ସେମାନେ ହେଇ ଉଠିଲେ ଡରୋଥିର ପ୍ରଧାନ ଶତ୍ରୁ ! କାହିଁକି ? ଆମ ସମ୍ପ୍ରଦାୟ ଭିତରେ କ’ଣ ଭଲ ପିଲା ନାହାନ୍ତି ଯେ ଡରୋଥି ବାହାହେବ ଗୋଟାଏ ଇଣ୍ତିଆନ୍‍କୁ ?

 

ନାନା ପ୍ରକାର କଥା ବାପାଙ୍କ କାନକୁ ଗଲା । ବାପା-ମାଆ ବିରକ୍ତ ହେଇ କହିଲେ, ତୁ ଆଉ ସୁବୋଧ ସାଙ୍ଗରେ ବାହାରକୁ ଯିବୁନି ।

 

ଡରୋଥି କହିଲା, ମୁଁ ଠିକ୍‌ କରିଚି ତାକୁ ବାହାହେବି ।

 

ହ୍ୱାଟ୍‌, ୟୁ ଉଇଲ୍‌ ମେରି ଏନ୍‌ ଇଣ୍ତିଆନ୍‌ ? ତୋତେ ଲଜ୍ଜା ଲାଗୁନି ଏ କଥା କହିବାକୁ ? ବାପା ଗର୍ଜ୍ଜନ କରି ଉଠିଲେ ।

 

ମାଆ ବୁଝାଇ କହିଲେ, ଡରୋଥି, ତୁ କେତେ ସୁନ୍ଦର ହେଇଚୁ । ଠିକ୍‌ ଇଂରେଜ ଝିଅ ପରି । ମୋ କଥା ଛାଡ଼, ତୋ ବାପାଙ୍କୁ ବି ଲୋକେ ଥ୍ରୀ-କ୍ୱାଟର ଇଂଲିସ ବୋଲି ଭାବିବେ । କିନ୍ତୁ ତୋତେ ଦେଖିଲେ ଯେ କେହି ମନେ କରିବ, ତୁ ପୂରାପୂରି ଇଂରେଜ । ଆମ ସୋସାଇଟିର କେତେ ଝିଅ, ଯୋଉମାନେ ତୋ ଭଳି ଗୋରା ନୁହନ୍ତି, ସେମାନେ ବି ଇଂରେଜମାନଙ୍କୁ ବାହାହେଇ ଚାଲିଗଲେ, ସୁଖରେ ଘର ଦୁଆର କରି ରହିଛନ୍ତି ବିଲାତରେ ।

 

‘‘ଆମେ ଖାଣ୍ଟି ଇଂରେଜ, ତେବେ ଇଣ୍ତିଆରେ ବେଶି ଦିନ ରହି ଯାଇଛୁଁ; ସେଇଥିପାଇଁ ଦେହଟା ଟିକିଏ ‘ବ୍ରାଉନ୍‌’ ହେଇ ଯାଇଚି । ଉଃ, ଯୋଉ କଦର୍ଯ୍ୟ ଗରମ ସେଠି !’’ ଏଇ ଭଳିଆ କହି କୌଣସି ପ୍ରକାରେ ମିଶି ଯାଉଚନ୍ତି ସେମାନଙ୍କ ଠାରୁ ଯଥେଷ୍ଟ ବେଶୀ ।

 

ବାପା କହନ୍ତି, ନିଶ୍ଚୟ !

 

ମାଆ ବୁଝାନ୍ତି, ତୁ କାହିଁକି ଚେଷ୍ଟା କରୁନୁ କୌଣସି ଇଉରୋପୀଆନ୍‌କୁ ବାହା ହେବା ପାଇଁ ? ସବୁବେଳେ ମନେ ରଖିଥା, ଏ ଦେଶ ଆମର ନୁହେଁ । ଏ ଦେଶ ସାଙ୍ଗରେ ଆମର କୌଣସି ସମ୍ପର୍କ ନାହିଁ, ଏଟା ଆମର କଲୋନୀ–ଆମ ନିଜ ଦେଶ ଇଂଲଣ୍ତ । ଯଦି କେବେ ଭାରତ ସତକୁ ସତ ସ୍ୱାଧୀନ ହେଇଯାଏ, ଆମ ପକ୍ଷରେ ଏଠି ରହିବା ସମ୍ଭବପର ହେବନି !

କାହିଁକି ନୁହେଁ ମାଆ ?

ଯୋଉମାନଙ୍କ ଉପରେ ଏତେ ଦିନ ପ୍ରଭୁତ୍ୱ କରି ଆସିଛନ୍ତି, ସେଇମାନଙ୍କ ସାଙ୍ଗରେ ସମାନ ହେଇ ରହିବା ?

ସେଥିରେ କ୍ଷତି କ’ଣ ?

ଝିଅର ମଥା ଖରାପ ହେଇ ଗଲାଣି ସେଇ ଇଣ୍ତିଆନ୍‍ ଟୋକାଟା ସାଙ୍ଗରେ ପଡ଼ି ! ବାପା ରାଗି ଉଠନ୍ତି । ଅଳ୍ପକେ ରାଗିଯିବା ତାଙ୍କ ଅଭ୍ୟାସ ।

ମାଆ କିନ୍ତୁ ସହଜେ ରାଗିବା ଲୋକ ନୁହନ୍ତି । ସେ ବୁଝାନ୍ତି, ଇଣ୍ତିଆନ୍‍ମାନେ ଆମକୁ ଘୃଣା କରନ୍ତି । ସେମାନଙ୍କ ସମାଜରେ ଆମର କିଛି ମର୍ଯ୍ୟାଦା ନାହିଁ । ଆମର ମର୍ଯ୍ୟାଦା ବୁଝନ୍ତି କେବଳ ଇଂରେଜମାନେ ।

ପରଦିନ ସନ୍ଧ୍ୟାବେଳେ ବାପା-ମାଆଙ୍କ ସାଙ୍ଗରେ ଡରୋଥି ଗଲା ଇନ୍‌ଷ୍ଟିଚିଉଟ୍‌କୁ ।

ଡାନ୍ସ ଆରମ୍ଭ ହେଲା । ବାପା-ମାଆ ସାଙ୍ଗହେଇ ନାଚିଲେ । ସମସ୍ତେ ନାଚୁଥିଲେ । କେହି ଆଗେଇ ଆସିଲେନି ଡରୋଥି ସାଙ୍ଗରେ ନାଚିବା ପାଇଁ ।

ଡରୋଥି ତା’ର ବାନ୍ଧବୀକୁ ଡାକିଲା–ରୋଜାଲିନ୍‌, କମ୍‌, ଡାନ୍ସ, ଉଇଥ୍‌ ମି ।

ରୋଜାଲିନ୍‌ ମଥା ହଲେଇଲା ।

ଡରୋଥି ଡାକିଲା ଆଙ୍ଗ୍ଲୋଇଣ୍ତିଆନ୍‍ ଯୁବକ ଖ୍ରୀଷ୍ଟୋଫରକୁ । ସେ ବମ୍ବେ ମେଲ୍‌ର ଇଞ୍ଜିନ ଡ୍ରାଇଭର । କହିଲା–ଖ୍ରୀଷ୍ଟୋଫର, ଉଇଲ୍‌ ୟୁ ପ୍ଲିଜ୍‌ ?

ଗମ୍ଭୀର ହେଇ ସେ ଉତ୍ତର ଦେଲା–ଏକ୍ସକିଉଜ୍‌ ମି ।

ଅଧୈର୍ଯ୍ୟ ହେଇ ଡରୋଥି ଚାହିଁଲା ଫର୍ଡ଼ିନାଣ୍ତ ଆଡ଼କୁ । ଫର୍ଡ଼ିନାଣ୍ତ, ତମେ ?

ସରି ! କହିଦେଇ ଫର୍ଡ଼ିନାଣ୍ତ ମୁହଁ ବୁଲେଇ ନେଲା ।

ସବୁକିଛି ଲକ୍ଷ୍ୟ କରୁଥାଆନ୍ତି ବାପା-ମାଆ । କିଛି କହୁ ନ ଥାନ୍ତି ।

ଡରୋଥି ସମସ୍ତଙ୍କ ଆଡ଼କୁ ଚାହିଁ କହିଲା, ହୁ ଉଇଲ୍‌ ଡାନ୍ସ ଉଇଥ୍‌ ମି ?

କ୍ରୂର ଆଖିରେ, ବିଦ୍ରୂପ-ହସ-ଭରା ମୁହଁରେ ଏତେବେଳଯାଏ ତା’ ଆଡ଼ିକି ଅନେଇ ରହିଥିଲେ ମାଇକେଲ ସିଲାସ୍‌–ଆଙ୍ଗ୍ଲୋଇଣ୍ତିଆନ୍‌ ସମାଜର ରିଂ ଲିଡାର୍‌ । ଏକା ସାଙ୍ଗରେ କହି ଉଠିଲେ ସେ ଦୁହେଁ–ନୋ ବଡ଼ି ଉଇଲ୍‌ ଡାନ୍ସ ଉଇଥ୍ ଡରୋଥି । କେହି ନାଚିବେ ନାହିଁ ଡରୋଥି ସାଙ୍ଗରେ । ଆଜିଠାରୁ ତାକୁ ସୋସାଇଟିରୁ ବୟ୍‌-କଟ୍‌ କରା ହେଇଚି । ଲେଟ୍‌ ହାର୍‌ ଗୋ ଟୁ ଦ’ ଇଣ୍ତିଆନ୍‌ ଇନ୍‌ଷ୍ଟିଚିଉଟ୍‌....ତା’ପରେ ଡରୋଥିର ବାପା ଓ ମାଆଙ୍କ ଆଡ଼କୁ ଅନାଇ ଦୁହେଁ କ୍ଷମା ମାଗିନେଲେ–ଏକ୍ସକିଉଜ୍‌ ଆସ୍‌ ଅଙ୍କଲ ।

ମାଆ-ବାପା କହିଲେ, ଆମର ସେଥିରେ କହିବାର କ’ଣ ଅଛି ?

ଡରୋଥି ବୁଝିଲା, ତା’ ବିରୁଦ୍ଧରେ ହେଇଚି ରୀତିମତ ଗୋଟାଏ ଷଡ଼ଯନ୍ତ୍ର । ଆଉ ଏଥିରେ ତା’ ବାପା ମାଆ ବି ପରୋକ୍ଷ ଭାବେ ସଂପୃକ୍ତ । ସେ ପାଟିକରି କହିଲା, ମୋତେ ଏ ଇନ୍‌ଷ୍ଟିଚ୍ୟୁଟ୍‌ରୁ ବାହାର କରି ଦେବାର ଅଧିକାର କାହାରି ନାହିଁ ।

 

ମି: ମେକେଞ୍ଜ ଠିଆ ହେଇ ସବୁ ଦେଖୁଥିଲେ । ସେ ରେଲ୍‌ଓୟେରେ ଗାର୍ଡ଼ । ନିତାନ୍ତ ନିରୀହ ଭଦ୍ରଲୋକ । ସମସ୍ତଙ୍କଠାରୁ ବୟୋଜ୍ୟେଷ୍ଠ । ରିଟାୟାର୍‌ କରିବେ ଆଉ ବର୍ଷକ ପରେ । ତାଙ୍କୁ ମାନନ୍ତି ସୋସାଇଟିର ସମସ୍ତେ । ଡରୋଥି ପ୍ରତି ତାଙ୍କ ମନ ଭିତରେ ଟିକିଏ ସହାନୁଭୂତି ଥିଲା-। କହିଲେ, ନାଁ, ଇନ୍‌ଷ୍ଟିଚିଉଟ୍‌ରୁ ତୋତେ କେହି ବାହାର କରିଦେଇ ପାରିବେନି । ତୁ ତୋର ଭାରତୀୟ ବନ୍ଧୁକୁ ଏଠିକି ‘ଗେଷ୍ଟ’ ଭାବରେ ଆଣିପାରୁ....ତା’ ସାଙ୍ଗରେ ନାଚିପାରୁ ।

 

ମାଇକ୍‌ ଓ ସିଲାସ୍‌ କହି ଉଠିଲେ, Yes yes no objection. She can dance here with her Indian boy-friend. We shall rather ‘enjoy’ it.

 

All-right. ଫୋନ୍‌ ଧରିଲା ଡରୋଥି । ରିଂ କଲା ସୁବୋଧକୁ–ସୁବୋଧ, ଆଇ ଏମ୍‌ ଡରୋଥି ସ୍ପିକିଂ–କେନ୍‌ ୟୁ କାମ୍‌ ଟୁ ଦ’ ଇନ୍‌ଷ୍ଟିଚିଉଟ୍‌ ଉଇଦିନ୍‌ ଫାଇବ୍‌ ମିନିଟ୍‌ସ୍‌ ?

 

ଇନ୍‌ଷ୍ଟିଚିଉଟ୍‌ର ଠିକ୍‌ ସାମ୍ନାରେ ସୁବୋଧର ‘A’ ଟାଇପ୍‌ କ୍ୱାଟର୍‌ । ସେ କୁଆଡ଼େ ବାହାରୁଥିଲା । ଏତିକିବେଳେ ପାଇଲା ଡରୋଥିର ରିଂ । ଡରୋଥି ତ ତା’ କ୍ୱାଟର ଦେଖିଚି, ଏଠିକି ନ ଆସି ସେଠୁ କାହିଁକି ରିଂ କଲା ଭାବି ଟିକିଏ ଆଶ୍ଚର୍ଯ୍ୟ ହେଲା । ତା’ପରେ ରାସ୍ତା କ୍ରସ୍‌ କରି ଚାଲି ଆସିଲା ଇନ୍‌ଷ୍ଟିଚିଉଟ୍‌ ଭିତରକୁ ।

 

ସୁବୋଧ, ୟୁ ଡାନ୍ସ ଉଇଥ୍‌ ମି ।

 

ବଟ୍‌....ବଟ୍‌ ଆଇ ଡୁ ନଟ୍‌ ନୋ ହାଓ ଟୁ ଡାନ୍ସ !

 

ହୋ ହୋ ହସରେ ସାରା ଇନ୍‌ଷ୍ଟିଚିଉଟ୍‌ଟା କମ୍ପି ଉଠିଲା । ହତଭମ୍ଭ ହେଇ ଠିଆ ହୋଇ ରହିଗଲା ସୁବୋଧ । ଡରୋଥିର ମୁହଁ ଜଳିଗଲା ଅପମାନରେ । ଚେଆରରେ ବସି ପଡ଼ି...ବିଲିୟାର୍ଡ଼ ଟେବୁଲ ଉପରେ କହୁଣୀ ରଖି ଦି’ ପାପୁଲିରେ ମୁହଁ ଢାଙ୍କି ସେ କାନ୍ଦି ଉଠିଲା ଛୋଟ ଶିଶୁଟିଏ ପରି ।

 

Unknown

ତାକୁ ଚାହିଁ ବାପା ମାଆ ଠିଆ ହେଇଥାନ୍ତି ଆଗପରି, ନାହିଁ ସେମାନଙ୍କ ମୁହଁରେ କୌଣସି ଅଭିବ୍ୟକ୍ତି ! ପୁଣି ବାଜି ଉଠିଲା ଅର୍କେଷ୍ଟ୍ରା, ଆରମ୍ଭ ହେଲା ନାଚ–କେହି ଫେରି ଚାହିଁଲେ ନାହିଁ ଡରୋଥି ଆଡ଼କୁ–ବାପା ବି ମାଆ ସାଙ୍ଗରେ ନାଚରେ ଯୋଗ ଦେଇଚନ୍ତି । କୋହ ଉଠାଇ କାନ୍ଦି ଚାଲିଚି ଡରୋଥି........

 

ଏଇ ସବୁ ତାମସା ଯେତେବେଳେ ସେଠି ଚାଲିଥିଲା ସେତେବେଳେ ଇନ୍‌ଷ୍ଟିଚିଉଟ୍‌ ଭିତରେ ଗୋଟିଏ କଣକୁ ଲାଗି ଯୋଉଠି ଟେବୁଲ ଆଉ ଚେୟାର ସବୁ ପଡ଼ିଚି (ସେଠି ଖାଲି ଖବରକାଗଜ ଆଉ ମ୍ୟଗାଜିନ ରଖା ହେଇଥାଏ, କେହି ଇଚ୍ଛା କଲେ ପଢ଼ିବ...) ସେଇ ପାଖରେ ବସିଥିଲେ ଜଣେ ଇଂରେଜ ଭଦ୍ରଲୋକ । ସୁନ୍ଦର, ସ୍ୱାସ୍ଥ୍ୟବାନ, ବୟସ ହେବ ଚାଳିଶି ପାଖାପାଖି । ବସି ବସି ସବୁ ଦେଖୁଥିଲେ ସେ । ମ୍ୟାଗାଜିନ୍‌ଟା ରଖିଦେଇ ହଠାତ୍‌ ଉଠି ଆସିଲେ ଡରୋଥି ପାଖକୁ । ତା’ ହାତ ଧରି କହିଲେ–You must not cry……

 

ଡରୋଥି ମୁହଁ ତୋଳି ଚାହିଁଲା ଲୁହଧୁଆ ଆଖିରେ ।

 

କମ୍‌, ଡାନ୍ସ ଉଇଥ୍‌ ମି...

 

ମନ୍ତ୍ର-ମୁଗ୍ଧ ଭଳି ତାଙ୍କ ଆଖିରେ ଆଖି ରଖି ଠିଆ ହୋଇ ପଡ଼ିଲା ଡରୋଥି ।

 

ଆଇ ସେ, ଡାନ୍ସ ଉଇଥ୍‌ ମି ।

 

ଅର୍କେଷ୍ଟ୍ରା ସାଙ୍ଗରେ ଷ୍ଟେପ ମିଳେଇବାକୁ ଆରମ୍ଭ କରିଦେଲା ଡରୋଥି । ଫେରି ଚାହିଁଲାନି ସୁବୋଧ ଆଡ଼କୁ । ମୁହଁ ତଳକୁ କରି ସୁବୋଧ ସେଠୁ ଚାଲି ଆସିଲା । ଡରୋଥି ଦେଖିଲା ବାପା ମାଆଙ୍କ ମୁହଁରେ ଫୁଟି ଉଠିଚି ହସ–ଅନ୍ୟାନ୍ୟ ଝିଅମାନଙ୍କ ମୁହଁରେ ଈର୍ଷା–କଳା ପଡ଼ି ଯାଇଚି ମାଇକ୍‌ ଆଉ ସିଲାସ୍‌ର ମୁହଁ । ଜଣେ ଇଂରେଜ ସାଙ୍ଗରେ ନାଚୁଛି ଡରୋଥି–କେଡ଼େ ବଡ଼ ସମ୍ମାନର କଥା–କେଡ଼େ ବଡ଼ ସୌଭାଗ୍ୟର କଥା ଜଣେ ଆଙ୍ଗ୍ଲୋଇଣ୍ତିଆନ୍‍ ଝିଅ ପକ୍ଷରେ । ତା’ର ମାନମର୍ଯ୍ୟାଦା ଖାଲି ରକ୍ଷା କରି ଦେଇ ନାହାନ୍ତି ମି: ଉଇଲିୟମ୍‌ସ, ଯଥେଷ୍ଟ ବଢ଼େଇ ଦେଇଛନ୍ତି ସୋସାଇଟିରେ । ତାଙ୍କ ପାଖରେ କୃତଜ୍ଞ ସେ !

 

ଚମତ୍କାର ଲୋକ ମି: ଉଇଲିୟମ୍‌ସ । ଘର ଖାସ ଲଣ୍ତନରେ । ଅବିବାହିତ । ଏଠି ଆକ୍ସିଜେନ ପ୍ଲାଣ୍ଟରେ ସୁପରିଣ୍ଟେଣ୍ତେଣ୍ଟ । ଆସିଛନ୍ତି କଣ୍ଟ୍ରାକ୍ଟ ବେସିସରେ । କଣ୍ଟ୍ରାକ୍ଟ ସରିଗଲେ ପୁଣି ଫେରିଯିବେ ସେଫିଲ୍‌ଡ । ସେଠି ସେ ସ୍ପେସେଲାଇଜ୍‌ଡ ଇଞ୍ଜିନିୟର ।

 

ଏତେ ବଡ଼ ! ତଥାପି ଟିକିଏ ହେଲେ ଗର୍ବ ନାହିଁ ମନରେ । ସବୁବେଳେ ସେ ଯାଆ-ଆସ କରନ୍ତି ଡରୋଥି ଘରକୁ । ଗାଡ଼ିରେ ବୁଲେଇ ନେଇ ଯା’ନ୍ତି ତାକୁ । ବାପା-ମାଆ ଖୁସି ହୁଅନ୍ତି । ଉତ୍ସାହିତ କରନ୍ତି । ସୁବୋଧ ହଜିଗଲାଣି କୁଆଡ଼େ । ମି: ଉଇଲିୟମ୍‌ସଙ୍କୁ ଭଲ ପାଇଚି ଡରୋଥି ।

 

ସୁବୋଧ ଥରେ ଡାକିଥିଲା–ଡରୋଥି, ମୋ ସାଙ୍ଗରେ ଆଜି ସନ୍ଧ୍ୟାବେଳେ ଯାଇ ପାରିବ ବୁଲିବାକୁ ? କଥା ଅଛି.....

 

ନା, ଆଜି ମୋର ବ-ହୁ-ତ ପଢ଼ାପଢ଼ି ଅଛି–ମୁଁ କୁଆଡ଼େ ଯାଇ ପାରିବିନି ।

 

କାଲି ?

 

ଦେଖାଯିବ ।

 

ସେଇଦିନ ସନ୍ଧ୍ୟାବେଳେ ଉଇଲିୟମ୍‍ସ ସାଙ୍ଗରେ ଡ୍ରାଇଭ କରି ଆସୁଚି ସେ ଆଡ଼ୁ ଡରୋଥି, ଏଣୁ ସ୍କୁଟରରେ ଯାଉଚି ସୁବୋଧ, ଭେଟାଭେଟି ହେଇଗଲା,–ଖୁବ୍‌ ଜୋରରେ ସ୍କୁଟର ଛୁଟେଇ ଚାଲିଗଳା ସୁବୋଧ–ଖୁବ୍‌ ଜୋରରେ ଏକ୍ସିଲେଟର ଚାପି ଧରିଲେ ମିଃ ଉଇଲିୟମ୍‍ସ...ଚାପା ଗଳାରେ କହିଲେ-‘‘ବ୍ଲଡି ଫୁଲ୍‌...’’

 

ଡରୋଥି ଗମ୍ଭୀର ହେଇ ବସି ରହିଲା ।

 

ତା’ପରେ ଦିନ ସୁବୋଧ କ’ଣ ପଚାରିବ–ଡରୋଥି ଜାଣିଥିଲା–କ’ଣ ଉତ୍ତର ଦେବ, ସେଥିପାଇଁ ପ୍ରସ୍ତୁତ ହେଇ ରହିଥିଲା ।

 

ସୁବୋଧ ସାଙ୍ଗରେ ଦେଖା ହେଲା ପର ଦିନ । ସୁବୋଧ ତାକୁ କିଛି କହିଲାନି–ସେ ବି କିଛି କହିଲାନି ସୁବୋଧକୁ । ସେଇ ଦିନଠୁଁ କେହି ଆଉ କାହାରିକି କିଛି କହିଲେନି....

 

ପରୀକ୍ଷା ସରି ଯାଇଚି ଡରୋଥିର ।

 

ଶୁଣିଲା, ସୁବୋଧ ଯାଉଚି ଜର୍ମାନୀ ଉଚ୍ଚ-ଶିକ୍ଷା ପାଇଁ । ଭାବିଲା ସେ ନିଶ୍ଚୟ ଆସିବ, ତାକୁ ଦେଖା କରିଯିବ ।

 

କିନ୍ତୁ ସୁବୋଧ ଆସିଲାନି ।

 

ଡରୋଥି ପରେ ଖବର ପାଇଲା–ସେ ଚାଲିଯାଇ ସାରିଚି ।

 

ଅନ୍ଧକାର ଏରୋଡ୍ରାମ୍‍ ପଡ଼ିଆରେ ଦୁହେଁ ବସିଥିଲେ ପାଖାପାଖି । ଡରୋଥି ଆଉ ଉଇଲିୟମ୍‌ସ । ବିରାଟ ଏକ ଆଲୋକ ରେଖା ଛାୟାପଥ ପରି ଉଠି ଯାଇଚି ଅନନ୍ତ ଆକାଶକୁ । ଡରୋଥି ପଚାରିଲା ଏଇଟା କ’ଣ ?

 

ସାର୍ଚ୍ଚ ଲାଇଟ ! ବ୍ୟୋମଚାରୀକୁ ଏଇ ଆଲୋକ ମାଟିର ସନ୍ଧାନ ଦିଏ !!

 

ଉଇଲିମ୍‌ସଙ୍କ କଥାଗୁଡ଼ା ମଝିରେ ମଝିରେ ବଡ଼ ଅବୋଧ୍ୟ । ଅନେକ ସମୟରେ ଦାର୍ଶନିକ ପରି କଥା କହନ୍ତି ସେ ।

 

ଡରୋଥି କହେ–ମୋତେ ଭାରି ଭଲ ଲାଗେ ତମ ଦେଶର କବିମାନଙ୍କୁ ଉଇଲିମ୍‌ସ । ଟେନିସନ୍‌ ଆଉ ଓ୍ୱାର୍ଡ଼ସ୍‍ଓ୍ୱାର୍ଥ......ଭିତରେ କାହାକୁ ତମର ଭଲ ଲାଗେ ?

 

ଟେନିସନ୍‌ ? ଓ୍ୱାର୍ଡ଼ସ୍‍ଓ୍ୱାର୍ଥ ? ଦେ ଆର୍‌ ଗ’ନ୍‌ ! ସେମାନେ କେହି ନାହାନ୍ତି ଏଠି । କ’ଣ ଲାଭ ସେମାନଙ୍କ କଥା ଆଲୋଚନା କରି ? ଏଠି ବର୍ତ୍ତମାନ ଅଛୁଁ କେବଳ ଆମେ ଦୁହେଁ–ତମେ ଆଉ ମୁଁ–ଲେଟ୍‌ ଆସ୍‌ ଟକ୍‌ ଅଫ୍‌ ଆଓ୍ୱାର ସେଲଭସ୍‌....

 

ଯେତେ ରାତି କରି ସେମାନେ ଘରକୁ ଫେରିଲେ ବି କିଛି କହନ୍ତିନି–ବାପା-ମାଆ । ଉଇଲିୟମ୍‌ ସାଙ୍ଗରେ ଡରୋଥିର ମିଳାମିଶା ଦେଖି ଖୁସି ହୁଅନ୍ତି ସେମାନେ । ଜଳିପୋଡ଼ି ମରନ୍ତି ଈର୍ଷାରେ ରୋଜାଲିନ୍‌, ମାର୍ଗାରେଟ୍‌, ଷ୍ଟେଲା, ଫ୍ରାଙ୍କି । ବଢ଼ିଯାଇଚି ଡରୋଥିର ସମ୍ମାନ ଆଙ୍ଗ୍ଲୋଇଣ୍ତିଆନ୍‌ ସମାଜରେ । ସମସ୍ତଙ୍କର ଧାରଣା, ସେ ଦୁହେଁ ଏନଗେଜ୍‌ଡ । ସୋସାଇଟିର ସମସ୍ତେ ଜାଣନ୍ତି–କଣ୍ଟ୍ରାକ୍ଟ ଶେଷ ହେଲେ ଆଉ ବର୍ଷକ ପରେ ଫେରିଯିବ ଉଇଲିୟମ୍‌ସ, କିନ୍ତୁ ଏକା ଫେରିବନି ସାଙ୍ଗରେ ନେଇଯିବ ଡରୋଥିକୁ । ଡରୋଥିର ଭାଗ୍ୟ ଖୁବ୍‌ ଭଲ !

 

ହଠାତ୍‌ ଦିନେ ଉଇଲିୟମ୍‌ସ କହିଲା, ଡରୋଥି, ମୁଁ କାଲି ଚାଲି ଯାଉଛି ଇଂଲଣ୍ତ । ଆଉ ବୋଧହୁଏ ଆସିବିନି...

 

ମାନେ ? ତମର କଣ୍ଟ୍ରାକ୍ଟ....

 

କମ୍ପେନସେସନ୍‌ ଦେଇ ମୁଁ କଣ୍ଟ୍ରାକ୍ଟ ଭାଙ୍ଗି ଦେଇଚି । ଆଉ ଏଠି ଭଲ ଲାଗୁନି । ତା’ଛଡ଼ା ଆସନ୍ତା ମାସ ମୋର ମ୍ୟାରେଜ୍‌.....

 

ମ୍ୟାରେଜ୍‌ ପାଇଁ କ’ଣ ପୁଣି ତମେ ଆସିବ ଆସନ୍ତା ମାସ ? ବର୍ତ୍ତମାନ ସେଇଟା ହେଇଗଲେ ହୁଅନ୍ତା...କିଛି ଦିନ ପରେ ଆମେ ଏକାଥରେ ଚାଲି ଯାଆନ୍ତେ । କାଲି ଯାଇ, ପୁଣିଥରେ .....

 

ମୋର ବିବାହ ହେବ ଇଂଲଣ୍ତରେ ।

 

ମୋର କିନ୍ତୁ ଇଚ୍ଛା ଥିଲା ବାହାଘରଟା ଏଇଠି ହେଇଥିଲେ ସୋସାଇଟିର ସମସ୍ତେ ଦେଖିଥାନ୍ତେ....

 

କିନ୍ତୁ ଲୁସି ଇଣ୍ତିଆ ଆସିବାକୁ ପସନ୍ଦ କରିବନି

 

ଲୁସି ?

 

ହଁ, ମୋର ଗାର୍ଲ-ଫ୍ରେଣ୍ତ୍‌–ଯାହାକୁ ମୁଁ ବାହା ହେବାକୁ ଯାଉଚି...

 

ତମେ ମୋତେ ବାହା ହେବନି ଉଇଲିୟମ୍‌ସ ?

 

ପାଗଳ ହେଲ !!! ତମ ପରି ଅନେକ ଝିଅ ମୋ ପ୍ରେମରେ ପଡ଼ିଛନ୍ତି ! ତା’ବୋଲି.....Am I to marry every girl who will fall in love with me-???

 

ୟୁ ଟ୍ରେଟର୍‌ !!!

 

ମୁଁ କେବେ କହିଥିଲି ତମକୁ ବାହା ହେବି ବୋଲି ?

 

ୟୁ ଟ୍ରେଟର !!! ଡୋଣ୍ଟ୍‌ ୟୁ ନୋ’ ଆଇ ଏମ୍‌ ଗୋଇଙ୍ଗ୍‌ ଟୁ ବି ମଦର୍‌....ମୁଁ ତମ ସନ୍ତାନର ମାଆ ହେବାକୁ ଯାଉଚି ଉଇଲିୟମ୍‌ସ !

 

ଏଡ଼େ ବିଶ୍ୱାସଘାତକ ତମେ ?

 

ଡରୋଥି, ମୁଁ ଲର୍ଡ଼ ଫେମିଲିର ବଂଶଧର । ଯଦି ଗୋଟାଏ ଇଣ୍ତିଆନ୍‍ ଝିଅକୁ ବାହା ହୁଏଁ–ସେଟା ବରଂ ସହ୍ୟ କରିନେବେ ସମସ୍ତେ; କିନ୍ତୁ ଏଙ୍ଗ୍ଲୋଇଣ୍ତିଆନ୍‍କୁ ବାହା ହବା କେହି ସହ୍ୟ କରିବେନି ଆମ ସୋସାଇଟିରେ ।

 

ତମେ ତେବେ ଏତେ ଦିନ ଧରି ...

 

ଏଠି ମୋର ଅନ୍ୟ କିଛି ଅବଲମ୍ବନ ନଥିଲା । ମୋର ନିଃସଙ୍ଗତା ଦୂର କରି ତମେ ମୋତେ ଯେଉଁ ଓ୍ୟାରମ୍‌ କମ୍ପେନିଅନ୍‌ସିପ୍‌ ଦେଇଚ, ସେଥିପାଇଁ ଚିରଦିନ ତମକୁ ମନେ ରଖିବି ।

 

ତମ ଭଳି ଝିଅଙ୍କୁ ମୋର ଭାରି ଭଲ ଲାଗେ ୟୁ ଆଙ୍ଗ୍ଲୋଇଣ୍ତିଆନ୍‍ ଗାର୍ଲସ୍‌ ଆର୍‌ ଆକ୍‌ଚ୍ୟୁଆଲି ଓଣ୍ଡରଫୁଲ୍‌ ! ତମେ ମୋତେ ସଙ୍ଗ-ଦାନ କରି ଯୋଉ ଆନନ୍ଦ ଦେଇଛ, ସେଥିପାଇଁ ମୁଁ ତମ ପାଖରେ କୃତଜ୍ଞ....

 

ୟୁ ଡାର୍ଟି ବିଷ୍ଟ ! ଡ୍ୟାମ୍‌ ୟୋର୍‌ ଗ୍ରେଟିଚିଉଡ୍‍ !!

 

ଡରୋଥି, ଆଇ ଲାଇକ୍‌ ୟୁ ।

 

ତା’ହେଲେ କାହିଁକି ତମେ ମୋତେ ବାହା ହଉନ ? ହ୍ୱାୟ ଡୋଣ୍ଟ୍‌ ୟୁ ମେରି ମି, ଦେନ୍‌-?

 

ଆଇ ‘ଲାଇକ୍‌’ ୟୁ; ବଟ୍‌ ଜଷ୍ଟ ଡୋଣ୍ଟ୍‌ ‘ଲଭ୍‌’ ୟୁ । ଆଉ ଠିକ୍‌ ସେଇଥିପାଇଁ ତମ ସାଙ୍ଗରେ ‘ପ୍ରେମ’ କରିପାରେଁ–କିନ୍ତୁ ‘ବାହା’ ହେଇ ପାରେନା । ଲୁସି ସାଙ୍ଗରେ ବହୁଦିନୁ ଏନ୍‌ଗେଜଡ୍‍ ।

 

ମୋର ତବେ କ’ଣ ହେବ ଉଇଲିୟମ୍‌ସ ? କାନ୍ଦି ପକାଇଲା ଡରୋଥି ।

 

ମୁଠାଏ ଶହେଟଙ୍କିଆ ନୋଟ୍‍ ତା’ ହାତରେ ଗୁଞ୍ଜିଦେଲେ ଉଇଲିୟମ୍‌ସ ।

 

ଏଇ ତମର ପାରିଶ୍ରମିକ ।

 

ନୋଟ୍‍ଗୁଡ଼ା ବାଜେ କାଗଜ ପରି ଟୁକୁରା ଟୁକୁରା କରି ଫୋପାଡ଼ି ଦେଲା ଡରୋଥି ଉଇଲିୟମ୍‌ସ ମୁହଁକୁ–

 

ୟୁ ବ୍ରୁଟ୍‌ ! କାହାର ସନ୍ତାନ ବୋଲି ମୁଁ ପରିଚୟ ଦେବି ମୋ ଅନାଗତ ଶିଶୁର ?

 

ପିଓର ଇଂଲିସ ବ୍ଲଡ୍‍ ମୁଁ ତମ ଦେହରେ ଛାଡ଼ି ଦେଇ ଯାଇଚି ଡରୋଥି । ବାପ, ତମର ଥ୍ରୀ କ୍ୱାଟର ଇଂଲିସ, ମାଆ ଓ୍ୟାନ୍‌ କ୍ୱାଟର, ତମେ ନାଇନ୍‌ଟି ପର୍ସେଣ୍ଟ, ଗର୍ବକରି ଏଥର କହି ପାରିବ ତମେ ଯେ ତମ ଅନାଗତ ସନ୍ତାନର ପିତା ସେଣ୍ଟ୍‌-ପରସେଣ୍ଟ୍‌ ଇଂଲିସ । ତମର ସନ୍ତାନ କହି ପାରିବ, ‘‘ମୋ ବାପା ଇଂରେଜ୍‌ !’’ ସୋସାଇଟିରେ ତା’ର ସମ୍ମାନ ବଢ଼ିବ–ତମର ସମ୍ମାନ ବଢ଼ିବ ! ଏଙ୍ଗ୍ଲୋଇଣ୍ତିଆନ୍‍ ସମାଜରେ ଏ ଧରଣର ଆଫେୟାର୍ସ ତ ଗୌରବର କଥା !

 

ଗୋଟାଏ ପ୍ରକାର ହସ ଅଛି, ଯାହା ଅଶ୍ରୁଠାରୁ ବି ଅଧିକ କରୁଣ ! ସେଦିନ ସେଇ ଲଜ୍ଜାକର କାହାଣୀ ଶେଷ କରି ଠିକ୍‌ ସେଇ ଭଳିଆ ହସଟିଏ ହସିଥିଲା ଡରୋଥି !

 

ଡରୋଥି କାହାଣୀ ନୁହେଁ, ଗୋଟାଏ ସ୍ୱୈରିଣୀ ଆଙ୍ଗ୍ଲୋଇଣ୍ତିଆନ୍‌ କୁମାରୀ ଜୀବନର ନିଛକ ମୁଖରୋଚକ ଏକ ବ୍ୟକ୍ତିଗତ କାହାଣୀ । କ୍ଷୟଷ୍ଣୁ, ସଂଖ୍ୟାଲଘୁ, ଆତ୍ମ-କୈନ୍ଦ୍ରିକ ଏକ ଦୟନୀୟ ସମ୍ପ୍ରଦାୟର ନଗ୍ନ ଚିତ୍ର ଏ । ତା’ କୁମାରୀ ଜୀବନର ନିଷିଦ୍ଧ ଅଧ୍ୟାୟର କେତୋଟି ଛିନ୍ନ ପୃଷ୍ଠା ଭିତରେଇ ସେ ସେଦିନ ତୋଳି ଧରିଥିଲା ମୋ ଆଗରେ ଏକ ସମାଜର ଇତିବୃତ୍ତ ! ଡରୋଥିର ସେଇ ଅତି ସଂକ୍ଷିପ୍ତ ଆତ୍ମକଥା ଶୁଣି ମୋର ମନେ ହେଇଥିଲା ଗଳ୍ପ କାହିଁକି ବିରାଟ ଗୋଟାଏ ଉପନ୍ୟାସ ବି ଲେଖି ହେବ ତା’ ଉପରେ !

 

ଯୋଉ ସମ୍ପ୍ରଦାୟ ଲୋପ ପାଇ ଚାଲିଚି, ଲୋପ ପାଇ ଆସୁଛି, ଖୁବ୍‌ ଶୀଘ୍ର ଏ ଦେଶରୁ ଲୋପ ପାଇଯିବ, ଆଉ କେତେ ବର୍ଷ ପରେ ଯୋଉମାନଙ୍କର ସ୍ୱାତନ୍ତ୍ର୍ୟ ବୋଲି କିଛି ଆଉ ରହିବନି ଏ ଦେଶର ମାଟିରେ–କାହିଁକି ସେମାନଙ୍କ ପ୍ରତି ମୋର ଏତେ ଅହେତୁକ କୌତୂହଳ, ଏଇ ପ୍ରଶ୍ନ ହୁଏତ ଉଠିବ ଅନେକଙ୍କ ମନରେ ।

 

କିନ୍ତୁ ଏଇ ପ୍ରଶ୍ନର ଉତ୍ତର ମୁଁ ନିଜେ ବି ଜାଣେନା । ସ୍ୱାଦ ବିଷୟରେ ବା ଖାଦ୍ୟ ସମ୍ବନ୍ଧରେ ଯେପରି ଲୋକଙ୍କ ଭିତରେ ରୁଚିର ବିଭିନ୍ନତା ଅଛି, ଏ ବି ଅନେକଟା ଠିକ୍‌ ସେହିପରି । ବିଶେଷ କୌଣସି ଖାଦ୍ୟ ପ୍ରତି, ବିଶେଷ କୌଣସି ଦେଶ ପ୍ରତି ଜଣ ଜଣଙ୍କର ଅନେକ ସମୟରେ ଅର୍ଥହୀନ କୌତୂହଳ ଦେଖାଯାଏ ।

 

ଆଜିଯାଏ ମୁଁ ବୁଝି ପାରିନି, ପୃଥିବୀରେ ଏତେ ମହାଦେଶ ଥାଉଁ ଥାଉଁ ଲାଟିନ୍‌ ଆମେରିକାର ଦେଶମାନଙ୍କ ସମ୍ବନ୍ଧରେ କାହିଁକି ପିଲାଦିନୁ ମୋ ମନ ଭିତରେ ରହିଚି ଦୁରନ୍ତ କୌତୁହଳ ! କାହିଁକି ମନଟା ସବୁବେଳେ ଛଟପଟ ହୁଏ ସେଇଠିକି ଉଡ଼ି ଯିବାପାଇଁ !! ମୋର ମନସ୍ତତ୍ତ୍ୱ ମୋ ନିଜ ପାଖରେ ବି ଅବୋଧ୍ୟ !!

 

ଅଥଚ, ସେଇ ଦେଶଗୁଡ଼ିକ ସମ୍ପର୍କରେ ପୃଥିବୀ ସବୁବେଳେ ନିର୍ଲିପ୍ତ ! ସମ୍ବାଦପତ୍ରର ପୃଷ୍ଠା କ୍ୱଚିତ୍‌ ଆଗ୍ରହୀ । ଯୋଉ ଭ୍ରମଣକାରୀମାନେ ନିଜକୁ ପୃଥିବୀ ପର୍ଯ୍ୟଟକ ବୋଲି ଦାବି କରିଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଯାଇ ନାହାନ୍ତି ଲାଟିନ୍‌ ଆମେରିକା । ସତେ ଯେପରି ସେଇଟା ପୃଥିବୀର ବାହାରେ !

 

ଆନ୍ତର୍ଜାତିକ ଯୁଦ୍ଧ ବିଗ୍ରହ, କଳହ, ବାକ୍‌ବିତାଣ୍ତରେ ସେଇ ସବୁ ଦେଶ ପ୍ରାୟ ଅଂଶଗ୍ରହଣ କରନ୍ତିନି । ସେଇ ସବୁ ଦେଶର ରାଷ୍ଟ୍ରନାୟକମାନଙ୍କ ନାମ ବି କେହି ମନେ ରଖିନ୍ତିନି । କାହାରି ଆଗ୍ରହ ନାହିଁ ସେମାନଙ୍କ ସମ୍ବନ୍ଧରେ । ଆଗ୍ରହୀ ଖାଲି ଏକାକୀ ମୁଁ !

 

କାହିଁକି ?

 

କ’ଣ ପାଇଁ ?

 

ଆଜିଯାଏ ବୁଝି ପାରିନି ।

 

ମୋତେ ଯଦି ଭାରତ ଛାଡ଼ି ଚାଲି ଯିବାକୁ କୁହାଯାଏ, ତେବେ ସେଇ ଦେଶ ଭିତରୁ କୌଣସି ଗୋଟିକୁ ମୁଁ ବରି ନେବି–ସନ୍ଦେହ ନାହିଁ ।

 

ହଁ, ମୋର ସେଇ କବିତା ପଢ଼ି ବାପା ଚିନ୍ତିତ ହେଇ କହିଲେ, ପିଲାଟା ଖରାପ ହେଇଗଲା । ଦାଦା ଖୁଡ଼ୀମାନେ ହସି ହସି କହିଲେ, ଯାହା ହେଉ, ଆମ ବଂଶରେ ଜଣେ କବି ବାହାରିଲା ! ହେଡ଼୍‍ମାଷ୍ଟର ମହାଶୟ ପିଠି ଥାପୁଡ଼େଇ ଦେଲେ–ସାବାସ୍‌ ବିଜୟ, ଏଇ ବୟସରେ ତୁ ତୋର ପ୍ରତିଭା ପ୍ରମାଣିତ କରିଛୁ, ଖୁବ୍‌ ଖୁସି ହେଇଚି ମୁଁ । ତୋରି ଭିତରେ ଲୁଚି ରହିଚି, ‘ତରୁ-ଦତ୍ତ’-! ତୁ ଆହୁରି ଲେଖ୍‌....

 

ସାଙ୍ଗ ସାଥୀମାନଙ୍କ ଠାରୁ ବି ଖୁବ୍‌ ସମ୍ବର୍ଦ୍ଧନା ମିଳିଥିଲା । ଅବିଭୂତ ହେଇପଡ଼ିଥିଲି ମୁଁ । ଭାବିଲି, ଯାହାକୁ ଉଦ୍ଦେଶ୍ୟ କରି ଏ କବିତା, ସେ କ’ଣ ଟିକିଏ ଜାଣି ବି ପାରିବନି ...

 

ଗଣିତକ ମହାଶୟ ସେଦିନ ତାଙ୍କ ପିରିୟଡ଼ରେ ମୋତେ ଗାରେଡ଼େଇ ଗାରେଡ଼େଇ ଚାହିଁ ଗମ୍ଭୀର ହୋଇ ପ୍ରଶ୍ନ କରିଥିଲେ, କି ହୋ କବି ! କାହା ପାଇଁ ଉଦ୍ଦିଷ୍ଟ ଏ କବିତା ? କିଏ ସେଇ ଅପରିଚିତା କିଶୋରୀ, ଯେ ତମ ମୁଣ୍ତ ଭିତରର ‘ବଶ’କୁ ଚୋବେଇ ଖାଇ ଯାଇ, ଷଣ୍ଢ ଗୋବରଗୁଡ଼ିଏ ତା’ ଭିତରେ ପୂରାଇଦେଇ ଥିବାରୁ ତମ ମସ୍ତିଷ୍କ ଏତେ ଉର୍ବର ହେଇ ଉଠିଚି ଯେ, ‘ଏ ପ୍ଲସ୍‌ ବି ହୋଲ୍‌ ସ୍କୋୟାର’ କେତେ ହେବ ଆସୁନି ? ବାସ୍ତବ ଅନୁଭୂତି ନ ଥିଲେ ହୃଦୟରେ ଏମିତି ଆବେଗ ତ ଫେଣେଇ ଉଠିବା ସମ୍ଭବ ନୁହେଁ ! ଟିକିଏ କହିଲ କହିଲ ଶୁଣିବା, କିଏ ସେ ସୌଭାଗ୍ୟବତୀ !

 

ରାଗରେ ମୋ ମୁହଁରୁ ବାହାରି ପଡ଼ିବାକୁ ଯାଉଥିଲା, ନିଶ୍ଚିନ୍ତ ରହନ୍ତୁ । ଆପଣଙ୍କ ‘ତରୁଣୀ-ଭାର୍ଯ୍ୟା’ ଅନ୍ତତଃ ସେ ନୁହେଁ !

 

କିନ୍ତୁ ସାରା କ୍ଲାସ୍‌ଟା ସେତେବେଳେ ହୋ ହୋ ହୋଇ ଏତେ ଜୋରରେ ହସି ଉଠିଲା ଯେ, ମୁଁ ଲାଜରେ ଲାଲ ହେଇଗଲି ।

 

ଯା’ହେଉ, ଉପରୋକ୍ତ କାରଣଗୁଡ଼ିକ ଯୋଗୁ ମୋ ଉପରେ ଘୋର ଅସନ୍ତୁଷ୍ଟ ଥାଆନ୍ତି ଗଣିତକ ମହାଶୟ । କିନ୍ତୁ ନିରୁପାୟ ! ମୁଁ ସେକ୍ରେଟେରୀଙ୍କ ପୁଅ !!

 

ଖାଲି ଉପନ୍ୟାସ ଓ ପ୍ରେମ କବିତା ନୁହେଁ; ସ୍ନୋ-ପାଉଡର ମାଖିବା ଆଉ ସିଗାରେଟ ଟାଣିବା ବି ତାଙ୍କ ବିଚାରରେ ଥିଲା ଅତି ଗୁରୁତର ଅପରାଧ ! କିନ୍ତୁ ପିଲାଏ ଯଦି ଇଉନିଭର୍ସିଆଲ ଏମ୍ପୋରିୟମରୁ ସ୍ନୋ, ପାଉଡର, ନଭେଲ.....ଏପରିକି ସିଗାରେଟ ପର୍ଯ୍ୟନ୍ତ କିଣନ୍ତି, ତେବେ ସେଇଟା ଦୋଷାବହ ନୁହେଁ !!

 

‘ଆଫ୍‌ଗାନ୍‌ ସ୍ନୋ’ ଚାହିଁଲେ କହନ୍ତି, ‘ହେଜେଲିନ୍‌’ ନିଅରେ ପିଲେ; ଭଲ ଜିନିଷ । ଦାମ୍‌ ଅବଶ୍ୟ ଟିକିଏ ବେଶୀ–ହେଲେ, ତମମାନଙ୍କ ପାଖରୁ ମୁଁ ଆଉ କ’ଣ ପ୍ରୋଫିଟ ନେବି ? କିଣା ଦାମରେ ଦେଉଛି, ନିଅ ।

 

‘ଗୋଲ୍‌ଡ ଫ୍ଲେକ୍‌ ଚାରିଟା ଦିଅନ୍ତୁ’ କହିଲେ ଗଣିତକ ମହାଶୟ କହିବେ, ଚାରିଟା ନେଲେ ତ ଖୋଲାରେ ଦାମ୍‌ ବେଶୀ ପଡ଼ିଯିବ ! ଗୋଟାଏ ପ୍ୟାକେଟ ନେଇ ନିଅ, ନଚେତ୍‌ ପୂରା ଟିଣଟିଏ....ଶସ୍ତା ପଡ଼ିବ, ସାରା ମାସଟା ବି ଚାଲିଯିବ । ଆଚ୍ଛା, ଆଜିକାଲି ନୂଆ ସିଗାରେଟ ବାହାରିଚି ‘ଫାଇବ ଫିପ୍‌ଟି ଫାଇବ’ ....ଜାଣ ? ଜାଣ ନାଇଁ ? ଯାଃ ! ଆରେ ଏ ବାବନ ! (ତାଙ୍କ ଦୂର ସମ୍ପର୍କୀୟ ଆତ୍ମୀୟ ସେଇ ସେଲ୍‌ସମ୍ୟାନ୍‌ର ନାମ ‘ବାବନ’....) ଦେଖାରେ ଏଙ୍କୁ ଫାଇବ ଫିପ୍‌ଟି ଫାଇବ । ଗୋଟେ ଗୋଟେ ଦେ, ଆଗେ ଖାଇ ଦେଖନ୍ତୁ କି ରକମ ଜିନିଷ !!

 

ଦୋକାନରୁ ବେଶ୍‌ ଦି’ ପଇସା ଆୟ ହେଉଥିଲା ଗଣିତକ ମହାଶୟଙ୍କର ।

 

ୟା’ଛଡ଼ା ଆହୁରି ଗୋଟାଏ ଆୟର ପନ୍ଥା ପ୍ରାଇଭେଟ ଟିଉସନ ! ଆଗରୁ କହିଚି ।

 

ଯୋଉମାନେ ତାଙ୍କ ପାଖରେ ଟିଉସନ ହେବେ, ସେମାନେ ସୁନା ପୁଅ । ଅନ୍ୟମାନେ ଖାଇବେ କ୍ଲାସରେ ନୁର୍ଧୁମ୍‍ ବାଡ଼ିଆ ! ଏଇ ନ୍ୟାୟ !!

 

ମୋଟ ଉପରେ, ଏହିପରି ଭାବେ....ପ୍ରାଇଭେଟ ଟିଉସନ, ସାଇଡ ବିଜିନେସ୍‌, ଚାକିରି ଆଉ ତରୁଣୀ ଭାର୍ଯ୍ୟା ନେଇ ବେଶ୍‌ ରହିଥାନ୍ତି ଆମ ଗଣିତକ ମହାଶୟ !

 

ରାମ ଓ ସୁଦର୍ଶନ ତାଙ୍କର ପ୍ରିୟ ଛାତ୍ର । ଇଉନିଭର୍ସିଆଲ ଏମ୍ପୋରିୟମର ସେଇମାନେଇ ସବୁଠାରୁ ବଡ଼ ପେଟ୍ରନ୍‌ ! ପ୍ରାଇଭେଟ ଟିଉସନ ତ ହୁଅନ୍ତି, ତା’ଛଡ଼ା ତରୁଣୀ ଭାର୍ଯ୍ୟାର ରୂପ ଯୌବନର ସେଇମାନେ ଥିଲେ ଚିହ୍ନରା ଗ୍ରାହକ । ଏଇ ଶେଷଟା ଅବଶ୍ୟ ଶିକ୍ଷକ ମହାଶୟଙ୍କ ସମ୍ପୂର୍ଣ୍ଣ ଅଗୋଚରରେ ।

 

ତେବେ, ତରୁଣୀ ଭାର୍ଯ୍ୟା ସହିତ ସମ୍ପର୍କ କଥା କେବଳ ଦୁର୍ଜନମାନେହିଁ ପ୍ରଚାର କରିଥାନ୍ତି ବୋଲି ଧରା ଯାଉଥିଲା । କାରଣ ଚାକ୍ଷୁଷ ପ୍ରମାଣ କିଛି ନାହିଁ ।

 

ହେଲେ, ପ୍ରମାଣ ଥାଉ ବା ନ ଥାଉ....‘ଲୋକାପବାଦ ଦୁନିର୍ବାର !!’ ଏଇ ପ୍ରବଚନଟି ତ ଯୁଗେ ଯୁଗେ ରହିଚି !!!

 

ଆଗରୁ କହିଚି, ମୋତେ ମାରିବାକୁ କେବେ ସାହସ କରି ନାହାନ୍ତି ଗଣିତ ସାର୍‌ । ତେବେ, କେବେଳ ମୁଁ ନୁହେଁ–ମୋ ଛଡ଼ା ଆହୁରି ଦୁଇଜଣ ବି ତାଙ୍କୁ ଆଦୌ ଭୟ କରୁ ନ ଥିଲେ । ସେଇ ଷଣ୍ଢା-ମାର୍କା ପିଲା ଦୁଇଟି ଏକାଦଶ ଶ୍ରେଣୀର ଛାତ୍ର ମଧୁ ଓ ଶଙ୍କର୍ଷଣ ।

 

ସେମାନେ ଛାତି ଫୁଲାଇ କହୁଥିଲେ, ଏତେ ପିଲାଙ୍କୁ ପିଟୁଛି ସେ, ଆମକୁ ଥରେ ପିଟୁ ତ......

 

ବାସ୍ତବିକ, ଗଣିତକ ମହାଶୟ ଏପର୍ଯ୍ୟନ୍ତ ଥରେ ହେଲେ ସାହସ କରି ନାହାନ୍ତି ସେମାନଙ୍କୁ ବାଡ଼େଇବାକୁ । ଷଣ୍ଢା-ମାର୍କା ଚେହେରା ପାଖକୁ ଆସି ବେତ ଥୟ ହେଇଯାଏ...ଆଗେଇ ପାରେନା ।

 

ଆମ ତିନିଜଣଙ୍କ ଛଡ଼ା (ଏବଂ ଝିଅ ପିଲାମାଙ୍କୁ ବାଦ୍‌ ଦେଲେ) ବାକି ସମସ୍ତଙ୍କୁ ସେ ବେତ, ମ୍ୟାପ୍‌ ପଏଣ୍ଟ, ରୁଲ୍‌ବାଡ଼ି...ଯୋଉଥିରେ ଇଚ୍ଛା ସେଥିରେ ଗାଈ ଗୋରୁ ପାରି ବାଡ଼େଇ ପକାଉଥିଲେ ।

 

ମନ ଭିତରେ ତାଙ୍କର ଖୁବ୍‌ ରାଗ ଥାଏ ମଧୁ ଆଉ ଶଙ୍କର୍ଷଣ ପ୍ରତି । କିନ୍ତୁ ନଥାଏ ସାହସ !

 

ଦିନେ ରିକ୍ରିୟେସନ ଛୁଟିବେଳେ ଖେଳପଡ଼ିଆରେ ଶଙ୍କର୍ଷଣ ଓ ମଧୁ କଥାରେ କଥାରେ ଗଣିତ ସାର୍‌ଙ୍କ ଶ୍ରାଦ୍ଧ ବାଢ଼ୁଥିଲେ । ଯୋଉମାନେ ଶୁଣୁଥିଲେ ସେମାନଙ୍କ ଭିତରୁ ଜଣେ କିଏ କହିଲା, ଆଚ୍ଛା, ତମେମାନେ ‘ଗଣିତ’କୁ ଆଦୌ ଡର ନାହିଁ ବୋଲି ତ କହୁଚ । ଗୋଟାଏ କାମ କରି ପାରିବ ? କ୍ଲାସ୍‌ ଚାଲିଥିବାବେଳେ ତା’ ସାମ୍ନାରେ ସିଗାରେଟ ଯଦି ଟାଣି ଦେଇପାର, ତେବେ ମୁଁ ଜାଣିବି ଯେ ଠିକ୍‌ ମରଦ ପୁଅ !

 

ମଧୁ ଓ ଶଙ୍କର୍ଷଣ ଦୁହିଁଙ୍କ ସାହସ ସେତେବେଳେ ଚରମ ସୀମାରେ ପହଞ୍ଚି ଥିଲା । ସାଙ୍ଗେ ସଙ୍ଗେ ସେମାନେ ଚ୍ୟାଲେଞ୍ଜ ଗ୍ରହଣ କରିନେଲେ । ଅଲବତ୍‌ ଟାଣିବୁ; ଦେଖ ଏଇ ରିକ୍ରିୟେସନ ପର ପିରିୟର୍ଡ଼ରେ !

 

ସେମାନଙ୍କ ଦୁଃସାହସରେ ଯଦିଓ ସମସ୍ତେ ତଟସ୍ଥ ହେଇଗଲେ, ଚ୍ୟାଲେଞ୍ଜ ଗ୍ରହଣ କରିନେବାରୁ ସମସ୍ତଙ୍କ ଆଖିରେ ସେମାନଙ୍କ ସମ୍ମାନ କିନ୍ତୁ ଅସମ୍ଭବ ବଢ଼ିଗଲା !

ବାସ୍ତବିକ ୟାଙ୍କୁଇ କହିବ ମରଦ କା ବଚ୍ଚା !

ବିରାଟ ଧରଣର ଗୋଟାଏ କିଛି ଆଜି ହେଇଯିବ ମନେକରି, ଆଶଙ୍କା, ରୋମାଞ୍ଚ ଓ ସାସ୍ପେନ୍‌ସ ମିଶ୍ରିତ ଆନନ୍ଦରେ ଆମେ ତଳ କ୍ଲାସ୍‌ ପିଲାମାନେ ସନ୍ତର୍ପଣରେ ଅପେକ୍ଷା କରି ରହିଥିଲୁ....କେତେବେଳେ ରିକ୍ରିୟେସନ ଓଭର୍‌ ହେବ !

ଘଣ୍ଟା ବାଜିଗଲା ।

ସମସ୍ତେ ଖେଳ ପଡ଼ିଆରୁ ଯେଝା ଯେଝା କ୍ଲାସ୍‌କୁ ଦୌଡ଼ିଲୁ ।

ଆମର ସେଟା ଥାଏ ଡ୍ରଇଂ ପିରିୟର୍ଡ଼ । କିନ୍ତୁ ଡ୍ରଇଂ ଶିକ୍ଷକଙ୍କୁ ଜର । ସେ ଆଜି ଆସିବେନି ।

ସୁବର୍ଣ୍ଣ ସୁଯୋଗ !

ଏକାଦଶ ଶ୍ରେଣୀ ବାରଣ୍ତା ଉପରେ ଦେଖାଗଲେ ଗଣିତ ସାର୍‌ ।

ଆମେ ଉଦ୍‌ଗ୍ରୀବ ହେଇ ଉଠିଲୁ !

ସେ କ୍ଲାସରେ ଢୁକିଲେ ।

ଆମେ କ୍ଲାସ୍‍ ଛାଡ଼ି ବାହାରି ଆସି ଏକାଦଶ ଶ୍ରେଣୀର କବାଟ ଝରକା ଉହାଡ଼କୁ ଯାଇ ଓର ଉଣ୍ତି ରହିଲୁ । ଦେଖାଯାଉ, କ’ଣ ହେଉଛି !!

ପଛ ବେଞ୍ଚରେ ବସିଥିଲେ ଶଙ୍କର୍ଷଣ ଓ ମଧୁ । ସତକୁ ସତ ସେମାନେ ସିଗୋରେଟ ଟାଣି ଦି’ ଚାରିଟା ରିଂ ଛାଡ଼ି ଦେଲେ । ଘୂରି ଘୂରି ସେଗୁଡ଼ିକ ଉପରକୁ ଉଠୁଥାଏ ।

କିଏ ସେଠି ସିଗାରେଟ ଟାଣୁଚିରେ ? ଏୟ ମଧୁ, ଶଙ୍କର୍ଷଣ !

ଆମେ ଟାଣିନୁ ସାର୍‌ ! ସେତେବେଳକୁ ସିଗାରେଟ ଲିଭାଯାଇ ପକେଟରେ ପୂରା ସରିଚି । କିନ୍ତୁ ଗଣିତ ସାର୍‌ଙ୍କ ଶ୍ୟେନଦୃଷ୍ଟି ସେଇ ‘ହାତ-ସଫେଇ’ ଠିକ୍‌ ଧରି ପାରିଥିଲା !

ପକେଟରେ କ’ଣ ଅଛି ?

କଦଳୀଟା ଅଛି ! ଦୁହେଁ ଏକ ସ୍ୱରରେ ଖତେଇ ହେଇ କହି ଉଠିଲେ । ତା’ ସାଙ୍ଗେ ସାଙ୍ଗେ ‘କଦଳୀ’ ଜିନିଷଟା କି ରକମ, ଆକାର ପ୍ରକାର କିମିତି, ସେଇଟା ଚୁମ୍ବକରେ ଆକ୍ସନ କରି ହାତ ଆଙ୍ଗୁଳି ସାହାଯ୍ୟରେ ଦେଖାଇ ବି ଦେଲେ ।

ତମମାନଙ୍କ ସାହସ ତ ଖୁବ୍‌ ବଢ଼ି ଗଲାଣି ଦେଖୁଚି । ଏଭଳିଆ କଥା କହି ଶିଖିଲ କେବେଠୁଁ ?

ଆମେ ଆପଣଙ୍କୁ କ’ଣ କହିଲୁ କି ? ଆପଣ ପଚାରିଲେ, ପକେଟରେ କ’ଣ ଅଛି ? ଆମେ କହିଲୁ କଦଳୀ ଅଛି । ବେଶ୍‌ ।

ମୋ ସାଙ୍ଗରେ ତମେ ଥଟ୍ଟା କରିବ ? ହଇରେ ମୁଁ କ’ଣ ତମ ଶଳା ? ମ୍ୟାପ୍‌ ପଏଣ୍ଟରେ ପିଟି ଛାଲ ଉତାରି ଦେବି ଯେ ବୁଝିବ !

କ’ଣ ଆମେ ଥଟ୍ଟା କଲୁ ଆପଣଙ୍କ ସାଙ୍ଗରେ ? ଏଇତ ଆମ ପକେଟରେ କଦଳୀ ରହିଚି । ଦୁହେଁ ଦୁଇଟି ପାଚିଲା କଦଳୀ ପକେଟରୁ ବାହାର କରି ଦେଖେଇ ଦେଲେ ।

ହୋ ହୋ ହସରେ କ୍ଲାସ୍‍ କମ୍ପିଗଲା !

ଏତେଟା ସହି ପାରିବା ପ୍ରବଳ-ପ୍ରତାପୀ ଗଣିତ ସାର୍‌ଙ୍କ ପକ୍ଷରେ ନିତାନ୍ତ ଅସମ୍ଭବ !

ମ୍ୟାପ୍‌ ପଏଣ୍ଟ ଧରି ଦୃଢ଼ ପଦକ୍ଷେପରେ ସେ ଏଥର ଆଗେଇ ଆସିଲେ ଏମାନଙ୍କ ଆଡ଼କୁ ।

ମଧୁ ବେଶ୍‌ ବଡ଼ ପାଟିରେ କହିଲା–ଆବ୍ବେ ଏ ଶଙ୍କରା, ଚାହୁଁଛୁ କ’ଣ ବେ ? ଶଳାର ଭାରି ସାହସ ହେଲାଣି, ମ୍ୟାପ୍‌ ପଏଣ୍ଟ ନେଇ ମାରିବାକୁ ଆସୁଚି ! ଆମେ ଆଉମାନଙ୍କ ପରି ଗୋରୁ ଗାଈ ନୁହେଁରେ !! ଶଳା ଆଜି ଚିହ୍ନିବ, ଆମେ ହରିପୁରିଆ ଟୋକା !!

 

ଶଙ୍କର୍ଷଣ ତା’ ପେଣ୍ଟରୁ ଚମଡ଼ା ବେଲ୍‌ଟଟି ଖୋଲିପକାଇ ଚାବୁକ୍‌ ଭଳି ଧରି ଠିଆ ହେଇ ପଡ଼ିଲା । ନିରସ୍ତ୍ର ମଧୁ ମଧ୍ୟ କମ୍ପାସ ବାକ୍ସରୁ କଣ୍ଟାଟାଏ ବାହାର କରି ସଶସ୍ତ୍ର ହେଇ ସାରିଚି । ଆକ୍ରମଣର ପ୍ରତିରୋଧ କରିବାକୁ ଦୁହେଁଯାକ ଆର୍ମସ ଏଣ୍ତ ଏମ୍ୟୁନିସନ୍‌ସ ନେଇ ପ୍ରସ୍ତୁତ !

 

ଝିମିଟି ଖେଳରୁ ମହାଭାରତ ବୋଲି ଯୋଉ ପ୍ରବାଦଟିଏ ଅଛି, ପରିସ୍ଥିତି ଦେଖି ମୋର ଠିକ୍‌ ସେଇଟା ମନେ ପଡ଼ିଗଲା !

 

ଆଗେଇ ଆ’ବେ ବୁଢା ବ୍ରାହ୍ମୁଣ ! ଶଙ୍କର୍ଷଣ ଚିତ୍କାର କରୁଥାଏ । ସାରା ସ୍କୁଲର ଯେତେ ପିଲାଙ୍କୁ ପିଟିଛୁ, ସବୁର ଆଜି ହିସାବ ନିକାଶ କରିବି । ତୋ’ ଅଭ୍ୟାସ ଛଡ଼େଇ ଦେବି । ତୋ’ ମାଇପ ଆଜି ରାଣ୍ତ ହେବରେ ଚଣ୍ତାଳ ! ଆଗେଇ ଆ !

 

ପରିସ୍ଥିତି ଭିନ୍ନ ପ୍ରକାର ଦେଖି ଗଣିତ ସାର୍‌ ଛତ୍ରଭଙ୍ଗ ଦେଲେ । ଆଉ ଫରଓ୍ୱାଡ଼ ମାର୍ଚ୍ଚ ନ କରି ଉତ୍ତର ବର୍ମାରେ ବ୍ରିଟିଶ ବାହିନୀର ସ୍କିଲ୍‌ଫୁଲ୍ ରିଟ୍ରିଟ ପରି କୌଶଳପୂର୍ଣ୍ଣ ପଛଘୁଞ୍ଚା ଦେଇ (ଠିକ୍‌ ସେଇପରି ଦୃଢ଼ ପଦକ୍ଷେପରେ) ବାହାରି ଚାଲିଗଲେ କ୍ଲାସ୍‍ରୁ ସିଧା ହେଡ଼୍‍ମାଷ୍ଟରଙ୍କ ଅଫିସ ଆଡ଼େ ।

 

ଭୟ ପାଇ ଆମେମାନେ କ୍ଲାସ୍‍କୁ ପଳାଇ ଆସିଲୁ ! ଭଗବାନ ଜାଣନ୍ତି, ୟା ପରେ କ’ଣ ହେବ !!

 

ନୋଟିସ୍‍ ବୋର୍ଡ଼ରେ ନୋଟିସ୍‍ ବାହାରି ଯାଇଛି । ଶିକ୍ଷକଙ୍କ ପ୍ରତି ‘ଗୁରୁତର ଅସଦ୍‌ବ୍ୟବହାର’ (gross mis–conduct) କରିଥିବାହେତୁ ଏକାଦଶ ଶ୍ରେଣୀର ଶ୍ରୀ ଶଙ୍କର୍ଷଣ ମହାପାତ୍ର ଓ ଶ୍ରୀ ମଧୁସୂଦନ ପରିଡ଼ା ତିନି ବର୍ଷ ସକାଶେ ରିଷ୍ଟ୍ରିକେଟ୍‌ ହେଲେ । ମଧୁ ଓ ଶଙ୍କର୍ଷଣ ବହିପତ୍ର ଧରି କ୍ଲାସ୍‍ରୁ ବାହାରି ଚାଳିଗଲେ । ଗଲାବେଳେ କହିଗଲେ, ଶଳାକୁ ଦେଖିନେବୁଁ ।

 

ତା’ପରେ ଯାହା ହେଇଥିଲା, ତାହା ଆମ ସ୍କୁଲର ଇତିହାସରେ ଅଭୂତପୂର୍ବ !! ସେଇ ଲୋମହର୍ଷକ ଘଟଣାର ସ୍ମୃତି କେବେହେଲେ ଭୁଲିବାର ନୁହେଁ ।

 

ଗଣିତ ସାର୍‌ଙ୍କ ଘରଠାରୁ ଅଳ୍ପ ଦୂରରେ ନଈ ବାଲି । ଅନ୍ୟାନ୍ୟ ଦିନ ପରି ସନ୍ଧ୍ୟା ସାତଟାବେଳେ ଗୁଡ଼ାଖୁ ଘଷି ଘଷି ସେ ସେଇଆଡ଼େ ‘ବହିର୍ଦ୍ଦେଶ’ରେ ଯାଇଥିଲେ । ସେଠାରେ କେହି ବା କେଉଁମାନେ ତାଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରି ପ୍ରଚଣ୍ତ ମରଣ-ମାଡ଼ ଦେଲେ ।

 

ସଂଜ୍ଞାହୀନ ରକ୍ତାକ୍ତ ଦେହଟି ନିଆ ହୋଇଥିଲା ହସ୍‌ପିଟାଲକୁ । ସର୍ଜନ ଇନ୍‌ଚାର୍ଜ ମୃତ୍ୟୁକାଳୀନ ଜବାନବନ୍ଦୀ ନେବାପାଇଁ ଜଣେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପଠାଇ ଦେବାକୁ ଏସ୍‌.ଡି.ଓ.ଙ୍କୁ ଖବର ଦେଇଥିଲେ । କିନ୍ତୁ ମାଜିଷ୍ଟ୍ରେଟ ଆସି ପହଞ୍ଚିବା ଆଗରୁ ପ୍ରାଣବାୟୁ ଉଡ଼ିଗଲା ।

 

ଠିକ୍‌ ଶେଷ ମୁହୂର୍ତ୍ତରେ ସେ ଅସ୍ପଷ୍ଟ ସ୍ୱରରେ ପ୍ରଳାପ କରି ଉଠିଥିଲେ–‘‘ମଧୁ, ଶଙ୍କର୍ଷଣ...... stand-up on the bench...... ! ଆରେ, ମୋତେ ମାରନାଇଁ, ମାରନାଇଁ...’’

 

ମାଡ଼ ପ୍ରକୋପରେ ତାଙ୍କ ଦେହରେ ସେତେବେଳେ ଜ୍ୱର ଭରି ରହିଥିଲା । ତେଣୁ ସର୍ଜନ ଇନ୍‌ଚାର୍ଜ ଏଭଳି ପ୍ରଳାପ ଶୁଣି ଟିକିଏ ଦ୍ୱିଧାରେ ପଡ଼ିଗଲେ । ଏଟାକୁ ଜ୍ୱର-ବିକୃତିର ବାଚାଳତା କୁହାଯିବ ନା ମୃତ୍ୟୁକାଳୀନ ବିବୃତି କୁହାଯିବ ଠିକ୍‌ କରି ନପାରି ଇତସ୍ତତଃ ହେଲେ । ଶେଷରେ ସେଇତକ ନୋଟ୍‌କରି ନେଇ ମାଜିଷ୍ଟ୍ରେଟଙ୍କ ପାଖରେ ଦାଖଲ କରିଦେଲେ ।

 

ସଦ୍ୟ-ବିଧବା ରୋରୁଦ୍ୟମାନା ତରୁଣୀ-ଭାର୍ଯ୍ୟ ଆସି ସସସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇ ଲୋଟି ପଡ଼ିଲେ ବୃଦ୍ଧ ସ୍ୱାମୀଙ୍କ ଶବ ଉପରେ । ସାଙ୍ଗେ ସାଙ୍ଗେ ତାଙ୍କର ଚେତା ବୁଡ଼ିଗଲା ।

 

ବହୁତ କଷ୍ଟରେ ପାଣି ଛିଞ୍ଚି, ପଙ୍ଖା କରି କେତେବେଳ ପରେ ଯାଇ ତାଙ୍କ ଚେତା ଫେରାଇ ଅଣା ହେଇ ପାରିଲା । ପୁଣି ସେ କାନ୍ଦିବାକୁ ଲାଗିଲେ ଶବଟିକୁ କୋଳାଗ୍ରତ କରି । ମୋତେ ଛାଡ଼ିଦେଇ ତମେ କୁଆଡ଼େ ଚାଲିଗଲ ! ଉଃ, କି କରୁଣ ସେ କାନ୍ଦ !!

 

ସେତେବେଳେ ସେଠି ସ୍କୁଲର ପ୍ରାୟ ସବୁ ଶିକ୍ଷକ ଓ ବହୁ ଛାତ୍ର ଉପସ୍ଥିତ ଥିଲେ । ମୁଁ ବି....

 

ଜୀବନରେ ପ୍ରଥମ ଥର ଦେଖିଲି ସେଦିନ ଗୋଟିଏ ସଦ୍ୟ ବିଧବାକୁ ! ଶୁଣିଲି ପ୍ରଥମ ଥର ପାଇଁ ବିଧବାର କରୁଣ କ୍ରନ୍ଦନ !! ଶରାହତ କୌଞ୍ଚ-ପକ୍ଷୀ ପାଇଁ କ’ଣ ୟା’ଠାରୁ ବି ଅଧିକ କରୁଣ କାନ୍ଦ କାନ୍ଦିଥିଲା ତା’ର ପକ୍ଷିଣୀ ?

 

ସେ କଥା ବାଲ୍ମୀକି ଜାଣିଥିବେ ।

 

ମୁଁ କିନ୍ତୁ ମୋ ଜୀବନରେ ଏହାଠାରୁ କରୁଣତର କ୍ରନ୍ଦନ ବୋଧହୁଏ ଶୁଣିନି ! ଅଥଚ, କେତେ କଥା ତ ଶୁଣା ଯାଇଥିଲା ୟାଙ୍କରି ନାଆଁରେ !!

 

‘‘ବିଚିତ୍ର ନାରୀ, ବିଚିତ୍ର ତାର କଥା,

ଏକାଧାରେ ସେ ଯେ ପତିତା ଓ ପତିବ୍ରତା !’’

 

କେତେବେଳ ପରେ ଆଖିରୁ ଲୁହ ପୋଛି ବୃଦ୍ଧ ହେଡ଼୍‌ମାଷ୍ଟର ମହାଶୟ କହିଲେ, ଆଉ କାନ୍ଦିଲେ କ’ଣ ହେବ ଝିଅ, ଛାଡ଼ି ଦେ । ଆମେ ଏବେ ନେଇ ଯାଉଁ ।

 

ଶବର ମୁହଁ ଉପରେ ସେ ନିଜେ ଚାଦରଟିଏ ଢାଙ୍କି ଦେଲେ ।

 

ବିଧବା ବ୍ରାହ୍ମଣୀ ଏଥର ଶ୍ମଶାନର ଯୋଗିନୀ ପରି ଉଠି ଠିଆ ହେଇ ପଡ଼ିଲେ । ମୁକୁଳା ବାଳ, ଲୁଗାପଟା ବିପର୍ଯ୍ୟସ୍ତ, ଗୋରା ତକ୍‌ତକ୍‌ କପାଳରେ ଦାଉ ଦାଉ ଜଳୁଚି ବିନ୍ଦୁଏ ଅଗ୍ନିକଣା ପରି ସିନ୍ଦୂର ଟୋପା । ସାରା ଦୁନିଆଁକୁ ଜାଳି ଛାରଖାର କରି ଦେବା ଭଳି ଆଗ୍ନେୟ ଦୃଷ୍ଟିରେ ଆମ ସମସ୍ତଙ୍କୁ ଚାହିଁଲେ ସେ । (ମନେହେଲା, ଯଦି ମଧୁ ଓ ଶଙ୍କର୍ଷଣ ଥାଆନ୍ତେ, ମୁହୂର୍ତ୍ତକେ ଭସ୍ମିଭୂତ ହେଇଯାଇ ଥାଆନ୍ତେ ! କିନ୍ତୁ ସେମାନେ ସେଠି ନ ଥିଲେ । ଆହୁରି ମଧ୍ୟ ସେଠି ଦେଖାଗଲାନି ରାମ ଆଉ ସୁଦର୍ଶନକୁ । ହଁ, ସେଇ ଦୁହିଁଙ୍କ କଥା ବି କାହିଁକି କେଜାଣି ହଠାତ୍‌ ମୋର ମନେପଡ଼ି ଯାଇଥିଲା !)

 

କିଏ ମୋର ଏପରି ସର୍ବନାଶ କଲା ? କିଏ ?

 

ସେଇ ପ୍ରଶ୍ନବାଣ ଓ ଅଗ୍ନିବର୍ଷି ଦୃଷ୍ଟିର ଜ୍ୱାଳା ସହି ନ ପାରି ସମସ୍ତେ ତଳକୁ ମୁହଁ ପୋତିଲୁଁ ।

ଆଇନ୍‌ର ସୁଦର୍ଶନଚକ୍ର ଘୂରିବାକୁ ଲାଗିଲା । କିନ୍ତୁ କିଏ ମାରିଛି, ପ୍ରମାଣ ମିଳିଲାନି । ତଥାପି ପୋଲିସ ସନ୍ଦେହରେ ସେଇ ଦୁଇଟି ଛାତ୍ର, ମଧୁ ଆଉ ଶଙ୍କର୍ଷଣକୁ ଗିରଫ କରି ମକଦ୍ଦମା ରୁଜୁ କଲେ ।

କିଛି ହେଲାନି ।

ସରକାରୀ ଓକିଲ କହିଲେ–ପ୍ରମାଣ ମିଳୁଛି, ସେମାନେ ରଷ୍ଟ୍ରିକେଟ୍‌ ହେବା ଦିନ କ୍ଲାସ୍‍ରୁ ବାହାରି ଗଲାବେଳେ କହିଥିଲେ, ‘‘ଶଳାକୁ ଦେଖିନେବୁଁ ।’’

ମୁଦାଲା ତରଫ ଓକିଲ ଉତ୍ତର ଦେଲେ, ‘ଶଳା’କୁ ଦେଖିନେବୁ ବୋଲି କହିଛନ୍ତି । ‘ଗଣିତ ଶିକ୍ଷକ’ଙ୍କୁ ତ ଧମକ ଦେଇ ନାହାନ୍ତି !

ସରକାରୀ ଓକିଲ ଯୁକ୍ତି ଦେଖାଇଲେ–ମରିବା ପୂର୍ବରୁ ସେ ପାଟିକରି ଉଠିଥିଲେ ହସ୍‌ପିଟାଲରେ, ‘‘ମଧୁ, ଶଙ୍କର୍ଷଣ ମୋତେ ମାରନାଇଁ, ମାରନାଇଁ...’’ ଏହାର ପ୍ରତ୍ୟକ୍ଷ-ଦର୍ଶୀ ଶ୍ରୋତା ସର୍ଜନ ଇନ୍‌ଚାର୍ଜ ନିଜେ । ତାଙ୍କ ସାକ୍ଷରେ.....

ଏ ତରଫ ଓକିଲ ଯୁକ୍ତି କାଟି ଦେଲେ, ଜ୍ୱରର ପ୍ରକୋପରେ ବା ଆହତ, ଅବ୍ୟବସ୍ଥିତ ଅବସ୍ଥାରେ ଯେଉଁ ପ୍ରଳାପ କରାଯାଏ, ତା’ ଉପରେ ନିର୍ଭର କରି କାହାରିକି ଦୋଷୀ ସାବ୍ୟସ୍ତ କରାଯାଇ ପାରେନା ।

ବିଚାରପତି ସନ୍ଦେହ (ବେନିଫିଟ୍‌ ଅଫ୍‌ ଡାଉଟ୍‌)ରେ ସେମାନଙ୍କୁ ମୁକ୍ତି ଦେଲେ ।

ସେଦିନ ଆମେ ସମସ୍ତେ କ୍ଲାସ୍‌ ଛାଡ଼ି ବିଚାର ଦେଖିବାକୁ ଯାଇଥିଲୁ ।

ଲୋକାରଣ୍ୟ ଅଦାଲତ୍‌ ଭିତରୁ ବିଜୟ ଗର୍ବରେ ବାହାରି ଆସିଲେ ମଧୁସୂଦନ ପରିଡ଼ା ଓ ଶଙ୍କର୍ଷଣ ମହାପାତ୍ର ।

ଦୁହେଁ ଆଉ ସ୍କୁଲକୁ ଫେରି ନାହାନ୍ତି । ସେମାନଙ୍କ ଛାତ୍ର ଜୀବନ ସେଇଦିନଠୁ ଇତିଶ୍ରୀ ହେଇଚି ।

ମଧୁ ପୈତୃକ ବ୍ୟବସାୟ (କଲିକତାରେ ଚା’ ଦୋକାନ)ରେ ଯୋଗ ଦେଲା; ଶଙ୍କର୍ଷଣ ଗଲା ଟାଟା କଣ୍ଟ୍ରାକ୍ଟରୀ କରିବାକୁ । ବିଧବା ବ୍ରାହ୍ମଣୀ ବି ନବଦ୍ୱୀପ ଚାଲିଗଲେ ନେଡ଼ା-ନେଡ଼ି–ବୈଷ୍ଣବୀ ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସିନୀ ହେବାପାଇଁ ।

ଭଗବାନ ଜାଣନ୍ତି, କିଏ ପ୍ରକୃତରେ ଗଣିତ ସାର୍‌ଙ୍କ ହତ୍ୟାକାରୀ !!

ଆଜିଯାଏ, ତାହା ଏକ ରହସ୍ୟ !

ପରେ ପ୍ରେସିଡେନ୍‌ସିରେ ପଢ଼ୁଥିବାବେଳେ ମଧୁ ସାଙ୍ଗରେ ମୋର ଦେଖା ବି ହେଇଥିଲା । କଲିକତା-ଜୀବନରେ ତା’ରି ଚା’ ଦୋକାନ ଥିଲା ମୋର ଓ ମୋ ବନ୍ଧୁମାନଙ୍କର ପ୍ରଧାନ ଆଡ୍‍ଡା ଖାନା । ସ୍କୁଲରେ ପଢ଼ୁଥିବା ସମୟରେ ମୋତେ କେବଳ ‘ଚିହ୍ନିଥିଲା’ ସେ । ଆମ ଭିତରେ ‘ବନ୍ଧୁତା’ ବୋଲି କିଛି ନ ଥିଲା । ତଳ କ୍ଲାସରେ ପଢ଼ୁଥିଲି ମୁଁ ।

 

ତେଣୁ, କଲିକତାରେ ତା’ଠାରୁ ଯଥେଷ୍ଟ ଆଦର-ଆପ୍ୟାୟନ ପାଇଲେ ବି ଅନେକଦିନ ଯାଏ ଭରସି ପାରିନି ସେଇ କଥାଟା ପଚାରିବାକୁ ।

 

ଶେଷରେ ଦିନେ ପଚାରିଦେଲି ।

 

କହିଲା, ନାଇଁ ଭାଇ; ତୋ ରାଣ–ସତ କହୁଛି ମୁଁ ସେ ବିଷୟରେ କିଛି ହେଲେ ଜାଣେନା । ମୋର ବରଂ ସନ୍ଦେହ ହୁଏ....

 

କାହା ଉପରେ ?

 

କାହିଁକି, ରାମ ଆଉ ସୁଦର୍ଶନ !

 

ରାମ ଆଉ ସୁଦର୍ଶନ ?

 

ହଁ ସେ ଦୁହିଁଙ୍କ ସହିତ ସ୍ତ୍ରୀର ଗୁପ୍ତ ସମ୍ପର୍କ କଥା ଶେଷ ମୁହୂର୍ତ୍ତରେ ଜାଣି ପାରିଥିଲେ ଗଣିତ-ସାର୍‌ । ସେମାନଙ୍କୁ ସେଇଦିନ ସନ୍ଧ୍ୟବେଳେ ତାଗିଦ୍‌ କରି ଦେଇଥିଲେ, ଆଉ କେବେ ତାଙ୍କ ଘରକୁ ନ ଆସିବା ପାଇଁ । ସେଇଥି ପାଇଁ....

 

ସତେ ?

 

ହଁ । ରାମ-ସୂଦର୍ଶନ ତ ଆମରି ସାଙ୍ଗରେ ପଢ଼ୁଥିଲେ । ନୁହେଁ କି ? ଅବଶ୍ୟ, ଅନ୍ୟ ସେକ୍‌ସନରେ । ଆମେ ଯେତେଦୂର ଜାଣୁ...., ହୁଏତ ସେଇମାନେ....

 

ନର ମାୟା ନାରାୟଣଙ୍କୁ ଅଗୋଚର !!!

 

ମୋ ସାନ ଖୁଡ଼ୀଙ୍କର ବହୁଦିନ ପିଲାପିଲି ହେଲାନି । ଶେଷରେ ଡାକ୍ତରୀ ପରୀକ୍ଷା ପରେ ଜଣା ପଡ଼ିଲା ଯେ, ତାଙ୍କର ଆଦୌ ପିଲାପିଲି ହେବାର ସମ୍ଭାବନା ନାହିଁ । (ସାନ ଖୁଡ଼ୀକୁ ଆମେମାନେ ଖୁବ୍‌ ଭଲପାଉ ଥିଲୁଁ । ଆମମାନଙ୍କୁ ପାନ ଖାଇବା ମନା ଥିଲା । ଖୁଡ଼ୀ ଲୁଚାଇ ଲୁଚାଇ ଆମକୁ ପାନ ଦିଏ । ପାନ ତା’ ଜୀବନର ଏକମାତ୍ର ବିଳାସ । ପଚାଶ ପ୍ରକାରର ମସଲା, ଲେମ୍ବୁ-ଚୋପା ନଡ଼ିଆ-ଖୁରୁଡ଼ କଟା, ଅଳେଇଚ, ଡାଲ୍‌ଚିନି ପ୍ରଭୃତିରେ ତା’ ପାନ ଡାଲା ଭରିଥାଏ...-। ସେଭଳି ପାନ ବଜାରରେ ମିଳିବା ଅସମ୍ଭବ ଥିଲା !)

 

ସାନ ଦାଦାଙ୍କର ପିଲାପିଲି ବିଷୟରେ ସାମାନ୍ୟ ଟିକିଏ ହେଲେ ମଥା-ବ୍ୟଥା ନ ଥାଏ । ସେଇଟାକୁ ସେ ଗୋଟାଏ ବିରାଟ ଜିନିଷ ବୋଲି ମନେକରୁ ନ ଥିଲେ ।

 

କିନ୍ତୁ ଆଈ-ବୁଢ଼ୀଇ ଦିନ ରାତି ତାଙ୍କୁ ବସେଇ ଉଠେଇ ଦେଲାନି !! ସବୁବେଳେ ଦାଦାଙ୍କୁ କହେ, ‘‘ଆଉ ଗୋଟେ ବାହା ହ’...ଆଉ ଗୋଟେ ବାହା ହ’...’’ ତା’ ବି ସେଇ ସାନଖୁଡ଼ୀଙ୍କ ଆଗରେ ।

 

କମ୍‌ ଜନ୍ତୁଟିଏ ନ ଥିଲା ଏଇ ଆଈବୁଢ଼ୀ ଖଣ୍ତିକ ! ନିଜେ ଅତି ଅଳ୍ପ ବୟସରେ ବିଧବା ହେଇଥିବାରୁ ସାଂସାରିକ ସୁଖ ତା’ ଭାଗ୍ୟରେ ଯୁଟି ନ ଥିଲା । ସେଥିପାଇଁ, ଆଉ କାହାରି ଆନନ୍ଦ ବି ସେ ସହି ପାରେନା । ସବୁବେଳେ ଖାଲି ବକର ବକର, ଚବର ଚବର ହେବା ତା’ର ଅଭ୍ୟାସ !

 

ସେ କାହାରିକୁ ସହି ନ ପାରିଲେ ବି ସମସ୍ତେ ଯେ କିପରି ତାକୁ ସହ୍ୟ କରି ରହିଥିଲେ, ସମ୍ମାନ ବି ଦେଖାଉଥିଲେ, ଏଇଟା ଥିଲା ମୋ ପକ୍ଷରେ ଅବୋଧ୍ୟ ଆଉ ଅସହ୍ୟ !

 

ମୁଁ ତାକୁ ଆଦୌ ଦି’ ଆଖିରେ ଦେଖିପାରୁ ନ ଥିଲି; ସେ ବି ମୋତେ । ଅଧିକାଂଶ ସମୟରେ ଆମ ଦୁହିଁଙ୍କର ପ୍ରାୟ କଳିକଜିଆ ଲାଗି ରହିଥିଲା ।

 

ଅବଶ୍ୟ ଘରର ସମସ୍ତେ ହସି ହସି ଗଡ଼ି ଯାଉଥିଲେ ଆମ ଦୁହିଁଙ୍କ କଳିଗୋଳ ଦେଖି । ‘ଆଈ-ନାତି ଫାର୍ଶ’ ହୁଏତ ସେମାନଙ୍କ ପକ୍ଷରେ ବେଶ୍‌ ଉପଭୋଗ୍ୟ ହେଉଥିଲା, କିନ୍ତୁ ଆଈ କିମ୍ବା ନାତି କାହାରି ପକ୍ଷରେ ସେଟା ଆଦୌ ସୁଖକର ଥିଲାନି ।

 

ମୁଁ ତାକୁ ଯେତେ ଏଡ଼ାଇବାକୁ ଚେଷ୍ଟା କଲେ ବି ....ସେ ତ ଉପରେ ପଡ଼ି କଳି ଲଗାଇବ (ଶେଷରେ ହାରିଯାଇ ଭେଁ ଭେଁ କାନ୍ଦି ଲୁହ ଗଡ଼େଇବ )ମୋର ବା ଉପାୟ କ’ଣ ?

 

ଯେତେବେଳେ ଘରେ ମୋ ଟିଉସନ ମାଷ୍ଟର ପାଖରେ ବସି ଭୂଗୋଳ ପଢ଼ା ମୁଖସ୍ଥ କରୁଥିବି–

 

ତ୍ରୀଚନା ପଲ୍ଲୀ–ସିଗାରେଟ କାରଖାନା ପାଇଁ ପ୍ରସିଦ୍ଧ ।

 

ପର୍ତ୍ତୁଗାଲ୍‌–ଉତ୍କୃଷ୍ଟ ମଦ୍ୟ ରପ୍ତାନୀ କରେ ।

 

କିମ୍ବା, ଚାଇନା–ଅଫିମ ଓ ଧୂଆଁପତ୍ର ରପ୍ତାନୀ କରେ....ଇତ୍ୟାଦି, ଠିକ୍‌ ସେତିକିବେଳେ ସେ ବଜ୍ଜାତ୍‌ ବୁଢ଼ୀ ଓର ଉଣ୍ତି ସେଇଠି ପହଞ୍ଚି ଯିବ ! (ବୋଧହୁଏ ମୁଁ ପାଟିକରି ପଢ଼ା ମୁଖସ୍ଥ କରିବା ଦ୍ୱାରା ତା’ ମାଳିଜପା ଓ ହରିନାମରେ ବାଧା ଆସୁଥିଲା !) ମାଷ୍ଟରଙ୍କୁ କହିବ, ହଇହୋ ମାଷ୍ଟ୍ରେ ! କି ପାଠ ପଢ଼ଉଚ ତମେ ? କୋଉଠି ଭଲ ମଦ ମିଳେ, କୋଉଠି ଭଲ ସିଗାରେଟ ମିଳେ, କୋଉଠି ଅଫିମ, ଧୂଆଁପତ୍ର ମିଳେ–ଏଇଗୁଡ଼ା କ’ଣ ପାଠ ? ଇମିତି ନିଆଁପୋଡ଼ା ପାଠ ପଢ଼ିବା ଅପେକ୍ଷା ଗୋରୁ ଚରେଇବା ଢେର୍‌ ଭଲ ! ଶେଷରେ ମଦ, ସିଗାରେଟ, ଧୂଆଁପତ୍ର, ଅଫିମ ଖାଇ ଟୋକାଟା ନିଜେ ଉଚ୍ଛନ୍ନ ହବ–ଏ ଘରର ମାନ-ମର୍ଯ୍ୟାଦା ବି ମାଟିରେ ମିଶେଇ ଦବ–ସବୁ ସତ୍ୟାନାଶ ହେଇଯିବ....

 

ମାଷ୍ଟର ବିଚରାର ତ ଅକଲ ଗୁଡ଼ୁମ୍‌ । ବାପା, ଦାଦା, ସମସ୍ତେ ବି ହସି ହସି ବେଦମ ! ମଜା ଦେଖିବା ପାଇଁ ପରିହାସ-ପ୍ରିୟା ମଝିଆଁ ଭାଉଜ ଟେହି ଦିଅନ୍ତି–‘ଚିକାଗୋ’ରୁ ଉତ୍କୃଷ୍ଟ ଗୋ-ମାଂସ ରପ୍ତାନୀ ହୁଏ, ସେ କଥାଟା ଛାଡ଼ିଗଲ ଯେ ବିଜୁ ?

 

ତାଙ୍କ କଥାରେ କାନ ନ ଦେଇ ମୁଁ ବହିପତ୍ର ଫୋପାଡ଼ି ମହା ରାଗରେ ପାଟିକରି ଉଠେ ଆଈବୁଢ଼ୀ ଉପରକୁ–Get out you old fool ! Don’t disturb here…..

 

କହି ରଖେ–ଘରେ ଟିଉଟର ରଖାଇ ଖୁବ୍‌ ଅଳ୍ପ ବୟସରୁ ଆମ ପରିବାରରେ ସବୁ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦିଆ ହେଇଥାଏ । ଇଂରାଜୀ ଭାଷାରେ ଦକ୍ଷତା ଥିଲା ମୋର ସେଇ ବୟସରେ ବି । ତେଣୁ, କଥା କଥାକେ ଇଂରାଜୀ ବାହାରି ପଡ଼ିବାଟା ସ୍ୱାଭାବିକ । ଯେ-କୌଣସି ପ୍ରକାରେ ମନର ଭାବ ଇଂରାଜୀରେ ବ୍ୟକ୍ତ କରି ପାରୁଥିଲି, ଅନ୍ତତଃ ଇଂରାଜୀରେ ଭଲଭାବେ ଗାଳିଟା ଦେଇ ପାରୁଥିଲି ମୁଁ । (ବାସ୍ତବିକ, ଗାଳି ଦେବାପାଇଁ ଇଂରାଜୀଠାରୁ ଅଧିକ ଯୋଗ୍ୟତର ଭାଷା ପୃଥିବୀରେ କାହିଁ ?)

 

ବାପାଙ୍କର ଇଂରେଜ ବନ୍ଧୁ ଅନେକ । (ଇଂରାଜୀ ଭାଷାର ମର୍ଯ୍ୟାଦା ସେ ବୁଝୁଥିଲେ !) ଜିଲ୍ଲାର ସମସ୍ତେ ଇଂରେଜ ରାଜ-କର୍ମଚାରୀ (ସେତେବେଳେ ଅଧିକାଂଶ ଡିଷ୍ଟ୍ରିକ୍ଟ ଅଫିସର ଥିଲେ ଇଂରେଜ)ଙ୍କ ସହିତ ତାଙ୍କର ବେଶ୍‌ ଘନିଷ୍ଠତା । ସମସ୍ତେ ଆସୁଥିଲେ–ଆମ ଗେଷ୍ଟ ହାଉସରେ ରହୁଥିଲେ–ବାପାଙ୍କ ସାଙ୍ଗରେ ଶିକାର କରିବାକୁ ଯାଉଥିଲେ ।

 

କଂଗ୍ରେସ ବାଲାଙ୍କର ପୂରାପୂରି ବିରୋଧୀ ଆଉ ଖାଣ୍ଟି ଇଂରେଜ ଭକ୍ତ ଥିଲେ ବାପା । ସରକାରୀ ଖେତାବ ବି ତାଙ୍କୁ ମିଳିଥିଲା ।

 

ପିଲାଦିନେ ମୁଁ ଯେତେବେଳେ ଇଂରାଜୀ ପଢ଼ିବା ଆରମ୍ଭ କରେଁ, ଆମ ଘରର ପୂଝାରି ଟୋକା (ସେଇଟା ଥିଲା ନମ୍ବର ଓ୍ୟାନ୍‌ ବଦ୍‌ମାସ । କଲିକତାର ଏକାଧିକ ବଙ୍ଗାଳୀ-ପରିବାରରେ ନାନା ପ୍ରକାର ଅଭିଜ୍ଞତା ଅର୍ଜ୍ଜନ କରି ଆସିଚି !) ମୋତେ ପାଛିଏ ଦାନ୍ତ ଦେଖାଇ ପଚାରିବ–ଆଜ୍ଞା ସାନ ବାବୁ, ‘ଗଛ’ ଇଂରାଜୀ କ’ଣ ?

 

ମୁଁ, ‘ଟ୍ରି’ ।

 

ପୁଣି ପ୍ରଶ୍ନ–ଆଜ୍ଞା, ‘ମାଛ’ କ’ଣ ହବ ଇଂରାଜୀରେ ?

 

ମୁଁ-‘ଫିସ୍‌’ ।

 

‘ପାଣି’ ଇଂରାଜୀରେ କ’ଣ ହବ ?

 

‘ଓ୍ୟାଟର୍‌’ ।

 

ଏଥର ଅନୁଯୋଗ, ଆଜ୍ଞା, ମୋ ନାମଟା ତେବେ ଇଂରାଜୀରେ କ’ଣ ହେବ ?

ସେ ଭାବୁଥିଲା, ତା’ ନାମ ଭଜହରି ପଣ୍ତାଟା ଇଂରାଜୀରେ ନିଶ୍ଚୟ ‘ଟମ୍‌’, ‘ଡିକ୍‌’, ‘ହେନ୍‌ରୀ’, କିମ୍ବା ‘ନନ୍ସେନ୍‌ସ’, ‘ଷ୍ଟୁପିଡ୍‍’, ‘ବ୍ଲଡିଫୁଲ୍‌’, ଅଥବା ସେଇପରି ମୁଖରୋଚକ ଓ ବମ୍ବାଷ୍ଟିକ୍‌ କିଛି ଗୋଟାଏ ହେବ !

ବାଲ୍ୟ-ଜୀବନର ଏ ବି ଏକ ହାସ୍ୟକର ଅଭୁଲା ଅଭୁଲା ସ୍ମୃତି !

ଭଜହରି ଆଉ ଆଈ ବୁଢ଼ୀ ଦୁହିଁଙ୍କ ଭିତରେ ବିଶେଷ କିଛି ତଫାତ୍‍ ନ ଥିଲା । ତାକୁ ମୁଁ ଯେତେବେଳେ ଇଂରାଜୀରେ ଗାଳି ଦେଉଥିଲି, ସେ ଭାବୁଥିଲା ମୁଁ ତାକୁ ମାରିବାକୁ ଧମକାଉଚି ! Get out ବା Don’t disturb ର ଅର୍ଥ ତା’ ଅଭିଧାନରେ ଥିଲା ସେଇଆ ।

ଭେଁ ଭେଁ ରଡ଼ି ଛାଡ଼ି ପଣତ କାନିଟାକୁ ଆଖିରେ ରଗଡ଼ି, ଯଥା-ସମ୍ଭବ କାନ୍ଦିଲା ସ୍ୱରରେ (ଭଗବାନ ଜାଣନ୍ତି, ଆଖିରେ ଲୁହ ଥିଲା କି ନାହିଁ !) ମୋତେ ସଂପୁଥିଲା, ଏଁ...ଏଁ...ହଇରେ କ’ଣ କହିଲୁ ? ମୋତେ ମାରିବୁ ? ହଇରେ ମୋତେ ମାରିବୁ ? ହଇରେ ତୁ କାଲିକା ଛୁଆ, ଏଁ, ଏଁ, ତୁ ମୋତେ ମାରିବୁ ? ଏଁ, ଏଁ, ଆଉ ମୁଁ ଘରେ ରହି ପାରିବିନି ୟା’ ଜ୍ୱାଳାରେ ! କାଶୀ ମଥୁରା କି ବୃନ୍ଦାବନ ପଳେଇବି, ଆଜି ଯିବି । ଏଇଖିଣି ଯିବି, ମୋ ଯିବା ବ୍ୟବସ୍ଥା କରିଦିଅ, ଏଁ, ଏଁ, ମୋ ଭାଗ୍ୟରେ ଏଇ ପିଲା ବକଟକ ଠଉଁ ମାଡ଼ ଖାଇବା ଯାହା ବାକି ଥିଲା ! ଏଁ, ଏଁ, ଇତ୍ୟାଦି ଇତ୍ୟାଦି.....

(କହିବା ବାହୁଲ୍ୟ, ସମସ୍ତେ ହସୁଥିଲେ ତା’ ବାହୁନା ଶୁଣି !)

କିନ୍ତୁ ଦୁଃଖର ବିଷୟ, ଆମ ଘରର ‘ଘୃତପକ୍ୱ ଅନ୍ନ’ ଭାକୁଡ଼ ମାଛ, (ବିଧବା ହେଲେ ମଧ୍ୟ ସେ ନିରାମିଷାହାରୀ ନ ଥିଲା ଏବଂ ପ୍ରକୃତିର ଏକ ଆଶ୍ଚର୍ଯ୍ୟ ବତିକ୍ରମ ସ୍ୱରୂପ, ସମସ୍ତ ଦାନ୍ତ ପଡ଼ିଯିବା ପରେ ବୁଢ଼ୀକାଳେ ପୁଣି ତା’ର ଦି’ପାଟି ଦାନ୍ତ ଉଠିଥିଲା !) ଓ ପାତଲ୍‌ଘଣ୍ଟାର ମାୟାମମତା ତ୍ୟାଗ କରି କାଶୀ, ମଥୁରା, ବୃନ୍ଦାବନର ଖଇ ଉଖୁଡ଼ା ଖାଇବାକୁ ତାହାର ଯଦି ସାମାନ୍ୟ ଟିକିଏ ହେଲେ ଆନ୍ତରିକତା ଥାଆନ୍ତା–ତେବେ ମୁଁ ତାକୁ କୋଉ ଦିନରୁ ଟିକେଟ କଟେଇ ଟ୍ରେନରେ ଚଢ଼େଇ ଦେଇ ଆସି ସାରନ୍ତିଣି !

କିନ୍ତୁ ଘରର ସମସ୍ତଙ୍କୁ ଏଟା ଭଲଭାବେ ଜଣା ଥିଲା ଯେ ଏଠାକାର ରାଜସିକ ଆହାର ଛାଡ଼ି କାଶୀ, ମଥୁରା କି ବୃନ୍ଦାବନ ଚାଲିଯିବା ଭଳି ବୋକା ବୁଢ଼ୀ ସେ ନୁହେଁ ।

ଅଗତ୍ୟା.... !

ଫଳରେ, ବାରମ୍ବାର ତା’ ସାଙ୍ଗରେ ମୋର କଳି-ଗୋଳ ହେଉଥିଲା । ସେ ସକ ସକ ହେଇ କାଶୀ-ମଥୁରା ବୃନ୍ଦାବନ ଯିବାର ଧମକ ଦେଉଥିଲା, କିନ୍ତୁ ଯାଉ ନଥିଲା । ସବୁଦିନେ ଏଇ ଫାର୍ଶ ଆମ ଘରେ ଚାଲିଥିଲା ।

ଆଈ ବୁଢ଼ୀ କଥାକୁ ମୁଁ ସିନା ଖାତିର୍‌ କରୁ ନଥିଲି–କିନ୍ତୁ ବିଚାରୀ ସାନ ଖୁଡ଼ୀ, ସବୁକିଛି ନୀରବରରେ ସହି ଚାଲିଥିଲା ସେ, ହଠାତ୍‌ ଦିନେ କ’ଣ ମନକୁ ଆସିଲା–

ହଁ, ତା’ଆରି କଥା ସହି ନ ପାରି ସାନ ଖୁଡ଼ୀ ଶେଷରେ ଆତ୍ମହତ୍ୟା କରିଥିଲା ! ବାରମ୍ବାର ବାରମ୍ବାର ତା’ଆରି ଆଗରେ ଦାଦାଙ୍କୁ କହିବ ଆଈ ‘‘ତୁ ଆଉଥରେ ବାହା ହଅ’’, ‘‘ଆଉଥରେ ବାହା ହଅ,’’ ‘‘ଏଟାର ତ କିଛି ହବନି !’’ କେତେ ଆଉ ସହନ୍ତା ସେ ?

ସେଇ ଦୁଃଖାବହ ଘଟଣାର ସ୍ମୃତି ମନେ ପଡ଼ିଲେ–ପ୍ରଥମେ ଆଖି ଆଗରେ ଭାସି ଉଠେ ସାନ ଖୁଡ଼ୀର ପାନ-ଖିଆ ଲାଲ୍‌ ଟୁକୁ-ଟୁକୁ ଓଠ, ସୁନ୍ଦର ମୁହଁ, ମେଘ ଭଳି ବାଳ !

ସେ ଦିନ ରାତି ଓଳି ହଠାତ୍‌ ସେ ଅଡ଼ି ବସିଲା, ଆଜି ମୁଁ ସବୁ ରନ୍ଧାବଢ଼ା କରିବି ।

ମନ ଦେଇ ରାନ୍ଧିଥିଲା । କେତେ ପ୍ରକାର ସୁଆଦିଆ ତରକାରୀ, ଭଜା, ଚଟଣି, ଖଟା କରିଥିଲା ସାନ ଖୁଡ଼ୀ । ନିଜେ ପରଷିଲା, ଆଦର କରି ସମସ୍ତଙ୍କୁ ଖୁଆଇଲା; ଆଈ ବୁଢ଼ୀକୁ ବି । ମୋତେ ପାଖରେ ବସେଇ ନିଜ ହାତରେ ବଳେଇ ବଳେଇ ଖୁଆଇଲା (ହାୟ ଭଗବାନ, ସେତେବେଳେ; କ’ଣ ତା’ ମନରେ ଏତେ କଥା ଅଛି ବୋଲି ଘୁଣାକ୍ଷରେ ଜାଣିଥିଲି ?) ରାତିରେ ସେ ଦିନ ତା’ଆରି ପାଖରେ ଶୋଇଥିଲି ମୁଁ । କିନ୍ତୁ ନିଘୋଡ଼ ନିଦରେ କିଛି ଜାଣି ପାରିଲିନି, କେତେବେଳେ ସେ ବିଛଣା ତଳେ ଚିଠିଟିଏ (ଆତ୍ମହତ୍ୟାର ସ୍ୱୀକୃତିପତ୍ର) ରଖି ଦେଇ ନିଶବ୍ଦ ରାତିରେ ଘରୁ ବାହାରି ଚାଲିଗଲା, ଆଉ ଡେଇଁ ପଡ଼ିଥିଲା ସାଳନ୍ଦୀର ଗଭୀର ଗଣ୍ତରେ !

ସେଇଠି ଶୀତଳ ହେଇଗଲା ତା’ଜୀବନର ଜ୍ୱାଳା !

ବିଚାରୀ ସାନଖୁଡ଼ୀ !

ରୁଚିଅପା ଆଉ ସାନଖୁଡ଼ୀ...ଉଭୟଙ୍କୁ ମନେମନେ ତୁଳନା କରେଁ ।

ଉଭୟଙ୍କ ମୃତ୍ୟୁର କାରଣ ସନ୍ତାନ !

ଜଣେ ଚାଲିଗଲା, ସନ୍ତାନ ନ ପାଇବାର ବେଦନାରେ; ଆଉ ଜଣେ ଚାଲିଗଲା ଅବାଞ୍ଛିତ-ସନ୍ତାନକୁ ଗର୍ଭରେ ଧାରଣ କରିଥିବାର ଲଜ୍ଜାରେ !

 

କାମରେ ଫାଙ୍କି ଦେବାକୁ ଓସ୍ତାଦ୍‌ ଥିଲେ ଭଜହରି ପଣ୍ତା । ଦିନେ ସେ ମହାଶୟ କୋଉଠୁ ଶୁଣି ଆସିଲେ ଯେ କାଖରେ ରସୁଣ ଜାକି ଶୋଇଲେ ଦେହରେ ଉତ୍ତାପ ଆସେ । ଚମତ୍କାର ଆଇଡିଆଟି କାର୍ଯ୍ୟକାରୀ କରିବା ପାଇଁ ରାତିରେ କାଖତଳେ ଦୁଇଟି ରସୁଣ ଗୁଞ୍ଜି ଆରାମରେ ସେ ଶୋଇ ପଡ଼ିଲେ । ଆଉ ଚିନ୍ତା କ’ଣ, କାଲି ସକାଳେ ତ ଜର ଆସିଯାଇ ଥିବ–କାମ କରିବାକୁ ପଡ଼ିବନି ! ବିଚରାର ସେଇ ଶଯ୍ୟାହିଁ ହେଇଥିଲା ଶେଷ ଶଯ୍ୟା ! ରାତି ପାହିଲା ବେଳକୁ ଦେହରେ ପ୍ରଚଣ୍ତ ଉତ୍ତାପ ! ଆଈବୁଢ଼ୀ ଯାଇ ଆବିଷ୍କାର କଲା ତା’ ବିଛଣାରୁ ଦୁଇଟି ଯାକ ରସୁଣ । ସେ ବି ଯନ୍ତ୍ରଣାରେ ଛଟପଟ ହେଇ ସତ ସତ ସବୁ ମାନିଗଲା । ଭଗବାନ ଜାଣନ୍ତି, ପ୍ରକୃତରେ ସେଇ ରସୁଣ ଯୋଗୁ ଜର ହେଇଥିଲା କି ସେଇଟା ନିତାନ୍ତ ଯୋଗା-ଯୋଗ ...ତେବେ ସେ ଜର ଆଉ ଶେଷପର୍ଯ୍ୟନ୍ତ ଭଲ ହେଇନି !

 

ସେ ଯେତେବେଳେ ବଞ୍ଚିଥିଲା କେହି ତା’ର ପ୍ରଶଂସା କରୁ ନ ଥିଲେ । କିନ୍ତୁ ମରିଯିବା ପରେ ସମସ୍ତେ ତା’ପାଇଁ ଦୁଃଖ କଲେ ! କେତେ ଗାଳି-ମାଡ଼ ହେଇଚି ତା’ ଉପରେ, କେତେଥର ତାକୁ ଜୋରିମାନା କରା ହେଇଚି, ଘରୁ ତଡ଼ିଦିଆ ହେଇଚି ! ସବୁ ହସି ହସି ସହିଚି ସେ–ପୁଣି ଫେରି ଆସିଚି ? କାହିଁକି ? କୋଉ ଆକର୍ଷଣରେ ?

 

ଆମମାନଙ୍କ ଉପରେ ତା’ର ଗୋଟାଏ ମାୟା ଆସି ଯାଇଥିଲା । ତିନି କୁଳରେ କେହି ନ ଥିଲେ ତା’ର ! ସବୁ ଅତ୍ୟାଚାର ସେ ସହୁଥିଲା ହସ ହସ ମୁହଁରେ, ନିର୍ବିକାର ମନରେ । କାରଣ, ଆମମାନଙ୍କୁ ସେ ମନେ କରୁଥିଲା ଅତି ଆପଣାର ବୋଲି !

 

ଆଗରୁ କହିଚି, ସହର ବାହାରେ ବହୁଦିନରୁ ରହିଚି ଏକ ପୁରାତନ ମିଶନାରୀ ଅନୁଷ୍ଠାନ-

 

ରୋମାନ୍‌ କାଥଲିକ୍‌ ସମ୍ପ୍ରଦାୟର ।

 

ସେତେବେଳେ ଏ ଦେଶରେ ଇଂରେଜ ପାଦ୍ରୀମାନେ ସାଧରଣତଃ ଅଶିକ୍ଷିତ ଓ ଅନୁନ୍ନତ ଶ୍ରେଣୀର ଲୋକଙ୍କୁ ଖ୍ରୀଷ୍ଟ-ଧର୍ମରେ ଦୀକ୍ଷିତ କରାଉଥିଲେ ।

 

ବିଶେଷତଃ ହରିଜନମାନଙ୍କୁ ।

 

ପ୍ରଚାର ପ୍ରଣାଳୀ ଏଇଭଳିଆ–

 

ହିନ୍ଦୁମାନେ ତମମାନଙ୍କୁ ଛୁଇଁବାକୁ ଘୃଣା କରୁଛନ୍ତି । କିନ୍ତୁ ଖ୍ରୀଷ୍ଟାନ୍‌ ହେଇଗଲେ ତମ ଘରେ ଖାଇବାକୁ ବି ଆପତ୍ତି କରିବେନି । ବେଶ୍‌ ସମ୍ମାନର ସହିତ ତମେମାନେ ସେମାନଙ୍କ ସାଙ୍ଗରେ ମିଳାମିଶା କରିବ । ଏ ଧର୍ମ ଗ୍ରହଣ କଲେ ତମେ ବିଲାତର ରାଜାଙ୍କ ସାଙ୍ଗରେ ସମାସ୍କନ୍ଧ ହେଇଗଲ, ଯେ-ହେତୁ ରାଜାର ଧର୍ମ ବି ଏଇଆ ।

 

ରାଜାଙ୍କ ସାଙ୍ଗରେ ସମାନ ହେଇ ଯିବାର ଆକାଂକ୍ଷା ନେଇ କେତେକ ତ ଖ୍ରୀଷ୍ଟାନ୍‌ ହେଇଗଲେ, ତା’ଛଡ଼ା ଆହୁରି ଗୋଟିଏ ପ୍ରବଚନ ବି ପ୍ରଚଳିତ ଥିଲା–‘‘ଲେଡ଼ି ....ପେଡ଼ି ....ପେନ୍‌.....ହେନ୍‌ !’’

 

ଏଇ ଚାରୋଟି ଶବ୍ଦର ଅର୍ଥ ପ୍ରାୟ ସମସ୍ତେ ଜାଣନ୍ତି । ତେଣୁ ଅଧିକ ବ୍ୟାଖ୍ୟା ଅନାବଶ୍ୟକ !

 

(ଅବଶ୍ୟ ଏ କଥା ଲେଖିବା ବେଳେ ମିଶନାରୀମାନେ ଏ ଦେଶର ଅନୁନ୍ନତ ଶ୍ରେଣୀର ଲୋକଙ୍କ ଶିକ୍ଷା, ସଭ୍ୟତା, ସ୍ୱାସ୍ଥ୍ୟ ଓ ସଂସ୍କୃତିଗତ ଉନ୍ନୟନ ପାଇଁ ଯେଉଁ ଅଶେଷ ପରିଶ୍ରମ କରିଛନ୍ତି–ତାହା ମୁଁ ଶ୍ରଦ୍ଧାର ସହିତ ସ୍ମରଣ କରୁଚି ।)

 

ଏକ ବିସ୍ତୀର୍ଣ୍ଣ ଢାଲୁ ଭୂଇଁ ଉପରେ ନଈ କୂଳକୁ ଲାଗି ମସ୍ତବଡ଼ କମ୍ପାଉଣ୍ତ । ତା’ରି ଭିତରେ ମଥା ତୋଳି ଠିଆ ହେଇଚି କନଭେଣ୍ଟ୍‌ । ଆଜିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ।

 

ଆନ୍ତର୍ଜାତିକ ଖ୍ରୀଷ୍ଟ-ଧର୍ମ ସଂସ୍ଥା ଦ୍ୱାରା ପରିଚାଳିତ ଏଇ କନଭେଣ୍ଟ୍‌ର ପ୍ରତିଷ୍ଠାତା କିଏ, ଜାଣେନା ।

 

କେତେ ମଦର୍‌ ସୁପିରିୟର୍‍, ଫାଦର୍‍, ନନ୍‌ ଗଲେଣି; କେତେ ଭଙ୍ଗା-ଗଢ଼ା ହେଲାଣି । ସାଳନ୍ଦୀର ଇତିହାସ-ପ୍ରସିଦ୍ଧ ବନ୍ୟାରେ ବା ବିହାର ଭୂମିକମ୍ପବେଳେ ଫାଟିଚି ଗିର୍ଜାର ଚୂଡ଼ା, ଟଳିଚି ଗମ୍ବୁଜ । ମରାମତି ହେଇ ପୁଣି ମଥା ଟେକିଚି ପ୍ରେମ-ଧର୍ମର ମୁକୁଟ କ୍ରୁସ୍‍, ଉନ୍ନତ ଶୀର୍ଷ ଦେଶରେ ଧାରଣ କରି ।

 

ଏଇ ନିରବଚ୍ଛିନ୍ନ କ୍ଷୟ ଓ ନିର୍ମାଣ ଭିତର ଦେଇ ଗଢ଼ି ଉଠିଚି, ବଢ଼ି ଚାଲିଚି କନଭେଣ୍ଟ୍‌ର ଭିତର ଓ ବାହାର ।

 

ଯୋଉମାନଙ୍କ ଉଦ୍ୟମ ଆଉ ଅଧ୍ୟବସାୟ ଫଳରେ ଆଜି ଆମେ ଉକ୍ତ ଅନୁଷ୍ଠାନଟିର ବିରାଟତ୍ୱ ପ୍ରତ୍ୟକ୍ଷ କରୁଛୁଁ, ସେମାନଙ୍କର ‘‘ପରିଶ୍ରାନ୍ତ, ପରିକ୍ଷୀଣ....ମର୍ତ୍ତ୍ୟ-ଜନ୍ମ-ଶିଖା’’ ଲିଭି ଯାଇଚି-। ମହାନିଦ୍ରାରେ ଶୋଇ ପଡ଼ିଛନ୍ତି ସେମାନେ ।

 

ଗିର୍ଜାଠାରୁ କିଛି ଦୂରରେ ଏଇ ଦେଖ–କ୍ରୁସ୍‍କଣ୍ଟକିତ ଉଚ୍ଚ ଭୂମି ଖଣ୍ତକ !

 

ସପ୍ତ-ସମୁଦ୍ର ପାରି ହୋଇ ଆସିଥିଲେ ଯୋଉମାନେ ଏଠି ପ୍ରେମ ଧର୍ମର ମିନାର ଗଢ଼ିବାକୁ, ଗଭୀର ନିଦ୍ରାର ପ୍ରଶାନ୍ତିରେ ଶୋଇବା ପାଇଁ ସେମାନେ ଆଦରି ନେଇଛନ୍ତି ସୁଦୂର-ପ୍ରବାସର ଏଇ ସାମାନ୍ୟ ପତିତ ଜମିଟି ।

 

ଆଜି ଏହାର ବିରାଟ କମ୍ପାଉଣ୍ତ ଭିତରେ କେତେ ପ୍ରକାର ବ୍ୟବସ୍ଥା । ଇଂଲିସ ମିଡିୟମରେ ସିନିୟର କେମ୍ବ୍ରିଜ ଯାଏ ପଢ଼ାହୁଏ । ପୁଅ ଓ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଦୋମହଲା ହେଷ୍ଟେଲ । ନନ୍‌ ବା ସିଷ୍ଟରମାନଙ୍କୁ ଶିକ୍ଷା ଦେବା ପାଇଁ ଟ୍ରେନିଂ ସେଣ୍ଟର । କେତେ ଫାଦର୍‍ ଓ ଶିକ୍ଷକ ଅଛନ୍ତି । ଇନଡୋର ହସ୍‌ବିଟାଲ ଅଛି । ସ୍ୱଦେଶୀ ଓ ବିଦେଶୀ କେତେ ଡାକ୍ତର, କମ୍ପାଉଣ୍ତର, ନର୍ସ ! କେତେ ପ୍ରକାର ଆୟୋଜନ ! ସେଠାରେ ଥିବା ବୈଦେଶିକମାନଙ୍କ ଭିତରୁ ଅଧିକାଂଶ ଥିଲେ ଫରାସୀ ଓ ଇଂରେଜ୍‌ । ଫାଦର୍‍ମାନେ ଅଧିକାଂଶ ଇଂରେଜ, ଆଉ ନନ୍‌ ଅଧିକାଂଶ ଥିଲେ ଫରାସୀ ।

 

କ୍ଲାସରେ ପାଠ ପଢ଼ାଉଥିଲେ ଫାଦର୍‌ମାନେ; ରବିବାର ଦିନ ମୋଟର୍‌ ବାଇକ୍‌ ନେଇ ଧର୍ମପ୍ରଚାର କରିବାକୁ ଗାଁ ଗଣ୍ତାରେ ଘୂରୁଥିଲେ । ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିଲେ । ଏଣେ କ୍ଲାସରେ ଫିଜିଓଲୋଜ ବି ପଢ଼ାଉଥିଲେ ।

 

ଅନେକଗୁଡ଼ିଏ ନେଟିଭ୍‌ ଖ୍ରୀଷ୍ଟାନ୍ ଝିଅ ମଧ୍ୟ ବୈଦେଶିକ ନନ୍‍ ଓ ସିଷ୍ଟରମାନଙ୍କ ସାଙ୍ଗରେ ସେଠି ରହିଥାନ୍ତି ଆଜୀବନ-ବ୍ରହ୍ମଚାରିଣୀ ଭାବେ, ସନ୍ୟାସିନୀ-ଦୀକ୍ଷା ଗ୍ରହଣ କରି । ଅଦ୍ଭୁତ ଏକପ୍ରକାର ଧଳା ଗାଉନ୍‌ ପିନ୍ଧି ସାଇବେରିଆର ‘ଶ୍ୱେତ-ପକ୍ଷୀ’ ପରି ଦିଶନ୍ତି ସେମାନେ ! ନୂଆ ନନ୍‌ମାନଙ୍କୁ ଟ୍ରେନିଂ ଦେବା ଛଡ଼ା ହସ୍‌ପିଟାଲରେ ରୋଗୀର ଶୁଶ୍ରୂଷା କରିବା, କ୍ଲାସରେ ପାଠ ପଢ଼େଇବା ବି ଏମାନଙ୍କ କର୍ତ୍ତବ୍ୟ ।

 

ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା ଅଛି । ଖେଳ ପଡ଼ିଆ, ଲାଇବ୍ରେରୀ, ବିଜୁଳି-ଆଲୁଅ (ସ୍ୱତନ୍ତ୍ର ଡାଇନାମୋ ଦ୍ୱାରା) ସବୁକିଛି ରହିଚି ତା’ରି ଭିତରେ ।

 

ସମସ୍ତେ ସେଠାରେ କୁମାରୀ ଓ କୁମାର । ନାହିଁ ଜଣେହେଲେ ବିବାହିତା ବା ବିବାହିତ । ଉପାସନା, ଚିର-କୌମାର୍ଯ୍ୟ, ସେବା, ଶୃଙ୍ଖଳା, ଶାସନ ଓ ନିପୀଡ଼ିତ-ବ୍ରହ୍ମଚର୍ଯ୍ୟର ବାତାବରଣରେ ପବିତ୍ର ଆଉ ବିଶୁଦ୍ଧ ଏହାର ପ୍ରତିଟି ଅଣୁ-ପରମାଣୁ ।

 

ଏଡ଼େ ବଡ଼ ବିରାଟ ଅନୁଷ୍ଠାନର ମୁଖ୍ୟ ପରିଚାଳିକା ଓ ସର୍ବେସର୍ବା–ମଦର୍‌ ସୁପିରିୟର୍‌ ମିସ୍‌ ବ୍ରାଉନିଂ ।

 

ଆନ୍ତର୍ଜାତିକ ରୋମାନ୍‌ କାଥଲିକ୍‌ ସଂସ୍ଥା ପକ୍ଷରୁ ନିଯୁକ୍ତି ପାଇ ବହୁ ଦିନ ହେବ ଫ୍ରାନ୍‍ସରୁ ଆସି ସେ ରହିଲେଣି । ବୟସ୍କା ମହିଳା–ପ୍ରାୟ ଚାଳିଶ ପାଖାପାଖି, ଚାଳିଶରୁ କିଛି କମ୍‌ ହେଇ ପାରେ–ତେଣୁ ପ୍ରୌଢ଼ା କୁହାଯାଇ ପାରେନା–ଦେହରେ ରହିଚି ଯୌବନର ଅବଶିଷ୍ଟ–ମନ୍ଦ ନୁହେଁ ଦେହର ଗଢ଼ଣ–କିନ୍ତୁ ଭଲ ନୁହେଁ ମୁହଁର ଗଠନ–ଅଛି ଗାମ୍ଭୀର୍ଯ୍ୟ; ନାହିଁ ସୌନ୍ଦର୍ଯ୍ୟ–ଅଛି ବ୍ୟକ୍ତିତ୍ୱ ନାହିଁ ଲାଳିତ୍ୟ–କ୍ୟାମେଲାଇଟ୍‌ ପୋଷାକ ଢାଙ୍କି ଦେଇଚି ତାଙ୍କ ନାରୀତ୍ୱର କମନୀୟତା–ଲମ୍ବା ମୋଟା ଭ୍ରୂଲତା, ତୀକ୍ଷ୍ଣ ନାକ, ରୁକ୍ଷ ଚାହାଣି, ସବୁ ମିଶି ଗୋଟିଏ କଥାରେ ସେ ଏକ ନିରସ, ଶୁଷ୍କ ଧର୍ମ-ଧ୍ୱଜୀ ବ୍ରହ୍ମଚାରିଣୀ !

 

ସ୍ନେହ, ପ୍ରେମ, ଦୟା, ତିତିକ୍ଷା....ପ୍ରଭୃତି କୋମଳ-ବୃତ୍ତି ତାଙ୍କ ହୃଦୟରେ ଅଛି ବୋଲି କେହି ବିଶ୍ୱାସ କରି ପାରିବନି ତାଙ୍କୁ ଦେଖିଲେ । ଅଥଚ ବିଧିର ଏପରି ବିଡ଼ମ୍ବନା ଯେ, ସେଇ ହେଇଚନ୍ତି ପ୍ରେମ-ଧର୍ମପ୍ରଚାର ସଂସ୍ଥାର (ସ୍ଥାନୀୟ) ପ୍ରଧାନ ସଞ୍ଚାଳିକା !

 

ସିନିୟର କେମ୍ବ୍ରିଜ୍‌ର ଉପର କ୍ଲାସ୍‌ମାନଙ୍କରେ ମିସ୍‌ ବ୍ରାଉନିଂ ଇଂରାଜୀ ଓ ଇତିହାସ ପଢ଼ାନ୍ତି । ଶିକ୍ଷୟତ୍ରୀ ଭାବେ ସେ ଥିଲେ ଖୁବ୍‌ ଭଲ । କିନ୍ତୁ ଛାତ୍ରମାନଙ୍କ ପ୍ରତି ବ୍ୟବହାର ଥିଲା ବେଶ୍‌ କଡ଼ା । ଯୀଶୁଖ୍ରୀଷ୍ଟ ମନା କରିଛନ୍ତି, ‘‘କାହାରିକି ଆଘାତ କରିବ ନାହିଁ’’, ଏଇ କଥାଟା ମିସ୍‌ ବ୍ରାଉନିଂ ପ୍ରିନ୍‌ସିପାଲ ଭାବରେ ବାରମ୍ବାର ଭୁଲି ଯାଉଥିଲେ !

 

ଯାହା ହେଉ, ସମଗ୍ର ଅନୁଷ୍ଠାନଟି ତାଙ୍କରି ଦ୍ୱାରା ନିୟନ୍ତ୍ରିତ । ସମୁଦାୟ ବ୍ୟବସ୍ଥା ଓ ପରିଚାଳନା ତାଙ୍କରି ଅଧୀନରେ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଧର୍ମପ୍ରଚାର ....ସବୁ କିଛିର ସେ ଥିଲେ ସର୍ବେସର୍ବା ।

 

ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ, ମାନୁଥିଲେ, ଭୟ ଭକ୍ତି କରୁଥିଲେ । ନିୟମ, ଶୃଙ୍ଖଳା ଓ ଶାସନ ବିଷୟ ଭାରି କଡ଼ା ଥିବାରୁ ସଂସ୍ଥାର ଉପର ମହଲରେ ତାଙ୍କର ଖୁବ୍‌ ସୁନାମ ଓ ପ୍ରଭାବ ଥିଲା ।

 

କ୍ଷମତା, ବ୍ୟକ୍ତିତ୍ୱ ଓ ଗାମ୍ଭୀର୍ଯ୍ୟରେ ମହୀୟସୀ ମହିଳା ମଦର୍‌ ସୁପିରିୟର୍‍ ମିସ୍‌ ବ୍ରାଉନିଂ-!

 

ଆମେମାନେ (ଆମ ସ୍କୁଲ ପିଲାମାନେ) କେବେ କେବେ ଶନିବାର ଉପରବେଳା କିମ୍ବା ରବିବାର ଦିନ (ସମ୍ମିଳିତ ପ୍ରାର୍ଥନା ହୁଏ ସେଦିନ) ମିଶନ ଆଡ଼େ ବୁଲି ଯାଉଁ । ସୋ ସ୍କୁଲର ପିଲାମାନେ ଆମଠାରୁ ଅଧିକ ଭାଗ୍ୟବାନ ବୋଲି ମନେକରୁ, ଅଧିକ ସ୍ମାର୍ଟ ବୋଲି ଭାବୁ ଆଉ ଭଲ ଇଂରାଜୀ ଜାଣନ୍ତି ବୋଲି ଅନୁଭବ କରୁ । ଆମଠାରୁ ସେମାନଙ୍କ ଆଉଟ୍‌ ନଲେଜ ଯେ ଯଥେଷ୍ଟ ବେଶୀ, ଏ କଥା ବି ମନେମନେ ସ୍ୱୀକାର କରି ନେଉଥିଲୁ ।

 

ସେଇ ରେସିଡେନ୍‌ସିଆଲ ସ୍କୁଲରେ ଯୋଉମାନେ ପଢ଼ୁଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ଓଡ଼ିଶା ବାହାରର । ସ୍ଥାନୀୟ ଛାତ୍ର କ୍ୱଚିତ୍ ଥିଲେ । ଅଧିକାଂଶ ଛାତ୍ର ଛାତ୍ରୀ ଥିଲେ କାଥଲିକ୍‌ ଖ୍ରୀଷ୍ଟାନ୍‌ ।

 

ସେମାନଙ୍କୁ ଦେଖିଲେ, ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲେ, ନିଜ ସମ୍ବନ୍ଧରେ ବାସ୍ତବିକ ଟିକିଏ ହୀନମନ୍ୟତା ଆସୁଥିଲା ।

 

ପ୍ରାର୍ଥନା କ୍ଲାସରେ ଯୋଗ ଦେବା ନ ଦେବା ଥିଲା ହିନ୍ଦୁ ଛାତ୍ରମାନଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ-। ପ୍ରାୟ କେହି ହିନ୍ଦୁ ଛାତ୍ର ପ୍ରାର୍ଥନାରେ ଯୋଗ ଦେଉ ନ ଥିଲେ । ରବିବାର ପ୍ରାର୍ଥନାବେଳେ ଆମେ ଦେଖିଛୁ, ସେମାନେ ହଷ୍ଟେଲରେ, ବଗିଚାରେ, ଲାଇବ୍ରେରୀରେ ବା ଆମ୍ବ ତୋଟାରେ ଏଣେତେଣେ ଆଡ୍‍ଡା ଦେଇ ଘୂରି ବୁଲୁଛନ୍ତି ।

 

ମଦର୍‌ ସୁପିରୟର୍‍ଙ୍କ ସାଙ୍ଗରେ ପ୍ରାୟ ଦେଖାସାକ୍ଷାତ ହୁଏନା, ଅର୍ଥାତ୍‌ ସେ ଆଦୌ ଦେଖା ଯାଆନ୍ତି ନାହିଁ । ସବୁବେଳେ ବଡ଼ କାର୍ଯ୍ୟ ବ୍ୟସ୍ତ ଥାଆନ୍ତି ବୋଧହୁଏ । ଆମେ ଅବଶ୍ୟ କେବେହେଲେ ତାଙ୍କୁ ଦେଖା କରିବାକୁ ଚେଷ୍ଟା କରିନୁ ।

 

ତେବେ, ଫାଦର୍‍ ଜନ୍‌ସନ୍‌ ଓ ଫାଦର୍‍ ଲିଜୋଲି ଦୁହିଁଙ୍କ ସାଙ୍ଗରେ ଆମମାନଙ୍କର ପ୍ରାୟ ପ୍ରତିଥର ଦେଖାହୁଏ...କେତେ କଥାବାର୍ତ୍ତା ହୁଏ ।

 

ଭାରି ସୁନ୍ଦର ଲୋକ ଫାଦର୍‌ ଜନ୍‌ସନ୍‌ ! ଅତି ଅମାୟିକ ! ଭଦ୍ର ବ୍ୟବହାର ! ମିଠା କଥା-! ଠିକ୍‌ ତାଙ୍କ କଥା ଭଳିଆ ମିଠା, ରିଫ୍ରିଜିରେଟର୍‌ରୁ ଯୋଉ ସର୍ବତ୍‌ ବାହାର କରି ଆମକୁ ପିଇବାକୁ ଦିଅନ୍ତି ସେ । ହସି ହସି ପଚାରନ୍ତି–ପିଲାମାନେ, ଆମ ସ୍କୁଲ କିପରି ଲାଗୁଅଛି ତୁମ୍ଭମାନଙ୍କୁ-?

 

ଆମେ କହୁ–ଖୁବ୍‌ ଭଲ ଫାଦର୍‌ । ଖୁବ୍‌ ଭଲ ।

 

ବାସ୍ତବିକ ଭଳ ଲାଗୁଅଛି ନାଁ ଖାଲି ମୋତେ ସନ୍ତୁଷ୍ଟ କରିବାକୁ ଏପରି କହୁଅଛ ?

 

ସତ କହୁଛୁ ଫାଦର୍‌ । ଖୁବ୍‌ ଭଲ !

 

ପିଲାମାନେ, ତୁମ୍ଭମାନଙ୍କୁ କ୍ରିକେଟ୍‌ ଖେଳ ଜଣା ଅଛି ?

 

ନାଁ ଫାଦର୍‌, ଆମେ କେବଳ ଫୁଟବଲ ଜାଣୁ ।

 

ତେବେ ତୁମ୍ଭେମାନେ ପ୍ରତି ରବିବାର ଅପରାହ୍ନରେ ଏଠାକୁ ଆସ । ଆମ୍ଭମାନଙ୍କ ସହିତ କ୍ରିକେଟ୍‌ ଖେଳିବ ।

 

ହଉ ଫାଦର୍‌ ଆସିବୁ ।

 

ଆମ୍ଭେ ତୁମ୍ଭମାନଙ୍କୁ ବଡ଼ ପ୍ରେମ କରୁ । ତୁମ୍ଭେମାନେ ଏଠାକୁ ଆସିଲେ ଆମ୍ଭଙ୍କୁ ଖୁବ୍‌ ଆନନ୍ଦିତ ଲାଗେ ।

 

ଫାଦର୍‌, ଆପଣଙ୍କ ଘର ଇଉରୋପରେ ?

 

ହଁ ।

 

ଆପଣ ଘରକୁ କେବେ ଯିବେ ?

 

ଆମ୍ଭେ ବର୍ତ୍ତମାନ ସନ୍ନ୍ୟାସୀ ଅଟୁ । ଘର ସହିତ କୌଣସି ସମ୍ପର୍କ ନାହିଁ ।

 

ଇଉରୋପରେ କ’ଣ ସବୁବେଳେ ବରଫ ପଡ଼େ ଫାଦର୍‌ ?

 

ନାଁ, ସବୁବେଳେ ନୁହେଁ । କେବଳ ଶୀତଦିନେ ପଡ଼େ ।

 

ସେତେବେଳେ ଭାରି ଥଣ୍ତା ହୁଏ ?

 

ଅବଶ୍ୟ ହୁଏ ।

 

ମାଟି ଉପରେ ଯେଉଁ ବରଫ ପଡ଼େ, ତାକୁ ଚାଞ୍ଛି ନେଇ ସର୍ବତ୍‌ କରି ଖାଇଲେ ?

 

ହୋ ହୋ ହୋଇ ପ୍ରାଣ ଖୋଲା ହସ ହସି ଉଠନ୍ତି ଫାଦର୍‌ ଜନ୍‌ସନ୍‌ ।

 

କେଡ଼େ ଚମତ୍କାର ଲୋକ ।

 

ମୁଁ ପଚାରେ–ଫାଦର୍‌, ଆପଣ କେବେ ଏଣ୍ତୁରି ପିଠା ଖାଇଛନ୍ତି ?

 

ତାହା କି ପଦାର୍ଥ ?

 

ଏଥର ଆମେମାନେ ହୋ ହୋ ହେଇ ହସି ଉଠୁ । ତାଳି ମାରି ଏକା ସାଙ୍ଗରେ କହି ପକାଉଁ–ଆରେ, ଏଣ୍ତୁରି ପିଠା କ’ଣ ଫାଦର୍‌ ଜାଣେ ନାଇଁ....ଫାଦର୍‌ଟା କିଛି ଜାଣେନିରେ । ଫାଦର୍‌, ଏଣ୍ତୁରି ପିଠା କ’ଣ, ଆପଣ ଜାଣନ୍ତିନି ?

 

ତାହା କ’ଣ ଖାଦ୍ୟ ପଦାର୍ଥ ?

 

ପୁଣି ସମ୍ମିଳିତ ହସ !!

 

ମୁଁ କହେ–ଆପଣଙ୍କୁ ଦିନେ ଏଣ୍ତୁରି ପିଠା ଖୁଆଇବି ଫାଦର୍‌ ।

 

ଅନ୍ୟମାନେ କହନ୍ତି–ଏତେଦିନ ଏ ଦେଶରେ ରହି ଫାଦର୍‌ ଏଣ୍ତୁରି ପିଠା ଚାଖିନି !

 

ସେ ତାଙ୍କ ଲାଲ୍‌ ଦାଢ଼ି ଆଉଁସି ଆଉଁସି ହସି ଦେଇ କହନ୍ତି, ଆଚ୍ଛା, ଥରେ ମୋତେ ଖୁଆଅ ।

 

ଦନେ ଟିଫିନ୍‌ କ୍ୟାରିଅରରେ ଏଣ୍ତୁରି ପିଠା ନେଇ ଯାଇଥିଲି ତାଙ୍କ ପାଇଁ ।

 

ପିଠା ଖାଇ ତାଙ୍କର ସେ କି ଆନନ୍ଦ !

 

ଖୁବ୍‌ ଲମ୍ବା ଚଉଡ଼ା ଚେହେରା ଥିଲା ଜନ୍‌ସନ୍‌ଙ୍କର ।

 

ଆଉ ଫାଦର୍‌ ଲିଜୋଲି । ସେ ଥିଲେ ଅତିରିକ୍ତ ଗେଡ଼ା ।

 

ଲୋକଟାର ଆକାର ପ୍ରକାର ଯେପରି ଛୋଟ, ମନଟା ବି ସେଇପରି !

 

ଫାଦର୍‌ ଜନ୍‌ସନ୍‌ଙ୍କୁ ଲୋକେ ଯେତିକି ଭଲ ପାଉଥିଲେ–ଲିଜୋଲିଙ୍କୁ ସେତିକି ଘୃଣା କରୁଥିଲେ । ତାଙ୍କୁ ସହର ସାରା ଚିହ୍ନୁଥିଲେ ‘ଠୁଣ୍ଟା ସାହେବ’ ନାମରେ; କେହି କହୁ ନ ଥିଲେ ‘ଲିଜୋଲି’ ବୋଲି ।

 

ଏଇ ‘ଠୁଣ୍ଟା’ ଶବ୍ଦଟିର ଗୋଟିଏ ତାତ୍ପର୍ଯ୍ୟ....ଅଛି ।

 

ବହୁଦିନ ତଳେ, ଥରେ ଫାଦର୍‌ ଲିଜୋଲି ଧର୍ମପ୍ରଚାର କରିବାକୁ ଯାଇ ଗୋଟିଏ ଗାଁରେ ହିନ୍ଦୁ ଦେବ ଦେବୀମାନଙ୍କୁ ଗାଳି ଦେଲେ ।

 

ତା’ର ଫଳ ଯାହା ହେବାର କଥା, ସେଇଆ ହେଲା । ଗାଁବାଲା ସମସ୍ତେ ମିଶିଯାଇ ଲଗେଇଲେ ମାଡ଼ !

 

ଅବଶ୍ୟ ମାଡ଼ ଖାଇଲାବେଳେ ସେ ଠିକ୍‌ ପ୍ରଭୁ ଯୀଶୁଙ୍କ ପରି ସର୍ବଶକ୍ତିମାନଙ୍କ ଉଦ୍ଦେଶ୍ୟରେ ଚିତ୍କାର କରି ଉଠିଥିଲେ–Oh god, Forgive them–for they don’t know what they do….

 

କିନ୍ତୁ ଯିଶୁ ସିନା ଏହା କହି କହି ଧୈର୍ଯ୍ୟର ସହିତ ଠିଆହେଇ ରହିଥିଲେ । ମାତ୍ର ଏ ମହାଶୟ ଚଟାପଟ୍‌ ଏତିକି କହି ପକାଇ ମୋଟର ବାଇକ୍‌ ଷ୍ଟାର୍ଟ କରି ‘ଯ ପଳାୟତି ସ ଜୀବତି’ ନୀତିରେ ଚମ୍ପଟ୍‌ କରିବାକୁ ଚେଷ୍ଟା କରୁ କରୁ ଖୁବ୍‌ ଜୋରରେ କଚଡ଼ାଏ ଖାଇ କନଭେଣ୍ଟ୍‌ର ବାଇକ୍‌ଟି ତ ଭାଙ୍ଗିଲେ, ତା’ଛଡ଼ା ନିଜ ବାଁ ହାତଟି ଚିରଦିନ ପାଇଁ ଛୋଟା କରି ବସିଲେ !!!

 

ସେଇ ଦିନୁ ତାଙ୍କ ନାମ ‘ଠୁଣ୍ଟା ସାହେବ !’

 

ଠୁଣ୍ଟା ସେହେବ ଆମକୁ କହନ୍ତି–କୁଆଡ଼େ ଆସିଛ ପିଲାମାନେ ? ଆମ ସ୍କୁଲ ଦେଖିବାକୁ ? ଭଲ, ଭଲ...ଦେଖ । କି ରକମ ବଢ଼ିଆ କୋଠା ଘର, କି ରକମ ବିଜୁଳି ଆଲୁଅ, କଳ, ପଙ୍ଖା ! ଏଇଠି ପଢ଼, ତେବେ ଯାଇ ବୁଦ୍ଧି ହବ । ସେଠି ଧତଡ଼ା ଆଜବେଷ୍ଟଜ୍‌ ଛାତ ତଳେ ବସି ପଡ଼ିଲେ ଏ ଗରମ ଦେଶରେ ଖାଲି ମଥା ତାତିବାଇ ସାର ହେବ ! ପଢ଼ାପଢ଼ି ହବ ଘୋଡ଼ା ଡିମ୍ବ !

 

ଲୋକଟା ବହୁତ ଦିନରୁ ଏଠି ରହିଚି । ବେଶ୍‌ ଓଡ଼ିଆ ଜାଣେ । ଅନ୍ତତଃ ଫାଦର୍‍ ଜନ୍‌ସନ୍‍ଙ୍କ ପରି ଖଣ୍ତିକିଆ ଶୁଦ୍ଧ ଶବ୍ଦ ବ୍ୟବହାର କରେନି । ହେଲେ, ମସ୍ତ ପାଜିଟାଏ ! ତା’ କଥା କହିବାର ଭଙ୍ଗୀ ଓ ଆଚାର-ବ୍ୟବହାର ଦେଖିଲେ ଯେ କୌଣସି ଲୋକର ହାଡ଼ ଜଳିବ । ସେ ମନେ କରୁଥିଲା, ଦୁନିଆରେ କେବଳ ଖ୍ରୀଷ୍ଟାନମାନେଇ ମଣିଷ । ଆଉ ସବୁଯାକ ପଶୁ !

 

ଆମେ ତାକୁ ଚିଡ଼ାଇବା ପାଇଁ କହୁଁ, ଠୁଣ୍ଟା ଫାଦର୍‍ ! ଆପଣ ତ ବଡ଼ ସୁନ୍ଦର ଓଡ଼ିଆ କହି ପାରନ୍ତି !

 

ଲିଜୋଲି ରାଗି ଉଠନ୍ତି–Look boys. Don’t talk like this. I am not ‘thunta’–my name is ‘Lijoli’….Father Lijoli. Understand ?

 

ମିଶନ୍‌ ଭିତରେ ବୁଲିବାବେଳେ ହଠାତ୍‌ କେବେ କିମିତି ମଦର୍‌ ସୁପିରିୟର୍‌ଙ୍କୁ ଦେଖିଚି । ବେଶ୍‌ ଗମ୍ଭୀର କଟାକ୍ଷଟିଏ ହାଣି କେବଳ ଅଭିବାଦନର ନୀରବ-ଉତ୍ତର ଦେଇ ନିଜ କାମରେ ଚାଲିଯାଆନ୍ତି ସେ ।

 

ଦିନକର କଥା ମନେଅଛି ।

 

ପ୍ରଥମ ଥର ସେଇ ଦିନ ସେ ମୋ ସାଙ୍ଗରେ କଥା କହିଥିଲେ ।

 

ଏକୁଟିଆ ବୁଲୁଥିଲି ଉପରବେଳା (ଦିନଟି ଥିଲା ରବିବାର) ମିଶନ୍‌ର ଜନଶୂନ୍ୟ କ୍ରିକେଟ୍‌ ପଡ଼ିଆରେ ।

 

କେହି ନ ଥିଲେ ସେଠି ।

 

ମୋର ସାଙ୍ଗମାନେ ଥିଲେ ଲାଇବ୍ରେରୀ ଭିତରେ ।

 

ଖେଳ ଆରମ୍ଭ ହେବାକୁ ଡେରି ଥିବାରୁ କେହି ଖେଳାଳି ଆସି ନ ଥିଲେ ସେତେବେଳକୁ-

 

ଅନ୍ୟମନସ୍କଭାବେ ଗୀତଟିଏ ଗୁଣୁ ଗୁଣୁ କରୁଥାଏଁ ଆଉ ବୁଲୁଥାଏ । ଦେଖିଲି, ପଡ଼ିଆ ଭିତର ଦେଇ ଗିର୍ଜାଆଡ଼କୁ ସେ ଯାଉଛନ୍ତି, ହାତରେ କ’ଣ ଖଣ୍ତେ ମାଗାଜିନ୍‌ ଧରିଥିଲେ ।

 

ହଠାତ୍‌ ମୋ ଆଡ଼କୁ ବୁଲି ଚାହିଁଲେ ।

 

କହିଲି–ଗୁଡ୍‍ ଆଫ୍‌ଟର୍‌ ନୁନ୍‌ ।

 

ନୁନ୍‌ ! ସ୍ଥିର ତୀର୍ଯ୍ୟକ ଦୃଷ୍ଟିରେ ଅନାଇ ପଚାରିଲେ, ତମେ ?

 

ମୁଁ ଟାଉନ୍‌ ହାଇସ୍କୁଲର ଛାତ୍ର ।

 

ଜାଣେ । ଟିକିଏ ରହି ଯାଇ ଆସ୍ତେ ପଚାରିଲେ, ତମ ନାମ ?

 

ବିଜୟ କୁମାର ଚୌଧୁରୀ ।

 

ତମେ କ’ଣ ଦେଓ୍ୱାନ୍‌ ବାହାଦୁର ପି, କେ, ଚୌଧୁରୀଙ୍କ ପୁଅ ।

 

ଆଜ୍ଞା ।

 

କୋଉ କ୍ଲାସରେ ପଢ଼ୁଚ ?

 

କ୍ଲାସ୍‌ ଟେନ୍‌ !

 

କ୍ଲାସ ଟେନ୍‌ ? ତମର ବୟସ କେତେ ?

 

ଷୋଳ ବର୍ଷ ।

 

ଷୋଳ ବର୍ଷ ବୟସରେ ତ କଲେଜରେ ପଢ଼ିବା କଥା । ତମେ କ୍ଲାସ୍‍ ଟେନରେ ପଢ଼ୁଚ-? ଟିକିଏ ଆଶ୍ଚର୍ଯ୍ୟ ହେଲାପରି ହସିଦେଲେ ମିସ୍‌ ବ୍ରାଉନିଂ ।

 

ମୁଁ ଚୁପ୍‌ ରହିଲି ।

 

ତା’ପରେ ସେ ଚାଲିଗଲେ ।

 

ପରିଚୟର ପ୍ରଥମ ଅଧ୍ୟାୟ ସେଇଦିନ ଆରମ୍ଭ ।

 

ଜୀବନରେ ପ୍ରଥମଥର ତାଙ୍କୁ ହସିବାର ଦେଖିଲି ସେଦିନ । ତା’ ପୂର୍ବରୁ ମୁଁ କନଭେଣ୍ଟ୍‌ର ଛାତ୍ରମାନଙ୍କ ଠାରୁ ଶୁଣିଥିଲି ଯେ, ସେଇ ଭଦ୍ର-ମହିଳାଟି ହସିବା କ’ଣ ଜାଣନ୍ତିନି । କେହି ତାଙ୍କ ମୁହଁରେ କେବେ ହସ ଦେଖିନି ।

 

ମହାଯୁଦ୍ଧର ଘନଘଟା ସାଙ୍ଗକୁ ଖୁବ୍‌ ଜୋର ତେଜି ଉଠିଚି ଦେଶ-ବ୍ୟାପୀ ବ୍ରିଟିଶ ଆନ୍ଦୋଳନ ।

 

ଚଳାଚଳ ବ୍ୟବସ୍ଥାକୁ ସ୍ଥାଣୁ, ବିପର୍ଯ୍ୟସ୍ତ କରି ପକାଇବା ପାଇଁ ସନ୍ତ୍ରାସବାଦୀମାନେ ଚାରିଆଡ଼େ ଆରମ୍ଭ କରି ଦେଇଛନ୍ତି ଷଡ଼ଯନ୍ତ୍ର !

 

ନେତାମାନେ ତ ବକ୍ତୃତା, ବିବୃତି, ଇସ୍ତାହାର ଦେଇସାରି ରହିଲେ ଯାଇ କଟକ, ବ୍ରହ୍ମପୁର, ହାଜାରିବାଗ୍‌ର ସେଣ୍ଟ୍ରାଲ ଜେଲରେ; ଅଥବା ଦରଭଙ୍ଗା ହାଉସ, ଆହମଦ୍‌ନଗର ଦୁର୍ଗ କିମ୍ବା ଆଗାଖାଁ ପ୍ରସାଦର ଆରାମ-ଦାୟକ କକ୍ଷରେ; ବାହାରେ ମଲେ ବିଚରା ଗରିବ ଜନସାଧାରଣ-। ଯୋଉମାନେ ଅନ୍ଧପରି ବାହାରିଥିଲେ ‘ବ୍ରିଟିଶ ଖେଦିବାକୁ’ ।

 

ରେଲ୍‌ ରାସ୍ତାରୁ ଫିସ୍‌-ପ୍ଲେଟ୍‌ ଉଠାଇ ନେବା, ତା’ର ଖୁଣ୍ଟି ଉପାଡ଼ିବା, ଥାନା ଓ ଡାକଘର ପୋଡ଼ିବା ହେଇ ପଡ଼ିଲା ନିତ୍ୟନୈମିତ୍ତିକ ଘଟଣା ।

 

ଧନୀ ଘରର ଯୋଉ ପିଲାମାନେ କଂଗ୍ରେସରେ ଯୋଗଦେଲେ ପଢ଼ାପଢ଼ି ଛାଡ଼ି, ବିଟ୍ରିଶ ଯିବା ପରେ ସେଇମାନେ ଗଢ଼ି ନେଇଛନ୍ତି ନିଜ ନିଜର ଭବିଷ୍ୟତ, ମନ୍ତ୍ରୀ କିମ୍ବା ସେଇପରି କିଛି ହେଇ ।

 

ଆଉ, ମଧ୍ୟ-ବିତ୍ତ ପରିବାରର ଯୋଉମାନେ ଯୋଗ ଦେଇଥିଲେ ସେଥିରେ, କେହି କିରାନୀ ଚାକିରି ଖୋଜି ବସିଲେ ଦେଶ ସ୍ୱାଧୀନ ହେବା ପରେ, କେହିବା ସେତେବେଳେ ମାସେ ଦୁଇ ମାସ ଜେଲରେ ରହିବା ପରେ କ୍ଷମା ମାଗି ଖଲାସ ହୋଇ ଆସି ପୁଣି ପଢ଼ାପଢ଼ିରେ ମନ ଦେଇଥିଲେ ।

 

ବହୁ ମେଧାବୀ ଛାତ୍ର ସେଥିରେ ମାତି ବାପା-ମାଆଙ୍କ ଉଚ୍ଚାଶାକୁ ଧୂଳି-ସାତ୍‌ କରି ବାରବୁଲା ହେଲେ । କେତେ ପରିବାରରେ ତାହା ଆଣିଦେଲା ଅବଶ୍ୟମ୍ଭାବୀ ଦାରିଦ୍ର୍ୟର ଅଭିଶାପ-

 

ଅବଶ୍ୟ ସେଇମାନଙ୍କ ଭିତରୁ ଯେଉଁ କେତୋଟି ପ୍ରକୃତରେ ‘ବୁଦ୍ଧିମାନ’ ଥିଲେ, ସେମାନେ ପରବର୍ତ୍ତୀ କାଳରେ ଖଦଡ଼ ଝୁଲା ଧରି କଂଗ୍ରେସ ନାମରେ ଟାଉଟରି କରି ‘ପେଟ ପୋଷ୍‌–ନାହିଁ ଦୋଷ୍‌’ ନୀତି ଅବଲମ୍ବନ କରିଛନ୍ତି । କେହି ହେଇଚି ଏମ୍‌.ପି ବା ଏମ୍‌.ଏଲ୍‌.ଏ, ଆଉ କେହି ବା ହେବା ଆଶାରେ ଗାଁ-ଗଣ୍ତାରେ ‘ଦଳ’ ଓ ‘କନ୍ଦଳ’ ସୃଷ୍ଟି କରି ବୁଲୁଚି ।

 

ବାକି ରହିଲେ–କଂଗ୍ରେସର ଅନ୍ଧ-ସମର୍ଥକ କେତେକ ବୋକା ଓ ଅଶିକ୍ଷିତ ଲୋକ (ବାସ୍ତବିକ, ସେଇମାନେହିଁ ଆଣିଛନ୍ତି ସ୍ୱାଧୀନତା....) ଯୋଉମାନେ କି ଆନ୍ଦୋଳନର ମେରୁଦଣ୍ତ । ଯୋଉମାନଙ୍କୁ ଗୁଳି, ଲାଠି, ଟିୟାର୍‌ ଗ୍ୟାସ୍‌, ନିର୍ଯାତନା ଓ ଲାଞ୍ଛନା ଭିତରକୁ ଠେଲିଦେଇ ବା ଆଗେଇ ଦେଇ, ପ୍ରଥମ ଦୁଇ ଶ୍ରେଣୀର ଲୋକେ ପଛରେ ରହିଲେ ନେତା ହେବା ପାଇଁ, ନେତୃତ୍ୱ ଦେବାପାଇଁ !

 

ନବ-ଲବ୍‌ଧ ସ୍ୱାଧୀନତାର ବାଇ-ପ୍ରଡ଼କ୍ଟ ଦଳିତ, ନିଷ୍ପେଷିତ, ନୀପିଡ଼ିତ ସେଇ ସର୍ବହରାମାନେ ଆଜି ‘‘ଦୁସ୍ଥ ରାଜନୈତିକ କର୍ମୀ’’ ନାମରେ ଗୋଟାଏ ସ୍ୱତନ୍ତ୍ର ‘ପାରାସାଇଟ୍‌’ ଶ୍ରେଣୀ ସୃଷ୍ଟି କରି ଦେଶ ଉପରେ ଜଗଦଳ ପଥର ପରି ମାଡ଼ି ବସିଛନ୍ତି । ସେମାନଙ୍କ ଆବେଦନ ଓ ନିବେଦନ ଆଜି ହେଇଚି କଂଗ୍ରେସ ସରକାର ପକ୍ଷରେ ଗୁରୁତର ଦୁଶ୍ଚିନ୍ତାର ବିଷୟ !

 

ଦିନେ ଏକା ସାଙ୍ଗରେ ଘଣା ପେଲିଥିଲେ ଜେଲରେ । ଆଜି କିଏ ସର୍କିଟ ହାଉସରେ ରହୁଚି, କିଏ ମଟର ଆଗରେ ପତାକା ଉଡ଼ାଇ ବୁଲୁଚି ତ, କିଏ ‘ଦୁଃସ୍ଥ ରାଜନୈତିକ କର୍ମୀ’ ହେଇ ସୁଦୂର ମଫସଲର ଅନ୍ଧାରି କୋଣରେ ପଡ଼ି ସଢ଼ୁଚି; ଆଖିରେ ଆଙ୍ଗୁଳି ଦେଇ ଦେଶବାସୀଙ୍କୁ ଦେଖାଇ ଦେଉଚି ଯେ ରାଜନୀତିଟା କେବଳ ଧନୀମାନଙ୍କୁ ସୁହାଏ–ଗରିବଙ୍କୁ ନୁହେଁ ।

 

ବ୍ରିଟିଶ ସରକାର ଅବଶ୍ୟ ଅତ୍ୟାଚାର କରିଥିଲେ ଲୋକଙ୍କ ଉପରେ । ନିଜ ‘ଭାତ ଥାଳି’ରେ ବାଧା ପଡ଼ିଲେ କିଏ ପ୍ରତିକ୍ରିୟାଶୀଳ ହେଇ ନ ଉଠିବ ?

 

ଉତ୍ୟକ୍ତ ଜନ-ସାଧାରଣ କ୍ଷେତ୍ର-ବିଶେଷରେ ହିଂସାତ୍ମକ କାଣ୍ତ କରି ପକାଇଥିଲେ; ଏଟା ସ୍ୱୀକାର ନ କରିବାକୁ ଉପାୟ ନାହିଁ ।

 

କଂଗ୍ରେସ ସେମାନଙ୍କ ପିଠିରେ ପଡ଼ିଲାନି । କେତେ ପାଇଲେ ଫାଶୀ–କେତେକ ଗଲେ ଆନ୍ଦାମାନ ।

 

ସାରା ଦେଶରେ ତ ଏତେ ଜାଗାରେ ଗୁଳିକାଣ୍ତ ହେଲା, ନାମ-ହୀନ ଅସଂଖ୍ୟ ଜନତା ହେଲେ ତା’ର ସହଜ ଶିକାର; କିନ୍ତୁ କାହିଁ, ଜଣେ ହେଲେ ନେତା ତ ଗୁଳି ମାଡ଼ରେ ସାମାମ୍ୟ ଟିକିଏ ଆହତ ହେବାର ବି ଶୁଣା ଯାଇନି !

 

ଭବିଷ୍ୟତରେ ଦେଶର ଶାସନ-ଦଣ୍ତ ଧରିବାକୁ କାଳେ ଲୋକ ଅଭାବ ପଡ଼ିବେ ବୋଲି ସେତେବେଳେ ଭଗବାନ ବୋଧହୁଏ ଘଣ୍ଟ ଘୋଡ଼ାଇ ରଖିଥିଲେ ସେଇ ସୁବିଧାବାଦୀମାନଙ୍କୁ !!

 

ଜଣେ ମେଧାବୀ ଛାତ୍ର କଥା ମୁଁ ଜାଣେ । ଉଚ୍ଚ, ଅଭିଜାତ ପରିବାରର ପିଲା । ମାଟ୍ରିକୁଲେଶନ୍‌ ପରୀକ୍ଷାରେ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି କଲିକତା ଗଲା ଉଚ୍ଚ ଶିକ୍ଷା ପାଇଁ । ପରିସ୍ଥିତିରେ ପଡ଼ି ସେଠି ଯୋଗ ଦେଲା ଗୁପ୍ତ ସନ୍ତ୍ରାସବାଦୀ ଦଳରେ । ବିଖ୍ୟାତ ‘ଚର୍ଚ୍ଚଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ’ ମକଦ୍ଦମାରେ ଆସାମୀ ଭାବେ ସେ ଯେତେବେଳେ ଠିଆ ହେଲା ବିଚାରାଳୟର କାଠଗଡ଼ାରେ–ସେତେବେଳେ ଯାଇ ଜାଣିଲେ ବାପା-ମାଆ !

 

ବଡ଼ ବଡ଼ ବ୍ୟାରିଷ୍ଟର ଦେଇ, ଅନେକ ଳଢ଼ି, ବ-ହୁ-ତ ଖର୍ଚ୍ଚ କରି ବି ମୁକୁଳେଇ ପାରିଲେନି ତାକୁ ।

 

ଯାବଜ୍ଜୀବନ ପାଇଁ ଦ୍ୱୀପାନ୍ତରୀତ ହେଲା ସେ ।

 

ଦଶବର୍ଷ ଆନ୍ଦାମାନରେ ରହିବା ପରେ ତା’ର ହେଲା ଟିଉବର୍‌କୁଲୋସିସ୍‌ ।

 

ସ୍ୱାସ୍ଥ୍ୟ ନଷ୍ଟ ହେଇଗଲା–ମନୋବଳ ବି ଭାଙ୍ଗି ପଡ଼ିଲା ।

 

ଖଲାସ ହେବା ପାଇଁ ସରକାରଙ୍କ ପାଖରେ କରୁଣ ଆବେଦନ କଲା ସେ ।

 

ସରକାର ଚାହୁଁଥିଲେ ସେତିକି । ‘ମରେଲ୍‌’ ଭାଙ୍ଗିଯାଉ ।

 

ସ୍ୱାସ୍ଥ୍ୟ-ଦୃଷ୍ଟିରୁ ତାକୁ କ୍ଷମା ଦେଇ ଖଲାସ କରି ଦିଆହେଲା । ଘରକୁ ଫେରି ଆସି ଦେଖିଲା–ଭଉଣୀମାନେ ବାହା ହେଇଚନ୍ତି ବଡ଼ ବଡ଼ ଗେଜେଟେଡ୍‍ ଅଫିସରମାନଙ୍କୁ, ସାନ ଭାଇମାନେ....କିଏ ସବ୍‌ ଡେପୁଟି ତ କିଏ ଆଇ.ପି, ବାପା ଟାଣୁଛନ୍ତି ଦୀର୍ଘ ତିରଶ ବର୍ଷ ରାଜଭକ୍ତି ଓ ବ୍ରିଟିଶ-ଆନୁଗତ୍ୟର ଶେଷ ଦକ୍ଷିଣା....ସରକାରୀ ପେନ୍‌ସନ୍‌ । ଅର୍ଥାତ୍ ସାରା ପରିବାରରେ କେବଳ ତାକୁଇ ଛାଡ଼ି ଆଉ ସମସ୍ତେ ସଦାଶୟ ସରକାର ବାହାଦୁରଙ୍କର–I beg to remain sir, your most obedient servant !

 

ଅସୁସ୍ଥ ଦେହ ଓ ପରିଶ୍ରାନ୍ତ ମନ ନେଇ ସେ ସେଇମାନଙ୍କ ଗଳଗ୍ରହ ରୂପେ ଅବିଶିଷ୍ଟ ଜୀବନ-କାଳ (ମାତ୍ର ଦୁଇଟି ବର୍ଷ; ତା’ପରେ ବିଚରା ମରିଯାଇ ବଞ୍ଚିଗଲା !’ ଦୟାର ପାତ୍ର ହେଇ କଟାଇ ଥିଲା !

 

ଅବଶ୍ୟ ବୁଢ଼ା-ବାପା, ସାନଭାଇ ଓ ଉଚ୍ଚଶିକ୍ଷିତା ଭଉଣୀମାନେ ତାକୁ ଉପରେ କିଛି କହୁ ନ ଥିଲେ–କିନ୍ତୁ ମନ ଭିତରେ....ଭଗବାନ ଜାଣନ୍ତି !

 

ଯେଉଁମାନେ ସେ ସମୟରେ ବ୍ରିଟିଶ-ସରକାରଙ୍କୁ ସମର୍ଥନ କରୁଥିଲେ–ସେମାନେ ସ୍ୱରାଜ ପରେ ଦଣ୍ତିତ ହେବେ ବୋଲି ଲୋକଙ୍କ ମନରେ କଂଗ୍ରେସ ବାଲାଏ ଧାରଣା ଦେଇଥିଲେ ।

 

କିନ୍ତୁ କାହିଁ ?

 

ସେଇ ଅତ୍ୟଚାରୀ ଅଫିସର ଆଉ ଖୋସାମତିଆ ରାୟ ବାହାଦୁର ଦଳ ଆଜି ପ୍ରଚଳିତ ସରକାରର ପ୍ରଧାନ ତୋଷାମଦକାରୀରେ ପରିଣତ ହେଇଚନ୍ତି । ବେଶ୍‌ ଅଛନ୍ତି ।

 

କଂଗ୍ରେସ ପାଇଁ ଯୋଉମାନଙ୍କର ପିଠି ଫାଟିଥିଲା, ସଢ଼ୁଛନ୍ତି ଏବେ ସେଇମାନେ ।

 

ନୂଆ ଧରଣର ଗୋଟାଏ କିଛି କରିବାକୁ ବହୁ ଛାତ୍ର (ସୌଖିନ୍‌ ଆଡ୍‍ଭାଞ୍ଚରିଷ୍ଟ ମନୋବୃତ୍ତିର) ସେତେବେଳେ out of the trackରେ ଯାଇ କରି ଯାଇଛନ୍ତି କ’ଣ ନାହିଁ କ’ଣ....ବିରାଟ କିଛି ଗୋଟାଏ ହେଇଯିବେ, ଏଇ ଆଶାରେ ପାଠପଢ଼ା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ; ଆନ୍ଦୋଳନରେ ମାତି ଥିଲେ । ‘ପୋଡ଼ି ଦିଅ ଇଂରାଜୀ ବହି’–‘ବାହାରି ଆସ ଏ ବ୍ରିଟିଶ ତିଆରି ସ୍କୁଲ କଲେଜ ଛାଡ଼ି’–‘ଗୋଲି ମାର ଛାର୍‌ ଆଇ.ସି.ଏସ୍‌. ଚାକିରିକୁ’–ଇତ୍ୟାଦି ଧ୍ୱନି ଦେଇ ଯୋଉ କେତୋଟି ବୋବା ନିଆଁକୁ ଡେଇଁଲେ, ସେମାନଙ୍କ ଭବିଷ୍ୟତ ପୋଡ଼ିଜଳି ଛାରଖାର ହେଇଗଲା ।

 

ବ୍ରିଟିଶ ବିରୋଧୀ ଆନ୍ଦୋଳନ ଆଖୁପେଡ଼ା କଳ ବରି ସେମାନଙ୍କର ସମସ୍ତ ରସ ନିଷ୍ପେଷଣ କରି ନେଇ ଆର ପାଖକୁ ସିଠା କରି ପଫାପାଡ଼ି ଦେଲା ।

 

ଦୁନିଆଁର ବିପଣୀରେ ସେମାନେ କେବଳ କାଳ ହେବାର ଉପଯୁକ୍ତ ହେଇ ପଡ଼ି ରହିଲେ ।

 

ଅଥଚ out of the trackରେ ନ ଯାଇ ଯୋଉମାନେ ଚିରାଚରିତ ରାସ୍ତାରେ ଯାଇଥିଲେ, ସେମାନେ ନିଜର ଜୀବନ ଗଢ଼ି ନେଲେ । ଆଜି ବେଶ୍‌ ଅଛନ୍ତି ।

 

ବୁଢ଼ାବଳଙ୍ଗ କୂଳରେ ଟେଗାର୍ଟ ସାହେବ ସହିତ ବାଘାଯତୀନ୍‌ ଦଳର ସଂଘର୍ଷ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ତାହା ଆଜି ଉତିହାସର ବିଷୟବସ୍ତୁ । ସମସ୍ତଙ୍କୁ ସେ କଥା ଜଣା ।

 

ସେଇ ଦଳର ତିନିଜଣ ବାଲେଶ୍ୱର ଜେଲରେ ଫାଶୀ ପାଇବାବେଳେ କହି ଯାଇଥିଲେ, ସ୍ୱାଧୀନ ଭାରତରେ ଆମେ ପୁଣି ଜନ୍ମ ହେବୁ ।

 

ହେ ଭଗବାନ, ଯୋଉ ବିଶ୍ୱାସ ନେଇ ମରିଛନ୍ତି ସେମାନେ, ସେଇ ବିଶ୍ୱାସ ନେଇ ଚିରଦିନ ରହିଥାନ୍ତୁ ଆରପୁରରେ । ଆଉ ପୁନର୍ଜ୍ଜନ୍ମ ନ ହେଉ ସେମାନଙ୍କର ।

‘ସ୍ୱାଧୀନ ଭାରତ’ ବିଷୟରେ ସେମାନଙ୍କ କଳ୍ପନାରେ ଯାହା ଥିଲା, ଆଉ ଆଜି ଯାହା ସବୁ ଚାଲିଚି....‘ସ୍ୱାଧୀନତା’ର ଏଇ ନମୁନା ଦେଖିଲେ ଚୁର୍‌ମାର୍‌ ହେଇ କ’ଣ ଭାଙ୍ଗି ପଡ଼ିବନି ତାସ୍‌ର ପ୍ରାସାଦ ପରି ସେମାନଙ୍କ ପୁନର୍ଜ୍ଜନ୍ମର ଆକାଂକ୍ଷା ?

ତେଣୁ ପୁନର୍ଜ୍ଜନ୍ମ ନ ହେଉ ।

ବିଶ୍ୱାସ ଅମର ରହୁ ।

ଆଶ୍ଚର୍ଯ୍ୟ ଲାଗେ, ସାରା ଦେଶ ଯେତେବେଳେ ସ୍ୱରାଜ ପାଇଁ ପାଗଳ ହେଇ ଉଠିଥିଲା, ସେତେବେଳେ ଅତି ସାଧାରଣ ଦୂରଦୃଷ୍ଟି-ସମ୍ପନ୍ନ ଜଣେ କବି ଜାତିକୁ ବ୍ୟର୍ଥ ଚତାବନୀ ଶୁଣାଇଥିଲେ–

କି ହେବ ଏ ସ୍ୱରାଜ୍ୟ ଘେନି

ଯେବେ ମୋର ନ ପୂରେ ପେଟ,

ଖଟି ଖଟି ମଲେଣି ମୂଲିଆ

ଚାଷୀ ଚଷି ଦାନା କନା ନିଅଣ୍ଟ !

+ + + +

ଧଳା ସ୍ଥାନେ କଲା କରତା,

ଦୁଃଖ ଖାଲି ଦେବ ବିଧାତା !

ଧନୀକ-ଦରିଦ୍ର ଭେଦ କି ଘୁଞ୍ଚିବ,

ବଡ଼ ବଡ଼ିଆଙ୍କ ନଜର ହେଟ ?

+ + + +

ବସ ପଛେ ଲାଟ୍‌ ଆସନେ,

ମନ୍ତ୍ରୀ ହୁଅ ନୂଆ ଶାସନେ...

ଚାଷୀ ଯେ ତିମିରେ, ଚାଷ ସେ ତିମିରେ

ସୁଖ ସଙ୍ଗେ କେବେ ହେବ କି ଭେଟ ?

 

ଧନ୍ୟ କବି ! ଧନ୍ୟ ତମର ଦୂର ଦୃଷ୍ଟି ! ଅମର ତମର କବିତା !

 

ଆମ ସହରକୁ ନୂଆ ଆସିଲେ ଜଣେ ଆଡ଼ିସନାଲ୍‌ ଏସ୍‌.ପି । ନାମ ଇ.ଏମ୍‌. ଜନ୍‌କିଙ୍ଗ୍‌ । ବୟସ ହେବ ପଇଁତିରିଶ କି ଛତିଶ । ବଳିଷ୍ଠ ଲମ୍ବା ଚେହେରା । ସ୍ମାର୍ଟ । ଜଣେ ଆଇ.ପି. ଯୋଉ ଭଳିଆ ହେବା ଉଚିତ ।

 

ଅଦ୍ଭୁତ ସୁନ୍ଦରୀ ତାଙ୍କ ସ୍ତ୍ରୀ ମିସେସ୍‌ ମାର୍ଜୋରୀ ଜନ୍‌କିଙ୍ଗ୍‌ । ବୟସରେ ସାତ ଆଠ ବର୍ଷ ସାନ ହେବେ ସ୍ୱାମୀଙ୍କ ଠାରୁ ।

 

ଉଭୟଙ୍କୁ ବାପା ଆମ ଘରକୁ ‘ଲଞ୍ଚ୍‌’ ପାଇଁ ନିମନ୍ତ୍ରଣ କଲେ ।

 

ମୋତେ ଦେଖିବାକ୍ଷଣି ମିସେସ୍‌ ଜନ୍‌କିଙ୍ଗ୍‌ ସେଦିନ ବାପାଙ୍କୁ ପଚାରିଥିଲେ–ଏଇ ସୁନ୍ଦର ପିଲାଟି କିଏ ମି: ରାୟ ଚୌଧୁରୀ ? Who is this lovely boy ?

 

ମୋ ବଳିଷ୍ଠ ଦେହର ଲୋଭନୀୟ ସ୍ୱାସ୍ଥ୍ୟ ପାଇଁ ପିଲାଟି ଦିନରୁ କେତେ ଲୋକଙ୍କ ପ୍ରଶଂସା ଶୁଣି ଶୁଣି ନିଜର ସୌନ୍ଦର୍ଯ୍ୟ ସମ୍ବନ୍ଧରେ ଯଦିଓ ମୁଁ ବେଶ୍‌ ସଚେତନ ଥିଲି, ତଥାପି ସେଦିନ କାହିଁକି କେଜାଣି ମିସେସ୍‌ ଜନ୍‌କିଙ୍ଗ୍‌ଙ୍କ କଥା ଶୁଣି ମୋ କାନମୂଳ ଲାଲ୍‌ ହେଇଗଲା ।

 

ବାପା କହିଲେ–ମୋ ପୁଅ ଭାରି ଦୁଷ୍ଟ !

 

କହିବା ବାହୁଲ୍ୟ, ସେ ଭୁଲରେ ସୁଦ୍ଧା କେବେହେଲେ କାହାରି ଆଗରେ ମୋ ପ୍ରଶଂସା କରିଥିବାର ଶୁଣିନି ମୁଁ ।

 

ମିଷ୍ଟର ଜନ୍‌କିଙ୍ଗ୍‌ ହସି ହସି କହିଲେ–ପୁଅ ଠିକ୍‌ ବାପା ପରି ହେବା କଥା । ପିଲାଦିନେ ଆପଣ ବି ଖୁବ୍‌ ଦୁଷ୍ଟ ଥିଲେ ବୋଧହୁଏ.... ?

 

ରସିକତା ଜାଣନ୍ତି ଜନ୍‌କିଙ୍ଗ୍‌ । ବେଶ୍‌ ଉପସ୍ଥିତ ବୁଦ୍ଧି ଅଛି !

 

ବାପା ଖାଲି ହସି ଦେଇଥିଲେ ତାଙ୍କ କଥା ଶୁଣି । ସୋମନେ ଗଲାବେଳେ କହିଲେ–ବିଜୟ ବି ଆମ ସାଙ୍ଗରେ ଆସୁ । କାଲି ତ ରବିବାର, ତା’ର ସ୍କୁଲ ନ ଥିବ । କାଲି ଉପରବେଳା ଛାଡ଼ି ଦେଇଯିବୁ ।

 

ବାପାଙ୍କର ଏଥିରେ କିଛି ଆପତ୍ତି କରିବାର ନଥିଲା ।

 

ଆମ ଘରଠାରୁ ତିନି ମାଇଲ ଦୂରରେ, ରେଲଲାଇନ୍‌ ଆରପଟେ, ପୋଲିସ୍‌ କଲୋନୀରେ ତାଙ୍କ ବଙ୍ଗଳା ।

 

ଜିପ୍‌ ଛୁଟିଲା । ତିନିହେଁ ଆଗ ସିଟରେ ବସିଥାଉଁ । ମଝିରେ ମୁଁ । ଡ୍ରାଇଭ୍‌ କରୁଥାନ୍ତି ଜନ୍‌କିଙ୍ଗ୍‌ ନିଜେ । ଲେଭେଲ୍‌ କ୍ରସିଂ ପାଖରେ ପହଞ୍ଚିବା କ୍ଷଣି ରେଲ୍‌ଓୟେ ପ୍ରୋଟେକ୍‌ସନ୍‌ ଫୋର୍ସରେ ଜଣେ ଧାଇଁଆସି ଖବର ଦେଲା–କଂଗ୍ରେସ ବାଲା ଷ୍ଟେସନ୍‌ ୟାର୍ଡ଼ର ମେନ୍‌ ଲାଇନ୍‌ ଉପରେ ପିକେଟିଂ କରୁଛନ୍ତି । ଗାଡ଼ି ଚଳାଚଳ ବନ୍ଦ ।

 

ସିଧା ବାଁ ଆଡ଼କୁ ଅନାଇଲେ ପ୍ରାୟ ମାଇଲିଏ ଦୂରରେ ଦିଶୁଥାଏ ଷ୍ଟେସନ୍‌ର କୋଠାବାଡ଼ି । ଧୂଆଁ ଉଠୁଥାଏ । ହୁଏତ କୌଣସି ଇଞ୍ଜିନରୁ । ଆଉ ଲେଭେଲ୍‌ କ୍ରସିଂ ପାରି ନ ହୋଇ ପୁଣି ଅନ୍ୟ ରାସ୍ତାରେ ଗାଡ଼ି ବୁଲାଇଲେ ଜନ୍‌କିଙ୍ଗ୍‌ । କହିଲେ–କ’ଣ ଘଟଣାଟା ଟିକିଏ ଦେଖି ଆସିବା....

 

ମିସେସ୍‌ ଅର୍ଦ୍ଧ-ସ୍ୱଗତ ଭାବେ–What the hell these cogress-men are ! କହି ଗଗ୍‌ଲସ୍‌ଟା ଆଖିରୁ କାଢ଼ି ରୁମାଲରେ ପୋଛିବାକୁ ଲାଗିଲେ । ଅଳ୍ପ ସମୟ ପରେ ଆମେମାନେ ଘଟଣା ସ୍ଥଳରେ ପହଞ୍ଚି ଗଲୁଁ ।

 

ଫାଟକ ଏପଟେ ଜିପ୍‌ ରହିଲା । ଇଞ୍ଜିନଟା ଗୁମୁରୁଥାଏ । ଚାବି ମୋଡ଼ି ସେଟା ବନ୍ଦ କରିଦେଲେ ଜନ୍‌କିଙ୍ଗ୍‌ । କହିଲେ–ତମେ ଦୁହେଁ ବସିଥାଅ । ମୁଁ ଦେଖି ଆସେଁ ।

 

ଜିପ୍‌ରୁ ଓହ୍ଲାଇ ଗଲେ ସେ । ପାଇପ୍‌ରୁ ଦି’ଥର ଧୂଆଁ ଛାଡ଼ି ଆମ ଆଡ଼କୁ ଆଦୌ ନ ଅନାଇ ଆଗେଇ ଚାଲିଲେ ପ୍ଲାଟଫର୍ମର ଗେଟ୍‌ଆଡ଼େ ।

 

ଆମେ ଦୁହେଁ ଜୀପରେ ବସି ରହିଲୁ । ଲୁହା ରେଲିଂ ଆରପଟେ ପରିଷ୍କାର ଦିଶୁଥାଏ ପ୍ଲାଟ୍‌ଫର୍ମ । ଲାଇନ ଉପରେ ମାଲଗାଡ଼ିଟିଏ ସ୍ଥିର ହୋଇ ଠିଆ ହୋଇଛି । ଇଞ୍ଜିନ ଶବ୍ଦ କରୁଥାଏ ଶ୍‌....ଶ୍‌.....ଶ୍‌....ଶ୍‌....ଆଗରେ ଲାଇନ ଉପରେ ବସି କେତେଜଣ ସତ୍ୟାଗ୍ରହୀ ବିଡ଼ି ଟାଣୁଥାନ୍ତି । ଜଣକ ହାତରେ ଥାଏ କଂଗ୍ରେସ ଝଣ୍ତାଟିଏ । ତା’ଛଡ଼ା ସ୍ଥାନଟିକୁ କେନ୍ଦ୍ର କରି ପ୍ଲାଟଫର୍ମ ଉପରେ ଓ ତଳେ ବିକ୍ଷିପ୍ତଭାବେ ବେଶ୍‌ ବଡ଼ ଜନତା ! ସମସ୍ତେ ଅବଶ୍ୟ ସତ୍ୟଗ୍ରହୀ ନୁହନ୍ତି । କେତେକ କେବଳ ଦର୍ଶକ । ବିନା ପଇସାରେ ତାମ୍‌ସା ଦେଖିବାର ଅପୂର୍ବ ସୁଯୋଗ ଛାଡ଼େ କିଏ ଆଜି କାଲିକାର ଏ ମହାଙ୍ଗା ଯୁଗରେ ?

 

ସେଇ ହୋ ହା ଗହଳ ଚହଳ ଭିତରେ ବନ୍ଧୁକ ଧରି ଏପଟ ସେପଟ ହେଉଥାନ୍ତି ଜି.ଆର୍‌ପି. ର କେତୋଟି କିଂକର୍ତ୍ତବ୍ୟବିମୂଢ଼ ନିରୁପାୟ ଗୁଖା ପ୍ରହରୀ ।

 

ଦୁଇ ହାତ ପେଣ୍ଟ ପକେଟରେ ପୂରାଇ ମୁହଁରେ ପାଇପ୍‌ କାମୁଡ଼ି ଧୀର ଅଥଚ ଦୃଢ଼ ପଦକ୍ଷେପରେ ବେପରୁଆଭାବେ ଜନତା ଭିତରକୁ ପଶିଗଲେ ଜନ୍‌କିଙ୍ଗ୍‌ ।

 

ଜନ୍‌କିଙ୍ଗ୍‌ ଆଇ.ପି.ଏସ. ଅଫିସର । ଦେଖିବାକ୍ଷଣି ହାବିଲଦାର ଗର୍ଜିଉଠି କମାଣ୍ତ ଦେଲା–ପ୍ରେଜେଣ୍ଟ ଆର୍ମସ୍‌ !

 

ବୁଟ୍‌ ଗୋଇଠିରେ ଠକ୍‌ଠାକ୍‌ ଓ ରାଇଫଲର ଟିକିଏ ଝଣ-ଝାଣ ଶବ୍ଦ ! ବେଶ୍‌ ।

 

ସତର୍କ ଓ ସପ୍ରତିଭ ହୋଇଛନ୍ତି ପ୍ରହରୀ ଦଳ । ଗହଳ-ଚହଳ ଚୁପ୍‌ ହୋଇଗଲା । ବୁହୂର୍ତ୍ତକ ଭିତରେ ପରିବର୍ତ୍ତିତ ହୋଇଗଲା ପ୍ଲାଟଫର୍ମର ବାୟୁମଣ୍ତଳ । ସମସ୍ତଙ୍କ ଦୃଷ୍ଟି ତାଙ୍କରି ଉପରେ ନିବଦ୍ଧ । ସମସ୍ତେ ଅନୁଭବ କରୁଛନ୍ତି ଜନ୍‌କିଙ୍ଗ୍‌ଙ୍କ ଉପସ୍ଥିତି । ଚାରିଆଡ଼ୁ ଗୁଞ୍ଜନ ଉଠିଲା–ଆରେ, ଏଇ ଏସ୍‌.ପି. ଆସିଲେଣି ! ଏସ୍‌.ପି. !!

 

ସେ କିନ୍ତୁ କାହାରି ଆଡ଼କୁ ନ ଚାହିଁ, ସିଧା ଚାଲିଗଲେ ଇଞ୍ଜିନ ପାଖକୁ ।

 

ଲାଇନ ଉପରେ ଯୋଉମାନେ ବସିଥିଲେ, ସେମାନଙ୍କୁ ଲକ୍ଷ୍ୟକରି ପଚାରିଲେ–Can’t you find any better place to relax ? ଷ୍ଟାର୍ଫକ୍ଲାସ ଓୟେଟିଂ ରୁମ୍‌କୁ ଚାଲିଯାଅ, ବେଶି ଆରାମ ପାଇବ ।

 

ବୁଢ଼ା ଆଙ୍ଗ୍ଲୋଇଣ୍ତିଆନ୍‍ ଡ୍ରାଇଭରଟା ମଥାରେ ବାନ୍ଧିଚି କୋଇଲା କୋଚଟ ନୀଳ ରୁମାଲ । ଲଙ୍କାପୋଡ଼ିରୁ ସଦ୍ୟ ପ୍ରତ୍ୟାଗତ ହନୁମାନ ପରି ମୁହଁଟି କଳା ବାଲୁ ବାଲୁ । ମନେହେଲା ଏଥର ବଳ ପାଇଚି ଏସ୍‌.ପି.ଙ୍କୁ ଦେଖି । କଚିମ ପରି ଇଞ୍ଜିନ କେବିନ୍‌ରୁ ମୁହଁ କାଢ଼ି ଚିତ୍କାର କରି ଉଠିଲା ସତ୍ୟାଗ୍ରହୀଙ୍କ ଉପରକୁ–Get up you bloody fools ! Don’t you see I am dieing in heat ?

 

ତା’ର ମାଙ୍କଡ଼ ପରି ମୁହଁ ଓ କହିବାର ଭଙ୍ଗୀ ଦେଖି ସମସ୍ତେ ହସି ଉଠିଲେ; ଏପରିକି ନିଜେ ଜନ୍‌କିଙ୍ଗ୍ ପର୍ଯ୍ୟନ୍ତ ।

 

ଲାଇନ ଉପରେ ଯୋଉମାନେ ବସିଛନ୍ତି, ସେମାନଙ୍କ ଭିତରୁ ସେଇ ଯୋଉ ଗେଡ଼ା, ସ୍ୱାସ୍ଥ୍ୟବାନ, ଚନ୍ଦାମୁଣ୍ତ ଲୋକଟି ! ଦର ପାଚିଲା ବାଳ, ବୟସ ପଚାଶ ପାଖାପାଖି ହେବ । ତାଙ୍କୁ ଆଗରୁ ଚିହ୍ନିଥିଲି ମୁଁ । ସ୍ଥାନୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବ୍ୟାସଜୀ ।

 

ମନେହେଲା, ତାଙ୍କୁ ଜନ୍‌କିଙ୍ଗ୍‍ ବି ଜାଣନ୍ତି ।

 

ନିର୍ଭିକ ଓ ତୃପ୍ତ ଭଙ୍ଗୀରେ ଠିଆ ହୋଇ ପଡ଼ିଲେ ବ୍ୟାସଜୀ । ଜନ୍‌କିଙ୍ଗ୍‍ଙ୍କ ଆଡ଼କୁ ଶ୍ଳେଷ-ପୂର୍ଣ୍ଣ ତୀବ୍ର ଦୃଷ୍ଟିରେ ଚାହିଁ କହିଲେ–ବିଶ୍ରାମ ନେବା ପାଇଁ ଖୁବ୍‌ ଆରାମଦାୟକ ସ୍ଥାନ ନିଶ୍ଚୟ, ଏ ନୁହେଁ ମିଃ ଜନ୍‌କିଙ୍ଗ୍‍ । ଆମେ ଏଠି ପିକେଟିଂ କରୁଛୁଁ । ଗାଡ଼ି ଆଗେଇବାକୁ ଦେବୁନି । ବେଶ୍‌ ।

 

ପିକେଟିଂ କରୁଛ; ଗାଡ଼ି ଆଗେଇବାକୁ ଦେବନି ! ଶାନ୍ତ ସ୍ୱରରେ ଜନ୍‌କିଙ୍ଗ୍‍ କହିଲେ–କିନ୍ତୁ ଗୋଟାଏ ମାଲ ଗାଡ଼ିକୁ ଅଟକ କରି ତମର ଲାଭ କ’ଣ ମି: ବ୍ୟାସ୍‌ ? ଏହାର ଇଞ୍ଜିନ ଡ୍ରାଇଭର, ଗାର୍ଡ଼ ଓ ଅନ୍ୟାନ୍ୟ ଷ୍ଟାଫ୍‌ମାନେ କି ଦୋଷ କରିଛନ୍ତି ଯେ ସେମାନଙ୍କୁ ବାଟ ମଝିରେ ଏପରି ହଇରାଣ କରୁଛ ?

 

They deserve this. Because they are also likes of Britishers like you….

 

ତମେମାନେ କ’ଣ ମନେକର, ଏଇଆ କଲେ ବ୍ରିଟିଶ୍‌ ଭାରତ ଛାଡ଼ି ପଳେଇବ ?

 

ଶାସନ ବ୍ୟବସ୍ଥାକୁ ଅଚଳ କରି ଦେବାର ଏହା ମଧ୍ୟ ଏକ ସ୍ୱାଭାବିକ ପନ୍ଥା । We want to paralise the Govt. from all sides.

 

ମେଦିନୀପୁରରେ ସାଇକ୍ଲୋନ୍‌ ହେଇଚି, ଦୁର୍ଭିକ୍ଷ ପଡ଼ିଚି, ଖାଇବା ବିନା ମରୁଛନ୍ତି ହଜାର ହଜାର ତମରି ଭାରତୀୟ ଭାଇ । ଇସ୍ପାହାନୀ କମ୍ପାନୀ ସେଠାକୁ ଚାଉଳ ଚାଲାଣ କରୁଚି ଏଇ ଗାଡ଼ିରେ । ବିଭିନ୍ନ ସ୍ଥାନରେ ଅନ୍ନ-ଛତ୍ର ଖୋଲାଯିବ । ଏହାକୁ ଅଟକ କରି କ୍ଷତି କରୁଛ ତମେମାନେ-?

 

ଏ ଚାଉଳ ଯାଉନି ଦୁର୍ଭିକ୍ଷ-ପ୍ରପିଡ଼ିତଙ୍କ ପାଇଁ । ଯାଉଛି ହିଜ୍‌ଲୀ ସୈନ୍ୟଛାଉଣୀର ନଙ୍ଗର ଖାନାକୁ ।

 

ବିତଣ୍ତା ଯୁକ୍ତି କରିବାକୁ ମୋର ଇଚ୍ଛା ନାହିଁ ମି:ବ୍ୟାସ୍‌ । ମୁଁ ଅନୁରୋଧ କରୁଚି, ତମେମାନେ ଏ ବେଆଇନ କାମ କରନା । ଦିନେ ତ ତମେମାନେଇ ପୁଣି ସରକାର ଗଠନ କରିବ-! ଆଇନର ରକ୍ଷକ ହେବ ! ସେତେବେଳେ କେହି ଆଇନ ନ ମାନିଲେ ସହ୍ୟ କରିବ କି ତମେମାନେ ?

 

ଆମେ ଯେଉଁ ସରକାର ଗଠନ କରିବୁ, ତାହାକୁ ବୈଧାନିକ ପନ୍ଥାରେ ଗାଦିଚ୍ୟୁତ କରିବାର କ୍ଷମତା ଓ ଉପାୟ ଜନସାଧାରଣଙ୍କ ହାତରେ ରହିବ । ତେଣୁ ବେଆଇନ କାମ କରିବାର ଅବକାଶ ସେତେବେଳେ ରହିବନି । ବ୍ରିଟିଶ ସରକାରକୁ ହଟାଇବାର କୌଣସି ବୈଧାନିକ ଉପାୟ ନାହିଁ । ଅଗତ୍ୟା....

 

ଅଗତ୍ୟା ଏଇ ଗୁଣ୍ଡାରାଜ ସୃଷ୍ଟି ! ନାଁ କ’ଣ ?

 

ନିଶ୍ଚୟ । କାରଣ, ଏ ସରକାର ଅବୈଧାନିକ । ବିଦେଶରୁ ଆସି ‘‘ଜୋର୍‌ ଯାର ମୂଲକ ତା’ର’’ ନୀତିରେ ଆମ ଦେଶକୁ ଦଖଲ କରି ବସିଚି ।

 

ଆଚ୍ଛା ମି: ବ୍ୟାସ୍‌ । ତମେମାନେ ଆର୍ଯ୍ୟ ବଂଶଧର ତ ?

 

ନିଶ୍ଚୟ ।

 

ତେବେ ଏ ଦେଶ ତ ତମର ବି ନୁହେଁ । ତମେମାନେ ବିଦେଶୀ । ଥିଲ, କାସ୍ଫିୟାନ ହ୍ରଦ ତୀରରେ । ତମର ଥିଲା ବୁଦ୍ଧି । ଥିଲା ଉନ୍ନତ ଧରଣର ଅସ୍ତ୍ର ଶସ୍ତ୍ର । ତା’ରି ବଳରେ ବଳୀୟାନ ହୋଇ ତମେ ହିନ୍ଦୁକୁଶ୍‌ ଅତିକ୍ରମ କରି ପଶିଲ ଏ ଦେଶରେ । ସେତେବେଳେ ଏଇ ସୁଜଳା, ସୁଫଳା ଭାରତବର୍ଷରେ ଶାନ୍ତ-ଶିଷ୍ଟ ଅନୁନ୍ନତ ଓ ସରଳ ଅନାର୍ଯ୍ୟମାନେ ସୁଖ ଶାନ୍ତିରେ ବସବାସ କରି ରହିଥିଲେ । କୌଣସି ଯୁକ୍ତିଯୁକ୍ତ କାରଣ ନ ଥିଲା, କେବଳ ‘‘ଜୋର୍‌ ଯାର ମୂଲକ ତା’ର’’ ନୀତିରେ ତମେମାନେ ସେମାନଙ୍କୁ ପର୍ବତ ଓ ବନାକୀର୍ଣ୍ଣ ଅନୁର୍ବର ଦାକ୍ଷିଣାତ୍ୟ ଭୂମିକୁ ତଡ଼ି ଦେଇ ଜବରଦସ୍ତି ଦଖଲ କରି ବସିଲ ସୈନ୍ଧବ-ଗାଙ୍ଗେୟ ଉପତ୍ୟକାର ଉର୍ବର ସମତଳ ଭୂମି ! ହାଃ ହାଃ ହାଃ....ହସି ଉଠିଲେ ଜନ୍‌କିଙ୍ଗ୍‌–ତମେମାନେ ବି ଭାରତୀୟ ନୁହେଁ; ବିଦେଶୀ । ବିଦେଶୀ ଲୁଣ୍ଠନକାରୀ ତମେମାନେ । ଯାହାର ଜମି ସେମାନଙ୍କୁ ଛାଡ଼ି ଦେଇ ଆମେମାନେ ସବୁ ବ୍ରିଟିଶ ନାଗରୀକ ଓ ଉତ୍ତର ଭାରତୀୟ ଆର୍ଯ୍ୟ ହାତ ଧରାଧରି ହେଇ ଫେରିଯିବା ନିଜ ନିଜର ଦେଶକୁ । Yes, let all of us Quit India ! ହାଃ ହାଃ ହାଃ ହାଃ......

 

ଜନ୍‌କିଙ୍ଗ୍‌ଙ୍କ ହସ ବନ୍ଦ ହେଇନି, ଝଣ୍‌ଝାଣ୍‌ ଶବ୍ଦରେ ଚୁର୍‌ମାର୍‌ ହେଇଲୋ ଟ୍ରେନ ଇଞ୍ଜିନର ଉଇଣ୍ତ ସ୍କ୍ରିନ୍‌ କାଚ ! ଜନତା ଭିତରୁ କେହି ଜଣେ ଢେଲା ମାରି ଦେଇଚି ! ଫାୟାର ମେନ୍‌ ଡିଆଁ ମାରି ବାହାରକୁ ପଳାଇଲା, ଆଉ ସେଇ ମୋଟା ଆଙ୍ଗ୍ଲୋ ଡ୍ରାଇଭରଟି ତରତର ହେଇ ତଳକୁ ଓହ୍ଲାଉ ଓହ୍ଲାଉ ଜୋତା ସ୍ଲିପ୍‌ କରି ଗଡ଼ି ପଡ଼ିଲା ଇଞ୍ଜିନ ସାମ୍ନା କାଓ-କେଚାର ଉପରେ । ତା’ପରେ ବିଚରା ଉଠିପଡ଼ି ଧାଇଁ ପଳାଇଲା ଷ୍ଟେସନ ମାଷ୍ଟରର ଅଫିସ ରୁମ୍‌ ଆଡ଼େ ।

 

ଜନ୍‌କିଙ୍ଗ୍‌ ବ୍ୟଙ୍ଗ ହସ ହସି ବିଦ୍ରୂପ କରି କହିଲେ–Is this a non-violent brick-bate Mr.Vyas ?

 

ସେତେବେଳେକୁ ଜନ୍‌କିଙ୍ଗ୍‌ଓ ବ୍ୟାସଙ୍କୁ କେନ୍ଦ୍ର କରି ପ୍ରାୟ ହଜାରେ ଲୋକ ସେଠି ଜମି ଗଲେଣି ! ତା’ ଭିତରୁ ଜଣେ କିଏ ପାଟିକରି ଉଠିଲା, ଇନ୍‌କିଲାବ୍‌ !

 

ଘୋ ଘୋ ଗର୍ଜ୍ଜି ଉଠିଲେ ସମସ୍ତେ–ଜିନ୍ଦାବାଦ୍ !!

 

ଭଙ୍ଗା ଉଇଣ୍ତ-ସ୍କ୍ରିନ୍‌ ଆଡ଼େ ଚାହିଁ ଜନତାକୁ ଉପହାସ କଲେ ଜନ୍‌କିଙ୍ଗ୍‌–Is this your so-called ଇନ୍‌କିଲାବ୍‌ ?

 

ପୁଣି ଧ୍ୱନି ଉଠିଲା ପ୍ଲାଟ୍‌ଫର୍ମ ପ୍ରକମ୍ପିତ କରି–ବ୍ରିଟିଶ ରାଜ, ଭାରତ ଛାଡ଼ ! ଇନ୍‌କିଲାବ୍‌ ଜିନ୍ଦାବାଦ୍‍ ! Up, Up National flag ! Down Down Union Jack !

 

ସେଇ ଚିତ୍କାର ଓ କୋଳାହଳ ଭିତରେ ଜନ୍‌କିଙ୍ଗ୍‌ଙ୍କ କଥା ଆଉ କାହାରିକି ଶୁଭିଲାନି !

 

ବ୍ୟାସଜୀଙ୍କ ନିର୍ଦ୍ଦେଶରେ ଲୋକମାନେ ପ୍ଲାଟ୍‌ଫର୍ମଠାରୁ ଲୋକୋସେଡ୍‍ ଯାଏ ପିମ୍ପୁଡ଼ି ପରି ବେଢ଼ି ଗଲେଣି । ହଜାର ହଜାର ଲୋକ ! ଜନତା କ୍ରମେ ବଢ଼ି ଚାଲିଚି । ସାରା ଷ୍ଟେସନ ବଜାରଟା ଫାଙ୍କା କରି ଲୋକେ ଉଠି ଆସିଛନ୍ତି ଘଟଣାଟା କେତେଦୂର ଯାଏ ଯିବ ଦେଖିବାକୁ । ଟ୍ରେନ୍‌ ଅଟକ ଫଳାଫଳ କ’ଣ ହେବ ...ପରିସ୍ଥିତି କୁଆଡ଼ିକି ଗତି କରୁଚି....ତାହାହିଁ ଦେଖିବାକୁ ସମସ୍ତଙ୍କ ମନରେ ଆଶଙ୍କା ଓ ଆନନ୍ଦ ମିଶ୍ରିତ ଦୁରନ୍ତ କୌତୂହଳ ।

 

ଉଦବେଗ ଓ ଉତ୍କଣ୍ଠା ଭିତରେ କଟି ଯାଉଚି ପ୍ରତିଟି ମୁହୂର୍ତ୍ତ । ସେକେଣ୍ତ ପରେ ସେକେଣ୍ତ....ମିନିଟ୍‌ ପରେ ମିନିଟ୍‌ । କ’ଣ ହେବ ? କ’ଣ ହେବ ଶେଷପର୍ଯ୍ୟନ୍ତ ?

 

ମୁଁ ମଝିରେ ମଝିରେ ଚାହିଁ ଦେଖୁଥାଏ ମିସେସ୍‌ ଜନ୍‌କିଙ୍ଗ୍‌ଙ୍କ ମୁହଁକୁ । ସେ ସ୍ଥିର, ନିରୁଦ୍‌ବିଗ୍ନ ଆଖିରେ ଚାହିଁ ରହିଛନ୍ତି ପ୍ଲାଟ୍‌ଫର୍ମ ଆଡ଼େ । ଅଭିବ୍ୟକ୍ତି-ହୀନ ସୁନ୍ଦର ମୁହଁ ।

 

ହଠାତ୍‌ ପ୍ଲାଟ୍‌ଫର୍ମରୁ ବାହାରି ଆସିଲେ କେତେଜଣ ଖଦଡ଼ ଟୋପି ପିନ୍ଧା ଯୁବକ କଂଗ୍ରେସ କର୍ମୀ...ଆମ ଗାଡ଼ି ପାଖ ଦେଇ ଧାଇଁ ଚାଲିଗଲେ ବଜାର ଆଡ଼କୁ ।

 

ଲେଡ଼ିଜ ଗଗ୍ଲସ୍‌ର ନାଡ଼ଟା ଆନମନା ଭାବେ କାମୁଡ଼ି ଧରି ସେମାନଙ୍କ ଆଡ଼େ ଟିକିଏ ଘୂରି ଚାହିଁଲେ ମିସେସ୍‌ ଜନ୍‌କିଙ୍ଗ୍‌ । ସେଇ ଚାହିଁବାର ଭଙ୍ଗୀଟା କିନ୍ତୁ ଥିଲା ବେଶ୍‌ ଆର୍ଟିଷ୍ଟିକ୍‌ !

 

ଧାଇଁ ଯାଉଁ ଯାଉଁ ଜଣେ ଟୋପିବାଲା ଆଉ ଜଣକୁ କହିଲା ଖୁନ୍ଦାଟିଏ ମାରି, ଦେଖିଲୁବେ ବଢ଼ିଆ ମାଲ୍‌ !

 

ଆର ଜଣକ ହସି ଦେଇ ମୁହଁ ବୁଲେଇଲା ! ଶାଳୀ ବିଲାତି ମାଲ୍‌ ! ଏସ୍‌.ପି. ମାଇପ ହେଇଥିବ ତ...

 

କହୁ କହୁ ସେମାନେ ଧାଇଁ ଚାଲିଗଲେ । ଭାରି ହସ ମାଡ଼ିଲା ମୋତେ । ହସି ପକେଇଲି !

 

ମିସେସ୍‌ ଜନ୍‌କିଙ୍ଗ୍‌ ପଚାରିଲେ–ସେମାନେ କ’ଣ କହିଲେ ବିଜୟ ? ଏସ୍‌.ପି. ନାଁ ସେଇ ଭଳିଆ କ’ଣ ଯିମିତି କହିଲେ....

 

କହିଲି, ସେମାନେ କହୁଥିଲେ, ଏ ବୋଧହୁଏ ଏସ୍‌.ପି.ଙ୍କ ସ୍ତ୍ରୀ ।

 

I see ! ମିସେସ୍‌ ଜନ୍‌କିଙ୍ଗ୍‌ କହିଲେ, ତମେ ମୋତେ ଓଡ଼ିଆ ଶିଖାଇ ଦେଇ ପାରିବ ବିଜୟ ?

 

ନିଶ୍ଚୟ । ମୁଁ କହିଲି–ଆପଣ ଶୀଘ୍ର ଶିଖିଯାଇ ପାରିବେ । ଏଠି ଗୋଟିଏ ରୋମାନ୍‌ କାଥାଲିକ୍‌ ମିଶନ ଅଛି । ସବୁ ଫାଦର୍‍ ଓ ସିଷ୍ଟରଯାକ ପ୍ରାୟ ବିଦେଶୀ । ସେମାନେ ଓଡ଼ିଆ କହି ଜାଣନ୍ତି–ଲେଖିପଢ଼ି ବି ପାରନ୍ତି । ଆପଣ ଚେଷ୍ଟା କଲେ....

 

ହଁ ମୁଁ ଶିଖିବି । ତମେ କିନ୍ତୁ ଚମତ୍କାର ଇଂରାଜୀ କହିପାର ତ ବିଜୟ ...

 

ଏତିକିବେଳେ ଜନ୍‍କିଙ୍ଗ୍‌ ଆସି ପହଞ୍ଚିଲେ । Hallow ବିଜୟ, are you afraid of ? ଡର ଲାଗୁଚି ?

 

କହିଲି-No no…

 

ମିସେସ୍‌ ପଚାରିଲେ–କଥା କ’ଣ ଜନ୍‌ ?

 

ମୁଁ ମିଲିସିଆ ବାଟାଲିୟନକୁ ଖବର ପଠାଇ ସାରିଲିଣି । ଅଳ୍ପ ସମୟ ପରେ ସେମାନେ ଆସିଯିବେ । ବ୍ୟାସ୍‌ ସାଙ୍ଗରେ ପରାମର୍ଶ କରି କେତେଜଣ କଂଗ୍ରେସ କର୍ମୀ ଏଇ ....ବର୍ତ୍ତମାନ ସହର ଆଡ଼କୁ ଚାଲିଗଲେ ସାଇକେଲ୍‌ ନେଇ । ଟିକିଏ ଚିନ୍ତିତ ହେଇ ଜନ୍‍କିଙ୍ଗ୍‌ କହିଲେ–Perhaps Vyas has sent them to steer up the town…

 

ତେବେ ତ ସହରରେ ବି ଗଣ୍ତଗୋଳ ହେଇଯିବାର ସମ୍ଭାବନା ଅଛି ...

 

ନାଁ । କିଛି ହେଇ ପାରିବନି । ଜଣେ ସ୍ପେସିଆଲ ମ୍ୟାସେଞ୍ଜର ପଠାଇ ଦେଇଚି ଏସ୍‌.ଡ଼ି.ଓ. ପାଖକୁ । ସେ ସତର୍କ କରି ରଖିବେ ସଶସ୍ତ୍ର ପୋଲିସ ବାହିନୀକୁ ସହର ଭିତରର ଯେକୌଣସି କରିସ୍ଥିତିର ସମ୍ମୁଖୀନ ହେବାପାଇଁ । ତେବେ...‘ଏଠି’ କ’ଣ ହବ, କୁହାଯାଇ ପାରେନା-। ମୋ ମତରେ ତମେ ଦୁହେଁ ବରଂ ଆଗରେ ଚାଲିଯାଅ । ମୁଁ ଟ୍ରେନଟା ପାସ୍‌ କରେଇ ଦେଇ ସାରି, ପରେ ଚାଲିଯିବି ପୋଲିସ ଭ୍ୟାନରେ । ପରିସ୍ଥିତି ଖରାପ ହେଇପାରେ; ତମେ ରହିବା କ’ଣ ଦରକାର ?

 

ମିସେସ୍‌ ଜନକିଙ୍ଗ୍‌ ରାଜି ହେଲେନି । ଖରାପ ପରିସ୍ଥିତି ଭିତରେ ତମେ ଯଦି ରହି ପାରିବ, ଆମେ କାହିଁକି ପାରିବୁନି ?

 

କିନ୍ତୁ ବିଜୟ ବି ଆମ ସାଙ୍ଗରେ...

 

ନାଁ ନାଁ ମୁଁ ରହିବି । I want to see the climax. ମୁଁ କହିଲି ।

 

ମିସେସ୍‌ ଜନ୍‌କିଙ୍ଗ୍‌ ହସି ଦେଲେ । ଜନ୍‌କିଙ୍ଗ୍‌ ହସି ହସି ମୋତେ ପଚାରିଲେ–Is this a show ?

 

ମୁଁ କିଛି କହିବା ଆଗରୁ ମିସେସ୍‌ କହିଲେ–It seems to be so !

 

ଜନ୍‌କିଙ୍ଗ୍‌ ଫେରିଗଲେ ପ୍ଲାଟ୍‌ଫର୍ମକୁ ।

 

ପାଞ୍ଚ ମିନିଟ୍‌ ବି ଯାଇନି, ତା’ର ଜାଲି ଦିଆ ବଡ଼ ବଡ଼ ତିନୋଟି ମିଲିଟାରୀ ଭ୍ୟାନ୍‌ ଆସି ଘଚ ଘାଚ ବ୍ରେକ୍‌ କଷି ଠିଆ ହୋଇଗଲେ ଆମରି ଗାଡ଼ି ପାଖରେ । ସାମ୍ନାଟିରେ ଓୟାରଲେସ୍‌ ଫିଟ୍‌ କରା ହେଇଚି । ଲମ୍ବା ତାରଟିଏ ଚିକ୍‌ ଚିକ୍‌ କରୁଥାଏ ଛାତ ଉପରେ । ଚଢ଼େଇ ବୋବେଇବା ପରି ନିରବଚ୍ଛିନ୍ନ ପିଁ ପାଁ ଆଓ୍ୱାଜ ବାହାରୁଥାଏ ସେଇ ଗାଡ଼ିରୁ । ଓୟାରଲେସ୍‌ ଟ୍ରାନ୍‌ଜିସ୍‌ଟରର ଶବ୍ଦ । ଦିଶୁଥାଏ, ମୁହଁରେ ଯନ୍ତ୍ରଟାକୁ ଲଗାଇ ଅପରେଟର କହୁଚି–ହ୍ୟାଲୋ, ହ୍ୟାଲୋ କଣ୍ଟ୍ରୋଲ ! ମୋବାଇଲ ସ୍ପିକିଂ ! ପ୍ଲିଜ୍‌ ରିପୋର୍ଟ ମାଇଁ ସିଗ୍‌ନାଲ !

 

ତେଣୁ ଗର୍ଜ୍ଜୁଥାଏ କଣ୍ଟ୍ରୋଲ ରୁମ୍‌ ତିନି ମାଇଲ ଦୂର ଏସ୍‌.ପି. ଅଫିସରୁ । ଓୟାରଲେସ୍‌ରୁ ଶୁଭୁଚି–ହ୍ୟାଲୋ ମୋବାଇଲ, କଣ୍ଟ୍ରୋଲ ସ୍ପିକିଂ । ଇୟୋର ରିପୋର୍ଟ ଇଜ୍‌ କ୍ୱାଇଟ୍‌ କ୍ଲିଅର୍‌ ଟୁ ମି ...

 

ପୁଣି ଏଣୁ–ବ୍ୟାଟାଲିୟନ ଏରାଇଭଡ୍‍ ଏଟ୍‌ ଦ’ ରେଲଓୟେ ଷ୍ଟେସନ । ଷ୍ଟପ୍‌ । ତା’ପରେ ପୁଣି ସେଇ ନିରବଚ୍ଛିନ୍ନ ପିଁ ପାଁ... ଶବ୍ଦ !

 

ଭ୍ୟାନଗୁଡ଼ିକର ଲୁହା କବାଟ ଖୋଲିଗଲା । ତା’ ଭିତରୁ ବାହାରି ଆସିଲେ ଲୌହ-ଶିରସ୍ତ୍ରାଣ-ପରିହିତ ସଶସ୍ତ୍ର ସୈନ୍ୟଦଳ । ସବୁଯାକ ଅବଶ୍ୟ ଭାରତୀୟ !

 

ସେମାନେ ପ୍ଲାଟ୍‌ଫର୍ମରେ ଢୁକିବା ମାତ୍ରେ ଲୋକେ ଟିକିଏ ଇତସ୍ତତଃ ହେଇ ପଡ଼ିବାର ଦେଖି ବ୍ୟାସଜୀ ସାହସ ଦେଇ ପାଟିକରି ଉଠିଲେ–ଆରେ ବାଃ, ଏଇ ତ ଆମ ଭାଇମାନେ ସବୁ ଆସିଗଲେଣି ! ବ୍ରିଟିଶ ବାହିନୀରେ ଚାକିରି କଲେ ବି ସେମାନେ ଆମରି ଭାଇ ତ ! ପୁଣିଥରେ ଜୟଧ୍ୱନି ଦିଅ–ଜୟ ଭାରତ ମାତାକି ଜୟ ! ଇନ୍‌କିଲାବ, ଜିନ୍ଦାବାଦ୍‌ !!

 

କିନ୍ତୁ ଜନତାର ଜୟଧ୍ୱନି ଏଥର ଆଉ ସେପରି ଉଦ୍ଦାତ୍ତ ହେଇ ଉଠିଲାନି ! ପରିସ୍ଥିତି ଦେଖି ଜଣକ ପରେ ଜଣେ ସେଠୁ ବାଟ କାଟିବାକୁ ବି ଆରମ୍ଭ କଲେଣି । ଭିଡ଼ କ୍ରମେ ପତଳା ପଡ଼ି ଆସୁଚି । ବୁଦ୍ଧିମାନ ଦର୍ଶକମାନେ ବାହାରକୁ ପଳାଇ ଆସି ନିରାପଦ ଦୂରତ୍ୱରେ ଠିଆ ହେଇ ପ୍ଲାଟ୍‌ଫର୍ମକୁ ଚାହୁଁ ଥାଆନ୍ତି । ଭାରତୀୟ ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ବ୍ୟାସଜୀ, ‘‘ଏଇ ତ ଆମରି ଭାଇମାନେ ସବୁ ଆସି ଗଲେଣି.....’’ କହିବାରୁ, ପ୍ଲାଟ୍‌ଫର୍ମ ବାହାରେ ଠିଆ ହେଇଥିବା ‘ବୁଦ୍ଧିମାନ’ମାନଙ୍କ ଭିତରେ ବେଶ୍‌ ଗୋଟାଏ ହସର ଲହଡ଼ି ଉଠିଲା ! ଆମରି ଗାଡ଼ି ପାଖରେ ଠିଆ ହୋଇ ସେଇ ଆଡ଼କୁ ଅନେଇ ବିଡ଼ି ଟାଣୁଥିଲା ଗୋଟାଏ ବଜାରୀ ଟୋକା । ସେ ମୁହଁଟାକୁ ଚିଗୁଲେଇ କହିଲା–ହଉ ରୁହ....ରୁହ । ‘ଭାଇମାନେ’ ଯେତେବେଳେ ପିଠିରୁ ଛାଲ ଉତ୍ତାରି ଦେବେ, ବୁଝିବ ମଜଟା !

 

ହସ ଥଟ୍ଟାର ସମୟ ନୁହେଁ ! ପରିସ୍ଥିତି ସେତେବେଳକୁ ହେଇ ଉଠିଚି ଗୁରୁତର !!

 

ସୈନ୍ୟମାନେ ପୋଜିସନ୍‌ ନେଇ ପ୍ଲାଟ୍‌ଫର୍ମ ଉପରେ ଠିଆ ହେଇ ଗଲେଣି । ସୂର୍ଯ୍ୟ କିରଣରେ ଚିକ୍‌ଚିକ୍‌ କରି ଉଠୁଚି ଧାଡ଼ି ଧାଡ଼ି ସୁତୀକ୍ଷ୍‌ଣ ବାୟୋନେଟ୍‌ ! ତେଣେ ବ୍ୟାସଜୀଙ୍କ ପଲ୍‌ଟଣମାନେ ଲାଇନ୍‌କଡ଼ର ପଥର ଗୋଟି ସଂଗ୍ରହ କରି ହାତରେ ଧରିଲେଣି । ପଥର କୋଇଲା ଗଦା କେତୋଟି ଖାଲି ହୋଇ ସାରିଲାଣି !! ବୁଲେଟର ପ୍ରତିରୋଧ ଓ ମୁକାବିଲା କରା ହେବ ସୋଡ଼ା ବୋତଲ, ଗେଟି ଓ ପଥର କୋଇଲା ଢିମାରେ । ଗୋଟିଏ ପାଖରେ ଅଳ୍ପ କେତେଜଣ ସୁଶିକ୍ଷିତ ସିପାହୀ ! ଅପର ପାଖରେ ବିରାଟ ଜନତା ! ସମ୍ମୁଖ-ସଂଗ୍ରାମକୁ ଅବତୀର୍ଣ୍ଣ ହେଇଛନ୍ତି ଉଭୟ ପକ୍ଷ ! ସ୍ଥାନଟା ବାସ୍ତବିକ ଦିଶୁଥାଏ ଗୋଟାଏ ଛୋଟ ଯୁଦ୍ଧକ୍ଷେତ୍ର ପରି ! ଉତ୍ତେଜନା ପହଞ୍ଚିଥାଏ ଚରମ ସୀମାରେ !

 

ମାଇକ୍‌ ମୁହଁରେ ଦେଇ ଜନ୍‌କିଙ୍ଗ୍‌ କହିଲେ, ମୁଁ ଏଇ ଜନତାକୁ ବେଆଇନ ଘୋଷଣା କରୁଚି । ପାଞ୍ଚ ମିନିଟ୍‌ ଭିତରେ ସମସ୍ତେ ଏଠୁ ଚାଲି ଯାଆନ୍ତୁ । ନଚେତ୍‌ ଫଳାଫଳ ଖୁବ୍‌ ଖରାପ ହେବ ।

 

ପୁଣି ଉଠିଲା ସ୍ଳୋଗାନ । ଗର୍ଜ୍ଜୁଛି ଜନ-ସମୁଦ୍ର । ପ୍ରଥମେ ଭିଡ଼ ଯେମିତି ପତଳା ପଡ଼ିଥିଲା, କ୍ରମେ କ୍ରମେ ତା’ଠୁଁ ଆହୁରି ବଢ଼ି ଯାଉଚି । ଫାଟକ ଦେଇ ବାହାରର ଲୋକ ପଶୁଛନ୍ତି ପ୍ଲାଟଫର୍ମକୁ । ସହରରେ ଖବର ଚହଟି ଯାଇଛି । ସେଠାରୁ ବି ଲୋକେ ଆସି ପହଞ୍ଚି ଗଲେଣି । ସମସ୍ତେ ମାରିବାକୁ ଓ ମରିବାକୁ ତିଆର୍‌ !

 

ଇନ୍‌କିଲାବ୍‌ ଜିନ୍ଦାବାଦ ।

 

ଗୋଲି ମାଡସେ ନେହିଁ ଡରେଙ୍ଗେ !!

 

ଲାଠି ମାଡସେ ନେହିଁ ଡରେଙ୍ଗେ !!!

Unknown

 

ଟିଅର୍‌ ଗ୍ୟାସ୍‌ ସେ ନେହିଁ ଡରେଙ୍ଗେ !!!

 

ରେଲ ଗାଡ଼ି ନେହିଁ ଛୋଡ଼େଙ୍ଗେ !!!

 

ଜନ୍‌କିଙ୍ଗ୍‌ଙ୍କ ଆଦେଶରେ ପୁଣି ଡ୍ରାଇଭର, ଫାୟାର ମେନ୍‌ ଓ ଗାର୍ଡ଼ ନିଜ ନିଜ ସ୍ଥାନକୁ ଫେରି ଆସିଲେ । ଷ୍ଟେସନର ଘଣ୍ଟା ପିଟା ହେଲା । ନୀଳ ପତାକା ହଲିଲା । ଖୁବ୍‌ ଜୋରରେ ସୁତୀବ୍ର ଦୀର୍ଘ ହୁଇସିଲ୍‌ଟିଏ ମାରିଲା ମାଲ୍‌ଗାଡ଼ିର ଇଞ୍ଜିନ !

 

କିନ୍ତୁ, କାକସ୍ୟ ପରିବେଦନା !

 

କେହି ହଟିଲେନି ଲାଇନ ଉପରୁ । ବାରମ୍ବାର ସ୍ଳୋଗାନ୍‌ ଉଠିବାକୁ ଲାଗିଲା–ଇନ୍‌କିଲାବ ଜିନ୍ଦାବାଦ୍‌ । ବ୍ରିଟିଶ ରାଜ୍‌, ଭାରତ ଛାଡ଼ ।

 

ଝିକ୍‌ଝିକ୍‌ ଶବ୍ଦ କରି ଆଗେଇ ଆସିଲା ଇଞ୍ଜିନ । କାଓ-କେଚାର ପ୍ରାୟ ଆସି ଲାଗିଗଲା ଆଗରେ ଠିଆ ହେଇଥିବା ଲୋକମାନଙ୍କ ଦେହରେ । ଅଗତ୍ୟା ଗାଡ଼ି ବନ୍ଦ କଲା ଡ୍ରାଇଭର । ସେଁ, ସେଁ ହେଉଥାଏ ଇଞ୍ଜିନଟା । ପୁଣି ମାଇକରେ ଶୁଭୁଚି ଜନ୍‌କିଙ୍ଗ୍‌ଙ୍କ ଘୋଷଣା–My dear friends, if you do not disperse within five minutes–we shall open fire to clear the platform…

 

ସ୍ଳୋଗାନରେ ଜବାବ ଦେଲେ ଜନତା–ଗୋଲି ମାଡସେ ନେହିଁ ଡରେଙ୍ଗେ ! ରେଲ ଗାଡ଼ି ନେହିଁ ଛୋଡ଼େଙ୍ଗେ !

 

ବେଶ୍‌ ମୁଁ ଘଡ଼ି ଦେଖୁଚି । ଜନ୍‌କିଙ୍ଗ୍‌ କହୁଛନ୍ତି ମାଇକରେ । ଠିକ୍‌ ପାଞ୍ଚ ମିନିଟ୍‌ ପରେ ଗୁଳି ଚାଲିବ । ଯୋଉମାନେ ବଞ୍ଚିବାକୁ ଚାହଁ, ଏଠୁ ପଳାଅ !

 

ଜନତା ସ୍ଳୋଗାନରେ ଉତ୍ତର ଦିଏ–ଚାଲୁ ଗୁଳି ! ଦେଶପାଇଁ ସମସ୍ତେ ଆମେ ମରିବୁ !

 

ଦେଖାଗଲା, ଓଭରବ୍ରିଜ୍‌ ଉପରକୁ ଉଠି ଯାଉଛନ୍ତି ଜନ୍‌କିଙ୍ଗ୍‍ । ସେଠି ଠିଆ ହୋଇ ‘ବାଇନାକୁଲର’ରେ ଚାହୁଁଛନ୍ତି ଜନତାକୁ । ଚାହୁଁଛନ୍ତି ଚାରିଆଡ଼କୁ, କାହାରିକୁ ଖୋଜିବା ପରି ।

 

ଓଭରବ୍ରିଜ୍‌ ଉପରୁ ଓହ୍ଲାଇ ଆସି ପୁଣି ମାଇକରେ ମୁହଁ ଦେଲେ ସେ ।

 

ଭାଇମାନେ, ତମେ ଆଜି ଦେଶ ପାଇଁ ଏଠି ମରିବାକୁ ଠିଆ ହେଇଚ । କିନ୍ତୁ କାହାନ୍ତି ତମର ନେତା ବ୍ୟାସଜୀ ?

 

ବ୍ୟାସଜୀ ! ବ୍ୟାସଜୀ ? କୋଳାହଳ ଉଠିଲା, ବ୍ୟାସଜୀ କୁଆଡ଼େ ଗଲେ ?

 

ଯୋଉ ବ୍ୟାସଜୀ ତମକୁ ମତେଇ ଥିଲେ, ଗୁଳି ଆଗରେ ସମସ୍ତଙ୍କୁ ଠିଆ କରେଇ ଦେଇ, ସେ ଚମ୍ପଟ ଦେଇଛନ୍ତି । ଆଉ ତାଙ୍କର ପତ୍ତା ମିଳିବନି ।

 

ଆରେ ସତେ ତ ! କାହାନ୍ତି ବ୍ୟାସଜୀ ? ଅସଲବେଳେ ସେ ଗଲେ କୁଆଡ଼େ ? ପୋଖରୀ-ପାଣି ଗଲେ ନା କ’ଣ ? ସମସ୍ତେ ହୋ ହୋ ହେଇ ଉଠିଲେ । ନେତା କାହାନ୍ତି ?

 

ନେତା ତମର ନାହାନ୍ତି–ଗୁଳିରେ ମରିବାକୁ ଯିବେ, ଏଡ଼େ ବଡ଼ ବୋକା ବ୍ୟାସଜୀ ନୁହନ୍ତି-। ସେ ପଳେଇ ଯାଇଛନ୍ତି ତମ ସମସ୍ତଙ୍କୁ ପ୍ରତାରଣା କରି ! ଖୋଜି ବାହାର କର ତାଙ୍କୁ Tracc him out. ଯଦି ପାଅ–ପଚାର, କୋଉଥି ପାଇଁ ସେ ପଳେଇ ଗଲେ ? କ’ଣ ତମମାନଙ୍କ କନଡୋଲେନ୍‌ସ ମିଟିଂରେ ସଭାପତିତ୍ୱ କରି ଅଗ୍ନିବର୍ଷି ବକ୍ତୃତା ଦେବାକୁ ?

 

ଲୋକେ ଉତ୍ତ୍ୟକ୍ତ ହେଇ ଉଠିଲେ । ଧର, କୁଆଡ଼େ ଗଲା ସେ ବଦ୍‌ମାସ୍‌ । ସତେ ତ ! ଜନ୍‌କିଙ୍ଗ୍‌ ଠିକ୍‌ କହୁଛନ୍ତି ! ବିଦେଶୀ ଯାହା କରୁ ପଛେ, ଏଇଭଳିଆ କେତେଜଣ ସ୍ୱଦେଶୀ ଅଛନ୍ତି, ଯୋଉମାନଙ୍କ ଜୁଆଚୋରି ଯୋଗୁ ଆମେ ଶଳା ମରୁଛୁଁ । ଚାଲ ଖୋଜି ବାହାର କରିବା, କୋଉଠି ଅଛି ସେ ହାରାମଜାଦା ! ଶଳେ ଭାରି ସିଆଣା ହେଇଚନ୍ତି ! ଆମକୁ ଚିତାକାଟି....

 

ପ୍ଲାଟଫର୍ମ ଛାଡ଼ି କିଏ କୁଆଡ଼େ ଚାଳିଗଲେ । ଗଲାବେଳେ ବ୍ୟାସଜୀର ଘର ଆଡ଼ ଲୋକଙ୍କ ସହିତ ଯୋଉ ସମ୍ପର୍କ ସ୍ଥାପନ କରିବାର ଅଭିଳାଷ ପ୍ରକାଶ କରି କରି ଯାଉ ଥାଆନ୍ତି, ତାହା ଅଭିଧାନ-ବହିର୍ଭୂତ ହେଇ ଥିବାରୁ ଏଠି ଦିଆଗଲା ନାହିଁ ।

 

ମିସେସ୍‌ ଜନ୍‌କିଙ୍ଗ୍‌ ପଚାରିଲେ କଥା କ’ଣ ବିଜୟ ?

 

କହିଲି–କଥା ଆଉ କ’ଣ ? The ring-leader has fled away ! ସବୁ କିଛି ବୁଝେଇ ଦେଲି ତାଙ୍କୁ । ଭାରି ହସିଲେ ସେ । କହିଲେ–This is a farce out of nothing !

 

ଜନ୍‌କିଙ୍ଗ୍‍ ଫେରି ଆସିଛନ୍ତି ।

 

ଦେଖିଲ ତ ବ୍ୟାସର କାଣ୍ଡ ?

 

ମିସେସ୍‍ ଜନ୍‍କିଙ୍କ୍‍–ହଁ; ବିଜୟ ମୋତେ ସବୁ ବୁଝେଇ ଦେଇଛି ! How funny all these John ?

 

It’s really funny ! କହି ଜନ୍‌କିଙ୍ଗ୍‍ ପ୍ରାଣଖୋଲା ହସ ହସିଲେ । ମୋ ଗାଲରେ ଆସ୍ତେ ଚାପୁଡ଼ାଏ ମାରିଲେ । Did you enjoy the show ?

 

Really, କହି ଘୁଞ୍ଚିଗଲି ତାଙ୍କୁ ଜାଗା ଦେବାକୁ । ମୋ ପାଖରେ ବସିପଡ଼ି ଗାଡ଼ିରେ ଷ୍ଟାର୍ଟ ଦେଇଦେଲେ ସେ ।

 

ତାଙ୍କ ବାଂଲୋଟି ବେଶ୍‌ ସୁନ୍ଦର ।

 

ମସ୍ତବଡ଼ ହତା ଭିତରେ ଫୁଲ ବଗିଚା । ଚମତ୍କାର ଲ’ନ୍‌ଟିଏ । ଛୋଟ ଅଥଚ ପରିଚ୍ଛନ୍ନ ଗୋଟିଏ ଜଳାଶୟ । ଭିତରେ ତା’ର ପଦ୍ମବନ ।

 

ଅଡର୍‌ଲି କନଷ୍ଟେବଲ୍‌ମାନେ ମାଳି ଚାକର କାମ କରନ୍ତି । ରନ୍ଧାରନ୍ଧି କରିବା ପାଇଁ ମୁସଲ୍‌ମାନ ବବୁର୍ଚ୍ଚିଟିଏ ଅଛି । କାର୍‌ ଅଛି କିନ୍ତୁ ଡ୍ରାଇଭର ନାହିଁ । ପୋଲିସ ଡ୍ରାଇଭର ଦ୍ୱାରା କାମ ଚଳେ । ତା’ଛଡ଼ା, ସ୍ୱାମୀ ସ୍ତ୍ରୀ ଦୁହେଁଯାକ ତ ଡ୍ରାଇଭିଂ ଜାଣନ୍ତି ।

 

ସୁନ୍ଦର ଆସବାବ୍‌ପତ୍ର । ଦର୍ପଣ, ରେଡ଼ିଓଗ୍ରାମ, ଚିତ୍ର-ବିଚିତ୍ରିତ ଦାମିକା କର୍ଟେନ, ନାନା ପ୍ରକାର ଫଟୋ ଆଉ ପେଣ୍ଟିଂରେ ମାର୍ଜ୍ଜିତଭାବେ ସଜା ହେଇଥିବା ତାଙ୍କ ଘର ଦେଖି ମିସେସ୍‌ ଜନ୍‌କିଙ୍ଗ୍‍ଙ୍କ ରୁଚିକୁ ପ୍ରଶଂସା କରିବାକୁ ଇଚ୍ଛା ହେଲା ।

 

ସନ୍ଧ୍ୟା ପରେ ସମସ୍ତେ ଯାଇ ଲ’ନରେ ବସିଲୁ । ବେତ ଚେଆର ତିନୋଟିରେ ଆମେମାନେ, ମଝିରେ ଟି’ପୟ ଉପରେ ବଡ଼ ପ୍ଲେଟରେ ପ୍ରଚୁର କଲିଜା ଭଜା, ଏକ ବୋତଲ ଫ୍ରେଞ୍ଚ୍‌ ଭରମୁଥ୍‌, ଆଉ ସିଗାରେଟ ଟିଣେ ।

 

ହସିଲା ମୁହଁରେ ମୋ ଆଡ଼କୁ ଚାହିଁ ଜନ୍‌କିଙ୍ଗ୍‍ ପଚାରିଲେ–ଏସବୁ ଚଳେ ତ ?

 

ମୁଁ–କିନ୍ତୁ ମୁଁ ଯେ...

 

ମିସେସ୍‌–ବିଜୟ, ତମେ କଲିଜା ଭଜା ଖାଇବାକୁ ତ ନିଶ୍ଚୟ ଭଲ ପାଉଥିବ ।

 

ଜନ୍‌–ମଦ ପିଇନା କେବେ ? ସିଗାରେଟ ?

 

ମୁଁ–ନଁ ନାଁ ମୋର ଏସବୁ ଅଭ୍ୟାସ ନାହିଁ ।

 

ଜନ୍‌–ଆରେ ଯାଃ ! ତମେ ତେବେ ବ-ହୁ-ତ ପଛରେ ପଡ଼ିଛ ବ୍ରଦର ! ବହୁତ ପଛରେ ପଡ଼ିଛ ! ଜାଣ, ମୁଁ ସିଗାରେଟ ଆରମ୍ଭ କରିଥିଲି ଛଅ ବର୍ଷ ବୟସରେ ! ଆଉ ମଦପିଆ ? ମୋର ଯେତେବେଳେ ବୟସ ହେଇଥିଲା ମୋଟେ ବାରବର୍ଷ...

 

ମିସେସ୍‌–ଖୁବ୍‌ ବାହାଦୁରିର କଥା ସେଟା, ନାଁ ?

 

ଜନ୍‌–ଆଦୌ ବାହାଦୁରିର କଥା ନୁହେଁ । ଅତି ସାଧାରଣ ମାମୁଲି କଥା । ବିଶେଷତଃ, ବିଜୟର ବୟସ ତ ଅନ୍ତତଃ ଷୋଳ-ସତର ବର୍ଷ ହେବ, ତା’ ପକ୍ଷରେ ଏଇଟା ଆହୁରି ମାମୁଲି ହେବା ଉଚିତ ଥିଲା ।

 

ମିସେସ୍‌–All right, let him test a little. ନିଅ ବିଜୟ, ସାମାନ୍ୟ ଟିକିଏ ନିଅ । କିଛି ହେବନି ଫ୍ରେଞ୍ଚ୍‌ ଭରମୁଥରେ ନିଶା ଖୁବ୍‌ କମ୍‌ ଥାଏ ।

 

ଜନ୍‌–ହଁ ହଁ ବିଜୟ. ଉଠାଅ । ଫ୍ରେଞ୍ଚ୍‌ ଭରମୁଥ୍‌ ଇଜ୍‌ ଜଷ୍ଟ ଲାଇକ୍‌ ଓ୍ୟାଟର । କିଛି ହେବନି, ଉଠାଅ ! ଚିଆର୍ସ...

 

ମିସେସ୍‌–ଚିଆର୍ସ । ନିଅ ବିଜୟ । କୁହ, I am drinking for your health…

 

ଚିଆର୍ସ ! I am drinking for the health of both of you....କହି ଆଖି ବୁଜି ସବୁତକ (ଖୁବ୍‍ ସାମାନ୍ୟ ମୋ ଗ୍ଲାସରେ ଦିଆ ହେଇଥିଲା) ପିଇ ଦେଲି ଏକା ଢୋକକେ-! ଇସ୍‌ ! ସେ କି ଅଭୂତପୂର୍ବ ଜ୍ୱାଳାମୟୀ ଅନୁଭୂତି ! ମନେହେଲା, ମୁଁ ଯେପରି ତରଳ ବହ୍ନି ପିଇ ଦେଇଚି । ଗଳାଠାରୁ ପାକସ୍ଥଳୀ ଯାଏ ସାରା ଅନ୍ତନାଡ଼ିର ଭିତରେ ଭିତରେ କ୍ଷଣସ୍ଥାୟୀ ଏକ ବହମାନ ପ୍ରବାହ !!!

 

ସେଦିନ ଆଉ ମୁଁ କ’ଣ କହିଥିଲି, କ’ଣ କରିଥିଲି, କ’ଣ ଖିଆପିଆ କରିଥିଲି, କିଛି ଖିଆଲ ନାହିଁ । ଅନେକଟା...ଆଚ୍ଛନ୍ନ ଅବସ୍ଥାରେ ସେଇ ରାତିଟି ମୋର କଟିଥିଲା ।

 

ଆମ ସ୍କୁଲରେ ପ୍ରତିବର୍ଷ ଥିଏଟର ହୁଏ ।

 

ଗ୍ରୀଷ୍ମ ଛୁଟିରେ ଯେତେବେଳେ ସ୍କୁଲ ବନ୍ଦ ହେଇଯାଏ–ସେତିକିବେଳେ କେତେକ ଉତ୍ସାହୀ ଛାତ୍ର ଛତ୍ରୀ, ଶିକ୍ଷକ, ଉଦ୍ୟୋକ୍ତା ଆଉ ମ୍ୟାନେଜିଂ କମିଟିର ସଦସ୍ୟମାନଙ୍କ ସହଯୋଗରେ ଡ୍ରାମାର ରିହାଲସେଲ୍‌ ଆରମ୍ଭ ହୁଏ । ପ୍ରାୟ ପୂରା ଦେଢ଼ମାସ ପରେ, ସ୍କୁଲ ଖୋଲିବା ପୂର୍ବରୁ ନାଟକଟି ମନସ୍ଥ ହେଇଯାଏ । ସ୍ଥାନୀୟ ପିଲାମାନେଇ ପ୍ରଧାନ ଅଂଶଗ୍ରହଣ କରନ୍ତି ଏସବୁ ବ୍ୟାପାରର । ମଫସଲ ପିଲାଏ ତ ଛୁଟି ହେବାକ୍ଷଣି ପେଡ଼ି ପେଟରା ବାନ୍ଧି ହଷ୍ଟେଲ ଛାଡ଼ି ଘରକୁ ପଳାନ୍ତି । ଡ୍ରାମା ସମ୍ବନ୍ଧରେ ସେମାନଙ୍କର କୌଣସି ଆଗ୍ରହ ନଥାଏ ।

 

ନାଟକ ଲେଖନ୍ତି ବେଣୁ ଭାଇ । ଡାଇରେକ୍‌ସନ ଦିଅନ୍ତି ବେଣୁ ଭାଇ । ଗୀତ, ନାଚ ବି ଶିଖାନ୍ତି ସେଇ ବେଣୁ ଭାଇ ।

 

ଦାଦାଙ୍କର ସବା ବଡ଼ପୁଅ ସେ । ଡ୍ରାମା ପ୍ରଭୃତିରେ ପ୍ରକୃତରେ ତାଙ୍କର ପାର୍ଟସ୍‌ ଥିଲା । ଖୁବ୍‌ ସିଏ ପପୁଲାର ଥିଲେ ଆମ ସ୍କୁଲର ଛାତ୍ର ଓ ଶିକ୍ଷକ ମହଲରେ....ଆଉ ଛାତ୍ରମାନଙ୍କ ଅଭିଭାବକ ମହଲରେ ବି । ବିନା ବେଣୁଭାଇରେ ଡ୍ରାମା ହେଇପାରେନା, ଏଇ ଧାରଣା ସେଠି ଆଡ଼-ଦୀର୍ଘ ଦଶ କୋଷ ଅଞ୍ଚଳର ସବୁ ଡ୍ରାମାଖୋରଙ୍କ ମନରେ ବଦ୍ଧ-ମୂଳ ହେଇଥିଲା ।

 

ପିଲାଦିନୁ ଆମମାନଙ୍କ ପରି କେତୋଟି ଏକାନ୍ତ ଅନୁଗତ ଭାଇ ଭଉଣୀଙ୍କୁ ନେଇ ବାରନ୍ଦା ପିଲାରରେ ଶାଢ଼ି ଓ ଧୋତି ଟାଙ୍ଗି (ତାକୁ ଦଉଡ଼ି ଓ ଲମ୍ବା ବାଉଁଶ ବାଡ଼ି ସାହାଯ୍ୟରେ ଠିକ୍‌ ସିନ୍‌ ପରି ଉଠାଇବା ପକାଇବା ବ୍ୟବସ୍ଥା କରି) ଷ୍ଟେଜ ତିଆରି କରୁଥିଲେ । ରବିବାରିଆ ଧୁମ୍‌ ଦି’ପହରବେଳେ ସମସ୍ତେ ଯେତେବେଳେ କବାଟ ଝରକା ବନ୍ଦ କରି ଆରାମରେ ଘୁଙ୍ଗୁଡ଼ି ମାରୁ ଥାଆନ୍ତି, ସେତିକିବେଳେ ଆମର ନାଟକ ସବୁ ଅଭିନୀତ ହଉଥିଲା । ସେତେବେଳେ ସେଇ ସବୁ ତଥାକଥିତ ନାଟକର ଲେଖକ, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ ସେଇ ବେଣୁ ଭାଇ ।

 

ହଁ, ସେତେବେଳେ ଏ ସବୁର ପ୍ରଧାନ ଉତ୍ସାହୀ-ଦାତ୍ରୀ, ଦର୍ଶକ ଓ ଉଦ୍ୟୋକ୍ତା ଥିଲେ ଆମର ଦୂର ସମ୍ପର୍କୀୟ ଜଣେ ‘ବଡ଼ମା’, ଯେ କି ବୁଢ଼ୀ ହେଲେ କ’ଣ ହେବ, ବଡ଼ ଫରଓ୍ୟାର୍ଡ଼ ଲେଡ଼ି-!

 

ଥରେ ମୁଁ ସେଇ ରବିବାସରୀୟ ନାଟକରେ ନେଇଥାଏ ‘ଇନ୍ଦ୍ର’ ପାର୍ଟ । ଆଉ ଜଣେ ପଡ଼ିଶା ଘର ପିଲା ‘ବୃତ୍ରାସୁର’ । ଦୁହିଁଙ୍କର ବୟସ ଥାଏ ଖୁବ୍ କମ୍‌ । ଯୋଉଭଳି ପାର୍ଟ ଆମେ ପାଇଥିଲୁ–ସେଥିରେ ରୀତିମତ ଯୋଦ୍ଧା ଯୋଦ୍ଧା ଭାବ ଆସୁଥାଏ ମନରେ, ବେଶ୍‌ ଲାଗୁଥାଏ ପାର୍ଟ କରିବାକୁ ।

 

କେତୋଟି ସିନ୍‌ ପରେ ଆସିଲା ସେଇ ସିନ୍‌ ଯାହା ପାଇଁ ଅପେକ୍ଷା କରି ଆମ ହାତ ଖଜ୍‌-ବଜ୍‌ ହେଉଥିଲା । ବୃତ୍ରାସୁର ସ୍ୱର୍ଗର ସିଂହାସନ ଦାବି କଲେ । ଇନ୍ଦ୍ର ସିଧା ମନା କରିଦେଲେ ସ୍ୱର୍ଗର ସିଂହାସନ ସାମାନ୍ୟ ଗୋଟାଏ ରାକ୍ଷସ ହାତରେ ଛାଡ଼ି ଦିଆ ଯାଇପାରେନା । ଲାଗିଲା ଯୁଦ୍ଧ-! ପ୍ରଚଣ୍ତ ସୋ’ଡ୍‍ଫାଇଟିଂ ! ହଠାତ୍‌ ଫିଟିଗଲା ବୃତ୍ରାସୁରର ପିନ୍ଧା ଲୁଗା ! ରାକ୍ଷସ-ରାଜ ଅଦ୍ଭୁତ ଲଙ୍ଗଳା !

 

ବେଣୁ ଭାଇ ତ ରାଗରେ ହତଜ୍ଞାନ ! ପକାଅ ପକାଅ...ସିନ୍‌ ପକାଅ ! ବଡ଼ମା କିନ୍ତୁ ଗମ୍ଭୀର ହେଇ କହିଥିଲେ, ଏଥିରେ ରାଗିବାର କ’ଣ ଅଛି ? ପ୍ରାଣମୂର୍ଚ୍ଛା ଯୁଦ୍ଧ ଚାଲିଥିବାବେଳେ କ’ଣ ଲୁଗାପଟାର କିଛି ଠିକ୍‌ ଠିକଣା ଥାଏ ? ବେଶ୍ ହେଇଚି ଏ ସିନ୍‌ଟା...

 

ସ୍କୁଲ ଜୀବନରେ ଆମମାନଙ୍କ ଉପରେ ହାତ ପାକଳ କରିବା ପରେ ବେଣୁଭାଇ ତାଙ୍କ କଲେଜ ଜୀବନରେ ଡ୍ରାମା-ଥିଏଟରରେ ମାତି ବେଶ୍‌ ସ୍ୱନାମଧନ୍ୟ ହେଇ ପାରିଥିଲେ ।

 

ଏମ୍‌.ବି.ବି.ଏସ୍‌ ପାସ୍‍କରି ଘରେ ବସି ପ୍ରାକ୍ଟିସ୍‌ କରୁଛନ୍ତି । ଚାକିରି ମିଳିଥିଲା, କଲେନି ।

 

ରୋଗୀ ଅପେକ୍ଷା ଡ୍ରାମାବାଜ୍‌ମାନଙ୍କୁ ବେଶୀ ଦେଖିବାକୁ ମିଳୁଥିଲା ତାଙ୍କ ଚେମ୍ବରରେ । ଆଡ଼ଦୀର୍ଘ ଦଶକୋଶ ଭିତରେ ଯୋଉଠି ଯେତେ ଡ୍ରାମା ହବ, ତାଙ୍କୁ ଜଣେ ମୁଖ୍ୟପାତ୍ର ଭାବରେ ସେଠି ଦେଖିବାକୁ ମିଳିବ । ହୁଏତ ନାଟ୍ୟକାର ନାୟକ, ନତୁବା ନିର୍ଦ୍ଦେଶକ ଅଥବା ପ୍ରଧାନ ଅତିଥିଭାବରେ, କୌଣସି ପ୍ରକାରେ ସେ ନିଶ୍ଚୟ ସେଠି ଥିବେ ।

 

ଲୋଭୀ ବ୍ରାହ୍ମଣକୁ ଖୁଣ୍ଟରେ ବାନ୍ଧି ପକାଇଲେ ବି ସେ ବାସ୍ନାବାରି ପାଟି କରେ–ହେଇ ଲାଗିଲାରେ ବାବା ଦହି, ଲାଗିଲାରେ ରାବିଡ଼ି, ଲାଗିଲା ମାଲ୍‌ପୁଆ !

 

ଠିକ୍‌ ସେହିପରି ଡାକ୍ତରୀ ଖୁଣ୍ଟରେ ବନ୍ଧା ହୋଇ ବେଣୁଭାଇ ହାୟ ହାୟ ହୁଅନ୍ତି–ଟାଇଫୟେଡ଼, ଡିସପେପ୍‌ସିଆ, ହାଇଡ୍ରୋସିଲ, ବ୍ଲାକ-ଫିଭର, ଛୁରି, ଫରସେପ୍‌, ପେନ୍‌ସିଲିନ୍‌ ଆଉ ଷ୍ଟ୍ରେପ୍ଟୋ-ମାଇସିନର ଜଞ୍ଜାଳ ଭିତରେ ଗଡ଼ିଗଲା ମୋ କେରିଅରଟା ନଷ୍ଟ ହେଇ ! ମୁଁ କ’ଣ ଚାନ୍ସ ପାଇଥିଲେ ପ୍ରମଥେଶ ବଡ଼ୁଆ ବା ହିମାଂଶୁ ରାୟ ଭଳି ହେଇପାରି ନ ଥାନ୍ତି ? ଅମୁକଟା କାଲିକା ଛୁଆ, ଆକ୍ଟର ହେଇଗଲା ଭିଣୋଇ ଡାଇରେକ୍ଟର ବୋଲି; ସମୁକଟା ଗୋଟାଏ ଭୂତ, ଶଶୁର ଘର ପଇସା ନେଇ ଓଭର-ନାଇଟ୍‌ ଡାଇରେକ୍ଟର ହେଇଗଲା । ଆଉ ମୁଁ ଏଡ଼େ ବଡ଼ ପ୍ରତିଭାର ଅଧିକାରୀ ହେଇ ଏଠି ପଡ଼ି ରହିଚି ! (କହିବା ବାହୁଲ୍ୟ, ନିଜ ବିଷୟରେ ଖୁବ୍‌ ଉଚ୍ଚ ଧାରଣା ଥିଲା ତାଙ୍କର !) କଦର୍ଯ୍ୟ ଏମ୍‍.ବି.ବି.ଏସ୍‍. ପାଠଟା ନ ପଢ଼ି ଆଇ.ଏସ.ସି ପରେ ମୁଁ ଯଦି ବମ୍ବେ ଯାଇ ଶାନ୍ତାରାମ ଷ୍ଟୁଡ଼ିଓରେ ମୋଟେ ପାଞ୍ଚୋଟି ବର୍ଷ ଆପ୍ରେଣ୍ଟିସ୍‌ ରହି ଥାଆନ୍ତି....ତେବେ ଆଜି...କ’ଣ ନାହିଁ କ’ଣ ହେଇ ସାରନ୍ତିଣି !

 

ମେଡ଼ିକାଲ ଜର୍ଣ୍ଣାଲଠାରୁ ପ୍ରିୟ ଥିଲା ତାଙ୍କର ଦେଶୀ-ବିଦେଶୀ ଫିଲ୍ମ ମାଗାଜିନ ।

 

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ୟା’ ସତ୍ତ୍ୱେ ବି ସେ ଜଣେ ଭଲ ଚିକିତ୍ସକ ଥିଲେ । ତାଙ୍କ ହାତରେ ସୁନାମ ଥିଲା । ଅବଶ୍ୟ ‘ଫିସ୍‌’ ବା ‘ଭିଜିଟ୍‌’ ବିଷୟରେ ଖୁବ୍‌ ମନୋଯୋଗୀ ନ ଥିଲେ ସେ-

 

ମାତ୍ର ଯେଉଁ ଭଦ୍ରମହିଳାଙ୍କୁ ବେଣୁଭାଇ ଦୁର୍ଭାଗ୍ୟବଶତଃ ବିବାହ କରିଥିଲେ–ଜଣେ ଡେପୁଟି ମାଜିଷ୍ଟ୍ରେଟଙ୍କ ମଧ୍ୟମା କନ୍ୟା ସେ । ମାଜିଷ୍ଟ୍ରେଟ ମିଜାଜ ତାଙ୍କର । ସେଇ ମିଜାଜ ନେଇ ସେ ବେଣୁଭାଇଙ୍କ ସମସ୍ତ କାର୍ଯ୍ୟକଳାପକୁ ବିଚାର କରିବାକୁ ଚେଷ୍ଟା କରୁଥିଲେ । ନିମ୍ନ ସ୍ତରର ଲୋକଙ୍କ ସାଙ୍ଗରେ ସମ୍ପର୍କ ରଖିବା ଥିଲା ତାଙ୍କ ନୀତି-ବିରୁଦ୍ଧ ! ଆଭିଜାତ୍ୟ ଉପରେ ଗୁରୁତ୍ୱ ଦେଉଥିଲେ । ବଡ଼ ବଡ଼ ପରିବାର ସାଙ୍ଗରେ ତାଙ୍କ ଘରର ଆତ୍ମୀୟତା ଅଛି ଏବଂ ପିଲାଦିନେ ଜେନାପୁରରେ ପଢ଼ିବାବେଳେ ବଳରାମପୁର, ଆମ୍ବୋ, ଚଉଷଠି ପଡ଼ା ଓ କଳକଳା ପ୍ରଭୃତି ବଡ଼ ବଡ଼ ସାମ୍ରାଜ୍ୟର ରାଜକନ୍ୟାମାନେ ତାଙ୍କର ସହପାଠିନୀ ଓ ଅନ୍ତରଙ୍ଗ ବାନ୍ଧବୀ ବୋଲି ସେ ଦାବି କରୁଥିଲେ !

 

ବେଣୁଭାଇ ଥିଲେ କଳା ପଛରେ ପାଗଳ । ଭାବୁଥିଲେ ଜୀବନର ଚରମ ଉନ୍ନତିର ସୋପାନ କଳା ଚର୍ଚ୍ଚା ।

 

କିନ୍ତୁ ଭାଉଜ ତାଙ୍କୁ ଉପଦେଶ ଦେଉଥିଲେ ‘କଳା’ ଛାଡ଼ି ‘ଧଳା’ ଆଡ଼କୁ ମନଦେବା ପାଇଁ । ତାଙ୍କ ମତରେ ‘ଡ୍ରାମା’ ‘ଥିଏଟର’ ଛତରାଙ୍କ ବ୍ୟବସାୟ ! ସେଥିରେ ମାତି କେହି କେବେ ଜୀବନରେ ଉନ୍ନତି କରି ପାରେନା । କୌଣସି ସମ୍ଭ୍ରାନ୍ତ ବ୍ୟକ୍ତି ସେଥିରେ ଅଂଶଗ୍ରହଣ କରିବା ଆଦୌ ଉଚିତ ନୁହେଁ ।

 

କହିବା ବାହୁଲ୍ୟ, ଏ ସବୁ ମୂଲ୍ୟବାନ ଉପଦେଶକୁ ବେଣୁଭାଇ ଏ କାନରେ ପୂରାଇ ସେ କାନରେ ବାହାର କରି ଦେଉଥିଲେ ।

 

ଆମ କ୍ଲାସରେ ହରିଶ୍‌, ମୁଁ ଓ ନିର୍ମଳ ...ତିନିଜଣଙ୍କୁ ନେଇ ‘‘ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‌ ।’’

 

ନିର୍ମଳ ମୋର ସମ ବୟସ୍କ; ମଫସଲର ଜମିଦାର ଘର ପିଲା । ରହେ ହଷ୍ଟେଲରେ ।

 

ହରିଶ୍‌ର ଘର ଆମ ଘରଠୁଁ ଡାକେ ବାଟ । ବାପା, ମିଲିଟେରୀ ଡକ୍ଟର । ଥାଆନ୍ତି ପୁନାରେ । ତା’ ବଡ଼ଭାଇ ଯାଦବପୁରରେ ଇଞ୍ଜିନିୟରିଂ ପଢ଼ନ୍ତି । ଘରେ କେବଳ ତିନିଜଣ ମେମ୍ବର–ସେ, ତା’ର ମାଆ ଓ ବାରବର୍ଷର ସାନ ଭଉଣୀ ଶାନ୍ତି । ଆମରି ସ୍କୁଲରେ କ୍ଲାସ ଏଇଟରେ ପଢ଼େ ସେ ।

 

ହରିଶ୍‌ ଥିଲା ମୋ’ଠାରୁ ବୟସରେ ବଡ଼ ଓ ତା’ ବୟସ ତୁଳନାରେ ଅଧିକ ବିଚାର-ବୁଦ୍ଧି ସମ୍ପନ୍ନ ଆଉ ଦାୟିତ୍ୱବାନ । ବନ୍ଧୁ ହେଲେ ବି ଅନେକଟା ସେ ମୋର ଉପଦେଷ୍ଟା ପରି ଥିଲା । ପଢ଼ାଶୁଣାରେ ମନ୍ଦ ନ ଥିଲା ହରିଶ୍‌ ।

 

ନିର୍ମଳ ପିଲାଟା ଥିଲା ସଚ୍ଚୋଟ, ସ୍ପଷ୍ଟବାଦୀ ଓ ଭାବପ୍ରବଣ ।

 

ହରିଶ୍‌ର ପରିବାର ସାଙ୍ଗରେ ଆମ ପରିବାର ବେଶ୍‌ ବନ୍ଧୁତା ଥିଲା । ଯିବା ଆସିବା ଥିଲା । ବାପାଙ୍କର ତା’ ପ୍ରତି ଖୁବ୍‌ ଭଲ ଧାରଣା ଥିବାରୁ ମୁଁ ହରିଶ୍‌ ସାଙ୍ଗରେ କୁଆଡ଼େ ବୁଲିଗଲେ, ସେ କିଛି କହୁ ନଥିଲେ । କେବଳ ବାପା ନୁହେଁ, ଆମ ଘରର ସମସ୍ତଙ୍କ ଉପରେ ତା’ର ଗୋଟାଏ ପ୍ରଭାବ ଥିଲା ।

 

ନିର୍ମଳ ବି ଆମ ଘରକୁ ଆସେ । ସମସ୍ତେ ଭଲ ପାଆନ୍ତି ତାକୁ ।

 

ସକାଳ ଓଳି ଟିଉଟର ପାଖରେ ପଢ଼େଁ । ସନ୍ଧ୍ୟାବେଳେ ମୁଁ ସେ ଓ ଶାନ୍ତି....ଦୋତାଲା ଛାତ ଉପର ଏକୁଟିଆ ରୁମରେ ଲଣ୍ଠନ ଜାଳି ପଢ଼ି ବସୁଁ ।

 

କେବେ କେବେ ନର୍ମଳ ବି ସେତିକିବେଳେ ସେଠି ପହଞ୍ଚି ଯାଏ ଆଡ୍‍ଡା ଦେବା ପାଇଁ । କୌଣସି ନା କୌଣସି ବାହାନା ଦେଖାଇ ଏଥିପାଇଁ ସେ ଅନୁମତି ନେଇ ଆସିଥାଏ ହଷ୍ଟେଲ ସୁପରିଣ୍ଟେଣ୍ତଣ୍ଟଙ୍କର ।

 

ସେ ଆସି ପହଞ୍ଚିଗଲେ ଆମ ପାଠପଢ଼ାରେ ବାରଟା ବାଜିଯାଏ । ଚାଲେ ଖାଲି ଏଣୁତେଣୁ ବାଜେ ଧରଣର ମଜାଦାର ଗପ ।

 

ସେଇଥି ପାଇଁ ନିର୍ମଳ ଆସିଗଲେ ଆମେ ଶାନ୍ତିକୁ ତଡ଼ି ଦେଉଁ । କହୁଁ, ତୁ ଯା’ ତଳ ଘରେ ବସି ପଢ଼ିବୁ । ସେ ବିଚାରୀ ମୁହଁ ଶୁଖାଇ ଉଠି ଚାଲିଯାଏ । ତା’ ହାବଭାବରୁ ସ୍ପଷ୍ଟ ଜଣାପଡ଼େ–ଯଦିଓ କ୍ଲାସ ଏଇଟର ଫ୍ରକ୍‌ ପିନ୍ଧା ଝିଅ ସେ–ତଥାପି ଆମମାନଙ୍କ ସାଙ୍ଗରେ ମିଶି ଯିବାକୁ ଆଉ ଆମମାନଙ୍କ ଗପରେ ଯୋଗ ଦେବାକୁ ତା’ର ଭାରୀ ଇଚ୍ଛା ଓ ଆଗ୍ରହ !

 

ସେହି ମୌଳିକ ଅଧିକାରରୁ ତାକୁ ବଞ୍ଚିତ କରାଯାଉ ଥିବାରୁ ଆମାନଙ୍କ ପ୍ରତି ବେଶ୍‌ ଟିକିଏ ଅଭିମାନ ଥିଲା ତା’ ମନରେ ।

 

ଆମ ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‌ର ବିଶେଷତ୍ୱ ଥିଲା ତିନୋଟି ।

 

୧ । ଆମେ ତିନିହେଁ ଛାତ୍ର ହିସାବରେ ଖୁବ୍‌ ଭଲ ନ ଥିଲେ ବି କେବେ ଫେଲ୍‌ ହେଇନୁ-

 

୨ । ପରୀକ୍ଷାରେ ଆଖିବୁଜା କପି କରୁଥିଲେ ବି, ଗାର୍ଡ଼ମାନଙ୍କ ହାତରେ କେବେହେଲେ ଧରା ପଡ଼ିନୁ ।

 

୩ । କ୍ଲାସର ଝିଅ ପିଲାମାନଙ୍କ ସାଙ୍ଗରେ ଆମର ଆଦୌ ପଡ଼ୁ ନ ଥିଲା ।

 

ସେଦିନ ଭାରି ଗରମ ପଡ଼ିଥାଏ । ଖୋଲା ଛାତ ଉପରେ ଲଣ୍ଠନ ଜାଳି ପଢ଼ିବାକୁ ବସିଥାଉଁ ତିନିହେଁ ।

 

ଅଳ୍ପ ଅଳ୍ପ ପବନ ବହୁଥାଏ । ଛାତକୁ ଛୁଇଁ ଯୋଉ ନଡ଼ିଆ ଗଛ ସବୁ ଠିଆ ହେଇଚି, ସେଗୁଡ଼ିକର ପତରମାଳ ଚିକ୍‌ଚିକ୍‌ କରୁଥାଏ ଜହ୍ନ ଆଲୁଅରେ । ଶାନ୍ତି ନିବିଷ୍ଟ ମନରେ ଇତିହାସ ବହି ଉପରେ ଝୁଙ୍କି ପଡ଼ି ମହାରାଣୀ ଭିକ୍ଟୋରିଆ, ସୁଲତାନା ରେଜିୟାଙ୍କ (ଛବିରେ) ନିଶ ତିଆରି କରବାରେ ଓ ମିରାଜାଫର୍‌, ଆଓରଙ୍ଗଜେବ ଇତ୍ୟାଦି ମହାମାନବ (?) ମାନଙ୍କ ଛବି ଗାଲରେ ଫାଉଣ୍ଟେନ ପେନରେ ଖୁବ୍‌ କଷି କରି ଖୁଞ୍ଚାଏ ଲେଖା ମାରିବାରେ ବ୍ୟସ୍ତ, ମୁଁ ଓ ହରିଶ୍‍ ‘ଗଜ ଗଜୌ ଗଜା’ ମୁଖସ୍ଥ କରିବାରେ ଗଳଦ୍‌ଘର୍ମ, ଏତିକିବେଳେ ନିର୍ମଳ ଆସି ଖୁବ୍‌ ଗମ୍ଭୀର ହେଇ ବସିପଡ଼ିଲା ଆମ ପାଖରେ । କହିଲା, ଖୁବ୍‌ ଜରୁରୀ କଥା ଅଛି ଆଜି । ତମମାନଙ୍କ ସାଙ୍ଗରେ ପରାମର୍ଶ କରିବା ପାଇଁ ଆସିଚି ମୁଁ ।

 

‘ଜରୁରୀ କଥା’ ଶୁଣି ଶାନ୍ତି ମୁହଁ ଲମ୍ବେଇ, ଆଖି ମେଲେଇ, କାନ ପତେଇ କଥାଟାକୁ ଏକାବେଳକେ ଗିଳି ପକେଇବା ଭଳି ପୋଜ୍‌ ନେଇ ବସିବାକୁ ଯାଉଛି, ହରିଶ୍‍ କହିଲା, ତୁ ଗଲୁ ଶାନ୍ତି, ତଳକୁ ।

 

ବିଚାରୀ ମୁହଁ ଫଣଫଣ କରି ତା’ର ସବୁ ବହିପତ୍ରତକ ଗୋଟେଇ ନେଇ ଉଠି ଚାଲିଗଲା ।

 

ଅର୍ଥାତ୍‌–ଆଜି ଆଉ ପଢ଼ିବିନି !

 

ଅଭିମାନ !

 

କଥାଟା ସଂକ୍ଷେପରେ ଏଇ–

 

ଆମ ସହରରେ ଅଛି ଗୋଟିଏ ଘୃଣିତ, ନିଷିଦ୍ଧ, ବ୍ଲାଇଣ୍ତ ଲେ’ନ୍‌ ଯୋଉଠି ଅନେକଦିନୁ ବସା ବାନ୍ଧିଛନ୍ତି ନାଗରିକ ସ୍ୱାସ୍ଥ୍ୟ ପକ୍ଷରେ ପ୍ଲେଗ୍‌ଭଳି ବିପଦଜନକ କେତୋଟି ଲାଇସେନ୍‌ସ-ଧାରିଣୀ ‘ନୁହଁ ମାତା, ନୁହଁ ବଧୂ, ନୁହଁ କନ୍ୟା !’

 

ସେଇ ଲେନ୍‌ ଭିତରେ ଯୋଉ ଗୋଟିଏ ଦି’ଟି ମଧ୍ୟବିତ୍ତ ଭଦ୍ର ପରିବାର ଅଛନ୍ତି, ସେମାନେ ପୁରୁଣା ବାସିନ୍ଦା । ଆଗରୁ ଥିଲେ–ଏବେ ବି ରହିଛନ୍ତି । ଉପାୟ ନାହିଁ !

 

ବ୍ଲାଇଣ୍ତ ଲେନ୍‌ର ବ୍ୟତିକ୍ରମ ସେଇ କେତୋଟି ପରିବାର ଭିତରୁ ଆମ କ୍ଲାସ୍‌କୁ ଆସେ ପଢ଼ିବା ପାଇଁ ବିନୋଦ ବୋଲି ପିଲାଟିଏ ।

 

ବଡ଼ ମେଧାବୀ ଛାତ୍ର । କ୍ଲାସରେ ପୋଜିସନ ରଖେ ସେ ।

 

ଆଜି ସନ୍ଧ୍ୟାବେଳେ ତା’ ପାଖକୁ ନୋଟ୍‌ଖାତା ଆଣିବା ପାଇଁ ଯାଇଥିଲା ନିର୍ମଳ । ସେଠାକୁ ଯିବାଟା ଏଇ ତା’ର ପ୍ରଥମ ।

 

ବିନୋଦର ବାପା ମାଆ ସେତେବେଳେ ଘରେ ନ ଥିଲେ । ସେ ଦାଣ୍ତ ଘରେ ଏକୁଟିଆ ବସି ପଢ଼ୁଥିଲା । ନିର୍ମଳ ଯାଇ ପହଞ୍ଚିବାରୁ ଦୁହିଁଙ୍କର ପଢ଼ାଶୁଣା ନେଇ, ଆଗାମୀ ପରୀକ୍ଷା ନେଇ କଥାବାର୍ତ୍ତା ଚାଲିଲା । ଖୋଲା ଝରକା ବାଟେ ଦିଶୁଥାଏ, ରାସ୍ତା ଆରପାଖେ ଦୋମହଲା ପକ୍‌କାଟି-। କିଛି ସମୟ ପରେ ସେଇ ଆଡ଼ୁ ଶୁଭିଲା ଗୋଟିଏ କ୍ରନ୍ଦନ ଧ୍ୱନି । ମୃଦୁ ଅଥଚ ବଡ଼ କରୁଣ ସେ ସ୍ୱର । ନିଶ୍ଚୟ କୌଣସି ବାଳିକାର । ତେରଛା ଭାବରେ ସେଇପଟୁ ପଡ଼ୁଚି ଜହ୍ନ ଆଲୁଅଟା-। ସ୍ପଷ୍ଟ କିଛି ଦିଶୁ ନଥାଏ । ତଳ ଓ ଉପର ମହଲାର ଝରକା ଓ କବାଟ ସବୁ ବନ୍ଦ ଅଛି; ମନେ ହେଉଛି-। ବାହାରେ ବି ସେଠି ଷ୍ଟ୍ରିଟ୍‌ଲ୍ୟାମ୍ପ ନାହିଁ ରାସ୍ତା କଡ଼ରେ । କୋଠାଘରର ଛାଇରେ ସବୁ କିଛି ଅନ୍ଧାରିଆ । ଠିକ୍‌ କିଛି ବୁଝି ହେଉନି.....

 

ତେବେ ବି ଝରକା ଆଉ କବାଟ ସନ୍ଧିରୁ ଦିଶି ଯାଉଛି–ଆଲୁଅର ସାମାନ୍ୟ ଟିକିଏ ଆଭାସ ! ଭିତରେ ମହମବତୀ କିମ୍ବା ଲଣ୍ଠନ...ନିଶ୍ଚୟ କିଛି ଜଳୁଚି ।

 

କିଛି ସମୟ ପରେ କାନ୍ଦଣା ସାଙ୍ଗକୁ ଶୁଣାଗଲା ରୁକ୍ଷ ନାରୀ କଣ୍ଠର ଅଶ୍ରାବ୍ୟ ଗାଳି । ବିରକ୍ତ ହେଇ ଝରକା ବନ୍ଦ କରି ଦେବାକୁ ଗଲା ବିନୋଦ । କାନ୍ଦଟା ସେତେବେଳକୁ ଆହୁରି ବେଶୀ କରୁଣ ହେଇ ଉଠିଚି ।

 

ନିର୍ମଳ ବିନୋଦର ହାତ ଧରି ପକେଇଲା । ରହ, ସେ ଘରେ କିଏ ଯିମିତି କାନ୍ଦୁଚି....

 

ବିନୋଦ ଧଡ଼ କରି ଝରକାଟା ବନ୍ଦ କରି ଦେଲା । ଜିଭ କାମୁଡ଼ି ପକାଇ ଆଖିର ଇଙ୍ଗିତରେ ବାରଣ କଲା କଥା କହିବାକୁ । ଏତେ ବଡ଼ ପାଟିରେ ସେକଥା ପଚାରିବା ବି ମନା !

 

ମାନେ ?

 

ବିପଦ ଅଛି ।

 

ବିପଦକୁ ମୁଁ ଭୟ କରେନା । ମୁଁ ଜାଣିବାକୁ ଚାହେଁ ଘଟଣାଟା କ’ଣ ?

 

ଆରେ ଭାଇ, ତୁ ସିନା ଭୟ କରୁନା । ହେଲେ, ଆମେ ଭାଇ ଚିଙ୍ଗୁଡ଼ି ମାଛ; ପାଣି ଭିତରେ ରହିଛୁ ଯେତେବେଳେ....ରୋହି ଭାକୁଡ଼ଠାରୁ ଆରମ୍ଭ କରି କୁମ୍ଭୀର ମଗର ପର୍ଯ୍ୟନ୍ତ ସମସ୍ତଙ୍କ ସାଙ୍ଗରେ ‘ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ନୀତି’ରେ ବନ୍ଧୁତା ରଖି ଚଳିବାକୁ ପଡ଼େ । ସେଇ ‘ବନ୍ଧୁତା’କୁ ଯଦି ‘ପାପରେ ଭାଗୀ ହେବା’ କହିବୁ, ତେବେ ମୁଁ କହିବି ସେଟା ନିତାନ୍ତ ସ୍ୱାଭାବିକ ! ପାଣି ଭିତରେ ତ ରହିଛୁ; ପାଣି ଗୋଳିଆ କରୁଛନ୍ତି କୁମ୍ଭୀର ମଗର; ସେଇ ପାଣି ଆମ ତୁଣ୍ତରେ ବି ନିଶ୍ଚୟ ଟିକିଏ ପଶିଯିବ; ଏଥିରେ ଆମର ବା ଦୋଷ କ’ଣ ? ଏ ପଡ଼ାରେ ରହି, ଏମାନଙ୍କ ସାଙ୍ଗରେ କଳି କରିବା, ତୁ ଯାହା ଭାବ ଭାଇ, କୌଣସି ବୁଦ୍ଧିମାନ ସଂସାରୀ ଲୋକର କାମ ନୁହେଁ । ଫିସ୍ ଫିସ୍‌ ଗଳାରେ ଏତିକି କହି ଝରକାର ହୁକ୍‌ଟା ଭଲ କରି ବନ୍ଦ କରି ଦେଲା ବିନୋଦ । ଏଠାକାର ନିତ୍ୟ-ନୈମିତ୍ତିକ ଘଟଣା ଏ । ଶୁଣି ଶୁଣି ଦେଖି ଦେଖି ମୁଁ ତ ଫେଡ୍‍-ଅପ୍‌ ହେଇଗଲିଣି । ତୋତେ ସିନା ନୂଆ !

 

କାହାର ଘର ସେଇଟା ?

 

ସହରର ପ୍ରସିଦ୍ଧ ବେଶ୍ୟା ସାବିତ୍ରୀ ବାଈର ଘର । ଆଉ ଟିକିଏ ରାତି ହେଲେ ନରକ ଗୁଲଜାର୍‌ ହେଇ ଉଠିବ ! ଦେଖିବୁ, କେତେ ଲୋକଙ୍କର ଭିଡ଼ ତା’ ଦୁଆର ମୁହଁରେ ।

 

ସାବିତ୍ରୀ ବାଈ ! ସେ ଖୁବ୍‌ ଭଲ ଗାଇପାରେ ବୋଲି ଶୁଣିଥିଲି....

 

ହଁ ହଁ ସେଇ । ବର୍ତ୍ତମାନ ସେ ଚାହେଁ ତା’ର ଏକମାତ୍ର ଯୁବତୀ ଝିଅ ତୁଳସୀକୁ ବ୍ୟବସାୟରେ ଲଗେଇ ଦେବାପାଇଁ ।

 

ବେଶ୍ୟାରେ ପରିଣତ କରେଇବାକୁ ?

 

ହଁ । କିନ୍ତୁ ଆଜିଯାଏ ତା’ ହେଇ ପାରିନି । କାରଣ ତୁଳସୀ ଏ ପ୍ରସ୍ତାବରେ ରାଜି ନୁହେଁ । ସେ ଚାହେଁ ନାଇଁ ତା’ ମାଆ ପରି ଗୋଟାଏ ସର୍ବସାଧାରଣ ସମ୍ପତ୍ତି ହେବା ପାଇଁ । ସେ ଅଳ୍ପ କିଛି ପାଠ ପଢ଼ିଚି । ଗଣଭୋଗ୍ୟା ଗଣିକା ହେଇ ଜୌଲୁସ୍‌ ଭିତରେ ରହିବା ଅପେକ୍ଷା ସେ ଚାହେଁ ଯେକୌଣସି ‘ଜଣ’କର ହେଇ ରହିବା ପାଇଁ । ଫଳରେ ପରିସ୍ଥିତି ହେଇଚି ଜଟିଳ ! ଅପୂର୍ବ ସୁନ୍ଦରୀ ତୁଳସୀର ମାଂସ ଲୋଭରେ ଛଟପଟ ହେଇ ଏଇ ସହରର କେତେ ଶିବା-ଶ୍ୱାନ ଯେ ରାତିରେ ଟିକିଏ ଆରାମରେ ଶୋଇପାରୁ ନାହାନ୍ତି, ସେକଥା ତୁ ବୁଝିବୁ କୁଆଡ଼ୁ ? ଯୋଉ ପ୍ରଲୋଭନ ସେମାନେ ଦେଖାଉଛନ୍ତି, ସେଥିରେ ସାବିତ୍ରୀ ବାଈର ମଥା ଖରାପ ! ତା’ଛଡ଼ା ....ସେମାନେ ତ ସହଜେ ପୁରୁଷାନୁକ୍ରମିକ ବେଶ୍ୟା । ସେମାନଙ୍କ ବ୍ୟବସାୟଇତ ସେଇଆ ।

 

ତା’ ବୋଲି ଝିଅ ଉପରେ ଏଇ ରକମ ଜବରଦସ୍ତି....

 

ଆରେ, ଶୁଣାଯାଏ.....ସାବିତ୍ରୀ ବାଈ ବି ତା’ ପିଲାଦିନେ ଏଇ ଭଳିଆ କନ୍ଦାକଟା କରିଥିଲା, ବେଶ୍ୟା ହେଇ ନିଜର ନାମକୁ ଉପହାସ କରିବନି, ସତୀ ସାବିତ୍ରୀ ହେଇ ରହିବ; ଶେଷପର୍ଯ୍ୟନ୍ତ ପାରିଲାନି । ଆଉ ତୁ ଭାବୁଛୁ, ଏଇ ‘ପୂଜା-ତୁଳସୀ’ କୋଉ ଦେବ ପୁରୁଷଙ୍କ ଔରସରୁ ଜନ୍ମ ହେଇ ପଡ଼ିଛନ୍ତି, ଶେଷପର୍ଯ୍ୟନ୍ତ ପାରିବେ ନିଜର ଜିଦ୍‌ ବଜାୟ ରଖି ? ଆରେ, କେତେ ଦେଖିଲିଣି । ହୁଁ.....

 

ତୁଳସୀ ପଳାଇ ଯାଇପାରନ୍ତା ତ !

 

କିମିତି ପଳେଇବ ? ମାଆ ଏଇନେ ଝିଅର ମତିଗତି ଦେଖି ଉପର ତାଲାର ରୁମରେ ଚାବି ପକେଇ ଦେଇଛନ୍ତି । ତା’ଛଡ଼ା, ଜଗିବା ପାଇଁ ଲୋକ ବି ଅଛନ୍ତି । ଚିଡ଼ିଆ ଉଡ଼ି ପଳେଇବାର ସବୁ ବାଟଇ ବନ୍ଦ ! ପ୍ରତିଦିନ ଚାଲିଛି ସାଧ୍ୟ ସଧନା । ବିଭିନ୍ନ ପ୍ରକ୍ରିୟା ପ୍ରୟୋଗ କରା ହେଉଛି । ଭୟ ଆଉ ପ୍ରଲୋଭନ ସବୁ କିଛି....

କିନ୍ତୁ ଏ ତ ରୀତିମତ ଅତ୍ୟାଚାର । ତୁ ଏ ସବୁ ଆଖି ଆଗରେ ଦେଖି, କିମିତି ଯେ ହସି ହସି କଥା କହୁଚୁ...କିମିତି ଯେ ଜିନିଷଟାକୁ ଏତେ ‘ଲାଇଟ୍‌’ ଭାବେ ନେଉଛୁ.....

ହସିବି ନାହିଁ କ’ଣ କାନ୍ଦିବି ? ‘ଲାଇଟ୍‌’ ଭାବେ ନେବିନି ତ ଆଉ କ’ଣ ସାବିତ୍ରୀ ବାଈ ସାଙ୍ଗରେ ଯାଇ ‘ଫାଇଟ୍‌’ କରିବି ? କିଛି ଲାଭ ଅଛି ସେଥିରେ ?

ବିନୋଦ, ତୁ ଭାରି ହୃଦୟହୀନ ! ଲାଭ ଲୋକ୍‌ସାନଟାଇ ତୋ ପକ୍ଷରେ ଯଦି ବଡ଼ କଥା, ତେବ ପୋଡ଼ିପକା ଏସବୁ ପଢ଼ା ବହି । ଯା, ଦୋକାନରେ ବସି ବ୍ୟବସାୟ କରିବୁ । ପଢ଼ାଶୁଣା କରି ଏଇ ମନୋବୃତ୍ତି ତୋର ? ତୁ କ’ଣ ମନେକରୁ ସବିତ୍ରୀ ବାଈ ତା’ ଝିଅ ଉପରେ ଯାହା କିଛି କରି ଯାଉଚି, ସେ ସବୁ ‘ଅତ୍ୟାଚାର’ ନୁହେଁ ?

ନିଶ୍ଚୟ ଅତ୍ୟାଚାର ! କିନ୍ତୁ ଯୋଉ ସମସ୍ୟା ସମାଧାନ କରିପାରିବାର ଶକ୍ତି ମୋର ନାହିଁ, ସେ ବିଷୟ ନେଇ ଅକାରଣେ ମଥା ଘୂରେଇବି କାହିଁକି ? ନିଜ ଗୋଡ଼ରେ ଠିଆ ହେଇ ପାରିବାର ଶକ୍ତି ନାହିଁ, ଅନ୍ୟକୁ ସାହାଯ୍ୟ କରିବାକୁ ଯିବି ? ନିଜେ ପହଁରି ଜାଣେନା, ବୁଡ଼ିଲା ଲୋକକୁ ଉଦ୍ଧାର କରିବା ପାଇଁ ପାଣିରେ ପଶିବି ? ହୁଁ ! ତୁ ଯାହା ଭାବ ଭାଇ, ମୁଁ କିନ୍ତୁ ଖୁବ୍‌ ସ୍ୱାର୍ଥପର । ଗରିବ କିରାନୀ ବାପାର ଏକମାତ୍ର ସାହା-ଭରସା ମୁଁ । ମନଦେଇ ପାଠ ପଢ଼ିଲେ ଖଣ୍ତେ ଭଲ ଚାକିରି ପାଇବି, ନଚେତ୍‌ ବାରଣ୍ତା ଦି’କଡ଼ା । ତୁ ସିନା ଜମିଦାର ଘର ପିଲା ! ଅନ୍ନ ଚିନ୍ତା ତୋର ତ ନାହିଁ । ଅୟସରେ ଅଛୁ, ଏ ସବୁ ବିଷୟନେଇ ମୁଣ୍ତ ଘୂରେଇବାକୁ ସମୟ ଅଛି ତୋର ! ତୁ ମୋତେ ଯେତେ ଶୋଧ୍‌, ଯେତେ ଗାଳି ଦେ, ମୁଁ କିନ୍ତୁ ପରିଷ୍କାର କହି ଦଉଚି, ଏ ସବୁ ବାଜେ କଥାରେ ଆଗ୍ରହ ନାହିଁ ମୋର । ମୁଁ ଖାଲି ଏତିକି ଜାଣେ ପରୀକ୍ଷା ରହିଲା ଆଉ ମାତ୍ର ସାତୋଟି ମାସ; ଏଥର ଫାଷ୍ଟ ହେଇ ନ ପାରିଲେ ବାପା ମୋତେ ପ୍ରାଣରେ ମାରି ଦେବେ । ବେଶ୍‌ ସେତିକି । ତେଣୁ ଏ ସବୁ ଆଲୋଚନାରେ ସମୟ ନଷ୍ଟ ନ କରି ପଢ଼ାପଢ଼ିରେ ଲାଗିବାଟାଇ ମୋ ପକ୍ଷରେ ସବୁଠାରୁ ନିରାପଦ !

କେବଳ ସେତିକି ନୁହେଁ, ବିନୋଦ ତାକୁ ୟା’ ବି ଚେତାବନୀ ଦେଇଚି, କିଛି ଗୋଟାଏ ‘ଦୁଃସାହସିକ’ କରି ପକାଇବାକୁ ନିର୍ମଳ ଯଦି ମନେମନେ ପ୍ଲାନ୍‌ ଆଣ୍ଟୁଥାଏ, ତେବେ ସେଇଟା ଅଧିକ ବିପଦଜନକ ହେବ (ନିର୍ମଳ ପକ୍ଷରେ) ! କାରଣ ସେ ଭଲଭାବେ ଜାଣେ ଯେ ପ୍ରତ୍ୟେକ ବେଶ୍ୟା ହାତରେ ସବୁବେଳେ କିଛି ଗୁଣ୍ତା ମହଜୁତ୍‌ ଥାଆନ୍ତି । ତେଣୁ ଫଳାଫଳ ଯାହା ହେବ, ଇତ୍ୟାଦି ଇତ୍ୟାଦି...

ଅତଏବ, ବର୍ତ୍ତମାନ ତୁଳସୀକୁ ଉଦ୍ଧାର କରିବାର ଉପାୟ କ’ଣ ? ଏଇ ହେଲା ନିର୍ମଳର ସମସ୍ୟା ।

ହିଟ୍‌ଲର ଡାନ୍‌ଜିଗ୍‌ ଆକ୍ରମଣ କଲାବେଳେ ଚର୍ଚ୍ଚିଲ ସାହେବ ଯେପରି ‘ଦୁର୍ବଳ ଉପରେ ସବଳର ଅତ୍ୟାଚାର’ ଦେଖି ଉତ୍ତ୍ୟକ୍ତ ହେଇ ଉଠିଥିଲେ, ମୁଁ ବି ସେ ଦିନ ସେହିପରି ହଠାତ୍‌ ଉତ୍ତେଜିତ ହେଇ ଉଠିଥିଲି । ପରୋପକାର କରିବାର ସ୍ପୃହା ପ୍ରବଳ ହେଇ ଉଠିଲା ମୋ ମନ ଭିତରେ । ଠୋ କରି ସଂସ୍କୃତ ବହିଟାକୁ ତଳେ ପିଟିଦେଲି ! କି ଅତ୍ୟାଚାର ! ଚାଲ, କାଲି ସବୁ ସ୍କୁଲ ପିଲାଙ୍କୁ ଏକାଠି କରି ସେ ବଦମାସ୍‌ ସାବିତ୍ରୀ ବାଈର ଘର ଅଟକ୍‌ କରିବା । କବାଟ ଝରକା ଭାଙ୍ଗି, ଜୋର ଜବରଦସ୍ତି ମୁକୁଳେଇ ଆଣିବା ତୁଳସୀକୁ । ଦେଖିବା କେତେ ଗୁଣ୍ଡା ଅଛନ୍ତି ତା’ର ।

 

ଅବଳା ଉପରେ ଅତ୍ୟାଚାର ଦେଖି କୋଉ ପୁରୁଷର ରକ୍ତ ଗରମ ହେଇ ନ ଉଠିବ ? ବିଶେଷତଃ ମୁଁ କ୍ଷତ୍ରୀୟ ସନ୍ତାନ !

 

ପୃଥିବୀ ମହାସମର ସମୟରେ, ଯୋଉ ଦିନ ବ୍ରିଟେନ୍‌ ସାଙ୍ଗରେ ଯୋଗ ଦେଇ ଆମେରିକା, ଜର୍ମାନୀ ବିପକ୍ଷରେ ଯୁଦ୍ଧ ଘୋଷଣା କଲା, ସେ ଦିନ ସାରା ଇଂଲଣ୍ତ ଯେପରି ଆନନ୍ଦରେ ନାଚି ଉଠିଥିଲା, ଠିକ୍‌ ସେଇପରି ଉତ୍‌ଫୁଲ୍ଲ ହେଇ ଉଠଲା ନିର୍ମଳ ମୋର ସାହସ ପାଇ-। ଠିକ୍‌ କହିଛୁ ବିଜୟ । କାଲି ସ୍କୁଲରେ ସମସ୍ତଙ୍କୁ କହିବା ।

 

କହିଲି, ମତେଇବା ସମସ୍ତଙ୍କୁ ! ହେଇଯାଉ କାଲି ଗୋଟେ ଦଙ୍କାହାଙ୍ଗାମା !

 

The idea is not atall practicable ! ଲଢ଼େଇ ଲାଗିଥିବା ଦୁଇଟି ଭୁଆଁ ବିରାଡ଼ି ଉପରେ ଗିଲାସେ ଥଣ୍ତା ପାଣି ଅଜାଡ଼ି ଦେଲେ ସମାନଙ୍କ ଉତ୍ତେଜନା ଯେପରି ଶାନ୍ତ ହେଇଯାଏ, ସେଇପରି ହରିଶ୍‌ର ଏଇ ପଦକ କଥାରେ ନିର୍ମଳର ଉତ୍ତେଜନା ବରଫ ହେଇଗଲା ।

 

ମୁଁ କିନ୍ତୁ ବିଗିଡ଼ି ଯାଇ କହିଲି–ତେବେ କ’ଣ ଝିଅଟା ଶେଷପର୍ଯ୍ୟନ୍ତ ବେଶ୍ୟା ହବ ?

 

ହରିଶ୍‌ ହସି ହସି କହିଲା–ତୁ ବୋଧହୁଏ ଅସୁରୁଣୀ ବୁଢ଼ୀ କବଳରେ ଥିବା ବନ୍ଦିନୀ ରାଜକନ୍ୟାକୁ ରଜାପୁଅ ପକ୍ଷୀରାଜ ଘୋଡ଼ାରେ ଯାଇ ସାତ ସମୁଦ୍ର ପାରି ହେଇ ମୁକୁଳେଇ ଆଣିବା କଥା, ଯାହା ପିଲାଦିନେ ଆଈଠାରୁ ଶୁଣିଥିଲୁ, ଏପର୍ଯ୍ୟନ୍ତ ଭୁଲି ପାରିନୁ ବିଜୟ । ଆଚ୍ଛା ନିର୍ମଳ, ଯଦି ମନେକର, ତାକୁ ସେଠାରୁ ମୁକ୍ତ କରାଯାଏ, ତେବେ ବେଶ୍ୟା ଝିଅକୁ ବାହା ହବ ବା କିଏ ? ଯେ ବାହାହେବ, ସୋସାଇଟିରେ ତା’ର ଷ୍ଟେଟସ୍‌ ରହିବକି ?

 

ନିର୍ମଳ–ମୁଁ ତାକୁ ବାହା ହେବି । ସୋସାଇଟିକୁ ମୁଁ କେଆର କରେନା ।

 

ହରିଶ୍‍–ତୁ ତାକୁ ନିଜ ଆଖିରେ ଦେଖିଛୁ ?

 

ନିର୍ମଳ–ଦେଖିଲି ଆଉ କେବେ ?

 

ହରିଶ୍‍–ତେବେ ? ତୁ କିପରି ଜାଣିଲୁ ଯେ ତାକୁ ନେଇ ତୁ ସୁଖୀ ହେଇ ପାରିବୁ ?

 

ନିର୍ମଳ–ହଁ, ମୁଁ ଠିକ୍‌ ସୁଖୀ ହେବି । ସେଇଟା ମୋ ଦାୟିତ୍ୱ ।

 

ହରିଶ୍‍–କ୍ଷଣିକ ଉତ୍ତେଜନା-ପ୍ରସୂତ ଗୋଟାଏ ଖିଆଲ ଏ ! ଆଚ୍ଛା, ତୋର ବାପା-ମାଆ-?

 

ନିର୍ମଳ–ମୁଁ ସେମାନଙ୍କର ଗୋଟିଏ ବୋଲି ପୁଅ । ତେଣୁ ତେଜ୍ୟପୁତ୍ର କରିବେନି ନିଶ୍ଚୟ-

 

ହରିଶ୍‍–ଗୋଟିଏ ପୁଅ ବୋଲି ତେଜ୍ୟପୁତ୍ର କରିବେନି, ଏମିତିକିଛି କଥା ନାହିଁ । ଯଦି କରନ୍ତି, କ’ଣ କରିବୁ ତୁ ? କ୍ୱାଲିଫିକେସନ୍ ତ କିଛି ନାହିଁ, ଚଳିବୁ କେମିତି ?

 

ନିର୍ମଳ ରହିଗଲା । ମୁଁ କହିଲି–ମୋର ମନେହୁଏ, ଏଟା ପୋଲିସକୁ ଜଣେଇଲେ ହୁଅନ୍ତା । ଝିଅଟାକୁ ଘରେ ଲକ୍‌-ଅପ୍‌ କରି ରିଖିଚି, ବାଧ୍ୟ କରୁଚି ବେଶ୍ୟା ହେବା ପାଇଁ, ଏଥିରେ କ’ଣ ପୋଲିସର କିଛି କରିବାର ନାହିଁ ?

 

ନା ଭାଇ, ପୋଲିସ କିଛି କରିବନି ମନେହୁଏ । ନିର୍ମଳ ହତାଶ ଭାବେ କହିଲା, ବିନୋଦ କହେ–ପୋଲିସବାଲା ସାବିତ୍ରୀ ବାଈର ବଚସ୍କର ! ଟଙ୍କା, ମଦ ଓ ମଜଲିସ୍‌ ଦେଇ ହାତ ମୁଠାରେ ରଖିଚି ସେମାନଙ୍କୁ ।

 

ମୁଁ କହିଲି–ଏଠିକି ଯୋଉ ନୂଆ ଏଡ଼ିସନାଲ୍ ଏସ୍.ପି. ଆସିଛନ୍ତି, ଜନ୍‍କିଙ୍ଗ୍‌ ସାହେବ, ତାଙ୍କ ସାଙ୍ଗରେ ମୋର ଭଲ ଚିହ୍ନା-ପରିଚୟ ହେଇ ଯାଇଚି । ଆମ ଘରକୁ ୟା’ ଭିତରେ କେତେଥର ଆସିଲେଣି । ମୁଁ ବି ତାଙ୍କ ଘରକୁ ଯାଇଚି । ଲୋକ ହିସାବରେ ଭଲ । ତାଙ୍କୁ ଯଦି ଏ କଥାଟା କହେଁ.....

 

ହରିଶ୍‍–ସେ ପ୍ରଥମେ ଭାବିବେ, ତୁ ଚରିତ୍ରହୀନ, ନିଶ୍ଚୟ ବେଶ୍ୟାଘରକୁ ଯାଉ, ନଚେତ୍‌ ତୁଳସୀ କଥା ଜାଣିଲୁବା କେମିତି ? ହୁଏତ ଏ କଥା ଶେଷପର୍ଯ୍ୟନ୍ତ ତୋ ବାପାଙ୍କ କାନକୁ ବି ଚାଲିଯିବ ।

 

ମୋର ବି ସେଇ ଆଶଙ୍କା ହେଲା ! କହିଲି–ଆଚ୍ଛା, ନିର୍ମଳ ଯାଇ କହୁ ଜନ୍‌କିଙ୍ଗ୍‍ଙ୍କୁ ମୁଁ ଖାଲି ଇନ୍‌ଟ୍ରଡିଉସ କରିଦେବି ।

 

ତା’ହେଲେ ଜନ୍‌କିଙ୍ଗ୍‌ ଭାବିବେ, ମୁଁ ବା କାହିଁକି ଏତେ ଓଭର–ଏନ୍‌ଥୁଜିଏଷ୍ଟିକ ? ନିର୍ମଳ ଥଣ୍ଡା ଗଳାରେ କହିଲା । ତା’ର ନିରୁତ୍ତେଜିତ ସ୍ୱରରୁ ମୁଁ ପରିଷ୍କାର ବୁଝି ପାରିଲି, ଉତ୍ତେଜନା ଓ ଆତ୍ମ-ବିଶ୍ୱାସ କମି ଆସିଚି ତା’ର ! ସୋଡ଼ା ବୋତଲର ଠିପି ଖୋଲା ହେବା ପରେ ପ୍ରଚଣ୍ତ ଶବ୍ଦଟିଏ ହୁଏ । ତା’ପରେ ଭିତରର ପାଣିଟା ଭୁରୁ ଭୁରୁ ହେଇ କ୍ରମେ ଥଣ୍ତା ପଡ଼ିଯାଏ । ସ୍ୱାଭାବିକ !

 

ହରିଶ୍‍ ଯୋଗ କଲା–ଆହୁରି ମଧ୍ୟ ବେଶ୍ୟା ଝିଅ ବେଶ୍ୟା ହେବା ଉଚିତ, ଏଇଟା ଅନେକଙ୍କ ମତ । ସାଦାରଣତଃ କେହି ଏଟାକୁ ସେତେ ଅନ୍ୟାୟ ବୋଲି ଭାବନ୍ତିନି । କୌଣସି ଦାୟିତ୍ୱବାନ ଲୋକ ଏ ସବୁ ବିଷୟରେ ଆଗ୍ରହ ଦେଖେଇବ ନାହିଁ....

 

ନିର୍ମଳ ଚୁପ୍‌ ରହିଲା ।

 

ତୁଳସୀ ନା ବାଳିକା । ହରିଶ୍‍ ତାକୁ ବୁଝେଇଲା–ତା’ ମାଆର ଆଇନ-ସଙ୍ଗତ ଅଭିଭାବକତ୍ୱରୁ ତାକୁ ମୁକୁଳେଇ ଆଣିବାର ଅଧିକାର କାହାରି ନାହିଁ । ଏପରିକି ସେ ନିଜେ ଯଦି ସ୍ୱଇଚ୍ଛାରେ କାହାରି ସାଙ୍ଗରେ ପଳେଇ ଆସେ, ମାନେ elope କରେ, ତେବେ ମଧ୍ୟ ଆଇନ୍‌ଦୃଷ୍ଟିରୁ ସେଟା kidnape ବୋଲି ଧରାଯିବ । ଆଉ ଆଇନ୍‌ ଠିକ୍‌ ସେଇ ଅନୁସାରେ କାମ କରି ଚାଲିଯିବ । ତେଣୁ ତାକୁ ସେଠୁ ନେଇ ପଳେଇ ଯିବା କଥା ଯଦି ମନେମନେ ପ୍ଲାନ୍‌କରିଥାଉ, ସେଟା ସାଂଘାତିକ । So, better forget about it.

 

ନିର୍ମଳ ମୁହଁ ଶୁଖେଇ ବସି ରହିଲା ।

 

ମିଛରେ ଖାଲି ତାକୁ ଗୋଟାଏ କ୍ଷଣିକ ସାନ୍ତ୍ୱନା ଦେବା ପାଇଁ ହରିଶ୍‍ ଉପସଂହାର ଟାଣିଲା । ହଠାତ୍‌ ତୁ କିଛି କରି ପକାନା । ପରେ ଥଣ୍ତା ମଥାରେ ଭାବିଚିନ୍ତି ଦେଖ । ନିଜେ ବୁଝିପାରିବୁ ଜିନିଷଟା କ’ଣ । ତା’ପରେ ଯଦି ତୁ ଭାବୁ ଯେ, କୌଣସି ସ୍ଥିର–ସିଦ୍ଧାନ୍ତରେ ପହଞ୍ଚିଛୁ, ତେବେ ଯାଇ ମୋତେ କହିବୁ.....we shall discuss about it….

 

ଏତିକିରେ ଆଲାଚନାର ଯବନିକା ପଡ଼ିଗଲା ।

 

ମୁଁ ବୁଝିପାରିଥିଲି ହରିଶ୍‍ର ଶେଷ କଥାଟି ତୁଚ୍ଛା ଗୋଟାଏ ଆଶ୍ୱାସନା ।

 

ନିର୍ମଳ ବି ବୁଝିପାରିଥିଲା ସେ କଥା । ତେଣୁ ଆଉ କିଛି ନ କହି ସେ ଗମ୍ଭୀର ମୁହଁରେ ହଠାତ୍‌ ଉଠି ଚାଲିଗଲା ।

 

ମନଟା ଖରାପ ହେଇଗଲା ମୋର ! ତୁଳସୀ ପାଇଁ କିଛି କରିପାରିବା ଆମର ଶକ୍ତି-ବହିର୍ଭୂତ ! ଖାଲି ଆଲୋଚନାଇ ସାର ହେଲା । କିଛି କରି ପାରିଲୁନି ଆମେ । ଏଇ ଭଳିଆ କେତେ ତୁଳସୀ ଝରି ଯିବେ, ଆମେ କିଛି କରି ପାରିବୁନି । ସମାଜର ‘ତୁଳସୀ’ମାନଙ୍କୁ ‘ସାବିତ୍ରୀ’ମାନଙ୍କ କବଳରୁ ରକ୍ଷା କରିପାରିବାର ଶକ୍ତି ଭଗବାନ ଆମକୁ ଦେଇ ନାହାନ୍ତି ।

 

ପାଣି ପିଇବାକୁ ହରିଶ୍‌ ଯାଇଚି ତଳକୁ । ଦୁଷ୍ଟ ଶାନ୍ତିଟା ଆସି ମୋତେ ଧମକ୍‌ ଦେଲା–ହୁଁ ? କ’ଣ ସବୁ କଥାବାର୍ତ୍ତା ଚାଲିଥିଲା ଆଜି ...ମୁଁ ସବୁ ଶୁଣି ନେଇଚି ଯେ ବିଜୟ ଭାଇ ! କହିବି କହିବି, ମଉସାଙ୍କ ପାଖରେ କହିଦେବି । ପାଠ ପଢ଼ା ହଉଚି’ ନା, ଏଇସବୁ ବିଚାର ଚାଲିଚି ?

 

ମୋ ବାପାଙ୍କୁ ସେ ମଉସା ଡାକେ ।

 

ହସିଦେଇ କହିଲି–ଚୁପ୍‌ ଦୁଷ୍ଟ ।

 

ମୁଁ ଜାଣେ, ଶାନ୍ତି ମୋତେ ଭଲପାଏ । ମୋ ନାମରେ କାହାରି ପାଖରେ କିଛି କହିବନି-

 

ଆହୁରି ଟିକିଏ ଧମକାଇ ଥାନ୍ତା ମୋତେ । ହରିଶ୍‍ ଆସିବାରୁ ପଳେଇଲା ।

 

ଶାନ୍ତିଟା ଆଜିକାଲି ଭାରି ଦୁଷ୍ଟାମି କରି ଶିଖିଲାଣି । କେତେ ବୁଦ୍ଧି ହେଲାଣି ତା’ର ! ଅନେକ କିଛି ବୁଝୁଚି ସେ ! ଅନେକ କିଛି !!

 

ରାତିରେ ବିଛଣାରେ ପଡ଼ି ସେଦିନ ଖାଲି ଛଟ୍‌ପଟ୍‌ ହେଲି । ନିଦ ଆସିଲାନି ବ୍ଲାଇଣ୍ତ ଲେନ୍‌ର ସେଇ ଅସହାୟା ବାଳିକାଟି କଥା ଭାବି ଭାବି । ବଳି ପାଇଁ ଉଦ୍ଦିଷ୍ଟ ଗୋଟିଏ ନିରୀହ ଛାଗଶିଶୁର କରୁଣ କ୍ରନ୍ଦନ ସତେ ଯେପରି ଶୁଣି ପାରୁଥିଲି ମୁଁ । ତୁଳସୀକୁ ମୁଁ କେବେ ଦେଖିନି, ଜାଣିନି, ଚିହ୍ନିନି । ଅଜଣା, ଅପରିଚିତା ସେ ଏକ ବେଶ୍ୟା-ବାଳିକା । କିନ୍ତୁ ତଥାପି ତା’ପାଇଁ ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ଛାତି ଥରାଇ ବାହାରି ଆସିଲା ଗୋଟିଏ ଦୀର୍ଘଶ୍ୱାସ !

 

ସୁବିଖ୍ୟାତ ଜଣେ ଇଂରେଜ କବିଙ୍କ ଭାଷାରେ–

 

I could not see her weeping,

But, oh; I heard her tears !

I heard her tears !

 

ପିଳାଦିନେ ଏଇପରି ଅ-ନେ-କ ବଡ଼ ବଡ଼ ଜିନିଷ ପ୍ଲାନ୍‌ କରାଯାଏ–ବ୍ୟକ୍ତିର ବା ସମାଜର ଅତ୍ୟାଚାର, ଅବିଚାର, ପୀଡ଼ନ ବିରୁଦ୍ଧରେ ବିଦ୍ରୋହ କରିବାକୁ ରକ୍ତ ତାତି ଉଠେ । କିନ୍ତୁ ହାୟ, କିଛି କରି ହୁଏନା । ନିଷ୍ଫଳ, ନିରର୍ଥକ ସେଇ ସବୁ କିଛି ଉତ୍ତେଜନା !!

 

କାଳ୍ପନିକ ଗୋଟିଏ କାହାଣୀ ଯଦି ଆଜି ଲେଖି ବସିଥାନ୍ତି–ତେବେ ତୁଳସୀକୁ ନିର୍ମଳ ବିବାହ କଲା କିମ୍ବା କୁଆଡ଼େ ନେଇ ପଳାଇଲା, ଏଇପରି କିଛି ଗୋଟାଏ ବ୍ୟବସ୍ଥା କରି ଉଦ୍ଧାର କରନ୍ତି ବ୍ଲାଇଣ୍ତ ଲେନ୍‌ର ନର୍କ ଭିତରୁ ବେଶ୍ୟା-ବାଳିକାକୁ; ଯେପରି ପ୍ରଚଣ୍ତ ବାମାମାଡ଼ ସତ୍ତ୍ୱେ ବି ଅନାହତ ଅବସ୍ଥାରେ ସମର୍ପଣ କରି ଦେଇଚି ‘ଶତ୍ରୁ-ଶିବିର’ର ଲିଲିକୁ ତା’ର ପ୍ରିୟତମ ଦେବାଶିଷ ରାୟ ହାତରେ । କିନ୍ତୁ ଏ ତ ‘ମୋର’ ଗଳ୍ପ ନୁହଁ; ‘ବିଜୟର’ର ଆତ୍ମ-କାହାଣୀ ଏ । ୟା’ ଉପରେ କଳ୍ପନାର ରଙ୍ଗ-ତୁଳୀ ଚଳେଇବା ଅଧିକାର ମୋର ନାହିଁ ।

 

ହଁ, ସେଦିନର ସେଇ ଆଲୋଚନା ଆଲୋଚନାରେଇ ରହିଲା । କିଛି କରି ହେଲାନି । କିଛି କରିବାର ସାଧ୍ୟ ଆମର ନ ଥିଲା ।

 

ଏଥଆ ଭାବି ମନକୁ ସାନ୍ତ୍ୱନା ଦେଇଥିଲି, ତୁଳସୀ ଯଦି ପ୍ରକୃତରେ ‘ତୁଳସୀ’ ହେଇଥିବ, ତେବେ ହଜାରେ ସାବିତ୍ରୀ ବି ତାକୁ ବେଶ୍ୟା କରେଇ ପାରିବେନି । ଆତ୍ମ-ହତ୍ୟା କରି ସେ ନିଷ୍କୃତି ପାଇଯିବ ।

 

ଆତ୍ମ-ହତ୍ୟା ?

 

ହଁ, ସେଇ ବରଂ ଭଲ ।

 

ମୋର ବା ଆଉ ଉପାୟ କ’ଣ ? କ’ଣ କରିପାରିବି ମୁଁ ତା’ପାଇଁ ?

 

ଅନେକ କହନ୍ତି–ପିଲାଦିନ ସୁଖର ଦିନ । କାରଣ–କାହା ପାଇଁ କିଛି ଦାୟିତ୍ୱ ନେବାକୁ ପଡ଼େନା, ପରିବାର ପ୍ରତିପୋଷଣ କରିବାର ଭାର ନ ଥାଏ, କାହାପାଇଁ ଚିନ୍ତା କରିବାକୁ ପଡ଼େନା ।

 

ଭୁଲ୍‌ !

 

ପିଲାଦିନେ ଅନ୍ୟ ପାଇଁ ଚିନ୍ତାର ଅନ୍ତ ନ ଥାଏ । ଏଇ ମୁଁ ଆଜି ଯେପରି ଚିନ୍ତା କରୁଚି ତୁଳସୀ ପାଇଁ । କାହାପାଇଁ କିଛି କରିବାକୁ ପଡ଼େନା–ଏଟା ଠିକ୍‌ । ତେବେ କାହାପାଇଁ କିଛି କରିବାକୁ ଇଚ୍ଛା ଥିଲେ ବି ସାମର୍ଥ୍ୟ ନ ଥାଏ । କମ୍‌ ବଡ଼ ଆତ୍ମ-ଗ୍ଳାନିର କଥା ନୁହେଁ ଏ ? ପରିବାର ପ୍ରତିପୋଷଣ କରିବାର ଦାୟିତ୍ୱ ନଥାଏ–ତେବେ, ‘ପରିବାର ଥିବା ସୁଖରୁ’ ବି ପିଲାମାନେ ବଞ୍ଚିତ, ଏଟା ଠିକ୍‌ ନୁହେଁ କି ? ବଡ଼ମାନଙ୍କୁ ମାନି ଚଳିବାର, ସେମାନଙ୍କ ଆଦେଶ ପାଳନ କରିବାର ଦାୟିତ୍ୱ ପିଲାମାନଙ୍କ ଉପରେ ଥାଏ । ବଡ଼ମାନେ ବେଶୀ ଜାଣନ୍ତି, ସେମାନଙ୍କ କଥା ଠିକ୍‌, ସେମାନଙ୍କର ବିଚାର ବୁଦ୍ଧିଇ ବେଶୀ, ଏସବୁ ମନ ଅନେକ ସମୟରେ ସ୍ୱୀକାର କରିବାକୁ ଚାହେଁନା, ତଥାପି ମାନି ନେବାକୁ ପଡ଼େ ! କାହାରି ଦୁଃଖ-ଦାରିଦ୍ର୍ୟ ଦେଖି ବିଗଳିତ ହେଇଗଲେ ବି, ସାହାଯ୍ୟ କରିବାକୁ ଆର୍ଥିକ ସାମର୍ଥ୍ୟ ନଥାଏ । ନିଜର ସ୍ୱାଧୀନ-ଚିନ୍ତା ବା ସ୍ୱାଧୀନ-ମତାମତ ବ୍ୟକ୍ତ କରିବାର ଅଧିକାର ନଥାଏ ।

 

ଯୋଉମାନେ କହନ୍ତି, ‘‘ପିଲାଦିନ ସୁଖର ଦିନ’’–ସେମାନେ ହୁଏତ ତାଙ୍କ ବିଗତ-ଅତୀତର ସେଇ ଦିନଗୁଡ଼ିକୁ ପୂରାପୂରି ପାସୋରି ଦେଇ ସାରିଲେଣି; ନଚେତ୍‌ ସେମାନଙ୍କ ବର୍ତ୍ତମାନର ଅନୁଭୂତି ବଡ଼ ବିସ୍ୱାଦ-ପୂର୍ଣ୍ଣ । କିନ୍ତୁ ମୋ ଅନୁଭୂତିରୁ ମୁଁ ଯାହା ବୁଝିଚି–ପିଲାଦିନ ଆଦୌ ସୁଖର ଦିନ ନୁହେଁ ।

 

ଏଥର ଫେରାଯାଉ ବ୍ଲାଇଣ୍ତ-ଲେନ୍‌କୁ ।

 

ଆପଣମାନେ ଭାବୁଥିବେ, ତୁଳସୀ ଏତେବେଳକୁ ଆତ୍ମ-ହତ୍ୟା କରି ସାରିଥିବ !

 

ଆଦୌ ନୁହେଁ ।

 

ସେ ଆତ୍ମ-ହତ୍ୟା କରିବାକୁ ଯିବ କୋଉ ଦୁଃଖରେ ?

 

ବେଶ୍ୟାର ଝିଅ ସେ । ତା’ ରକ୍ତରେ ରହିଚି ବଂଶାନୁକ୍ରମିକ ପ୍ରବୃତ୍ତି !

 

ଅତଏବ ଯାହା ହବାର କଥା, ସେଇଆ ହେଲା ଶେଷରେ ।

 

ଦୈବାତ୍ ଯଦି କେବେ ଆପଣ ଆମ ସହରକୁ ଯାଆନ୍ତି, ଜାଣି ପାରିବେ ତୁଳସୀ-ବାଈ ଆଜିକାଲି ସହରର ପ୍ରସିଦ୍ଧ ରୂପ-ଜୀବନୀ । ତା’ ଅଧୀନରେ ବି ରହିଛନ୍ତି ଏକାଧିକ ସଂଗୃହୀତା ବାଳିକା ।

 

ଆଉ ସାବିତ୍ରୀ ବାଈ ?

 

ସେ ଏବେ ବୁଢ଼ୀ ହେଇଚି । ମାଳା ଗଡ଼ାଏ । ହରିନାମ କରେ । ଭଗବାନଙ୍କ ଠାରେ ମନ-ପ୍ରାଣ ସମର୍ପଣ କରିଚି ସେ ।

 

ଆପଣଙ୍କ ଭଳି ଉତ୍ସାହୀ-ଅନୁସନ୍ଧିତ୍ସୁ ତାକୁ ପ୍ରତିଦିନ ସନ୍ଧ୍ୟାବେଳେ ବହୁ ଦର୍ଶନାର୍ଥୀ ଓ ପୂଜାର୍ଥିନୀଙ୍କ ଭିଡ଼ ଭିତରେ ଦେଖିବାକୁ ପାଇବେ ବଟେଶ୍ୱର ମହାଦେବ ମନ୍ଦିରରେ ।

 

ପ୍ରତିବର୍ଷ ସ୍କୁଲରେ ଡ୍ରାମା ହୁଏ । ଏ ବର୍ଷ ବି ହବ ।

 

ବେଣୁଭାଇ କହିଲେ–ଶାନ୍ତି, ତୁ ଏଥର ଡାନ୍ସଟିଏ ଦେ ।

 

ଘରେ ମାଷ୍ଟର ରଖି ଶାନ୍ତିକୁ ନାଚଗୀତ ଶିଖା ହେଉଥିଲା । କିନ୍ତୁ ବାହାରେ ଅଡ଼ିଆନ୍‌ସ ଆଗରେ କେବେ ନାଚି ନ ଥିଲା ସେ ।

 

ଖୁସି ହେଇ ରାଜି ହେଲା ଶାନ୍ତି । ତା’ ମାଆ ଆଉ ହରିଶ୍‌ ବି ବେଣୁଭାଇଙ୍କ ପ୍ରସ୍ତାବରେ ଆପତ୍ତି କଲେ ନାହିଁ । କହିଲେ–ଭଲ କଥା ।

 

ବେଣୁଭାଇଙ୍କ କଥାକୁ କାଟିଦେଇ ହୁଏନା । ସମସ୍ତେ ତାଙ୍କଠାରେ ଊଣା-ଅଧିକେ କୃତଜ୍ଞ-। ଭଲ ଚିକିତ୍ସକ ସେ । ତା’ଛଡ଼ା ରାତି ଅଧରେ କାହାର କ’ଣ ଅସୁବିଧା ପଡ଼ିଲେ–ଡାକ ଦେଲେଇ ଉଠି ଆସିବେ ବେଣୁଭାଇ ।

 

ବିଶେଷତଃ ହରିଶ୍‍-ଘର ସାଙ୍ଗରେ ଆମ ଘରର ଘନିଷ୍ଠ ଆତ୍ମୀୟତା । ସେମାନେ ଆଧୁନିକ-ପନ୍ଥୀ ବି । ବେଣୁଭାଇଙ୍କ ଦାୟିତ୍ୱରେ ଶାନ୍ତିକୁ ଛାଡ଼ିଦେବା ପାଇଁ ସେମାନଙ୍କର ଆପତ୍ତି କରିବା ପ୍ରଶ୍ନଇ ଉଠେନା । ଯୋଉ ସମୟ କଥା କହୁଚି, ସେ ସମୟରେ ପ୍ରଗତିଶୀଳ ପରିବାରର ଝିଅମାନେ ଡ୍ରାମାରେ ପାର୍ଟ ନେବା ଆରମ୍ଭ କଲେଣି କ୍ରମେ କ୍ରମେ । ତେବେ ଗୋଟାଏ କଥା କୌତୂହଳର ସହିତ ଳକ୍ଷ୍ୟ କରିଚି–ଆଗେ ଗାଁ ଯାତ୍ରା-ଦଳରେ ହାଡ଼ି-ଡୋମ ପିଲାଏ ନେବା ପାଇଁ ଚାହୁଁଥିଲେ ରାଜପୁତ୍ର ରୋଲ୍‌ । ଆଉ ଏବେ (ପରବର୍ତ୍ତୀ ଯୁଗରେ) ଷ୍ଟାଇଲ୍ ବଦଳି ଯାଇଚି....ବଦଳି ଯାଇଚି ଫେସନ–ଆମେଚର ଥିଏଟରରେ ଧନୀ, ଅଭିଜାତ-ପରିବାର ଉଚ୍ଚ ଶିକ୍ଷିତା ସୁନ୍ଦରୀ ଝିଅମାନେ ଶବରୁଣୀ ବା ମଜୁରିଆ-ଝିଅ ସାଜିବାକୁ ଚାହୁଁଛନ୍ତି ।

 

ସ୍କୁଲରେ ସେ ବର୍ଷ ହେଉଥାଏ ପୌରାଣିକ ନାଟକ । ‘କୁରୁକ୍ଷେତ୍ର ।’ ବିଷୟବସ୍ତୁ ସମସ୍ତଙ୍କୁ ଜଣା; ଲେଖିବା ଅନାବଶ୍ୟକ । (ଯଦି ଲେଖି ବସେଁ, ତେବେ ଏ ବହି ଶିଶୁ ସାହିତ୍ୟରେ ପରିଣତ ହେଇ ଯିବାର ଆଶଙ୍କା !)

 

ହରିଶ୍‍ କୌଣସି ପାର୍ଟ ନେଇ ନ ଥିଲା–ଆଉ ମୁଁ ବି ପାର୍ଟ ନେଇ ନ ଥିଲି । ତେବେ, ଆମମାନଙ୍କ ଉପରେ ଅନେକଗୁଡ଼ିଏ ଦାୟିତ୍ୱ ଦିଆ ଯାଇଥିଲା ।

 

ବିନୟ (ଆମରି କ୍ଲାସରେ ପଢ଼େ ସେ)ର ଯଦିଓ ଇଚ୍ଛା ଥିଲା ବଡ଼ ପାର୍ଟଟିଏ ନେବାପାଇଁ, ତାକୁ ବେଣୁଭାଇ ଦେଲେ ‘ମୃତ-ସୈନିକ’ ରୋଲ୍‌ ! ବୁଝାଇ ଦେଲେ–ଏଇ ‘ମୃତ ସୈନିକର ରୋଲ୍‌’ ବି କିଛି କମ୍‌ ନୁହେଁ, ବିନୟ ! ଗୋଟାଏ ଜିଅନ୍ତା–ଜଳ ଜଳ ମଣିଷ ଠିକ୍‌ ମୃତ ଭଳି ଅଭିନୟ କରିପାରିବା କ’ଣ ସହଜ କଥା ଭାବିଛି ? ଏତକ ଯଦି ଠିକ୍‌ ଭାବରେ କରି ପାର, ତମ ପ୍ରତିଭାର ପରିଚୟ ପାଇ ପାରିବି ମୁଁ !

 

ବିଶ୍ୱାସ କରନ୍ତୁ–ଏହା କହିବାବେଳେ ଆଦୌ ହସି ନ ଥିଲେ ବେଣୁଭାଇ ।

 

କିରୁକ୍ଷେତ୍ରର ଯୁଦ୍ଧ–ଭୂମି ଉପରେ ପଡ଼ିଛନ୍ତି କେତୋଟି ବିକ୍ଷିପ୍ତ ମୃତ-ସୈନିକ । ସେମାନଙ୍କ ଭିତରୁ ବିନୟ ବି ଜଣେ । ବିଚରା ସେଇ ରୋଲ୍‌ଟି କରିବା ପାଇଁ ଘଣ୍ଟାଏ ଧରି ଡ୍ରେସିଂ ପେଣ୍ଟିଂ ହେଇଚି; ବାଛି ବାଛି ପିନ୍ଧିଛି ବଢ଼ିଆ ପୋଷାକ ପତ୍ର । ଆଖି ଅଧବୁଜା କରି ଫୁଟ୍‌ ଲାଇଟ୍‌ ପାଖକୁ ଲାଗି ଶୋଇ ପଡ଼ିଛି ଠିକ୍‌ ଗୋଟିଏ ନିଶ୍ଚଳ ମୃତ ଦେହ ପରି । ସାରା ଦେହରେ କେତେ କ୍ଷତ ଚିହ୍ନ, କେତେ ରକ୍ତ !! ବେଶ୍‌ ରିଏଲିଷ୍ଟିକ !!

 

ସନ୍‌ ଉଠିଲା ।

 

ସନ୍ଧ୍ୟା ଘନାଇ ଆସିଚି । ରୋରୁଦ୍ୟମାନ ଦୁର୍ଯ୍ୟୋଧନ ମଞ୍ଚ ଉପରକୁ ପ୍ରବେଶ କଲେ–ବ୍ୟାକୁଳ ହୋଇ ଖୋଜି ବୁଲିଲେ ଚାରିଆଡ଼େ ପ୍ରତିଟି ଶବକୁଢ଼ ଭିତରେ ତାଙ୍କର ପ୍ରିୟ ଗୁରୁ ଭୀଷ୍ମାଚାର୍ଯ୍ୟଙ୍କ ଶବ ଦେହ ।

 

ଉଇଙ୍ଗ୍‌ସ ପାଖରେ ଠିଆ ହୋଇ ପ୍ରମ୍ପଟିଂ କରୁଥାନ୍ତି ବେଣୁଭାଇ । ଗୋଟାଏ ବଦ ଅଭ୍ୟାସ ତାଙ୍କର–ଯୁଆଡ଼େ ଯିବେ, କୁକୁରଟାକୁ ସାଙ୍ଗେ ସାଙ୍ଗେ ନେଇଥିବେ । ମୁଁ ତାଙ୍କରି ପାଖରେ ଠିଆ ହୋଇଥିଲି; ଚେନ୍‌ଟାକୁ ମୋ’ରି ହାତରେ ଧରାଇ ଦେଇଥାନ୍ତି ସେ... ।

 

ମନ୍ଦ ଭାଗ୍ୟ ମୋର ! ହଠାତ୍‌ ହାତରୁ ଖସି ପଡ଼ିଲା ଚେନ୍‌ । ସାଙ୍ଗେ ସାଙ୍ଗେ କଳା ଆଲସେସିଆନ୍‌ଟାର ଆବିର୍ଭାବ ହେଲା ଷ୍ଟେଜ୍‌ ଉପରେ ! ହତାଶ ହୋଇ କହିଲି, ବେଣୁଭାଇ କୁକୁରଟା ମୋ ହାତରୁ ଖସି ଷ୍ଟେଜ୍‌କୁ ଚାଲି ଗଲାଣି ଯେ ! କ’ଣ କରାଯିବ ?

 

ପ୍ରମ୍ପ୍‌ଟିଂ ବନ୍ଦ କରି ଷ୍ଟେଜ୍‍କୁ ଚାହିଁଲେ ବେଣୁ ଭାଇ । ଖୁସିଟାଏ ହେଇ କହିଲେ, ଆରେ ବାଃ, ଏ ତ ଆହୁରି ରିଏଲିଷ୍ଟିକ୍‌ ! ଯେଉଁଠି ମଡ଼ାଗୁଡ଼ାଏ ପଡ଼ିଛି, ସେଠି ଗୋଟେ ଦି’ଟା ଶିଆଳ-କୁକୁର ଯେ ଖାଦ୍ୟଅନ୍ୱେଷଣରେ ଘୂରି ବୁଲୁଥିବେ ଏଟା ସ୍ୱାଭାବିକ !

 

କିନ୍ତୁ, ଟମିଟା ଯାଇ ମୃତ ସୈନିକମାନଙ୍କ ମୁହଁ ଶୁଙ୍ଘିବାକୁ ଆରମ୍ଭ କଲାଣି, ବେଣୁଭାଇ ! ସର୍ବନାଶ !! ...ମୁଁ ଆତଙ୍କିତ ହେଇ ପଡ଼ିଲି ।

 

ବାଃ ବାଃ, ଚମତ୍କାର ! This is quite natural ! Very very practical-! କୁକୁର ତ ଶବ-ଦେହକୁ ଶୁଙ୍ଘି ଦେଖିବା କଥା ।

 

ଟମି ଯାଇ ସେତେବେଳେ ବିନୟର ନାକ ଚାଟୁଛି । ବିଚରାର ଧୈର୍ଯ୍ୟ ଅସୀମ ! ମୁଁ ଭାବୁଥାଏ, କୁକୁର ଜିଭର ଲାଳ ତା’ ନାକ ଭିତରେ ପଶି ଯେଉଁ ନିଦାରୁଣ ଅସ୍ୱସ୍ତି କରୁଥିବ ....ତା’ ବେଶ୍‌ ଅନୁମେୟ; ତଥାପି କାଶ-ଛିଙ୍କ ଚାପି କିପରି ଯେ ସେ ଶୋଇ ରହିଚି ନିଶ୍ଚଳ ହେଇ ! ଧନ୍ୟରେ ମୃତ ସୈନିକ ! ଏକେବାରେ ଷ୍ଟୋନ୍‌-ଡେଡ୍‍ !! ପ୍ରତିଭାର ପ୍ରମାଣ ଦେଲା ଏଥର ପିଲାଟା-!!!

 

କିନ୍ତୁ ଧୈର୍ଯ୍ୟର ବି ଗୋଟାଏ ସୀମା ଅଛି....

 

ନାକ ଚାଟିବା ପରେ ଟମି ବୋଧହୁଏ ତା’ର ସୂକ୍ଷ୍ମ ବୁଦ୍ଧି ପ୍ରୟୋଗ କରି ଜାଣିପାରିଲା ଯେ ବିନୟ ପ୍ରକୃତରେ ମୃତ !! ତା’ପରେ, ସେ ତା’ର ପଛ ଗୋଡ଼ଟି ଟେକି ମୃତ ଦେହର ମୁହଁ ଉପରେ ଚର ଚର କରି ମୁତିବାକୁ ଲାଗିଲା !

 

ମୃତ-ସଞ୍ଜୀବନୀ-ସୁଧା ମୁହଁ ଉପରେ ବର୍ଷିବାକୁ ଆରମ୍ଭ ହେବାକ୍ଷଣି ମହାରାଗରେ ଉଠି ପଡ଼ିଲା ବିନୟ ! ଦୁଲ୍‌ ଦାଲ୍‌ ଦି’ଚାରି ଗୋଇଠା ମାରିଲା ଟମି ପିଠିରେ; ଆଉ ବଡ଼ ପାଟିରେ ଚିତ୍କାର କରି ଉଠିଲା, ହାରାମଜାଦା କୁକୁର ! ଆଜି ତୋର ଦିନେ କି ମୋର ଦିନେ !

 

ମାଡ଼ ଖାଇ ଟମିଟା ଗୋଟାଏ ଲମ୍ବା ଡିଆଁ ମାରି ଦର୍ଶକମାନଙ୍କ ଉପରେ ଯାଇ ପଡ଼ିଲା । ସମସ୍ତେ ହୋ ହୋ ହୋଇ ଉଠିଲେ । ଡ୍ରପ୍‌ସିନ୍‌ ପଡ଼ିଗଲା ।

 

ଆଃ, ଚୁଃ ଚୁଃ....କି ସୁନ୍ଦର ରିଏଲିଷ୍ଟିକ୍‌ ସିନ୍‌ଟା ମର୍ଡ଼ର କରି ଦେଲୁରେ ବିନୟ, ବେଣୁଭାଇ ଦୁଃଖ କଲେ । ମୋ ଉପରେ ପାଟିକରି ଉଠିଲେ, ଆରେ ଇଡିୟଟ୍‌ଟା ଅନେଇଚୁ କ’ଣ-? ଯା ଦେଖ୍‌, ମୋ ଟମି କୁଆଡ଼େ ଗଲା !

 

କୁକୁରଟାକୁ ବହୁତ କଷ୍ଟରେ ଧରି ଯେତେବେଳେ ଷ୍ଟେଜକୁ ଫେରିଲି–ଗ୍ରୀନ୍‌ରୁମ୍‌ ଭିତରେ ଗୋଟାଏ ପାଟିଗୋଳ ଚାଲିଛି । କପିଳା ବାରିକ, ତାକୁ ନିଯୁକ୍ତ କରା ହେଇଥିଲା ନାରୀ ଭୂମିକାରେ ଅଭିନୟ କରୁଥିବା ପିଲାମାନଙ୍କର ମୁହଁ କ୍ଲିନ୍‌-ସେଭ୍‌ କରିବାକୁ, ବଡ଼ ଉଚ୍ଚାଭିଳାଷୀ ଥିଲା ସେ–ଚାରିଆଡ଼େ କହିବୁଲେ, ଆଉ କଚିରି ପାଖ ବରଗଛ ମୂଳେ କ୍ଷୁର ମୁଠି ଧରି ବସିବିନି କି ଏ ଘର ସେ ଘର ହେବିନି–ବସିଯିବି ଏକାବେଳେ ବଜାର ଉପରେ ଗୋଟାଏ ସ୍ୟାଲୁନ୍‌ ଖୋଲି–ନାମ ଦେବି ‘କପିଳେନ୍ଦ୍ର ସ୍ୟାଲୁନ୍‌ !’ ‘‘କିରେ କପିଳା, ଆଜିକାଲି ଦେଖା ନାହିଁ ?’’ ପଚାରିଲେ ସେ କହିବ, ‘‘ଆଜ୍ଞା, ସେଲୁନ୍‌ କରିବାପାଇଁ ଯୋଗାଡ଼-ଯନ୍ତ୍ରରେ ଲାଗି ପଡ଼ିଚି କି ନା ! ଟିକିଏ ବ୍ୟସ୍ତ ଅଛି-!’’ ସେଇ କପିଳା ବାରିକ ଧଇଁ ସଇଁ ହେଇ ଗ୍ରୀନ୍‌ରୁମ୍‌ ଆଡ଼ୁ ଧାଇଁ ଆସିଲା । ପଚାରିଲି, କି ହୋ କପିଳେନ୍ଦ୍ର, କଥା କ’ଣ ? ଏତେ ପାଟିଗୋଳ !

 

ଆଜ୍ଞା, ପାଟିଗୋଳ ନୁହେଁ । ଏକେବାରେ ମାଡ଼-ଫୌଜଦାରୀ !

 

ଏଁ ମାଡ଼-ଫୌଜଦାରୀ ?? କିଏ କାହାକୁ ମାରିଲାରେ ?

 

ଯୁଧିଷ୍ଠିର, ତ୍ରିଶୂଳରେ ପିଟି ଧୃତରାଷ୍ଟ୍ରଙ୍କ ନାକଦଣ୍ତା ଫଟେଇ ଦେଇଛନ୍ତି !

 

କାହିଁକି ?

 

ସେ ଯାହା କହିଲା, ସେଥିର ସାରାଂଶ ହେଉଛି–ନର୍ତ୍ତକୀ ଶାନ୍ତି ଯୋଗୁଇ ହେଇଚି ଅଶାନ୍ତି-ସୃଷ୍ଟି । ଧର୍ମରାଜ ଯୁଧିଷ୍ଠିର, (ଜଣେ ଏକାଦଶ ଶ୍ରେଣୀର ଛାତ୍ର) କୁଆଡ଼େ ଗ୍ରୀନ୍‌ରୁମ୍‌ ଭିତରେ ତାକୁ ଏକୁଟିଆ ପାଇ ତା’ ସାଙ୍ଗରେ ପ୍ରେମାଳାପ କରୁଥିଲେ । ଧୃତରାଷ୍ଟ୍ର ସେଇ କ୍ଲାସର ଆଉ ଜଣେ ବୟସ୍କ ଛାତ୍ର)ଙ୍କ ‘ଅନ୍ଧ-ଦୃଷ୍ଟି’କୁ ତାହା ଏଡ଼ାଇଲା ନାହିଁ । ସେ ଯାଇ ସେମାନଙ୍କ ମଧୁର ଆଳାପରେ ବାଧା ଦେଲେ । ଫଳରେ, ଯାହା ହେବାର କଥା, ହେଲା । ଯୁଧିଷ୍ଠିର ଧଇଲେ ଗୋଟାଏ ତ୍ରିଶୂଳ; ଧୃତରାଷ୍ଟ୍ର.....ଯାହା ତତ୍‌କ୍ଷଣାତ୍ ହାତରେ ପଡ଼ିଲା.....ଅଦାଢ଼ୁଆ ଖଣ୍ତାଟାଏ ! ଲାଗିଲା ପ୍ରଚଣ୍ତ ଯୁଦ୍ଧ–ଗ୍ରୀନ୍‌ରୁମ୍‌ ପରିଣତ ହେଲା କୁରୁକ୍ଷେତ୍ରରେ । ଶେଷକୁ ତ୍ରିଶୂଳ ବାଜି ଧୃତରାଷ୍ଟ୍ର ନାକରୁ ରକ୍ତପାତ ! ପରିସ୍ଥିତି ଦେଖି ଶାନ୍ତିର ସେଠାରୁ ‘ଛ’ରେ ହର୍ଷ ‘ଉ’ କାର୍‌ ଦେଇ ପଳାୟନ !! ଶେଷରେ ଉପସଂହାର, ସେମାନଙ୍କ କଳି ଭାଙ୍ଗିବାକୁ ଯାଇ ‘କପିଳେନ୍ଦ୍ର ସ୍ୟାଲୁନ୍‌’ର ଭାବି ପ୍ରୋପ୍ରାଇଟରଙ୍କ ପିଠି ଉପରେ ଦି’ ଚାରିଟା ଉତ୍ତମ ମଧ୍ୟମ !

 

ଶାନ୍ତି କହିଲା ଯେ, ତା’ର କିଛି ଦୋଷ ନାହିଁ । କାହିଁକି ଗୋଳମାଳ ଲାଗିଲା, ସେକଥା ସେ ଆଦୌ ଜାଣେନା । ବେଶ୍‌ ।

 

ହରିଶ୍‍ ବିଗିଡ଼ି ଯାଇ କହିଲା, ବଜ୍ଜାତ୍‌ ଟୋକି, ଘରକୁ ଚାଲ ଆଜି ଠିକଣା ବନଉଚି ତତେ ! ଦେଖିବି କେତେ ପ୍ରେମ କରି ଜାଣୁ ତୁ !!

 

ବେଣୁ ଭାଇ ତ ନିଜେ ଶାନ୍ତିକୁ କହିବୋଲି ଆଣିଥିଲେ ଷ୍ଟେଜ୍‍କୁ ! ସେ ବାହାରି ପଡ଼ିଲେ ଶାନ୍ତିକୁ ରକ୍ଷା କରିବା ପାଇଁ । ତମେ କ’ଣ ଜାଣ ହରିଶ୍‍ ? ଚୁପ୍‌ କର । ଆମ ଶାନ୍ତିଟି ସେପରି ପିଲା ନୁହେଁ । ତୋର କିଛି ଭୟ ନାହିଁରେ ଶାନ୍ତି, ମୁଁ ଅଛି ....

 

ଆଉ କିଛି କହିଲାନି ହରିଶ୍‍ । ଚୁପ୍‌ ରହିଲା । ବେଣୁ ଭାଇଙ୍କ ବ୍ୟକ୍ତିତ୍ୱ ଓ ପ୍ରଭାବ ଅନନ୍ୟ ସାଧାରଣ !

 

ପରଦିନ ହେଡ଼୍‍ମାଷ୍ଟର ମହାଶୟ, ଧର୍ମରାଜ ଯୁଧିଷ୍ଠର ଓରଫ ନରେନ୍ଦ୍ର କୁମାର ପରିଡ଼ାଙ୍କୁ ଡକାଇ ନେଇ, ବାରବର୍ଷ ବୟସର ଝିଅ ସାଙ୍ଗରେ ପ୍ରେମ କରିଥିବା ଯୋଗୁ ବୋଧହୁଏ–ଗଣି ଗଣି ବାର ବେତ ପିଟିଥିଲେ ।

 

ଶାନ୍ତି ଏବେ କଟକର ଜରେ ବିଶିଷ୍ଟ ଆଇନଜୀବୀଙ୍କ ଗୃହିଣୀ । ଏ ଯାଏଁ, ତା’ର କିଛି ପିଲାପିଲି ହେଲାନି । ବୋଧହୁଏ, ଆଉ ହେବାର ଆଶା ବି ନାହିଁ । ସେଥିପାଇଁ ଅବଶ୍ୟ ତା’ର କିମ୍ବା ତା’ ସ୍ୱାମୀଙ୍କର ସାମାନ୍ୟ ଟିକିଏ ହେଲେ ଚିନ୍ତା ବା ମନସ୍ତାପ ଥିବା ପରି ମନେ ହୁଏନା ।

 

କ୍ଲବ, ଥିଏଟର, ଡାନ୍ସ, ଡିନାର୍‌ ଓ ଏକାନ୍ତ ଅନୁଗତ ସ୍ୱାମୀ ନେଇ ବେଶ୍‌ ଏକପ୍ରକାର ଅଛି ସେ । ମୋ ସାଙ୍ଗରେ କେବେ କିମିତି ଦେଖା ହେଲେ ଥଟ୍ଟା କରି ପଚାରେ, କିରେ ଶାନ୍ତି, ‘କୁରୁକ୍ଷେତ୍ର’ କଥା ମନେଅଛି ? ସାଂଘାତିକ ଟୋକୀ ଖଣ୍ତେ ଥିଲୁ ତୁ । ଫ୍ରକ୍‌ ପିନ୍ଧିବା ବୟସରୁ.....ତା’ ପୁଣି ସ୍ୱୟଂ ଧର୍ମରାଜ ଯୁଧିଷ୍ଠିରଙ୍କ ସାଙ୍ଗରେ.....

 

ଶାନ୍ତି ହସିଦିଏ । ଯାଃ ବିଜୟ ଭାଇ; ଆଜିଯାଏ ତମର ସେଇକଥା ଗଲାନି !

 

ଶାନ୍ତିକୁ ମୋତେ ଭାରି ଭଲ ଲାଗେ । ଏବେ ବି ।

 

ଆଉ କପିଳା ବାରିକ ?

 

ବିଚରା ଏପର୍ଯ୍ୟନ୍ତ କପିଳେନ୍ଦ୍ର ହେଇ ପାରିନି । ସେଇ କିଚିରି ପାଖ ବରଗଛ ମୂଳେ ଆଜି ବି ବସୁଛି ଖୁର-ମୁଠି ନେଇ । ଛର କରି ଚାଲିଛି, ଆଉ କହି ଚାଲିଛି–ଦିନେ ନାଁ ଦିନେ ସେ ନିଶ୍ଚୟ ସେଲୁନ୍‌ ଖୋଲିବ ।

 

ଲୋକଟା ନିଃସନ୍ଦେହରେ ଉଚ୍ଚାଭିଳାଷୀ !

 

ଜନ୍‌କିଙ୍ଗ୍‌ଙ୍କ ଘରକୁ ଯିବା ଆସିବା ମୋର ଖୁବ୍‌ ବଢ଼ି ଯାଇଚି ୟା’ ଭିତରେ । ଇଉରୋପୀୟ ପରିବାର ହେଲେ ବି ମୋ’ପାଇଁ ସେଠି କିଛି ହେଲେ ଫରମାଲିଟି ନ ଥିଲା । ଯେତେବେଳେ ଖୁସି, ସେତେବେଳେ ମୁଁ ସାଇକେଲ୍‌ ନେଇ ଚାଲି ଯାଉଥିଲି ତାଙ୍କ ଘରକୁ । ସେମାନେ ବି ଅନେକ ସମୟରେ ନିଜେ ଆସି ମୋତେ ନେଇ ଯାଉଥିଲେ ....କେବେ କେବେ ବା ଗାଡ଼ି ପଠାଇ ଦେଉଥିଲେ । କେବେ କେବେ ସେଇଠି ଡିନାର ଖାଏ । ଯୋଉଦିନ ଡିନାର ଖାଏ, ସେଦିନ ସାଧାରଣତଃ ସେଇଠି ରହିଯାଏ ରାତିରେ । ଅଳ୍ପ କେଇଟା ଦିନ ଭିତରେ ସ୍ନେହ ଆଦରରେ ମୋତେ କିଣି ପକାଇଥିଲେ ସେମାନେ ।

 

ଜନ୍‌କିଙ୍ଗ୍‌ଙ୍କୁ ମୁଁ ବଡ଼ଭାଇ ପରି ମନେ କରୁଥିବାରୁ ‘ବ୍ରଦର ଜନ୍‌’ ବୋଲି ଡାକିଥିଲି ପ୍ରଥମେ । ସେ କିନ୍ତୁ ଆପତ୍ତି କରିଥିଲେ । Only Jhon is enough. କେବଳ ‘ଜନ୍‌’ ଡାକିଲେ ଚଳିବ । We both are friends ! ଆମେ ଦୁହେଁ ବନ୍ଧୁ । ଫ୍ରେଣ୍ତସିପ୍‌ର ମଜା କ’ଣ ‘ବ୍ରଦର ହୁଡ୍‍’ରେ ଅଛି ? So, no brother-hood business; let us be good friends….

 

ଯଦିଓ ତାଙ୍କ ଦେଶରେ ବଡ଼ ଭାଇ, ଭାଉଜ ଓ ବଡ଼ ଭଉଣୀ ପ୍ରଭୃତିଙ୍କୁ ନାମ ଧରି ଡକାଯାଏ, ତଥାପି ମୁଁ ମିସେସ୍‌ ମାର୍ଜୋରୀଙ୍କୁ କ’ଣ ବୋଲି ଡାକିବି, ଏଇ ନେଇ ହେଲା ସମସ୍ୟା । ନିହାତି ଖରାପ ଲାଗୁଥିଲା ମୋତେ ‘ମାର୍ଜ୍ଜୋରୀ’ ନାମଟା; କାହିଁକି କେଜାଣି ! ଏଡ଼େ ସୁନ୍ଦର ଝିଅଟାର ନାମ ବାପା ମାଆ ରିଟା, ଲରା କି ଏଞ୍ଚେଲା ତ ଦେଇପାରିଥାନ୍ତେ ! ଯୋଉମାନେ ଦେଖିବାକୁ ମାର୍ଜ୍ଜାରୀ ପରି, ସେଇମାନଙ୍କୁଇ ‘ମାର୍ଜ୍ଜୋରୀ’ ନାମ ଶୋଭାପାଏ ! ଏତେ ସୁନ୍ଦର ରୂପ ଯା’ର ତାକୁ ଏଭଳିଆ ନାମ ନିତାନ୍ତ ବେମାନାନ୍‌ !! ମୁଁ ତମକୁ ନୂଆ ନାମ ଦେଲି ‘ମଞ୍ଜୁ’ । ଡାକିବି ‘ମଞ୍ଜୁ-ଭାଉଜ’ । ଖାଣ୍ଟି ଓଡ଼ିଆ ଡାକ ! ଖୁସି ତ ?

 

ଭାରି ଖୁସି ହେଲେ ମଞ୍ଜୁ ଭାଉଜ । କହିଲେ, ବିଜୟ, ତମର ଯାହା ଭଲ ଲାଗେ ଡାକ । ମୋ କାହିଁରେ ଆପତ୍ତି ନାହିଁ ।

 

ଅବଶ୍ୟ, ଘରେ ବି ଅନେକଗୁଡ଼ିଏ ଭାଉଜ ଥିବାରୁ ଏଇପରି....ନାମ ମିଶାଇ ଡାକିବାକୁ ହୁଏ ମୋତେ । ‘ବୀଣା ଭାଉଜ’ ‘ଚାରୁ ଭାଉଜ’ ‘କୁମ ଭାଉଜ’ ଇତ୍ୟାଦି ଇତ୍ୟାଦି । ଏଥିରେ ଅଭ୍ୟସ୍ତ ଥିବାରୁ ‘ମଞ୍ଜୁ ଭାଉଜ’ ଡାକିବାଟା ମୋ ପକ୍ଷରେ ଅସୁବିଧା-ଜନକ ହେଲାନି ।

 

ଫଳରେ ‘ମାର୍ଜ୍ଜୋରୀ ହେଲେ ‘ମଞ୍ଜୁ’ !

 

ସେଇ ଡାକ ଶୁଣି ଜନ୍‌ ଖାଲି ହସନ୍ତି । ସେଟା କୁଆଡ଼େ ଭାରି କୌତୁକିଆ ଲାଗେ ତାଙ୍କୁ-!

 

ମୁଁ ମଞ୍ଜୁ ଭାଉଜକୁ ଶିଖାଇଲି ଓଡ଼ିଆ ପଢ଼ା, ଶିଖାଇଲି ଶାଢ଼ି ପିନ୍ଧା । ପାର୍ଟିକୁ ଗଲେ କେବେ କିମିତି ସେ ଆଜିକାଲି ଶାଢ଼ି ପିନ୍ଧନ୍ତି । କେବଳ ମୋ ସାଙ୍ଗରେ ନୁହେଁ; ଯେକୌଣସି ଓଡ଼ିଆ ଭଦ୍ରଲୋକ ବା ଭଦ୍ରମହିଳା ସହିତ କଥାବର୍ତ୍ତା ହେବାର ସୁଯୋଗ ପାଇଲେଇ ଓଡ଼ିଆ କହିବାକୁ ଚେଷ୍ଟା କରନ୍ତି ।

 

ମୁଁ ଶିଖିଥିଲି ଜନ୍‌କିଙ୍ଗ୍‌ଙ୍କ ଠାରୁ ଦୁଇଟି ଜିନିଷ । ଗୋଟିଏ ସାଗାରେଟ; ଅନ୍ୟଟି ଫ୍ରେଞ୍ଚ୍‌ଭର୍‌ମୁଥ୍‌ ! ହଁ, ବାସ୍ତବିକ ସେଇ ମୋତେ ପ୍ରଥମ କରି ପରିଚିତ କରେଇ ଦେଇଥିଲେ ଉକ୍ତ ଦୁଇଟି ଜିନିଷ ସାଙ୍ଗରେ ।

 

ଜନ୍‌କିଙ୍ଗ୍‌ କହୁଥିଲେ–ଏଇ ଦି’ଟା ଜିନିଷକୁ ଭଲଭାବେ ଚିହ୍ନି ରଖିଥାଅ ବିଜୟ । କାଚ ଗ୍ଲାସ ଭିତରେ ଢଳ ଢଳ ପ୍ରାଣବନ୍ତ ଏଇ ଯୋଉ ତରଳ-ବିସ୍ମୟ, ସାରା ଦୁନିଆଁ ଯଦି କେବେ ତମ ସାଙ୍ଗରେ ବିଶ୍ୱାସ-ଘାତକତା କରେ, ତେବେ ୟା’ରି ପାଖରେ ମିଳିପାରିବ ନିଶ୍ଚିତ, ନିର୍ଭର ଆଶ୍ରୟ ! ନିଜ ଭିତରେ ନିଜକୁ ଲୀନ କରେଇବା ପାଇଁ ଏହାଠାରୁ ଅନ୍ୟ କେହି ବେଶୀ ସାହାଯ୍ୟ କରି ପାରିବନି ।

 

ଆରଟି ସିଗାରେଟ । ମନେ ରଖ ବିଜୟ, When you are alone, cigarette is your best friend ! ଏକୁଟିଆ କୋଉଠି ବସିଛ, ଏଇ ଦବ ସହଚର୍ଯ୍ୟ ! ନିର୍ଜ୍ଜନତାରେ ପରମ ବନ୍ଧୁ ଏ । ଏଇ ଦି’ଟା ଜିନିଷ ଯଦି ସବୁବେଳେ ପାଖରେ ଅଛି, ଦୁନିଆଁରେ କାହାରିକି କେଆର୍‌ କରିବା ଦରକାର ନାହିଁ ।

 

ବାସ୍ତବିକ, ପରବର୍ତ୍ତୀ ଜୀବନରେ ଜନ୍‌କିଙ୍ଗ୍‌ଙ୍କ ଉପଦେଶ ଖୁବ୍‌ କାମରେ ଲାଗିଥିଲା । ମୋର ପରମ ଆଶ୍ରୟ ଆଉ ଚରମ ନିର୍ଭର ହେଇଥିଲା ସେଇ ଦୁଇଟି ଜିନିଷ ! ସମସ୍ତେ ଭୁଲ୍‌ ବୁଝିଲେ ...ଦୂରେଇ ଗଲେ ....ମୁଁ ବି ସେମାନଙ୍କୁ ଛାଡ଼ି ଦେଲି । କିନ୍ତୁ କେବଳ ସେଇ ଦୁଇଟିକୁ ମୁଁ ଛାଡ଼ି ପାରିଲିନି, କି ସେଇ ଦୁଇଟି ମୋତେ ଛାଡ଼ି ପାରିଲେନି ।

 

ମଞ୍ଜୁ ଭାଉଜ, ଜନ୍‌କିଙ୍ଗ୍‌ ଓ ମୋ ଭିତରେ ଯେଉଁ ସମ୍ପର୍କ ଧୀରେ ଧୀରେ ଗଢ଼ି ଉଠୁଥିଲା, ସେଥିରେ କେହି କାହାରିକୁ ଭୁଲ୍‌ ବୁଝିବାର ପ୍ରଶ୍ନଇ ଥିଲାନି ।

 

କିନ୍ତୁ, ତଥାପି .....

 

ଡିନାର ପରେ ମୋତେ ମୋର ଶୋଇବା ଘର ଦେଖାଇ ଦେଇ ‘ଗୁଡ୍‍ ନାଇଟ୍‌’ ଉଇସ୍‌ କରି ନିଜର ବେଡ୍‍ ରୁମ୍‌ ଭିତରକୁ ପଶିଯାଇ ସେମାନେ ଯେତେବେଳେ କବାଟ ବନ୍ଦ କରି ସୁଇଚ୍‌ ଅଫ୍‌ କରୁଥିଲେ, ସେତେବେଳେ କେବଳ ରେଲ୍‌-ଷ୍ଟେସନ୍‌, ପୋଲିସ୍‌ କଲୋନୀ, କଚେରୀ, ହସ୍‌ପିଟାଲ ଓ ଅନ୍ୟ କେତେକ ସରକାରୀ ଅନୁଷ୍ଠାନକୁ ବିଜୁଳି ଲାଇନ୍‌ ଦିଆ ହେଇଥିଲା । ସର୍ବସାଧାରଣଙ୍କ ପାଇଁ ....ଇମିତିକି ରାସ୍ତାର ଲାଇଟ୍‌ ପୋଷ୍ଟ ପାଇଁ ବି ବିଜୁଳି ଆଲୁଅ ନଥିଲା ଆମ ସହରରେ) ସେତେବେଳେ ହଠାତ୍‌ ଯେପରି ମୁଁ ଠିକ୍‌ ବୁଝି ପାରିନି–ସୁଇଚ୍‌ ଅଫ୍‌ କରିବାର ‘ଠକ୍‌’ ଶବ୍ଦଟି ମୋ ଛାତି ଭିତରେ ଖଚ୍‌କରି ଲାଗୁଥିଲା !

 

ଜନ୍‌କିଙ୍ଗ୍‌ ଥିଲେ ଏକ ନିର୍ବିକାର ପୁରୁଷ । ମୋରି ଆଗରେ ସେ ବେଳେ ବେଳେ ମଞ୍ଜୁ ଭାଉଜକୁ କୋଳକୁ ଟାଣିନେଇ ତା’ର ଆପେଲ୍‌-ପେଲବ ଚିବୁକରେ ଢାଳି ଦେଉଥିଲେ ଅଜସ୍ର ପ୍ୟାସୋନେଟ୍‌ ଚୁମ୍ବନ ! ଖାଲି କ’ଣ ସେତିକି ? ଆହୁରି ଅନେକ କିଛି ବି କରୁଥିଲେ, ଯାହା ସେଇ ବୟଃସନ୍ଧି ଅବସ୍ଥାରେ ମୋର ଅପରିଣତି ମନ ଭିତରେ କୋଟିଏ ଉନ୍ମାଦନାର ବୀଜ ବୁଣିଦେଇ ସୁପ୍ତ ଯୌନ-ଚେତନାକୁ ଜର୍ଜ୍ଜରିତ କରୁଥିଲା ନିଷ୍ଠୁର କକ୍ଷାଘାତରେ !

 

ମୋ ବିଷୟରେ ଜନ୍‌କିଙ୍ଗ୍‌ କ’ଣ ଭାବୁଥିଲେ ଜାଣେନା । ଜାଣେନା, ତାଙ୍କର ମୋ ପ୍ରତି କି ଧାରଣା ଥିଲା । କିନ୍ତୁ, ଏତିକି ଜାଣି ପାରୁଥିଲି, ଉପଲବ୍ଧି କରି ପାରୁଥିଲି, ଅନୁଭବ କରି ପାରୁଥିଲି ଯେ, ମୁଁ ଆଉ ପିଲା ନୁହେଁ । ଜନ୍‌କିଙ୍ଗ୍‌ଙ୍କ ପ୍ରତି ପ୍ରଚ୍ଛନ୍ନ ଈର୍ଷା-ଭାବ ମୋ ମନ ଭିତରେ କ୍ରମେ କ୍ରମେ କାୟା ବିସ୍ତାର କରି ଉଠୁଥିଲା ! ହଁ, କ୍ରମେ କ୍ରମେ.....

 

କିଛି ଦିନ ପରେ, ସବୁବେଳେ ମଞ୍ଜୁ ଭାଉଜକୁ ଏକୁଟିଆ ପାଇବାକୁ ମୋର ଇଚ୍ଛା ହେଲା-। ବଟ୍‌ଲର୍‌, ବବୁର୍ଚ୍ଚି, ଡ୍ରାଇଭର ବା ମାଳୀ....କେହି ସେତେବେଳେ ଆସି ପହଞ୍ଚି ଗଲେ ମୋତେ ଭାରି ବିରକ୍ତ ଲାଗେ । କୌଣସି ‘ତୃତୀୟ’ର ଉପସ୍ଥିତି ମୁଁ ସହ୍ୟ କରି ପାରିଲିନି; ଏପରିକି ଜନ୍‌କିଙ୍ଗ୍‌ର ବି ନୁହେଁ । ସବୁବେଳେ ଖାଲି ମୁଁ ଆଉ ମଞ୍ଜୁ ଦୁହେଁ ବସି ଗପ କରୁ ଥାଆନ୍ତୁ....ଆଉ କେହି ଆସି ‘ଡିସ୍‌ଟାର୍ବ’ କରନ୍ତେନି–ଏଇଆ ମୋର ଇଚ୍ଛା ।

 

କିନ୍ତୁ ସେଇଟା ସବୁବେଳେ ସମ୍ଭବ ନ ଥିଲା ।

 

ତିନିହେଁ ଗାଡ଼ି ନେଇ ଚାନ୍ଦିନୀ ରେତିରେ ସହରର ସୀମା ପାରି ହେଇ ଟ୍ରଙ୍କରୋଡ଼ ଧରି କୁଆଡ଼େ ନାହିଁ କୁଆଡ଼େ ଛୁଟୁଥିଲୁଁ ।

 

ସେତେବେଳେ କେତେ ଗପ, କେତେ କଥା, କେତେ ହସ ଖୁସି ଚାଲେ ସେମାନଙ୍କ ଭିତରେ । କିନ୍ତୁ ମଝିରେ ବ୍ୟବଧାନ ସୃଷ୍ଟି କରି ବସିଥିଲେ ସୁଦ୍ଧା ମୁଁ ସେଥିରୁ ବାଦ୍‌ପଡ଼ି ଯାଉଥିଲି-। ଯୋଗ ଦେଇ ପାରୁ ନଥିଲି । କାରଣ, ବେଶୀଥାଏ ସେଥିରେ ଇଂଲେଣ୍ତ ଅକ୍ସଫୋର୍ଡ଼ ବିଦ୍ୟାଳରେ ବିଗତ ଛାତ୍ର-ଜୀବନର ସ୍ମୃତି, ଆଉ .....ସେମାନଙ୍କ ପ୍ରବାସୀ ବନ୍ଧୁ-ବାନ୍ଧବୀମାନଙ୍କ କଥା !

 

ସେସବୁ ବିଷୟ-ବସ୍ତୁରେ ମୁଁ ବା କିମିତି ଯୋଗ ଦେଇ ପାରିବି ! କ’ଣ ମୁଁ ଜାଣେ ସେ ବିଷୟରେ ? କ’ଣ ବା ବୁଝିବି ସେଥିରୁ ? ବାଧ୍ୟ ହେଇ ବସି ରହେଁ ଚୁପ୍‌କରି, ହଂସ ମଝିରେ ବଗ ପରି !! ବସି ରହେ ଘଣ୍ଟା ପରେ ଘଣ୍ଟା ନୀରବ ହେଇ ! ଭାରୀ ଅଭିମାନ ଆସେ ମନରେ । ଖୁବ୍‌ ରାଗ ହୁଏ ମଞ୍ଜୁ ଭାଉଜ ଉପରେ । ଦୁଃଖରେ କାନ୍ଦିବାକୁ ଇଚ୍ଛା ହୁଏ ! ଇମିତି କିଛି କଥା ନେଇ ସେମାନେ ତ ଆଲୋଚନା କରି ପାରନ୍ତେ, ଯୋଉଥିରେ ମୁଁ ବି ଯୋଗ ଦେଇ ପାରନ୍ତି !

 

ନାଃ, ଆଉ ନୁହେଁ । ଆଉ ଏମାନଙ୍କ ସାଙ୍ଗରେ କେବେହେଲେ ବୁଲିବାକୁ ଆସିବିନି । ଭାରି ସ୍ୱାର୍ଥପର ! ଖାଲି ନିଜକଥା ଜାଣନ୍ତି । ମୁଁ ଯେ ପାଖରେ ବସିଚି, ଟିକିଏ ଖିଆଲ ବି ନାହିଁ ! କାଲିଠାରୁ ଏଙ୍କ ଘରକୁ ଆଉ ଆସିବିନି । ଏମାନେ ଆମ ଘରକୁ ଗଲେ ଭିତରେ ଲୁଚିବି; ଆସିବିନି ନା ଦେଖା ଦେବିନି କି କଥା କହିବିନି ।

 

କିନ୍ତୁ ପର ମୁହୂର୍ତ୍ତରେ ନିଜର ବୋକାମି ବୁଝିପାରି ଲଜ୍ଜିତ ହୁଏଁ । ହାୟ, କି ମୂର୍ଖ ମୁଁ ! କାହା ଉପରେ ଏ ଅକାରଣ, ବ୍ୟର୍ଥ ଅଭିମାନ ? ମଞ୍ଜୁ ଭାଉଜ ଉପରେ ?

 

ହୁଁ ! ମଞ୍ଜୁ ଭାଉଜ ମୋର କିଏ ? ମଞ୍ଜୁ ଭାଉଜ ସାଙ୍ଗରେ ବାସ୍ତବିକ ମୋର ସମ୍ପର୍କ ବା କ’ଣ ? ତା’ ଘର କେଉଁଠି, ଆଉ ମୋ ଘର ବା କେଉଁଠି ? କେତେଦୂର ଟେସ୍‌ସରୁ ସାଳନ୍ଦୀ.....

 

ମୁଁ ଅଭିମାନ କରି ରହିଲେ କ’ଣ କ୍ଷତିଟା ହେଇଯିବ ତା’ର ? ସେ ବା କାହିଁକି କେଆର କରିବାକୁ ଯିବ ମୋର ନିରର୍ଥକ ଅଭିମାନକୁ । ଯାହା ଉପରେ କିଛି ଅଧିକାର ଥାଏ, ତା’ ଉପରେ ସିନା ଅଭିମାନ କରାଯାଏ ! କି ଅଧିକାର ଅଛି ମୋର ମଞ୍ଜୁ ଭାଉଜ ଉପରେ ?

 

‘ଅଧିକାର’ ହୁଏତ ନ ଥିଲା, କିନ୍ତୁ ତାଙ୍କପ୍ରତି ମୋର ଥିଲା ଗୋଟାଏ ଦୁର୍ବାର ଆକର୍ଷଣ ! ଆଉ, ସେଇ ମୋହରେ ସେ ବୋଧହୁଏ ମୋତେ ବାନ୍ଧି ରଖିଥିଲେ ।

 

ଯୋଉ ରୂପ ଆଜି ସାରା ସହରର ତରୁଣୀମାନଙ୍କ ମର୍ମବେଦନାର କାରଣ, ସେଇ ଜ୍ୱଳନ୍ତ ରୂପକୁ ଚାହିଁ ମୁଁ ବିଦଗ୍‌ଧ ହୁଏଁ । ଉଃ କି ଅଦ୍ଭୁତ ସୁନ୍ଦର ସେ ନବନୀତ ଦେହ ! ବାଦାମୀ ରଙ୍ଗର ଢେଉକୁ ଲାଲ୍‌ ଫିତାରେ ମଥା ଉପରେ ଯେପରି ବାନ୍ଧି ରଖିଛନ୍ତି ! ସମୁଦ୍ର ଭଳି ସୁନୀଳ, ଗଭୀର ଓ ରହସ୍ୟମୟ ସେଇ ଯୋଉ ଚକ୍ଷୁ ତାରା ଦୁଇଟି, ସବୁ ମିଶି ଗୋଟିଏ କଥାରେ–ମଞ୍ଜୁ ଭାଉଜ ମୋର ଧରା ମଧ୍ୟରେ ଅଧରା, ରୂପ ମଧ୍ୟରେ ଅପରୂପା, ତୁଳନା ମଧ୍ୟରେ ଅତୁଳନୀୟା !

 

କିନ୍ତୁ ଗୋଟିଏ ଅଭାବ ଆଖିରେ ପଡ଼େ ! ଘରେ ମୋର ଭାଉଜମାନେ ସବୁ ଅଳତା ପିନ୍ଧୁଛନ୍ତି; ମଞ୍ଜୁ ଭାଉଜ ପାଦରେ ତ ଅଳତା ନାହିଁ । ଆହା, ଅଳତା ପିନ୍ଧିଲେ ନରମ ପଦ୍ମକଢ଼ ପରି ତା’ର ପାଦ ଦୁଇଟି କି ସୁନ୍ଦର ଦିଶନ୍ତା ସତେ !

 

ସେ ଦିନଟି ଥିଲା ରଜ । ରଜ ମଉଜର ଆନନ୍ଦରେ ଉଛୁଳୁଥିଲା ଦୁନିଆ । ସାଇପଡ଼ିଶା ଝିଅଙ୍କ ଗୀତର ଲହଡ଼ିରେ ଚହଲି ଉଠୁଥାଏ ସାଳନ୍ଦୀ କୂଳର ‘ମଧୁବନ’ ତୋଟା ।

 

ବନସ୍ତେ ଡାକିଲା ଗଜ,

ବରଷକେ ଥରେ ଆସିଚି ରଜ ଲୋ

ଘେନି ନୂଆ ସଜବାଜ !

ରାଶିରୁ ଛାଡ଼ିଲା ଚୋପା,

ଗୋଡ଼ରେ ନାଇଛୁ ସରୁ ଅଳତା !

ମଥାରେ ସିନ୍ଦୂର ଟୋପା !

ରଜ ଆସେ ବାରେ ବାରେ,

ଯଉବନ ଆସେ ଜୀବନେ ଥରେ....

ସେ ତ କୁମାରୀ ପରାଣ ଘାରେ !

 

X X X X

 

ବୀଣା ଭାଉଜ ଆଜିକାଲି କପଟ-ଅଭିମାନ କରି ଖୁଣ୍ଟା ଦିଅନ୍ତି ସବୁବେଳେ–ବିଲାତି ଭାଉଜ ପାଇଛ ଆଜିକାଲି ! କାହିଁକି ଆମମାନଙ୍କୁ ଆଉ ପଚାରିବ ?

 

ସେଇ ବୀଣା ଭାଉଜ ଆଜି ହଠାତ୍‌ ସ୍ୱତଃପ୍ରବୃତ୍ତ ହେଇ ପଚାରିଲେ, ତମ ମେମ୍‌ଭାଉଜକୁ ଆମ ଓଡ଼ିଆ ପିଠା ରୁଚିବ କି ବିଜୟ ?

 

କହିଲି–ଟେଷ୍ଟ-ଲେସ୍‌ ଭିଟାମିନ୍‌ ଖାଇ ଖାଇ ସେମାନଙ୍କ ଜିଭ ଯାହା ହେଇଚି, ଏ ସବୁ ତ ତାଙ୍କୁ ଅମୃତ ! ଫାଦର୍‌ ଜନ୍‌ସନ୍‌କୁ ଯଦି ରୁଚିଲା, ମଞ୍ଜୁ ଭାଉଜକୁ ରୁଚିବନି କାହିଁକି ?

 

ଖୁବ୍‌ ବଡ଼ ବଡ଼ ଆରିସା, ସରୁ ଚକୁଳି, ମଣ୍ତା ଆଉ ଏଣ୍ତୁରି ପିଠା ଟିଫିନ୍‌ କ୍ୟାରିୟରରେ ସଜାଇ ଦେଲେ ସେ । ପକେଟ୍‌ ଭିତରେ ଲୁଚାଇ ରଖି ନେଲି ଏଇ ଅବସରରେ ବୀଣା ଭାଉଜଙ୍କ ଅଳତା ଶିଶିଟି । ଚାଲିଲି ସାଇକେଲ୍ ନେଇ ପୋଲିସ କଲୋନୀକୁ ।

 

ପିଠା ଖାଇ ସେ ଦିନ କି ଆନନ୍ଦ ମଞ୍ଜୁ ଭାଉଜର ! ଜନ୍‌କିଙ୍ଗ୍‍ ବି ଖୁସି ହେଇ କହିଥିଲେ, ଏଭଳି ସ୍ୱାଦିଷ୍ଟ କେକ୍‌ ଯୋଉ ଦେଶରେ ମିଳେ, ସେ ଦେଶକୁ ଇଂରେଜ୍‌ ଛାଡ଼ି ଯିବ ଏତେ ସହଜେ !

 

ସମସ୍ତେ ହସି ଉଠିଲୁଁ ।

 

ବାରଟାବେଳେ ଜନ୍‌କିଙ୍ଗ୍‌ ଆମ ସାଙ୍ଗରେ ଲଞ୍ଚ୍‌ ଖାଇଲେ ।

 

ତା’ପରେ, ଗାଡ଼ି ନେଇ ଚାଲିଗଲେ ସର୍କିଟ୍‌ ହାଉସ । ରେଭେନ୍ୟୁ କମିଶନର ଆସିଛନ୍ତି-

 

ଠିକ୍‌ ରଜ-ପାଗ ହେଇଥିଲା ସେ ଦିନ । ସକାଳୁ ଆକାଶଟା ମେଘୁଆ ହେଇ ରହିଚି ।

 

ମୁଁ ଓ ମଞ୍ଜୁ ଭାଉଜ, ଦୁହେଁ ବସିଥିଲୁ ନିରୋଳା ବେଡ୍‍-ରୁମ୍‌ ଭିତରେ । ସେ ତାଙ୍କ ବିଛଣା ଉପରେ; ଆଉ ମୁଁ ତାଙ୍କରି ପାଖକୁ ଲାଗି ଗୋଟିଏ ସ୍ପ୍ରିଙ୍ଗ୍‌ କୁଶନରେ । ବୋଧହୁଏ ସେତେବେଳେ ଆମ ଦୁହିଁଙ୍କ ମନରେ ଥିଲା ଗୋଟିଏ ମାତ୍ର ଚିନ୍ତା, କିପରି ଭାବେ ଏଇ ଅଳସ ମଧ୍ୟାହ୍ନର ସଦ୍‌ବ୍ୟବହାର କରାଯାଇ ପାରେ ।

 

ମଞ୍ଜୁ ଭାଉଜ ଖଣ୍ତେ ସିଗାରେଟ ମୁହଁରେ ଦେଲେ । ମୋତେ ବି ଯାଚିଲେ ।

 

ଲାଇଟର ଜାଳି ନିଆଁ ଧରେଇ ଦେଲି ତାଙ୍କ ସିଗାରେଟରେ । କହିଲି–When a man is alone, cigarette is his best friends ! ବର୍ତ୍ତମାନ ତମେ ମୋ ପାଖରେ ଥିବାରୁ ମୁଁ ତ alone ନୁହେଁ, କ’ଣ ହବ ସିଗାରେଟ ? ହସି ଦେଲି ମୁଁ ।

 

ଟିଣ ଭିତରେ ରଖିଦେଲି ।

 

Oh that’s what John has taught you !

 

ମଞ୍ଜୁ ଭାଉଜ, ଜନ୍‌କିଙ୍ଗ୍‌ଙ୍କୁ ମୋତେ ଭାରି ଭଲ ଲାଗେ ।

 

ହୁଁ ।

 

ତମକୁ ଗାଉନ୍‌ ଅପେକ୍ଷା ଶାଢ଼ି ଭଲ ମାନେ, ସିଗାରେଟ ନ ଟାଣିଲେ ତମେ ଆହୁରି ସୁନ୍ଦର ଦିଶନ୍ତ, ଚମତ୍କାର ମାନନ୍ତା ତମ ମଥାରେ ସିନ୍ଦୁର ଟୋପା....ପାଦରେ ଅଳତା....ଏଇ ସବୁ କହିବାକୁ ଯାଉଥିଲି, ନାଁ କହିବାକୁ ଭାବୁଥିଲି ବୋଧହୁଏ । କିନ୍ତୁ କହି ପକାଇଲି, ‘‘ଜନ୍‌କୁ ତମର କିପରି ଲାଗେ ମଞ୍ଜୁ ଭାଉଜ ?’’

 

ଉଁ ? ମୋ କଥା ମଞ୍ଜୁ ଭାଉଜ ଶୁଣି ପାରିନି । ଆନମନା ହେଇ ଚାହିଁଚି ଝରକା ବାଟେ, ବାହାରର ମେଘାଚ୍ଛନ୍ନ ଆକାଶକୁ । ବଡ଼ ଅନ୍ୟମନସ୍କ ଭାବେ କ’ଣ ଭାବି ଚାଲିଚି ! ନାକ ଓ ମୁହଁରୁ ହଠାତ୍‌ ସେ ଖେଳାଇ ଦେଲା ଧୂଆଁର ପରଦା । ଯୋଜନଗନ୍ଧା ଭଳି ଧୂସର ଧୂମର କୁହେଳିକା ଭିତରେ ପରିବେଷ୍ଟିତା ହେଇ ରହିଗଲା ସେ । କେତେ ମିନିଟ୍‌ ପାଇଁ ଆମ ଦୁହିଁଙ୍କ ଭିତରେ ଏକ ପ୍ରାଚୀର ଗଢ଼ି ଉଠି ପୁଣି ରଙ୍ଗମଞ୍ଚର ଯବନିକା ପରି ଉପରକୁ ଉଡ଼ି ଚାଲିଗଲା ।

 

ମଞ୍ଜୁ ଭାଉଜ !

 

କୁହ ବିଜୟ !

 

ତମେ କ’ଣ ଭାବୁଚ ?

 

ଏଇ ପାଗକୁ କୁହାଯାଏ ହୋମ୍‌-ଓୟେଦର୍‌ !

 

ଆମ ରଜ ପାଗ, ତମର ହୋମ୍‌-ଓୟେଦର୍‌ ! ଆଚ୍ଛା ମଞ୍ଜୁ ଭାଉଜ, ସେଠି କ’ଣ ବର୍ଷ ସବୁବେଳେ ଏଇପରି ମେଘୁଆ ପାଗ ?

 

ପ୍ରାୟ ?

 

ଏ ଓୟେଦର୍‌ ଦେଖି ତମର ‘ହୋମ୍‌’ ମନେ ପଡ଼େ ?

 

ପଡ଼େ ବିଜୟ ।

 

ମୋତେ ହୋମ୍‌ ସମ୍ବନ୍ଧରେ କିଛି ଗୋଟେ ବହି ପଢ଼ିବାକୁ ଦବ ମଞ୍ଜୁ ଭାଉଜ । ମୁଁ ପଢ଼ିବି...

 

ହାତ ବଢ଼ାଇ ସେଲ୍‌ଫରୁ ଖଣ୍ତେ ବହି କାଢ଼ି ଆଣିଲେ ସେ । ନିଅ–‘‘Folk tales of England ?’’

 

ଏ କ’ଣ ? ଏ ତ ପିଲାଙ୍କ ପଢ଼ିବା ବହି; ଶିଶୁ ସାହିତ୍ୟ ! ନାଁ ନାଁ ମୁଁ ନେବି ସେଇ ବହିଟା....କହି କାଢ଼ି ଆଣିଲି ଖଣ୍ତେ ଲାଲ୍‌ କଭରର ବହି, ତା’ ଉପରେ ଗୋଟିଏ ଅର୍ଦ୍ଧ-ନଗ୍ନ ତରୁଣୀର ଛବି । ଓଠରେ ସିଗାରେଟ, ଆଖିରେ କଟାକ୍ଷ ନେଇ ଠିଆ ହେଇଚି ସେ ଲ୍ୟାମ୍ପ-ପୋଷ୍ଟ ତଳେ । ‘‘Evening in London.’’

 

ସେଇ ବହିଟା ? ତମେ କ’ଣ ବୁଝିବ ସେଥିରୁ ? ଟିକିଏ ବ୍ୟଙ୍ଗ ହସ ମଞ୍ଜୁ ଭାଉଜର ଚାହାଣିରେ ! ତମେ ଶିଶୁ ସାହିତ୍ୟ ପଢ଼ ବିଜୟ; ଶିଶୁ ସାହିତ୍ୟ !

 

ପୁଣି ସେ ସିଗାରେଟ ଟାଣି ଚାଲିଲେ ଝରକା ଆଡ଼େ ଚାହିଁ ।

 

ତା’ କଥାରେ କ’ଣ ମୋତେ ଆଘାତ ଦେବାର ଚେଷ୍ଟା ଥିଲା ? ମନେହେଲା, ମଞ୍ଜୁ ଭାଉଜ ଏକ ରହସ୍ୟ, ଏକ ଅବୋଧ୍ୟ ବିସ୍ମୟ ! ବଡ଼ ଅସ୍ୱସ୍ତିବୋଧ କଲି ! ହଁ, ଟିକିଏ ଆହାତ ଦେଇଚି ମୁଁ ।

 

ହଠାତ୍ ସେ ସହଜ ହେଇ ଅନ୍ତରଙ୍ଗ ଗଳାରେ ପଚାରିଲା–ବିଜୟ ! ମୋ ଉପରେ ରାଗିଲ କି ? ଛି ଛି ରାଗ ନାଇଁ । ଏଇ ଓୟେଦର୍‌ଟା କାହିଁକି କେଜାଣି ମୋତେ ‘ହୋମ୍‌’ କଥା ମନେ ପକାଇ ଦେଉଛି । ମନଟା ଅକାରଣେ ଆଜି ଭାରି ଉନ୍ମନା ହେଇ ଉଠୁଚି...... ବ୍ୟାକୁଳ ହେଉ ଉଠୁଚି । ଯଦି ତମକୁ ଆଘାତ ଦେଇଥାଏ ବିଜୟ, ମୋତେ କ୍ଷମାକର ।

 

ନାଁ ନାଁ ମୁଁ ଆଦୌ କିଛି ମନେ କରିନି । ମୁଁ କହିଲି, ଆଚ୍ଛା, ତମେ ଆଜି ମୋତେ ‘ହୋମ୍‌’ର ଗଳ୍ପ ଶୁଣାଅ ମଞ୍ଜୁ ଭାଉଜ । Let us talk about home to-day…..

 

କେତେ କଥା ସେ କହି ଚାଲିଲା । କିନ୍ତୁ ‘ହୋମ୍‌’ର ଭୂଗୋଳ ନୁହେଁ । ତା’ ହୋମ୍‌ ଜୀବନର ଅତୀତ ସ୍ମୃତି, ବିଗତ ଇତିହାସ, ବ୍ୟକ୍ତିଗତ ସୁଖ ଦୁଃଖ ।

 

ମଞ୍ଜୁ ଭାଉଜ ଗରିବ ଘରର ଝିଅ । ମାଆର ଦ୍ୱିତୀୟ ସ୍ୱାମୀର ଅତ୍ୟାଚାରରେ ବିଚାରୀ ସତର ବର୍ଷ ବୟସରୁ ଘର ଛାଡ଼ି ପଳାଇ ଯାଇ ଅକ୍‌ସିଲେରୀ ନର୍ସ ଚାକିରିରେ ଢୁକିଥିଲା । ତା’ପରେ କିପରି ଜନ୍‌ ସାଙ୍ଗରେ ଦେଖା ହେଲା, କିଛିଦିନ ପରେ ଦୁହିଁଙ୍କ ଭିତରେ ବନ୍ଧୁତା କିପରି ଘନିଷ୍ଠତର ହେଇ ଉଠିଲା, ଶେଷରେ କିପରି ସେମାନେ ବିବାହ କଲେ, ସେଇ ସବୁ କଥା .....

 

ଆହୁରି ବି କହିଲା, ଶାଶୁ-ଶ୍ୱଶୁରଙ୍କ ସମ୍ବନ୍ଧରେ । ସେମାନେ ଅବସ୍ଥାପନ୍ନ ଲୋକ । ଖୁବ୍‌ ସ୍ନେହୀ ଓ ହୃଦୟବାନ । ମଞ୍ଜୁ ଭାଉଜର ପ୍ରିୟତମ ଖାଦ୍ୟ ‘ଆଇରିଶ୍‌-ପପି’ ଯତ୍ନର ସହିତ ପ୍ୟାକ୍‌କରି ପାର୍ଶଲରେ ଏଠାକୁ ପଠାଇ ଦିଅନ୍ତି ପ୍ରତିଟି ପର୍ବ-ପର୍ବାଣୀରେ । ଆଦର ଓ ସହାନୁଭୂତି ଖୁବ୍‌ ଅଛି ବୋହୂ ପ୍ରତି । ବିଚାରୀ ଇଣ୍ତିଆରେ ରହିଚି । ଅତି କଦର୍ଯ୍ୟ, ଅସ୍ୱାସ୍ଥ୍ୟକର ଓ ଗରମ ଜାଗା ସେଇଟା-। ତେଣୁ ପ୍ରତି ଚିଠିରେ ଖୁବ୍‌ ତାଗିଦ୍‌କରି ଉପଦେଶ ଦେଇଥାନ୍ତି–ବୋହୂ, ଖାଇବା ପିଇବା ବିଷୟରେ ଖୁବ୍‌ ସାବଧାନ ହେଇ ଚଳିବୁ । ପ୍ରତ୍ୟେକଟି ଖାଦ୍ୟ ପଦାର୍ଥ ଷ୍ଟେରି-ଲାଇଜ୍‌ଡ ବା ଡିସିନ୍‌ଫେକ୍ଟେଡ ନ କରି ଖାଇବୁନି । ଯେତେ ଗରମ ହେଲେ ବି ମୋଜା, ଗ୍ଳୋଭ୍‌ସ ପିନ୍ଧିବୁ; ସେଠି ନାନା ପ୍ରକାର ବିଷାକ୍ତ କୀଟ, ପତଙ୍ଗ ଥାଆନ୍ତି ! ପାଣି ଫୁଟାଇ ପିଇବୁ । ଫୁଟା ପାଣି ଥଣ୍ତା କରି ଗାଧୋଇବୁ । ବିଶେଷତଃ ବଣ-ଜଙ୍ଗଲରେ ଥିବା ଝରଣା, ନଦୀ ବା ହ୍ରଦରେ ଗାଧୋଇବୁନି.....

 

କହୁଁ କହୁଁ ମଞ୍ଜୁ ଭାଉଜ ହସୁଥାଏ । ହସୁଥାଏ ମୁଁ ବି । କି ବିଚିତ୍ର ଧାରଣା ସେମାନଙ୍କର ଇଣ୍ତିଆ ସମ୍ବନ୍ଧରେ ।

 

ଏଇ ଭଳି କଥା ହେଉ ହେଉ କେତେବେଳେ ତା’ ବିଛଣା ଉପରେ ଢୁଳେଇ ପଡ଼ିଲା ମଞ୍ଜୁ ଭାଉଜ । ମୁଁ କିଛି କହିଲିନି, ବିଚାରୀକି ହୁଏତ କ୍ଳାନ୍ତି ଲାଗୁଛି, ଶୋଉ । ସତକୁ ସତ ଶୋଇ ପଡ଼ିଲା ସେ କିଛି ସମୟ ପରେ ......

 

ଗ୍ରୀକ୍‌ ଦେବୀ ମିନାର୍ଭାର ପାଦ ଭଳି ସୁନ୍ଦର, ସୁଗଠିତ, ମାର୍ବେଲ୍‍-ଶୁଭ୍ର, ମସୃଣ ପାଦ ଦୁଇଟି ତା’ର ନଇଁ ଆସିଚି ବିଛଣା ତଳକୁ, ମୋ’ରି ସୋଫା ଆଡ଼େ । ଦର-ବିକଶିତ କୁମୁଦ-କହ୍ଲାର ଯୋଡ଼ିଏ ସେ ଯେପରି ମୋତେ ନିବେଦନ କରି ଦେଇଚି !!

 

ବିନା-କଜ୍ଜ୍ୱଳରେ ବି କେଡ଼େ ସୁନ୍ଦର ଓ ମୋହମୟ ଦିଶୁଥିଲା ମୁଦ୍ରିତ, ଗୁରୁ-ପକ୍ଷ୍ମଳ, ଆୟତ ଚକ୍ଷୁ । ଏଇ ସୁନ୍ଦରୀ ପାଇଁ ଆଜି ସାରା ସହର ପାଗଳ ! ଏତିକି କ’ଣ ମୋ ପକ୍ଷରେ ଯଥେଷ୍ଟ ନୁହେଁ ଯେ, ଆଉ କିଛି ନ ହେଉ–ଅନ୍ତତଃ ଏହାର ସାନ୍ନିଧ୍ୟ ମୁଁ ପାଇ ପାରୁଛି ?

 

ହଁ, କେବଳ ମଞ୍ଜୁ ଭାଉଜ ପାଇଁ ତ ମୁଁ ଆଜି ହେଇଚି ବହୁ ଇର୍ଷୁକ ଦୃଷ୍ଟିର ଶରବ୍ୟ ! କିନ୍ତୁ ଅନ୍ୟମାନେ ତାକୁ ଯୋଉ ଆଖିରେ ଦେଖନ୍ତି, ମୁଁ କ’ଣ ସେଇ ଆଖିରେ ଦେଖେ ! ଆତ୍ମ ବିଶ୍ଳେଷଣ କଲି, ମନକୁ ପ୍ରବୋଧ ଦେଲି; ନାଁ ମୋର ଦୃଷ୍ଟିକୋଣ ସେମାନଙ୍କଠାରୁ ଭିନ୍ନ ।

 

ତଥାପି କାହିଁକି ଭୟ ହେଲା, ଦିନେ ହୁଏତ ୟାକୁ ଭୁଲ୍‌କରି ଭଲପାଇ ବସିବି, ଯଦି ଏଇ ଭଳିଆ ମିଳାମିଶା କରି ଚାଲେଁ !

 

ଦୈବାତ୍‌ ଯଦି ସେଇଆ କରି ବସେ ! ତେବେ ?

 

ମଞ୍ଜୁ ଭାଉଜ ସାଙ୍ଗରେ ମିଳାମିଶା ବନ୍ଦ କରି ଦେବିକି ?

 

ମନ ଭିତରୁ କିଏ କହି ଉଠିଲା–ନା ତୁ ତା’ ପାରିବୁନି । ତୁ ନିଜକୁ ହଜେଇ ଦେଇ ସାରିଛୁ, ମଜେଇ ଦେଇ ସାରିଛୁ । ଏଇ ମାୟାବିନୀଠାରୁ ମୁକ୍ତି ପାଇବାର ଆଉ କୌଣସି ଉପାୟ ନାହିଁ ତୋର !

 

ନା ନା ଭୁଲ୍‍ ଭୁଲ୍‌ । ମଞ୍ଜୁ ଭାଉଜ ମାୟାବିନୀ ନୁହେଁ, ଏକାନ୍ତ ସ୍ନେହଶୀଳା ସେ ଏକ ନାରୀ ଆସିଚି ମୋ ଜୀବନରେ; ସମସ୍ତ ସ୍ନେହ ତା’ର ଉଜାଡ଼ି ଦେଇଚି ମୋ ଉପରେ । ମୁଁ ତାକୁ ଭଲପାଏ । ପୁଣି ଭାବିଲି, ହଁ ଭଲ ତ ପାଏଁ କିନ୍ତୁ ଭଲ ପାଉଁ ପାଉଁ ଯଦି ହଠତ୍‌ ତାକୁ ଭଲ ଭାବରେ ପାଇବାକୁ ଚାହିଁ ବସେ, ତେବେ ?

 

ଦିନେ ମଞ୍ଜୁ ଭାଉଜକୁ ଏଇ କଥାଟା ଗଳ୍ପ ଛଳରେ ପଚାରି ଦେବି କି ?

 

ପଚାରନ୍ତି–ଗୋଟିଏ କଥା ପଚାରିବି ମଞ୍ଜୁ ଭାଉଜ, ତମର ମତାମତ ଦେବ ?

 

ସେ ତ କହନ୍ତା–ନିଶ୍ଚୟ; କିନ୍ତୁ କି କଥା ?

 

ମୋର ଜଣେ ବନ୍ଧୁ......ଗୋଟିଏ ସମସ୍ୟାରେ ପଡ଼ିଚି । ମନେକର କୌଣସି ଜଣେ ଭଦ୍ର ମହିଳାକୁ ସେ ‘ଭାଉଜ’ ବୋଲି ଡାକେ, ଭକ୍ତି ବି କରେ । କିନ୍ତୁ ହଠାତ୍‌ ସେ ଦିନେ ଆତ୍ମବିଶ୍ଳେଷଣ କରି ଆବିଷ୍କାର କଲା ଯେ, ପ୍ରକୃତରେ ସେ ସେହି ମହିଳାର ପ୍ରେମରେ ପଡ଼ି ଯାଇଚି । ତେବେ....ଏଭଳି ପରିସ୍ଥିତିରେ ତା’ର କ’ଣ କରିବା ଉଚିତ ? କଥାଟା ସେ ତାଙ୍କୁ ଜଣାଇ ଦେବା ଉଚିତ ହେବ କି ? ଜଣାଇ ଦେଇ ପରାମର୍ଶ ମଗିବା ଉଚିତ ହେବ, ନା କିଛି ନ ଜଣାଇ ଚୁପ୍‌ଚାପ୍‌ ଦୂରକୁ ଅପସରି ଯିବ ? କ’ଣ କରିବା ତା’ର ଉଚିତ ?

 

ଧେତ୍‌, ଛି ଛି ଛି ଛି; କି ଉଦ୍ଭଟ ଅବାନ୍ତର କଥାଗୁଡ଼ାଏ ଭାବି ଚାଲିଚି ମୁଁ ? ମୋର କ’ଣ ମଥା ଖରାପ ହେଇଗଲାଣି ? ଏଇ ସବୁ ବାଜେ କଥା ମୋ ମନ ଭିତରକୁ ଆସୁଚି ବା କିମିତି ?

 

ଆହା ! ତୁଳୀତଳ୍ପ ଶୁଭ୍ର ଶଯ୍ୟା ଉପରେ ଶୋଇ ପଡ଼ିଚି ମଞ୍ଜୁ ଭାଉଜ ମୋର ! ଠିକ୍‌ ଯେପରି କ୍ଷୀରାବ୍‌ଧିରେ ଶାୟିତା ଲକ୍ଷ୍ମୀ ଦେବୀ ! ଏ ସେଇ ସୌନ୍ଦର୍ଯ୍ୟ ଯାହାକୁ ସାରା ଜୀବନ ଅପଲକ ଆଖିରେ ଚାହିଁ ରହିଲେ ବି ସାଧ ମେଣ୍ଟିବନି । ଏ ସେଇ ସୌନ୍ଦର୍ଯ୍ୟ, ଯାହାକୁ ସ୍ପର୍ଶ କରିବାର ନୁହେଁ, ଖାଲି ଚାହିଁ ଚାହିଁ ଆନନ୍ଦ ପାଇବା କଥା ! ଏହା ଉପଭୋଗ ପାଇଁ ନୁହେଁ, ଅନୁଭବ ପାଇଁ, ଏଇ ସୌନ୍ଦର୍ଯ୍ୟକୁ ଭକ୍ତି କରିବାର କଥା, ପୂଜା କରିବାର କଥା, ହୁଏତ ଅର୍ଚ୍ଚନା କରିବାର କଥା !

 

କିନ୍ତୁ ଯୋଉମାନେ ଏହାରି ପାଇଁ ପାଗଳ, ଯୋଉମାନେ ଅକାରଣେ ଈର୍ଷା କରନ୍ତି ମୋତେ...ସେମାନେ କ’ଣ ବୁଝିବେ, ସେମାନେ ଯେପରି ଚନ୍ଦ୍ରକୁ ଦୂରରୁ ଚାହିଁ ରହିଛନ୍ତି–ମୁଁ ବି ଠିକ୍‌ ସେଇପରି ଅତି ନିକଟରୁ ଚାହିଁ ରହିଚି ? ହଁ, ଖାଲି ଚାହିଁ ରହିଚି । ବେଶ୍‌ ସେତିକି । ନାଁ ଚନ୍ଦ୍ର ମଣ୍ତଳରେ ବିହାର କରିଛନ୍ତି ସେମାନେ–ନାଁ ପାରିଚି ମୁଁ ?

 

ଅକାରଣ, ଅହେତୁକ ସେମାନଙ୍କର ଈର୍ଷା ।

 

ବାସ୍ତବିକ ମଞ୍ଜୁ ଭାଉଜ ପାଖରେ ଥିବାବେଳେ ମୁଁ କ’ଣ ନିଜକୁ ହତଭାଗ୍ୟ ମନେ କରିନି ବେଳେ ବେଳେ ? ମନେ ହେଇନି, ପୃଥିବୀର ଚରମ ଆନନ୍ଦ, ପରମ ଐଶ୍ୱର୍ଯ୍ୟ ରହିଚି ମୋ’ରି ଅତି ନିକଟରେ; ତଥାପି ନାହିଁ ତାକୁ ଉପଭୋଗ କରିବାର.....ଏପରି କି ସ୍ପର୍ଶ କରିକାର ତିଳେମାତ୍ର ଅଧିକାର ???

 

ଅଥଚ ଦୁର୍ଭାଗ୍ୟ ମୋର, ସ୍କୁଲରେ କେତେକ ବୟସ୍କ ଛାତ୍ର ଓ କେତେ ଜଣ ଯୁବକ ଆସିଷ୍ଟାଣ୍ଟ୍‌ ଟିଚର୍‌ ବି ମୋତେ ଆଜିକାଲି ମଞ୍ଜୁ ଭାଉଜ ବିଷୟ ନେଇ ଘୂରାଇ-ଫେରାଇ ଏଣୁତେଣୁ ପଦେ ଅଧେ ଟାହିଟାପରା କରିବାକୁ ଛାଡ଼ୁ ନାହାନ୍ତି । ଯଦିଓ ମୁଁ ବୁଝୁଥିଲି, ସେ-ସବୁ ଖାଲି ଈର୍ଷା-ପ୍ରସୂତ (ଯାହା ଭାବି ଭାବି ସେମାନେ ଆନନ୍ଦ ପାଉଛନ୍ତି; ପ୍ରକୃତ ପରିସ୍ଥିତିଟା ଜାଣି ପାରିଲେ ବରଂ ଦୟା କରନ୍ତେ ମୋ ଉପରେ; ଈର୍ଷା ଆଉ କରନ୍ତେନି) ତଥାପି ସେଇ ଟାହିଟାପରା ଶୁଣି ମୋ ମନରେ ରାଗ ପରିବର୍ତ୍ତେ କ’ଣ ସାମାନ୍ୟ ଟିକିଏ ଆନନ୍ଦ...ସାମାନ୍ୟ ଟିକିଏ ଆତ୍ମ-ପ୍ରସାଦ ଜାତ ହେଉ ନ ଥିଲା ? ମନରେ ଆସୁ ନ ଥିଲା ଟିକିଏ ପ୍ରଚ୍ଛନ୍ନ ଗର୍ବ ?

 

ନିଶ୍ଚୟ ଆସୁଥିଲା । ନଚେତ୍‌ ମୋର ବନ୍ଧୁ ହରିଶ୍‍ ଓ ନିର୍ମଳ....ସେଇମାନଙ୍କ ବିରୁଦ୍ଧରେ ହେଡ଼୍‌ ମାଷ୍ଟରଙ୍କୁ ରିପୋର୍ଟ କରିବାକୁ ବାରମ୍ବାର ପରାମର୍ଶ ଦେଲେ ବି ସେମାନଙ୍କ କଥା ମୁଁ ଏଡ଼ି ଦେଉଥିଲି କାହିଁକି ?

 

କ୍ଷୀରାବ୍‌ଧିରେ ଶାୟିତା ସେଇ ଲକ୍ଷ୍ମୀ ଦେବୀକୁ ଚାହିଁ ରହିଲି ନିର୍ବାକ, ନିଷ୍ପଲକ ଆଖିରେ-! ଏତିକିବେଳେ ପୋଲିସ କଲୋନୀର ନିକଟତମ କ୍ୱାଟରରୁ କାହାରି ରେଡ଼ିଓର ଆମ୍ପ୍ଳିଫାୟାର ଭେଦ କରି ଭାସି ଆସିଲା ମୃଦୁ ସ୍ୱରର ଲହରୀ–

 

ଜାନି ଜାନି ଗୋ ପ୍ରିୟା,

ଏ ଜୀବନେ ମିଟିବେନା ସାଧ୍‌ !

ଆମି ଜଲେର୍‌ କୁମୁଦ

ତୁମି ଦୂର ଗଗନେର୍‌ ଚାନ୍ଦ୍‌;

ତବୁ ଚାନ୍ଦ୍‌ କୁମୁଦେର୍‌ କେନ ରଟେ ଅପବାଦ ?

ଜାନି, ଏ ଜୀବନେ ମିଟିବେନା ସାଧ୍‌ !

 

ସପ୍ତ-ସାଗର ସେ ପାରିର କେଉଁ ଅଜଣା ରାଇଜରୁ....ମୋ’ରି ମରମ ତଳର କାହାଣୀ ନେଇ ବହି ଆସୁଚି ସତେ ଅବା ସେଇ ସଙ୍ଗୀତର ମୂର୍ଚ୍ଛନା !

 

କାନ୍ଦେ ଆମାର୍‌ ଦେବାଳୟ ଶୂନ୍ୟ ହିୟା,

ସକଲେ ବଲେ ତୁମି ଆମାରି ପ୍ରିୟା !

 

ସେଇ କଲଙ୍କେର ଗୌରବ-ସୌରଭ

ଦାଓଗୋ ଆମାକେ...

 

କିନ୍ତୁ ଗୀତଟା ଠିକ୍‌ ସେଇଠି ମିଳେଇ ଗଲା । ହଠାତ୍‌ ବୋଧହୁଏ କେହି ରେଡ଼ିଓ ବନ୍ଦ କରି ଦେଇଚି !

 

ଝରକା ସେ ପାଖେ ପୁଷ୍ପିତା କୃଷ୍ଣଚୂଡ଼ାର ସମାରୋହ ! କ’ଣ ଭାବି ଚାଲି ଗଲି ପାଖକୁ । ରେଲିଂ ଭିତରେ ହାତ ବଢ଼ାଇ ଅନେକଗୁଡ଼ିଏ ଫୁଲ ତୋଳି ଆଣିଲି ଆଉ ବିଞ୍ଚାଡ଼ି ଦେଲି ତା’ର ସାରା ଦେହରେ....ବିଛଣା ଉପରେ ।

 

ସୁନ୍ଦର ! ବ୍ୟର୍ଥ ପ୍ରତୀକ୍ଷାର ଅଭିମାନ ନେଇ ଅବା ଶୋଇ ପଡ଼ିଚି ଫୁଲ ଶେଯରେ ଏକ ନାୟିକା !! କ୍ଷୀରାବ୍‌ଧିରେ ଶାୟିତା ଲକ୍ଷ୍ମୀ ଦେବୀ ନୁହେଁ, ପୁଷ୍ପ ଶଯ୍ୟାର ଅଭିସାରିକା ଏ !

 

କାଢ଼ିଲି ଅଳତା ଶିଶି ଆଉ ତୁଳୀ ।

 

ସେଇଠି ବସି, ମଞ୍ଜୁ ଭାଉଜର ପାଦପଦ୍ମ ଦୁଇଟି କୋଳ ଉପରେ ଥୋଇ ନିପୁଣ ଶିଳ୍ପୀ ପରି ପିନ୍ଧାଇ ଦେଲି ଅଳତା, ସେଇ ପାଦରେ; ଛୋଟ ଛୋଟ ଆଙ୍ଗୁଳିରେ, ବେଦନା ମଞ୍ଜି ପରି ସେଇ କୋମଳ ନଖପନ୍ତିରେ ! ଭାବୁଥିଲି, ଜନ୍ମ ଜନ୍ମାନ୍ତର ସେଇ ସୁନ୍ଦର ପାଦ ଦୁଇଟି କୋଳରେ ଧରି ଏହିପରି ବସି ଥାଆନ୍ତି ଆଉ ଅଳତା ପିନ୍ଧାଇ ଦେଉ ଥାଆନ୍ତି ! ଭାଙ୍ଗନ୍ତା ନାହିଁ ମଞ୍ଜୁ ଭାଉଜର ଏ ଗହନ ନିଦ, ସରନ୍ତା ନାହିଁ ମୋର ଅଳତା ପିନ୍ଧାଇବା...ଆଉ ସରିବା ଆଗରୁ ମୂର୍ତ୍ତିମାନ ବିଘ୍ନ ପରି ହଠାତ୍‌ ଘରକୁ ଫେରି ଆସନ୍ତେ ନାହିଁ ଜନ୍‌କିଙ୍ଗ୍‌ !

 

କିନ୍ତୁ ଯାହା ନ ହେବା ଚାହୁଁଥିଲି, ସେଇଆ ହେଲା ଶେଷରେ ।

 

ବାହାରେ ଜିପ୍‌ ରହିବାର ଶବ୍ଦ ।

 

ନିଶ୍ଚୟ ସେ ଫେରିଛନ୍ତି !

 

କି ଲଜ୍ଜା ! ଅଳତା ଶିଶିଟା ଧରି ଧାଇଁ ପଳାଇଲି ଆଟେଚ୍‌ଡ ବାଥ୍‌ ରୁମ୍‌ ଭିତରକୁ । କିନ୍ତୁ ତା’ପରେ ମନେ ପଡ଼ିଲା–ଆରେ ଯାଃ, ତୁଳୀଟା ଯେ ଛାଡ଼ି ଆସିଚି ସେଇଠି !

 

ଜନ୍‌କିଙ୍ଗ୍‌ ଘର ଭିତରକୁ ପଶି ହୋ ହୋ ହୋଇ ହସି ଉଠିଲେ ! ହ୍ୟାଲୋ ଡାର୍ଲିଂ ! ତମେ ଯେ ବେଶ୍‌ ଶୋଇ ଯାଇଛ ଫୁଲର ବିଛଣାରେ !! କ’ଣ କ୍ଳିଓପାଟ୍ରା ପରି.....

 

ମଞ୍ଚୁ ଭାଉଜର ନିଦ ଭାଙ୍ଗିଗଲା । ଉଠି ବସିଲା ସେ । ଆରେ ଏ ସବୁ କ’ଣ ? ଏତେ ଫୁଲ !! ଆଉ, ମୋ ପାଦରେ ଇମିତି ଅଳତା ପିନ୍ଧେଇଲା ବା କିଏ ? କଣ୍ଠରେ ତା’ର ଫୁଟିଉଠି ଆଶ୍ଚର୍ଯ୍ୟ ଓ ବିସ୍ମୟ ! ତା’ପରେ ଫିକ୍‌କରି ହସିଦେଲା । କହିଲା, ନିଶ୍ଚୟ ଏ ସବୁ ବିଜୟର କାଣ୍ତ ! ତା’ଛଡ଼ା ଆଉ କିଏ....

 

ଜନ୍‌କିଙ୍ଗ୍‌ ପ୍ରାଣ ଖୋଲା ହସ ହସି ତୁଳୀଟା ଉଠାଇ ନେଲେ । ଏଟା ପକାଇ ଦେଇ କୁଆଡ଼େ ପଳାଇଲା ସେ ? ପାଦଟିଏ ଯେ ଅଧା ରହି ଯାଇଚି....

 

ସେଇ ବାଥ୍‌ରୁମ୍‌ ଭିତରୁ ଉଙ୍କିମାରି ସବୁ କିଛି ଦେଖୁଥାଏ ଆଉ ଶୁଣୁଥାଏ ମୁଁ । କିନ୍ତୁ ବାହାରିପାରୁ ନଥାଏ ଲାଜରେ ।

 

ମଞ୍ଜୁ ଭାଉଜ ମିଠା ଗଳାରେ ଡାକିଲେ–ବିଜୟ, ବିଜୟ....

 

ଉତ୍ତର ଦେଲିନି ।

 

ଜନ୍‌କିଙ୍ଗ୍‌–ନିଶ୍ଚୟ କୋଉଠି ଲୁଚିଚି । ଦେଖେ, କହି ପ୍ରଥମେଇ ପଶିଲେ ବାଥ୍‌ରୁମରେ । ଧରିଲେ ମୋତେ । କି ବିଜୟ, ଏଠି କାହିଁକି ? ଗୋଟାଏ ପାଦ ଯେ ତେଣେ ଅଧା ରହି ଯାଇଚି । Go my friend, Give your last touch….. ଏଥର ମଞ୍ଜୁ ଭାଉଜ ବାଟ ଚାଲିଲେ ପ୍ରତି ପଦେ ପଦେ ଯେପରି ସ୍ଥଳ ପଦ୍ମ ଫୁଟିବ !

 

ଜୋର୍‌କରି ମୋତେ ଟାଣି ନେଇଗଲେ ସେ ।

 

ମଞ୍ଜୁ ଭାଉଜ ହସ ଉଛୁଳା ମୁହଁରେ କୃତ୍ରିମ ଅଭିମାନ କରି କହିଲେ, ଅଳତା ପିନ୍ଧାଇଲ, ଭଲ କଲ । କିନ୍ତୁ, ଏଇ ଗଛକଯାକ ଫୁଲ ମୋ ଉପରେ କାହିଁକି ଅଜାଡ଼ି ଦେଲ ଭଲା !

 

ସେଇଠି ସେ ମୋତେ ପ୍ରଥମଥର କୋଳକୁ ଟାଣିନେଇ ଆଦରରେ ଚୁମାଟିଏ ଦେଇଦେଲେ ଜନ୍‌କିଙ୍ଗ୍‌ ଆଗରେ । ମୁଁ ଲାଜରେ ଆଉ ଆନନ୍ଦରେ ଆତ୍ମହରା ହୋଇ ତାଙ୍କ କୋଳରେ ମୁହଁ ଲୁଚାଇ ଦେଲି ।

 

ହଠାତ୍‌ ଏତେ ଲାଜ ? ଜନ୍‌କିଙ୍ଗ୍‌ ଟିକିଏ ଆଶ୍ଚର୍ଯ୍ୟ ହେଲାପରି କହିଲେ, କଥା କ’ଣ ? ମାଇଁ ଡିଅର୍‌ ଫ୍ରେଣ୍ତ୍‌, ଏଥର ତମ ତୁଳୀଟାର ଆଉ ଟିକିଏ ସଦ୍‌ବ୍ୟବହାର କରିଦିଅ । ସେ ପଟଟା କ’ଣ ଇମିତି ଅଧା ରହିଯିବ ? ଓ ମିଷ୍ଟର, ଶୁଭୁଚି....ମୋ କଥା ?

 

ମଞ୍ଜୁ ଭାଉଜ ମୋ ପିଠିରେ ଆସ୍ତେ ହାତ ବୁଲାଇ ଦେଉଁ ଦେଉଁ ନରମ କରି କହିଲେ–ତମେ ଏଠୁ ଯାଅ ଜନ୍‌ । ନ ହେଲେ, ସେ ଅଳତା ପିନ୍ଧେଇବନି । ତାକୁ ଭାରି ଲାଜ ।

 

He need not be ashamed ! ଜନ୍‌କିଙ୍ଗ୍‌ ହସି ହସି କହିଲେ, ଏତେ ଚାଇଲଡିସ୍‌ ବିଜୟ ତମେ ? ଆଶ୍ଚର୍ଯ୍ୟ । ଆରେ ମୁଁ ଯାହା କହୁଚି କରନା.....

 

ମଞ୍ଜୁ ଭାଉଜ କହିଲେ–No, he won’t un-less you go away ….

 

ଜନ୍‌କିଙ୍ଗ୍‌–ହଁ ମୋତେ ତ ବର୍ତ୍ତମାନ ଯିବାକୁଇ ହେବ । ଆସିଥିଲି କେତେଟା କାଗଜପତ୍ର ନେବାପାଇଁ । ତମେ ମୋ’ପାଇଁ ଅପେକ୍ଷା କରିବନି, ଆଜି ମୁଁ ସେଇଠି (ସର୍କିଟ୍‌ ହାଉସ୍‌ରେ; କମିଶନରଙ୍କ ସାଙ୍ଗରେ) ଚା’ ଖାଇନେବି । ଫେରିବାକୁ ଡେରି ହେବ ମୋର ।

 

ମଞ୍ଜୁ ଭାଉଜ–କମିଶନର କ’ଣ ରହୁଛନ୍ତି ଆଜି ?

 

ଜନ୍‌କିଙ୍ଗ୍‌–ହଁ । ଅନେକ ଜରୁରୀ କାମ ଅଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋର୍‌ ସୋରରେ ବେଆଇନ ଲୁଣମରା ଚାଲିଚି, ଲକ୍ଷ୍ମଣନାଥରେ ଥାନା, ଡାକଘର, ସବ୍‌-ରେଜିଷ୍ଟ୍ରାର ଅଫିସ ପୋଡ଼ିଜାଳି ଛାରଖାର କରି ଦେଇଛନ୍ତି କଂଗ୍ରେସବାଲା । ବାଲେଶ୍ୱରଠାରୁ ଭଦ୍ରକ ଭିତରେ ସ୍ଥାନେ ସ୍ଥାନେ ରେଲ ଲାଇନ୍‌ ଉଠେଇ ଦିଆ ହେଇଚି; ପୁଣି ....ଶୁଣା ଯାଉଛି ନୀଳଗିରିରେ ସମାନ୍ତରାଳ ସରକାର ବି ଗଠନ କରାଯିବ !! ଓଃ, କି କୁକ୍ଷଣରେ ମଣିଷ ପଶିଲା ଏ କଲୋନୀଏଲ ସର୍ଭିସରେ ....କହୁ କହୁ ବାହାରି ଚାଲିଗଲେ ସେ ।

 

ଡ୍ରଇଂ ରୁମ୍‌ରୁ କାଗଜପତ୍ରର ଖସ୍‌ଖାସ୍‌ ଓ ଫାଇଲ ଟାଣି ଫୋପାଡ଼ିବାର ଧଡ଼୍‌ଧାଡ଼; ତା’ପରେ ପୁଣି ଦ୍ରୁତ ଜୋତା ମଚ୍‌ମଚ୍‌ ଶବ୍ଦ ମିଳେଇ ଗଲା ଦୂରରେ; ଟିକିଏ ପରେ ଜିପ୍‌ ଇଞ୍ଜିନର ଗୁଞ୍ଜନ; ଶେଷକୁ ସେ ବି ଆଉ ଶୁଣାଗଲାନି ।

 

ମୁଁ ପୁଣି ସେଇ ଚିର ଆକାଂକ୍ଷିତ ପାଦ କୋଳରେ ଧରି ଅଳତା ପିନ୍ଧେଇବାକୁ ବସିଗଲି-

 

କୌତୁକରେ ମୋର ତୁଳୀ ଚାଳନାକୁ ଚାହିଁଥାଆନ୍ତି ମଞ୍ଜୁ ଭାଉଜ । ବସି ଥାଆନ୍ତି ପ୍ରତିମା ପରି । ସଲଜ୍ଜ ଆନନ୍ଦରେ ମୁଁ ମୋର କାମ କରି ଚାଲିଥାଏଁ ।

 

ଶେଷ କଲି ।

 

ତାଙ୍କର ହସିଲା ମୁହଁକୁ ଚାହିଁ ପଚାରିଲି, ସୁନ୍ଦର ହେଇନି ?

 

ଦୁଇ ପାଦକୁ ଏକରୁ ସେକର ନିରେଖି ଚାହିଁ ସେ ପୁଣି ମୋତେ ଆଦରରେ କୋଳକୁ ଆଉଜାଇ ଦେଲେ । ତାଙ୍କ ନରମ ସୁଡୌଲ ବାହୁ ସେତେବେଳେ ମୋତେ ସହଜ ଭାବେ ବେଷ୍ଟନ କରି ସାରିଥିଲା । ସେଇ ପରିବେଷ୍ଟିତ ପରିଧିକୁ ଆହୁରି ଟିକିଏ ଛୋଟ କରିବାକୁ ଚେଷ୍ଟା କରି ସେ କହିଲେ, ଚମତ୍କାର !

 

ତେବେ, ଗୋଟିଏ ଅନୁରୋଧ......

 

କ’ଣ, କୁହ ବିଜୟ !

 

ପ୍ରତିଦିନ ତେବେ ଏଇପରି ତମ ପାଦରେ ମୋତେ ଅଳତା ପିନ୍ଧାଇବାକୁ ଦିଅ ମଞ୍ଜୁ ! ଛି, ଛି, ...କି ଭୁଲ୍‌ !!! ଦେଖୁଚ ମଞ୍ଜୁ ଭାଉଜ ! ତମକୁ ଖାଲି ‘ମଞ୍ଜୁ’ ବୋଲି ଡାକିଦେଲି ! କେଡ଼େ ବୋକା ମୁଁ !

 

ସେଇଆ ଡାକ ବିଜୟ ! ଏଣିକି ଖାଲି ‘ମଞ୍ଜୁ’ ବୋଲି ଡାକ ମୋତେ !

 

ସେ ଦିନ ତା’ର ଏଇ ଶେଷ କଥା ପଦକ ମୋତେ ଶୁଭିଥିଲା ବିନତି-ମିଶା ଏକ ଆବେଦନ ପରି !! ସେତିକିବେଳେ ଟେଲିଫୋନ୍‌ ବାଜିବାରୁ ସେ ଉଠି ଚାଲିଗଲା । ମୁଁ ସ୍ଥାଣୁ ପରି ସେଇଠି ସୋଫା ଉପରେ ବସି ରହିଲି । କାନରେ ବାଜୁଥାଏ ପ୍ରତିଧ୍ୱନିତ ହେଲା ପରି ସେଇ ପଦିକ କଥା । ବାରମ୍ବାର, ବାରମ୍ବାର !

 

‘‘ଖାଲି ‘ମଞ୍ଜୁ’ ବୋଲି ଡାକ ମୋତେ !’’

 

‘‘ଖାଲି ‘ମଞ୍ଜୁ’ ବୋଲି ଡାକ ବିଜୟ !’’

 

‘‘ଭାଉଜ ନୁହେଁ, ‘ମଞ୍ଜୁ’ !!’’

 

‘‘ମଞ୍ଜୁ ବୋଲି ଡାକ !

 

କିନ୍ତୁ ଏତିକି କହିଲାବେଳେ ସେଦିନ ତାଙ୍କ ଗଳାଟା ଯେ ଭାରି ଥରି ଉଠିଥିଲା, ୟା’ର କ’ଣ କୌଣସି କାରଣ ନାହିଁ ?

 

କେଜାଣି ? ସେ କଥା ସେଇ ଜାଣିଥିବେ !

 

ଜନ୍‌କିଙ୍ଗ୍‌ଙ୍କ ସାଙ୍ଗରେ ମୋର ବହୁତ ବିଷୟ ନେଇ ଆଲୋଚନା ଚାଲେ । ତାଙ୍କ ପାଖରୁ ବେଶୀ ଶୁଣୁଥିଲି ମୁଁ ଶିକାର-ଗପ । ସେ ଥିଲେ ସୁଦକ୍ଷ ଶିକାରୀ ।

 

କେତେ ହିଂସ୍ରଜନ୍ତୁ ଶିକାର କରିଛନ୍ତି ଜନ୍‌କିଙ୍ଗ୍‌ ଆଫ୍ରିକାର ଗଭୀର ବନରେ । କେତେ ପ୍ରକାର ବିପଦର ସମ୍ମୁଖୀନ ହେଇ ନିଶ୍ଚିତ-ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି । ବହୁ ଲୋମହର୍ଷକ କାହାଣୀ ମୋତେ ଶୁଣାଉଥିଲେ ସେ । ତା’ ଭିତରୁ କଙ୍ଗୋ ନଦୀ ଅବବାହିକାର ନିରନ୍ଧ୍ର ଅରଣ୍ୟରେ ସିଂହ-ଶିକାରର କାହାଣୀ ସବୁଠାରୁ ଭୟାବହ !

 

ଲୋମ ଟାଙ୍କୁରି ଉଠେ ସେଇ ସବୁ ବର୍ଣ୍ଣନା ଶୁଣୁ ଶୁଣୁ !!

 

ଛାଲଗୁଡ଼ିକ ସୁନ୍ଦର ଭାବେ ଟ୍ୟାନିଂ କରାଇ ଘରେ ରଖିଛନ୍ତି ଜନ୍‍କିଙ୍ଗ୍‌ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର ବିଷୟ, ମଞ୍ଜୁ ଭାଉଜର ଏ ସବୁରେ ଆଗ୍ରହ ନ ଥିଲା । ବୋଧହୁଏ, ସେମାନଙ୍କ ପ୍ରଥମ ସାକ୍ଷାତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅସଂଖ୍ୟ ଶିକାର କାହାଣୀ ଶୁଣେଇଥିବେ ଜନ୍‌କିଙ୍ଗ୍‍ ମଞ୍ଜୁ ଭାଉଜକୁ । ହୁଏତ ଏଇ ସବୁ କାହାଣୀ ଏକାଧିକବାର କୁହା ହେଇଚି ତାକୁ । ସବୁଗୁଡ଼ିକ ତା’ ପକ୍ଷରେ ପୁରୁଣା । ଶୁଣି ଶୁଣି ହୁଏତ ତା’ର ବିରକ୍ତି ଆସି ଯାଇଥିଲା । ସେଇଥିପାଇଁ ବୋଧହୁଏ, ଆମର ଶିକାର ଗପ ଆରମ୍ଭ ହେଲେ ଚୁପ୍‌ଚାପ୍‍ ଉଠିଯାଇ ଅନ୍ୟ ଘରେ ରେଡ଼ିଓ ଖୋଲି ବସେ ସେ-। ତା’ ଉଠିଯିବା ପ୍ରତି ତିଳେହେଲେ ଭ୍ରୂକ୍ଷେପ ନ କରି, କୌଣସି ଭାବାନ୍ତର ନ ଦେଖାଇ, ଜନ୍‌କିଙ୍ଗ୍‍ ମୋତେ କହି ଚାଲନ୍ତି ଗୋଟିକ ପରେ ଗୋଟିଏ....ପ୍ରତ୍ୟେକଟି ଛାଲର ବିଗତ ଇତିହାସ, ଯାହା ରକ୍ତାକ୍ଷରରେ ଲିପିବଦ୍ଧ ହେଇ ରହିଚି ତାଙ୍କ ମନର ଡାଏରିରେ ।

 

ନିଜର ରୂପ ନେଇ ବଡ଼ ସଚେତନ ଥିଲା ମଞ୍ଜୁ ଭାଉଜ । କେଶ-ବିନ୍ୟାସ ଓ ପ୍ରସାଧନରେ ସେ ଅନେକ ସମୟ ଦେଉଥିଲା । ଆପଣା ଗନ୍ଧ-ବିଭୋରା କସ୍ତୁରୀ-ହରିଣୀ ପରି ନିଜ ରୂପର ସୌରଭରେ ଅଭିଭୂତା ଥିଲା ସେ ।

 

ଜନ୍‌କିଙ୍ଗ୍‌ କିନ୍ତୁ ସ୍ତ୍ରୀର ସୌନ୍ଦର୍ଯ୍ୟ ସମ୍ବନ୍ଧରେ ବିଶେଷ କିଛି, ମାନେ, ଆଶାଜନକ ଭାବେ ଆଗ୍ରହୀ ନଥିଲେ ।

 

ରାଜନୀତିରେ ଆଗ୍ରହୀ ନଥିଲେ ମଞ୍ଜୁ ଭାଉଜ । କିନ୍ତୁ ଜନ୍‌କିଙ୍ଗ୍‌ ଭାରତୀୟ-ରାଜନୀତିର ପ୍ରତିଟି ଟିକିନିଖି ଖବର ରଖୁଥିଲେ । ଅବଶ୍ୟ ସେଥିପାଇଁ ତାଙ୍କ ଜୀବିକା କିଛି ପରିମାଣରେ ଦାୟୀ ଥିଲା ।

 

ବାନର ସେନା ସାଜି ସ୍କୁଲର ଛୋଟ ଛୋଟ ପିଲାମାନେ ଯେତେବେଳେ ବ୍ରିଟିଶ-ବିରୋଧୀ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କଲେ, ସେତେବେଳେ ସେ ଦୁଃଖ କରି ମୋତେ ପରୋକ୍ଷରେ ଉପଦେଶ ଦେଇଥିଲେ–ବିଜୟ, ରାଜନୀତି ଏଇପରି ବେଳେ ବେଳେ ଧ୍ୱସାଂତ୍ମକ ହୁଏ । ଯେଉଁ ଛାତ୍ରମାନେ ଏଥିରେ ଯୋଗ ଦେଉଛନ୍ତି, ସେମାନେ ନିଜର ଭବିଷ୍ୟତକୁ ଓ ସେମାନଙ୍କ ଭବିଷ୍ୟତ ଉପରେ ନିର୍ଭର କରୁଥିବା ପରିବାରବର୍ଗଙ୍କୁ ଧ୍ୱଂସ ଆଡ଼କୁ ଟାଣି ନେଉଛନ୍ତି । ରାଜନୀତିରେ ସମୟ ଅପବ୍ୟୟ ନ କରି ତମମାନଙ୍କର (ଛାତ୍ର ବା ଯୁବକମାନଙ୍କର) ଚେଷ୍ଟା କରିବା ଉଚିତ, ଉଦ୍ୟମ କରିବା ଉଚିତ–କିପରି ଭଲ ଶିଳ୍ପୀ ହେବ, ବୈଜ୍ଞାନିକ ହେବ, କବି ବା ଔପନ୍ୟାସିକ ହେବ । ସେଥିପାଇଁ ଏଇ ବୟସରୁ ଲାଗି ପଡ଼ିବା ଦରକାର । ସାହିତ୍ୟ, କଳା ଓ ଶିଳ୍ପର ସାଧନା ବି ଦେଶ-ସେବା । ଯଦି ଦେଶ ପାଇଁ ପ୍ରକୃତରେ ତ୍ୟାଗ ସ୍ୱୀକାର କରିବାର ଧୈର୍ଯ୍ୟ, ଉତ୍ସାହ ଓ ସାହସ ଅଛି, ତେବେ କୌଣସି କୁଷ୍ଠାଶ୍ରମ କି ଟି.ବି. ସ୍ୟାନାଟୋରିୟମରେ ମିଶନାରୀମାନଙ୍କ ପରି ଅବୈତନିକ ଭାବେ ଆଜୀବନ ସେବା-କାର୍ଯ୍ୟ କରି ରୋଗ-ଗ୍ରସ୍ତ, ବିପନ୍ନ ଓ ଅସହାୟ ଦେଶବାସୀଙ୍କୁ ସାହାଯ୍ୟ କର । ୟା’ଠାରୁ ମହତ୍‌ କାମ ଆଉ କ’ଣ ଅଛି ଦୁନିଆଁରେ ? ଖାଲି ଜେଲରେ ଯାଇ ଘଣା ପେଲିଲେ କ’ଣ ଜଣାଯିବ ଦେଶ ପାଇଁ ଦରଦ ଅଛି ?

 

ଏଇ ଉପଦେଶଟି ଅବଶ୍ୟ ମୋ ପକ୍ଷରେ କିଛି ନୂଆ ନୁହେଁ । ସେ ସମୟରେ ସ୍କୁଲରେ ବି ଆମର ପୂଜନୀୟ ଶିକ୍ଷକ ମହାଶୟମାନେ ଅନେକଟା ଏଇ ପ୍ରକାର ଉପଦେଶ ଦେଉଥିଲେ ।

 

ଜନ୍‌କିଙ୍ଗ୍‌ ମତରେ ଯେଉଁମାନେ ଆନ୍ଦୋଳନରେ ମାତି ଜେଲ ଯାଉଛନ୍ତି, ଏପରିକି ମୃତ୍ୟୁ-ବରଣ କରୁଛନ୍ତି–ସମସ୍ତେ ସ୍ୱାର୍ଥପର । ଯଦିଓ ବଡ଼ ପ୍ରଚ୍ଛନ୍ନ ଓ ପରୋକ୍ଷ ସେଇ ସ୍ୱାର୍ଥ ।

 

ଥରେ ମୋତେ କହିଲେ–ବିଜୟ, ତମକୁ ଆଜି ଗପଟିଏ ଶୁଣେଇବି ଋଷ୍-ଦେଶୀୟ କଥା-ସାହିତ୍ୟରୁ । ଜାର୍‌ ଶାସନ ସମୟର ଲେଖା.....

 

ଭାରି ଆଗ୍ରହ ହେଲା ! ଋଷ୍‌ ଦେଶର ଗଳ୍ପ ? ସାଇବେରିଆର ଧଳା ଭାଲୁ ବିଷୟରେ ନିଶ୍ଚୟ କିଛି ....

 

ଆରେ ନାଁ ନାଁ, ଏ ଶିକାର ଗପ ନୁହେଁ । କିନ୍ତୁ ତା’ଠାରୁ ବି ଆହୁରି ଇଣ୍ଟରେଷ୍ଟିଂ । ଶୁଣିବ-?

 

ଆଗ୍ରହ ମଉଳି ଗଲା । ତଥାପି ଉପର ମନରେ କହିଲି–Yes, please carry on….

 

ଜନ୍‌କିଙ୍ଗ୍‌ ଗପ–

 

ଅନ୍ଧକାର ଝଡ଼ ରାତି ! ନିର୍ଜନ ପ୍ରାନ୍ତରରେ ମଥା ଟେକି ଠିଆ ହେଇଚି ଦୈତ୍ୟପୁରୀ ଭଳି ଏକ ବିରାଟ ଦୁର୍ଗ । ଲୁହା ଫାଟକ ବନ୍ଦ ଅଛି । ସେଠି ଠିଆ ହେଇଚି ଯମଦୂତ ପରି ଜଣେ ବିଭତ୍ସ, କଦାକାର ଜହ୍ଲାଦ !

 

ଏଥର ଆଗ୍ରହ ମୋର ବଢ଼ିଗଲା ! ତା’ପରେ ?

 

ନିର୍ଭୀକ, ଦୃଢ଼ ପ୍ରତିଜ୍ଞ ଝିଅଟିଏ ଏକାକୀ ଆସି ପ୍ରହରୀ ଆଗରେ ଠିଆ ହେଲା । ମୁଁ ଭିତରକୁ ଯିବି ।

 

ପ୍ରହରୀ–ବାଳିକା, ଜାଣ ୟା’ ଭିତରେ କ’ଣ ଅଛି ?

 

ଜାଣେ । ଅଛି ଯନ୍ତ୍ରଣା, ନିର୍ଯାତନା, ପୀଡ଼ନ.....

 

ତଥାପି ତମେ ଯିବାକୁ ଚାହଁ ?

 

ଦେଶ ପାଇଁ ।

 

ବୁଝିଲି । ଭାବୁଛ, ଦେଶ ପାଇଁ ଆଜି ଯନ୍ତ୍ରଣା, ନିର୍ଯାତନା ଓ ପୀଡ଼ିନ ବରଣ କରିନେବ । କାଲି ପୁଣି ଚକ ଘୂରିଯିବ । ଗୋଟିଏ ସୁନ୍ଦର ସୁପ୍ରଭାତରେ ମୁକ୍ତି ପାଇ ବାହାରି ଆସିବ ତମେ । ଜନତା ତମକୁ ଫୁଲର ମାଳା ପିନ୍ଧାଇ ଅଭିନନ୍ଦିତ କରିବ । ତମେ ହେବ ଶାସକ ବା ଜନନାୟକ ! ଏଇ ତ ? କିନ୍ତୁ ମନେରଖ ବାଳିକା, ୟା’ ଭିତରକୁ ଗଲେ ମୃତ୍ୟୁ ସୁନିଶ୍ଚିତ । ଜନନାୟକର ସମ୍ମାନ ବା ପ୍ରତିପତ୍ତି ପାଇବାକୁ ବା ଫୁଲର ମାଳା ପିନ୍ଧି ଅଭିନନ୍ଦନ ନେବାକୁ ତମେ ସୁଯୋଗ ବି ପାଇ ପାରିବନି ।

ତଥାପି ।

ତଥାପି ? ଓଃ, ବୁଝିଲି । ମନେ କରିଛ, ମୃତ୍ୟୁ ପରେ ବି ତମେ ଅମର ରହିବ ପ୍ରତିଟି ଦେଶବାସୀର ହୃଦୟରେ । ଦେଶ ପାଇଁ ମୃତ୍ୟୁ ବରଣ କରିଛ ବୋଲି ଚାରିଆଡ଼େ ତମର ଜୟ ଜୟକାର ଧ୍ୱନି ଉଠିବ, ଗିର୍ଜାରେ ଘଣ୍ଟା ବାଜିବ, ପ୍ରାର୍ଥନା କରାହେବ, ଲକ୍ଷକୋଟି ଜନତା ତମର ଶବ ଦେହକୁ ନତ ଶିରରେ ସମ୍ମାନ ଦେବେ, ବହନ କରି ନେଇଯିବେ ଶ୍ମଶାନକୁ ବିରାଟ ଶୋଭାଯାତ୍ରାରେ; ସମାଧି ଉପରେ ତମର ଜଳିବ ସହସ୍ର ଘୃତ ଦୀପ; ତମର ବ୍ରୋଞ୍ଚ ପ୍ରତିମୂର୍ତ୍ତି ଶୋଭା ପାଇବ ରାଜରାସ୍ତାର ପ୍ରଧାନ ସଂଯୋଗ ସ୍ଥଳ ଉପରେ ! ଏଇ ତ ? କିନ୍ତୁ ସେଇ ଅଭିଳାଷ ବି ତମର ପୂରଣ ହେଇ ପାରିବନି ବାଳିକା ! କେହି ଜାଣିବେନି ତମ ମହାନ୍‌ ତ୍ୟାଗର କାହାଣୀ । ଯୋଉ ଦେଶ ପାଇଁ ତମେ ଏତେ କିଛି କଲ, ସେଇ ଦେଶ ତମ ବିଷୟରେ ଅଜ୍ଞ ରହିଯିବ । ଦେଶ ପାଇଁ ଜୀବନ ଦେବ ତମେ । କିନ୍ତୁ କେହି ଜାଣିବେନି, କେହି ମନେ ପକାଇବେନି, କେହି କାନ୍ଦିବେନି, କେହି ପ୍ରତିମୂର୍ତ୍ତି ଗଢ଼ିବନି ତମର । ଏଇ ସର୍ତ୍ତରେ ରାଜି ଅଛ ତମେ ?

ବାଳିକା ଏଥର ନୀରବ ।

ଲୋକ-ଲୋଚନର ଆଗୋଚରରେ ଅନ୍ଧକାର କାରାକକ୍ଷ ଭିତରେ ପଚି ସଢ଼ି ମରିବ ତମେ ଦେଶ ପାଇଁ । ସେଇ ଦେଶ ତମର ଶବକୁ ବି ସମ୍ମାନ ଦେଖାଇବାକୁ ଆଗେଇ ଆସିବନି । କୋଉ ଲାଭ ଆଶାରେ ତେବେ ଅକାରଣେ...

ମୁଁ ଭିତରକୁ ଯିବି ।

ଆଶ୍ଚର୍ଯ୍ୟ ! ତଥାପି ତମେ ଯିବାକୁ ଚାହଁ ?

ହଁ ।

ଫେରିଯାଅ ବାଳିକା । ନଷ୍ଟ କରନା ତମର ନବୀନ ଏଇ ପ୍ରସ୍ଫୁଟିତ ଯୌବନ ! ଦୁନିଆଁରେ ବହୁତ କିଛି ଉପଭୋଗ କରିବାକୁ ପଡ଼ି ରହିଚି ତମ ପାଇଁ ।

ନାଁ । ମୁଁ ଯିବି ଭିତରକୁ । ଦେଶର ମଙ୍ଗଳ ପାଇଁ ।

ବେଶ୍‌, ତେବେ ଆସ ।

ରୁଦ୍ଧ ଦ୍ୱାର ଖୋଲିଗଲା ।

ଭିତରକୁ ଚାଲିଗଲା ବାଳିକାଟି ।

ପ୍ରଚଣ୍ତ ଶବ୍ଦରେ ପୁଣି ବନ୍ଦ ହେଇଗଲା ବିରାଟ ଲୌହ କପାଟ !

 

କ’ଣ ବୁଝିଲ ବିଜୟ ଜନ୍‌କିଙ୍ଗ୍‌ ପଚାରିଲେ ।

 

ମୁଁ କିଛି ଉତ୍ତର ଦେବା ଆଗରୁ ସେ ନିଜେ କହିଲେ–ବାଳିକାଟି ପ୍ରକୃତରେ ଦେଶ-ପ୍ରେମୀ !

 

ଯେଉଁ ସର୍ତ୍ତରେ ସେ ଆତ୍ମବଳି ଦେଲା, ସେଇ ସର୍ତ୍ତରେ ଜୀବନ ଦେବାକୁ ଏଇ ବିଟ୍ରିଶ ବିରୋଧୀମାନଙ୍କ ଭିତରୁ କେତେଜଣ ବାହାରିବେ ?

 

ଏବେ ମୋ ଜୀବନର ପ୍ରଧାନ ଆକର୍ଷଣ, ପ୍ରଧାନ ଲକ୍ଷ୍ୟ, ପ୍ରଧାନ ଆନନ୍ଦ ମଞ୍ଜୁ ଭାଉଜର ସାନ୍ନିଧ୍ୟ ।

 

ମଞ୍ଜୁ ଭାଉଜ ପାଇଁ ମୁଁ କ୍ରମେ କ୍ରମେ ଦୂରେଇ ଯାଉଛି ମୋର ବନ୍ଧୁମାନଙ୍କ ଠାରୁ; ବେଶ୍‌ ବୁଝି ପାରୁଥିଲି । କ୍ଲାସ୍ ସାଙ୍ଗମାନେ, ଆଜିକାଲି ଆଶ୍ଚର୍ଯ୍ୟ ହେଇ କହନ୍ତି, ବିଜୟର କ’ଣ ହେଇଚି ? ଭାରି ଇଣ୍ତିଫେରେଣ୍ଟ, ଆନ୍‌-ସୋସିଆଲ୍‌ ହେଇ ଯାଉଚି ଦିନକୁ ଦିନ !

 

ଖାଲି କ’ଣ ସେତିକି ? ପଢ଼ାଶୁଣାରେ ବି ଆଜିକାଲି ଆଉ ମନ ଦେଉନି ମୁଁ । କ’ଣ ଯେ ମୋର ହେଲା !

 

ମଞ୍ଜୁ ଭାଉଜ !

 

ନିଶ୍ଚଳ, ନିଥର, ଅନିର୍ବାଣ ଏକ ରୂପାଗ୍ନିର ଶିଖା । ମୁଗ୍ଧ ଆଉ ଲୁବ୍ଧ ଆଖିରେ ମୁଁ ତାକୁ ଚାହିଁ ରହେ ।

 

ଲୁବ୍ଧ ???

 

ଏଁ, କ’ଣ ଭାବି ଚାଲିଚି ମୁଁ ? କି ଉଦ୍ଭଟ ! ମୁଁ କ’ଣ, ମୁଁ କ’ଣ ତେବେ ? ? ?

 

ଶେଷରେ ତା’ହେଲେ ଏତେଦିନକେ ‘ମୁଖା’ ମୋର ଖସି ପଡ଼ିଲା ! ଧରା ପଡ଼ିଗଲି ନିଜ ପାଖରେ ନିଜେ ?

 

ନାଁ ନାଁ ନାଁ ନାଁ....ମୁଁ ଧରା ପଡ଼ି ଯାଇନି, ନିଜକୁ ନିଜେ ଆବିଷ୍କାର କରିଚି ! ମୁଁ ମଞ୍ଜୁ ଭାଉଜକୁ ଭଲପାଏ । ହଁ ମୁଁ ଭଲପାଏ ତାକୁ । ଖୁବ୍‌ ଭଲପାଏ । ସବୁବେଳେ ତା’ର ସାନ୍ନିଧ୍ୟ ମୋର କାମ୍ୟ । ତାକୁ ଛାଡ଼ି ରହି ପାରିବିନି, ଏ କଥା ଠିକ୍‌ । କିନ୍ତୁ ତା’ପ୍ରତି ମୋର ସେଇ ଅନୁରାଗ କାମନା-ଜର୍ଜ୍ଜରିତ ନୁହେଁ ! ସାନ୍ନିଧ୍ୟ ଛଡ଼ା ଆଉ କିଛି ମୋର ମନ ଚାହିଁନି ବା ପାଇବାକୁ ଆଶା ରଖିନି ତା’ଠାରୁ । ଚାହୁଁଛି ଖାଲି ସ୍ନେହ । ଦେଇଛି, ଆନୁଗତ୍ୟ । କେହି କାହାଠରେ ଋଣୀ ବି ନୁହେଁ-। ‘ଦାନ-ପ୍ରତିଦାନ’ର କଥା ଏ ।

 

ନାଃ । ଏଣିକି ଆଉ ଭୁଲରେ ବି ମଞ୍ଜୁ ଭାଉଜ ସମ୍ବନ୍ଧରେ ଏଣୁତେଣୁ ଭଦ୍ଭଟ, ଅବାନ୍ତର ଚିନ୍ତା ଆଉ ମନ ଭିତରେ ପଶିବାକୁ ଦେବିନି !

 

ମନର ରତ୍ନ-ସିଂହାସନରେ ସାମ୍ରାଜ୍ଞୀ କରି ବସାଇ ଦିଏଁ ମୋର ପରମ ରୂପବତୀ ମଞ୍ଜୁ ଭାଉଜକୁ । ସୌନ୍ଦର୍ଯ୍ୟ, ଔଜ୍ଜଲ୍ୟ ଓ ଦୀପ୍ତିରେ ଝଲମଲ ସେଇ ମହୀୟସୀ ମହିଳାର ପାଦତଳେ ଏକାନ୍ତ ଅନୁଗତ କ୍ରୀତଦାସ ପରି ଭୃତ୍ୟଭାବ ନେଇ ସେବା କରିବାକୁ ବସିଯାଏ । ତା’ର ସାରା ଦେହ ଫୁଲରେ ସଜାଇ ଦିଏଁ, ପାଦରେ ପିନ୍ଧାଇ ଦିଏଁ ଅଳତା, ଆଉ ବିମୁଗ୍ଧ ଅନୁଭବ ନେଇ ଚାହିଁ ରହେ ତା’ରି ଆଡ଼କୁ ।

 

ମଞ୍ଜୁ ଭାଉଜର ଅଙ୍ଗ ପରିଚର୍ଯ୍ୟା କରିବାରେ ମୋତେ ଯେଉଁ ଦୁର୍ବାର ଆନନ୍ଦ ମିଳୁଥିଲା, ତାହା ଭାଷାରେ ପ୍ରାକାଶ କରିବା ଅସମ୍ଭବ !

 

ମଞ୍ଜୁ ଭାଉଜ ।

 

ଶୟନର ସ୍ୱପ୍ନ, ଜାଗରଣର ଅନୁଚିନ୍ତା, ଅଭିନିବେଶର ଅନ୍ତରାୟ, ଜୀବନର କେନ୍ଦ୍ର-ବିନ୍ଦୁ ମୋର ମଞ୍ଜୁ ଭାଉଜ । ଆଜି ମୋର ପ୍ରଧାନ ଆକର୍ଷଣ, ପ୍ରଧାନ ଅବଲମ୍ବନ, ପ୍ରଧାନ ଆନନ୍ଦ ଓ ଉତ୍ତେଜନା ସେଇ । ହଁ ସେଇ !

 

ଗୁଡ୍‍ ଇଭିନିଂ ମଞ୍ଜୁ ଭାଉଜ ।

 

ଗୁଡ୍‍ ଇଭିନିଂ ବିଜୟ । ଆସ ଆସ, ମୁଁ ଯେ ତମକୁ ଅପେକ୍ଷା କରି ବସିଚି ।

 

ନରମ ସୋଫା ଉପରେ ଅଳସ ଭାବେ ଢଳି ପଡ଼ିଛନ୍ତି ସେ । ସ୍ଲାକ୍ସ ଓ ଟାଇଟ୍‌ ନାଇଲନ ବ୍ଲାଉଜ୍‌ ସାରା ଅଙ୍ଗ-ପ୍ରତ୍ୟଙ୍ଗର ପ୍ରତିଟି ସୀମାରେଖା ସ୍ପଷ୍ଟ କରି ଦେଇଚି । ଆଖିରେ କଜ୍ଜ୍ୱଳ, ଓଠରେ ଲିପ୍‌ଷ୍ଟିକ୍‌, ଚମତ୍କାର

 

ଏତେ ପତଳା ସେଇ ନାଇଲନ ବ୍ଲାଉଜ୍‌, ଏତେ ସ୍ୱଚ୍ଛ ଆଉ ଏତେ ଟାଇଟ୍‌; ପରିଷ୍କାର ଫୁଟି ଦିଶୁଥାଏ.....ଉଦ୍ଧତ ବ୍ରାସିୟାର । ଚାହିଁ ହେଉ ନଥାଏ ତାଙ୍କ ବେକ ତଳକୁ !

 

ବଡ଼ ଗରମଟା ପଡ଼ିଚି । ମୋର ଅସ୍ୱସ୍ତି ଲକ୍ଷ୍ୟ କରି ବୋଧହୁଏ, ମଞ୍ଜୁ ଭାଉଜ ତାଙ୍କ ପୋଷାକ ସମ୍ବନ୍ଧରେ ଗୋଟାଏ କୈଫିୟତ ଦେବା ପରି କହିଲେ, ଅସହ୍ୟ ! ବିଜୟ, କି ଦେଶ ତମର ଏଇ ଇଣ୍ତିଆ ? ମୋର ଏଇଥର ଏଠି ପ୍ରଥମ ଗ୍ରୀଷ୍ମ ଅଭିଜ୍ଞତା !! ଆଦୌ ଧାରଣା ନ ଥିଲା ଯେ......

 

ବସି ପଡ଼ି କହିଲି–ଏ ତ କିଛି ନୁହେଁ ମଞ୍ଜୁ ଭାଉଜ । ବରଂ ଗତବର୍ଷ ତୁଳନାରେ ଅଳ୍ପ ଗରମ ପଡ଼ିଛି ଏଥର । ଅବଶ୍ୟ, ତମ ଦେହ ପାଇଁ ଏତକ ଖୁବ୍‌ ବେଶୀ । ଏଇ ଦୁଇ ତିନି ମାସ ଯଦି ଦାର୍ଜିଲିଂ କିମ୍ବା ରାଞ୍ଚିରେ କଟାଇ ଆସନ୍ତ......

 

ସେଥିପାଇଁ ଛୁଟି ଦରକାର ତ ? ପୋଲିସ ସର୍ଭିସରେ ଏତେ ଛୁଟି ନାହିଁ ? ବିଶେଷତଃ ଜନ୍‌ ବେଶୀ ଦିନ ସର୍ଭିସ କରିନି । ସବୁ ମିଶି ଆର୍ନଡ୍‍ ଲି’ଭ୍‌ ତା’ ହାତରେ ଅଠର ଊଣେଇଶି ଦିନ ହେବ କି ନାହିଁ । ଛାଡ଼ ସେ କଥା । ଆଚ୍ଛା ବିଜୟ, କହୁଥିଲ ପରା ଡ୍ରାଇଭିଂ ଶିଖିବ ?

 

ତମେ ଶିଖେଇ ଦଉଛ କାହିଁ ?

 

ଆଜି । Would you like the idea… ?

 

Unknown

କିନ୍ତୁ ଜନ୍‌କିଙ୍ଗ୍‌ ପରା ଟୁରରେ ଯାଇଛନ୍ତି ? ଗାଡ଼ି ତ ନେଇଥିବେ ।

 

ନା, ସେ ପୋଲିସ ଗାଡ଼ିରେ ଯାଇଛନ୍ତି । କାର୍‌ଟା ଅଛି ।

 

ତା’ହେଲେ ତ ଖୁବ୍‌ ଭଲ !

 

ହଁ । କିନ୍ତୁ, ତମେ ନିଶ୍ଚୟ କିଛି ଖାଅ । ତା’ପରେ ବାହାରିବା ।

 

ମୁଁ ଖାଇ ଆସିଚି ମଞ୍ଜୁ ଭାଉଜ । Heavy tiffin ! କିନ୍ତୁ ଯିବା କୁଆଡ଼େ ?

 

ଖାଇଛ ? ଠିକ୍‌ ତ ? ଆଚ୍ଛା ବେଶ୍‌, ବଟ୍‌ଲର୍‌....ବଟ୍‌ଲର୍‍ !

 

ଇୟେସ ମେମ୍‌ସାବ୍‌ । ବଟ୍‌ଲର୍‌ ଆସି ଠିଆ ହେଲା ।

 

ମଞ୍ଜୁ ଭାଉଜ ତାକୁ କହିଲେ, ମୋ’ପାଇଁ ଓ ତାଙ୍କ ପାଇଁ ‘କୋଲ୍‌ଡ ଡ୍ରିଙ୍କ୍‌’ ଦୁଇ ଗ୍ଲାସ ଆଣିବାକୁ । ପଚାରିଲେ, କିଛି ଫ୍ରୁଟ୍‍ସ ଖାଅ ବିଜୟ, ଅନ୍ତତଃ ଏ ପି’ସ୍‌ ଅଫ୍‌ ସସେଜ୍‌ ରୋଲ୍‌ ?

 

ନୋ ଥ୍ୟାଙ୍କ୍‌ସ । ଓନ୍‌ଲି କୋଲ୍‌ଡ ଉଇଲ୍‌ ଡ଼ୁ ।

 

ଆଚ୍ଛା, ତେବେ ଖାଲି କୋଲ୍‌ଡ ଡ୍ରିଙ୍କ୍‌ ଆଣ ବଟ୍‌ଲର୍‌–ଆଉ ବାକି ସବୁ ପ୍ୟାକ୍‌ କରି କାରରେ ରଖ ।

 

ଆମେ କୁଆଡ଼େ ଯିବା ମଞ୍ଜୁ ଭାଉଜ ? ମାନେ, କୋଉ ରାସ୍ତାରେ ? ଫାଙ୍କା ରାସ୍ତା ନ ହେଲେ ତ ଡ୍ରାଇଭିଂ ଶିଖି ହେବନି ।

 

ସହର ବାହାରକୁ ଯିବା । ଧର, ଏଇ ଟ୍ରଙ୍କ୍‌ରୋଡ଼୍ ଧରି ।

 

ଦ୍ୟାଟ୍‌’ସ ଏ ଫାଇନ୍‌ ଆଇଡିଆ ।

 

ମୁଁ ତମକୁ ଆଜି ଗୋଟିଏ ଦିନରେ ‘ଡ୍ରାଇଭିଂ’ ଶିଖେଇ ଦେବି ବିଜୟ ! କାଲି ସେ ଆସି ଆଶ୍ଚର୍ଯ୍ୟ ହେଇ ଦେଖିବେ ଯେ ତମେ ତାଙ୍କଠାରୁ ଲାଇସେନ୍‌ସଟିଏ ଦାବି କରିବାର ଯୋଗ୍ୟତା ହାସଲ କରି ସାରିଛ !!

 

ମଞ୍ଜୁ ଭାଉଜ ହସି ଉଠିଲେ । ହସି ଉଠିଲି ମୁଁ ବି ।

 

କୋଲ୍‌ଡ ଡ୍ରିଙ୍କ୍‌ ଖାଉ ଖାଉ ଭାବିଲି, ଏତେ ଦିନକେ ଡ୍ରାଇଭିଂ ଶିଖିବାର ସୁଯୋଗ ଆସିଚି ! ଡ୍ରାଇଭିଂ କଥା ଯାହା ହେଉ, ମଞ୍ଜୁ ଭାଉଜ ସାଙ୍ଗରେ ଏକାକୀ ଘୂରିବାର ସୁଯୋଗ ! ବିଶେଷତଃ ଏଇ ଗରମଦିନେ ପର୍ଦ୍ଦା ଉଠାଇ କନ୍‌ଭିଟିବ୍ଲରେ ଘୂରିବାଟା ବେଶ୍‌ ପ୍ଳେଜେଣ୍ଟ ! ସବୁବେଳେ ମଞ୍ଜୁ ଭାଉଜର ଏକାନ୍ତ-ସାନିଧ୍ୟ ମୋର କାମ୍ୟ ଥିଲା । ସେଇ ସୁଯୋଗ ମୁଁ ଘରେ ସବୁବେଳେ ପାଉଥିଲି । କିନ୍ତୁ ବାହାରେ, ଆଜି ପ୍ରଥମ । ୟା’ ଆଗରୁ ଗାଡ଼ି ନେଇ ଆମେ ଯେତେଥର ବାହାରିଛୁଁ–ତିନିହେଁ ସାଙ୍ଗ ହେଇ । ମୁଁ, ଜନ୍‌କିଙ୍ଗ୍‌ ଓ ସେ । ଆଜି କିନ୍ତୁ ଆଉ କେହି ନୁହେଁ । ଖାଲି ଆମେ ଦୁହେଁ । ମଞ୍ଜୁ ଭାଉଜ ଆଉ ମୁଁ । ଦୁହେଁ ଗାଡ଼ି ନେଇ ଯିବୁ ! ସେ ନିଜେ ମୋତେ ଡ୍ରାଇଭିଂ ଶିଖାଇବେ । ଆନନ୍ଦରେ ଭରି ଉଠିଲା ମନଟା ! ସତେ ଅବା ଗୋଟାଏ ଆଡ଼୍‌ଭାଞ୍ଚରରେ ବାହାରିଚି ମୁଁ !!

 

ପ୍ରଲମ୍ବ କୃଷ୍ଣ ସରୀସୃପ ପରି ଚିକ୍‌କଣ ପିଚ୍‌ରାସ୍ତା ଝଲସି ଉଠୁଚି ହେଡ଼୍‌ ଲାଇଟ୍‌ର ତୀବ୍ର ଆଲୋକରେ । ମଞ୍ଜୁ ଭାଉଜ ମୋ ହାତ ଧରି ଡ୍ରାଇଭିଂ ଶିଖାଉଛନ୍ତି । ଗାଡ଼ି ଛୁଟି ଚାଲିଚି ଆଗକୁ, ଆଗକୁ । ପ୍ରବଳ ବେଗରେ ମାଡ଼ି ଆସୁଚି ଆମ ଆଡ଼କୁ ଦୁଇ ପାଖର ଓ ସାମ୍ନାର ଗଛ, ଟେଲିଫୋନ୍‌ ଖୁଣ୍ଟି, ମାଇଲ ଷ୍ଟୋନ୍‌, ସାଇନ୍‌ ବୋର୍ଡ଼ । ସବୁ କିଛି ଠିକ୍‌ ଜଳସ୍ରୋତର ପ୍ରବାହରେ ଭାସି ଆସିବା ପରି ।

 

କେତେଦୂର ଆସିଲୁଣି, କେଉଁଠି ହେଲୁଣି ଠିକ୍‌ ନାହିଁ । କେତେବେଳ ହେଲାଣି, ଜଣା ନାହିଁ । ଖିଆଲ୍‌ ନାହିଁ ଘଡ଼ି ଦେଖିବାକୁ ।

 

ସେ ଶିଖାଉଛନ୍ତି, ମୁଁ ଶିଖୁଚି ।

 

ଭଲଭାବେ ଷ୍ଟିଅରିଂଟା ଧରି ପାରିବା ଭଳି ପୋଜିସନ୍‌ ନେଇ ବସିଛି ମୁଁ, ତାଙ୍କର ଖୁବ୍‌ ପାଖକୁ ଲାଗି । ସେ ବି ଧରିଚନ୍ତି ଷ୍ଟିଆରିଂ । କଣ୍ଟ୍ରୋଲ କରୁଛନ୍ତି, ଯେପରି ମୋର ଭୁଲ୍‍ ହେଇ ନ ଯାଏ ! ବାରମ୍ବାର ଚାପି ହେଇ ଯାଉଚି ବାହୁରେ ମୋର ଉଦ୍ଧତ ବ୍ରାସିଅର ପ୍ରତ୍ୟେକଟି ଟର୍ଣ୍ଣିଂରେ ଷ୍ଟିଅରିଂ ଘୂରାଇବା ବେଳେ ।

 

ତାଙ୍କ ସୁନେଲି ବାଳର ଢେଉ ଲହଡ଼ି ଭାଙ୍ଗୁଚି ସାଇଁ ସାଇଁ ପବନରେ । ମୁହଁରେ ଜଳୁଚି, ନିଭୁଚି ସିଗାରେଟ । ଏକ୍‌ସିଲେଟରେ ଚାପ ଦେବାବେଳେ ତାଙ୍କ ପାଦରେ ବାଜୁଛି ମୋ ପାଦ । ଦୁରନ୍ତ ଝଡ଼ ପରି ଉଡ଼ି ଚାଲିଛି କନ୍‌ଭଟିବ୍ଲ !

 

ଏଇ ଅପନ୍ତରା ବିଲ ଭିତରେ ଆଉ ବୋଧହୁଏ ଆଉ ବୋଧହୁଏ ଗାଁ ଗଣ୍ତା ନାହିଁ କେଉଁଠି ! ମିଞ୍ଜି ମିଞ୍ଜି ଆଲୋକର ବିନ୍ଦୁଟିଏ ବି ଦିଶୁନି । ଦୁଇ ପାଖରେ ଖାଲି ଦିଗନ୍ତ-ବିସ୍ତୃତ ଧାନ କ୍ଷେତ !

 

ଧୀରେ ଧୀରେ ତଳକୁ ଢଳି ପଡ଼ିଲା ଶୁକ୍ଳା-ପଞ୍ଚମୀର ଭଗ୍ନ ଜହ୍ନ । ଅନ୍ଧକାର କରି ଦେଇ କିଛି କ୍ଷଣ ପରେ ତାହା ନିଶ୍ଚିହ୍ନ ହେଇଗଲା କ୍ଷିତିଜର ବିଶାଳ ଗର୍ଭରେ ।

 

ତାରା ଭରା ଆକାଶ ତଳେ ମୃଦୁ ଗୁଞ୍ଜନ କରି ଗାଡ଼ି ଧାଇଁ ଚାଲିଚି କୁଆଡ଼େ ନାହିଁ କୁଆଡ଼େ ।

 

ଏହା ଭିତରେ ଆମେ ରାସ୍ତାରେ ଦୁଇଥର ଗାଡ଼ି ରଖିଛୁଁ । ଦୁଇ ଥରରେ ଦୁହେଁ ମିଶି ଗୋଟିଏ ହୁଇସ୍କ ବୋତଲ ଶେଷ କରିଛୁଁ ! ବାଟ କେତେ ଶେଷ ହେଇଚି ଆଉ ପେଟ୍ରୋଲ୍‌ କେତେ ପୋଡ଼ିଛି ଜାଣେନା । କିନ୍ତୁ–ଗୋଟିଏ ଫାଇବ୍‌ ଫିପ୍‌ଟି ଫାଇବ୍‌ ଟିଣରୁ ଅଧିକାଂଶ ସିଗାରେଟ ଶେଷ ହେଇ ବଳିଛି ମାତ୍ର ଆଉ ତିନୋଟି !

 

ମୁଁ ଛାଡ଼ି ଦେଇଚି ଷ୍ଟିଆରିଂ । ଅଳ୍ପ ଅଳ୍ପ ନିଶା ଧରିଲାଣି । ମଥାଟା ଟିକିଏ ଝାଙ୍କି ଦେଉଛି-। ସାମାନ୍ୟ ଆଚ୍ଛନ୍ନ ଭାବ !

 

ମଞ୍ଜୁ ଭାଉଜ ଡାହାଣ ହାତରେ ଷ୍ଟିଆରିଂ ଧରି ଡ୍ରାଇଭ୍‌ କରି ଚାଲିଛନ୍ତି; ବାଁ ହାତଟି ମୋ କାନ୍ଧ ଉପରେ । ନିଜ ଆଡ଼କୁ ମୋତେ ଆଉଜାଇ ନେଇଛନ୍ତି ସେ ।

 

ଗୋଟିଏ ହାତରେ ଧରିଛନ୍ତି ଷ୍ଟିଆରିଂ, ତଥାପି କି ସ୍ପିଡ୍‍.......ଟର୍ଣ୍ଣିଂରେ ବି ଏତେ ସ୍ପିଡ୍‍ ସତ୍ତ୍ୱେ ସେଇ ଗୋଟିଏ ହାତରେ କେଡ଼େ ଶୀଘ୍ର ମୋଡ଼ି ଦେଉଛନ୍ତି ଷ୍ଟିଆରିଂ ! ଗାଡ଼ି ଯେମିତି ତାଙ୍କ ହାତର ଖେଳନା ! ମୋ ଆଖି ସାମ୍ନାରେ ସ୍ପିଡ଼ୋମିଟର୍‌......ଉଃ.....କେତେ ଜୋରରେ ଥରୁଚି ! ଚାଳିଶ୍‌, ପଚାଶ....ଷାଠିଏ ! ଇସ୍‌ କି ସ୍ପିଡ୍‍ ! ଏତେ ସ୍ପିଡରେ ଜନ୍‌କିଙ୍ଗ୍‌ ବି ଗାଡ଼ି ଚଲାନ୍ତି ନାଇଁ । ମଞ୍ଜୁ ଭାଉଜ କ’ଣ ଆଜି ପାଗଳ ହେଇ ଯାଇଚି ? କାହିଁ ସେ ଦିନ ତ ଏତେ ସ୍ପିଡରେ ଚଳାଉ ନଥିଲା, ଯୋଉ ଦିନ ଆମେ ତିନିହେଁ ଯାଇଥିଲୁ ବୈତରଣୀ ଆନିକଟ୍‌ ଦେଖିବା ପାଇଁ । ଜନ୍‌କିଙ୍ଗ୍‌ ସେ ଦିନ ଫେରିବା ବେଳେ ତା’ହାତକୁ ଷ୍ଠିଆରିଂ ଦେଇଥିଲେ । ସାଧାରଣ ସ୍ପିଡରେ ସେ ଚଲାଉଥିଲା । ଆଜି ହଠାତ୍‌ କ’ଣ ହେଇଗଲା ତା’ର ?

 

ଭାରି ଭୟ ଲାଗିଲା ! ମଞ୍ଜୁ ଭାଉଜ, ସ୍ପିଡ୍‍ କମ୍‌ କର । ପ୍ଲିଜ୍‌, ମଞ୍ଜୁ ଭାଉଜ !!

 

ବାଁ ହାତରେ ମୋତେ ଆଉ ଟିକିଏ ଭିଡ଼ି ଧରି ସେ କହିଲେ–‘ମଞ୍ଜୁ ଭାଉଜ’ ନୁହେଁ–ଖାଲି ‘ମଞ୍ଜୁ’ ବୋଲି କୁହ ବିଜୟ ! ସେଦିନ ସେଇ ଯୋଉ ଭୁଲ୍‌ଟା କରି ପକାଇଥିଲ......

 

ଦୁଃଖିତ ! ଆଉ ସେପରି ଭୁଲ୍‌ ହେବନି ।

 

ବହୁତ୍‌ ଭୁଲ୍‌ ମଣିଷ କରେ; ଭୁଲି ଯାଏ । କିନ୍ତୁ ପ୍ରଥମ-ଯୌବନରେ ଏପରି କେତେକ ମଧୁର ଭୁଲ୍‌-ଭ୍ରାନ୍ତି ଅଜାଣତରେ ହେଇଯାଏ, ଯାହା ଭୁଲି ହୁଏନା । ତମେ ସେଦିନ ମୋତେ ‘ମଞ୍ଜୁ’ ଡାକି ଯୋଉ ମଧୁର-ଭୁଲ୍‌ଟିଏ କରି ପକାଇଛ, ସେଇଟା ଭୁଲିଯିବା ତମ ପକ୍ଷରେ ସମ୍ଭବ ନୁହେଁ କି ମୋ ପକ୍ଷରେ ବି ସମ୍ଭବ ନୁହେଁ ବିଜୟ !

 

ସାମାନ୍ୟ ଗୋଟାଏ କଥା ଉପରେ ତମେ କିନ୍ତୁ ଅଯଥା ଗୁରୁତ୍ୱ ଦେଉଛ ମଞ୍ଜୁ ଭାଉଜ !

 

ଆଉ ‘ଭାଉଜ’ ନୁହେଁ ବିଜୟ, କୁହ ଖାଲି ‘ମଞ୍ଜୁ’ ।

 

ନାଁ ନାଁ ତମେ ତ ମୋର ଭାଉଜ । ଜନ୍‌କିଙ୍ଗ୍‌ ଠିକ୍‌ ମୋର ଭାଇ ପରି । ଆଉ ତମେ–

 

ଓୟେଲ୍‌, ଡୋଣ୍ଟ୍‌ ମେକ୍‌ ଇୟୋର୍‌ ସେଲ୍‌ଫ୍‌ ଫୁଲ୍, ୟୁ ନନ୍‌ସେନ୍‌ସ ! ନିଜକୁ ବୋକା ବନାଅ ନାହିଁ । ତମର ‘ଭାଉଜ’ ହେବା ଇଚ୍ଛା ମୋର ନାହିଁ ।

 

ମଞ୍ଜୁ ଭାଉଜ, ସ୍ପିଡ୍‍ କମ୍‌ କର ! ପ୍ଲିଜ୍‌ ! ମୋତେ ଭାରି ଭୟ ଲାଗୁଚି !!

 

ଭୟ କ’ଣ ? ମୁଁ ବି ତ ରହିଚି ପାଖେ ପାଖେ । ଯଦି ମରିବାକୁ ହୁଏ, ଏକା ସାଙ୍ଗରେ ମରିବା !

 

ପ୍ଲିଜ୍‌ ମଞ୍ଜୁ ଭାଉଜ !

 

ହିଃ, ହିଃ, ହିଃ, ହିଃ, ମରିବାକୁ ତମର ଏତେ ଭୟ ! ମରିବାକୁ ଯା’ର ଏତେ ଭୟ, ସେ ନିଆଁର ଏତେ ପାଖକୁ ଆସେ କାହିଁକି ? କ’ଣ, ଉତ୍ତାପରେ ନିଜକୁ ଗରମ କରିବା ପାଇଁ ନାଁ ତେଲ ଢାଳି ନିଆଁକୁ ଆଉ ଟିକିଏ ଜଳେଇ ଦେବା ପାଇଁ ?

 

କ’ଣ ତମେ କହି ଚାଲିଛ ?

 

ଆଉ ଆତ୍ମ-ପ୍ରତାରଣାରେ କିଛି ଲାଭ ନାହିଁ ବିଜୟ ! ଆମେ ପରସ୍ପରକୁ ଠିକ୍‌ ବୁଝି ସାରିଛୁଁ–ନିଜ ପାଖରେ ନିଜେ ଧରା ପଡ଼ି ଯାଇଛୁଁ !

 

ମୁଁ କହୁଚି ଏତେ ସ୍ପିଡ୍‍ ଦଅନା ମଞ୍ଜୁ ଭାଉଜ ! ଦୈବାତ୍‌ ଯଦି ଷ୍ଟିଅରିଂ ଉପରୁ କଣ୍ଟ୍ରୋଲ ଚାଲିଯାଏ, ଆମେ କୋଉଠି ଯାଇ ପଡ଼ିବା ?

 

ନରକରେ !

 

ମଞ୍ଜୁ ଭାଉଜ ! ହ୍ୱାଟ୍‌ ଡୁ ୟୁ ମିନ୍‌ ବାଇ ଦେଟ୍‌ ?

 

ଇୟେସ୍‌ ! ଲେଟ୍‌ ଅସ୍‌ ଗୋ ଟୁ ଦ ହେଲ୍‌ !! ତମେ ଜାଣନା ବିଜୟ, ନର୍କର ଆନନ୍ଦ ବୈକୁଣ୍ଠରେ ବି ନାହିଁ । ‘ଖରାପ’ ହେବାରେ ଯେଉଁ ଆନନ୍ଦ ଅଛି, ‘ଭଲ’ ହେବାରେ ତା’ ମିଳେନା ! ବଡ଼ କ୍ଷଣସ୍ଥାୟୀ ଏ ଜୀବନଟା.... So we must try to loot the maximum pleasure of earth as early as possible !

 

ତମେ କ’ଣ ଚାହଁ ?

 

ଚାହେଁ ତୁମକୁ ।

 

ଦୁର୍ବଳ ମୁହୂର୍ତ୍ତରେ କ’ଣ ମଞ୍ଜୁ ଭାଉଜ ପ୍ରକାଶ କରି ପକାଇଛି ତା’ ମନ କଥା ? ମୁଁ ସ୍ତମ୍ଭିତ ହୋଇ ଦୃଢ଼ କଣ୍ଠରେ ପଚାରିଲି–ମଞ୍ଜୁ ଭାଉଜ, ତମେ ମୋତେ ଆଉ କି ଭାବରେ ଚାହଁ ?

 

ଏଣେ ପଶ୍ଚିମ ଆକାଶରେ ଏକ ବିସ୍ତୀର୍ଣ୍ଣ ଅଂଶ ଅଧିକାର କରି ସାରିଲାଣି ଅଦିନିଆ କଳା ମେଘ ! ମଦୋନ୍ମତ୍ତ ମତ୍ତହସ୍ତୀ ପରି ଧୀରେ ଧୀରେ ତାହା ସଞ୍ଚରି ଯାଉଛି ଚାରିଆଡ଼େ । ଗୋଟିକ ପରେ ଗୋଟିଏ, ସମସ୍ତ ନକ୍ଷତ୍ର ନିଶ୍ଚିହ୍ନ ହୋଇ ସତ୍ତା ହରାଇ ଦେଲେଣି । ସେତେବେଳ ଯାଏ ଆମେ ଆଦୌ ଲକ୍ଷ୍ୟ କରି ନ ଥିଲୁ ପ୍ରକୃତିର ଏ ବୈପ୍ଳବିକ ପରିବର୍ତ୍ତନ !

 

ହଠାତ୍‌ ଖୁବ୍‌ ଜୋରରେ ଆସିଲା ଗୋଟାଏ ଝଡ଼ ! କି ପ୍ରଚଣ୍ତ, କି ତୀବ୍ର ତା’ର ତାଡ଼ନା !

 

ବାଧ୍ୟ ହେଲେ ସେ ସ୍ପିଡ୍‍ କମାଇବାକୁ । ନଚେତ୍‌ ଗାଡ଼ିଟା ହୁଏତ ଓଲଟି ପଡ଼ି ଥାଆନ୍ତା ପବନର ଆଘାତରେ ! ମୁଁ ଉଠି ବସିଲି ଉଦ୍‌ବିଗ୍ନ ହୋଇ ।

 

ବଜ୍ର, ବିଦ୍ୟୁତ୍‌ ଓ ଝଡ଼ର ଗର୍ଜ୍ଜନ.....ସବୁ ମିଶି ଗଭୀର ଓ ଗମ୍ଭୀରତର ହେଇ ଉଠିଲା ଅନ୍ଧକାର ରାତ୍ରିର ଭୟାବହତା !

 

ବିପୁଳ ବର୍ଷାର ପୂର୍ବାଭାଷ !

 

ମଞ୍ଜୁ ଭାଉଜ, ଏବେ ଉପାୟ ? ମୁଁ ହତାଶ ହେଇ କହିଲି, ଆମେ ବର୍ତ୍ତମାନ ଘରଠାରୁ କେତେ ଦୂରରେ ଯେ ଆସି ହେଲେଣି....

 

ହେଡ଼୍‌ ଲାଇଟ୍‌ର ଆଲୋକ ପଡ଼ିଚି ଏକ ସାଇନବୋର୍ଡ଼ ଉପରେ । ‘‘ଚାନ୍ଦିପୁର, ତିନି ମାଇଲ ।’’

 

ବିଜୟ, ଆମେ ହେଡ଼୍‌-କ୍ୱାଟର ଠାରୁ ପଚାଶ ମାଇଲ ଦୂରରେ ! ସମୁଦ୍ର ଆଉ ଏଠୁ ମାତ୍ର ତିନି ମାଇଲ.....

 

ସମୁଦ୍ର ତୀରରେ ଅବସ୍ଥିତ ଚାନ୍ଦିପୁର ଥାନା ହେଡ଼୍‍କ୍ୱାଟର । ଛୋଟ ଥାନାଟିଏ । ମୁଁ ଆଗରୁ ଥରେ ଦି’ଥର ବାପାଙ୍କ ସାଙ୍ଗରେ ସେଠିକି ଯାଇଥିଲି । ମଞ୍ଜୁ ଭାଉଜ ବି ଜାଗାଟା ଆଗରୁ ଦେଖିଛନ୍ତି । କହିଲେ, ବିଜୟ ଚାନ୍ଦିପୁରରେ ତ ଡାକବଙ୍ଗଳା ଅଛି । ସେଇଠିକି ଚାଳିଗଲେ କିମିତି ହୁଅନ୍ତା ? ଘଡ଼ି ଦେଖିଲେ ମଞ୍ଜୁ ଭାଉଜ, ଆରେ ! ବର୍ତ୍ତମାନ ଯେ ଏଗାରଟା ବାଜିଲାଣି !

 

ମୁଁ ପ୍ରବଳ ଆପତ୍ତି କଲି । ଚାନ୍ଦିପୁର ଡାକବଙ୍ଗଳାକୁ ଯିବା କ’ଣ ଦରକାର ମଞ୍ଜୁ ଭାଉଜ-? ଆମେ ଏଇନେ ହେଡ଼୍ କ୍ୱାଟରକୁ ବେଶ୍‌ ଫେରିଯାଇ ପାରିବା । ତମ ହାତରେ ଷ୍ଟିଅରିଂ ରହିଲେ, ପଚାଶ ମାଇଲ ତ ମାତ୍ର ଦେଢ଼ ଘଣ୍ଟାର ରାସ୍ତା ।

 

କିନ୍ତୁ, ଦେଖୁଚ ତ ଆକାଶର ଅବସ୍ଥା । ଭୀଷଣ ବର୍ଷା ହେଇପାରେ....

 

ହେଉ ବର୍ଷା । ଛାତ ପକାଇ ଦେବା । ଖରାପ ପାଗ ପାଇଁ ନ ହେଲା ବଡ଼ ଜୋର୍‌ ଦି’ଘଣ୍ଟା ଲାଗିବ । ଆଉ କ’ଣ ?

 

ଯେପରି, ଅନିଚ୍ଛା ସତ୍ତ୍ୱେ ଗାଡ଼ି ଘୂରେଇଲେ ମଞ୍ଜୁ ଭାଉଜ । ତାଙ୍କ ହାବଭାବ ମୋତେ ଭାରି ବିରକ୍ତିକର ଲାଗୁଥାଏ । ଅନର୍ଥକ ଏଇ ରାତି ଅଧରେ ଚାନ୍ଦିପୁର ଡାକବଙ୍ଗଳାକୁ ଯିବାର କୌଣସି କାରଣ ଥାଇ ନ ପାରେ ।

 

ତା’ଛଡ଼ା, ଏଇ ବାଟେ ତ ଜନ୍‌କିଙ୍ଗ୍‌ ଫେରିବାର କଥା । ଯଦି କାଲି ସକାଳେ ନ ଆସି ଦୈବାତ୍‌ କୌଣସି ଅନିବାର୍ଯ୍ୟ କାରଣରୁ ଆଜି, ବର୍ତ୍ତମାନ ....ସେ ବାଲେଶ୍ୱରରୁ ଫେରି ଆସନ୍ତି; ତେବେ ?

 

ଏତେ ରାତିରେ ରାସ୍ତା ଉପରେ ଆମକୁ ଦେଖି କ’ଣ ମନେ କରିବେ ?

 

ମଞ୍ଜୁ ଭାଉଜର କ’ଣ ଟିକିଏ ବୁଝିବାର ଶକ୍ତି ନାହିଁ ଯେ, ବିପଦ ଅନେକ ସମୟରେ ଅପ୍ରତ୍ୟାଶିତ ଭାବେ ଆସିଯାଏ ?

 

ନାଃ, ବହୁତ୍‌ ପିଇ ଦେଇ ଆଜି ତା’ର ସେନ୍‌ସ ନାହିଁ ବୋଧହୁଏ !

 

ଆଉରି ମଧ୍ୟ ଚାନ୍ଦିପୁର ଡାକବଙ୍ଗଳା ବି ଖୁବ୍‌ ନିରାପଦ ସ୍ଥାନ ନୁହେଁ । ଆମେ ଡାକବଙ୍ଗଳାରେ ଥିଲାବେଳେ, ମନେକର, ସେ ବି ଯଦି ଫେରିବା ବାଟରେ ହଠାତ୍‌ ସେଇଠି ପହଞ୍ଚି ଯାଆନ୍ତି ଥାନା ଚେକ୍‌ କରିବାକୁ, ତେବେ ତ ଆମକୁ ନିଶ୍ଚୟ ଭେଟିବେ, ଯେହେତୁ ଥାନାର ଠିକ୍‌ ସାମ୍ନା ସାମ୍ନି ଡାକବଙ୍ଗଳା ହତାଟା ! ନିଜ ମଟର କାର୍‌ଟି ଚିହ୍ନିବାକୁ କିଛି ଅସୁବିଧା ହେବନି ତାଙ୍କୁ !

 

ତା’ଛଡ଼ା, ମଞ୍ଜୁ ଭାଉଜ ବେଶୀ ନିଶାରେ ଥିବାରୁ ବୋଧହୁଏ, ସବୁ କିଛି ତା’ର ଆଜି ବଡ଼ ଅବ୍ୟବସ୍ଥିତ ମନେ ହେଉଛି । ତା’ ଢଙ୍ଗଢାଙ୍ଗ ଆଦୌ ଭଲ ଲାଗୁନି ମୋତେ ! ମୋଟ ଉପରେ ଯେତେ ଶୀଘ୍ର ଘରେ ପହଞ୍ଚିଗଲେ ଭଲ !

 

ଦୁଇ ଚାରି ବୁନ୍ଦା ମେଘ ଆମ ଉପରେ ପଡ଼ିଲା । ସାଙ୍ଗେ ସାଙ୍ଗେ ସ୍ପ୍ରିଂ ମୋଡ଼ି କ୍ୟାନ୍‌ଭାସ ଛାତଟା ବନ୍ଦ କରିଦେଲେ ସେ । ପର ମୁହୂର୍ତ୍ତରେ ଆକାଶର ଛାତି ଫଟାଇ ଅଜାଡ଼ି ପଡ଼ିଲା ପ୍ରଚଣ୍ତ ବର୍ଷା ଆଉ ତା’ ସାଙ୍ଗକୁ ଖୁବ୍‌ ଜୋର୍‌ କୁଆପଥର ମାଡ଼ !

 

ଗାଡ଼ିର କାଚ ସବୁ ଉଠାଇ ଦେଇ ଏକ ମନରେ ଡ୍ରାଇଭ କରି ଚାଲିଲେ ମଞ୍ଜୁ ଭାଉଜ । ଆମେ ଫେରି ଚାଲିଛୁ ସହର ଅଭିମୁଖେ....

 

ବାହାରେ ଚାଲିଥାଏ–ପ୍ରାକୃତିକ ବିପର୍ଯ୍ୟୟ । ଆମରି ମୁହଁ ସାମ୍ନାରେ ଗାଡ଼ିର ଉଇଣ୍ତ ସ୍କ୍ରିନ୍‌ କାଚକୁ ଖୁବ୍‌ ଜୋରରେ ମାରୁଥାଏ ପାଣି ଛାଟ....ଚମକୁଥାଏ ବିଜୁଳି ....ପାଗଳ ହେଳା ପରି ଦୂରରେ ଦୋହଲୁଥାଏ ବଡ଼ ବଡ଼ ମହୀରୁହ ! ଜଳ ପ୍ଳାପିତ ଟ୍ରଙ୍କ୍‌ରୋଡ଼ ଉପରେ ରାଜହଂସ ପରି ସତେ ଅବା ପହଁରି ଚାଲିଛି କନ୍‌ଭଟିବ୍ଲ । ହେଡ଼୍‌ ଲାଇଟ୍‌ ଆଗରେ ଆକାଶରୁ ଶତ-ସହସ୍ର ତୀର ନିକ୍ଷିପ୍ତ ହେବା ପରି ଝରିପଡ଼ୁଛି ଅବିରାମ ବର୍ଷଣ ! ଭିତରେ ଛୋଟ ବୈଦ୍ୟୁତିକ ବଲ୍‌ବର କ୍ଷୀଣ ଅଥଚ ସ୍ନିଗ୍ଧ ଆଲୋକରେ ମଞ୍ଜୁ ଭାଉଜଙ୍କ ସୁନ୍ଦର ମୁହଁଟି ଦିଶୁଥାଏ ଗମ୍ଭୀର ଓ ରହସ୍ୟମୟ । କିଛି ଗୋଟାଏ ଖୁବ୍‌ ଚତୁରତାର ସହିତ ସେ ଭାବି ଚାଲିଛନ୍ତି ବୋଧହୁଏ ! ସାମ୍ନା କାଚ ଉପରୁ କ୍ଷିପ୍ର ଗତିରେ ପାଣିଛିଟା ପୋଛି ଚାଲିଛି ଅଟୋମେଟିକ ଓ୍ୟାଇପର, ବୁଲି ଆସୁଛି ସେ ପାଖରୁ ଏ ପାଖ...ଏ ପାଖରୁ ସେ ପାଖ ।

 

ଏ ପାଖ ସେ ପାଖ ହୋଇ ହୋଇ ହଠାତ୍‌ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଗଲା ଓ୍ୟାଇପରଟା । ଆଉ, ମଞ୍ଜୁ ଭାଉଜ ବି ମନେହେଲା ଅନେକ ଭାବିବା ପରେ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ମନ ସ୍ଥିର କରି ସାରିଛନ୍ତି !

 

ଠିକ୍‌ କରି ବନ୍ଦ ହେଇଗଲା ଇଞ୍ଜିନ...ଆଉ ଲିଭିଗଲା ଭିତର ଓ ବାହାରର (ହେଡ଼୍‌ ଲାଇଟ୍‌ର) ଆଲୋକ । ନିଭିଯିବା ପୂର୍ବରୁ ମୁଁ ଠିକ୍‌ ଲକ୍ଷ୍ୟ କରି ନେଇଛି, ତାଙ୍କ ଓଠରେ ଟିକିଏ କ୍ଷୀଣ ହସ ! ନିଜର ଯୋଜନା କାର୍ଯ୍ୟକାରୀ ହେବାର ସଫଳତାରେ ବିଜୟ ଗର୍ବର ହସ !!

 

ଇଞ୍ଜିନ ଫେଲ୍‌ କରିଚି ବିଜୟ । ମଞ୍ଜୁ ଭାଉଜର ଗଳା ଫେଲ୍‌ କରିଥିବା ଇଞ୍ଜିନ ପରି ଶାନ୍ତ, ସ୍ଥିର ଆଉ ଥଣ୍ତା । ଟିକିଏ ଉଦ୍‌ବିଗ୍ନତାର ଆଭାସ ନାହିଁ ତା’ କଥାରେ ?

 

ସର୍ବନାଶ !!! ତେଲ କ’ଣ ନାହିଁ ?

 

ଯଥେଷ୍ଟ ଅଛି । ସହଜ ଗଳାରେ ଉତ୍ତର ଦେଲେ ସେ ।

 

ତେବେ ?

 

ଯେତେଦୂର ସମ୍ଭବ, ପାଇପ୍‌ ଜାମ୍‌ ହେଇଚି ।

 

କୋଉ ପାଇପ୍‌ ?

 

ମଟର ଇଞ୍ଜିନ ବିଷୟରେ କ’ଣ ତମର ଜ୍ଞାନ ଅଛି ଯେ, ବୁଝେଇବି ?

 

କ’ଣ କରାଯିବ.....ତା’ହେଲେ ?

 

ବନେଟ୍‌ ଖୋଲି ଦେଖିବାକୁ ପଡ଼ିବ । କିନ୍ତୁ ଏ ବର୍ଷାରେ ବାହାରକୁ ଯିବି କିପରି ? ତା’ଛଡ଼ା, ବନେଟ୍‌ ଟେକିଦେଲେ ଭିତରେ ପାଣି ପଶି ଇଞ୍ଜିନ ଏକାବେଳକେ ବିଗିଡ଼ି ଯିବ ।

 

ତେବେ ଉପାୟ ? ଏତେ ରାତି ହେଇଗଲାଣି....

 

ବର୍ଷା ଛାଡ଼ିବାଯାଏ ଅପେକ୍ଷା କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବିଜୟ ! ସାପର ଦେହ ଭଳି ଥଣ୍ତା ମଞ୍ଜୁ ଭାଉଜର ନିରୁଦ୍‌ବିଗ୍ନ ସ୍ୱର !

 

ହୁଇସ୍କି ବାହାର କରି ନିଜେ ପିଇଲେ ଆଉ ମୋତେ ବି ପିଆଇଲେ ମଞ୍ଜୁ ଭାଉଜ । ବାହାରେ, ପ୍ରକୃତି ପାଗଳ ହେଇ ଉଠିଚି । ଭିତରେ, ଝଡ଼ ଉଠିଚି ମୋ ମନରେ ।

 

ଅନ୍ଧକାର ଗୁହା ଭିତରେ ବଳିଷ୍ଠ ଗୋଟିଏ ସିଂହିନୀର ସମ୍ପୂର୍ଣ୍ଣ ଆୟତ୍ତରେ ଏକ ହରିଣ ଶାବକ ?

 

ନାଁ ନାଁ ଝଡ଼ ବିପନ୍ନ ଏକ କୁଳାୟରେ ଦୁଇଟି ପକ୍ଷୀ ପକ୍ଷିଣୀ ଆମେ ଦୁହେଁ । ମୁଁ ଓ ମଞ୍ଜୁ ଭାଉଜ ।

 

ହଠାତ୍‌, ଅତି ନିକଟରେ ପ୍ରଚଣ୍ତ ଏକ ବଜ୍ରପାତ୍‌ !! ଭୀଷଣ ସେଇ ଶବ୍ଦରେ ଭୟ ପାଇ ମୁଁ ଚମକି ପଡ଼ି ଭିଡ଼ି ଧରିଲି ମଞ୍ଜୁ ଭାଉଜକୁ ! ହଁ ଖୁବ୍‌ ଜୋରରେ ଭିଡ଼ି ଧରିଲି । ଆଉ ସେ ବି, ଭିଡ଼ି ଧରିଲା ମୋତେ । ଜାକି ଦେଲା ତା’ର ନରମ କୋଳ ଭିତରେ !

 

ଏଇଥିପାଇଁ ବୋଧହୁଏ ବଜ୍ରପାତ୍‌ର ଆବଶ୍ୟକତା ଥିଲା ! ବଜ୍ର ବୋଧହୁଏ ଆକାଶରୁ ଖସିଥିଲା ଆମ ଦୁହିଁଙ୍କୁ ଏକ କରି ଦେବାପାଇଁ, ଆମ ଦୁହିଁଙ୍କ ଦେହର ଦୁସ୍ତର ବ୍ୟବଧାନ ଘୁଞ୍ଚାଇ ଦେବାପାଇଁ !

 

ମୁଁ ଅନୁଭବ କଲି ଏକ ସୁଖକର ନିରାପତ୍ତା । ଦେହ-ମୟ ଏକ ଉଷ୍ମ ସଯତ୍ନ ସ୍ପର୍ଶ । ଏକ ମଧୁର ଉତ୍ତେଜନା ! ଆବେଗ ଭରା ଓଠ ମୋର ଆକଣ୍ଠ ତୃଷ୍ଣା ନେଇ ତୃପ୍ତି ଖୋଜି ବୁଲିବାକୁ ଲାଗିଲା !!

 

ମୋତେ ପରିବେଷ୍ଟନ କରିଥିବା କୋମଳ ନଗ୍ନ ବାହୁର ରୋମାବଳୀରେ ଅନୁଭବ କଲି କଦମ୍ବ-କେଶରର ରୋମାଞ୍ଚ । ମୋ କପାଳରେ ବାଜୁଥିବା ଗରମ ପ୍ରଶ୍ୱାସରେ ଅନୁଭବ କରି ପାରିଲି ଝଡ଼ର ପ୍ରଖରତା । କର ଲେଉଟାଇଲି; ମୋ ହାତ ବାଜିଗଲା ପୁଞ୍ଜୀଭୂତ ଆଦିମ-କାମନାର ବିସ୍ଫୋରକ ସ୍ତୁପ ଦୁଇଟିରେ ! ହଠାତ୍ ତା’ପରେ ମୁଁ ଉତ୍‌କ୍ଷିପ୍ତ ହେଇ ଉଠିଲି, ତା’ର ସେଇ ଉଦ୍ଧତ ଆତ୍ମ-ପ୍ରଚାରକୁ ଦଳିତ, ମଥିତ, ଚୂର୍ଣ୍ଣ-ବିଚୂର୍ଣ୍ଣ କରି ବିସ୍ଫୋରଣର ପ୍ରଚଣ୍ଡ ପ୍ରଳୟରେ ଆମ ଦୁହିଁଙ୍କର ସମସ୍ତ ବ୍ରୀଡ଼ା, ଦ୍ୱିଧା, ଆତ୍ମ-ପ୍ରବଞ୍ଚନା ଓ ନିଆଁ ନେଇ ଲୁଚକାଳି ଖେଳିବାର ଧୃଷ୍ଟତାକୁ ଛାରଖାର କରି ଉଡ଼ାଇ ଦେବା ପାଇଁ !!!

 

ନୋ, ନୋ ବିଜୟ !

 

ବାଧା ପାଇଲି ମୁଁ ।

 

ଆଶ୍ଚର୍ଯ୍ୟ, ବିଚିତ୍ର, ସ୍ତ୍ରୀୟା ଚରିତ୍ରମ୍‌ !!

 

ଆକାଶ-ଚୁମ୍ବି ସ୍କାଇ ସ୍କ୍ରେପରରେ ଉଚ୍ଚରୁ ଉଚ୍ଚତର ....ବହୁତ୍‌ ଦୂର ଉଠିଯିବା ପରେ ହଠାତ୍‌ ଯଦି ଦ୍ରୁତଗାମୀ ଲିଫ୍ଟର ତାର ଛିଡ଼ି ପଡ଼େ !! ଅନୁଭବ କରିଛନ୍ତି କେବେ ?

 

 

ଅନ୍ଧ ହୋଇଥିଲି ଉତ୍ତେଜନାରେ । ମୋର ସମସ୍ତ ସ୍ନାୟୁ ଓ ପ୍ରବୃତ୍ତିକୁ ଉଦ୍ଦାମ ଓ ଅଦ୍ଭୁତ ଏକ ବିହ୍ୱଳତା ଧୀରେ, ଧୀରେ, ଧୀରେ, ଧୀରେ....ବହୁତ ଉଚ୍ଚକୁ ଉଠାଇ ନେଇଥିଲା । ହଠାତ୍‌ ଫିଙ୍ଗି ଦେଲା ଅଚୈତନ୍ୟତାର ଗଭୀର ଗହ୍ୱରକୁ !

 

ହଁ, ଯେତିକି ସ୍କଚ୍‌ ହୁଇସ୍କ ପିଇ ଦେଇଥଲି, ତାହା ମୋତେ ସଂଜ୍ଞାହୀନ କରିବାକୁ ଯଥେଷ୍ଟ ଥିଲା ।

 

କେତେବେଳେ ଶେଷ ହେଇଥିଲା ସେଇ ଦୁର୍ଯୋଗ ବାରି-ବର୍ଷଣ, କେତେବେଳେ ଗାଡ଼ି ସଜାଡ଼ି ଥିଲା ମଞ୍ଜୁ ଭାଉଜ, କେତେବେଳେ ଆମେ ଘରେ ପହଞ୍ଚିଥିଲୁ, ଆଉ କେତେବେଳେ ବା ମୋତେ ନେଇ ସେ ବିଛଣାରେ ଶୁଆଇ ଦେଇଛନ୍ତି–ଠିକ୍‌ ବୁଝି ପାରିନି । ଅନୁଭବ କରି ପାରିନି କିଛି ହେଲେ, ଯଦିଓ ଜାଣି ପାରୁଥିଲି ସବୁ କିଛି ଅସ୍ପଷ୍ଟ ଗୋଟିଏ ସ୍ୱପ୍ନ ଦେଖିବା ପରି ।

 

ଶୁଣିଲି, କାନ୍ଥ ଘଡ଼ିର ଢଂ ଢଂ ଶବ୍ଦ ।

 

ଚାରିଟା ବାଜିଛି !

 

ବେଶ୍‌ ଭଲ ଭାବରେ ବୁଝି ପାରୁଥିଲି, ମୋ ବାଳ ଭିତରେ ଖେଳି ଖେଳି ଶିହରଣ ସୃଷ୍ଟି କରୁଚି କାହାର ଚଞ୍ଚଳ ଆଙ୍ଗୁଳି, କାହାର ମୃଦୁ ପ୍ରଶ୍ୱାସ ବାଜୁଚି ମୋ ଗାଲରେ, କାହାର ଅବିନ୍ୟସ୍ତ କେଶପାଶ ଲାଗୁଚି ମୋ ଆଖି ଉପରେ...

 

ରାତିର ଶେଷ ପ୍ରହରରେ, ତମସାଚ୍ଛନ୍ନ ସେଇ ନିଭୃତ କକ୍ଷ ଭିତରେ, ଅନୁଭବ କି ରହସ୍ୟମୟୀ ସେଇ ତରୁଣୀର ନିର୍ଜନ-ସାନିଧ୍ୟ !

 

ମଞ୍ଜୁ ଭାଉଜ !

 

ବିଜୟ ।

 

ମୋତେ କ୍ଷମା କର ମଞ୍ଜୁ ଭାଉଜ !

 

ହ୍ୱାଟ୍‌ ଫର୍‌ ?

 

ସେତେବେଳେ....ଖୁବ୍‌ ନିଶା ଧରି ଯାଇଥିଲା ମୋତେ; ଯାହା କରିଛି, ସେଥିପାଇଁ କ୍ଷମାକର । I have done like that…because I was in mood; I was not in sense.

 

You seduced me because you were drunk; well, I too refused you because I was drunk…. ତମେ ନିଶାରେ ଥିଲ ବୋଲି ସେପରି କରି ପକେଇଛ, କହୁଛ; ଆଉ ମୁଁ, ନିଶାରେ ଥିବାରୁଇ ତମକୁ ପ୍ରତ୍ୟାଖ୍ୟାନ କରିଛି ବିଜୟ । ନଚେତ୍‌, ମୁଁ ନିଶ୍ଚୟ ରାଜି ହେଇ ଥାଆନ୍ତି–I would have surely submitted my-self to you…. ତମେ ବରଂ ମୋତେ କ୍ଷମା କର ବିଜୟ !

 

ମୁଁ ତମକୁ କ୍ଷମା କରିବି ?? କୋଉଥି ପାଇଁ ?

 

ହଁ ମୋତେ । ମୋର ବ୍ୟବହାର ପାଇଁ । You excuse me for behaviour…

 

ମଞ୍ଜୁ ଭାଉଜ, ତମେ ଏକ ଆଶ୍ଚର୍ଯ୍ୟ !

 

Now I am completely in sence. ତମେ ଯାହା ଚାହୁଁଥିଲ ନିଅ ବିଜୟ । I surrender…

 

But now, I am also completely in sense–ମୁଁ କିନ୍ତୁ ଆଉ ଏଇନେ ନିଶାରେ ନାହିଁ ମଞ୍ଜୁ ଭାଉଜ–ମୁଁ ବି ଆଉ ମାତାଲ ହେଇନି । I am no more under the influence of liquer…

 

ବିଜୟ, I love you; Iam terribly infatuated to you …

 

Don’t you love John ? ତମେ କ’ଣ ତମର ସ୍ୱାମୀଙ୍କୁ ଭଲ ପାଅନା ?

 

କିଏ ସ୍ୱାମୀ ? ସେଇ ସିଂହ-ଶିକାରୀ ଆରଣ୍ୟକ ? ହୁଁ; ତାକୁ ସ୍ୱାମୀ ବୋଲି କହିଲେ ସ୍ୱାମୀତ୍ୱର ଅମର୍ଯ୍ୟାଦା ହୁଏ । ରାତି ନାହିଁ, ଦିନ ନାହିଁ; ସବୁବେଳେ ଖାଲି ସେଇ ବାଘ, ସିଂହ, ସାପ, କୁମ୍ଭୀର, ଜଙ୍ଗଲ, ଶିକାର; ସବୁବେଳେ ସେଇ ‘ନିଆଁ’ ସେଇ ‘ପାଉଁଚି’ !! ଶୟନେ, ସ୍ୱପନେ, ଜାଗରଣେ–ଯେ ଖାଲି ଭଲପାଏ ଗୁଳି, ବନ୍ଧୁକ, ସ୍ପଟ୍‌ ଲାଇଟ୍‌; ଭୁଲରେ ସୁଦ୍ଧା ଚିନ୍ତା କରେ ନାହିଁ ତା’ ସ୍ତ୍ରୀ କଥା...ଥରେହେଲେ ପ୍ରଂଶସା କରେନା ସ୍ତ୍ରୀ’ର ରୂପ ବା ପ୍ରସାଧନକୁ, ଶୋଇବା ବିଛଣାରେ ବି ଯେ ଭୁଲିପାରେ ନାହିଁ କଙ୍ଗୋ ନଦୀ ଅବବାହିକାର ମଖମଲ ଦେହୀ ସୁନ୍ଦରୀ ବାଘୁଣୀ କଥା, ସେ କ’ଣ ଗୋଟାଏ ସ୍ୱାମୀ ପଦ-ବାଚ୍ୟ ? ବିଜୟ, ତମେଇ ପ୍ରକୃତରେ ମୋର ରୂପର ପୂଜାରୀ ! ମୋର ସର୍ବାଙ୍ଗ ତମେ ସଜାଇ ଦେଇଛ କୃଷ୍ଣଚୂଡ଼ାର ଆଭରଣରେ, ପାଦରେ ପିନ୍ଧାଇଛ ଅଳତା, ଆଖିରେ କଜ୍ଜ୍ୱଳ, ଚାହିଁଛ ଏକାନ୍ତ ହୃଦୟରେ ତମ ପ୍ରିୟତମାର ଅଙ୍ଗ-ସଜ୍ଜା ଯେପରି ଅଧିକରୁ ଅଧିକ ସୁନ୍ଦରତର ହେଇଉଠୁ ! You are my lover ବିଜୟ, You are my real admirer-!! ଅକ୍ଟୋପସ୍‌ ପରି ସେ ମୋତେ ଭିଡ଼ି ଧରିଲେ ।

 

ନା ନା ନା ନା ...ମୁଁ ପ୍ରାୟ ଚିତ୍କାର କରି ଉଠିଲି ! ମୁଁ ତମକୁ ‘ଦେବୀ’ ଭଳି ପୂଜା କରିବାକୁ ଚାହୁଁଥିଲି ମଞ୍ଜୁ ଭାଉଜ, ‘ପ୍ରିୟା’ ଭାବରେ ନୁହେଁ !

 

ହଠାତ୍‌ ଝରକାର ସ୍କ୍ରିନ୍‌ ଉପରେ ବାହାରୁ ପଡ଼ିଲା ଏକ ଉଜ୍ଜ୍ୱଳ ଆଲୋକ ! ଆଉ ତା’ ସାଙ୍ଗେ ସାଙ୍ଗେ ଶୁଣାଗଲା, ପରିଚିତ ସେଇ ଜିପ୍‌ ଗାଡ଼ିର ହର୍ଣ୍ଣ !!

 

ଫେରିଛନ୍ତି ଜନ୍‌କିଙ୍ଗ୍‌ !

 

ମୋତେ ତତ୍‌କ୍ଷଣାତ୍‌ ଛାଡ଼ିଦେଲେ ମଞ୍ଜୁ ଭାଉଜ । ଉଠିଗଲେ କବାଟ ଖୋଲିବା ପାଇଁ ।

 

ସକାଳେ ବ୍ରେକ୍‌ଫାଷ୍ଟ ଟେବୁଲରେ ମୁଁ ଚାହିଁ ପାରିଲିନି ମଞ୍ଜୁ ଭାଉଜ ମୁହଁକୁ । ସେ ବି ଅନାଉ ନ ଥାଏ ମୋ ଆଡ଼େ ।

 

ପ୍ଲେଟ୍‌, ଫର୍କ ଓ ସ୍ପୁନ୍‌ର ଠୁନ୍‌ଠାନ୍‌ ଶବ୍ଦ; ରେଡ଼ିଓରେ ମୃଦୁ ମଧୁର ଗୋଟିଏ ଇଂଲିଶ ମିଉଜିକ୍‌; ଟ୍ରେ ହାତରେ ବ୍ୟସ୍ତ-ବବୁର୍ଚ୍ଚିର ଯିବା ଆସିବା...ଭିତରେ ନିର୍ବିକାର ଜନ୍‌କିଙ୍ଗ୍‌ ଛୁରି ଓ କଣ୍ଟା ଚାମଚ ସାହାଯ୍ୟରେ ଆମଲେଟ ପାଟିକୁ ନେଉଁ ନେଉଁ ଦୁଇ ପାଖରେ ସାମନା ସାମନି ବସିଥିବା ଆମ ଦୁହିଁଙ୍କୁ ଆଡ଼ ଆଖିରେ ଚାହିଁ, ଅଳ୍ପ ହସି, ଟିକିଏ ଆଶ୍ଚର୍ଯ୍ୟ ହେଲା ପରି ପଚାରିଲେ–ତମ ଦି’ଜଣଙ୍କର କ’ଣ ହେଇଚି ଆଜି ? କଥା କ’ଣ ?

 

କେଡ଼େ ସରଳ ସେ !

 

ହଠାତ୍‌ ଆସିଲା ଟ୍ରାନ୍ସଫର୍‌ ଅର୍ଡ଼ର ।

 

ସେମାନେ ଚାଲିଗଲେ ମେଦିନୀପୁର । ସନ୍ତ୍ରାସ-ବାଦୀଙ୍କ ଗୁଳିରେ ଜନ୍‌କିଙ୍ଗ୍‌ ସେଠାରେ ପ୍ରାଣ ହରାଇଥିବା କଥା ଯୋଉଦିନ ଶୁଣିଲି–ନିଜର କେହି ଜଣେ ନିକଟ ସମ୍ପର୍କୀୟ ଆତ୍ମୀୟଙ୍କୁ ହରାଇଛି ।

 

ତା’ପରେ ମଞ୍ଜୁ ଭାଉଜ ସମ୍ବନ୍ଧରେ କିଛି ଖବର ମିଳିଲାନି । କିଏ କହିଲା–ସେ ବିଲାତ ଫେରି ଯାଇଛି; କିଏ କହିଲା କାହା ଠାରୁ ଶୁଣିଛି...ପୁଣିଥରେ ବାହା ହେଇ ସେ ଏଇ ଇଣ୍ତିଆରେ ଅଛି ବୋଲି; ଇମିତି କେତେ ପ୍ରକାର ଅସମର୍ଥିତ ସମ୍ବାଦ ।

 

ମାଟ୍ରିକ୍‌ ପରୀକ୍ଷା ସରି ଯାଇଛି ।

 

ନର୍ମଳ ଚାଲି ଯାଇଚି ଗାଁକୁ । ହରିଶ୍, ଶାନ୍ତି ଓ ମାଉସୀ (ହରିଶ୍‌ ମାଆଙ୍କୁ ମୁଁ ‘ମାଉସୀ’ ଡାକେ)ଯାଇଛନ୍ତି ପୁନା ।

 

ସେଦିନ ସକାଳେ କିଛି କାମ ନଥାଏ । ମୁଁ ଆଉ ବିନୟ ଖଣ୍ତିଏ ସାଇକେଲରେ ଡବଲ୍‌ ରାଇଡ୍‍ କରି ମିଶନ୍‌ ସାମ୍ନା ରାସ୍ତା ଦେଇ ଯାଇଥିଲୁ ରାଜ୍‌ଘାଟ ବନ୍ଧକୁ ସାଳନ୍ଦୀ ନଦୀର ବନ୍ୟା ଦେଖିବା ପାଇଁ ।

 

ଠିକ୍‌ କନଭେଣ୍ଟ୍‌ର ଫାଟକ ପାଖରେ ଦେଖିଲୁ, ଠିଆ ହେଇଚି ପୋଲିସ ଭ୍ୟାନ୍‌ ! ସାରା କମ୍ପାଉଣ୍ତଟାକୁ ରିଂ କରିଛନ୍ତି ସଶସ୍ତ୍ର ପୋଲିସ-ବାହିନୀ ! ଭିତରେ ପଶିବାକୁ କିମ୍ବା ଭିତରୁ ବାହାରି ଆସିବା ପାଇଁ କାହାରିକି ଅନୁମତି ଦିଆ ହେଉନି । ଫାଟକ ପାଖରେ କୌତୂହଳୀ ଜନତାର ଭିଡ଼ କ୍ରମେ ବଢ଼ୁଥାଏ । ପଚାରି ବୁଝିଲୁ–ଭିତରେ ସାର୍ଚ୍ଚ ଚାଲିଚି ।

 

କ’ଣ ସାର୍ଚ୍ଚ ଚାଲିଚି ? କୋଉଥିପାଇଁ ସାର୍ଚ୍ଚ ? କିଛି ଜାଣନ୍ତିନି କେହି । ଗୋଟାଏ ଧର୍ମାନୁଷ୍ଠାନ ଭିତରେ ପୁଣି ଆପତ୍ତି-ଜନକ କ’ଣ ଥାଇ ପାରେ ?

 

ସାଇକେଲ୍‌ ଠିଆ କରି ଆମେ ସେଇଠି ଟିକିଏ ଅପେକ୍ଷା କଲୁ ।

 

ଅଳ୍ପ କେତେ ମିନିଟ୍‌ ପରେ ଫାଦର୍‌ ଜନ୍‌ସନ୍‌ଙ୍କୁ ହାତକଡ଼ା ପକାଇ ଅଣା ହେଲା ! ତାଙ୍କୁ ଘେରି ଚାଲିଥାନ୍ତି ଚାରିଜଣ ପହରାଦାର୍‌ ସଙ୍ଗୀନ୍‌ ଉଞ୍ଚାଇ ।

 

ପୋଲିସ ଭ୍ୟାନ୍‌ଠାରୁ ଘୁଞ୍ଚିଗଲେ ସମସ୍ତେ । ଫିସ୍‌...ଫିସ୍‌...କଥାବର୍ତ୍ତା ! ଫାଦର୍‌ ଜନ୍‌ସନ୍‌ କୁଆଡ଼େ ଜର୍ମାନ ଗୁପ୍ତଚର !!

 

ସେତେବେଳେ ବ୍ରିଟିଶ ଅମଳ । ପ୍ରତିବାଦ ବା ପ୍ରତିରୋଧ କରିବାକୁ କିଏ ସାହସ କରନ୍ତା ? ପାଟିକରି କଥା କହିବାକୁ ତ ଛାତି ନାହିଁ କାହାରି !!

 

ବିନୟ ଅବାକ୍‌ ! ମୁଁ ବି ହତବାକ୍‌ !

 

କିଂକର୍ତ୍ତବ୍ୟ-ବିମୂଢ଼ ହୋଇ ଦୁହେଁ ଚାହିଁରହିଲୁ ତାଙ୍କରି ଆଡ଼କୁ ।

 

ସେ ଆମକୁ ଦେଖିଛନ୍ତି । ଶୁଖିଲା ହସ ହସି ମୁଣ୍ତ ଟୁଙ୍ଗାରି ଦେଲେ । ଗୁଡ୍‍ ବାୟ୍‌ ବୟେଜ୍‌ !

 

ଖଟ୍‌ କରି ବନ୍ଦ ହୋଇଗଲା ଭ୍ୟାନ୍‌ର ଲୁହା-ଜାଲି ଦିଆ କବାଟ । ଇଞ୍ଜିନ ଗର୍ଜ୍ଜନ କରି ଉଠିଲା ।

 

ତା’ପରେ ଦେଖିଲି–ମୋ ଆଖି ଆଗଟା ଶୂନ୍ୟ ହେଇ ଯାଇଚି !

 

ଫାଦର୍‌ ଜନ୍‌ସନ୍‌ ।

 

କେଡ଼େ ଚମତ୍କାର ଲୋକ ସେ । ଅତି ଶୀଘ୍ର ପରକୁ ଆପଣାର କରି ପାରନ୍ତି । ଲୋକ-ପ୍ରିୟ, ସ୍ନେହୀ, ମିଷ୍ଟ-ଭାଷୀ....ଏଇ ପ୍ରବାସୀ ଇଉରୋପୀୟଟି ଆମ ସହରରେ ଆଉ ପାଖାପାଖି ଗାଁ ଗଣ୍ତାରେ ପ୍ରାୟ ଘରେ ଘରେ ପରିଚିତ ଥିଲେ । ବିଶେଷତଃ ଶିଶୁ ମହଲରେ !

 

ରୋଗୀକୁ ସେ ଦେଇଛନ୍ତି ଔଷଧ, ଶୋକାର୍ତ୍ତକୁ ସାନ୍ତ୍ୱନା, ଅଶିକ୍ଷିତକୁ ବିଦ୍ୟା, ଅନାଥାକୁ ବାତ୍ସଲ୍ୟ । ବିଳାସ, ବିଭବ ଓ ଐଶ୍ୱର୍ଯ୍ୟ-ମଣ୍ତିତ ଝଲମଲ ଇଉରୋପକୁ ଭୁଲି ସୁଦୀର୍ଘ ଅଠର ବର୍ଷ ଧରି ଏ ଦେଶର ଧୂଳି ମାଟିକୁ ସେ ଆଦରରେ ଗ୍ରହଣ କରି ନେଇଥିଲେ ।

 

କେବେହେଲେ, ଥରୁଟିଏ ବି କାହାରି ଉପରେ ରାଗ କରି ନାହାନ୍ତି ସେ ।

 

କ୍ଲାସରେ ଅତି-ନିର୍ବୋଧ ଛାତ୍ରମାନେ ବି ତାଙ୍କୁ କେବେହେଲେ ଉତ୍ୟକ୍ତ କରାଇ ପାରି ନାହାନ୍ତି । ଯେତେଥର ବୁଝାଇବୁ ପଡ଼ିବ, ବୁଝାଇବେ । ଥରେ ହେଲେ ବେତ ଉଠାଇବେନି କି କଡ଼ା କଥା କହିବେନି । ଅତି ଶାନ୍ତଶିଷ୍ଟ ! ଶିକ୍ଷକ ହିସାବରେ ଦୟା, କ୍ଷମା, ସଦାଶୟତା ଓ ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ସର୍ବଂସହା ଜନ୍‌ସନ୍‌ !

 

ମିଶନ୍‌ର ଛାତ୍ରମାନଙ୍କ ଠାରୁ ଶୁଣିଛି–ଏଡ଼େ ଶୀଘ୍ର ଆଉ ଏଡ଼େ ସୁନ୍ଦର ସେ ଜିନିଷଗୁଡ଼ିକୁ ବୁଝାନ୍ତି ଯେ, ଅତି ମୋଟା-ବୁଦ୍ଧିଆ ପିଲା ବି ଥରକରେ ବୁଝିଯିବ ସବୁ ରହିଯିବ ମନରେ ଠିକ୍‌ ଆଙ୍କି ହେଇଗଲା ପରି ।

 

ଇତିହାସ ଓ ଭୂଗୋଳରେ ତାଙ୍କର ଗଭୀର ଜ୍ଞାନ । ସେଇ ସାବଜେକ୍ଟ ଦୁଇଟି ଉପର କ୍ଲାସମାନଙ୍କରେ ପଢ଼ାଉଥିଲେ ସେ ।

 

ଏ ଦେଶକୁ ଆସିଥିଲେ ଜନ୍‌ସନ୍‌ ସେବା ମନୋଭାବ ନେଇ । ‘ରାଜନୀତି’ କରିବା ପାଇଁ ନୁହେଁ, ନିଶ୍ଚୟ । ରାଜନୀତିଠାରୁ ମାନବିକତା ଯେ ବଡ଼, ଏତିକି ନିଶ୍ଚୟ ସେ ଉପଲବ୍ଧି କରିଥିଲେ ବୋଲି ...ଆଶା କରାଯାଏ । କାହିଁକି ତେବେ ହଠାତ୍‌ ତାଙ୍କ ମନୋଭାବର ପରିବର୍ତ୍ତନ ହେଲା ? ‘‘ସବୁ କିଛିର ଉପରେ ମାନବିକତାଇ ଶ୍ରେଷ୍ଠ,’’ ‘‘ବିଭିନ୍ନ ଦେଶର ମଣିଷ ଭିତରେ କୌଣସି ଭେଦା-ଭେଦ ରହିବା ଉଚିତ ନୁହେଁ,’’ ‘‘ସାରା ପୃଥିବୀ ଭଗବାନଙ୍କ ସାମ୍ରାଜ୍ୟ’’–ଏଇ ସବୁତ ପ୍ରଚାର କରି ବୁଲୁଥିଲେ ସେ । କାହିଁକି ପୁଣି ବଦଳି ଗଲେ ଜନ୍‌ସନ୍‌ ? କାହିଁକି ବିଶ୍ୱ-ଭାତୃ-ଭାବ ଭୁଲି ‘ଦେଶାତ୍ମବୋଧ’ର ସଂକୀର୍ଣ୍ଣତା ଭିତରକୁ ପଶିଲେ ।

 

ହଁ, ଲୋକେ ଯାହା କୁହାକୁହି ହେଉଥିଲେ–ସେଥିରୁ ଜାଣିଲି, ଫାଦର୍‍ ଜନ୍‌ସନ୍‌ ଜର୍ମାନ-ନାଗରୀକ । ମହାଯୁଦ୍ଧର ପ୍ରାରମ୍ଭରୁଇ ସେ ଏଇଠି ସ୍ୱଦେଶ ପାଇଁ କାମ କରି ଦେଇଥିଲେ । ସେଇ କଥାଟା କୌଣସି ପ୍ରକାରେ ଜାଣି ପାରିଲେ ବ୍ରିଟିଶ ଗୋଇନ୍ଦା । ହଠାତ୍‌ ଅପ୍ରତ୍ୟାଶିତ ଭାବେ ମିଶନ୍‌ ଘେରାଉ କରି ତାଙ୍କୁ ଗିରଫ କରାହେଲା । ଗିରଫ କରାହେବା ବେଳେ ପୋଟାସିଅମ୍‌-ସାଇନାଇଡ୍‍ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସେ–କିନ୍ତୁ ପାରିଲେନି–ବିଷ ପାଟିରେ ଦେବା ପୂର୍ବରୁ ପୋଲିସ କବ୍‌ଜାକୁ ଆସିଗଲେ ! ତାଙ୍କ ଚେମ୍ବର ସାର୍ଚ୍ଚ କରାହୋଇ ଅତ୍ୟଧିକ ଶକ୍ତଶାଳୀ ଏକ କ୍ଷୁଦ୍ର ବେତାର ପ୍ରେରକ ଯନ୍ତ୍ର ବି ଧରା ପଡ଼ିଥିଲା । ବ୍ୟାଟେରୀ ଦ୍ୱାରା ଚାଲି ପାରୁଥିଲା ସେଇଟା ।

 

(କିପରି ଯେ ଏତେ କଥା ଆଗରୁ ଜାଣି ପାରିଥିଲେ ବ୍ରିଟିଶ ଗୋଇନ୍ଦା, ଧନ୍ୟ ସେମାନଙ୍କର ବୁଦ୍ଧି କୌଶଳ !)

 

ପ୍ରକୃତରେ କ’ଣ ଥିଲା ଫାଦର୍‍ ଜନ୍‌ସନ୍‍ଙ୍କ ମନ ଭିତରେ ? ତାଙ୍କର ମତ ପରିବର୍ତ୍ତନ କ’ଣ ହଠାତ୍‌ ନା ଅନ୍ୟ କିଛି ?

 

ଜର୍ମାନ-ସରକାରଙ୍କ ପୂର୍ବ ନିର୍ଦ୍ଦିଷ୍ଟ ସୁପରିକଳ୍ପିତ ଯୋଜନା ଅନୁଯାୟୀ ସେ କ’ଣ ପ୍ରଥମରୁ ଏ ଦେଶକୁ ଆସିଥିଲେ ବା ଜର୍ମାନ ସରକାର ଦ୍ୱାରା ପ୍ରେରିତ ହେଇଥିଲେ, ଧର୍ମ-ଯାଜକର ଛଦ୍ମ ବେଶରେ ? ସେଇଥି ପାଇଁ କ’ଣ ସୁକୌଶଳରେ ନିଜର ପ୍ରକୃତ ହିଂସ୍ର-ରୂପ ଲୁଚାଇ ରଖିବାକୁ ସେ ସଦାଶୟତାର ଏକ ‘ମୁଖା’ ପିନ୍ଧୁଥିଲେ ମୁହଁ ଉପରେ ।

 

କେଜାଣି ???

 

ବ୍ରିଟିଶ ଉପନିବେଶ ଭାରତ-ଭୂମିକୁ ସେ କ’ଣ ମୂଳରୁ ମନେକରି ନେଇଥିଲେ ଜର୍ମାନୀର ଶତ୍ରୁଦେଶ ବୋଲି ?

 

କିନ୍ତୁ ଜନ୍‌ସନ୍‍ଙ୍କ ଅତୀତ କାର୍ଯ୍ୟ-କଳାପ ପର୍ଯ୍ୟାଲୋଚନା କଲେ ତ ମନେ ହୁଏନା ଯେ ସେ ଅଠର ବର୍ଷକାଳ ଏଠାରେ ଗୁପ୍ତଚରଭାବେ ରହିଥିଲେ ବୋଲି ! ମନ ଭିତରେ ଯଦି ସେପରି ଉଦ୍ଦେଶ୍ୟ ତାଙ୍କର ଥାଆନ୍ତା, ତେବେ ଏ ଦେଶକୁ ଏତେଟା ଆପଣାର କରିପାରି ଥାଆନ୍ତେ କି ? ଏଇ ‘ଆପଣାର କରି ନେବାରେ’ ଯଦି ତାଙ୍କର ହାର୍ଦ୍ଦିକ ଆନ୍ତରିକତା ନ ଥିଲା, ଏତେ ଦିନ ଧରି ତେବେ କ’ଣ ଗୋଟାଏ ଅଭିନୟ କରି ଚାଲିଥିଲେ ଜନ୍‌ସନ୍‌ ? ‘ଅଭିନୟ’ଇ ଯଦି କରୁଥିଲେ, ତେବେ ଏକାଦିକ୍ରମେ ଅଠର ବର୍ଷ ଧରି ଏ ଧରଣର ନିପୁଣ ଅଭିନୟ କରି ପାରିବା କ’ଣ ବାସ୍ତବରେ ସମ୍ଭବ ?

 

ଯଦି ସମ୍ଭବ, ତେବେ ଜନ୍‌ସନ୍‍ ନିଶ୍ଚୟ ପୃଥିବୀର ଶ୍ରେଷ୍ଠ ଅଭିନେତା !

 

ମନରେ ଆହୁରି ବି ପ୍ରଶ୍ନ ଉଠେ, ଯଦି ପ୍ରକୃତରେ ‘ସେବା ମନୋବୃତ୍ତି’ ନେଇ ସେ ଆସିଥିଲେ, ତେବେ ହଠାତ୍‌ ସେବା-ମାର୍ଗ ଛାଡ଼ି ରାଷ୍ଟ୍ର-ନୀତିକ ବ୍ୟାପାରରେ ପଶିବାକୁ ତାଙ୍କ ମନ ଗଲା ବା କାହିଁକି ?

 

କୌଣସି ଟ୍ରୁ ଖ୍ରୀଷ୍ଟିଆନ୍‌ ତ ଚାହିଁବନି, ଭାରତର ରାସ୍ତାଘାଟ, ସହର, ବନ୍ଦର, ସୈନ୍ୟ ଛାଉଣୀ ବା ଅନ୍ୟାନ୍ୟ ବିଷୟରେ ଜର୍ମାନୀକୁ ବେତାର-ସନ୍ଦେଶ ପଠାଇ ଆକ୍ରମଣକାରୀ ଜଙ୍ଗୀ-ବିମାନକୁ ତା’ କାମରେ ସାହାଯ୍ୟ କରିବା ପାଇଁ !!

 

ଖ୍ରୀଷ୍ଟ ଧର୍ମ ପରା ହିଂସାବାଦର ବିରାଧୀ !!

 

ତେବେ ?

 

ଜନ୍‌ସନ୍‌ ଯଦି ପ୍ରକୃତରେ ଜଣେ ଧର୍ମ-ଯାଜକ, କାହିଁକି ସେ ହିଂସାକୁ ପ୍ରଶ୍ରୟ ଦେଉଥିଲେ ଜର୍ମାନୀର ଯୁଦ୍ଧ-ବ୍ୟବସ୍ଥାରେ ଗୋପନ ସହଯୋଗ କରି ? କାହିଁକି ?

 

ଦୁର୍ଜ୍ଞେୟ ମାନବ ଚରିତ୍ର !

 

ଫାଦର୍‍ ଜନ୍‌ସନ୍‍ ଯେ ଛଦ୍ମବେଶୀ ଗୁପ୍ତଚର, କିଏ କଳ୍ପନା କରିଥିଲା ଏ କଥା ?

 

ପ୍ରଥମେ ହୁଏତ ସେ ପ୍ରକୃତ ଧର୍ମଯାଜକ ଭାବେ ଆସିଥିଲେ ଏ ଦେଶକୁ । ଦୀର୍ଘ ଅଠର ବର୍ଷ ଧରି ଏଠି ରହିବା ପରେ ସେ ନିଜର ଜାତୀୟତା ବି ହୁଏତ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । କିନ୍ତୁ ଯୁଦ୍ଧର ଆରମ୍ଭ ପରେ କୌଣସି ଦିନ ହୁଏତ କ୍ଲାସରେ ଭୂଗୋଳ ପଢ଼ାଉ ପଢ଼ାଉ ହଠାତ୍‌ ତାଙ୍କ ପଏଣ୍ଟ ଷ୍ଟିକ୍‌ କମ୍ପି ଉଠିଥିବ ଜର୍ମାନୀର ମାନଚିତ୍ର ଉପରେ । ନିଜର ଦେଶ-ମାଟି ମନେ ପଡ଼ି ଯାଇଥିବ, ଟିକିଏ ଉନ୍ମନା ହୋଇ ପଡ଼ିଥିବେ ସେ ! ମନ ଭିତରେ କିଏ କହି ଉଠିଥିବ, ତୁମେ ଜର୍ମାନ୍‌; ବିପନ୍ନ ସ୍ୱଦେଶ ପାଇଁ ତୁମର କିଛି କର୍ତ୍ତବ୍ୟ ଅଛି ! ସେଇଦିନୁ ହୁଏତ ତାଙ୍କ ଚିତ୍ତ-ବିକ୍ଷେପ ଆରମ୍ଭ । ତା’ପରେ ହୁଏତ ଏ ଦେଶରେ ଅଣ୍ତର-ଗ୍ରାଉଣ୍ତ ରହିଥିବା ତାଙ୍କ ଦେଶର କୌଣସି ଗୁପ୍ତଚର ଦଳ ସହିତ ଯୋଗାଯୋଗ କରି ସେ ଶକ୍ତିଶାଳୀ ବେତାର ଯନ୍ତ୍ର ଓ ଅନ୍ୟ ସବୁ ବ୍ୟବସ୍ଥା କରିଥିବେ ।

 

ଯା’ ହେଉ, ଏ ସବୁ ଖାଲି ଅନୁମାନ କରିବା କଥା ।

 

ପ୍ରକୃତରେ, କୌଣସି ବିବୃତି ଦେଇ ନ ଥିଲେ ଜନ୍‌ସନ୍‍ । କୌଣସି ପ୍ରକାରେ ତାଙ୍କଠାରୁ ବିବୃତି ଆଦାୟ କରାଯାଇ ପାରିଲାନି । ବ୍ରିଟିଶ ସରକାରଙ୍କ ପଲିଟିକାଲ୍‌ ଡିପାର୍ଟମେଣ୍ଟ ଚେଷ୍ଟା କରି କରି ଶେଷରେ ଆଶା ଛାଡ଼ିଦେଲେ, କେନ୍ଦ୍ର ଜେଲ୍‌କୁ ତାଙ୍କୁ ସ୍ଥାନାନ୍ତରିତ କରିଦିଆ ହେଲା ।

 

ଜନ୍‌ସନ୍‍ ଯାହା କିଛି କିରିଥିଲେ, ନିଃସନ୍ଦେହରେ ତାହା ଯେ ଦେଶାତ୍ମବୋଧର ପ୍ରତୀକ, ଏଥିରେ ଦ୍ୱିମତ ଥାଇ ନ ପାରେ ।

 

ଏଇ ଦୁନିଆଁରେ ଯେତେଗୁଡ଼ିଏ ପରସ୍ପର-ବିରୋଧୀ ଚରିତ୍ରର ବ୍ୟକ୍ତି ଦେଖିଚି, ତା’ ଭିତରେ ଫାଦର୍‍ ଜନ୍‍ସନ୍‍ ଅନ୍ୟତମ ।

 

ଖୁବ୍‌ ଶୀଘ୍ର ସେଦିନ ଘଟଣାଟା ରାଷ୍ଟ୍ର ହେଇଯାଇଥିଲା ଚାରିଆଡ଼େ । ସହର ହୁଲ୍‌ସ୍ଥୁଲ ହେଇଗଲା–ଜଣେ ଜର୍ମାନ ଗୁପ୍ତଚର ଗିରଫ ହେଇଚି । ଯେ ଶୁଣିଲା, ‘‘ଗୁପ୍ତଚର ଜଣକ ଫାଦର୍‍ ଜନ୍‌ସନ୍‍’’ ସେ ହତବାକ୍‌ ହେଇ ରହିଗଲା !

 

ଏକେତ ଯୁଦ୍ଧ ସମୟ; ଘଟଣା ଅପେକ୍ଷା ରଟନା ସେ ସମୟରେ ସହସ୍ର-ଜିହ୍ୱ !

 

ଗୁଡ଼ାଏ ବେକାର ଲୋକ ପ୍ରଚାର କରି ବୁଲିଲେ ଯେ, ଜନ୍‌ସନ୍‍ଙ୍କୁ ମୁକୁଳେଇବା ପାଇଁ ଆଜି ରାତିରେ ତିନି ଡିଭିଜନ୍‌ ଜର୍ମାନ୍‌ ସୈନ୍ୟ ପାରାଚୁଟ୍‌ ଧରି ଓହ୍ଲେଇବେ ଏଇ ସହର ଉପରେ ।

 

ଗିରଫ୍‌ ହେବା ପୂର୍ବରୁ ଜନ୍‌ସନ୍‍ କୁଆଡ଼େ ବେତାର ଯନ୍ତ୍ରରେ ଖବର ପଠାଇ ଦେଇଛନ୍ତି-!

 

କେହି କେହି କହିଲେ–ଆଜି ରାତିରେ ଏ ଗିରଫର ପ୍ରତିଶୋଧ ନେବାପାଇଁ ଜର୍ମାନ ବିମାନ-ବାହିନୀ ବୋମା ମାଡ଼ରେ ସହରଟାକୁ ଉଡ଼େଇ ଦେବେ ।

 

ହାସ୍ୟକର ବାଚାଳତା, ସନ୍ଦେହ ନାହିଁ ।

 

କିନ୍ତୁ ଏଥିପାଇଁ ଦାୟୀ ଥିଲେ ବ୍ରିଟିଶ ସରକାର । ବାସ୍ତବିକ ଶାସନ-କଳର ନିର୍ବୋଧତାଇ ଉତ୍ସାହିତ କରୁଥିଲା ଗୁଜବ୍‌-ବିଳାସୀମାନଙ୍କୁ ।

 

ଯୁଦ୍ଧ ଆରମ୍ଭ ହେବା ଦିନୁ ନଦୀ ଘାଟର ଡଙ୍ଗା, ଉପକୂଳ ଅଞ୍ଚଳରେ ସାଇକେଲ୍‌, ମଟରବାଇକ୍‌ଠାରୁ ଆରମ୍ଭ କରି କାର୍‌, ଟ୍ରକ୍, ବାସ୍‌ ପ୍ରଭୃତି ସବୁ ପ୍ରକାର ଟ୍ରାନ୍‌ସପୋର୍ଟ ଆଉ ମଧ୍ୟ ଡବଲ୍‍ ବ୍ୟାରେଲ ଠାରୁ ଚଢ଼େଇମରା ଯାଏଁ ସବୁ ପ୍ରକାର ଆଗ୍ନେୟାସ୍ତ୍ର ଶେଷକୁ ପ୍ରାଇଭେଟ୍‌ ରେଡ଼ିଓ ସେଟ୍‌ ଗୁଡ଼ିକୁ ବି (କାଳେ ଶତ୍ରୁ-ପକ୍ଷୀୟ ପ୍ରଚାର ଲୋକେ ଶୁଣି ପକେଇବେ !) ଲୋକଙ୍କ ଠାରୁ ଜବତ୍‌ କରି ନେଇ ଚାରିଆଡ଼େ ସରକାରର ପରୋକ୍ଷରେ ଆତଙ୍କ-ରାଜ ସୃଷ୍ଟି କରିଥିଲେ । ସଂତ୍ରସ୍ତ-ଜନସାଧାରଣ ଭାବିବେ, ଏ ସବୁ ଅଞ୍ଚଳ ଶତ୍ରୁପକ୍ଷ ହାତକୁ ଚାଲିଯିବା ନିଶ୍ଚିତ ବୋଲି ସରକାର ଜାଣି ସାରିଲେଣି !!

 

ଗୁଡ଼ାଏ ଅଯୋଗ୍ୟ-ବେକାରଙ୍କୁ ପାଉଁଶିଆ ଏ.ଆର.ପି. ପୋଷାକ ପିନ୍ଧାଇ, ମାସକୁ ତିରିଶ ଟଙ୍କା ଦରମା ଦେଇ, ଦେଶବ୍ୟାପୀ ଏକ ପ୍ରହସନ ଆରମ୍ଭ କରାଯାଇ ଥିଲା । ଜାଗାକୁ ଜାଗା ଟ୍ରେଞ୍ଚ ଖୋଲା, ଏଠି ସେଠି ବାଲି-ବସ୍ତାର ବଲ୍‌ଫ-ଓ୍ୱାଲ ତିଆରି, ରାତିରେ ବ୍ଳାକ୍‌ଆଉଟ୍‌ର ବ୍ୟବସ୍ଥା । ଏ ସବୁ ଆୟୋଜନ ଖାଲି ଯୁଦ୍ଧକାଳୀନ ଚାଞ୍ଚଲ୍ୟହିଁ ସୃଷ୍ଟି କରିଥିଲା । ଭୟଭୀତ ଲୋକମାନେ ମରଂ ଅଧିକ ଭୀତତ୍ରସ୍ତ ହୋଇଥିଲେ ।

 

ପ୍ରକୃତରେ ଯଦି ଆମ ସହର ଉପରେ ବୋମା ମାଡ଼ ହେଇଥାନ୍ତା, ସେତେବେଳେ କ’ଣ ଏଇ ପାଉଁଶିଆ ପୋଷାକ ପିନ୍ଧା ଏ.ଆର.ପି. ଦଳ ଷ୍ଟିରପ୍‌ପମ୍ପ ଧରି ଓ୍ୱାଡେନ ପୋଷ୍ଟରୁ ପଦାକୁ ବାହାରି ଥାଆନ୍ତେ ?

 

ତିରିଶ ଟଙ୍କା ଦରମା ପାଇଁ ପ୍ରାଣଟା ଦେଇ ଦେବାକୁ ସେମାନେ ନିଶ୍ଚୟ ପ୍ରସ୍ତୁତ ନ ଥିଲେ ! ସେମାନେ ଏ.ଆର.ପି. କୁ ଆସିଥିଲେ, ଜରୁରୀ ପରିସ୍ଥିତି ପାଇଁ ଓ୍ୟାଡେନ୍‌-ପୋଷ୍ଟର ଷ୍ଟୋର ରୁମରେ ସଂରକ୍ଷିତ ଚୁଡ଼ା, ବଟର୍‌, କନଡେନ୍‌ସଡ୍‍ ମିଲ୍‍କ, ଚିନି ଆଉ ବିସ୍କୁଟ୍‌ ପ୍ରଭୃତିର ସଦ୍‌ବ୍ୟବହାର କରି ମୂଷା, ଛୁଚୁନ୍ଦ୍ରା, ଅସରପା ଇତ୍ୟାଦି ନିରୀହ-ଜୀବ....ଯେଉଁମାନେ ପରାକ୍ରାନ୍ତ ବ୍ରିଟିଶ ରାଜଶକ୍ତିର ଅକ୍ତିଆର ବାହାରେ....ସେଇମାନଙ୍କ ମୁଣ୍ତରେ ଅଠା ବୋଳିବା ପାଇଁ ! ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ନୁହେଁ ।

କିଛି ହେଲାନି ସେ ଦିନ ରାତିରେ ।

କେହି ଆସିଲାନି ଉଡ଼ାଜାହାଜରେ ଜନ୍‌ସନ୍‌ଙ୍କୁ ମୁକୁଳେଇ ନେବା ପାଇଁ ।

ପରଦିନ ଗୁଜବ୍‌-ବିଳାସୀମାନଙ୍କୁ ମୁହଁ ଶୁଖାଇ ଘୂରି ବୁଲୁଥିବାର ଦେଖାଯାଇ ଥିଲା ।

‘ଗୁଜବ୍‌’ ଜିନିଷଟାର ଖୁବ୍‌ ପ୍ରଚଳନ ଥିଲା ଆମ ସହରରେ ।

ମନେଅଛି–ଥରେ ନିରାଟ ଖରା ଦିନେ ଏକ ଗୁଜବ୍‌ ରଟିଗଲା ଯେ, ଅମୁକ୍‌ ଦିନ ରାତି ବାରଟା ବେଳେ କଳିଯୁଗ ଶେଷ ହେଇ ସତ୍ୟଯୁଗ ଆସିବ; ସମସ୍ତେ ଜାଗ୍ରତ ରୁହ । ଭୃଗୁ ସଂହିତା ବି କୁଆଡ଼େ ଭବିଷ୍ୟତବାଣୀ ଶୁଣେଇଚି–ସେଇ ନିର୍ଦ୍ଦିଷ୍ଟ ଦିନଟିରେ ସମୁଦ୍ର ମାଡ଼ି ଆସିବ, ପୃଥିବୀ ପ୍ରଳୟ ହୋଇଯିବ, ସବୁ ପାପୀଯାକ ଲୋପ ପାଇଯିବେ–କେବଳ ଧାର୍ମିକ ଓ ପୁଣ୍ୟବାନ ମାନେଇ ବଞ୍ଚି ରହିବେ ।

ସହରର ଏକ ଛୋଟ ପ୍ରେସ୍‍ରୁ, ନୂଆବୋଉ କାନ୍ଦ, ନଈବଢ଼ି ଗୀତ....ପ୍ରଭୃତି ଗୀତି କାବ୍ୟର ରଚୟିତା ପ୍ରଖ୍ୟାତ କବି ଅବ୍‌ଦୁଲ ହମିଦ୍‌ଙ୍କ ଦି’ପଇସିଆ ବହି ବି ଆତ୍ମପ୍ରକାଶ କରି ଗରମ ପିଠା ଭଳି ବିକ୍ରି ହେବାକୁ ଲାଗିଲା । ଛନ୍ଦମୟ କବିତାରେ ସେଇ କାଳରାତ୍ରିର କି ଭୟାବହ ବର୍ଣ୍ଣନା ଦିଆ ହେଇଥାଏ !

ବହିଟିର ପ୍ରଥମ ଧାଡ଼ି ଥିଲା–

‘‘ପାପୀମାନେ ହେଜ ହେ,

କଳି ଯୁଗ ହେଲା ଶେଷ !’’

 

ପାପୀ ତ ସମସ୍ତେ ଊଣା ଅଧିକେ ! କିଏ ବା ଏପରି ପୁଣ୍ୟବାନ ଅଛି, ଜୀବନରେ ଥରେ ହେଲେ ପାପ କରିନି ?

 

ମହା ଚାଞ୍ଚଲ୍ୟ ସୃଷ୍ଟି ହେଇଗଲା ଚାରିଆଡ଼େ !

 

ଶେଷରେ, ଦଳେ ଲୋକ ଏକାଠି ଯାଇ ଦିନେ ସମସ୍ୟାଟା ଜଣାଇଲେ ଇଂରେଜ ମହକୁମା ହାକିମଙ୍କ ଶ୍ରୀହଜୁରରେ । ସରକାର ବାହାଦୁର ଦେବତାଙ୍କ କୋପରୁ ଆମକୁ (ଅର୍ଥାତ୍ ଆମେ ସମସ୍ତେ ପାପୀ !) ରକ୍ଷା କରନ୍ତୁ । ନଚେତ୍‌ ଆଉ ମାତ୍ର ଚାରିଦିନ ପରେ (ନିର୍ଦ୍ଦିଷ୍ଟ ତାରିଖଟି) ଆମେ ସମସ୍ତେ ମଲୁ !

 

ସତେ ଯେପରି ବ୍ରିଟିଶ ସରକାର ଦେବତାଠାରୁ ବି ଅଧିକ କ୍ଷମତାବାନ୍‌ !

 

ସେମାନଙ୍କ ଆବେଦନ ଶୁଣି ବୁଦ୍ଧିମାନ (?) ଅଫିସରଟି ପ୍ରାୟ ଚିତ୍କାର କରି ଉଠିଲେ, ହ୍ୱାଟ୍‌ ? କ’ଣ କହୁଛ ତମେମାନେ ? ଡିଲ୍ୟୁଜ୍‌ ? ୟୁ ମିନ୍‌ ପ୍ରଳୟ !! ତମ ହିନ୍ଦୁଶାସ୍ତ୍ର ଭୃଗୁ-ସଂହିତା ଲେଖିଚି ? ଆଚ୍ଛା, ଆଚ୍ଛା, କିଛି ଭୟ ନାହିଁ । ମୁଁ ଇମର୍ଜେନ୍‌ସି ରିଲିଫ ଫଣ୍ତରୁ ସାଙ୍ଗେ ସାଙ୍ଗେ ଟଙ୍କା ସେଙ୍କ୍‌ସନ୍‌ କରୁଛି । ରାସ୍ତା ଉପରେ, ପଡ଼ିଆରେ, ନଈକୂଳେ, ଶୁଖିଲା ଭୂଇଁରେ ..ଚାରିଆଡ଼େ ବଡ଼ ବଡ଼ ଡଙ୍ଗା ସବୁ ପ୍ରସ୍ତୁତ କରି ରଖାଯିବ । ପ୍ରକୃତରେ ଯଦି ପାଣି ମାଡ଼ି ଆସେ, ତେବେ ତମେ ସମସ୍ତେ, You all sinners…ସେଇ ଡଙ୍ଗାଗୁଡ଼ିକରେ ‘‘Noha’s Arc’’ ପରି, ଇତ୍ୟାଦି...ଇତ୍ୟାଦି....

 

ସୁଦୂର ଶ୍ୱେତ-ଦ୍ୱୀପରୁ ଏ ଧରଣର ଜଣେ ଅଧେ ବିଚକ୍ଷଣ ରାଜକର୍ମଚାରୀଙ୍କୁ ବି ବ୍ରିଟିଶ ସରକାର କେବେ କିମିତି ଭାରତକୁ ରପ୍ତାନୀ କରୁଥିଲେ ।

 

ଏଇ ‘ବିଚକ୍ଷଣତା’ ପାଇଁ ତାଙ୍କୁ ଅବଶ୍ୟ ପରେ କୈଫିୟତ୍‌ ତଲବ୍‌ କରା ହେଇଥିଲା । କିନ୍ତୁ ସେ ଉତ୍ତର ଦେଇଥିଲେ, ଲୋକଙ୍କୁ ନୈତିକ ସାହସ ଦେବାପାଇଁ କୁଆଡ଼େ ସେ ଏପରି କରିବାକୁ ବାଧ୍ୟ ହେଲେ !

 

ଧନ୍ୟରେ ବୁଦ୍ଧିମତ୍ତା !!

 

ବୁଦ୍ଧିମତ୍ତାର ପୁରସ୍କାର ସ୍ୱରୂପ, ତାଙ୍କୁ ଅବଶ୍ୟ ତା’ପରେ ମାଳ ଅଞ୍ଚଳକୁ ଟ୍ରାନ୍‌ସଫର କରା ହେଇଥିଲା ।

 

ଫାଦର୍‍ ଜନ୍‌ସନ୍‌ ଗିରଫ ହେବା ପରେ କନଭେଣ୍ଟ୍‌ର ମଦର୍‌ ସୁପିରିୟର୍‍ ମିସ୍‌ ବ୍ରାଉନିଂ ମହା ଅଡ଼ୁଆରେ ପଡ଼ିଲେ । ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କୁ ଧମକ ଦେଇଛନ୍ତି, ଏଟା କ’ଣ ଧର୍ମ କେନ୍ଦ୍ର ନା ବୈଦେଶିକ ଗୁପ୍ତଚରମାନଙ୍କ ଆଶ୍ରୟ ସ୍ଥଳ ! ଏତିକିରେ ବେଶ୍‌ ବିଚଳିତ ହେଇ ପଡ଼ିଛନ୍ତି ମିସ୍‌ ବ୍ରାଉନିଂ ! ସରକାରଙ୍କ ବିଷ ଦୃଷ୍ଟିରେ ପଡ଼ିବା ପାଇଁ ସେ ଆଦୌ ଚାହୁଁ ନ ଥିଲେ । ଦିନେ ଆସି ବାପାଙ୍କର ଶରଣାପନ୍ନ ହେଲେ ।

 

ବାପା ଥିଲେ ମିଶନ ଗଭର୍ଣ୍ଣିଂବଡ଼ିର ଜଣେ ପ୍ରଭାବଶାଳୀ ସଦସ୍ୟ । ସରକାରୀ ମହଲରେ ଖୁବ୍‌ ସମ୍ମାନ ପାଉଥିଲେ ସେ ।

 

ବାପା ତାଙ୍କୁ କହିଲେ, ଆଚ୍ଛା, ଆପଣ କିଛି ଭାବନ୍ତୁ ନାହିଁ । ମୁଁ ଡି.ଏମ୍‌.କୁ ବୁଝେଇ ଦେବି-। ତେବେ, ଗୋଟାଏ କଥା ଆପଣ କରନ୍ତୁ, ଯାହା ଫଳରେ କି ଆପଣଙ୍କ ଦାୟିତ୍ୱ ଚାଲିଯିବ-। ଅନ୍ୟାନ୍ୟ ସବୁ ବୈଦେଶିକ ଫାଦର୍‍ ଓ ସିଷ୍ଟରମାନଙ୍କର ଗୋଟାଏ ଲିଷ୍ଟ ତିଆରି କରି ଡି.ଏମ୍‌. ପାଖରେ ଦାଖଲ କରି ଦିଅନ୍ତୁ ।

 

ସେଇଆ ହେଲା ଏବଂ ତା’ ଫଳରେ ଫାଦର୍‍ ଲିଜୋଲିକୁ ବି ଗିରଫ କରି ନେବା ପାଇଁ ଓ୍ୟାରେଣ୍ଟ ଆସି ପହଞ୍ଚି ଗଲା । ବିଚରା ଥିଲା ଇତାଲିଅନ୍‌ । ତା’ ଦେଶ ସେତେବେଳକୁ ବ୍ରିଟେନ ବିପକ୍ଷରେ ଯୁଦ୍ଧ ଘୋଷଣା କରି ସାରିଛି ।

 

ଲିଜୋଲି ପଳାଇବାକୁ କି ପ୍ରତିରୋଦ କରିବାକୁ ଚେଷ୍ଟା କରି ନ ଥିଲା । ଅନାୟାସରେ ଗିରଫ କରାଯାଇ ପାରିଥିଲା ତାକୁ ।

 

ଗୁପ୍ତଚର ବୃତ୍ତିର କୌଣସି ପ୍ରମାଣ ବି ନ ଥିଲା ତା’ ବିରୁଦ୍ଧରେ ।

 

ସେଇ ଘଟଣା ପରେ ମିସ୍‌ ବ୍ରାଉନିଂ ଆମ ଘରକୁ ମଝିରେ ମଝିରେ ଆସିବାକୁ ଲାଗିଲେ-। ବାପାଙ୍କ ସାଙ୍ଗରେ କଥାବର୍ତ୍ତା ହୁଅନ୍ତି । ମୋ ପ୍ରତି ଖୁବ୍‌ ଆଗ୍ରହ ଦେଖାନ୍ତି । କିଛିଦିନ ପରେ ଦେଖାଗଲା, ବାପା ବି ତାଙ୍କ କନଭେଣ୍ଟ୍‌କୁ ସନ୍ଧ୍ୟାବେଳେ ଯାଇ ରାତି କରି ଫେରୁଛନ୍ତି-। ତେବେ, ଖୁବ୍‌ ବେଶୀ ନୁହେଁ । ମଝିରେ ମଝିରେ ଯାଉଥିଲେ । ମିସ୍‌ ବ୍ରାଉନିଂ କିନ୍ତୁ ଖୁବ୍‌ ଆସୁଥିଲେ ଆମ ଘରକୁ ।

 

ତାଙ୍କ ସାଙ୍ଗରେ ବାପାଙ୍କର ଅବୈଧ ସମ୍ପର୍କ ଅଛି ବୋଲି ବାହାରେ ଟିକିଏ ଆଲୋଚନା ବି ଶୁଣା ଯାଉଥିଲା ସେ ସମୟରେ ।

 

ସତ ମିଛ ଭଗବାନ ଜାଣନ୍ତି ।

 

ବାପାଙ୍କ ସାଙ୍ଗରେ ମିସ୍‌ ବ୍ରାଉନିଂଙ୍କର କି ପ୍ରକାର ସମ୍ପର୍କ, ମୁଁ ବି ସେ ବିଷୟରେ ସନ୍ଦିହାନ ହେଇପଡ଼ିଥିଲି । ଖାଲି ମୁଁ କାହିଁକି, ବୋଧହୁଏ...ପରିବାରର ଅନ୍ୟ ସମସ୍ତେ ବି ।

 

କିନ୍ତୁ ଏ ବିଷୟରେ ବାପାଙ୍କୁ ପାଟି ଫିଟେଇବ ବା କିଏ ???

 

ମୋତେ ମୋ ସାଙ୍ଗମାନେ ଥଟ୍ଟା କରୁଥିଲେ–ମିସ୍‌ ବ୍ରାଉନିଂ ଇଜ୍‌ ଇୟୋର୍‌ ସେକେଣ୍ତ ମଦର୍‌ !

 

ଆଦୌ ରାଗ ଲାଗୁ ନ ଥିଲା । ମରଂ, ତାଙ୍କୁ ‘ମାଆ’ ବୋଲି ଭାବିବାକୁ ମନେମନେ ଏକପ୍ରକାର ଆନନ୍ଦ ପାଉଥିଲି ମୁଁ । ବେଶ୍‌ ଲାଗୁଥିଲା । ମନ୍ଦ କ’ଣ, ମିସ୍‌ ବ୍ରାଉନିଂ ଯଦି ମୋ ‘ମାଆ’ ହୁଅନ୍ତେ ?

 

ମଞ୍ଜୁ ଭାଉଜ ପାଇଁ ମୋ ପଢ଼ାପଢ଼ି ଯିମିତି ଖରାପ ହେଇଥାଏ ଏଥର ଯେ ପାସ୍‌ କରିବି ଏ ବିଶ୍ୱାସ ମୋର ନ ଥିଲା । ତଥାପି ଫେଲ୍‌ ଖବର ମନଟାକୁ ଖରାପ କରି ଦେଇଚି ।

 

ସବୁଠାରୁ ଦୁଃଖର ବିଷୟ, ମୁଁ ସବୁ ସବ୍‌-ଜେକ୍ଟରେ ପାସ୍‌ କରି ବି ଏଗ୍ରିଗେଟରେ କମ୍‌ ନମ୍ବର ରଖିଥିବାରୁ ପାସ୍‌ କରି ପାରିନି । ଖୁବ୍‌ ଅଳ୍ପ କେତୋଟି ନମ୍ବର ପାଇଁ ମୁଁ ଫେଲ୍‌ ହେଇଗଲି ।

 

ମିସ୍‌ ବ୍ରାଉନିଂ ବାପାଙ୍କୁ କହିଲେ, ବିଜୟର ଭାର ମୋତେ ଦିଅନ୍ତୁ । ଦେଖିବେ, ସେ ଆସନ୍ତା ବର୍ଷ ଫାଷ୍ଟ ଡିଭିଜନରେ ପାସ୍‌ କରିବ ।

 

ବାପା କହିଲେ–ଭଲ କଥା ।

 

ଟାଉନ ସ୍କୁଲକୁ ଯାଇଥିଲି ଶେଷଥର ପାଇଁ । ମୋ ଟ୍ରାନ୍‌ସଫର ସାର୍ଟିଫିକେଟ ଆଣିବାକୁ-

 

ହେଡ଼୍‍ମାଷ୍ଟର କହିଲେ, କନଭେଣ୍ଟରେ ପଢ଼ିବ, ପଢ଼; ଭଲ କଥା । ଯୋଉଠିକି ଯାଅ, ମନଦେଇ ପଢ଼ ।

 

କିଛି ନ କହି ଚାଲି ଆସିଲି ।

 

ଗେଟ୍‌ ଖୋଲି ବାହାରକୁ ଆସି ପୁଣି ଫେରି ଚାହିଁଲି ପଛକୁ । ଆଖିରେ ଲୁହ ଆସିଗଲା-। ଚାହିଁ ରହିଲି କିଛିକ୍ଷଣ ପାଇଁ, କୈଶୋର ଓ ପ୍ରଥମ ଯୌବନର କେତେ ତିକ୍ତ ମଧୁର ସ୍ମୃତି ବିଜଡ଼ିତ, ମୋର ଅତି ପ୍ରିୟ ଏଇ ବିଦ୍ୟାଳୟଟିକୁ ।

 

ପେନ୍‌ସିଲ୍‌ କାଢ଼ି କମ୍ପାଉଣ୍ତ ଓ୍ୟାଲ୍‌ ଉପରେ ଲେଖିଲି–Good bye, my dearest school !

 

ସେତିକିବେଳେ ହରିଶ୍‍ ଓ ନିର୍ମଳ ବି ତାଙ୍କ ସାର୍ଟିଫିକେଟ ନେବାପାଇଁ ଆସି ପହଞ୍ଚିଗଲେ । ପଢ଼ିନେଲେ, ମୁଁ କାନ୍ଥ ଉପରେ ଯାହା ଲେଖିଦେଇ ସାରିଚି !

 

କହିବା ବାହୁଲ୍ୟ, ପରୀକ୍ଷା ଫଳ ବାହାରିବା ପରେ ଆମେମାନେ ଜାଣି ଜାଣି ପରସ୍ପରକୁ ଏଡ଼ାଇଛୁଁ । ମୁଁ ଫେଲ୍‌ ହେଇଥିବା ଲଜ୍ଜାରେ; ସେମାନେ ପାସ୍‌ କରିଥିବାର ସଙ୍କୋଚରେ । ମୋର ଅସଫଳତା ପାଇଁ ମୋର ଯେତିକି ଦୁଃଖ, ‘‘ମୁଁ ଫେଲ୍‌ ହେଇଥିବା ସତ୍ତ୍ୱେ ସେମାନେ ପାସ୍‌ କରିଛନ୍ତି’’ ବୋଲି ସେମାନେ ବି ସେତିକି ସଙ୍କୁଚିତ !

 

ହରିଶ୍‍ ପଚାରିଲା, ତୁ କ’ଣ ତେବେ ଏ ସ୍କୁଲ ଛାଡ଼ି ଦେଉଛୁ ବିଜୟ ?

 

କହିଲି–ହଁ ଭାଇ ।

 

ତା’ହେଲେ ? ନିର୍ମଳ କହିଲା, ଆଉ କୋଉଠି ପଢ଼ିବୁ ବୋଲି ଠିକ୍‌ କରିଛୁ....

 

ବାପାଙ୍କର ଇଚ୍ଛା, ମୁଁ ମିସ୍‌ ବ୍ରାଉନିଂଙ୍କ ସ୍କୁଲରେ ପଢ଼ିବି ।

 

ହରିଶ୍‍–ମିସ୍‌ ବ୍ରାଉନିଂଙ୍କ ସ୍କୁଲରେ ?

 

ନିର୍ମଳ–ସେଠିକା କୋର୍ସ.....

 

ମୁଁ–ଏଇ ଏକା କୋର୍ସତ ।

 

ନିର୍ମଳ–ତେବେ ବି...ସବୁକିଛି ଯେ ଇଂଲିସ୍‌ ମିଡିୟମ୍‌ !

 

ମୁଁ–ଇଂଲିସ୍‌ ମିଡିୟମରେ ମୋର କିଛି ଅସୁବିଧା ହେବନି, ଭାବୁଛି । ତା’ଛଡ଼ା ମିସ୍‌ ବ୍ରାଉନିଂ ନିଜେ ମୋତେ ବ୍ୟକ୍ତିଗତ ଭାବେ ପଢ଼େଇବେ ।

 

ଭଲ । ହରିଶ୍‍ କହିଲା, ତୁ ତ ଇଂଲିସରେ ଖୁବ୍‌ ଷ୍ଟ୍ରଂ । କିଛି ଅସୁବିଧା ହେବନି ତୋର ।

 

ନିର୍ମଳ–ଭଲ କରିଛୁ କନଭେଣ୍ଟ୍‌କୁ ଯାଇ । ଜୁନିୟର କେମ୍ବ୍ରିଜ୍‌ ଷ୍ଟାଣ୍ତାର୍ଡ଼ ଯାହା ମାଟ୍ରିକୁଲେଶନ୍‌ ବି ସେଇଆ.....

 

ହରିଶ୍‌–ଟ୍ରାନ୍‌ସଫର୍‌ ନେଇଛୁ, ଠିକ୍‌ କରିଛୁ । ଗତବର୍ଷ ଯୋଉମାନେ ଜୁନିୟର୍‌ ଥିଲେ, ସେମାନଙ୍କ ସାଙ୍ଗରେ ବସିବାକୁ ନିଶ୍ଚୟ ତୋତେ ଟିକିଏ ଖରାପ ଲାଗନ୍ତା ।

 

ମୁଁ–ତମେମାନେ ତେବେ ଆଇ.ଏସ୍‌.ସି. ପଢ଼ୁଛ ?

 

ହଁ, କଲିକତାରେ ପଢ଼ିବୁ । ପ୍ରେସିଡେନ୍‌ସିରେ ।

 

ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‌ ତେବେ ଆଜିଠାରୁ ଭାଙ୍ଗିଲା ! ହଉ ଭାଇ, From to-day, let us part ….କହୁଁ କହୁଁ ଅବଶ୍ୟମ୍ଭାବି ବିଚ୍ଛେଦର ମର୍ମବେଦନାର ଲୁହ ଦି’ ଟୋପା ଝରି ଆସିଲା ଆଖିରୁ ମୋର ।

 

ହେଣ୍ତ-ସ୍ୟାକ୍‌ କରିବାକୁ ହାତ ବଢ଼େଇ ଦେଲି ମୁଁ ।

 

ଲୁହଟା ବୋଧହୁଏ ସଂକ୍ରାମକ । ମୋ ଆଖିରେ ଲୁହ ଦେଖି, ହରିଶ୍‌ ଆଉ ନିର୍ମଳ ଦୁହେଁ ବି କାନ୍ଦି ପକେଇଲେ । ତା’ପରେ, ସେଇମାନେଇ ମୋତେ ଖୁବ୍‌ ବୁଝେଇଲେ–ଛି ଛି....ଏଥିରେ ମନ ଦୁଃଖ କରିବାର କ’ଣ ଅଛି ବିଜୟ ? ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‍ କେବେହେଲେ ଭାଙ୍ଗିବାର ନୁହେଁ-! ତୁ ବି ଆଉ ଗୋଟାଏ ବର୍ଷ ପରେ ଯିବୁ ସେଇଠିକି । କଲିକତାରେ ଏକାଠି ରହିବା ! ଆମେ ତୋ’ପାଇଁ ଅପେକ୍ଷା କରିଥିବୁ ବିଜୟ, ତୁ ବି ନିଶ୍ଚୟ ସେଇ ପ୍ରେସିଡେନ୍‍ସିରେ ଏଡ୍‍ମିଶନ୍‌ ନେବୁ–ନାଁ କ’ଣ କହୁଛୁ ? ତୁ ନ ଗଲା ଯାଏଁ କ’ଣ କଲିକତାକୁ ଆମେ ଏନ୍‌ଜୟ କରି ପାରିବୁ ?

 

ବର୍ତ୍ତମାନ ଖୁସି ମନରେ ଆମକୁ ବିଦାୟ ଦେ । ମନେ ରଖ୍‌, ପୃଥିବୀର କୌଣସି ଶକ୍ତି ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‌କୁ ଭାଙ୍ଗିଦେଇ ପାରିବନି । Earlier or later we must meet again ….

 

ତା’ପରେ, ସେମାନେ କଲିକତା ଚାଲିଗଲେ....

 

ମୁଁ ଯେତେବେଳେ ଯାଇ ପ୍ରେସିଡେନ୍‌ସିରେ ଏଡ୍‍ମିଶନ୍‌ ନେଲି, ସେତେବେଳକୁ ଯଦିଓ ସେମାନେ କ୍ଲାସରେ ମୋ ସିନିୟର୍‌, ହଷ୍ଟେଲରେ କିନ୍ତୁ ଗୋଟିଏ ରୁମରେ ରହିଲୁ ।

 

କିନ୍ତୁ ସବୁଠାରୁ ବିସ୍ମୟକର ଓ ଦୁଃଖର ବିଷୟ ହେଉଛି–ସେଇଠି କଲିକତା ଜୀବନରେଇ ଭାଙ୍ଗି ଯାଇଥିଲା ଚିରଦିନ ପାଇଁ ଆମ ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‍ ।

 

ପୃଥିବୀ ବାହାରର ନୁହେଁ; ଏଇ ପୃଥିବୀର ଏକ ରକ୍ତ-ମାଂସ-ଦେହ-ଧାରିଣୀ ଆମର ଆବାଲ୍ୟ ବନ୍ଧୁତାକୁ ଭାଙ୍ଗି ଚୁର୍‌ମାର୍‍ କରିଦେଲା । ସେଇଦିନ ଠାରୁ ବିଶ୍ୱାସ କଲି–ଆଦ୍ୟାଶକ୍ତି ରୂପିଣୀ ନାରୀଇ ଦୁନିଆଁର ସବୁଠୁଁ ଶକ୍ତି ।

 

ଦିନେ ତିନିହେଁ ପ୍ରତିଜ୍ଞା କରିଥିଲୁ–ଯେକୌଣସି ପରିସ୍ଥିତିରେ ମଧ୍ୟ ଆମର ବନ୍ଧୁତା ଅତୁଟ ରହିଥିବ ।

 

କିନ୍ତୁ ହାୟ ! ‘ନାରୀଇ’ ଶେଷରେ ବଡ଼ ହେଲା ‘ବନ୍ଧୁତା’ ଠାରୁ ।

 

ସବୁ ଜିନଷକୁ ବନ୍ଧୁ ସହିତ ଭାଗ ଭାଗ କରିହୁଏ–ଧନ-ସମ୍ପତ୍ତି, ବାପା-ମାଆ, ଭାଇ-ଭଉଣୀ, ସବୁକିଛି । ମୋ ‘ଭଉଣୀ’ ବା ମୋ ‘ବାପାଙ୍କୁ’ ମୋର ବନ୍ଧୁ ଯଦି ‘ଭଉଣୀ’ ବା ‘ବାପା’ ବୋଲି ମନେ କରିନିଏ–ସେଥିରେ ମୋର ଆପତ୍ତି କରିବାର କିଛି ନାହିଁ । କିନ୍ତୁ ଗୋଟିଏ ଜିନିଷକୁ ଭାଗ କରି ଭୋଗ କରି ହୁଏନା, ସେ ପ୍ରେୟସୀ । ମୋର ପ୍ରେୟସୀକୁ ମୁଁ କେବେହେଲେ ଛାଡ଼ିଦେଇ ପାରିବିନି ମୋ ବନ୍ଧୁର ମାନସ-ଚାରିଣୀ ହେବାକୁ !

 

କାହିଁକି ?

 

ଏକ ରହସ୍ୟ ଏ ! ଦୁନିଆଁର ଯେତେଗୁଡ଼ିଏ ରହସ୍ୟର ସମାଧାନ ମୁଁ ଏ ଯାଏଁ ଖୋଜି ପାଇନି, ତା’ ଭିତରୁ, ଗୋଟିଏ !

 

କି ଦୁର୍ଯୋଗରେ ଆମର ପରିଚୟ ହେଇଥିଲା ସେଇ ବିଦ୍ୟୁତ୍‌ଲଳନା ସୁଜାତା ଚାଟର୍ଯୀ ସାଙ୍ଗରେ; ତିନିହେଁ ସେଇଠି ଡୁବିଗଲୁ ।

 

ଡୁବିଗଲୁ । ଆଉ ଉଠି ଆସି ପାରିଲୁନି ।

 

ମୁଁ ଆଉ ନିର୍ମଳ ....ଦୁହେଁତ ଏକା ଭଳି । ଆମ କଥା ଛାଡ଼ ! ସବୁଠାରୁ ଆଶ୍ଚର୍ଯ୍ୟର କଥା, କେଡ଼େ ଧିରସ୍ଥିର ଓ ବିଚାରବନ୍ତ ପିଲା ହରିଶ୍‌ ! ସେ ବି ନିଜତ୍ୱ ଭୁଲିଗଲା ।

 

ବହୁତ ନଭେଲ୍‌ ନାଟକ ପଢ଼ିଛୁଁ । ତଥାପି ଏତିକି ଭାବି ପାରିଲୁନି, କି ନିର୍ବୋଧତା କରିବାକୁ ଯାଉଛୁଁ ଆମେ ! ନିଜକୁ ଖେଳ କଣ୍ଢେଇ ପରି ଧରେଇ ଦେଲୁ ବାଲିଗଞ୍ଜିୟ ବ୍ୟାରିଷ୍ଟର କନ୍ୟା ସୁଜାତା ହାତରେ । ପ୍ରତ୍ୟକ୍ଷଦର୍ଶୀ କୌଣସି ଲେଖକର ଲେଖାପାଇଁ କାରୁଣ୍ୟମିଶ୍ରିତ ହାସ୍ୟରସାତ୍ମକ ଏକ ରସାଳ ବିୟୋଗାନ୍ତ ପ୍ଲଟ୍‌ ତିଆରି କରି ନିଜେ ହାସ୍ୟାସ୍ପଦ ହୋଇ ହସାଇଲୁ ଅନ୍ୟକୁ । ମିଥ୍ୟା ସମ୍ମାନ-ବୋଧର ସହଜ ଶିକାର ହୋଇ ତ୍ରିଭୁଜୀୟ ଦ୍ୱନ୍ଦ୍ୱ-ଯୁଦ୍ଧରେ ମାତିଲୁ ପରସ୍ପରର ତଥାକଥିତ ଜିଦ୍‌ ବଜାୟ ରଖିବା ପାଇଁ । ଚାହିଁଳୁ, ଜଣେ ଅନ୍ୟ ଜଣକୁ ‘ନକ୍‌-ଆଉଟ୍‌’ କରିବା ପାଇଁ କେହି ରାଜି ହେଲୁନି ନିଜକୁ ‘ଉଇଥ୍‌ ଡ୍ର’ କରି ନେବାକୁ ।

 

‘‘ଚାଲ ସୁଜାତାକୁ ପଚାରିବା, ସେଇ ନିଜେ ନିଷ୍ପତି କରି ଦେଉ, ଆମ ତିନି ଜଣଙ୍କ ଭିତରୁ କାହାକୁ ତା’ର ଦରକାର ? ଯାହାକୁ ସେ ବାଛି ନେବ, ତାକୁଇ ଅଭିନନ୍ଦନ ଜଣାଇ ଅନ୍ୟ ଦୁହେଁ ଯୁଦ୍ଧ-କ୍ଷେତ୍ର ଉପରୁ ନିଜ ନିଜକୁ ଅପସାରଣ କରି ନେବେ ଖେଳଓ୍ୱାଡ଼୍‌ ମନୋବୃତ୍ତି ଦେଖାଇ-।’’ ଏଇ ଗୋଟିଏ ପ୍ରସ୍ତାବ ଉପରେ ବି ଦୀର୍ଘ ଆଲୋଚନା ପରେ ଶେଷପର୍ଯ୍ୟନ୍ତ କେହି ଏକମତ ହୋଇ ପାରିଲୁନି । କାରଣ ଆମ ସମସ୍ତଙ୍କ ମନ ଭିତରେ ଥିଲା ଦୁର୍ବଳତା । ସମସ୍ତେ ବୋଧହୁଏ ଅନୁଭବ କରିଥିଲୁ ନିଜ ନିଜ ସମ୍ବନ୍ଧରେ ପ୍ରଚ୍ଛନ୍ନ ହୀନମନ୍ୟତା । କେହି ପ୍ରସ୍ତୁତ ନ ଥିଲୁ ନିଜ ଛଡ଼ା ଅପର ସୌଭାଗ୍ୟକୁ ସ୍ୱୀକାର କରି ନେବା ପାଇଁ ।

 

ସେଇଆ ହେଲା ବି ଶେଷରେ; ଯାହା ସାଧାରଣତଃ ହେଇଥାଏ !

 

ଅସାଧାରଣ ବୁଦ୍ଧିମତୀ ସୁଜାତା ଆମ ତିନିଜଣଙ୍କ ଆତ୍ମ-ମ୍ଭରିତାକୁ ବୃଦ୍ଧାଙ୍ଗୁଳି ଦେଖାଇ, ଆବାଲ୍ୟ ବନ୍ଧୁତାକୁ ଭଙ୍ଗୁର ପ୍ରମାଣିତ କରି ଦେଇ, ଏକ ଶାରଦୀୟ ଶୁଭଲଗ୍ନରେ ଜଣେ ନବାଗତ ଆଇ.ସି.ଏସ୍‌ଙ୍କୁ ବିବାହ କରି ଚାଲିଗଲା ଦିଲ୍ଲୀ !

 

ମୁଁ, ନିର୍ମଳ ଓ ହରିଶ୍‌ ସେଇଦିନୁ ପରସ୍ପରର ଶତ୍ରୁ !

 

ସେମାନଙ୍କ ଖବର ମୁଁ ରଖିନି । ମୋ କଥା ବି ହୁଏତ ଭୁଲି ଗଲେଣି ସେମାନେ ! କିନ୍ତୁ ସୁଜାତାର ଖବର ମୁଁ ରଖିଚି । ଫାଇନ୍‌ ଆର୍ଟସ୍‌ ଏକ୍‌ଜିବିସନରେ ତା’ ସାଙ୍ଗରେ ଦେଖା ହେଇଥିଲା ମୋର ଦିଲ୍ଲୀରେ । ତା’ ଘରକୁ ବି ଯାଇଥିଲି; ସବୁ କିଛି ଦେଖି ଆସିଚି ।

 

ତାକୁ ଏକାନ୍ତର ପଚାରିଥିଲି, ତମେ ଯଦି ଆମ ତିନିଜଣଙ୍କ ଭିତରୁ କାହାକୁ ହେଲେ ଚାହୁଁ ନ ଥିଲ, ତେବେ କାହିଁକି ଇମିତି ‘ଫ୍ଲାର୍ଟ’ କଲ ସୁଜାତା ? ଲ’ନ୍‌ର ଗୋଲାପ ଝାଡ଼ ତଳେ....ମୁଁ କଫିରେ ଚୁମ୍ବକ୍‌ ଦେଉଁ ଦେଉଁ ଚାହିଁ ରହିଥିଲି ଆଇ.ସି.ଏସ୍‌. ଗୃହିଣୀ ମିସେସ୍‌ ସୁଜାତା ମଜୁମ୍‌ଦାରକୁ, ଯିଏ କି ମିସ୍‌ ବଦଳରେ ଖାଲି ମିସେସ୍‌ ହେଉଚି ସିନା, କିନ୍ତୁ ରହିଚି ଠିକ୍‌ ଆଗପରି । ଟିକିଏ ହେଲେ ବଦଳିନି !! ଦେହ କିମ୍ବା ମନରେ......

 

ସୁଜାତା ସହଜ ଗଳାରେ କହିଥିଲା-ବିଜୟ, When I was small, I used to play with, ….. I became big played with boys ! କହୁଁ କହୁଁ ହସି ଉଠିଥିଲା ସୁଜାତା !

 

ମୁଁ ଅବାକ୍‌ ହେଇ ଯାଇଥିଲି !!

 

ସୁଜାତାର ବିବାହିତା-ଜୀବନ ବି ଠିକ୍‌ ସେଇପରି । ଦିଲ୍ଲୀରେ ଅନେକଙ୍କୁ ନେଇ ଖେଳିବାରେ ଅଭ୍ୟସ୍ତ ଥିଲା ସେ । ଖାଲି ଖେଳିବାରେଇ ଥିଲା ତା’ର ଆନନ୍ଦ ! ଅବିବାହିତା-ଜୀବନରେ ଯାହାର ଅନେକଗୁଡ଼ିଏ ଆଡ୍‍ମାୟାରାର୍‌ ଥିଲେ, ଯିଏ ସବୁବେଳେ ଆମ ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‌ ଓ ଅନ୍ୟାନ୍ୟ ବହୁ ରୂପ ଗୁଣ-ମୁଗ୍ଧ ବିଦଗ୍ଧ ଭକ୍ତଙ୍କ ଚାଟୁବାଣୀ ଶୁଣିବାରେ ଥିଲା ଅଭ୍ୟସ୍ତା–ସିଏ କିପରି ବା ସନ୍ତୁଷ୍ଟ ରହିପାରିବ ବିବାହିତା ଜୀବନରେ କେବଳ ଜଣେ ମାତ୍ର ଏଡ୍‍ମାୟାରାର ସ୍ୱାମୀର ଗୋଟାଏ ପ୍ରକାର ଚାଟୁ କଥା ଦିନ ରାତି ଶୁଣି ଶୁଣି ?

 

ଚାଟୁ କଥାରେ ବି ନୂତନତ୍ୱ ଦରକାର ତ ?

 

ଧନ୍ୟ ସୁଜାତା ମଜୁମ୍‌ଦାର !

 

ଶତ-ଧିକ୍‌ ଆମର ଆବାଲ୍ୟ ବନ୍ଧୁତାକୁ !!

 

ମିସ୍‌ ବ୍ରାଉନିଂଙ୍କର ସେତେବେଳେ ବାପାଙ୍କ ଉପରେ ଥିଲା ଯଥେଷ୍ଟ ପ୍ରଭାବ । ତାଙ୍କର ପରାମର୍ଶ ଅନୁସାରେ ମୋତେ କନଭେଣ୍ଟରେ କେବଳ ପଢ଼ିବାକୁ ନୁହେଁ, ରହିବାକୁ ବି ହେଲା ।

 

ପ୍ରତିଦିନ ସନ୍ଧ୍ୟାବେଳେ ସେ ମୋତେ ପଢ଼ାଉଥିଲେ ତାଙ୍କରି ରୁମରେ । ଦୋତାଲା ଉପରର ସେଇ ଏକୁଟିଆ ଘରଟି ପୂରାପୂରି ମିସ୍‌ ବ୍ରାଉନିଂଙ୍କର ।

 

ବହିପତ୍ର ନେଇ ସେଇଠିକି ଯିବାକୁ ହେଉଥିଲା ମୋତେ ଠିକ୍‌ ସାତାଟାବେଳେ । ସାତଟାରୁ ନଅଟା, ଦୁଇଘଣ୍ଟା ପଢ଼ୁଥିଲି । ଯେକୌଣସି ସାବ୍‌-ଜେକ୍ଟ ପଢ଼ାଇବାର ଦକ୍ଷତା ଓ ଯୋଗ୍ୟତା ଥିଲା ମିସ୍‌ ବ୍ରାଉନିଂଙ୍କର ।

 

ଦର୍ପଣରେ ମୁହଁ ଦେଖିବା ତାଙ୍କୁ ମନା । କେଶ ପ୍ରସାଧନ କରିବା ତାଙ୍କ ପାଇଁ ଅଧର୍ମ ଓ ଅନ୍ୟାୟ । ପ୍ରଭୁ ଯୀଶୁଙ୍କ ଛଡ଼ା ଅନ୍ୟ କୌଣସି ପୁରୁଷ କଥା ମନରେ ସ୍ଥାନ ଦେବା ତାଙ୍କ ପକ୍ଷରେ ଖାଲି ଅନୁଚିତ ନୁହେଁ ଗର୍ହିତ; ଧର୍ମ-ଗ୍ରନ୍ଥରେ ନିଷେଧ-ବାଣୀ ଅଛି ! ମଦର୍‌ ସୁପିରିୟର୍‌ କନଭେଣ୍ଟ୍‌ର ମୁଖ୍ୟ ବ୍ରହ୍ମଚାରିଣୀ !!

 

କୁଚ୍ଛ୍ର-ସାଧନରେ ରହିବା କଥା ମିସ୍‌ ବ୍ରାଉନିଂଙ୍କର ! କିନ୍ତୁ ଏ କି ପରିବର୍ତ୍ତନ ଲକ୍ଷ୍ୟ କରୁଛି ମୁଁ ? ବ୍ରହ୍ମଚାରିଣୀର ପୁଣି ଏ କି ମତି-ଗତି ?

 

ମୁହଁରେ ସ୍ନୋ ଓ ପାଉଡରର ସାମାନ୍ୟ ପ୍ରଲେପ, ଓଠରେ ଅଳ୍ପ ଟିକିଏ ଲିପ୍‌ଷ୍ଟିକ୍‌ ଛୁଇଁ ଦେଇଥିବାର ପ୍ରମାଣ, ମୁଁ ପାଇ ସାରିଲିଣି ୟା’ ଭିତରେ । କିଛି ମୋ ଆଖି ଏଡ଼େଇନି !

 

ଥରେ ପଢ଼ାଉ ପଢ଼ାଉ ପଚାରି ଦେଲେ, ଏ କନଭେଣ୍ଟ୍‌ ତମକୁ କିପରି ଲାଗୁଛି ବିଜୟ ?

 

ଭଲ । ଖୁବ୍‌ ଛୋଟ ଉତ୍ତର ।

 

ମୋତେ ଭଲ ଲାଗେ ?

 

ଲାଗେ ମଦର୍‌ ।

 

ତମର ଏଠି ସବୁଠାରୁ ବେଶୀ ଭଲ ଲାଗେ ବୋଧହୁଏ ଇଭାକୁ ! ନାଁ ?

 

ଇଭା ।

 

ମାତ୍ର ତେର ବର୍ଷ ବୟସର କିଶୋରୀଟି ସେ । ଅତି ପିଲାଦିନୁ ବାପା-ମାଆଙ୍କୁ ହରାଇ କନଭେଣ୍ଟ୍‌ର ଅନାଥାଶ୍ରମରେ କେବେ ଓ କିପରି ଭାବେ ସେ ଯେ ଆଶ୍ରୟ ପାଇଥିଲା, ତା’ର ଇତିବୃତ୍ତି କେହି ମନେ ରଖିନି; କେହି ଜାଣେନା ତା’ ଜନ୍ମର ଭୂମିକା !

 

ପିଲାଟି ଦିନରୁ ସେ ଜାଣି ଆସିଛି–ଏଇ କନଭେଣ୍ଟ୍‌ଇ ତା’ର ଗତି ମୁକ୍ତି ଓ ସ୍ଥିତି ...ସବୁ କିଛି ! ବୟସ ଅଠର ବର୍ଷ ହୋଇଯିବା ପରେ ଦିନେ ନାଁ ଦିନେ ତାକୁ ବାଳ କାଟି ପକାଇବାକୁ ହେବ, କ୍ୟାମେଲାଇଟ୍‌ ଡ୍ରେସ୍‌ ପିନ୍ଧିବାକୁ ହେବ ବ୍ରହ୍ମଚାରିଣୀ ହୋଇ ପ୍ରଭୁ ଯୀଶୁଙ୍କର ସେବିକା ରୂପେ ସାରାଜୀବନ କଟାଇବାକୁ ହେବ–ଏଇ କନଭେଣ୍ଟ୍‌ ଭିତରେ । ସକାଳେ ଉଠିବା ପରେ ଫାଦର୍‌ ତା’ଉପରେ ଛିଞ୍ଚି ଦେବେ ପବିତ୍ର ମନ୍ତ୍ର-ପୁତ ଜଳ । ସେଇଠୁ ତା’ କର୍ମ-ବ୍ୟସ୍ତ ଦିବସର ଆରମ୍ଭ । ସନ୍ଧ୍ୟାରେ....ସମ୍ମିଳିତ ପ୍ରାର୍ଥନାରେ ଯୋଗଦେବା ପରେ କଠିନ ଶଯ୍ୟାରେ ଶୋଇ ପଡ଼ିବ ସେ । ସେଇଠି ତା’ କର୍ମକ୍ଳାନ୍ତ ଜୀବନର ଯବନିକା-ପତନ ।

 

ବାହାରର ରଙ୍ଗୀନ୍‌ ପୃଥିବୀ ଚିରଦିନ ରହିଯିବ ତା’ର ଅଜଣା ! ଧରାବନ୍ଧା ମିଶନାରୀ ଜୀବନ ଭିତରେ ଧୀରେ ଧୀରେ ମଉଳି ଯିବ ତା’ର ପ୍ରସ୍ଫୁଟିତ ଯୌବନ । ସେ ହୋଇ ପାରିବନି କାହାରି ହେଲେ ଦୟିତା ବା ଜନନୀ । ତା’ ଜୀବନରେ କେବେହେଲେ ଆସିବନି ସାଂସାରିକ ଉପଭୋଗ । ଆସିବ ହୁଏତ ହଠାତ୍‌ କେଉଁଦିନ କାମନାର ତାଡ଼ନାରେ ଲମ୍ପଟ, ଗଳିତ-ଦନ୍ତ, ତଥାକଥିତ ବ୍ରହ୍ମଚାରୀ, କୋଉ ବୃଦ୍ଧ ଫାଦର୍‌ର ଶଯ୍ୟା-ସଙ୍ଗିନୀ ହେବାର ଦୁର୍ଭୋଗ । ତା’ପରେ ? ତା’ପରେ ହୁଏତ ଦୁର୍ନାମ, ବିତାଡ଼ନ, ଗର୍ଭପାତ୍‌, ଆତ୍ମହତ୍ୟା କିମ୍ବା ନିରୁଦ୍ଦେଶ ଏଇତ ? ଏଇତ ନନ୍‌ ଜୀବନ ?

 

ବ-ହୁ-ତ୍‌ କଥା ‘ନନ୍‌’ମାନଙ୍କ ସମ୍ବନ୍ଧରେ ଶୁଣିବାକୁ ପାଉଛି ମୁଁ ଏଠିକି ଆସିବା ପରେ । ଜଘନ୍ୟ, ଲୋମ-ହର୍ଷକ, ଘୃଣ୍ୟ ଓ ଲଜ୍ଜାକର କାହାଣୀ ସବୁ !

 

କମ୍ ଜନ୍ତୁ ନୁହନ୍ତି ଏଇ ଫାଦର୍‌ଗୁଡ଼ିକ ! ଗୋଟିଏ ଗୋଟିଏ ‘‘ବୃଦ୍ଧ-ବ୍ୟାଘ୍ର’’ !

 

ମିଶନ୍‌-ହଷ୍ଟଲରେ ଅଲଗା ଗୋଟାଏ ରୁମରେ ମୋତେ ରଖିଥିଲେ ମଦର୍‌ ସୁପିରିୟର୍‌ । ଏକୁଟିଆ ଭଲ ପଢ଼ାପଢ଼ି କରିପାରିବି ବୋଲି । ଟାଉନ୍‌ ସ୍କୁଲରେ କେତେ ପପୁଲାର୍‌ ଥିଲି ମୁଁ ! ଏଠିକି ଆସି ମୋର ପୂରାପୂରି ପରିବର୍ତ୍ତନ ହେଇ ଯାଇଚି । କାହାରି ସାଙ୍ଗରେ ମିଶି ପାରୁନି, ଖେଳି-ବୁଲି ପାରୁନି.....ସବୁବେଳେ ରହିଚି ମନମରା ହୋଇ । ସବୁବେଳେ ଖାଲି ମନେ ପଡ଼ୁଚି ଜନ୍‌କିଙ୍ଗ୍‌ ଓ ମଞ୍ଜୁ-ଭାଉଜ କଥା ! ମନ ଝୁରି ମରୁଚି ସେଇ ସବୁଜ-ସୁନ୍ଦର ଓ ସରସ ପୁରୁଣା ଦିନଗୁଡ଼ିକ ପାଇଁ ଯାହା ଆଉ କେବେ ମୋ ପାଇଁ ଫେରି ଆସିବନି । ମନ ଶତ-ଚେଷ୍ଟାରେ ବି ପଢ଼ାରେ ଲାଗେନା–ଭାରି ରାଗ ହୁଏ ନିଜ ଉପରେ, ରାଗହୁଏ ସମସ୍ତଙ୍କ ଉପରେ, ସବୁ କିଛି ଲାଗେ ବିଷ ପରି ! ଜୋର୍‌ କରି ତଥାପି ମୁଁ ପଢ଼ାରେ ମନ ଲଗାଉଥିଲି, ମୋତେ ଏ ବର୍ଷ ନିଶ୍ଚୟ ପାସ୍‌ କରିବାକୁଇ ହେବ, ଏଠୁ ବାହାରି ଯାଇ ଆସନ୍ତା ବର୍ଷ କଲିକତାରେ ଥ୍ରୀ ମସ୍କେଟିୟର୍ସ ଗ୍ରୁପ୍‍ ସାଙ୍ଗରେ ମିଶିବାକୁ ହେବ, ଅର୍ଥାତ୍‌ ନୂତନ କରି ପୂର୍ଣ୍ଣାଙ୍ଗ କରିବାକୁ ହେବ ଆମର ଗ୍ରୁପ୍‍-ଏକ୍‌ଟିଭିଟିକୁ ! କଲିକତାର ନାଗରିକ-ଜୀବନ ଦୂରରୁ ମୋତେ ହାତ ଠାରୁ ଥିଲା, କନଭେଣ୍ଟ୍‌ର ବାୟୁ-ମଣ୍ତଳ ମୋ ପାଇଁ ହୋଇ ଉଠୁଥିଲା ଅସହ୍ୟ ! ମରୁଭୂମି ପରି ନିଷ୍କରୁଣ....ଶୁଷ୍କ....ମନେ ହେଉଥିଲା ମୋର ଏଠାକାର ସବୁକିଛିକୁ ।

 

ତା’ରି ଭିତରେ ଇଭା ଥିଲା ଓୟେସିସ୍‌ । ବୟ-କଟ୍‌ ହେଲା ପରି ଏକୁଟିଆ ଦିନ କଟାଉଥିଲି; ଇଭା ସାଙ୍ଗରେ ପରିଚୟ ହେଇଗଲା ପରେ ଆଶ୍ରୟଟିଏ ମିଳିବା ପରି ଲାଗିଲା ।

 

ଇଭା ଝିଅଟି ଭଲ । ଶ୍ୟାମଳ ଉଜ୍ଜ୍ୱଳ-ବର୍ଣ୍ଣ ଦେହରେ ଧଳା ଶାଢ଼ି ମାନେ ବେଶ୍‌ । ମଥାର ଗହଳିଆ ବାଳ ସାଙ୍ଗକୁ ଭଅଁର-କଳା ଆଖି ଡୋଳା ମନ ଭିତରେ କିପରି ଏକ ଶୀତଳତାର ପ୍ରଲେପ ବୋଳିଦିଏ; ସେଥିରେ ଜ୍ୱଳନ ନାହିଁ...କିନ୍ତୁ ଅଛି ଏକ ସଂଯତ ଓ ନୀରବ ଆବେଦନ ।

 

ଇଭାକୁ ଭଲ ଲାଗେ ।

 

ସବୁବେଳେ ତାକୁ ଏକୁଟିଆ ପାଇବା ପାଇଁ ଖୋଜି ବୁଲେ ମୁଁ । ପାଏଁ ଖୁବ୍‌ କମ୍‌ ।

 

ପାଇଲେ ପଚାରେ–ଇଭା, ପ୍ରକୃତରେ କ’ଣ ଭଲ ଲାଗେ ତମର ଏଇ ଶୁଷ୍କ ମିଶନାରୀ ଜୀବନ ? ଭଲ ଲାଗେ ଏଇ ସବୁ ପ୍ରାର୍ଥନା, ଉପାସନା ଆରତି ? ମୁକ୍ତି, ମୃତ୍ୟୁ, ନିର୍ବାଣ ଏବଂ ବାଇବେଲ୍‌ ଓଲ୍‌ଡ ଟେଷ୍ଟାମେଣ୍ଟ ଉପରେ ମଦର୍‌ ସୁପିରିୟର୍‍ଙ୍କ ଦୀର୍ଘ ଅସାର ବକ୍ତୃତା, ଖରାପ ଲାଗେନା ପ୍ରତିଦିନ ଶୁଣିବାକୁ ? ଏଇ ଅବରୁଦ୍ଧ ବାୟୁମଣ୍ତଳ ଭିତରୁ ‘ମୁକ୍ତି’ ପାଇ ପଳାଇ ଯିବାକୁ କେବେହେଲେ ଇଚ୍ଛା ହୁଏନା ତମର ?

 

‘ମୁକ୍ତି’ ? ‘ମୁକ୍ତି’ ମାନେ ‘ନିର୍ବାଣ’ । ଆଉ ତାହା କେବଳ ‘ମୃତ୍ୟୁ’ ପରେହିଁ ସମ୍ଭବ ! ଇଭାର କଣ୍ଠ ସ୍ୱରରେ ବିଶ୍ୱାସର ଦୃଢ଼ତା !

 

ଏଇ ‘ମୁକ୍ତି’, ‘ମୃତ୍ୟୁ’, ‘ନିର୍ବାଣ’ ଓ ‘ଉପାସନା’ ଛଡ଼ା ତମର କ’ଣ ଆଉ କିଚି ଭାବି ପାରିବାର ସାମର୍ଥ୍ୟ ନାହିଁ ଇଭା ? ଦେଖି ନାହଁ, ଜାଣି ନାହଁ କି ଶୁଣି ନାହଁ କେବେ, ବାହାରେ ରହିଚି ଏକ ସୁନ୍ଦର ପୃଥିବୀ ? ‘ବିବାହ’ ବୋଲି ଯେ ଶବ୍ଦଟିଏ ଅଛି ଆଉ ତା’ର ଗୋଟାଏ ମାନେ ବି ଅଛି, ଜାଣିନା ଏକଥା ?

 

ବିଜୟ, ମୁଁ ଖ୍ରୀଷ୍ଟର ପୂଜାରିଣୀ !

 

ଧୀରେ ଧୀରେ ସେତେବେଳେ ବାଜି ଉଠୁଥିଲା ଗିର୍ଜାରେ ସାନ୍ଧ୍ୟ-ଆରତିର ଘଣ୍ଟା-ଧ୍ୱନି । ଇଭା ଅପସରି ଗଲା, ମୋତେ ଏକାକୀ ଭାବିବାକୁ ଛାଡ଼ି ଦେଇ । ନିର୍ବାକ ହେଇ ରହିଗଲି ! କାନ ପାଖରେ ମୋର ଶୁଭି ଯାଉଥାଏ ସେଇ ପଦକ କଥା ଯାହା ଇଭା ଯିବା ଆଗରୁ କହି ଦେଇ ଯାଇଚି–ବିଜୟ, ମୁଁ ଖ୍ରୀଷ୍ଟର ପୂଜାରିଣୀ !

 

ଅଲକ୍ଷ୍ୟରେ କେବେ ବୋଧହୁଏ ଦେଖି ନେଇଚନ୍ତି ମଦର୍‌ ସୁପିରିୟର୍‍ ଇଭା ସାଙ୍ଗରେ ମୋର ମିଳାମିଶା । ନ ହେଲେ, ଏଭଳି ପ୍ରଶ୍ନ ସେ କାହିଁକି କରିଥାନ୍ତେ ?

 

କିଛି ନ କହି ଚୁପ୍‌ ରହିଲି ମୁଁ । ମୋ ପ୍ରଶ୍ନର ଜବାବ ଦିଅ ବିଜୟ ।

 

ମୁଁ ନିରୁତ୍ତର ।

 

ମୋ ଆଖିରେ ଆଖି ରଖି ପୂରା ଦୁଇ ମିନିଟ୍‌ ଗଭୀର ମର୍ମଭେଦୀ ଦୃଷ୍ଟିରେ ଗମ୍ଭୀର ହୋଇ ଚାହିଁ ରହିଲେ ମଦର୍‌ ସୁପିରିୟର୍‌ ।

 

ତା’ପରେ କହିଲେ, ଆଚ୍ଛା, ତମେ ଏବେ ଯାଇପାର ।

 

ସାଳନ୍ଦୀ କୂଳ ପର୍ଯ୍ୟନ୍ତ ଲାଗି ଯାଇଛି ମିଶନର ବିରାଟ କମ୍ପାଉଣ୍ତ ।

 

ସେଇ ପାଖକୁ ରହିଚି ଛୋଟ ଆମ୍ବ ତୋଟାଟିଏ ମିଶନ କମ୍ପାଉଣ୍ତ ଭିତରେଇ ।

 

ପତ୍ର ଗହଳି ଭିତରେ ଧୀରେ ଧୀରେ ମିଳାଇ ଯାଉଥାଏ ଡୁବନ୍ତ ସୂର୍ଯ୍ୟର ଢାଉ ରଙ୍ଗ କିରଣ । ନଈଟା ଶୁଖି ଆସିଚି । ଅଳ୍ପ ଟିକିଏ ପାଣିଧାର ମଝିରେ । ସେ ପାଖରୁ ମାଛରଙ୍କାଟିଏ ଉଡ଼ି ଆସି ତୋଟା ଉପରେ ଥରେ ଦି’ଥର ଚକ୍‌କର ମାରି ପୁଣି ଫେରିଗଲା ପାଣି କୂଳକୁ । ଏପାରିରୁ ସେପାରିକୁ ଯାଉଛନ୍ତି ଗାଈ ପଲ । ନଈ ମଝିରୁ ଶୁଭୁଚି ଘାଗୁଡ଼; ଆଉ ଜଗୁଆଳର ବଇଁଶୀ ସୁର ଭାସି ଆସୁଚି ସୁଲୁସୁଲିଆ ପବନରେ । ସେଇ ଗାଈପଲ, ସେ ପାରିର ଗାଆଁଗଣ୍ତା, ବିସ୍ତୃତ ଢେଉ ଢେଉକା ବାଲି.... ସବୁକିଛିରେ ଯେପରି କେହି ଅଳତା ବୋଳି ଦେଇଚି !

 

ଆଜିକାଲି ଏତିକିବେଳେ ପ୍ରତିଦିନ ଇଭାର ମୋର ଏଇଠି ଭେଟହୁଏ ନିରୋଳାରେ ।

 

ସେ ଆସିଲା, କିଛି ସମୟ ପରେ ।

 

କ’ର ଏଣୁତେଣୁ କଥାବାର୍ତ୍ତା ଚାଲିଥିଲା ଆମର, ଠିକ୍‌ ମନେ ନାହିଁ । ହଠାତ୍‌ ପ୍ରଜାପତିଟିଏ ଆସି ତା’ ନାକ ଉପରେ ବସିପଡ଼ି ପୁଣି ଉଡ଼ି ଚାଲିଗଲା !

 

ଦୁହେଁ ହସି ଉଠିଲୁ । ଇଭା ପ୍ରଗଳ୍‍ଭା ହେଇ କହିଲା, ମୋତେ ସେଇଟା ଧରିଦିଅ ବିଜୟ ।

 

ପ୍ରଜାପତି ଧରିବାକୁ ଦୌଡ଼ିଲି । ଇଭା ବି ମୋ ପଛେ ପଛେ । ସତେ ଅବା ଦୁଇଟି ଛୋଟ ଶିଶୁ ଆମେ !

 

ସେ କିନ୍ତୁ ଥିଲା ଆମ ଦୁହିଁଙ୍କ ଠାରୁ ଅଧିକ ଚତୁର ଓ ଚଞ୍ଚଳ !

 

ଗଛ ଭିତର ଦେଇ ଏଣେତେଣେ ଉଡ଼ି ହଠାତ୍‌ ସେ ଘାସ ଉପରେ ବସି ଯାଏ । ଆମେ ହାତ ବଢ଼ାଇବାକୁ ଯିବା ଆଗରୁ ପୁଣି ଉଡ଼ି ପଳାଏ । ଦୁହେଁ ଦୁହିଁଙ୍କୁ ଚାହିଁ ହସି ଉଠୁ ଆଉ ପୁଣି ଦଉଡ଼ି ଯାଉଁ ପ୍ରଜାପତି ପଛେ ପଛେ । ସେଇ ରଙ୍ଗୀନ ପ୍ରଜାପତି, କ୍ଷୁଦ୍ର, କ୍ଷିପ୍ର, କୋମଳ ଓ ସୁନ୍ଦର...ଆମ ଦୁହିଁଙ୍କୁ ଖେଳାଇ ଖେଳାଇ କ୍ଳାନ୍ତ କରି ପକାଇଲା ସିନା, ଧରା କିନ୍ତୁ ଦେଲାନି । ଧାଇଁ ଧାଇଁ ଦୁହେଁ ହାରିଗଲୁ, ସେ ଆଗକୁ ଆଗକୁ ଉଡ଼ି ପଳାଇ ଗଲା । ଆଉ ଦୌଡ଼ିବାକୁ ତା’ର ବଳ ନ ଥିଲା କି ମୋର ବି ମନ ନ ଥିଲା । ଥକା ହେଇ ଦୁହେଁ ପଡ଼ିଗଲୁ ଘାସ ଉପରେ ।

 

ଇଭାର କପାଳରେ ଦେଖା ଦେଇଥିଲା ବିନ୍ଦୁ ବିନ୍ଦୁ ଝାଳ, ବକ୍ଷ ବାସ ହେଇ ଯାଇଥିଲା ଅଶାଳୀନ, ବିସ୍ରସ୍ତ ବାଳ କେତୋଟି ପଡ଼ିଥିଲା ତା’ ଗାଲ ଉପରେ । ଆହତ ପକ୍ଷିଣୀ ପରି, ନିଥର ହେଇ, ମୋରି ପାଖକୁ ଲାଗି, ଚିତ୍‌ ହେଇ ଶୋଇ ପଡ଼ିଥିଲା ସେ ।

 

ଚାହିଁଲି ତା’ ମୁହଁକୁ । ଓଠ ଥିଲା ଅଳ୍ପ ଖୋଲା, ଆଖି କିନ୍ତୁ ନିବୁଜ୍‌ ! ଶ୍ରମ-କ୍ଳାନ୍ତିର ଖର ନିଃଶ୍ୱାସରେ ଖୁବ୍‌ ଚଞ୍ଚଳ ହେଇ ଉଠିଥିଲା ସୁଡୌଲ କିଶୋରୀ ବକ୍ଷର ଉତ୍‌ଥାନ ପତନ ।

 

ଭାବିଲି–କେଡ଼େ ସୁନ୍ଦର ଝିଅଟି !

 

ତା’ର ଝାଳ ଭିଜା ବାଳଗୁଡ଼ିକ ହାତରେ ନେଇ ଖେଳିଲି । ସେ ସେମିତି ଶୋଇଥାଏ ଆଖି ବୁଜି । ମୋ ଦ୍ରୁତଗାମୀ ଚିନ୍ତାଧାରାର ମୋଡ଼ ଫେରାଇବାକୁ ଚେଷ୍ଟା କଲି । ପାରିଲିନି ! କମ୍ପିତ ଓଠ ନଇଁ ଯାଇ ଇଭାର ଲଲାଟ ଚୁମି ନେଲା ।

 

ଆଖି ନ ଖୋଲି ସେ ଆସ୍ତେ କହିଲା, ତମକୁ ମୋର ଭାରି ଭଲଲାଗେ ବିଜୟ ! ତମେ ଏଠୁ ଯାଅନା ।

 

ମାନେ ?

 

ସବୁଦିନ ପାଇଁ ଏଇଠି ରହିଯାଅ । ଏଇ କନଭେଣ୍ଟରେ....ଲୁକ୍‌ ହିଆର୍‌ ଚିଲ୍‌ ଡ୍ରେନ୍‌ !

 

ଚମକିପଡ଼ି ଫେରି ଚାହିଁଲା !!

 

ସର୍ବନାଶ !

 

ଆମ ଆଗରେ ଠିଆ ହେଇଛନ୍ତି ସ୍ୱୟଂ ମଦର୍‌ ସୁପିରିୟର୍‌ !!!

 

ଉପର ମହଲାରେ, ମଦର୍‌ ସୁପିରିୟର୍‍ଙ୍କର ସେଇ ନିଛାଟିଆ ରୁମ୍‌ଟି ।

 

ଖାଲି ସେ ଆଉ ମୁଁ ।

 

ବିଜୟ, ଯେଉଁ ଅପରାଧ କରିଛି ତା’ର କ୍ଷମା ନାହିଁ ।

 

ମଦର୍‌

 

ଦଣ୍ତଭୋଗ କରିବା ପାଇଁ ପ୍ରସ୍ତୁତ ହୁଅ । ହାତରେ ଧରିଥିବା ବେତଟି ଖୁବ୍‌ ଜୋରରେ ସେ ଉଠେଇଥିଲେ ଉପରକୁ ଏତିକି ମୁଁ ଦେଖିଚି, ସୁଉ କରି ଗୋଟାଏ ଶବ୍ଦ ହେଲା ପବନରେ ତା’ ବି ମୁଁ ଶୁଣିଛି । ତା’ପରେ ଦେଖି ପାରିନି କିଛି, ଭୟରେ ବୁଜି ହେଇ ଯାଇଚି ଆଖି । ପ୍ରଚଣ୍ତ ପ୍ରହାର ବଦଳରେ ଅନୁଭବ କରିଛି ନିବିଡ଼ ଗୋଟାଏ ଆଲିଙ୍ଗନ । ଆଖି ଖୋଲି ଦେଖେ ତ ବେତ ପଡ଼ିଛି ତଳେ ଆଉ ମୁଁ ରହିଯାଇଛି ତାଙ୍କରି ବଳିଷ୍ଠ ବାହୁର ନିପୀଡ଼ନରେ ବନ୍ଦୀ ହେଇ ! ଅଷ୍ଟପଦୀ ଭଳି ଭିଡ଼ି ଧରିଛନ୍ତି ମୋତେ ମଦର୍‌ ସୁପିରିୟର୍‌ ମିସ୍‌ ବ୍ରାଉନିଂ । ଆଖି ଦି’ଟା ଜଳୁଚି, ଦିହଟା ଥରୁଚି, ନିଃଶ୍ୱାସଟା ମୋ ମୁହଁକୁ ତତେଇ ଦଉଚି ! ତାଙ୍କ ଅଭିପ୍ରାୟ ମୁଁ ସ୍ପଷ୍ଟ ବୁଝି ସାରିଛି ସେତେବେଳକୁ-!!! ସ୍ପଷ୍ଟ ବୁଝି ପାରିଛି !!!

 

ବେତ ମାଡ଼ର ଯନ୍ତ୍ରଣା ବରଂ ଢେର ଭଲ ଏଇ ଘୃଣିତ ସାନ୍ନିଧ୍ୟ ଠାରୁ ! ଉଃ !! ମୁଁ ପ୍ରାୟ ଚିତ୍କାର କରି ଉଠିଲି–ମୋତେ ଛାଡ଼ି ଦିଅ ମଦର୍‌ ! I say leave me…., Leave me I say…. !

 

ବିଜୟ, ମୁଁ ତୁମକୁ ଆଜି ଛାଡ଼ିବିନି । ଅନୁମାନ କରି ପାରିନ ତମେ, ଯୋଉ ବେଦନା ମୋ ଛାତି ଭିତରଟାକୁ ତିଳେ ତିଳେ ଜାଳିପୋଡ଼ି ଛାରଖାର କରି ଦେଉଛି ?

 

କ’ଣ ସେଇ ବେଦନା ମଦର୍‌ ? କ’ଣ ଆପଣଙ୍କର କଷ୍ଟ ? ଆପଣଙ୍କର ପୁଣି କ’ଣ ଏତେ ଦୁଃଖ ଥାଇପାରେ ?

 

ଯାହା ଚାହୁଁଛି, ତାହା ନ ପାଇବାର ବେଦନା ।

 

ଭଗବାନ ଆପଣଙ୍କୁ ଶାନ୍ତି ଦେବେ ମଦର୍‌ !

 

ଦେହର ଦେଉଳରେ କାମନାହିଁ ଭଗବାନ ବିଜୟ...

 

ହ୍ୱାଟ୍‌ ଡୁ ୟୁ ସେ’ ମଦର୍‌ !!! ଆର୍‌ ୟୁ ଟକିଂ ଲାଇକ୍‌ ଏ ଖ୍ରୀଷ୍ଟିଆନ୍‌ ???

 

ଯୀଶୁ-ଖ୍ରୀଷ୍ଟ ଜଣେମାତ୍ର ଥିଲେ ବିଜୟ । ବେଶ୍‌ ! ସମସ୍ତେ କିଛି ଯୀଶୁଖ୍ରୀଷ୍ଟ ହେଇ ପାରିବେନି କି ଯୀଶୁଖ୍ରୀଷ୍ଟ ବି ପୃଥିବୀରେ ପୁଣିଥରେ ଜନ୍ମ-ଗ୍ରହଣ କରି ପାରିବେନି । ତାଙ୍କର ଲକ୍ଷ୍ୟ ଆଉ ମୋର ଲକ୍ଷ୍ୟ ଏକ । କିନ୍ତୁ ପଥ ନିର୍ଦ୍ଦେଶ ବିଭିନ୍ନ । ଖ୍ରୀଷ୍ଟ ପାରିଥିଲେ କାମନାକୁ ସଂଯମର ବଲ୍‌ଗାରେ ଆୟତ୍ତ କରି । କିନ୍ତୁ ମୁଁ ଉପଲବ୍ଧ କରୁଛି, ବିଶେଷତଃ ତମକୁ ଦେଖିବା ପରେ, ତମ ପ୍ରତି ପ୍ରଲୁବ୍ଧ ହେଇ ପଡ଼ିବା ପରେ, ଯେ ହୃଦୟରେ ସଂସାର ପ୍ରତି ବିତୃଷ୍ଣା ବା ତ୍ୟାଗଭାବ ଆସିବାରେ ପ୍ରଧାନ ପ୍ରତିବନ୍ଧକ ‘‘ଅତୃପ୍ତି’’ ! ଆଉ ମୋ ଜୀବନରେ ସେଇ ମୂର୍ତ୍ତିମନ୍ତ ଅତୃପ୍ତ କାମନା ହେଉଛ ତୁମେଇ ନିଜେ !!

 

ଆପଣଙ୍କର ଆଜି କ’ଣ ହେଇଚି ମଦର୍‌ ???

 

ହଁ ବିଜୟ ! କେବେହେଲେ ଜୀବନରେ ମୁଁ ମିଛ କହିନି; ଆଜି ବି କହୁନି । ଭଗବାନଙ୍କୁ ବି ମୁଁ ଏତେ ଚାହିଁନି, ଯେତେ ଚାହିଁଛି ତୁମକୁ । ଯେତେ ପ୍ରୟାସ ଆଉ ପ୍ରଯତ୍ନ କରିଛି ତୁମକୁ ପାଇବା ପାଇଁ, ଭଗବାନଙ୍କ ପାଇଁ ସେତିକି କରିଥିଲେ, ସେତିକି ଆନ୍ତରିକତା ସହ ଭଗବାନଙ୍କୁ ଚାହିଁଥିଲେ, ବୋଧହୁଏ ତାଙ୍କୁ ପାଇ ସାରନ୍ତିଣି ।

 

କ୍ରୂଶ–ବିଦ୍ଧ ଯୀଶୁଙ୍କର ବିରାଟ ଅୟେଲପେଣ୍ଟ ଛବି ଆଡ଼କୁ ଚାହିଁ ସେ କହି ଚାଲିଲେ–ଆଉ ତମେ ଯଦି ମୋ କଥାରେ ରାଜି ନ ହୁଅ, ମୁଁ ଏଇ ପ୍ରଭୁ ଯୀଶୁଙ୍କ ଆଗରେହିଁ ମଥା ପିଟି ମରିଯିବି ବିଜୟ, ମଥା ପିଟି ମରିଯିବି !

 

ମଦର୍‌ ଆପଣ ମୋର ଗୁରୁ !

 

ଗୁରୁ-ଶିଷ୍ୟ ସମ୍ପର୍କ କଥା ମନେ ପକାଇ ପ୍ରଥମେ ମୁଁ ତମଠାରୁ ନିଜ ମନକୁ ଟାଣି ଆଣିବାର ଚେଷ୍ଟା ବି କରିଥିଲି ବିଜୟ; କିନ୍ତୁ ପାରିନି । ପ୍ରଭୁଙ୍କର ମୂର୍ତ୍ତି ଆଗରେ ଆଖି ବୁଜି ବସି ମାଳା ଜପ କରୁ କରୁ ହାତର ଆଙ୍ଗୁଳି ନିଶ୍ଚଳ ରହି ଯାଇଚି–ଆଖି ଆଗରେ ଖ୍ରୀଷ୍ଟର ରୂପ ଆଉ ଦିଶିନି । ନାଚି ଉଠିଚି ଗ୍ରିସ୍‌ ଦେଶୀୟ କଳା-କୁଶଳୀ କାରିଗରର ନିପୁଣ ନିହାଣରେ ଗଢ଼ା ମାର୍ବେଲ ମୂର୍ତ୍ତି ପରି ସୁନ୍ଦର, ବଳିଷ୍ଠ, ମାଂସପେଶୀବହୁଳ ଦେହ ତମର । ମୋର କିଛି ଉପାୟ ନାହିଁ ବିଜୟ; ମୁଁ କ’ଣ କରିବି ?

 

ସେ ମୋତେ ଭିଡ଼ି ଧରିଲେ ସମସ୍ତ ଶକ୍ତି ପ୍ରୟୋଗ କରି । ଆଉ ମୁଁ, ଚେଷ୍ଟା କଲି ନିଜକୁ ମୁକୁଳେଇ ନବାକୁ । କିନ୍ତୁ ଅନୁଭବ କଲି, ଧୀରେ ଧୀରେ ମୋର ଦୃଢ଼ତା ଯେପରି କମି ଆସୁଛି । ବଢ଼ି ଚାଲିଛି ଦେହ-ମନର ଉତ୍ତେଜନା । ନିଜକୁ ମୁକ୍ତ କରିବାକୁ ଚେଷ୍ଟା ନ କରି ମୁଁ ଯେପରି ଆରମ୍ଭ କରି ଦେଇଚି ତାଙ୍କରି ଉପରେ ଶକ୍ତି ପ୍ରୟୋଗ କରିବାକୁ । କ୍ରମେ କ୍ରମେ ଅଧିକରୁ ଅଧିକ ଶକ୍ତି ପ୍ରୟୋଗ କରି ଚାଲିଚି, ତାଙ୍କ ମାଂସଳ ଦେହ ଉପରେ !

 

ସେତିକିବେଳେ ଡାଇନାମୋ ବୋଧହୁଏ ବନ୍ଦ ହେଇଗଲା କୌଣସି ଯାନ୍ତ୍ରିକ ତ୍ରୁଟି-ବିଚ୍ୟୁତି ଯୋଗୁ । ବଲ୍‌ବର ଉଜ୍ଜ୍ୱଳ ଆଲୋକ କ୍ଷଣିକ ପାଇଁ ଲଣ୍ଠନ ଆଲୁଅ ଭଳି ଲାଲ୍‌ ହେଇ....ତା’ପରେ ଏକାବେଳକେ ମିଳେଇଗଲା । ଚାରିଆଡ଼େ ଛାଇ ଯାଇଚି ସତେ ଯେପରି ନିଶା ରାତିର ଅନ୍ଧାର ତଳେ ଶ୍ମଶାନର ଭୀତପ୍ରଦ ନୀରବତା ! ଡାଇନାମୋର ଶବ୍ଦ ସାଙ୍ଗରେ ମିଶନର ହୃତ୍‌ପିଣ୍ତ ଅବା ସ୍ତବ୍ଧ ହେଇ ଯାଇଚି ! ସ୍ତବ୍ଧ ହେଇ ଯାଇଚି ସବୁ କିଛି । ବିବେକ, ମନ, ବିଚାରଶୀଳତା, ସୌନ୍ଦର୍ଯ୍ୟବୋଧ...ସବୁ ମୋର ନିସ୍ତବ୍ଧ ହେଇ ଯାଇଚି । ଭିତରେ ଜାଗି ଉଠିଚି ଗୋଟାଏ ସଇତାନ, ଯାହାକୁ ପ୍ରଲୁବ୍ଧ କରି ପକାଇଚି ଏଇ ବିଚିତ୍ର ପରିବେଶ, ଶତ ଶତାବ୍ଦୀର ପରିତ୍ୟକ୍ତ ଦୁର୍ଗ ଭଳି ସେଇ ଭୟାନକ ନିର୍ଜନ କନଭେଣ୍ଟର ରୁଦ୍ଧ-କକ୍ଷ, ସୁପ୍ତ କଳା ରାତିର ଭୌତିକ ବିଭୀଷିକା, ସମସ୍ତ ଅସ୍ତିତ୍ୱକୁ ବଳି ଦେଇ ଦେବାପାଇଁ ସେଇ କୁତ୍ସିତା....ବିଗତ-ଯୌବନା ପ୍ରୌଢ଼ାର କାମନା ନିକଟରେ !!

 

କମ୍ପାଉଣ୍ତ୍‌ ଭିତରର ଅପେକ୍ଷାକୃତ ନିର୍ଜନ ଅଂଶରେ ଜାମୁ, ଆମ୍ବ ଆଉ ପଣସ ଗଛର ଗହଳିରେ ଥିଲା ସେଇ ଘରଟି । ମଦର୍‌ ସୁପିରିୟର୍‍ ଏକାକୀ ସେଠି ରହୁଥିଲେ । ତଳ ତାଲାଟା ଲାଇବ୍ରେରୀ । ରାତିରେ ବନ୍ଦ ଥାଏ । ପାଖ-ଆଖରେ କେହି ନ ଥିଲେ ସେ ଦିନ ନିଶା-ରାତିର ସେଇ ଏକାନ୍ତ ଲଗ୍ନରେ....ଜାଣିବାକୁ, ଶୁଣିବାକୁ, ଦେଖିବାକୁ କିମ୍ବା ବାଧା ଦେବାକୁ....ଯାହା କିଛି ସେଠି ହେଇଗଲା, ଯାହା କିଛି ସେଠି ଘଟିଗଲା !!!

 

ଦୁଇଟି ଦେହର ଘନିଷ୍ଠ-ମିଳନରେ ଯେଉଁ ଅନିର୍ବଚନୀୟ, ଅଭୂତପୂର୍ବ, ଲଜ୍ଜାକର ଆନନ୍ଦ....ସେଥିରେ ଅଭିଭୂତ ହେଇ ପଡ଼ିବାରେ ଆଉ ସେଇ ଘୃଣ୍ୟ ନିର୍ଲଜ୍ଜତା ଭିତରେ ଗୁରୁ-ଶିଷ୍ୟର ସମସ୍ତ ଭେଦାଭେଦକୁ ଲୁଚାଇ ଦେବାରେ ମୁଁ କ’ଣ ଚୁର୍‌ମାର୍‍ କରି ଭାଙ୍ଗି ଦେଇନି ଦୁନିଆଁର ଦୁଇଟି ଶ୍ରେଣୀ ଭିତରର କୃତ୍ରିମ ବ୍ୟବଧାନ.... ??? ଦୁଇଟି ଶ୍ରେଣୀର ପ୍ରତିନିଧି ବିଜୟ ଆଉ ମିସ୍‌ ବ୍ରାଉନିଂ । ବ୍ୟକ୍ତି ନୁହନ୍ତି ସେମାନେ । ସେମାନଙ୍କ ଭିତରେ ସମ୍ପର୍କ ଗୋଟିଏ । ସ୍ତ୍ରୀ ପୁରୁଷର ଚିରନ୍ତନ ସମ୍ପର୍କ ! ଅବଶ୍ୟ ମୁଁ ଭଲଭାବେ ଜାଣିଥିଲି, ପରିତୃପ୍ତି ପରେଇ ମୋ ପ୍ରତି ତାଙ୍କ ମନରେ ଚାଲି ଆସିବ ବିତୃଷ୍ଣା ଭାବ ! ଆଉ ଠିକ୍‌ ସେଇଆ ଆସିଥିଲା ମୋ ମନରେ ବି । ରାତିର ଶେଷ ପ୍ରହରରେ ନିଦରୁ ଉଠି ବିଛଣାକୁ ଚାହିଁ ମୁଁ ଘୃଣାରେ ଶିହରି ଉଠିଥିଲି ! ଇସ୍‌ କାଲି ରାତିରେ କ’ଣ କରିଥିଲି ମୁଁ । ଉତ୍ତେଜନାରେ ଅନ୍ଧ ହେଇ ଯାହାକୁ ଆଶ୍ଳେଷରେ ବନ୍ଦୀ କରି ବା ଯାହାର ଆଶ୍ଳେଷରେ ବାନ୍ଧି ହେଇ ସାରା ରାତି କଟେଇ ଦେଇଚି ନିର୍ବୋଧର ସ୍ୱର୍ଗରେ, ଇସ୍‌ ଗୋଟାଏ କୁତ୍ସିତା.....ବିଗତ-ଯୌବନା, ସ୍ୱୈରିଣୀ, ସେଇ ନାରୀ !! ମୋ ପାଟିରୁ ବାହାରି ପଡ଼ିଥିଲା ଅଜାଣତରେ–Oh, a horrible bitch !

 

ସୁସୁପ୍ତ ଦେହଟାକୁ ଠେଲି ଦେଇ ହଠାତ୍‌ ଉଠି ପଡ଼ିଥିଲି ବିଛଣାରୁ ! ଧାଇଁ ଆସିଥିଲି ବାହାରକୁ ! ଆତ୍ମ-ଗ୍ଳାନି ଓ ଅସ୍ୱସ୍ତିରେ ଦେହ ଆଉ ମନ ମୋର ଜଳି ଉଠିଥିଲା । ସେଇ ଜ୍ୱଳନକୁ ଥଣ୍ତା କରିବା ପାଇଁ; ଧୋଇ-ପୋଛି ପରିଷ୍କାର କରି ଦେବା ପାଇଁ ଭୋର ହେବା ଯାଏଁ ବୁଡ଼ିଥିଲି ବାଥ୍‌-ରୁମ୍‌ର ଟବରେ !

 

ତେବେ, ପାପର ପ୍ରକ୍ଷାଳନ କ’ଣ ହେଇ ପାରିଥିଲା ସେତିକିରେ ? ସେଥିପାଇଁ ତ ଗଙ୍ଗାର ପବିତ୍ର ଜଳ ଦରକାର ହେଇଥାଏ ।

 

କିନ୍ତୁ, ‘ପାପ’ କ’ଣ ହେଇଥିଲା ? ଯଦି ସେଇଟା ‘ପାପ’ଇ ହୁଏ, କାହିଁ, ଦୁନିଆଁ ତ ଜଳିପୋଡ଼ି ଛାରଖାର ହେଇ ଗଲାନି ସେ ଦିନ ? ଝଡ଼ ଉଠିଲାନି, ଆକାଶ ଗର୍ଜିଲାନି କି ବଜ୍ରର ଆଘାତରେ ଚୁର୍‍ମାର୍‌ ହେଇ ସେଇ କଂକ୍ରିଟ୍‌ ଛାତ ଭାଙ୍ଗି ପଡ଼ିଲାନି ଆମ ମଥା ଉପରେ ଦୁହିଁଙ୍କୁ ନିଷ୍ପେଷିତ, ନିଶ୍ଚିହ୍ନ ଆଉ ଧ୍ୱଂସ କରି ଦେବା ପାଇଁ ? କାହିଁକି ମାଡ଼ି ଆସିଲାନି ସମୁଦ୍ର, ହେଲାନି ଭୂମିକମ୍ପ, ଶୃଗାଳଟିଏ ବି ଚିତ୍କାର କରି ଉଠିଲାନି ନଦୀ ତୀରର ଶ୍ମଶାନରୁ ୟା’ର ପ୍ରତିବାଦ କରିବା ପାଇଁ ?

 

ମିସ୍‌ ବ୍ରାଉନିଂ ଆଉ ବିଜୟ ଭିତରେ ଘଟିଥିବା ଅବ୍ୟାପାର ବିଷୟରେ ମୁଁ ବହୁତ ଭାବିଚି-। ଏଇ ସଂକଳନର ମୁଦ୍ରଣ ଚାଲିଥିବା ବେଳେ ବି ଭାବି ଚାଲିଛି । ବିଜୟର ବୟସ ସେତେବେଳେ ଅଠର ବର୍ଷ ପୂରାହେଇ ନ ଥିବ । ନିଃସନ୍ଦେହରେ ମିସ୍‌ ବ୍ରାଉନିଂ ଥିଲେ ତା’ଠାରୁ ଅନ୍ତତଃ ଦୁଇ ଗୁଣର ଅଧିକ ବୟସର ।

 

କାହିଁକି ତେବେ ତା’ ପ୍ରତି ଆକୃଷ୍ଟ ହେଇ ପଡ଼ିଥିଲେ ବ୍ରାଉନିଂ ? ଆଉ ବିଜୟ ବି ତାଙ୍କ ବୟସର ଜଣେ ମହିଳା ପାଖରେ ଏତେ ଶୀଘ୍ର, ଏଡ଼େ ସହଜରେ ଆତ୍ମସମର୍ପଣ କରି ପାରିଥିଲା କିପରି ?

 

ବୋଧହୁଏ ବ୍ରାଉନିଂ ଥିଲେ ମୂଳରୁ ଜଣେ ଶାସକ ମନୋବୃତ୍ତିର ନାରୀ । ସେ ଚାହୁଁ ନ ଥିଲେ ଶାସିତା ହେବା ପାଇଁ । ଏକାନ୍ତ ଅନୁଗତ, ଆଜ୍ଞାନୁବର୍ତ୍ତୀ ଓ ଅଧିନସ୍ଥ ଗୋଟିଏ ପ୍ରଣୟୀ ତାଙ୍କର ଦରକାର ଥିଲା ଯେ କି ତାଙ୍କୁ ସମ୍ମାନ ଦେବ ଆଉ ଲେହନ କରିବ ଅନୁଗୃହିତ ପୋଷା-ଶ୍ୱାନ ପରି । ଏଇ ଧରଣର ପ୍ରଣୟୀ ବୋଧହୁଏ ସାରା ଜୀବନ ଧରି ଇଉରୋପ୍‌ଠାରୁ ଏସିଆଯାଏ ଅନ୍ୱେଷଣ କରି କରି ପାଇପାରି ନ ଥିଲେ ସେ । ଯୋଉ ବିଶ୍ରୀ ରୁକ୍ଷ ରୂପ, ଗମ୍ଭୀର ବ୍ରକ୍ତିତ୍ୱ....କିଏ ବା ଚାହିଁବ ମିସ୍‌ ବ୍ରାଉନିଂର ପ୍ରଣୟୀ ହେବା ପାଇଁ ? କିଏ ବା ଚାହିଁବ ତାଙ୍କ ସାନ୍ନିଧ୍ୟ ? କିଏ ବା ଚାହିଁବ ତାଙ୍କ ଦେହର ସାହାଚର୍ଯ୍ୟ ?

 

ସେ ଆକୃଷ୍ଟ ହୋଇ ପଡ଼ିଥିଲେ ଆଜ୍ଞାନୁବର୍ତ୍ତୀ, ଅନୁଗତ ଓ ବିନୀତ ଛାତ୍ର ବିଜୟ ପ୍ରତି । ଅସ୍ୱାଭାବିକତା କିଛି ନାହିଁ ଏଥିରେ । ମିସ୍‌ ବ୍ରାଉନିଂଙ୍କ ଚରିତ୍ରର ବିଶେଷତ୍ୱ ହିଁ ଥିଲା ସେଇଟା । ଏଇଠି ସେ ଅନ୍ୟମାନଙ୍କଠାରୁ ଭିନ୍ନ ! ବହୁ ପୂର୍ବରୁ ତା’ର ସୁଠାମ ଦେହ ସୌନ୍ଦର୍ଯ୍ୟ ହୁଏତ ତାଙ୍କ ଅବଚେତନ ମନର ଭିତରେ ଭିତରେ ପ୍ରଚ୍ଛନ୍ନ କାମନାର କାୟା ବିସ୍ତାର କରାଇ ଥିଲା । ଧୀରେ ଧୀରେ ହୁଏତ ଅଧୈର୍ଯ୍ୟ ଓ ଅସଂଯତ ହେଇ ଉଠୁଥିଲେ ମିସ୍‌ ବ୍ରାଉନିଂ । ଯାହାର ଶେଷ ପରିଣତି ‘ବଳାତ୍କାର’ରେ ହିଁ ପର୍ଯ୍ୟବସିତ ହେଲା ! ନିଶ୍ଚୟ ‘ବଳାତ୍କାର’ ! ‘ବଳାତ୍କାର’ ଛଡ଼ା ଆଉ କ’ଣ କୁହାଯିବ ଏହାକୁ ? ଦେହ ଉପରେ ନ ହେଲେ ବି ଅନ୍ତତଃ ମନ ଉପରେ ତ ? (ବିଜୟକୁ ମଦର୍‌ ସୁପିରିୟର୍‍ ଏକପ୍ରକାର ‘Rape’ କରିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନି ! ହଁ, ପ୍ରକାରନ୍ତରେ ବିଜୟକୁ ସେ ଧର୍ଷଣଇ କରିଥିଲେ ।)

 

ଆଉ, ଯଦି କେହି ଯୁକ୍ତିବାଦୀ ଏଇ ‘ଧର୍ଷଣ’ କଥାଟାକୁ ସ୍ୱୀକାର କରିବାକୁ ନାରାଜ, ତେବେ ମୁଁ ଏତିକି କହିବି, ସେଇ ବୟସରେ ତା’ର ମନସ୍ତାତ୍ତ୍ୱିକ ଯୋଗ୍ୟତା ବୋଧହୁଏ ନ ଥିଲା କୌଣସି କିଶୋରୀ ବା ବାଳିକାକୁ ଆଶ୍ରୟ ଦେବା ପାଇଁ ଓ ଭାର ବହନ କରିବା ପାଇଁ । ସୁସ୍ଥ, ସବଳ, ବଳିଷ୍ଠ ବିଜୟ ଥିଲା ନିତାନ୍ତ ଦୁର୍ବଳ ମନୋବୃତ୍ତିର–ଏ କଥା ବି ମୁଁ ବିଶ୍ଳେଷଣ କରି ବାହାର କରିଛି । ସେ ବି ମନେମନେ ହୁଏତ ଚାହୁଁଥିଲା ଏଇପରି ଏକ ପ୍ରେମିକା ଯେ’କି ଆଶ୍ରୟ ଚାହିଁବନି, ଆଶ୍ରୟ ଦେବ । ଭାର ଦେବ ନାହିଁ, ଭାର କାଢ଼ିନେବ । ନିରାପତ୍ତା ଲୋଡ଼ିବ ନାହିଁ ନିରାପତ୍ତା ଦେବ-। ଆବେଦନକୁ ଅପେକ୍ଷା ନ କରି ଯେ ନିବେଦନ କରିବ.....

 

ମୋର ମନସ୍ତତ୍ତ୍ୱ ବିଚାର ଠିକ୍‌ କି ଭୁଲ୍‌ ଜାଣେନା, ତେବେ ଯଦି ଠିକ୍‌ ହେଇଥାଏ, ମିସ୍‌ ବ୍ରାଉନିଂ ଥିଲେ ଏକମାତ୍ର ସେଇ ପ୍ରକୃତିର ନାରୀ !

 

ବିଜୟର କାହାଣୀ–

 

ସେତେବେଳେ ବି ମୁଁ ଥାଏ କଲିକତାରେ ପ୍ରେସିଡେନ୍‌ସି କଲେଜର ଛାତ୍ର ।

 

ଚୌରାଙ୍ଗୀର ଏକ ବାର୍‌ ସାମ୍ନାରେ ଜଣେ ବନ୍ଧୁ ସାଙ୍ଗରେ ଅକସ୍ମାତ୍‌ ଦେଖା ହେଇଗଲା-। ଫୁଟ୍‌ପାଥରେ ଠିଆ ହେଇ କଥାବାର୍ତ୍ତା କରୁଥିଲୁ ଦୁହେଁ ।

 

ହଠାତ୍‌ ଆମ ପାଖ ଦେଇ ସାଏଁ....କରି ପାସ୍‌କରି ଚାଲିଗଲା ମସ୍ତବଡ଼ ଦାମିକା କ୍ୟାଡ଼ିଲକ୍‌ କାର୍‌ ।

 

ବାର୍‌ ଆଗରେ ଜଳୁଥିବା ନିୟମ ଆଲୋକର ବିଚିତ୍ର ବର୍ଣ୍ଣଚ୍ଛଟାରେ ବାହାରକୁ ଚାହିଁଥିବା ଯେଉଁ ସୁନ୍ଦର ମୁହଁଟି କ୍ଷଣିକ ପାଇଁ ମୋତେ ଦେଖା ଦେଇ ଉଭେଇ ଗଲା, ତାହା ମଞ୍ଜୁ ଭାଉଜର ବୋଲି ମନେହେଲା ।

 

କାର୍‌ ପଛରେ ଲେଖାଥିଲା, ସାରଙ୍ଗଗଡ଼ । ନମ୍ବର 2098.

 

ମୋତେ ଜଣାଥିଲା, ମଧ୍ୟପ୍ରଦେଶର ଗୋଟିଏ ଛୋଟ ନେଟିଭ ଷ୍ଟେଟ୍‌ ସାରଙ୍ଗଗଡ଼ ।

 

କିନ୍ତୁ ସେଇ କ୍ୟାଡିଲକ୍‌ କାହାର, ଏବଂ ତା’ ଭିତରେ ମଞ୍ଜୁ ଭାଉଜ ବା କିପରି ଓ କାହିଁକି-??? ମୁଁ ଠିକ୍‌ ଚିହ୍ନି ପାରିଛି ତ ? ପ୍ରକୃତରେ ମଞ୍ଜୁ ଭାଉଜ ନାଁ ଆଉ କେହି ? ଯଦି ମୁଁ ଠିକ୍‌, ତେବେ କ’ଣ ଆଜିଯାଏ ସେ ବିଲାତ ଫେରି ଯାଇନି ? ଏଇ ପ୍ରଶ୍ନ ଥରକୁଥର ଉଠିବାକୁ ଲାଗିଲା ମୋ ମନ ଭିତରେ । ବନ୍ଧୁ ସାଙ୍ଗରେ କଥା କହୁ କହୁ ଅନ୍ୟମନସ୍କ ହେଇ ପଡ଼ିଲି । ସେ ଆଶ୍ଚର୍ଯ୍ୟ ହେଇ ପଚାରିଲା, ତମେ ବୋଧହୁଏ ଅନ୍ୟ କିଛି ଭାବୁଛ ବିଜୟ ?

 

ତା’ପରେ, କଲିକତାର ଜନଗହଳି ରାଜପଥ ଉପରେ ସବୁବେଳେ କୌତୂହଳୀ ଆଖି ମୋର ଖୋଜି ବୁଲିଛି ମଞ୍ଜୁ ଭାଉଜକୁ । କିନ୍ତୁ ପାଇନି । ମନରେ ଅବଶୋଷ ଆସିଚି, ସେଦନି ଦେଖିଲାକ୍ଷଣି କାହିଁକି ଡାକ ନ ଦେଲି ଗାଡ଼ି ଠିଆ କରିବାକୁ, କାହିଁକି ‘ମଞ୍ଜୁ ଭାଉଜ’ ବୋଲି ବାହାରି ପଡ଼ିଲାନି ମୁହଁରୁ ? ଭୁଲରେ ବି ଯଦି ଡାକି ଦେଇ ଥାଆନ୍ତି....କ’ଣ କ୍ଷତିଟା ହେଇଯାଇ ଥାଆନ୍ତା ? ଯଦି ସେ ମଞ୍ଜୁ ଭାଉଜ ନ ହେଇ ଅନ୍ୟ କେହି ହେଇ ଥାଆନ୍ତା, ଶୁଣି ନ ଶୁଣିଲା ପରି ଚାଲିଥାନ୍ତା, ମଞ୍ଜୁ ଭାଉଜ ହେଇଥିଲେ କିନ୍ତୁ ନିଶ୍ଚୟ ଗାଡ଼ି ରଖି ଥାଆନ୍ତା ତ ? ଏତେଦିନ ପରେ ମୋତେ କ’ଣ ସତରେ ଚିହ୍ନିପାରି ଥାଆନ୍ତା ମଞ୍ଜୁ ଭାଉଜ ?

 

ପୁଣି ଭାବିଲି...ଭାବି ଭାବି ଶେଷରେ ମୋ ମନରେ ଘୋର ସନ୍ଦେହ ହେଲା ଯେ ସେଇ ମହିଳା ହୁଏତ ମଞ୍ଜୁ ଭାଉଜ ଆଦୌ ନୁହେଁ । ତା’ରି ପରି ଦେଖିବାକୁ ଅନ୍ୟ କେହି ହେଇଥାଇପାରେ, କିନ୍ତୁ ସେ ନୁହେଁ ନିଶ୍ଚୟ ।

 

ମନେ ପଡ଼ୁଚି–କ୍ଷଣିକ ପାଇଁ ତା’ ଆଖିରେ ମୋ ଆଖି ମିଶି ଯାଇଥିଲା, ଚାରିଚକ୍ଷୁ ଏକ ହେଇ ଯାଇଥିଲା, ନିଶ୍ଚୟ ଦେଖିଚି ସେ ମୋତେ, ଦେଖିଚି, ଚିହ୍ନନ୍ତା ନାଇଁ ? ନାଁ, ସେ ମଞ୍ଜୁ ଭାଉଜ ନୁହେଁ ।

 

ଅକାରଣେ ଖୋଜି ମରୁଛି ମୁଁ । ମଞ୍ଜୁ ଭାଉଜ ହୁଏତ ଏଇନେ ବିଲାତରେ କିମ୍ବା ଆଉ କୋଉଠି । କଲିକତାରେ ଏତେଦିନ ଯାଏ ରହିବାକୁ ଯିବ ସେ କୋଉ ଦୁଃଖରେ ?

 

ସେତେବେଳେ ମଉଜ କରିବା, ଫୁର୍ତ୍ତି କରିବା, ବିଭିନ୍ନ ହୋଟେଲରେ ଉତ୍ସାହୀ ବନ୍ଧୁମାନଙ୍କୁ ନେଇ ଡାନ୍ସ ଡିନାରରେ ଯୋଗ ଦେବା ହେଇ ପଡ଼ିଥାଏ ମୋର ନିତ୍ୟ-ନୈମିତ୍ତିକ ନିଶା-!

 

ଅସଂଖ୍ୟ ବାର୍‌, ହୋଟେଲ, ରେଷ୍ଟୁରାଣ୍ଟ....ଓ ନାଇଟ୍‌ କ୍ଲବରେ ଘୂରୁ ଘୂରୁ ଶେଷରେ ଦିନେ ପାଇଥିଲି ହୋଟେଲ ଏଷ୍ଟୋରିଆର ସନ୍ଧାନ ।

 

ଜଣେ ନବ-ଲବ୍ଧ ବନ୍ଧୁ କହିଲେ, ସେଠି ବ୍ୟାଲେ ଡାନ୍ସ ଦିଏ ଜଣେ ସୁନ୍ଦରୀ ସ୍ପେନିଶ....ଆଃ...କି ଓଣ୍ତର ଫୁଲ୍‌ !! ଥରେ ଚାଲନା ବିଜୟ !

 

ଯାଇଥିଲି ।

 

ଆଉ, ସେଇଠି ମୋର ଅତି ଅପ୍ରତ୍ୟାଶିତ ଭାବେ ଦେଖା ହେଇଥିଲା ମଞ୍ଜୁ ଭାଉଜ ସାଙ୍ଗରେ !

 

ସେଇ ତଥାକଥିତ ‘ସ୍ପେନିଶ’ ନର୍ତ୍ତକୀ ଅନ୍ୟ କେହି ନୁହେଁ ମଞ୍ଜୁ ଭାଉଜ !!

 

ରାତି ବହୁତ ହେଇଚି ।

 

ଡାନ୍ସ ସରିଗଲା ।

 

ସବା ପଛ ଲାଇନରେ ବସିଥିଲି ମୁଁ । ଉଠିଲିନି । ବସି ରହିଲି ସେଇପରି ।

 

ସମସ୍ତେ ଗୋଟି ଗୋଟି ହୋଇ ଉଠି ଚାଲିଗଲେ । ମୋର ବନ୍ଧୁଟିକୁ ବି ଅପେକ୍ଷା କରିବାକୁ କହି ତଳକୁ ପଠାଇ ଦେଲି ।

 

ଏକାକୀ ଚୁପ୍‌ଚାପ୍‌ ଡାନ୍ସ-ହଲ୍‌ ଭିତରେ ବସି ରହିଚି ଦେଖି ବେହେରା ଆସି ପଚାରିଲା, କୁଚ୍ଛ୍‌ ଚାହିଏ ବାବୁ ସା’ବ୍‌ ?

 

ତାକୁ ବକ୍‌ସିସ ଦେଇ କହିଲି, ସେଇ ନର୍ତ୍ତକୀ ସାଙ୍ଗରେ ମୁଁ ଦେଖା କରିବାକୁ ଚାହେଁ; ଖବର ଦିଅ ।

 

ସପ୍ତତଳ ‘ହୋଟେଲ ଏଷ୍ଟୋରିଆ’ । ସର୍ବୋଚ୍ଚ ମହଲାର ଗୋଟିଏ ସୁସଜ୍ଜିତ କକ୍ଷରେ ମଞ୍ଜୁ ଭାଉଜ ସାଙ୍ଗରେ ମୋର ଦେଖା ହେଇଥିଲା । ସେଇଟା ତା’ର ପ୍ରାଇଭେଟ ଚେମ୍ବର ।

 

ବିଜୟ, ଆସ ଆସ । ଓଃ, କେତେଦିନ ପରେ ଦେଖା ! ବସ ଏଇଠି । ତା’ପରେ ? ଖବର କ’ଣ ? କ’ଣ କରୁଛ କଲିକତାରେ ? କୋଉ କଲେଜରେ ପଢ଼ୁଛ ? କୋଉ ଇୟର ଏଟା ? ଇମିତି ଶୁଖିଲା ଦିଶୁଛ ଯେ ! ମୁଁ ଜାଣେ ପରା ତମର ଯିମିତି ସବୁ ଭଲମନ୍ଦ ଖାଇବା ଅଭ୍ୟାସ, ହଷ୍ଟେଲରେ ନିଶ୍ଚୟ ଖୁବ୍‌ ଅସୁବିଧା ହଉଥିବ ! ନାଁ ? ବେହେରା....ବେହେରା ....ଇନକେ ଲିୟେ ଲେଆଓ ତୋ ଏକ୍‌ ପ୍ଲେଟ୍‌ ଭରକେ ଅଙ୍ଗୁର । ତମେ ତ ଆଗେ ଅଙ୍ଗୁର ଖାଇବାକୁ ଭାରି ଭଲ ପାଉଥିଲ ବିଜୟ !

 

ମୁଁ କିଛି ଖାଇବିନି ମଞ୍ଜୁ ଭାଉଜ, ମୋ ଦେହ ଭଲ ନାହିଁ ।

 

କ’ଣ ହେଇଚି ତମ ଦେହ ? ମୋ କପାଳରେ ହାତ ପାପୁଲି ରଖିଲେ ସେ । ହଁ ଅଳ୍ପ ଟିକିଏ ଟେମ୍ପରେଚର ଥିଲା ଭଳିଆ ତ ଜଣା ପଡ଼ୁଚି, ଦେଖୁଚି । ବିଦେଶ ଜାଗା ! ନିଜ ଦେହର ଯତ୍ନ ନିଜେ ନ ନେଲେ ଚଳିବ ? କିଏ ଆଉ ଏଠି ବୁଝିବ ତମ କଥା ? ମୁଁ ଜାଣେ ପରା–ଭାରି କେଆର୍‌-ଲେସ୍‌ ତମେ ! ଟିକିଏ ରହି କହିଲେ, ତେବେ ଅଙ୍ଗୁରରେ ତ କିଛି ହେବନି, ଖାଅ ।

 

ତାଙ୍କ ହାତଟାକୁ ଠେଲି ଦେଲି । କହିଲି, ମୋର କିଛି ହେଇନି ମଞ୍ଜୁ ଭାଉଜ–ମୁଁ ଏଠି କିଛି ଖାଇବିନି–That’s all !

 

କାହିଁକି ? କ’ଣ ହେଲା ? ମଞ୍ଜୁ ଭାଉଜର ମୁହଁରେ ହସ । ଆଖିରେ ବିସ୍ମୟ । ଏତେ ଦିନ ପରେ ଆସିଚ, ଟିକିଏ କିଛି....

 

କିଛି ଦରକାର ନାହିଁ ।

 

କ’ଣ ହେଇଚି ବିଜୟ ? କଥା କ’ଣ ? ମଞ୍ଜୁ ଭାଉଜ କହିଲେ–ଦେଖୁଚି, ତମେ ଠିକ୍‌ ଆଗ ପରି ପିଲାଳିଆ ! କଲେଜରେ ପଢ଼ିଲେ କ’ଣ ହେବ, ଠିକ୍‌ ସେଇ ଭଳିଆ ଅଛ !

 

ଆଉ, ମୁଁ ଜାଣିବାକୁ ଚାହେଁ ମଞ୍ଜୁ ଭାଉଜ, ତମେ ଆଗେ କ’ଣ ଥିଲ ଆଉ ଆଜି କ’ଣ ହେଇଚ ?

 

ନୀରବରେ ଉଠିଗଲେ ମଞ୍ଜୁ ଭାଉଜ । ଠିଆ ହେଲେ ଯାଇ ଖୋଲା ଝରକା ପାଖରେ । ଗମ୍ଭୀର ମୁହଁରେ ଚାହିଁ ରହିଲେ ବାହାରକୁ । କିଛିକ୍ଷଣ ପରେ ମୁଁ ବି ଯାଇ ତାଙ୍କ ପାଖରେ ଠିଆ ହେଲି ।

 

କ୍ରମେ କ୍ରମେ ନିଭି ଆସୁଚି ବିଶାଳ ମହାନଗରୀର ସୌଧ-ମାଳାର ଆଲୋକ । ଘନାୟମାନ ଅନ୍ଧକାରର ହ୍ରଦ ଭିତରେ ଧୀରେ ଧୀରେ ଡୁବି ଯାଉଛି ରୂପସୀ ରାତ୍ରୀର ବର୍ଣ୍ଣାଢ୍ୟ ସୌନ୍ଦର୍ଯ୍ୟ । ମରି ଯାଇଚି–ରେଡ଼ିଓର ଆମ୍ପ୍ଳ ଫାୟାର୍‌; ସରି ଆସୁଚି ଟ୍ରାଫିକର ଯାତା-ୟତ ।

 

ଦେଖ ମଞ୍ଜୁ ଭାଉଜ, ବାହାର ଲୋକଙ୍କୁ ଆନନ୍ଦ ଦେବାର କ୍ଷମତା ଦିନେ ତମର ଏହିପରି ଶେଷ ହେଇଯିବ ! ଏକଥା ଭାବି ଦେଖିଛ କେବେ ?

 

ଜାଣେ ବିଜୟ ।

 

ତଥାପି ତମେ ବରଣ କରି ନେଇଛ ଏଇ ଅବାଞ୍ଛନୀୟ ଜୀବନ ?

 

ଗମ୍ଭୀର ହୋଇ ମୋ ଆଡ଼କୁ ଫେରି ଚାହିଁଲେ ସେ । ବିଜୟ, ଏଇ ପୃଥିବୀରେ ସବୁ କିଛି ସମ୍ଭବ ! ଏଠି ସମସ୍ତେ ଜାଣନ୍ତି, ମୁଁ ମାତ୍ର ବର୍ଷେ ହେଲା ସ୍ପେନ୍‌ରୁ ଆସିଚି ! ସେଇ ମଞ୍ଜୁ ଭାଉଜ, ଯାହାର କବରୀ ତମେ ଦିନେ ସଜାଇଥିଲ କୃଷ୍ଣ-ଚୂଡ଼ାର କଳିକାରେ ତା’ର ମୃତ୍ୟୁ ହେଇଚି, ତମର ଆଦରର କୃଷ୍ଣ-ଚୂଡ଼ା ମଉଳିପଡ଼ି ଝରି ଯାଇଚି ବିଜୟ ! ମିସେସ୍‌ ମାର୍ଜ୍ଜୋରି ଜନ୍‌କିଙ୍ଗ୍‌ ଆଜି ହୋଟେଲ ଏଷ୍ଟୋରିଆର୍‌ ବିଖ୍ୟାତ ସ୍ପେନିଶ୍‌ ନର୍ତ୍ତକୀ ମିସ୍‌ ଲିଲିୟାନ୍‌ ଉଇନଚେଲ୍‌ । ଆଜି ଅସଂଖ୍ୟ ତା’ର ସ୍ତାବକ, ଗ୍ରାହକ, ପ୍ରେମିକ ଓ ଏଡ୍‍ମାୟାରାର୍‍; କଳନା ନାହିଁ କେତେ ଯେ ତା’ର ରୂପର ପୂଜାରୀ !!

 

ତମେ ଜନ୍‌କିଙ୍ଗ୍‌ ଭଳି ଦେବୋପମ ସ୍ୱାମୀଙ୍କୁ ଭୁଲିଗଲ ମଞ୍ଜୁ ଭାଉଜ । ଏଇ ସ୍ତାବକ ଓ ରୂପର ପୂଜାରୀ ଆଜି ତମ ପାଖରେ ଏତେ ବଡ଼ ହେଲେ ? ସ୍ୱର୍ଗରେ ଥାଇ ତମ ସ୍ୱାମୀର ଆତ୍ମା ଦେଖୁଥିବ....

 

ବାହାରୁ ମେସେଞ୍ଜର ଡାକିଲା-ମେମ୍‌ସାବ୍‌ !

 

କ୍ୟା ବାତ୍‌ ହୈ ?

 

ପ୍ରିନ୍‌ସ ଇନ୍ତଜାର୍‌ କରତେ ହେଁ ?

 

ଉନକୋ ଥୋଡ଼ା ଓୟେଟ୍‌ କରନେକେ ଲିୟେ ବୋଲୋ । ବିଜୟ, ତମର ଯଦି ଆଉ କିଛି କହିବାର ନଥାଏ, ଏବେ ଯାଇ ପାର । ସାରଙ୍ଗଗଡ଼ର ଯୁବରାଜ୍‌ ଆସିଛନ୍ତି ।

 

କାହିଁକି ?

 

ମୋ ସାଙ୍ଗରେ ରାତି କଟେଇବା ପାଇଁ ।

 

ଇସ୍ ! ତମେ ଏତେ ତଳକୁ ଖସି ଯାଇଛ ମଞ୍ଜୁ ଭାଉଜ ? ତମକୁ ଟିକିଏ ଲଜ୍ଜା ବି ନାହିଁ-?

 

ଯେତେବେଳେ କାଙ୍ଗାଳ ପରି ଶୂନ୍ୟ ଥାଳ ନେଇ ତମ ପାଖରେ ହାତ ପାତିଥିଲି ବିଜୟ, ତମେ ଫେରାଇ ଦେଇଥିଲ ! ଦେଖ–ଆଜିମୋର ଅସଂଖ୍ୟ ଏଡ୍‍ମାୟାରାର୍‌ ! ତମର ଈର୍ଷା ହେଉଛି; ନାଁ ?

 

ନାଁ । ମୋର ଘୃଣା ହଉଚି !

 

ବାଚାଳତା ଶୁଣିବାର ଇଚ୍ଛା ମୋର ନାହିଁ । ତମର ଘୃଣା ନେଇ ତମେ ଫେରିଯାଅ । ଯାଅ । ମୋ ସମୟର ମୂଲ୍ୟ ଅଛି ।

 

ମୁଁ ଯିବିନି ।

 

କୋଉ ଅଧିକାରରେ ?

 

ଯୋଉ ଅଧିକାରରେ ତମର କବରୀ ସଜାଇଥିଲି କୃଷ୍ଣ-ଚୂଡ଼ାର କଳିକାରେ, ଆଖିରେ ଦେଇଥିଲି କଜ୍ଜ୍ୱଳ, ପାଦ ଦୁଇଟି କୋଳ ଉପରେ ଧରି ପିନ୍ଧାଇ ଥିଲି ଅଳତା, ସେଇ ଅଧିକାରର ଜୋରରେ ମୁଁ ଏଠି ରହିବି । ଫେରି ଯାଉ ସାରଙ୍ଗଗଡ଼ ଯୁବରାଜ । ତମ ସାଙ୍ଗରେ ଆଜି ରାତି କଟେଇବା ତା’ର ହେଇ ପାରିବନି; ମୁଁ ହେବାକୁ ଦେବିନି ।

 

ବିଜୟ, ମୁଁ କହୁଚି–ତମେ ଏଠୁ ଚାଲିଯାଅ ।

 

ମଞ୍ଜୁ ଭାଉଜ, ମୁଁ କହୁଚି ତମେ ଏ ନର୍କ ଭିତରୁ ବାହାରି ଆସ । ଚାଲ ମୋ ସାଙ୍ଗରେ–ମୁଁ ବରଂ ପଢ଼ାପଢ଼ି ଛାଡ଼ି ଦେଇ ଚାକିରି କରିବି, ସାରାଜୀବନ ଅବିବାହିତ ରହିବି–ମୋର ସମସ୍ତ ଉପାର୍ଜ୍ଜନ ତମ ପାଦ ତଳେ ଅଜାଡ଼ି ଦେବି । ତମେ ସମ୍ମାନର ସହିତ ରହିବ ମୋ ଘରେ ମୋ ଭାଉଜ ହୋଇ ।

 

ହାଃ ହାଃ ହାଃ ହାଃ... ! ତମେ ପାଗଳ ହେଇଚ ବିଜୟ ! ନିହାତି ପିଲା ତମେ; ଆଜିଯାଏ ବି ପିଲାବୁଦ୍ଧି ତମର ଯାଇନି ବାସ୍ତବିକ ! ହୁଁ ! ଏ ସବୁ ପ୍ରଳାପ ।

 

ମେସେଞ୍ଜର ପାଶି ଆସିଲା ଭିତରକୁ ।

 

ପ୍ରିନ୍‌ସ ଯେ ତେଣେ ବ୍ୟସ୍ତ ହେଉଛନ୍ତି ମେମ୍‌ସା’ବ୍‌ !

 

ତମେ ଯାଅ ବିଜୟ । ମୋର ସମୟ ମୂଲ୍ୟବାନ ।

 

ବେଶ୍‌; ତମର ମୂଲ୍ୟ ‘ମୁଁ’ ଦେବାପାଇଁ ପ୍ରସ୍ତୁତ ଅଛି । ତମେ ଯଦି ହେଇଚ ଆଜି ଗଣ-ଭୋଗ୍ୟା ଗଣିକା, ‘ବିଜୟ’ ନିଜେ ତମ ସାଙ୍ଗରେ ରାତ୍ରିଯାପନ କରିବାକୁ ଚାହେଁ ! କୁହ କେତେ ଚାହଁ ? ଶହେ ? ଦୁଇଶ ? ତିନିଶ ? ଚାରିଶ ? ପାଞ୍ଚଶ ? କେତେ ?

 

ନା । ତା’ ହେଇ ପାରେନା ।

 

କାହିଁକି ?

 

ମେସେଞ୍ଜର ଟିକିଏ ବିରକ୍ତ ହେଲାପରି କହିଲା, ସାରଙ୍ଗଗଡ଼ର କୁମାର ସାହେବ । ବହୁତ୍‌ ବେଶୀ ଟଙ୍କା ଦେବେ । ଆପଣ ଚାଲି ଯା’ନ୍ତୁ ବାବୁ; କାହିଁକି ଅକାରଣେ ମେମ୍‌ସାବ୍‌ଙ୍କର ସମୟ ନଷ୍ଟ କରୁଛନ୍ତି ?

 

ଏୟ୍‌ ! କେତ୍‌ନା ବକ୍‌ସିସ୍ ଦିଆ ହୈ କୁମାର୍‌ ସା’ବ୍‍ ନେ ତୁମ୍‌ କୋ ?

 

ଜୀ ନହିଁ ...

 

ତୁମ୍‌ କୌନ୍‌ ହୈ ବାତ୍‌ ବୋଲ୍‌ ନେ ବାଲା ?

 

ନହିଁ ଜୀ....

 

ଚୁପ୍‌ କରୋ !

 

ମାଫ୍‌ କିଜିଏ ମେମ୍‌ସା’ବ୍‌ !

 

ଯାଓ୍‌, ବାହାର୍‌ ମେ ଯାଓ । ବିଜୟ, ଛୋଟ ଭାଇଟି ମୋର ! ଦୟାକରି ଚାଲିଯାଅ ଏଠୁ-! ମୋ କଥା ରଖ....

 

ମଞ୍ଜୁ ଭାଉଜର ଏଇ ଶେଷ ଅନୁରୋଧଟି ବଡ଼ କରୁଣ !

 

ସେଇ ପଦକ କଥାରେ କ’ଣ ଥିଲା କେଜାଣି, ଆଉ ସେଠି ରହି ପାରିଲିନି ।

 

ଆଖିର ଲୁହ ଚାପି ଛୋଟ ପିଲାଟି ପରି ସେଠାରୁ ଧାଇଁ ଧାଇଁ ପଳାଇ ଆସିଚି ସେଦିନ...

 

ଆଦରର କୃଷ୍ଣ-ଚୂଡ଼ା ମୋର ଝରି ଯାଇଚି ! ମଞ୍ଜୁ ଭାଉଜ ମରିଛି । ଚିରଦିନ ପାଇଁ ମରି ଯାଇଚି..... !!

Image